ଅସହାୟ ଗୁଇନ୍ଦା

‘ସାର୍ସ-କୋଭ୍‌-୨’ ବା କୋଭିଡ୍‌-୧୯ ଭୂତାଣୁ ଦ୍ବାରା ହୋଇଥିବା ସର୍ବପ୍ରଥମ ମାନବ ସ˚କ୍ରମଣକୁ ଏକ ଗୁଇନ୍ଦାସୁଲଭ ଢଙ୍ଗରେ ଖୋଜିବା ଲାଗି ଚୀନ ଗସ୍ତ କରିଥିବା ‘ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ’ ବା ‘ହୁ’ର ଏକ ବହୁଦେଶୀୟ ବୈଜ୍ଞାନିକ ଦଳ ଦ୍ବାରା ପ୍ରଦତ୍ତ ରିପୋର୍ଟ ଗଲା ମଙ୍ଗଳବାର ଦିନ ପ୍ରକାଶିତ ହୋଇଛି। ଏକ ଶହ କୋଡ଼ିଏ ପୃଷ୍ଠା ସମ୍ବଳିତ ଏହି ରିପୋର୍ଟର ପ୍ରସ୍ତୁତି ପଛରେ ଯଦିଓ ପରିଶ୍ରମ ନିହିତ ଥିବା ବେଶ୍‌ ସ୍ପଷ୍ଟ, ତେବେ ଦେଖିବାକୁ ମିଳିଛି ଯେ ଲୋଡ଼ା ଯାଉଥିବା ପ୍ରଶ୍ନର ଏକ ନିର୍ଦ୍ଦିଷ୍ଟ ଉତ୍ତର ଦିଆଯିବା ପରିବର୍ତ୍ତେ ଏଭଳି ଏକ ‘ସାପ ନ ମରିବା ଓ ବାଡ଼ି ନଭାଙ୍ଗିବା’ ତୁଲ୍ୟ ଉପସ˚ହାର ପ୍ରଦାନ କରାଯାଇଛି, ଯହିଁରେ ଉତ୍ତର କମ୍‌ ଉପଲବ୍‌ଧ ହୋଇଛି, ବର˚ ଅଧିକ ପ୍ରଶ୍ନ ମୁଣ୍ତ ଟେକିଛି। ସୁତରା˚, ସ୍ବାଭାବିକ ଭାବେ ଏହି ରିପୋର୍ଟ ସମାଲୋଚନା ଓ ସନ୍ଦେହର ଶରବ୍ୟ ହୋଇପଡ଼ିଛି।

ଉଲ୍ଲେଖଯୋଗ୍ୟ ଯେ ଏହି ବହୁଦେଶୀୟ ଅନୁସନ୍ଧାନକାରୀ ଦଳରେ ବିଭିନ୍ନ ରାଷ୍ଟ୍ରର ୧୭ ଜଣ ବୈଜ୍ଞାନିକଙ୍କ ସହିତ କେବଳ ଚୀନ୍‌ର ୧୭ ଜଣ ବୈଜ୍ଞାନିକ ଅନ୍ତର୍ଭୁକ୍ତ ଥିଲେ। ଏହି ବୈଜ୍ଞାନିକମାନେ ପ୍ରାୟ ଏକ ମାସ କାଳ ଅନୁସନ୍ଧାନ କରି ଶ˚ସିତ ରିପୋର୍ଟ‌୍ଟି ଧରି ପଦାକୁ ଆସିଛନ୍ତି, ଯହିଁରେ କୁହାଯାଇଛି ଯେ ଚୀନ୍‌ର ଉହାନ (କରୋନା ସ˚କ୍ରମଣର ଉତ୍ପତ୍ତି ସ୍ଥଳ ଭାବେ ସାଧାରଣ ଭାବେ ସ୍ବୀକୃତ) ଠାରେ ଥିବା ‘ଉହାନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜି’ର ପରୀକ୍ଷାଗାରରୁ ‘ଲିକ୍‌’ ହୋଇ ଏହି ଭୂତାଣୁ ପାନ୍‌ଡେମିକ୍‌ ସୃଷ୍ଟି କରିଥିବାର ସମ୍ଭାବନା ଅତ୍ୟନ୍ତ କ୍ଷୀଣ; ପ୍ରାୟ ‘ନାହିଁ’ ତୁଲ୍ୟ। ସେହିଭଳି ବିଦେଶରୁ ଚୀନ୍‌କୁ ଆମଦାନି କରାଯାଇଥିବା ହିମୀକୃତ ପଶୁ ମା˚ସରେ ଏହି ଭୂତାଣୁ ଉପସ୍ଥିତ ରହି ଘଟଣାଚକ୍ରରେ ମାନବ ଶରୀରରେ ସ˚କ୍ରମଣ ସୃଷ୍ଟି କରିଥିବାର ସନ୍ଦେହ ମଧ୍ୟ ଅମୂଳକ ହୋଇ ନ ପାରେ, କିନ୍ତୁ ତାହା ସାବ୍ୟସ୍ତ କରିବା ଲାଗି ଅଧିକ ଗଭୀର ଅନୁଧ୍ୟାନର ଆବଶ୍ୟକତା ରହିଛି। ତା’ ପରେ ଉହାନର ହୁଆନାନା ମା˚ସ ବଜାରରୁ ଏହି ଭୂତାଣୁ ଦ୍ବାରା ପ୍ରଥମ ମାନବ ସ˚କ୍ରମଣ ଘଟିଥିବା ନେଇ ସର୍ବାଧିକ ସୁଦୃଢ଼ ଧାରଣାକୁ ମଧ୍ୟ ରିପୋର୍ଟ‌୍ଟି ସିଧାସଳଖ ସ୍ବୀକୃତି ପ୍ରଦାନ କରିନାହିଁ।

ଏହି ଅନୁସନ୍ଧାନକାରୀ ବୈଜ୍ଞାନିକଙ୍କ ଦଳ ଦ୍ବାରା ପ୍ରଦତ୍ତ ତଥ୍ୟ ଏହା ମଧ୍ୟ କହିଛି ଯେ ଯେଉଁ କରୋନା ଭୂତାଣୁ ଚୀନ୍‌ରେ ରହୁଥିବା ଏକ ପ୍ରକାର ବାଦୁଡ଼ିର ଶରୀରରେ ଦେଖାଯାଆନ୍ତି, ସେମାନଙ୍କ ଅତ୍ୟନ୍ତ ଘନିଷ୍ଠ ସାଦୃଶ୍ୟ କୋଭିଡ୍‌-୧୯ ଭୂତାଣୁ ସହିତ ଥିଲେ ମଧ୍ୟ ତାହା ଶତ ପ୍ରତିଶତ ନୁହେଁ; ଏହି ସାମ˚ଜସ୍ୟ ହେଉଛି ୯୬ ପ୍ରତିଶତ। ସୁତରା˚, ବାଦୁଡ଼ି ଶରୀରରେ ରହୁଥିବା ଭୂତାଣୁଟି ସମ୍ଭବତଃ ନିଜର ରୂପାନ୍ତରଣ ଘଟାଇ କୋଭିଡ୍‌-୧୯ରେ ପରିଣତ ହୋଇଛି। କିନ୍ତୁ ସେଥି ଲାଗି ଭୂତାଣୁଟି ଅନ୍ୟ କୌଣସି ଏକ ମଧୢବର୍ତ୍ତୀ ପ୍ରାଣୀର ଶରୀରରେ ପ୍ରବେଶ କରି ସେଠାରେ ବିବର୍ତ୍ତିତ ହେବା ପରେ ଯାଇ ମାନବ ଶରୀର (କୋଭିଡ୍‌-୧୯ ରୂପେ)ରେ ପ୍ରବେଶ କରିଥାଇପାରେ। କିନ୍ତୁ ସେହି ମଧୢବର୍ତ୍ତୀ ପ୍ରାଣୀର ପରିଚୟ ଠାବ କରିବାରେ ଅନୁସନ୍ଧାନକାରୀ ଦଳ ସମର୍ଥ ହୋଇନାହାନ୍ତି; ଯାହା ସ୍ବାଭାବିକ ଭାବେ ପରବର୍ତ୍ତୀ କାଳରେ ଆଉ ଏକ ପାନ୍‌ଡେମିକ୍‌ର ଆଶଙ୍କାକୁ ଉଜ୍ଜୀବିତ କରି ରଖିଛି। ସେହିଭଳି ରିପୋର୍ଟରେ କୁହାଯାଇଛି ଯେ ଡିସେମ୍ବରର ମଧୢ ଭାଗରେ ଉହାନରେ କରୋନାର ପ୍ରଥମ ଗଣ ସ˚କ୍ରମଣର ପ୍ରାରମ୍ଭ ହୋଇଥିଲେ ସୁଦ୍ଧା ଏହା ସମ୍ଭବ ଯେ କିଛି ସପ୍ତାହ ପୂର୍ବରୁ ଅନ୍ୟତ୍ର ଏହାର ସୃଷ୍ଟି ହୋଇ ଥାଇପାରେ। ତେବେ ଏହାକୁ ପ୍ରମାଣିତ କରିବା ଲାଗି ଅଧିକ ଅନୁଶୀଳନ ଓ ‘ଡାଟା’ ସ˚ଗ୍ରହର ଆବଶ୍ୟକତା ରହିଛି ବୋଲି ରିପୋର୍ଟରେ କୁହାଯାଇଛି। ଏହି ପରିପ୍ରେକ୍ଷୀରେ ‘ହୁ’ର ମୁଖ୍ୟ ଟେଡ୍ରୋସ ଘେବ୍ରାଜିସସ ଏହି ରିପୋର୍ଟକୁ ଅତ୍ୟନ୍ତ ଦୀର୍ଘ ଯାତ୍ରାର ଏକ କ୍ଷୁଦ୍ର ଅ˚ଶ ଭାବେ ବର୍ଣ୍ଣନା କରିବା ସହିତ ଯାହା କହିଛନ୍ତି, ତା’ର ମର୍ମାର୍ଥ ହେଲା ‘ପ୍ରଥମ କୋଭିଡ୍‌-୧୯ ଭୂତାଣୁ’କୁ ପାତାଳ ତଳୁ ବାହାର କରିବା ଲାଗି ବିଜ୍ଞାନ ପ୍ରତିଶ୍ରୁତି-ଆବଦ୍ଧ ଏବ˚ ଏବେ ଯେଉଁ ରିପୋର୍ଟ ପ୍ରକାଶିତ ହୋଇଛି, ତାହା କୌଣସି ରୂପେ ଚୂଡ଼ାନ୍ତ ନୁହେଁ।

ଉଲ୍ଲେଖଯୋଗ୍ୟ ଯେ ୨୦୦୬ରୁ ୨୦୧୭ ପର୍ଯ୍ୟନ୍ତ କାଳ ଖଣ୍ଡ ଚୀନା ମୂଳୋଦ୍ଭବ ମାର୍ଗାରେଟ୍‌ ଚାନ ‘ହୁ’ର ମୁଖ୍ୟ ରୂପେ ଆସୀନ ଥିଲେ, ଯେଉଁ ସମୟରେ ଏହି ବିଶ୍ବ ସ୍ତରୀୟ ଅନୁଷ୍ଠାନରେ ଚୀନ୍‌ର ପ୍ରଭାବ ମାତ୍ରାଧିକ ଭାବେ ବୃଦ୍ଧି ଲାଭ କରିଥିଲା। ତେଣୁ କରୋନା ପାନ୍‌ଡେମିକ୍‌ କାଳରେ ବିଶ୍ବକୁ ଆଗୁଆ ସତର୍କ କରାଇବାରେ ‘ହୁ’ର ଅବହେଳା ପଛରେ ଚୀନର ଭାବମୂର୍ତ୍ତିକୁ ସୁରକ୍ଷା ପ୍ରଦାନ କରିବାର ଅଭିସନ୍ଧି ନିହିତ ଥିବା ସନ୍ଦେହ କରି ଗଲା ବର୍ଷ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ର˚ପ୍‌ ସେହି ସ˚ଗଠନରୁ ଆମେରିକାକୁ ହଟାଇ ନେଇଥିଲେ। ଉଲ୍ଲେଖଯୋଗ୍ୟ ଯେ ସେ ପର୍ଯ୍ୟନ୍ତ ‘ହୁ’ ଲାଗି ଯୁକ୍ତରାଷ୍ଟ୍ର ଆମେରିକା ପରେ ଚୀନ ଥିଲା ଦ୍ବିତୀୟ ବୃହତ୍ତମ ଅର୍ଥ ଅନୁଦାନ ପ୍ରଦାନକାରୀ ରାଷ୍ଟ୍ର; ଯାହା ସ˚ପ୍ରତି ଆମେରିକାର ଅନୁପସ୍ଥିତିରେ ପ୍ରଥମ ସ୍ଥାନରେ ରହିଛି। ଏଣେ ଆମେରିକାରେ ରାଜନୈତିକ ପଟ ପରିବର୍ତ୍ତନ ଘଟି ଟ୍ର˚ପ୍‌ଙ୍କ ପରେ ଜୋ ବାଇଡେନ୍‌ଙ୍କ ଆବିର୍ଭାବ ଘଟିଛି, ଯିଏ ପୁଣି ଥରେ ଆମେରିକାକୁ ଏକ ବିଶ୍ବ ନେତୃତ୍ବ ପ୍ରଦାନକାରୀ ରାଷ୍ଟ୍ରରେ ପରିଣତ କରିବାକୁ ତତ୍ପର ହୋଇ ଉଠିଛନ୍ତି। ସୁତରା˚, ‘ହୁ’କୁ ଆମେରିକାର ପ୍ରତ୍ୟାବର୍ତ୍ତନର ଆଶା ଉଜ୍ଜ୍ବଳ ହୋଇଛି। ସେହି ପରିପ୍ରେକ୍ଷୀରେ ଚୀନକୁ ସ˚ପୂର୍ଣ୍ଣ ଦୋଷମୁକ୍ତ କଲା ଭଳି ଏକ ରିପୋର୍ଟ ଦେଇ ଆମେରିକାକୁ ରୁଷ୍ଟ କରିବାର ସାହସ ଜୁଟାଇ ନ ପାରି ଏଭଳି ଏକ ରିପୋର୍ଟ ପ୍ରସ୍ତୁତ କରାଯାଇଛି; ଯାହା କେବଳ ଅନେକ ‘ସମ୍ଭାବନା’ର ଚିତ୍ର ପ୍ରଦାନ କରିଛି। କେବଳ ସେତିକି ନୁହେଁ ଏହି ଅନୁସନ୍ଧାନକୁ ‘ସତ୍ୟ’ ଠାରେ ପହଞ୍ଚାଇବାର ଯେଉଁ ସ˚କଳ୍ପ ‘ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ’ର ମୁଖ୍ୟଙ୍କ ଦ୍ବାରା ପ୍ରକଟ କରାଯାଇଛି, ତାହା ଯେ ଆମେରିକାକୁ ତୁଷ୍ଟ କରିବାର ଏକ ଉଦ୍ୟମ ତାହା ଟିକିଏ ସାଧରଣ ଜ୍ଞାନ ଉପଯୋଗ କଲେ ବୁଝି ହୋଇଥାଏ। କହିବା ଅନାବଶ୍ୟକ ଯେ ଏହି ପାନ୍‌ଡେମିକ୍‌ ପଛରେ ଥିବା ଦୋଷୀ ଆନୁଷ୍ଠାନିକ ଭାବେ ଚିହ୍ନଟ ହେଉ ବୋଲି କରୋନା ସଂକ୍ରମଣ ଦ୍ବାରା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ଯୁକ୍ତରାଷ୍ଟ୍ର ଆମେରିକା ଚାହେଁ, ଯାହା କେବଳ ‘ହୁ’ର ରିପୋର୍ଟ ଦ୍ବାରା ସମ୍ଭବ ହୁଅନ୍ତା। କିନ୍ତୁ କରୋନା ପାନ୍‌ଡେମିକ୍‌ର ସୃଷ୍ଟିକର୍ତ୍ତା ଭାବେ ପରିଚିତ ହେବାକୁ ଚୀନ ଅନିଚ୍ଛୁକ।

ଏଠାରେ ସ୍ମରଣଯୋଗ୍ୟ ଯେ ଚୀନ୍‌ର ଚାପ ହେତୁ ନୋଭେଲ କରୋନା ଭାଇରସ୍‌ର ନାମକରଣ ବେଳେ ଉତ୍ପତ୍ତି ସ୍ଥଳର ନାମ ବ୍ୟବହାର କରିବାର ପର˚ପରାକୁ ଭଙ୍ଗ କରି ‘ହୁ’ ତାକୁ କୋଭିଡ୍‌-୧୯ ରୂପେ ନାମିତ କରି ସାରିଛି। କେବଳ ସେତିକି ନୁହେଁ, ଏ ସ˚ଦର୍ଭରେ ଚୀନ ମଧ୍ୟ ପାଲଟା ଅଭିଯୋଗ କରିଥାଏ ଯେ ୨୦୧୯ ଅକ୍ଟୋବର ମାସରେ ଉହାନରେ ଅନୁଷ୍ଠିତ ହୋଇଥିବା ବିଶ୍ବ ସାମରିକ ବାହିନୀର ଖେଳକୁଦ ପ୍ରତିଯୋଗିତା କାଳରେ ଏହି ଭୂତାଣୁ ଆମେରିକୀୟ ଅ˚ଶଗ୍ରହଣକାରୀଙ୍କ ଠାରୁ ଚୀନ୍‌ରେ ପ୍ରବେଶ କରିଛି। ସୁତରା˚, ଚୀନ ମଧ୍ୟ ଦାବି କରିଛି ଯେ ଆମେରିକାର ମିଲିଟାରି ଗବେଷଣାଗାର ଭିତରକୁ ମଧ୍ୟ ଅନୁସନ୍ଧାନକାରୀ ଦଳର ପ୍ରବେଶକୁ ଆମେରିକା ଅନୁମତି ପ୍ରଦାନ କରୁ। ସ˚ପ୍ରତି ଚୀନ ଅତ୍ୟନ୍ତ ଶକ୍ତିଶାଳୀ ହୋଇ ପଡ଼ିଥିବା ତଥା ଆମେରିକା ଓ ଚୀନ ମଧ୍ୟରେ ରହି ଆସିଥିବା ପୁରୁଣା ଓ ଅନେକା˚ଶରେ ତିକ୍ତ ପ୍ରତିଦ୍ବନ୍ଦ୍ବିତା ହେତୁ ଏହି ପାନ୍‌ଡେମିକ କାଳରେ ଉଭୟ ପକ୍ଷରୁ ସୃଷ୍ଟ ଏକ ସଣ୍ତୁଆଶି ଚାପ ‘ହୁ’କୁ ଅତ୍ୟନ୍ତ ଅସହାୟ କରି ପକାଇଛି। ସେହି ପରିପ୍ରେକ୍ଷୀରେ ଏହି ଅସହାୟ ଗୁଇନ୍ଦା ଦ୍ବାରା କରୋନାର ଉତ୍ପତ୍ତି ସ୍ଥଳ ଭାବେ ଚୀନ୍‌କୁ ଚିହ୍ନଟ କରାଯିବା ପ୍ରାୟ ଅସମ୍ଭବ ବ୍ୟାପାର ଭଳି ମନେ ହୋଇଥାଏ। ଏହି ସ˚ଦର୍ଭରେ ସ୍ମରଣ କରାଯାଇ ପାରେ କି କିଛି ମାସ ତଳେ ଚୀନ୍‌ର କେତେକ ଗବେଷକ ଏଭଳି ଏକ ତଥ୍ୟ ପ୍ରଦାନ କରିଥିଲେ ଯାହା କହିଥିଲା ଯେ କୋଭିଡ୍‌-୧୯ ଭୂତାଣୁ ସହିତ ଅତ୍ୟନ୍ତ ଘନିଷ୍ଠ ସାମ˚ଜସ୍ୟ ବହନକାରୀ ଭୂତାଣୁର ଉପସ୍ଥିତି ଭାରତରେ ଚିହ୍ନଟ ହୋଇଛି; ଯହିଁରୁ କରୋନା ଭାଇରସ୍‌ର ଆବିର୍ଭାବ ଘଟିଥାଇପାରେ। କହିବା ବାହୁଲ୍ୟ ଯେ ଏହା ସଂପୂର୍ଣ୍ଣ ରୂପେ ଏକ ଚୀନାସୁଲଭ ମନୋବୃତ୍ତିର ସ˚କେତ ଯାହା କୌଣସିମତେ ନିଜ ଦୋଷକୁ ଅନ୍ୟକୁ ହସ୍ତାନ୍ତର କରି ଦେବାକୁ ଚାହିଁଥାଏ। କିନ୍ତୁ ବିପଦଟି ହେଲା, ଚୀନ୍‌କୁ ସମର୍ଥନ କରିବାର ଦାୟରୁ ‘ମାର ମାର, ଭଣ୍ତାରିଆକୁ ମାର’ ନୀତିରେ ଯଦି ଅସହାୟ ‘ହୁ’ କୌଣସି ଏକ ଦୁର୍ବଳ ରାଷ୍ଟ୍ରରେ କରୋନା ଭୂତାଣୁର ଉତ୍ପତ୍ତି ସ୍ଥଳକୁ ଆବିଷ୍କାର କରେ, ତେବେ ତାହା ହେବ ବିଜ୍ଞାନ ଲାଗି ଏକ ସର୍ବବୃହତ୍‌ ପରାଜୟ।

ସମ୍ବନ୍ଧିତ ଖବର