ପ୍ରଗତିର ପରିଚୟ

ଆଉ ପ୍ରାୟ ଦୁଇ ସପ୍ତାହ ପରେ ଅବସର ନେବାକୁ ଯାଉଥିବା ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ମାନ୍ୟବର ଏସ୍‌ ଏ ବୋବ୍‌ଡେ଼ ପ୍ରାୟ ଦୁଇ ସପ୍ତାହ ତଳେ ଅନ୍ତିମ ମୁହୂର୍ତ୍ତରେ ତାଙ୍କର ଅନ୍ତରର ଭାବନା ପ୍ରକାଶ କଲା ଭଳି ଗୋଆଠାରେ ଏକ କାର୍ଯ୍ୟକ୍ରମରେ ନିଜର ଅଭିଭାଷଣ ପ୍ରଦାନ କରିବା ଅବସରରେ ଗୋଆ ରାଜ୍ୟରେ ବଳବତ୍ତର ଥିବା ‘ୟୁନିଫର୍ମ ସିଭିଲ୍‌ କୋଡ୍‌’ ବା ‘ସାଧାରଣ ନାଗରିକ ସ˚ହିତା’ର ଭୂରି ଭୂରି ପ୍ରଶ˚ସା କରିଥିଲେ। ଦେଶର ଯେଉଁ ବୁଦ୍ଧିଜୀବୀମାନେ ଏହି ପ୍ରସଙ୍ଗକୁ ନେଇ ତର୍କ ବିତର୍କ ଚଳାଇ ଆସିଛନ୍ତି, ସେମାନେ ଗୋଆକୁ ଆସି ଧର୍ମ ନିର୍ବିଶେଷରେ ଏହି ରାଜ୍ୟରେ ପ୍ରଣୟନ କରାଯାଇଥିବା ଏହି ‘ୟୁନିଫର୍ମ ସିଭିଲ୍‌ କୋଡ୍‌’ (‘ୟୁସିସି’) କିପରି ଅତ୍ୟନ୍ତ ସନ୍ତୋଷଜନକ ଭାବରେ କାର୍ଯ୍ୟ କରି ଆଦର୍ଶ ନ୍ୟାୟ ପ୍ରଦାନ କରୁଛି, ତାହା ସ୍ବଚକ୍ଷୁରେ ଦେଖିବା ପାଇଁ ଆହ୍ବାନ ଦେଇଥିଲେ। ଜଷ୍ଟିସ୍‌ ବୋବ୍‌ଡ଼େ କହିଥିଲେ ଯେ ଭାରତୀୟ ସମ୍ବିଧାନର ପ୍ରଣେତାମାନେ ଭାରତ ପାଇଁ ଯେଉଁ ‘ୟୁସିସି’ର ପରିକଳ୍ପନା କରିଥିଲେ, ଗୋଆ ତାହାକୁ ବାସ୍ତବ ରୂପରେଖ ପ୍ରଦାନ କରିଛି।

ଅବଶ୍ୟ ଦେଶ ପାଇଁ ଏକ ‘ୟୁନିଫର୍ମ ସିଭିଲ୍‌ କୋଡ୍‌’ର ଗୁରୁତ୍ବ ଏବ˚ ସେ ଦିଗରେ ଗୋଆ ପ୍ରଦର୍ଶନ କରିଥିବା ପଥର ଏଭଳି ପ୍ରଶ˚ସା କରିବାରେ ଜଷ୍ଟିସ୍‌ ବୋବ୍‌ଡେ଼ଙ୍କ ସ୍ବର ଏକ ଏକାକୀ ସ୍ବର ନୁହେଁ। ୨୦୧୯ ସେପ୍ଟେମ୍ବରରେ ଗୋଆର ଜଣେ ବାସିନ୍ଦାଙ୍କର ଏକ ସମ୍ପତ୍ତି ମାମଲାର ଶୁଣାଣି କରିବା ସମୟରେ ସୁପ୍ରିମ୍‌ କୋର୍ଟର ଏକ ବେଞ୍ଚ୍‌ ‘ୟୁନିଫର୍ମ ସିଭିଲ୍‌ କୋଡ୍‌’ କାର୍ଯ୍ୟକାରୀ କରିବାରେ ଏକ ‘ଉଜ୍ଜ୍ବଳ ଉଦାହରଣ’ ରୂପେ ଗୋଆର ପ୍ରଶ˚ସା କରିଥିଲେ। ଜଷ୍ଟିସ୍‌ ଦୀପକ ଗୁପ୍ତା ଏବ˚ ଜଷ୍ଟିସ୍‌ ଅନିରୁଦ୍ଧ ବୋଷଙ୍କୁ ନେଇ ଗଠିତ ଏହି ବେଞ୍ଚ୍‌ ପୁଣି କହିଥିଲେ ଯେ ‘ରାଷ୍ଟ୍ର ନୀତି ନିର୍ଦ୍ଧାରଣ ପାଇଁ ନିର୍ଦ୍ଦେଶାବଳୀ’ (‘ଡିରେକ୍‌ଟିଭ୍‌ ପ୍ରିନ୍‌ସିପଲ୍‌ସ ଅଫ୍‌ ଷ୍ଟେଟ୍‌ ପଲିସି’) ସମ୍ବଳିତ ସମ୍ବିଧାନର ଚତୁର୍ଥ ଭାଗର ଧାରା-୪୪ରେ ପ୍ରଣେତାମାନେ ରାଷ୍ଟ୍ର ତା’ର ନାଗରିକମାନଙ୍କ ପାଇଁ ଏକ ‘ୟୁନିଫର୍ମ ସିଭିଲ୍‌ କୋଡ୍‌’ କାର୍ଯ୍ୟକାରୀ କରିବାକୁ ଉଦ୍ୟମ କରିବ ବୋଲି ଆଶା ପ୍ରକଟ କରିଥିଲେ ହେଁ, ଏ ପର୍ଯ୍ୟନ୍ତ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇ ନାହିଁ ଓ ଏଥି ପାଇଁ କ୍ଷୋଭ ପ୍ରକାଶ କରିଥିଲେ।

ସୁପ୍ରିମ୍‌ କୋର୍ଟର ମାନ୍ୟବର ବିଚାରପତିମାନେ ଭାରତ ଭଳି ଏକ ସ୍ବାଧୀନ, ସଭ୍ୟ ଓ ପରମ୍ପରା ସମ୍ପନ୍ନ ଦେଶରେ ଏକ ‘ୟୁନିଫର୍ମ ସିଭିଲ୍‌ କୋଡ୍‌’କୁ ଏପରି ମର୍ଯ୍ୟାଦା ଓ ଗୁରୁତ୍ବ ପ୍ରଦାନ କରିବାରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ଏକ ‘ୟୁନିଫର୍ମ ସିଭିଲ୍‌ କୋଡ୍‌’ ଅନ୍ତର୍ଗତ ଅନ୍ୟତମ ମୁଖ୍ୟ ବ୍ୟବସ୍ଥା ହେଉଛି ଦେଶର ପ୍ରତ୍ୟେକ ନାଗରିକ ପାଇଁ ସମାନ ପ୍ରକାର ବିବାହ ସମ୍ପର୍କିତ ଆଇନ କାର୍ଯ୍ୟକାରୀ କରିବା। ଏହାର ମୂଳ ଉଦ୍ଦେଶ୍ୟ ଅବଶ୍ୟ ହେଉଛି ଏ କ୍ଷେତ୍ରରେ ଇତିହାସ ସାରା ନାରୀମାନେ ସମ୍ମୁଖୀନ ହୋଇ ଆସିଥିବା ଅନ୍ୟାୟ ଅବିଚାରର ସ˚ଶୋଧନ କରି ସେମାନଙ୍କୁ ପୁରୁଷମାନଙ୍କ ସହିତ ସମାନ ମର୍ଯ୍ୟାଦା ଓ ସ୍ବାଧୀନତା ପ୍ରଦାନ କରିବା। ଆମେରିକୀୟ ଐତିହାସିକ-ଦାର୍ଶନିକ ଵିଲ୍‌ ଡୁରାଣ୍ଟ୍‌ ମାନବ ସମାଜ ପାଇଁ ପ୍ରଗତିର ଯେଉଁ ଦଶଟି ଆଧାରର ତାଲିକା ପ୍ରସ୍ତୁତ କରିଥିଲେ, ସେଥିରେ ଅନ୍ୟତମ ଥିଲା- ‘ନୈତିକତା’। ପ୍ରାଚୀନ, ମଧୢଯୁଗୀୟ ସମାଜ ତୁଳନାରେ ଆଧୁନିକ ସମାଜରେ କିପରି ନୈତିକତାର ଅଗ୍ରଗତି ଘଟିଛି, ତାହାର ଉଦାହରଣମାନେ ପ୍ରଦାନ କରିବା ବେଳେ ସେ ବିବାହରେ ଏହାର ଆବିର୍ଭାବ ସମ୍ବନ୍ଧରେ ଉଲ୍ଲେଖ କରିଛନ୍ତି। ଡୁରାଣ୍ଟ କହିଛନ୍ତି, ଆମର ବର୍ତ୍ତମାନର ବିବାହ ବ୍ୟବସ୍ଥା ଯେତେ ବିଶୃଙ୍ଖଳିତ ବା କ୍ଷଣସ୍ଥାୟୀ ହୋଇଥାଉ ନା କାହିଁକି, ଏହା ପୂର୍ବେ ପ୍ରଚଳିତ ଥିବା ଅପହରଣ (ନାରୀର) ମାଧୢମରେ ବିବାହ, କିମ୍ବା କ୍ରୟ-ବିକ୍ରୟ (ନାରୀର) ମାଧୢମରେ ବିବାହ ଏବ˚ ମଧୢଯୁଗରେ ପ୍ରଚଳିତ ଥିବା ‘ଡ୍ରୁଆ ଡି ସେନିଅର‌୍‌’ (ଜଣେ ନବବିବାହିତା ଯୁବତୀ ତା’ର ବାସର ରାତି ପତି ସହିତ ବିତାଇବା ପରିବର୍ତ୍ତେ, ସେ ରାଜ୍ୟର ରାଜା ବା ଜମିଦାର ସହିତ ବିତାଇବା ବାଧୢତାମୂଳକ ଥିଲା) ବ୍ୟବସ୍ଥା ତୁଳନାରେ ବହୁ ଅଧିକ ରୁଚିପୂର୍ଣ୍ଣ ଅବସ୍ଥାକୁ ଆସିଛି। ଅବଶ୍ୟ ଏହାର ଅର୍ଥ ନୁହେଁ ଯେ ବର୍ତ୍ତମାନ ପ୍ରଚଳିତ ବିବାହ ବ୍ୟବସ୍ଥା ନାରୀ ପାଇଁ ସମ୍ପୂର୍ଣ୍ଣ ସନ୍ତୋଷଜନକ ହୋଇଯାଇଛି- ବିଶେଷ କରି ଭାରତ ଭଳି ଦେଶରେ।

ଭାରତରେ ବିଭିନ୍ନ ଧର୍ମରେ ବ୍ୟକ୍ତିଗତ ଆଇନ ଆଳରେ ନାରୀମାନେ ଭିନ୍ନ ଭିନ୍ନ ବିବାହ ଆଇନ ଦ୍ବାରା ପରିଚାଳିତ ହୋଇଥାନ୍ତି। ଏହି ଆଇନଗୁଡ଼ିକ ହେଲେ- ହିନ୍ଦୁ ବିବାହ ଆଇନ; ହିନ୍ଦୁ ଉତ୍ତରାଧିକାର ଆଇନ; ଭାରତୀୟ ଖ୍ରୀଷ୍ଟିଆନ୍‌ ବିବାହ ଆଇନ; ଭାରତୀୟ ବିବାହ ବିଚ୍ଛେଦ ଆଇନ; ପାର୍ସି ବିବାହ ଓ ବିବାହ ବିଚ୍ଛେଦ ଆଇନ। ମୁସଲିମ୍‌ ବ୍ୟକ୍ତିଗତ ଆଇନମାନ କିନ୍ତୁ କୌଣସି ସ˚ହିତାଭୁକ୍ତ ହୋଇନାହିଁ ଏବ˚ ସେଗୁଡ଼ିକର ଭିତ୍ତି ହେଉଛି ସମ୍ପୃକ୍ତ ଧର୍ମଶାସ୍ତ୍ରମାନ। ସମ୍ବିଧାନର ଧାରା-୪୪ରେ ଦିଆଯାଇଥିବା ମାର୍ଗଦର୍ଶିକା ଅନୁସାରେ ଏ ସମସ୍ତ ବିବିଧତାର ଅନ୍ତ ଘଟାଇ ପ୍ରତ୍ୟେକ ନାଗରିକର ମର୍ଯ୍ୟାଦା ଓ ଅଧିକାରକୁ ସୁରକ୍ଷିତ ରଖିବା ପାଇଁ ଦେଶରେ ଏକ ‘ସମାନ ନାଗରିକ ସ˚ହିତା’ ପ୍ରଣୟନ କରି କାର୍ଯ୍ୟକାରୀ କରାଯିବା ଉଚିତ। କିନ୍ତୁ ସମ୍ବିଧାନରେ ଏହି ନିର୍ଦ୍ଦେଶରେ ରହିଥିବା ଏକ ଅନ୍ତର୍ନିହିତ ଦୁର୍ବଳତା ଏଥିରେ ପ୍ରତିବନ୍ଧ ସାଜିଛି। ଦୁର୍ବଳତାଟି ହେଲା- ଏହା ପ୍ରକୃତରେ ଏକ ନିର୍ଦ୍ଦେଶ ନୁହେଁ; ଏହା କେବଳ ଏକ ଉପଦେଶ ମାତ୍ର। ଏହାର ଉଲ୍ଲ˚ଘନ ତେଣୁ ଧାରା-୩୭ ଅନୁଯାୟୀ ଅଦାଲତରେ ବିଚାରଯୋଗ୍ୟ ନୁହେଁ। ପାର୍ଲିଆମେଣ୍ଟ ଯେତେବେଳେ ଏହାକୁ ଏକ ଆଇନରେ ପରିଣତ କରିବ, ସେତେବେଳେ ଯାଇ ଅଦାଲତ ଏଥିରେ ଦଖଲ ଦେଇପାରିବ।

ନିଜର ଅସହାୟତା ସତ୍ତ୍ବେ ସୁପ୍ରିମ୍‌ କୋର୍ଟ କିନ୍ତୁ ୧୯୮୫ର ଶାହ ବାନୋ ମାମଲାରେ ରାୟ ପ୍ରଦାନରୁ ଆରମ୍ଭ କରି ବିଭିନ୍ନ ସମୟରେ ଅନ୍ୟାନ୍ୟ ମାମଲାରେ ରାୟ ପ୍ରଦାନ ସମୟରେ ଏକ ସାଧାରଣ ସିଭିଲ୍‌ କୋଡ୍‌ ପ୍ରଣୟନର ଆବଶ୍ୟକତା ସମ୍ବନ୍ଧରେ ସରକାର ଓ ପାର୍ଲିଆମେଣ୍ଟର ଦୃଷ୍ଟି ଆକର୍ଷଣ କରି ଚାଲିଛନ୍ତି। ଶାହ ବାନୋ ମାମଲାର ରାୟରେ ଅଦାଲତ କ୍ଷୋଭ ପ୍ରକାଶ କରିଥିଲେ ଯେ ସମ୍ବିଧାନର ଧାରା-୪୪ ନିର୍ଜୀବ ଅକ୍ଷର ହୋଇ ପଡ଼ି ରହିଛି। ସେହିପରି ୧୯୯୫ର ସରଳା ମୁଦ୍‌ଗଲ ମାମଲାର ବିଚାର ସମୟରେ ଦେଶର ପ୍ରଧାନମନ୍ତ୍ରୀଙ୍କୁ ଦେଶ ପାଇଁ ଏକ ‘ୟୁସିସି’ ପ୍ରଣୟନ ପାଇଁ ଅନୁରୋଧ କରିଥିଲେ। ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ‘ଅନୁରୋଧ’, ‘ନିର୍ଦ୍ଦେଶ’ ନୁହେଁ। ୨୦୧୫ରେ ସର୍ବୋଚ୍ଚ ଅଦାଳତ ପୁଣି କେନ୍ଦ୍ର ସରକାରଙ୍କୁ ପଚାରିଥିଲେ ବିବାହ, ବିବାହ ବିଚ୍ଛେଦ, ପୋଷ୍ୟ ସନ୍ତାନ ଗ୍ରହଣ, ଭରଣପୋଷଣ ପ୍ରଦାନ ଓ ଉତ୍ତରାଧିକାର ଆଦି କ୍ଷେତ୍ରରେ ବିଭିନ୍ନ ଧର୍ମରେ ରହିଥିବା ସମ୍ପୂର୍ଣ୍ଣ ବିଭ୍ରାନ୍ତି ଓ ବିଶୃଙ୍ଖଳା ହଟାଇବା ପାଇଁ ସରକାର ଏକ ‘ୟୁସିସି’ ପ୍ରବର୍ତ୍ତନ କରିବାକୁ ପ୍ରସ୍ତୁତ ଅଛନ୍ତି କି?

ଜଷ୍ଟିସ୍‌ ବୋବ୍‌ଡେଙ୍କ ମନ୍ତବ୍ୟ ପ୍ରକାରାନ୍ତରେ ସେଇ ପ୍ରଶ୍ନର ପ୍ରତିଧ୍ବନି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ସରକାର ଯଦି ସେଥି ପ୍ରତି କର୍ଣ୍ଣପାତ କରି ଦେଶରେ ଏକ ‘ସାଧାରଣ ନାଗରିକ ସ˚ହିତା’ ପ୍ରଚଳନ କରନ୍ତି, ଵିଲ୍‌ ଡୁରାଣ୍ଟଙ୍କ ମାପକାଠି ଅନୁସାରେ ତାହା ହେବ ପ୍ରକୃତ ପ୍ରଗତିର ଏକ ବଳିଷ୍ଠ ପରିଚାୟକ।

ସମ୍ବନ୍ଧିତ ଖବର