୧୯୭୦ ଦଶକର ବହୁଳ ଆଦୃତ ବଲିଉଡ୍ ଚଳଚ୍ଚିତ୍ର ‘ଦିଓ୍ଵାର୍’ରେ ଅନ୍ୟତମ ମୁଖ୍ୟ ଚରିତ୍ର ଅମିତାଭ ବଚ୍ଚନଙ୍କର ବାଲ୍ୟକାଳରେ ଗ୍ରାମବାସୀମାନେ ତାଙ୍କ ହାତରେ ଚିତାକୁଟାଇ ଦେଇଥିଲେ- ‘ମେରା ବାପ୍ ଚୋର୍ ହୈ’ (‘ମୋ ବାପ ଚୋର’)। ପରବର୍ତ୍ତୀ ସମୟରେ ସତସତିକା ଦୁନିଆରେ ଅନେକ ଘଟଣାରେ ଏହାର ଅନୁକରଣ କରାହେବା ଦେଖାଯାଇଛି ଯେମିତି କେତେଦିନ ତଳେ ବିହାରର ଦରଭଙ୍ଗାଠାରେ ଏକ ସପିଂ ମଲ୍ରେ ଘଟିବା ଦେଖା ଯାଇଥିଲା। ସେଠାରେ ଲୁଚାଇ କରି କିଛି ଜିନିଷ ନେବା ବେଳେ ଧରାପଡ଼ିଥିବା ତିନିଜଣ ବାଳକଙ୍କ ଛାତିରେ ଲଗାଇ ଦିଆଯାଇଥିବା ପୋଷ୍ଟର୍ରେ ବଡ଼ ବଡ଼ ଅକ୍ଷରରେ ଛାପା ଯାଇଥିଲା- ‘ମୈ ଚୋର୍ ହୁଁ’ (‘ମୁଁ ହେଉଛି ଚୋର’)।
ଭାରତ ସରକାରଙ୍କର ବୈଦେଶିକ ମନ୍ତ୍ରଣାଳୟ ଯେ ଉପରୋକ୍ତ ‘ଦିଓ୍ଵାର୍’ ଚଳଚ୍ଚିତ୍ରକୁ ଅନୁକରଣ କରି କୌଣସି ନୀତି ନିର୍ଦ୍ଧାରଣ କରିବେ, ଏହା ଆଦୌ ସମ୍ଭବ ନୁହେଁ ସତ, କିନ୍ତୁ ନିକଟରେ ଏହି ମନ୍ତ୍ରଣାଳୟ ଏକ ନୂତନ ରଙ୍ଗର ପାସ୍ପୋର୍ଟ ପ୍ରବର୍ତ୍ତନ କରିବାକୁ ଯେଉଁ ନିଷ୍ପତ୍ତି ନେଇଥିଲା, ସେଥିରେ କେହି ଯଦି ‘ଦିଓ୍ଵାର୍’ ଚଳଚ୍ଚିତ୍ରର ଏହି ପ୍ରସିଦ୍ଧ ଦୃଶ୍ୟର ପ୍ରତିଛବି ଦେଖିବା ଭଳି ଅନୁଭବ କରିଥିବେ, ସେଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ଜାନୁଆରି ୧୨ ତାରିଖରେ ବୈଦେଶିକ ମନ୍ତ୍ରଣାଳୟ ଜାରି କରିଥିବା ନୂତନ ନିୟମାବଳୀ ଅନୁସାରେ ବିଦେଶ ଯାତ୍ରା ପାଇଁ ଯେଉଁ ଭାରତୀୟମାନଙ୍କର ‘ଦେଶାନ୍ତର ଯାଞ୍ଚ ଆବଶ୍ୟକ’ (‘ଏମିଗ୍ରେସନ୍ ଚେକ୍ ରିକ୍ୱାର୍ଡ’- ‘ଇସିଆର୍’), ସେମାନେ ଏକ ନୂଆ କମଳାରଙ୍ଗର ପାସ୍ପୋର୍ଟ (ଅରେଞ୍ଜ୍ ପାସ୍ପୋର୍ଟ) ବହନ କରିବେ ଏବଂ ଏଭଳି ଯାଞ୍ଚ ଆବଶ୍ୟକ ନଥିବା ନାଗରିକମାନେ ପୂର୍ବପରି ନୀଳ ରଙ୍ଗର ପାସ୍ପୋର୍ଟ (ବ୍ଲୁ ପାସ୍ପୋର୍ଟ) ବହନ କରିବେ। ତାହାଛଡ଼ା ଏହି ନିର୍ଦ୍ଦେଶ ଅନୁସାରେ ଆଉ ପୂର୍ବଭଳି ପାସ୍ପୋର୍ଟର ଶେଷ ପୃଷ୍ଠା ଛାପା ହେବ ନାହିଁ, ଯେଉଁଠି ପାସ୍ପୋର୍ଟଧାରୀଙ୍କର ଠିକଣା ସମ୍ବନ୍ଧରେ ବିଶେଷ ବିବରଣୀ ପ୍ରଦତ୍ତ ହୋଇଥାଏ।
ଯଦି ସରକାରଙ୍କର ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇଥାନ୍ତା, ତାହେଲେ କେଉଁଭଳି ପରିସ୍ଥିତି ସୃଷ୍ଟି ହୋଇଥାନ୍ତା ଦେଖାଯାଉ। ବିଦେଶରେ କାର୍ଯ୍ୟ କରୁଥିବା ଭାରତୀୟ ଶ୍ରମିକମାନଙ୍କୁ ସୁରକ୍ଷା ପ୍ରଦାନ ଥିଲା ଅରେଞ୍ଜ୍ ପାସ୍ପୋର୍ଟ ପ୍ରବର୍ତ୍ତନ ପଛରେ ନିହିତ ଥିବା ସରକାରଙ୍କ ଉଦ୍ଦେଶ୍ୟ ବୋଲି କୁହାଯାଉଛି। ଭାରତ ହେଉଛି ପୃଥିବୀକୁ ସର୍ବାଧିକ ସଂଖ୍ୟକ ଦେଶାନ୍ତରୀ ଶ୍ରମିକ ଯୋଗାଉଥିବା ଦେଶ। ବିଗତ ୨୫ ବର୍ଷ ମଧ୍ୟରେ ଏହି ସଂଖ୍ୟାରେ ଏଭଳି ବୃଦ୍ଧି ଘଟିଛି ଯେ ବର୍ତ୍ତମାନ ପୃଥିବୀରେ ଦେଖାଯାଉଥିବା ପ୍ରତି ୨୦ ଜଣ ଦେଶାନ୍ତରୀ ଶ୍ରମିକରେ ଜଣେ ହେଉଛନ୍ତି ଭାରତ ଜନ୍ମିତ। ୨୦୧୫ରେ ଏହି ଦେଶାନ୍ତରୀ ଶ୍ରମିକମାନେ ଭାରତକୁ ପ୍ରେରଣ କରିଥିବା ବୈଦେଶିକ ମୁଦ୍ରାର ପରିମାଣ ଥିଲା ୬୯ ବିଲିଅନ୍ ଡଲାର୍, ଯାହା ଥିଲା ପୃଥିବୀରେ ସର୍ବାଧିକ। କିନ୍ତୁ ବିଦେଶ ଭୂଇଁରେ ଶସ୍ତା, ଅଣକୁଶଳୀ ଶ୍ରମଶକ୍ତି ଯୋଗାଉଥିବା ଏହି ଦେଶାନ୍ତରୀ ଶ୍ରମିକମାନେ ସେଠାରେ ନାନା ପ୍ରକାର ଶୋଷଣର ଶିକାର ହେବା ଦେଖାଯାଇଥାଏ। ବିଶେଷକରି ୟୁଏଇ, କାତାର୍, ୟେମେନ୍, ମାଲେସିଆ ଆଦି ଦେଶକୁ ଯାଉଥିବା ଏହି ପ୍ରବାସୀ ଶ୍ରମିକମାନେ କିଭଳି ନିର୍ଯାତନା ଭୋଗିଥାନ୍ତି ତାହା ନିୟମିତ ଭାବରେ ଗଣମାଧ୍ୟମରେ ପ୍ରକାଶ ପାଇଥାଏ। ଯେମିତି ୨୦୧୬ରେ ସାଉଦୀ ଆରବରେ ଏକ ଘରୋଇ ପରିଚାରିକା ରୂପେ କାର୍ଯ୍ୟ କରୁଥିବା ୫୫ ବର୍ଷୀୟା କସ୍ତୁରୀ ମୁନିରଥିନମ୍ଙ୍କର ଗୋଟିଏ ହାତ ହାଣି ଦିଆଯିବା ଖବର ପୃଥିବୀବ୍ୟାପୀ ଭର୍ତ୍ସନା ସୃଷ୍ଟି କରିଥିଲା।
ଦୋହାସ୍ଥିତ ଭାରତୀୟ ଦୂତାବାସ ସୂତ୍ରରୁ ପ୍ରକାଶ କାତାର୍ରେ ୨୦୧୨ରୁ ୨୦୧୪ ମଧ୍ୟରେ ୫୦୦ରୁ ଅଧିକ ଭାରତୀୟ ମୃତ୍ୟୁମୁଖରେ ପଡ଼ିଥିଲେ। ମାନବାଧିକାର ଗୋଷ୍ଠୀମାନଙ୍କ ସୂତ୍ରରୁ ପ୍ରକାଶ ଯେ କାତାର୍ରେ ୨୦୨୨ରେ ଆୟୋଜିତ ହେବାକୁ ଯାଉଥିବା ବିଶ୍ୱକପ୍ ଫୁଟ୍ବଲ୍ ପ୍ରତିଯୋଗିତାର ଭିତ୍ତିଭୂମି ନିର୍ମାଣରେ ନିୟୋଜିତ ଏହି ଶ୍ରମିକମାନଙ୍କୁ ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ପରିବେଶରେ ରଖାଯାଇ ସେମାନଙ୍କୁ ଭୀଷଣ କଷ୍ଟଦାୟକ ଗରମରେ ଖଟିବା ପାଇଁ ବାଧ୍ୟ କରାଯାଉଛି। ଏ ସବୁ ଦେଶକୁ ଯାଉଥିବା ଏଭଳି ଶ୍ରମିମାନଙ୍କ ନିରାପତ୍ତା ପାଇଁ ସେମାନେ ଦେଶ ଛାଡ଼ିବା ପୂର୍ବରୁ ସରକାରଙ୍କ ଠାରୁ ଯାଞ୍ଚ ହୋଇ ଅନୁମତିପତ୍ର ପାଇଥାନ୍ତି। ଯେଉଁମାନେ କିନ୍ତୁ ମ୍ୟାଟ୍ରିକ୍ ପାସ୍ କରିଥାନ୍ତି କିଂବା ଆୟକର ଦେଉଥାନ୍ତି, ସେମାନଙ୍କ ପାଇଁ ଏପରି ଯାଞ୍ଚ ଆବଶ୍ୟକ ହୋଇ ନଥାଏ। ତା’ର କାରଣ ଶିକ୍ଷିତ ଏବଂ କୁଶଳୀ ଶ୍ରମିକମାନେ ଶୋଷଣର ଶିକାର ହେବା ସମ୍ଭାବନା କମ୍ ବୋଲି ବିଶ୍ୱାସ କରାଯାଏ। ପାସ୍ପୋର୍ଟର ଶେଷ ପୃଷ୍ଠାରେ ଦେଶାନ୍ତର ଯାଞ୍ଚ ଆବଶ୍ୟକ କରୁଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରାଯାଇଥାଏ।
ନୂଆ ନିୟମ ଲାଗୁ ହୋଇଥିଲେ, ଏହି ଶେଷ ପୃଷ୍ଠା ଉଠିଯାଇ ପାସପୋର୍ଟର ରଙ୍ଗ କମଳା ହୋଇଯାଇଥାନ୍ତା। ଏହି ରଙ୍ଗ ସମ୍ପୃକ୍ତ କର୍ମକର୍ତ୍ତାମାନଙ୍କୁ ତତ୍କ୍ଷଣାତ୍ ଦେଶାନ୍ତର ଯାଞ୍ଚ ଆବଶ୍ୟକ କରୁଥିବା ଯାତ୍ରୀଙ୍କୁ ଚିହ୍ନଟ କରିବାରେ ସହାୟକ ହୁଅନ୍ତା। ଯୁକ୍ତି ଅନୁସାରେ ଏହା ଦ୍ୱାରା ମାନବ ଚାଲାଣକାରୀ ମାନେ ଅସୁବିଧାର ସମ୍ମୁଖୀନ ହୁଅନ୍ତେ କାରଣ ସୀମାରେ ମୁତୟନ କର୍ମଚାରୀମାନେ ଚଟ୍କରି ଜାଣିପାରନ୍ତେ କେଉଁ ଲୋକ ଯାତ୍ରା ପାଇଁ ଅଧିକ ଯାଞ୍ଚ ଆବଶ୍ୟକ କରନ୍ତି। ହୁଏତ ସରକାରଙ୍କର ଏହି ନୂତନ ପାସପୋର୍ଟ ପ୍ରବର୍ତ୍ତନ ପଛରେ ମହତ୍ ଉଦ୍ଦେଶ୍ୟ ନିହିତ ଥିଲା। କିନ୍ତୁ ସମସ୍ୟା ହେଲା ଭାରତ ଭଳି ଏକ ଅସମତୁଲ ସମାଜରେ ଦେଖାଯାଉଥିବା ଗଭୀର ଶ୍ରେଣୀ ବିଭାଜନକୁ ଏହି କମଳା ରଙ୍ଗର ପାସ୍ପୋର୍ଟ ଆହୁରି ଗଭୀରତର କରିଥାନ୍ତା। ଧନୀ ଗରିବ ମଧ୍ୟରେ ଏ ଦେଶରେ ବିଭାଜନ କିଭଳି ଗଭୀର ତାହା ୨୦୧୭ରେ ପ୍ରଦତ୍ତ ଅକ୍ସଫାମ୍ ଇଣ୍ଡିଆର ମୁଖ୍ୟ ଅଧିକାରୀଙ୍କର ଏହି ଉକ୍ତିରୁ ସ୍ପଷ୍ଟ: ଭାରତରେ ୫୭ ଜଣ ସହସ୍ରକୋଟିପତି ଦେଶର ମୋଟ ସମ୍ପଦର ୭୦% ଅକ୍ତିଆର କରିଥାନ୍ତି।
କହିବା ବାହୁଲ୍ୟ ବିଦେଶକୁ ଯାଉଥିିବା ପ୍ରାୟ ସମସ୍ତ ଅଣକୁଶଳୀ ଶ୍ରମିକମାନେ ହେଉଛନ୍ତି ଗରିବ ଶ୍ରେଣୀର। ଯଦି ସେମାନଙ୍କୁ ଗୋଟିଏ ଗୋଟିଏ ଅରେଞ୍ଜ୍ ପାସ୍ପୋର୍ଟ ଧରାଇ ଦିଆଯାଆନ୍ତା ତେବେ ତାହା ସର୍ବସମ୍ମୁଖରେ ତାଙ୍କର ଦାରିଦ୍ର୍ୟ ଓ ଦୁର୍ବଳତାର ପ୍ରଦର୍ଶନ ସ୍ୱରୂପ କାର୍ଯ୍ୟ କରନ୍ତା। ‘ମୋ ବାପ ଚୋର’ କିଂବା ‘ମୁଁ ହେଉଛି ଚୋର’ ଭଳି ସେମାନେ ଏକ କମଳା ରଙ୍ଗର ଛାପା ବହନ କରି ବୁଲନ୍ତେ ଯାହା ଘୋଷଣା କରନ୍ତା- ‘ମୁଁ ହେଉଛି ଦରିଦ୍ର’, ‘ମୁଁ ହେଉଛି ଅଶିକ୍ଷିତ’, ‘ମୁଁ ହେଉଛି ଦୁର୍ବଳ’। ଏପରି ଏକ ବ୍ୟବସ୍ଥାର ପରିଣାମ କଳ୍ପନା କରିବା କଷ୍ଟକର ନୁହେଁ। ନିଜ ଦେଶରେ ସରକାରୀ ଦପ୍ତରରୁ ବିମାନ ବନ୍ଦର ପର୍ଯ୍ୟନ୍ତରେ ସେମାନଙ୍କୁ ଏଥିପାଇଁ ଯେଉଁପରି ହେୟଜ୍ଞାନ କରାଯାଆନ୍ତା ଏବଂ ହଇରାଣ ହରକତ କରାଯାଆନ୍ତା, ବିଦେଶରେ ଏହି କମଳା ଦାଗ ସେମାନଙ୍କୁ ଆହୁରି ଅଧିକ ଦୁର୍ବ୍ୟବହାରର ଶିକାର କରାନ୍ତା। କହିବାକୁ ଗଲେ ସେମାନେ ଜଣେ ଜଣେ ‘କମଳା ଦାଗୀ’ରେ ପରିଣତ ହୁଅନ୍ତେ। ତେଣୁ ସୌଭାଗ୍ୟର କଥା ଅଦାଲତୀ ହସ୍ତକ୍ଷେପ ପରେ ଜାନୁଆରି ୩୦ ତାରିଖରେ ସରକାର ତାଙ୍କର ଏହି ଉଦ୍ୟମ ପ୍ରତ୍ୟାହାର କରି ପୂର୍ବ ଭଳି କେବଳ ବ୍ଲୁ ପାସ୍ପୋର୍ଟ ସମସ୍ତଙ୍କ ପାଇଁ ଲାଗୁ ହେବ ବୋଲି ଘୋଷଣା କରିଛନ୍ତି।