ଆଜି ଯେତେବେଳେ କରୋନା ପାନ୍ଡେମିକ୍ର ଦ୍ବିତୀୟ ତରଙ୍ଗ ଏହି ଉପମହାଦେଶକୁ ପ୍ଳାବିତ କରିବାକୁ ଉଦ୍ୟତ, ସେତିକି ବେଳେ ଯାହା ଦେଖିବାକୁ ମିଳିଛି, ତାହା ହେଲା ପ୍ରଥମ ତରଙ୍ଗ କାଳରେ ସ˚କ୍ରମଣ ପ୍ରତିହତ କରିବାର ଉଦ୍ୟମରେ ଶାସନ କଳ ଯେଉଁ ତ୍ରୁଟିମାନ କରିଥିଲା, ସେହି ଅନୁଭୂତିରୁ ବିଶେଷ କିଛି ଶିକ୍ଷା ଲାଭ କରିପାରିନାହିଁ। ସମସ୍ତେ ଅବଗତ ଯେ ପ୍ରାୟ ବର୍ଷକ ତଳେ ଭାରତରେ କରୋନାର ନୂଆ ପଦ ଚିହ୍ନ ଦେଖିବାକୁ ମିଳିବା ପରେ ମାର୍ଚ୍ଚ ୨୬ ତାରିଖରେ ସମଗ୍ର ରାଷ୍ଟ୍ରରେ ଅତର୍କିତ ଭାବରେ ଓ ବିନା କୌଣସି ପୂର୍ବ ପ୍ରସ୍ତୁତିରେ ଲକ୍ଡାଉନ୍ ଘୋଷଣା କରି ଦିଆଯାଇଥିଲା ଏବ˚ କରୋନା ସ˚କ୍ରମଣକୁ ରୋକିବା ଲାଗି ନିଷ୍ପତ୍ତି ନେବା ଠାରୁ ପ୍ରାରମ୍ଭ କରି ସେ ସବୁ ନିର୍ବାହ କରିବାର ସମସ୍ତ ଦାୟିତ୍ବ ସରକାରୀ କଳ ହାତକୁ ଚାଲିଯାଇଥିଲା। ଭାରତରେ ‘ଲକ୍ଡାଉନ୍’ର ଚେହେରା ଅତ୍ୟନ୍ତ କଠୋର ଥିଲା ଏବ˚ ଏହା ଦ୍ବାରା ଦେଶବାସୀ ଅବର୍ଣ୍ଣନୀୟ ଭାବେ କଲବଲ (ପ୍ରବାସୀ ଶ୍ରମିକଙ୍କ ସ୍ବଗୃହ ପ୍ରତ୍ୟାବର୍ତ୍ତନ କେବଳ ଏକ ଉଦାହରଣ) ହୋଇଥିଲେ ସୁଦ୍ଧା ସେହି ସମୟ ଓ ସ୍ଥିତିରେ ପ୍ରାୟତଃ ଆଜ୍ଞାବହ ନାଗରିକର ପରିଚୟ ପ୍ରଦାନ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ ତାହା ଥିଲା ଶାସନ କଳ ଲାଗି ତା’ର କ୍ଷମତାର ଅପରିସୀମତା ମାପିବାର ଏକ ସୁବର୍ଣ୍ଣ ସୁଯୋଗ, ଯାହା ଏକ ତଟସ୍ଥ ଓ କି˚କର୍ତ୍ତବ୍ୟବିମୂଢ଼ ଭାରତ ‘କନ୍ଟେନ୍ମେଣ୍ଟ୍ ଜୋନ୍’ର ସୃଷ୍ଟି, ରାଜ୍ୟ-ରାଜ୍ୟ ଏପରିକି ଜିଲ୍ଲା-ଜିଲ୍ଲା ମଧୢରେ ସୀମା ସିଲ୍ କରାଯିବା, ରାତ୍ରିକାଳୀନ କର୍ଫ୍ୟୁ ଭଳି ଅପରିଣାମଦର୍ଶୀ ଅର୍ଧପକ୍ବ ନିଷ୍ପତ୍ତିମାନଙ୍କରେ ଦେଖିବାକୁ ପାଇଥିଲା। କାରଣ ଏ ସବୁ ଦ୍ବାରା କରୋନା ସ˚କ୍ରମଣକୁ ତ ରୋକା ଯାଇ ପାରି ନ ଥିଲା, ଅପର ପକ୍ଷରେ ଦେଶର ସାମାଜିକ ଓ ଆର୍ଥିକ ସ୍ଥିତିରେ ମରାମତି-ଅସାଧୢ ଭୂଚଳନ ସୃଷ୍ଟି ହୋଇଥିଲା। ସେହି ପରିପ୍ରେକ୍ଷୀରେ କୁହାଯାଇପାରେ ଯେ ବର୍ତ୍ତମାନ କରୋନାର ଦ୍ବିତୀୟ ତରଙ୍ଗ ତା’ର ଭୟାବହତା ପ୍ରଦର୍ଶନ କରିବାର ସମସ୍ତ ଇଙ୍ଗିତ ପ୍ରଦାନ କରି ସାରଥିବା ବେଳେ ଶାସନ କଳ ପୂର୍ବ ଭଳି ଅପରିଣାମଦର୍ଶିତା ପ୍ରଦର୍ଶନ କରୁଛି। ସଂପ୍ରତି (ଦ୍ବିତୀୟ ତରଙ୍ଗ ଆରମ୍ଭ ହେଉଥିବା ବେଳେ)ପ୍ରଥମ ତରଙ୍ଗକାଳୀନ କଠୋର ପଦକ୍ଷେପମାନ ଗ୍ରହଣ କରିବାରେ ଶାସନ କଳର କୁଣ୍ଠାକୁ ଲକ୍ଷ୍ୟ କରି ଯଦି କେହି ଭାବୁ ଥାଆନ୍ତି ଯେ ଏହା ତା’ର ପୂର୍ବ ଅନୁଭୂତିରୁ ଲାଭ କରିଥିବା ଶିକ୍ଷାର ଫଳ, ତେବେ ସେମାନେ ଯେ ଭ୍ରାନ୍ତିର ଶିକାର ହୋଇଛନ୍ତି, ତାହା ସ˚ପ୍ରତି ଦେଶବ୍ୟାପୀ ଚାଲିଥିବା ଟିକାକରଣ ଅଭିଯାନକୁ ଲକ୍ଷ୍ୟ କଲେ ସହଜରେ ହୃଦୟଙ୍ଗମ କରିହୁଏ।
ମୂଳରୁ କହି ରଖିବା ଉଚିତ ହେବ ଯେ କରୋନା ଭ୍ୟାକ୍ସିନର ଆବିର୍ଭାବ ଘଟି ଯେତେବେଳେ ପୃଥିବୀର ବିଭିନ୍ନ ଦେଶରେ ଟିକାକରଣ ଅଭିଯାନ ଆରମ୍ଭ ହେଲା, ସେତିକି ବେଳେ ଦୁଇ ଦୁଇଟି କରୋନା ଟିକା ହସ୍ତରେ ଧାରଣ କରିଥିବାର ବିରଳ ସାଫଲ୍ୟ ଭାରତକୁ ଜୁଟିଥିଲା। କିନ୍ତୁ ଏହି ଟିକାକୁ କିଭଳି ଅତି ଦ୍ରୁତ ବେଗରେ ଭାରତୀୟ ନାଗରିକମାନଙ୍କୁ ଦିଆଯାଇପାରିବ, ସେ ଦିଗରେ ବିଶେଷ ଉଦ୍ୟମ କରାଯାଇନାହିଁ। ବରଂ, ଯାହା ଦେଖିବାକୁ ମିଳିଛଇ, ତାହା ହେଲା ଏହାକୁ ବ୍ୟବହାର କରି ରାଜନୈତିକ ସ୍ବାର୍ଥ ସାଧନ (ବିହାର ନିର୍ବାଚନ ବେଳେ ସମସ୍ତଙ୍କୁ ମାଗଣା ଟିକା ଦେବାର ପ୍ରତିଶ୍ରୁତି) ଠାରୁ ଆରମ୍ଭ କରି ଆନ୍ତର୍ଜାତିକ ସ˚ପର୍କ ସଜାଡ଼ିବାର (ଭ୍ୟାକ୍ସିନ ମୈତ୍ରୀ) ପ୍ରୟାସେର ଏକ ମାଧୢମ ରୂପେ ଟିକାର ବ୍ୟବହାର। ଅନେକ ବିଚାରବିମର୍ଶ ପରେ ପ୍ରଥମେ କେବଳ ସରକାରୀ ବ୍ୟବସ୍ଥାରେ ଟିକାକରଣ ପ୍ରୟାସର ଆରମ୍ଭ କରାଗଲା, ଯେମିତି କରୋନାର ପ୍ରଥମ ତରଙ୍ଗ କାଳରେ ‘ଆର୍ଟି ପିସିଆର୍ ପରୀକ୍ଷା’ ଲାଗି ସ୍ବାବ୍ ଗ୍ରହଣ କେବଳ ସରକାରୀ ଡାକ୍ତରଖାନାରେ ଏବ˚ ତାର ପରୀକ୍ଷଣ କେବଳ ‘ଆଇ.ସି.ଏମ୍.ଆର୍.’ ବା ‘ଆର.ଏମ.ଆର.ସି.’ ଅଧୀନରେ କରାଯିବାର ଭୁଲ୍ କରାଯାଇଥିଲା। କହିବା ବାହୁଲ୍ୟ ଯେ ଘରୋଇ ଡାକ୍ତରଖାନା ଓ ଡାଇଗ୍ନୋଷ୍ଟିକ୍ ଅନୁଷ୍ଠାନଗୁଡ଼ିକ ଏହି କାର୍ଯ୍ୟରେ ସାମିଲ ହେବା ପରେ ସରକାରୀ ଡାକ୍ତରଖାନାଗୁଡ଼ିକ ଉପରେ ଚାପ ହ୍ରାସ ହେବା ସହିତ ସ˚କ୍ରମିତ ଚିହ୍ନଟ ହେବା ପ୍ରକ୍ରିୟା ଆଖିଦୃଶିଆ ଭାବେ ତ୍ବରାନ୍ବିତ ହୋଇଥିଲା।
ସେହିଭଳି କରୋନା ଟିକାକରଣ ଅଭିଯାନରେ ପରବର୍ତ୍ତୀ କାଳରେ ଘରୋଇ ଡାକ୍ତରଖାନାକୁ ସାମିଲ କରାଯାଇଛି, ଯାହା ଦ୍ବାରା ଟିକାକରଣ ଅପେକ୍ଷାକୃତ ଭାବେ ତ୍ବରାନ୍ବିତ ହୋଇଛି। କିନ୍ତୁ, ଦୈନିକ ହାରାହାରି ୨୦ ଲକ୍ଷ ଟିକା ପ୍ରଦାନକୁ ଭାରତ ଭଳି ଜନବହୁଳ ଦେଶ ଲାଗି ଅତ୍ୟନ୍ତ ମନ୍ଥର ବୋଲି ସମାଲୋଚନା କରାଯାଉଛି। କେବଳ ସେତିକି ନୁହେଁ, ବିଭିନ୍ନ ରାଜ୍ୟକୁ ଭ୍ୟାକ୍ସିନ ବଣ୍ଟନ କରିବାର ଦାୟିତ୍ବ କେନ୍ଦ୍ର ସରକାରଙ୍କ ସ˚ପୂର୍ଣ୍ଣ ଭାବେ ନିଜ ନିୟନ୍ତ୍ରଣରେ ରଖିଥିବାରୁ ତହିଁରେ ଅସାମଞ୍ଜସ୍ୟକୁ ନେଇ ବିଭିନ୍ନ ରାଜ୍ୟ ସରକାର (ବିଶେଷ କରି ନିର୍ବାଚନକୁ ଯାଉଥିବା ରାଜ୍ୟ) ଅଭିଯୋଗ କରିବାରେ ଲାଗିଛନ୍ତି। ପୁନଶ୍ଚ ଏ ପର୍ଯ୍ୟନ୍ତ ଖୋଲା ବଜାରରେ ପ୍ରତିଷେଧକ ସହଜରେ ଉପଲବ୍ଧ ହୋଇପାରିନାହିଁ। ଏହାକୁ ପାଇବାକୁ ହେଲେ ଜଣେ ନାଗରିକଙ୍କୁ ଏଭଳି ସରକାରୀ ପ୍ରକ୍ରିୟା ଦେଇ ଯିବାକୁ ହେବ, ଯାହା ଅନେକ ସମୟରେ ଅନତିକ୍ରମ୍ୟ ମନେ ହୋଇଥାଏ। ସେହିଭଳି ରାଜ୍ୟ ସରକାରଗୁଡ଼ିକ ସିଧାସଳଖ ଭ୍ୟାକ୍ସିନ କିଣିବାକୁ ଅସମର୍ଥ। ଗତ କାଲି ଠାରୁ ୪୫ ବର୍ଷ ବୟସ୍କଙ୍କ ଲାଗି ଟିକା ଲାଭ କରିବାର ସୁଯୋଗ ଉପଲବ୍ଧ ହୋଇଥିଲେ ସୁଦ୍ଧା ଟିକାର ଅଭାବ ଏକ ବାଧକ ସାଜିବାର ସମ୍ଭାବନା ସୃଷ୍ଟି କଲାଣି। ଅଥଚ ‘ଏପିଡେମିଓଲୋଜି’ ବିଶାରଦମାନଙ୍କ ସତର୍କବାଣୀ ପରେ ମାତ୍ର ସପ୍ତାହକ ତଳେ ବିଦେଶକୁ ଟିକା ରପ୍ତାନି ଉପରେ କଟକଣା ଲଗାଯାଇଛି।
ଏହି ପରିପ୍ରେକ୍ଷୀରେ ଯେଉଁ ଏକ ଚମତ୍କାର ଗବେଷଣାମୂଳକ ନିବନ୍ଧ ସ୍ମରଣକୁ ଆସିିଥାଏ ତାହା ହେଲା ଡାରେନ ଏଦମୋଗଲୁ, ସାଇମନ ଜନସନ ଏବ˚ ଜେମ୍ସ ଏ ରବିନସନଙ୍କ ଦ୍ବାରା ଲିଖିତ ‘ଦ କଲୋନିଆଲ ଅରିଜିନ୍ ଅଫ୍ କ˚ପେୟାରଟିଭ୍ ଡେଭଲପ୍ମେଣ୍ଟ୍’ (ତୁଳନାତ୍ମକ ବିକାଶର ଉପନିବେଶବାଦୀ ମୂଳ) ଶୀର୍ଷକ ଏକ ଚମତ୍କାର ରଚନା। ସେହି ରଚନାରେ ଅତୀତର ଉପନିବେଶବାଦୀ ଶାସକମାନଙ୍କ ଦୁଇ ପ୍ରକାର ଆଭିମୁଖ୍ୟ ବିଷୟରେ କୁହାଯାଇଛି। ତହିଁରେ ପ୍ରାବନ୍ଧିକ ତ୍ରୟ କହିଥାଆନ୍ତି ଯେ ୟୁରୋପୀୟମାନେ ମୂଳରୁ ସ୍ଥିର କରି ସାରିଥିଲେ ଯେ ଆଫ୍ରିକା ଏବ˚ ଦକ୍ଷିଣ ଏସିଆରେ ସେମାନେ ଚିର ଦିନ ଲାଗି ଅବସ୍ଥାନ କରିବେ ନାହିଁ; ସୁତରା˚, ସେଭଳି ଦେଶଗୁଡ଼ିକରେ ସେମାନେ ଗୋଟିଏ ଏକ-କୈନ୍ଦ୍ରିକ ଓ ନିୟନ୍ତ୍ରଣ-ସର୍ବସ୍ବ ଶାସନ ବ୍ୟବସ୍ଥାର ପ୍ରଚଳନ କରିଥିଲେ, ଯହିଁରେ ନାଗରିକମାନଙ୍କୁ ସୁଶାସନ ପରିବର୍ତ୍ତେ ମିଳିଥିଲା ଅଯଥା ସରକାରୀ ନିୟନ୍ତ୍ରଣର ଶୃଙ୍ଖଳ। କିନ୍ତୁ କାନାଡା ବା ଅଷ୍ଟ୍ରେଲିଆ ଭଳି ଦେଶରେ ଯେଉଁଠି ୟୁରୋପୀୟ ଶାସକମାନେ ଘର କରି ଚିର ଦିନ ଲାଗି ବସବାସ କରିବାର ଇଚ୍ଛା ରଖିିଥିଲେ; ସେ ସବୁ ରାଷ୍ଟ୍ରରେ ଉଦାରବାଦୀ ଓ ନାଗରିକ ସ୍ବାଧୀନତାର ପ୍ରତିଶ୍ରୁତି ବହନ କରିଥିବା ଶାସନ ବ୍ୟବସ୍ଥା ପ୍ରଚଳନ କରିଥିଲେ ଯାହା ସେମାନଙ୍କ ନିଜ ରାଷ୍ଟ୍ରମାନଙ୍କରେ ରହିଥିଲା। ତେଣୁ ଯଦି କୁହାଯାଏ ଯେ ଉପନିବେଶବାଦୀ ଶାସକମାନଙ୍କ ଠାରୁ ଉତ୍ତରାଧିକାର ସୂତ୍ରରେ ଭାରତର ଶାସନ କଳକୁ ଗୋଟିଏ ଏକ-କୈନ୍ଦ୍ରିକ ଓ ନିୟନ୍ତ୍ରଣ-ସର୍ବସ୍ବ ଶାସନ ବ୍ୟବସ୍ଥା ମିଳିଛି, ତାକୁ ବୋଧହୁଏ ଅସ୍ବୀକାର କରାଯାଇ ନ ପାରେ; ଯାହା କରୋନା ପରିଚାଳନା ସଂଦର୍ଭରେ ବିଶେଷ ଭାବେ ଅନୁଭୂତ ହୋଇଛି।
କୁହାଯାଇଥାଏ ଯେ ସପ୍ତମ ଦଶକରେ ‘ଏମର୍ଜେନ୍ସି’ ଲାଗୁ ହୋଇଥିବା ବେଳେ ଶାସନ କଳ ଯେଉଁ ଅପରିମେୟ କ୍ଷମତା ଓ ପ୍ରଭୁତ୍ବ ଲାଭ କରିଥିଲା, ପ୍ରାୟ ସମତୁଲ କ୍ଷମତା ଓ ପ୍ରଭୁତ୍ବ ଏହି କରୋନା ପାନ୍ଡେମିକ କାଳରେ ତାକୁ ପୁନର୍ବାର ମିଳିଛି। ତେବେ, ଅମାପ କ୍ଷମତାକୁ ଠିକଣା ଭାବେ ଉପଯୋଗ କରିବାର ବିବେଚନାବୋଧ ଜାତ ନ ହେଲେ ତାହା ସୁଧାର-ଅସାଧୢ ବିଭ୍ରାଟ ସୃଷ୍ଟି କରିପାରେ। ଇତିହାସରେ ଏହାର ଅନେକ ଦୃଷ୍ଟାନ୍ତ ଅଛି। ମାତ୍ର, ଆଲ୍ଡସ ହକ୍ସଲି କହି ନ ଥିଲେ କି ଇତିହାସରୁ ଯେ କେହି ଶିକ୍ଷା ଲାଭ କରନ୍ତି ନାହିଁ, ତାହା ହିଁ ଇତିହାସର ସବୁଠାରୁ ବଡ଼ ଶିକ୍ଷା। ହକ୍ସଲିଙ୍କ କଥା ହିଁ ସତ୍ୟ ସାବ୍ୟସ୍ତ ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/editorial-final.jpg)