ଗଣତନ୍ତ୍ର ସ˚ପର୍କରେ ଊନବି˚ଶ ଶତାବ୍ଦୀର ଆମେରିକୀୟ କବି ଓ ଚିନ୍ତକ ଜେମ୍‌ସ ରସେଲ ଲୋେଵଲଙ୍କ ଏକ ପ୍ରସିଦ୍ଧ ଉକ୍ତି ହେଲା- ଗଣତନ୍ତ୍ର ପ୍ରତ୍ୟେକ ମନୁଷ୍ୟକୁ ନିଜର ଯାତନାକାରୀ ହେବାର ଅଧିକାର ପ୍ରଦାନ କରିଥାଏ। ଏହି ବାକ୍ୟରେ ନିହିତ ଥିବା ଅର୍ଥଟି ହେଉଛି ଏକ ଗଣତନ୍ତ୍ରରେ ନାଗରିକମାନେ ନିଜର ଶାସକମାନଙ୍କୁ ନିର୍ବାଚିତ କରିବାର ଅଧିକାର ପାଇଥିଲେ ମଧୢ ଏଭଳି ବ୍ୟକ୍ତିମାନଙ୍କୁ ବାଛି ଥାଆନ୍ତି, ଯେଉଁମାନେ ସେମାନଙ୍କର (ନାଗରିକମାନଙ୍କର) କଷଣର କାରଣ ପାଲଟନ୍ତି। ଏହାର ଅନେକ ଦୃଷ୍ଟାନ୍ତ ଉପଲବ୍‌ଧ। ତେବେ, ଏହାର ସଦ୍ୟତମ ଉଦାହରଣଟି ଦେଖିବାକୁ ମିଳିଥାଏ ଏବେ; ଯେତେବେଳେ ଭାରତ ଓ ପାକିସ୍ତାନ ମଧୢରେ ଏକ ମଧୁର ସ˚ପର୍କର ବାତାବରଣ ସୃଷ୍ଟି ହେବାର ଆଶା ଦୃଶ୍ୟମାନ ହେଉଥିବା ବେଳେ ସେଠାକାର ଗଣତାନ୍ତ୍ରିକ ରାଜନୀତିର ବାଧୢବାଧକତା ଏଥିରେ ପ୍ରତିବନ୍ଧ ସୃଷ୍ଟି କରିଛି। ଏହାକୁ ପ୍ରାଞ୍ଜଳ କରିବା ଲାଗି ଏକ କ୍ଷୁଦ୍ର ଆଲୋଚନା ଜରୁରୀ।

Advertisment

ଏହି ସ୍ତମ୍ଭର ପାଠକ-ପାଠିକାମାନେ ଅବଗତ ଥିବେ ଯେ ନିକଟରେ ଭାରତ ଓ ପାକିସ୍ତାନ ସୀମାନ୍ତରେ ଉଭୟ ରାଷ୍ଟ୍ର ପକ୍ଷରୁ ଯୁଦ୍ଧ ବିରତି ଘୋଷଣା କରାଯାଇଛି। କେବଳ ସେତିକି ନୁହେଁ ‘ଇସଲାମାବାଦ ସିକ୍ୟୁରିଟି ଡାଇଲଗ୍‌’ରେ ପାକିସ୍ତାନ ସେନାମୁଖ୍ୟ କମର ଜାଭେଦ ବାଜଵାଙ୍କ ଦ୍ବାରା ପ୍ରଦତ୍ତ ବହୁ ଚର୍ଚ୍ଚିତ ବକ୍ତବ୍ୟରେ ଭାରତ ଓ ପାକିସ୍ତାନ ମଧୢରେ ଏକ ମିତ୍ରତାପୂର୍ଣ୍ଣ ସ˚ପର୍କ ଉପରେ ଗୁରୁତ୍ବ ଆରୋପ କରାଯାଇଛି। ସୁତରା˚, ସ୍ବାଭାବିକ ଭାବେ ଏହି ଦୁଇ ଶତ୍ରୁଭାବାପନ୍ନ ପଡ଼ୋଶୀ ରାଷ୍ଟ୍ର ମଧୢରେ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ସ˚ପର୍କ ସୃଷ୍ଟି ହେବା ନେଇ ଆଶା ସ˚ଚାର ହୋଇଥିଲା। କେବଳ ସେତିକି ନୁହେଁ, ଗଲା ମାର୍ଚ୍ଚ ୨୩ ତାରିଖରେ ପାକିସ୍ତାନ ଦିବସ ପାଳନ ଅବସରରେ ଭାରତର ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଲିଖିତ ଏକ ସଦିଚ୍ଛାମୂଳକ ପତ୍ର ଏବ˚ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ପ୍ରଦତ୍ତ ଉତ୍ତର ଏହି ଆଶାକୁ ଅଧିକ ଦୃଢ଼ୀଭୂତ ମଧୢ କରିଥିଲା। ଏଭଳି ଏକ ପରିବେଶରେ ଭାରତ ଓ ପାକିସ୍ତାନ ମଧୢରେ ଦୁଇ ବର୍ଷର ବ୍ୟବଧାନ ପରେ ପୁଣି ବାଣିଜ୍ୟ ସ˚ପର୍କ ସ୍ଥାପିତ ହେବା ନେଇ ସମ୍ଭାବନା ଅତ୍ୟନ୍ତ ଉଜ୍ଜ୍ବଳ ହୋଇ ଉଠିଥିଲା, ଯେତେବେଳେ ପାକିସ୍ତାନର ‘ଇକୋନୋମିକ କୋଅର୍ଡିନେସନ କାଉନସିଲ୍‌’ ବା ‘ଇ.ସି.ସି.’ ଦ୍ବାରା ସୁପାରିସ କରାଯାଇଥିଲା ଯେ ପାକିସ୍ତାନ ଭାରତ ଠାରୁ ଚିନି ଓ କପା ଅାମଦାନି କରୁ। ସେହି ସୁପାରିସ ଅନୁସାରେ ପାକିସ୍ତାନ ଭାରତ ଠାରୁ ୫ ଲକ୍ଷ ଟନ୍‌ ଚିନି ଆମଦାନି କରିବାର ଲକ୍ଷ୍ୟ ଥିଲା। କିନ୍ତୁ ଦେଖିବାକୁ ମିଳିଲା ଯେ ‘ଇ.ସି.ସି.’ ନିଷ୍ପତ୍ତିର ଚବିଶ ଘଣ୍ଟା ମଧୢରେ ପାକିସ୍ତାନ କ୍ୟାବିନେଟ୍‌ ତାହାକୁ ଅକାମି କରିଦେଇଛି। କହିବା ବାହୁଲ୍ୟ ଯେ ଅତୀତରେ ଦେଖା ଯାଇଥିବା ଭଳି ଏଥର ମଧୢ ଏକ ମଧୁର ସମ୍ଭାବନା ସୃଷ୍ଟି ହେବା ପଥରେ ରାଜନୀତି ଏକ କଣ୍ଟା ରୂପେ ଆବିର୍ଭୂତ ହୋଇଛି। ପ୍ରଶ୍ନ ଉ‌େଂ ଯେ ଏଭଳି ଘଟିଲା କାହିଁକି?

କହିବା ବାହୁଲ୍ୟ ଯେ ଯୁଦ୍ଧ-ତନ୍ତ୍ରର ପ୍ରକୃତ ବ୍ୟର୍ଥତା (ଯେ ଏହା ଦ୍ବାରା ବିଶେଷ କୌଣସି ସଫଳତା ପ୍ରାପ୍ତ ହୋଇ ନ ଥାଏ) ନେଇ ସେନାପତିମାନେ ଯେଉଁଭଳି ନିଶ୍ଚିତ ଥାଆନ୍ତି, ସମ୍ଭବତଃ ଅନ୍ୟ କେହି ସେଭଳି ନ ଥାଆନ୍ତି। ବୋଧ ହୁଏ ଏହି କାରଣରୁ ପାକିସ୍ତାନର ସେନାମୁଖ୍ୟ କମର ଜାଭେଦ ବାଜଵାଙ୍କ ଠାରେ ଏଭଳି ଏକ ମନୋଭାବ ପରିଦୃଷ୍ଟ ହୋଇଛି ଯାହା ଯୁଦ୍ଧ ନୁହେଁ, ଶାନ୍ତି ଚାହିଥାଏ। କାରଣ ତାଙ୍କ ରାଷ୍ଟ୍ର ପାକିସ୍ତାନ ସ˚ପ୍ରତି ଏକ ଆର୍ଥିକ ଭଗ୍ନ ସ୍ତୂପରେ ପରିଣତ। ଏହାର ଏକ ବଡ଼ କାରଣ ହେଉଛି ସାମରିକ ସାମର୍ଥ୍ୟରେ ଭାରତ ସହିତ ସମକକ୍ଷ ହୋଇ ରହିବା ଲାଗି ପାକିସ୍ତାନ ଦ୍ବାରା ଅସହନୀୟ ଭାବେ ବିପୁଳ ପରିମାଣର ଅର୍ଥ ବ୍ୟୟ। ଉଲ୍ଲେଖଯୋଗ୍ୟ ଯେ ଆର୍ଥିକ ଦୃଷ୍ଟିରୁ ଭାରତ ପାକିସ୍ତାନ ତୁଳନାରେ ଦଶ ଗୁଣ ଅଧିକ ଶକ୍ତିଶାଳୀ ହୋଇଥିବା ସ୍ଥଳେ ‘ଜାତୀୟ ଆୟ’ ବା ଜିଡିପି ଆଧାରରେ ସାମରିକ ବ୍ୟୟକୁ ହିସାବ କଲେ ଦେଖିବାକୁ ମିଳିଥାଏ ଯେ ତହିଁରେ ପାକିସ୍ତାନ ଭାରତ ଠାରୁ ଢେର ଆଗୁଆ। କେବଳ ସେତିକି ନୁହେଁ, ପାକିସ୍ତାନର ଚରମ ଆର୍ଥିକ ଦୁଃସ୍ଥିତି ପଛରେ ଥିବା ଦ୍ବିତୀୟ କାରଣଟି ହେଉଛି ସେହି ରାଷ୍ଟ୍ର ଦ୍ବାରା ଏକ ଅତ୍ୟନ୍ତ ବିଶାଳ ଅର୍ଥ ରାଶି ଭାରତ ବିରୋଧୀ ଆତଙ୍କବାଦ ସୃଷ୍ଟି ଦିଗରେ ଖର୍ଚ୍ଚ କରାଯିବା। କହିବା ନିଷ୍ପ୍ରୟୋଜନ ଯେ ପାକିସ୍ତାନର ଏଭଳି ଆଭିମୁଖ୍ୟ କେବଳ ତାକୁ ଦାରିଦ୍ର୍ୟର ଗର୍ତ୍ତ ମଧୢକୁ ନିକ୍ଷେପ କରିନାହିଁ; ଅଧିକନ୍ତୁ ତାକୁ ଏକ ପଶ୍ଚାତ୍‌ମୁଖୀ ମଧୢଯୁଗୀୟ ମୌଳବାଦୀ ରାଷ୍ଟ୍ରରେ ପରିଣତ କରିଛି ଯହିଁରେ ଜନ ସମୁଦାୟ ଠାରେ ବିକାଶ ବା ସମୃଦ୍ଧି ଲାଗି ଏକ ସର୍ବନିମ୍ନ ଆଗ୍ରହ ମଧୢ ଅନୁପସ୍ଥିତ। ଏଭଳି ଏକ ସ୍ଥିତିରେ କେବଳ ଦୟନୀୟ ଭାବେ ତିଷ୍ଠି ରହିବା ଲାଗି ସେହି ଦେଶ ଚୀନ ଭଳି ଏକ ଚରମ ସୁବିଧାବାଦୀ, ସ୍ବାର୍ଥାନ୍ବେଷୀ ଏବ˚ ଆଡ଼ବାୟା ରାଷ୍ଟ୍ରର ବଶମ୍ବଦ ହେବାକୁ ବାଧୢ ହୋଇଛି। ଏ ସବୁ ଦୃଷ୍ଟିରୁ ଦେଖିଲେ ପାକିସ୍ତାନର ବିକାଶ ଲାଗି ଯେ ତାକୁ ଯୁଦ୍ଧଖୋର ମନୋଭାବ ପରିତ୍ୟାଗ କରିବା ନିତାନ୍ତ ଆବଶ୍ୟକ, ତାହା ହୁଏ’ତ ଜେନେରାଲ ବାଜଵାଙ୍କ ହୃଦ୍‌ବୋଧ ହୋଇଥିବ। ତେଣୁ ସମ୍ଭବତଃ ସେ ଭାରତ ସହିତ ଏକ ସହଯୋଗପୂର୍ଣ୍ଣ ସ˚ପର୍କ ଆଶା କରନ୍ତି। କିନ୍ତୁ ବିଡ଼ମ୍ବନାଟି ହେଲା ଜନସାଧାରଣଙ୍କ ନାଡ଼ି ଚିପି ଜାଣୁଥିବା ରାଜନେତାମାନେ ହୃଦୟଙ୍ଗମ କରିସାରିଲେଣି ଯେ ବାଜଵାଙ୍କ ମନୋଭାବ ଯେ ଦୁର୍ବଳତାର ଏକ ଚିହ୍ନ, ସେଭଳି ଏକ ଧାରଣା ପାକିସ୍ତାନର ସାଧାରଣ ନାଗରିକମାନଙ୍କ ମଧୢରେ ଜନ୍ମି ସାରିଲାଣି। ସୁତରା˚, ପାକିସ୍ତାନ କ୍ୟାବିନେଟ୍‌ର ନିଷ୍ପତ୍ତି ଏହାର ଏକ ପ୍ରତିକ୍ରିୟା ମାତ୍ର।

ଉଲ୍ଲେଖଯୋଗ୍ୟ ଯେ ଏକ ଆକଳନ ଅନୁସାରେ ପାକିସ୍ତାନରେ ବାର୍ଷିକ ହାରାହାରି ମୁଣ୍ତ ପିଛା ଚିନି ଖର୍ଚ୍ଚ ହେଉଛି ୨୫ କିଲୋଗ୍ରାମ। ନିକଟରେ ରମଜାନ ମାସ ଆରମ୍ଭ ହେଉଥିବାରୁ ଚିନିର ଚାହିଦା ଆହୁରି ବୃଦ୍ଧି ପାଇବା ନିଶ୍ଚିତ। ଏହି ପରିପ୍ରେକ୍ଷୀରେ ସେଠାରେ ଚିନିର ଅଭାବ ଜନିତ ଦର ବୃଦ୍ଧି ହେତୁ ତାହା ବର୍ତ୍ତମାନ କିଲୋଗ୍ରାମ ପିଛା ୧୧୦ ଟଙ୍କାରେ ବିକ୍ରି ହେଉଛି, ଯାହା ସ୍ବାଭାବିକ ଭାବେ ସାଧାରଣ ପାକିସ୍ତାନୀ ଖାଉଟି ଲାଗି ଅସହ୍ୟ ସ୍ତରର। ଏଭଳି ସ୍ଥଳେ ଭାରତରୁ ଚିନି ଆମଦାନି ସେଠାରେ ଚିନି ଦରକୁ ହ୍ରାସ କରନ୍ତା। ସେହିଭଳି କପା ଅଭାବରୁ ସେଠାରେ କ୍ଷୁଦ୍ର ଏବ˚ ମଧୢମ ଧରଣର ଲୁଗାକଳ ବନ୍ଦ ହୋଇ ବେକାରି ସମସ୍ୟାକୁ ଉତ୍କଟ କଲାଣି। ଭାରତରୁ କପା ଆମଦାନି ଦ୍ବାରା ମଧ୍ୟ ସେହି ସମସ୍ୟାର ସମାଧାନ ହୁଅନ୍ତା। କିନ୍ତୁ ମନେ ହୁଏ ଯେ ପାକିସ୍ତାନର ସାଧାରଣ ନାଗରିକ ଏହା ସପକ୍ଷରେ ନାହାନ୍ତି। କାରଣ ଏହା ଏକ ଶତ୍ରୁ ରାଷ୍ଟ୍ର ସମ୍ମୁଖରେ ନତ ମସ୍ତକ ହେବା ସହିତ ସମତୁଲ ବୋଲି ସେମାନଙ୍କ ଧାରଣା।

କହିବା ବାହୁଲ୍ୟ ଯେ ଭାରତ ଓ ପାକିସ୍ତାନ ମଧୢରେ ଏକ ପୂର୍ଣ୍ଣାଙ୍ଗ ଯୁଦ୍ଧ ହୋଇ ତାହା ହାର-ଜିତ୍‌ର ଫଇସଲା ସହ ସମାପ୍ତ ହେବାର ଆଶା ସା˚ପ୍ରତିକ ପରିପ୍ରେକ୍ଷୀରେ ଆଦୌ ନାହିଁ କହିଲେ ଚଳେ। ତା’ ସତ୍ତ୍ବେ ରାଜନେତାଗଣ ନିଜ ରାଷ୍ଟ୍ରର ସାମରିକ ଅପରାଜେୟତା ନେଇ ଆସ୍ଫାଳନ କରୁଥିବା ଦେଖାଯାଇଥାଏ। ଏହା ପଛରେ ଥିବା ଏକମାତ୍ର କାରଣ ହେଲା ଏଭଳି ଏକ କଳ୍ପିତ ଯୁଦ୍ଧରେ ବିଜୟର ହୁଙ୍କାର ନାଗରିକମାନଙ୍କ ଠାରେ ଏଭଳି ଆବେଗ ସୃଷ୍ଟି କରିପାରେ, ଯାହା ସମ୍ମୁଖରେ ସେମାନେ ମୁହାଁମୁହିଁ ହେଉଥିବା ଅନ୍ୟ ଯାବତୀୟ ବାସ୍ତବ ଓ ଦୈନନ୍ଦିନ ସମସ୍ୟା ଗୌଣ ହୋଇପଡ଼େ। ସୁତରା˚, ଏହି ଆବେଗକୁ ଉଜ୍ଜୀବିତ ରଖି ଜନ ସମର୍ଥନ ଲାଭ କରିବା ରାଜନେତାମାନଙ୍କ ଲାଗି ଏକ ବାଧୢବାଧକତାରେ ମଧୢ ପରିଣତ ହୋଇଥାଏ। ଏଭଳି ଏକ ସ୍ଥିତିରେ ଜେମ୍‌ସ ରସେଲଙ୍କ ଉକ୍ତିର ମର୍ମ ହୃଦୟଙ୍ଗମ କରି ହୋଇଥାଏ। ପାକିସ୍ତାନରେ ଯଦି ରାଜନୈତିକ ବାଧୢବାଧକତା କାରଣରୁ ଜେନେରାଲ ବାଜଵାଙ୍କ ଦ୍ବାରା ସୃଷ୍ଟ ଏକ ମଧୁର ସ˚ପର୍କର ବାତାବରଣ ଅପସରି ଯାଏ, ତେବେ ପ୍ରମାଣିତ ହେବ ଯେ ନାଗରିକମାନେ ନିଜକୁ ଯାତନା ଦେବା ଲାଗି ଆପଣା ଅଧିକାର ସାବ୍ୟସ୍ତ କରିବାକୁ ବଦ୍ଧପରିକର, ଯେଉଁଠି ଏକ ତଳିତଳାନ୍ତ ରାଷ୍ଟ୍ରର ଦରିଦ୍ର ନାଗରିକଗଣ ଚିନି ପାଇଁ ସେମାନେ ଛୁଇଁ ପାରୁ ନ ଥିବା ମୂଲ୍ୟ ଦେବାକୁ ମଧୢ ପ୍ରସ୍ତୁତ। ଏଭଳି ସ୍ଥଳେ ଯୁଦ୍ଧର ବ୍ୟର୍ଥତାକୁ ଦେଖିପାରୁଥିବା ବାଜଵାଙ୍କୁ ଜଣେ ବ୍ୟର୍ଥ ସେନାପତି ରୂପେ ଚିତ୍ରଣ କରାଯିବାରେ ବିସ୍ମୟର ବିଶେଷ କାରଣ ନାହିଁ। ଏହା ମଧୢ ସତ ଯେ ତାଙ୍କର ଚୈତନ୍ୟ ଉଦୟ ଏକ ଐତିହାସିକ ଦୁର୍ବଳତାର ପରିଚୟ ହୋଇ ପାକିସ୍ତାନର ଇତିହାସରେ ରହିଯାଇପାରେ।