ଈଶ୍ୱରଙ୍କ ପାର୍ଟନର!

ନିମ୍ନରେ ବର୍ଣ୍ଣିତ ପାରାଗ୍ରାଫ୍‌ରେ ରହିଥିବା ବିଡ଼ମ୍ବନା ଲକ୍ଷ୍ୟ କରନ୍ତୁ।

ଏହା ହେଉଛି ଭାରତର ସର୍ବବୃହତ୍‌ ଘରୋଇ ଉଦ୍ୟୋଗ କ୍ଷେତ୍ର, ଯାହା ଉପରେ ଜୀବିକା ଅର୍ଜନ ଲାଗି ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ପ୍ରାୟ ୭୦ ପ୍ରତିଶତ ଭାରତୀୟ ନିର୍ଭରଶୀଳ, ଅଥଚ ଏହି ଉଦ୍ୟୋଗ କ୍ଷେତ୍ର ହେଉଛି ସର୍ବାଧିକ ବିପଦସ˚କୁଳ, ଯହିଁରେ ଆୟର ନିଶ୍ଚିତତା ନ ଥାଏ ଏବ˚ ଭାରତର ଜି.ଡି.ପି. ବା ଜାତୀୟ ଆୟରେ ଏହାର ଭାଗ ହେଉଛି ମାତ୍ର ୨୦ ପ୍ରତିଶତ। ଏହି କ୍ଷେତ୍ରରୁ ଉତ୍ପାଦିତ ଦ୍ରବ୍ୟ ଅତ୍ୟାବଶ୍ୟକ ଖାଉଟି ସାମଗ୍ରୀ ଅନ୍ତର୍ଭୁକ୍ତ (ଯାହା ବିନା ଜୀବନ ଧାରଣ ଅସମ୍ଭବ) ଏବ˚ ଯାହା ପ୍ରତ୍ୟେକ ଖାଉଟି ପ୍ରତି ଦିନ ଉପଭୋଗ କରୁଥିବାରୁ ଏହି ଦ୍ରବ୍ୟର ଚାହିଦାରେ ଏକ ନିରନ୍ତରତା ଅପରିହାର୍ଯ୍ୟ ହୋଇଥାଏ; ଅଥଚ ଏହି କ୍ଷେତ୍ରର ଉତ୍ପାଦନକାରୀ ତାହାର (ଖାଉଟି ଚାହିଦା) ଲାଭ ଉଠାଇ ନ ପାରି ସର୍ବାଧିକ ଦରିଦ୍ର ବର୍ଗ ମଧୢରେ ପରିଗଣିତ। ପୁନଶ୍ଚ ଏହା ଏଭଳି ଏକ ଉଦ୍ୟୋଗ ଯହିଁରେ ଉଦ୍ୟୋଗୀର ଜଣେ ଗୁରୁତ୍ବପୂର୍ଣ୍ଣ ‘ପାର୍ଟନର’ ବା ଅ˚ଶୀଦାର ସାଥୀ ହେଉଛନ୍ତି ଈଶ୍ବର (ପ୍ରକୃତି, ଜଳବାୟୁ, ମୌସୁମୀ ଇତ୍ୟାଦି) ଯିଏ ତାଙ୍କ ଅ˚ଶୀଦାର ଠାରୁ ସର୍ବଦା ସାଧୁତା ଏବ˚ ପରିଶ୍ରମ (ଏହି କାର୍ଯ୍ୟରେ ଠକାମି ବା ଆଳସ୍ୟ ଅସମ୍ଭବ) ଦାବି କରିଥାଆନ୍ତି ସତ, କିନ୍ତୁ ସମସ୍ତ ଉଦ୍ୟମ ଯେ ପରିଶେଷରେ ପଣ୍ତ ହୋଇ ନ ଯିବ ତାର କୌଣସି ଗ୍ୟାରେଣ୍ଟି ପ୍ରଦାନ କରି ନ ଥାଆନ୍ତି। କହିବା ଅନାବଶ୍ୟକ ଯେ ଏହି ସ୍ତମ୍ଭର ପାଠକପାଠିକାମାନେ ଅବଗତ ହୋଇସାରିବେଣି ଯେ ଏଠାରେ କେଉଁ ଉଦ୍ୟୋଗ ବିଷୟରେ କୁହାଯାଉଛି ଏବ˚ କେହି କେହି ପ୍ରଶ୍ନ କରିପାରନ୍ତି ମଧୢ ଯେ ଏହି ସ୍ତମ୍ଭରେ କୃଷି ଓ କୃଷକଙ୍କୁ ନେଇ ଏଭଳି ଏକ ପ୍ରହେଳିକାପୂର୍ଣ୍ଣ ଉପକ୍ରମଣିକାର ପ୍ରାସଙ୍ଗିକତା କ’ଣ? ସୁତରା˚, ଏଠାରେ ସ୍ପଷ୍ଟ କରି ଦିଆଯାଉ କି ମାତ୍ର ଛଅ ଦିନ ତଳେ ଯେଉଁ ଅତ୍ୟନ୍ତ ବିମର୍ଷକର ଘଟଣାଟି ତାର ପଇଁତିରିଶ ବର୍ଷ ପୂରଣ କରିଛି; ସେ ସ˚ଦର୍ଭରେ କିଞ୍ଚିତ ଆଲୋଚନା କରିବା ଏହି ସ୍ତମ୍ଭର ଉଦ୍ଦେଶ୍ୟ। ସେହି ଘଟଣାଟି ଥିଲା ଆମ ଦେଶରେ ସର୍ବ ପ୍ରଥମେ ପ˚ଜିକୃତ ହୋଇଥିବା ଏକ କୃଷକ ପରିବାରର ସମୂହ ଆତ୍ମହତ୍ୟା ଓ ହତ୍ୟା ସଂପର୍କିତ ଘଟଣା।

୧୯୮୬ ମସିହା ମାର୍ଚ୍ଚ ମାସ ୧୯ ତାରିଖରେ ମହାରାଷ୍ଟ୍ରର ଗୌହାନ ଗ୍ରାମର ସାହେବ ରାଓ କାର୍ପେ ପାଟିଲ ନାମକ ଜଣେ କୃଷକଙ୍କ ସାତ ଜଣିଆ ପରିବାର କୀଟନାଶକ ପାନ କରି ନିଃଶେଷ ହୋଇଯାଇଥିଲେ। ସମ୍ଭବତଃ ସାହେବ ରାଓ ନିଜ ପରିବାରର ସମସ୍ତଙ୍କୁ କୀଟନାଶକ ପିଆଇବା ପରେ ନିଜେ ତାହା ପିଇ ଆତ୍ମହତ୍ୟା କରିଥିଲେ, ଯହିଁରେ ସର୍ବକନିଷ୍ଠ ପରିବାର ସଦସ୍ୟର ବୟସ ଥିଲା ମାତ୍ର ଆଠ ମାସ। ବର୍ତ୍ତମାନ ଭାରତରେ ପ୍ରତି ବର୍ଷ କୃଷି ଉପରେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ନିର୍ଭରଶୀଳ ହାରାହାରି ପ୍ରାୟ ୧୦୦୦୦ ବ୍ୟକ୍ତି ଆତ୍ମହତ୍ୟା କରୁଛନ୍ତି, ଯାହା ମଧୢରୁ ପ୍ରାୟ ଅର୍ଧେକ ହେଉଛନ୍ତି କୃଷକ; ଯେଉଁମାନେ ଫସଲ ହାନି କାରଣରୁ ଏଭଳି ଚରମ ନିଷ୍ପତ୍ତି ନିଅନ୍ତି। ତେବେ, ବିଡ଼ମ୍ବନା ହେଲା ମାତ୍ରାଧିକ ରାଜନୈତିକ ସମ୍ବେଦନଶୀଳତା ଦୃଷ୍ଟିରୁ ଏଭଳି ଘଟଣାଗୁଡ଼ିକ ସରକାରୀ ଭାବେ ଯେଉଁ ଭଳି ପରିଭାଷିତ ହୋଇଥାଏ, ତହିଁରେ ଏହାର କାରଣ ଭାବେ ପାରିବାରିକ କଳହ ଠାରୁ ଆରମ୍ଭ କରି ମାନସିକ ଚାପ ପର୍ଯ୍ୟନ୍ତରେ ଅନେକ କିଛି ଦର୍ଶାଯାଇଥାଏ, ଅଥଚ ଫସଲ ହାନି ବା ଋଣ ବୋଝର ତାଡ଼ନାକୁ ସଯତ୍ନେ ଏଡ଼ାଇ ଦିଆ ଯାଇଥାଏ; କାରଣ ତାହା ଜିଲ୍ଲା ପ୍ରଶାସନ ବା ରାଜ୍ୟ ସରକାରଙ୍କୁ ଅପ୍ରୀତିକର ସ୍ଥିତିରେ ପକାଇବାର ଆଶଙ୍କା ରଖିଥାଏ। ତେଣୁ ଅନେକ ସମୟରେ ସରକାର କୃଷି ଋଣ ଛାଡ଼ କରି ବଦାନ୍ୟତାର ପରିଚୟ ଦେବା ସହିତ ତା’ ଆଳରେ ରାଜନୈତିକ ସୁବିଧା ହାସଲର ପ୍ରୟାସ କରନ୍ତି, କିନ୍ତୁ ଯାହା ଏକ ବାସ୍ତବତା ତାହା ହେଲା ୨୦୧୧ ଜନଗଣନା ଅନୁଯାୟୀ ଭାରତର ଜନସ˚ଖ୍ୟାର ମାତ୍ର ୧୮.୩% ଜମି ମାଲିକ କୃଷି କାର୍ଯ୍ୟରେ ନିୟୋଜିତ ଥିଲେ ଯାହା ବର୍ତ୍ତମାନ ୧୬%କୁ ହ୍ରାସ ପାଇଛି ବୋଲି ଅନୁମାନ କରାଯାଏ; ଫଳତଃ କୃଷି କାର୍ଯ୍ୟରେ ନିୟୋଜିତ ଥିବା ଅବଶିଷ୍ଟ ପ୍ରାୟ ୪୪% ଭାରତୀୟ ଅନ୍ୟର ଜମି ଚାଷ କରି ଥାଆନ୍ତି, ଯେଉଁମାନେ ସେହି କାରଣରୁ ସରକାରୀ ଋଣ ନ ପାଇ ବେସରକାରୀ ସୂତ୍ରରୁ ଅତ୍ୟନ୍ତ ଉଚ୍ଚ ସୁଧ ହାରରେ ଋଣ ଆଣନ୍ତି। ସେମାନେ ସରକାରୀ ଋଣ ଛାଡ଼ର ସୁବିଧା ତ କଦାପି ପାଆନ୍ତି ନାହିଁ; ଓଲଟି ଫସଲ ହାନି କାରଣରୁ ଋଣ ପରିଶୋଧ କରି ନ ପାରିବାର ଗଭୀର ମର୍ମଦାହର ଶିକାର ହୁଅନ୍ତି। ଉଲ୍ଲେଖଯୋଗ୍ୟ ଯେ କିଛି ନଗଦ ଅର୍ଥ ଉପାର୍ଜନ କରି ଋଣ ଭାରକୁ ଉଶ୍ବାସ କରିବା ଲାଗି ଏଭଳି ଅନେକ ଚାଷୀ ଅଣକୃଷି ସମୟରେ ଦାଦନ ଖଟିବାକୁ ମଧ୍ୟ ବାହାରି ଥାଆନ୍ତି। କିନ୍ତୁ କେତେକ ଚାଷୀ ଅନ୍ୟ ଉପାୟ ନ ପାଇ ଆତ୍ମହତ୍ୟା କରିବାକୁ ପଶ୍ଚାତ୍‌ପଦ ହୋଇ ନ ଥାଆନ୍ତି।

ବର୍ତ୍ତମାନ ଯେଉଁ ମୁକ୍ତ ବଜାର ବ୍ୟବସ୍ଥା ପ୍ରଚଳିତ, ତାହା ଚାର୍ବାକ ମତ ଆଧାରୀ ଏବ˚ ବଜାରରେ କ୍ରେତାଙ୍କ ଗହଳି ବୃଦ୍ଧି କରିବା ଲାଗି ଏହି ବ୍ୟବସ୍ଥାରେ ଅଧିକା˚ଶ ଭାରତୀୟ ସ˚ପ୍ରତି କୌଣସି ନା କୌଣସି ରୂପେ ଋଣଗ୍ରସ୍ତ। ଏଭଳି ସ୍ଥଳେ ଋଣ ଖିଲାପୀମାନଙ୍କ ସ˚ଖ୍ୟାରେ ମଧୢ ବୃଦ୍ଧି ଘଟିବାରେ ଲାଗିଛି ଏବ˚ କେବଳ ସେତିକି ନୁହେଁ, ଅତ୍ୟନ୍ତ ମାନ୍ୟଗଣ୍ୟ ଭାବେ ପରିଚିତ ବ୍ୟକ୍ତିବିଶେଷ ବିଭିନ୍ନ ବ୍ୟାଙ୍କ୍‌ରୁ ହଜାର ହଜାର କୋଟି ଟଙ୍କାର ଋଣ ନେଇ ତାହା ପରିଶୋଧ କରିବା ବଦଳରେ ଦେଶରୁ ପଳାୟନ କରୁଥିବା ଦୃଷ୍ଟିଗୋଚର ହେଉଛି। ଏଭଳି ସ୍ଥଳେ ସେମାନଙ୍କ ତୁଳନାରେ ଅତ୍ୟନ୍ତ ନଗଣ୍ୟ ପରିମାଣର ଋଣ ପରିଶୋଧ କରି ନ ପାରି ଜଣେ ଚାଷୀ ଆତ୍ମହତ୍ୟା କରି ଦେଉଥିବା ଭଳି ବିଷୟ ଯାହା ପ୍ରମାଣ କରିଥାଏ, ତାହା ହେଲା ତାଙ୍କ ଠାରେ ଥିବା ସାଧୁତା ଏବ˚ ଅତ୍ୟନ୍ତ ଉଚ୍ଚ ଆତ୍ମସମ୍ମାନବୋଧ। ତେଣୁ ଚାଷୀ ଆତ୍ମହତ୍ୟା ଘଟଣାରେ ସରକାରୀ ଭାବେ ପ୍ରଦତ୍ତ କାରଣ (ପାରିବାରିକ କଳହ ଭଳି)ଗୁଡ଼ିକୁ ଭେଦ କରି ପାରିଲେ ଯାହାଙ୍କୁ ଦେକିବାକୁ ମିଳିଥାଏ, ସେ ଈଶ୍ବରଙ୍କ ଜଣେ ସ୍ପର୍ଦ୍ଧାବାନ ସାଥୀ ଉଦ୍ୟୋଗୀଙ୍କ ବ୍ୟତୀତ ଅନ୍ୟ କେହି ନୁହନ୍ତି।

କହିବା ବାହୁଲ୍ୟ ଯେ କୃଷକଙ୍କ ଆୟରେ ବୃଦ୍ଧି କରିବା ସହିତ ସେମାନଙ୍କ ସ୍ଥିତିରେ ଉନ୍ନତି ଆଣିବା ଲାଗି କୃଷି କ୍ଷେତ୍ରରେ ସ˚ସ୍କାର ଆସିବା ଅତ୍ୟନ୍ତ ଜରୁରୀ। ତେଣୁ ପ୍ରଶ୍ନ ଉଠିଥାଏ ଯେ ତାହା ହେଲେ ସଂପ୍ରତି ଯେଉଁ ନୂତନ ସ˚ସ୍କାରଧର୍ମୀ କୃଷି ଆଇନ ସରକାର ଆଣିଛନ୍ତିି ବୋଲି ଦାବି କରୁଛନ୍ତି, ତାହା ଅନେକ କୃଷକଙ୍କ ଦ୍ବାରା ଗ୍ରହଣୀୟ ହୋଇ ପାରୁନାହିଁ କାହିଁକି? ଏହି ନୂତନ ଆଇନରେ କୃଷକମାନଙ୍କ ଲାଗି ଯେଉଁ ବଳିଷ୍ଠ ସ˚ସ୍କାର ଅଣା ଯାଇଥିବା ବିଷୟରେ ସରକାର କହୁଛନ୍ତି, ତାହା ହେଲା ବର୍ତ୍ତମାନ ପ୍ରଚଳିତ ଥିବା ସରକାରୀ ମଣ୍ତି ବ୍ୟବସ୍ଥାର ଏକଚାଟିଆ କାରବାରକୁ ପ୍ରତିହତ କରିବା ଲାଗି ଏକ ବିକଳ୍ପ ଭାବେ କୃଷକମାନଙ୍କ ସକା‌େଶ ବିସ୍ତୀର୍ଣ୍ଣ ଘରୋଇ ବଜାର ପ୍ରାଙ୍ଗଣ ଉନ୍ମୁକ୍ତ କରିଦେବା; ଯହିଁରେ କୃଷକମାନେ ସେମାନଙ୍କ ଦ୍ରବ୍ୟକୁ ନିଜ ପସନ୍ଦଯୋଗ୍ୟ ମୂଲ୍ୟରେ ବିକ୍ରି କରିବାର ସୁଯୋଗ ପାଇବେ। କିନ୍ତୁ ବସ୍ତୁ ସ୍ଥିତି ହେଉଛି ଭିନ୍ନ। କାରଣ ବଜାର ମାତ୍ରକେ ତାହା ବ୍ୟବସାୟୀଙ୍କ କର୍ତ୍ତୃତ୍ବାଧୀନ, ଯହିଁରେ ଚାଷୀ ପ୍ରବେଶ କରି ପାରିଲେ ମଧୢ ତା’ ଦ୍ରବ୍ୟର ମୂଲ୍ୟକୁ ତା’ ସର୍ତ୍ତ ଅନୁସାରେ ସ୍ଥିର କରିବା ଏକ ଅସମ୍ଭବ ବ୍ୟାପାର ହେବ। ସୁତରା˚, ସେ ସର୍ବଦା ବ୍ୟବସାୟୀମାନଙ୍କ ଦ୍ବାରା ସ୍ଥିରୀକୃତ ମୂଲ୍ୟ ଆଗରେ ମଥା ନତ କରିବାକୁ ବାଧୢ ହେବ। ସମ୍ଭବତଃ ଘରୋଇ ବଜାରରେ ପ୍ରଭାବ ବିସ୍ତାର କରିବା ନେଇ ପ୍ରତ୍ୟୟ ନ ଥିବା ହେତୁ ଚାଷୀ ମଣ୍ତି ବ୍ୟବସ୍ଥା (ଶୋଷିତ ହେଉଥିବା ସତ୍ତ୍ବେ)ର ବିଲୋପର ଅଭିସନ୍ଧିକୁ ସନ୍ଦେହ କରି ତାର ବିରୋଧ କରୁଛି। ଏଭଳି ସ୍ଥିତି ପଛରେ ରହିଥିବା ଏକ ବଡ଼ କାରଣ ହେଉଛି ଅଧିକା˚ଶ କୃଷିଜ ନଷ୍ଟ ଓ ପଚନଶୀଳ ହୋଇଥିବାରୁ କୃଷକ ସେ ସବୁକୁ ତୁରନ୍ତ ବିକ୍ରି କରି ଦେବାକୁ ଚାହେ, ଯାହାର ସୁଯୋଗ ବ୍ୟବସାୟୀମାନେ ନେବାକୁ ଉଦ୍‌ଗ୍ରୀବ ହୋଇ ରହନ୍ତି। ସେହି ମର୍ମରେ ଯଦି ଚାଷୀମାନଙ୍କୁ ସେମାନଙ୍କ ଉତ୍ପାଦର ଭଣ୍ତାରଣ ଓ ସ˚ରକ୍ଷଣର ଉପଯୁକ୍ତ ସୁବିଧା ମିଳନ୍ତା, ତେବେ ସେମାନେ ହୁଏ’ତ ସେ ସବୁର ବିକ୍ରି କରିବା ଲାଗି ହରବର ନ ହୋଇ ଏକ ପସନ୍ଦଯୋଗ୍ୟ ମୂଲ୍ୟ ପାଇବା ଲାଗି ଅପେକ୍ଷା କରିପାରନ୍ତେ ଏବ˚ ବଜାର ଉପରେ ପ୍ରଭାବ ବୃଦ୍ଧି କରିପାରନ୍ତେ। ସେଥି ଲାଗି ଅଧିକ ସ˚ଖ୍ୟକ ଶୀତଳ ଭଣ୍ତାର ଓ ଗୋଦାମ ଘରର ନିର୍ମାଣ ଓ ଉପଯୁକ୍ତ ପରିଚାଳନା ଏକାନ୍ତ ଆବଶ୍ୟକ। ଏ ଦିଗରେ ଦୃଷ୍ଟି ଦିଆଗଲେ କୃଷକମାନେ ସେମାନଙ୍କ ଉଦ୍ୟୋଗର ଅ˚ଶୀଦାର ‘ଈଶ୍ବର’ଙ୍କ ସହଯୋଗ ଲାଭ ନ କଲେ ସୁଦ୍ଧା ତାର କିଛିଟା ଭରଣା ସରକାରୀ ପ୍ରସାଦ ବଳରେ କରି ପାରନ୍ତେ।

ସମ୍ବନ୍ଧିତ ଖବର