‘ମଙ୍ଗଳ ମୃତ୍ତିକା’

୧୯୩୮ରେ ସାହିତ୍ୟରେ ନୋବେଲ୍‌ ପ୍ରାଇଜ୍‌ ଲାଭ କରିଥିବା ଆମେରିକୀୟ ଔପନ୍ୟାସିକା ପର୍ଲ ବକ୍‌ଙ୍କର ପ୍ରସିଦ୍ଧତମ ଉପନ୍ୟାସ ଥିଲା ୧୯୩୧ରେ ପ୍ରକାଶିତ ‘ଦି ଗୁଡ୍‌ ଆର୍ଥ‌୍‌’ ବା ‘ମଙ୍ଗଳ ମୃତ୍ତିକା’। ଉପନ୍ୟାସଟିର ଏଭଳି ନାମକରଣର କାରଣ ହେଉଛି କାହାଣୀର ନାୟକ ଵାଙ୍ଗ୍‌ ଲୁଙ୍ଗ୍‌ର ଭାଗ୍ୟ ନିୟନ୍ତ୍ରଣ କରିବାରେ ମୃତ୍ତିକା ବା ଭୂମି ନିର୍ବାହ କରିଥିବା ସର୍ବପ୍ରଧାନ ଭୂମିକା। ଭୂମି ହିଁ ସାଧାରଣ, ଦରିଦ୍ର କୃଷକ ଵାଙ୍ଗ୍‌ ଲୁଙ୍ଗ୍‌ର ଭାଗ୍ୟରେ ପରିବର୍ତ୍ତନ ଘଟାଇ ତାକୁ ଅମାପ ସମ୍ପଦର ଅଧିକାରୀ କରାଇ ଥିଲା।

୧୯୮୦ ଦଶକରେ ଚୀନ୍‌ର ଭାଗ୍ୟ ବିଧାତା ସାଜିଥିବା ଡେଙ୍ଗ୍‌ ସିଆଓ ପିଙ୍ଗ୍‌ ଯେତେବେଳେ ଚୀନ୍‌କୁ ଵାଙ୍ଗ୍‌ ଲୁଙ୍ଗ୍‌ ସମୟର ଦରିଦ୍ର କୃଷିପ୍ରଧାନ ଦେଶରୁ ରୂପାନ୍ତରିତ କରି ଏକ ଶିଳ୍ପୋନ୍ନତ ସମୃଦ୍ଧ ଦେଶରେ ପରିଣତ କରିବା ଉଦ୍ଦେଶ୍ୟରେ ବିଭିନ୍ନ ଦିଗରୁ ଉଦ୍ୟମ ଆରମ୍ଭ କରିଦେଲେ, ସେତେବେଳେ ମଧୢ ତାଙ୍କର ନଜର ଚୀନ୍‌ର ମାଟି ଉପରେ ପଡ଼ିଥିଲା; ତାହା କିନ୍ତୁ ଵାଙ୍ଗ୍‌ ଲୁଙ୍ଗ୍‌ର ଜୀବନ ଜଡ଼ିତ ଥିବା କୃଷିକ୍ଷେତର ମାଟି ନୁହେଁ, ତାହା ଥିଲା ଚୀନ୍‌ରେ ଗଚ୍ଛିତ ଥିବା କେତେକ ବିଶେଷ କିସମର ମୃତ୍ତିକା ଯାହା ‘ବିରଳ ମୃତ୍ତିକା’ ବା ‘ରେଆର‌୍‌ ଆର୍ଥ‌୍‌’ ରୂପେ ପରିଚିତ। ଡେଙ୍ଗ୍‌ଙ୍କର ଦୂରଦୃଷ୍ଟି ତାଙ୍କର ହୃଦ୍‌ବୋଧ କରାଇଥିଲା ଯେ ଭବିଷ୍ୟତରେ ଚୀନ୍‌ ପାଇଁ ତାହାର ଏହି ବିରଳ ମୃତ୍ତିକା ଵାଙ୍ଗ୍‌ ଲୁଙ୍ଗ୍‌ର ମଙ୍ଗଳ ମୃତ୍ତିକାରେ ପରିଣତ ହୋଇଯିବ। ଡେଙ୍ଗ୍‌ ସେତେବେଳେ ଘୋଷଣା କରିଥିଲେ: ‘‘ମଧୢ ପ୍ରାଚ୍ୟ ପାଖରେ ଅଛି ତା’ର ତୈଳ; ଚୀନ୍‌ ପାଖରେ ଅଛି ବିରଳ ମୃତ୍ତିକା।’’

ଡେଙ୍ଗ୍‌ ତାଙ୍କର ଯୋଜନା ମୁତାବକ ତାଙ୍କ ଦେଶରେ ରହିଥିବା ପ୍ରଚୁର ‘ନିଓଡିମିଅମ୍‌’ ଓ ‘ପ୍ରାସିଓଡିମିଅମ୍‌’ ଆଦି ବିରଳ ମୃତ୍ତିକା ଖନନ ପାଇଁ ପଦକ୍ଷେପ ନେବା ସହିତ ବିଦେଶରୁ ସ˚ଗୃହୀତ ବିଭିନ୍ନ ବିରଳ ମୃତ୍ତିକା ସବୁର ପ୍ରକ୍ରିୟାକରଣ ପାଇଁ ବ୍ୟାପକ ବନ୍ଦୋବସ୍ତ କରିଦେଲେ। ତାଙ୍କର ଏହି ନିରବ ଉଦ୍ୟମର ଫଳ ସମ୍ବନ୍ଧରେ ବାକି ପୃଥିବୀ ହଠାତ୍‌ ଚମକିିପଡ଼ି ସଚେତନ ହେଲା ୨୦୧୦ରେ, ଯେତେବେଳେ ଜଣାପଡ଼ିଲା ଯେ ଚୀନ୍‌ ଭିତରେ ଓ ଚୀନ୍‌ ବାହାରେ ଯେତେ ବିରଳ ମୃତ୍ତିକା ଖନନ ହୋଇଥାଏ, ତାହା ପ୍ରାୟ ସମ୍ପୂର୍ଣ୍ଣ ରୂପେ ରହିଛି ଚୀନ୍‌ର ନିୟନ୍ତ୍ରଣରେ- ସାରା ପୃଥିବୀରେ ସ˚ଗ୍ରହ କରାଯାଉଥିବା ମୋଟ ବିରଳ ମୃତ୍ତିକା ପରିମାଣର ପ୍ରାୟ ୯୫ ଶତା˚ଶରେ ଚୀନ୍‌ର ହାତ ଥାଏ। ବାକି ଦୁନିଆକୁ ଝଟ୍‌କା ଲାଗିଲା ଯେତେବେଳେ ସେ ବର୍ଷ ଚୀନ୍‌ ହଠାତ୍‌ ବିରଳ ମୃତ୍ତିକା ପ୍ରସୂତ ଧାତୁମାନଙ୍କର ରପ୍ତାନି ଉପରେ କଠୋର କଟକଣା ଲଗାଇ ଦେଲା।

ନିଜ ଦେଶରେ ଅବୈଧ ଖନନ ନିୟନ୍ତ୍ରଣ କରିବାକୁ ଏବ˚ ପରିବେଶକୁ କ୍ଷତିରୁ ରକ୍ଷା କରିବା ପାଇଁ ଚୀନା ସରକାର ଏଭଳି ପଦକ୍ଷେପ ନେଇଥିଲେ ବୋଲି ପ୍ରକାଶ କରିଥିଲେ ହେଁ, ପର୍ଯ୍ୟବେକ୍ଷକମାନେ ନିଶ୍ଚିତ ଯେ ପୂର୍ବ-ଚୀନ୍‌ ସାଗରରେ ‘ସେଙ୍କାକୁ’ ଦ୍ବୀପପୁଞ୍ଜର ମାଲିକାନାକୁ ନେଇ ଜାପାନ ସହିତ ଉପୁଜିଥିବା ବିବାଦ ହିଁ ଥିଲା ଚୀନ୍‌ର ଏହି ପଦକ୍ଷେପ ପଛରେ ଥିବା ଅସଲ କାରଣ। ମୋବାଇଲ୍‌ ଫୋନ୍‌ ବ୍ୟାଟେରି, ଇଲେକ୍‌ଟ୍ରିକ୍‌ କାର‌୍‌ ବ୍ୟାଟେରିରୁ ପବନ କଳ ଟର୍ବାଇନ୍‌ ଓ ଲେଜର‌୍‌ ଗାଇଡେଡ୍‌ ମିସାଇଲ୍‌ ପର୍ଯ୍ୟନ୍ତରେ ବିରଳ ମୃତ୍ତିକା ଧାତୁ ଏକ ଅତ୍ୟାବଶ୍ୟକ ଉପାଦାନ ରୂପେ ବ୍ୟବହୃତ ହୋଇଥାଏ। ଏହାର ରପ୍ତାନି ସ˚କୁଚିତ କରି ଜାପାନର ଉଚ୍ଚ ପ୍ରଯୁକ୍ତି ବିଦ୍ୟାଭିତ୍ତିକ ଶିଳ୍ପ ଉତ୍ପାଦନକୁ ଆଣ୍ଠେଇ ଦେବା ଥିଲା ଚୀନ୍‌ର ଉଦ୍ଦେଶ୍ୟ। ଚୀନ୍‌ର ଏହି ପଦକ୍ଷେପ ପରେ କେବଳ ଜାପାନ ନୁହେଁ, ୟୁରୋପ ଓ ଆମେରିକାର କ୍ଷମତାସୀନ ନେତାମାନଙ୍କର ଚେତା ପଶିଲା ଯେ ବିରଳ ମୃତ୍ତିକା ଭଳି ଏକ ଅପରିହାର୍ଯ୍ୟ, ସନ୍ଧି-ସ୍ଥଳ ଉପାଦାନର ଯୋଗାଣରେ ସେ ହାସଲ କରିଥିବା ପ୍ରଭୁତ୍ବକୁ ବ୍ୟବହାର କରି ଚୀନ୍‌ ତା’ର ପ୍ରତିଦ୍ବନ୍ଦ୍ବୀମାନଙ୍କୁ ଦଣ୍ତିତ କରିବାକୁ ବାହାରିଲାଣି। ଚୀନ୍‌ର ଏହି ହୀନ ଉଦ୍ୟମକୁ ପ୍ରତିହତ କରିବା ପାଇଁ ଏମାନେ ‘ବିଶ୍ବ ବାଣିଜ୍ୟ ସ˚ଗଠନ’ ନିକଟରେ ଫେରାଦ ହେଲେ ଏବ˚ ସଫଳ ହେଲେ। ଚୀନ୍‌ ରପ୍ତାନି ସ˚କୋଚନରୁ ନିବୃତ୍ତ ହେଲା।

କିନ୍ତୁ ଏଥିଯୋଗୁଁ ପାଶ୍ଚାତ୍ୟ ଜଗତ୍‌ରେ ସୃଷ୍ଟି ହୋଇଥିବା ଅସ୍ବସ୍ତିଭାବ ତା’ ପରେ ହ୍ରାସ ପାଇବା ପରିବର୍ତ୍ତେ ବୃଦ୍ଧି ପାଇବାରେ ଲାଗିଛି। ଏହାର କାରଣ ବିଶ୍ବ ତାପନକୁ କାବୁ କରିବା ପାଇଁ ବଦ୍ଧପରିକର ପାଶ୍ଚାତ୍ୟ ଜଗତ୍‌ରେ ପେଟ୍ରୋଲ, ଡିଜେଲ୍‌, କୋଇଲା ଭଳି ଜୀବାଶ୍ମ ଇନ୍ଧନ ସ୍ଥାନରେ ଯେଉଁ ବ୍ୟାଟେରିମାନ ବ୍ୟବହୃତ ହେବ ସେଗୁଡ଼ିକ ନିର୍ମାଣ ପାଇଁ ଆବଶ୍ୟକ ଲିଥିଅମ୍‌, କୋବାଲ୍‌ଟ, ଗ୍ରାଫାଇଟ୍‌ ଭଳି ଉପାଦାନମାନଙ୍କର ଯୋଗାଣ ବସ୍ତୁତଃ ଏବେ ଚୀନ୍‌ର କବ୍‌ଜାରେ ରହିଛି, କାରଣ ବିଦେଶରେ ଥିବା ଏସବୁର ଖଣିମାନଙ୍କରେ ଚୀନ୍‌ ବିପୁଳ ପୁଞ୍ଜିନିବେଶ କରିଛି। ବିଶ୍ବ ବ୍ୟାଙ୍କ୍‌ର ଆକଳନ ଅନୁସାରେ ବର୍ଦ୍ଧିଷ୍ଣୁ ଚାହିଦା ମେଣ୍ଟାଇବା ପାଇଁ ୨୦୫୦ ସୁଦ୍ଧା ଏହି ପଦାର୍ଥମାନଙ୍କର ଯୋଗାଣରେ ଅନ୍ୟୂନ ୪୫୦% ବୃଦ୍ଧି ଘଟିବା ଆବଶ୍ୟକ। ଏହି ପରିପ୍ରେକ୍ଷୀରେ ବିରଳ ମୃତ୍ତିକାର ଯୋଗାଣକୁ ଚୀନ୍‌ କବଳରୁ ମୁକ୍ତ କରିବାକୁ ଏବ˚ ସେଥିରେ ଆବଶ୍ୟକ ବୃଦ୍ଧି ଘଟାଇ ଭବିଷ୍ୟତର ଚାହିଦା ପୂରଣ କରିବା ପାଇଁ ସମର୍ଥ ହେବାକୁ ବର୍ତ୍ତମାନ ପାଶ୍ଚାତ୍ୟ ଦେଶମାନେ ବିଳମ୍ବରେ ଅଣ୍ଟା ଭିଡ଼ିବାକୁ ଆରମ୍ଭ କଲେଣି।

ବିରଳ ମୃତ୍ତିକାର ବିଶ୍ବ ଯୋଗାଣ ଶୃଙ୍ଖଳରେ ଏହି ଆଗାମୀ ନୂତନ ମୋଡ଼ ଭାରତ ପାଇଁ ଏକ ନୂତନ ସୁଯୋଗ ସୃଷ୍ଟି କରିଛି। ଭାରତରେ ପୃଥିବୀର ପଞ୍ଚମ ବୃହତ୍ତମ ବିରଳ ମୃତ୍ତିକା ମୌଳିକ ପଦାର୍ଥ (ରେଆର‌୍‌ ଆର୍ଥ‌୍‌ ଏଲିମେଣ୍ଟ୍‌) ଭଣ୍ତାର ଗଚ୍ଛିତ ରହିଛି, ଯାହା ଅଷ୍ଟ୍ରେଲିଆରେ ଉପଲବ୍‌ଧ ପରିମାଣର ପ୍ରାୟ ଦୁଇଗୁଣ। ଭାରତ କିନ୍ତୁ ତା’ର ଶିଳ୍ପ ଉତ୍ପାଦନ ଆବଶ୍ୟକତା ପୂରଣ କରିବା ପାଇଁ ପ୍ରାୟ ସମସ୍ତ ପ୍ରକ୍ରିୟାକୃତ ବିରଳ ମୃତ୍ତିକା ଚୀନ୍‌ରୁ ଆମଦାନି କରିଥାଏ। ଭାରତ ବର୍ତ୍ତମାନ ଯଦି ନୀତିଗତ ସ୍ତରରେ ଆବଶ୍ୟକ ପରିବର୍ତ୍ତନ ଘଟାଇବାକୁ ଆଗେଇ ଆସେ, ତେବେ ଚୀନ୍‌ ସ୍ଥାନରେ ଭାରତ ପୃଥିବୀର ପ୍ରଧାନ ବିରଳ ମୃତ୍ତିକା ଯୋଗାଣକାରୀ ଦେଶ ରୂପେ ଆବିର୍ଭୂତ ହୋଇପାରିବ। ସେତିକି ନୁହେଁ, ଏକବି˚ଶ ଶତାବ୍ଦୀର ସ୍ବଚ୍ଛ, ପରିବେଶ-ଅନୁକୂଳ ଆବଶ୍ୟକତା ପୂରଣ କରିବା ପାଇଁ ଭାରତ ତା’ର ଏହି ସମ୍ବଳ ବ୍ୟବହାର କରି ଉଚ୍ଚାଙ୍ଗ ପଦାର୍ଥମାନ (ଯେମିତି ଇଲେକ୍ଟ୍ରିକ୍‌ କାର‌୍‌, ମୋବାଇଲ ଫୋନ୍‌, କମ୍ପ୍ୟୁଟର ଇତ୍ୟାଦି) ଉତ୍ପାଦନ କରିପାରିବ, ଯାହା ଭାରତୀୟ ଅର୍ଥନୀତିକୁ ମଜଭୁତ କରିବ।

ତେବେ ଏଥିପାଇଁ କେବଳ ବିରଳ ମୃତ୍ତିକା ଭଣ୍ତାର ଗଚ୍ଛିତ ଥିଲେ ତାହା ଆପେ ଆପେ ‘ମଙ୍ଗଳ ମୃତ୍ତିକା’ରେ ପରିଣତ ହୋଇଯିବ ନାହିଁ। ଏହାର ଖନନ ଏବ˚ ଆହରଣ ହେଉଛି ବ୍ୟୟସାପେକ୍ଷ; ସେଥିରେ ବିପୁଳ ପରିମାଣର ବିଦ୍ୟୁତ୍‌ ଶକ୍ତି ବ୍ୟବହୃତ ହୋଇଥାଏ; ଏବ˚ ସେ ପ୍ରକ୍ରିୟାରୁ ବିଷାକ୍ତ ପ୍ରଦୂଷକ ନିର୍ଗତ ହୋଇଥାଏ। ଚୀନ୍‌ ଏହାକୁ ଖାତିର କରୁନଥିବାରୁ ସେ ପୃଥିବୀର ପ୍ରମୁଖ ବିରଳ ମୃତ୍ତିକା ପ୍ରକ୍ରିୟାକାରୀ ଦେଶରେ ପରିଣତ ହୋଇଛି ଓ ଭାରତ ଏଥିରୁ ଦୂରେଇ ରହିଛି। ବର୍ତ୍ତମାନ କିନ୍ତୁ ପରିବର୍ତ୍ତିତ ପରିସ୍ଥିତିରେ ଭାରତ ଯଦି ସମସ୍ତ ସତର୍କତା ଅବଲମ୍ବନ କରି ନିଜର ପ୍ରକୃତିଦତ୍ତ ବିରଳ ମୃତ୍ତିକା ଭଣ୍ତାରର ଉପଯୁକ୍ତ ଉପଯୋଗ କରେ, ତା’ପାଇଁ ତାହା ଅବିଳମ୍ବେ ‘ମଙ୍ଗଳ ମୃତ୍ତିକା’ରେ ପରିଣତ ହେବା ନିଶ୍ଚିତ।

ସମ୍ବନ୍ଧିତ ଖବର