ସୁଡ଼ଙ୍ଗ

ଗଲା ୩ ତାରିଖରେ ଯେତେବେଳେ ୨୦୦୦ ସ˚ଖ୍ୟା ବିଶିଷ୍ଟ ଭାରତୀୟ ସୁରକ୍ଷା ବାହିନୀର ଚାରିଟି ବିଭାଗର ନିଖୁଣ ଭାବେ ପ୍ରଶିକ୍ଷିତ ଓ ଅତ୍ୟନ୍ତ ଦକ୍ଷ ସୈନ୍ୟ ବଳ ଛତିଶଗଡ଼ର ବସ୍ତର ଜିଲ୍ଲା ଅନ୍ତର୍ଗତ ବିଜାପୁର ଠାରେ ଘଞ୍ଚ ଜଙ୍ଗଲ ଭିତରେ ଏକ ‘ସର୍ଚ୍ଚ‌୍ ଅପରେସନ’ ଆରମ୍ଭ କରିଥିଲେ, ସେତିକି ବେଳେ ସେମାନେ ନିଜ ଅଜାଣତରେ ଏକ ଷଡ୍‌ଯନ୍ତ୍ରର ସୁଡ଼ଙ୍ଗ ଭିତରେ ପାଦ ପକାଇ ସାରିଥିଲେ। ଜଣେ ‘ମୋଷ୍ଟ୍ ଵାଣ୍ଟେଡ୍‌’ ମାଓବାଦୀ ନେତା ରୂପେ ପରିଗଣିତ ମାଡ଼ବି ହିଡ଼ମାକୁ ଧରିବା ଥିଲା ଏହି ଅପରେସନର ଉଦ୍ଦେଶ୍ୟ। କିନ୍ତୁ ଏହି ସୈନ୍ୟ ବଳ ପହଞ୍ଚିଲା ବେଳକୁ ଅରଣ୍ୟ ମଧୢରେ ପରସ୍ପର ଠାରୁ ଦୂରରେ ଅବସ୍ଥିତ ଗୋଟାଏ ଗୋଟାଏ ଟାପୁ ତୁଲ୍ୟ ଆଦିବାସୀ ଗାଁଗୁଡ଼ିକ ସ˚ପୂର୍ଣ୍ଣ ଜନମାନବ ଶୂନ୍ୟ ହୋଇପଡ଼ିଥିବା ଦେଖିବାକୁ ମିଳିଥିଲା। ସେଭଳି ସ୍ଥଳେ ଏକ ସାଧାରଣ ଜ୍ଞାନ ପ୍ରସୂତ ବୁଦ୍ଧି ଏହା କହିଥାଆନ୍ତା ଯେ ଅଧିକ ସତର୍କତା ଜରୁରୀ; କାରଣ ସେହି ଅପରେସନ ସମ୍ବନ୍ଧରେ ଗାଁଗୁଡ଼ିକରେ ଆଗତୁରା ଖବର ପହଞ୍ଚି ସାରିଛି। କିନ୍ତୁ ବୋଧହୁଏ, ଅପରେସନରେ ନିୟୋଜିତ ଥିବା ବାହିନୀ ତା’ର ସ˚ଖ୍ୟାର ବିଶାଳତା ଏବ˚ ସଦସ୍ୟମାନଙ୍କ ପ୍ରଶିକ୍ଷଣ, ଅସ୍ତ୍ରଶସ୍ତ୍ର ଓ ଦକ୍ଷତାର ଦମ୍ଭ ହେତୁ କିଞ୍ଚିତ ଅସାବଧାନ ହୋଇପଡ଼ିଲେ, ଯାହା ଫଳରେ ମାତ୍ର ଅଢ଼େଇ ଶହ ମାଓବାଦୀ ଯୋଜନାବଦ୍ଧ ରୂପେ ବ୍ୟୂହ ରଚନା କରି ଆକ୍ରମଣ କଲେ, ଯାହା ଦ୍ବାରା ୨୨ ଜଣ ସୈନିକ ସହିଦ ହେଲେ। ଏ ସମଗ୍ର ପ୍ରକରଣରେ ସୁରକ୍ଷା ବାହିନୀର ଗୁଇନ୍ଦା ସାମର୍ଥ୍ୟ ଦୁର୍ବଳ ଥିବା ପରିଲକ୍ଷିତ ହୋଇଛି; କାରଣ ସୁରକ୍ଷା ବାହିନୀର ଯୋଜନାର ସୂଚନା ମାଓବାଦୀମାନଙ୍କ ଠାରେ ପହଞ୍ଚି ପାରିଥିବା ସ୍ଥଳେ ମାଓବାଦୀମାନଙ୍କ ଠାରୁ ତଥ୍ୟର କୌଣସି ସ୍ରୋତ ଏ ପଟକୁ ଆସି ନ ଥିଲା। ଯଦିଓ ଏହା ସ୍ବୀକାର୍ଯ୍ୟ ଯେ ବିଗତ ଏକ ଦଶନ୍ଧି ମଧୢରେ ଅନେକ ସ୍ଥାରେ ମାଓବାଦୀମାନେ ଉଭୟ ସ˚ଖ୍ୟା ଓ ଶକ୍ତି କ୍ଷୟର ସମ୍ମୁଖୀନ ହୋଇଛନ୍ତି; ଅନେକ ଆଦିବାସୀ ଗ୍ରାମ ମାଓବାଦୀଙ୍କ ପ୍ରଭାବ ବଳୟରୁ ମୁକ୍ତ ହୋଇଛନ୍ତି; କିନ୍ତୁ ବସ୍ତରର ଅରଣ୍ୟାଞ୍ଚଳରେ ତାହା ସମ୍ଭବ ହୋଇପାରିନାହିଁ; ଯାହାର ସଦ୍ୟ ପ୍ରମାଣ ଏହି ଘଟଣାରୁ ମିଳିଛି, ଯାହା ସ୍ଥାନୀୟ ଗ୍ରାମବାସୀଙ୍କ ଅକୁଣ୍ଠ ସହଯୋଗ ବିନା ସମ୍ଭବ ହୋଇପାରନ୍ତା ନାହିଁ।

ସେହି ଦିନ ଭାରତୀୟ ସୁରକ୍ଷା ବାହିନୀ କେବଳ ଯେ ଏକ ଷଡ୍‌ଯନ୍ତ୍ରର ‘ସୁଡ଼ଙ୍ଗ’ ଭିତରକୁ ପ୍ରବେଶ କରିଥିଲେ ତାହା ନୁହେଁ, ସେମାନେ ଯେଉଁ ଭୂମିରେ ପାଦ ଦେଇଥିଲେ, ତାହାକୁ ଭାରତୀୟ ବିକାଶର ରାଜମାର୍ଗରେ ବିଦ୍ୟମାନ ଅନାଲୋକିତ ‘ସୁଡ଼ଙ୍ଗ’ ରୂପେ ମଧୢ ଅଭିହିତ କରାଯାଇପାରେ। କାରଣ ଅଦ୍ୟାପି ମାଓବାଦୀମାନେ ସକ୍ରିୟ ରହିଥିବା ଏହି ସବୁ ସ୍ଥାନଗୁଡ଼ିକ ହେଉଛନ୍ତି ବାସ୍ତବ ବିଚ୍ଛିନ୍ନାଞ୍ଚଳ, ଯେଉଁଠି ସ୍ବାଧୀନତାର ସାତ ଦଶନ୍ଧି ପରେ ମଧୢ ପ୍ରଶାସନର ପଦଚିହ୍ନ ଦେଖିବାକୁ ମିଳି ନ ଥାଏ; ଏବ˚ ଯେଉଁ କେତେକ ସ୍ଥାନରେ ଅସ୍ପଷ୍ଟ ପଦଚିହ୍ନ ଦେଖା ଯାଇଥାଏ, ସେଠାରେ ଉତ୍କଟ ଶୋଷଣର ଚିତ୍ର ମଧୢ ଦେଖିବାକୁ ମିଳିଥାଏ। ଏ ସମ୍ବନ୍ଧରେ ଏକ ପରିସ˚ଖ୍ୟାନକୁ ଉଦାହରଣ ଭାବେ ନିଆଯାଇପାରେ, ଯାହା କହିଥାଏ ଯେ ଭାରତରେ ଥିବା ୩୬୩୭ଟି ଆଦିବାସୀ ଗାଁ ମଧୢରୁ ୧୧୩୬କୁ ଆଜି ପର୍ଯ୍ୟନ୍ତ ସଡ଼କ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ। ସୁତରା˚, ଭାରତର ଆଦିବାସୀମାନେ ସର୍ବାଧିକ ଦରିଦ୍ର ବର୍ଗରେ ପରିଗଣିତ ହେବା (ଏକ ଆକଳନ ଅନୁସାରେ ଅଣ ଆଦିବାସୀ ଭାରତୀୟଙ୍କ ଭିତରୁ ୩୦% ଦାରିଦ୍ର୍ୟ ସୀମାରେଖା ତଳେ ବା ପାଖାପାଖି ଥିବା ବେଳେ ଆଦିବାସୀଙ୍କ ମଧୢରୁ ୫୦%ରୁ ଅଧିକ ସେହି ସୋପାନରେ ଅଛନ୍ତି) କୌଣସି ପ୍ରକାର ବିସ୍ମୟ ସୃଷ୍ଟି କରିବାର କାରଣ ନାହିଁ। ଫଳରେ କୁପୋଷଣ, ରୋଗ, ଡାକ୍ତରୀ ଚିକିତ୍ସାର ଅନୁପଲବ୍‌ଧତା, ଅଶିକ୍ଷା, କୁସ˚ସ୍କାର, ଅରଣ୍ୟ ଠାରୁ ସେମାନଙ୍କୁ ବିଚ୍ଛିନ୍ନ କରିବାର ପ୍ର‌େଚଷ୍ଟା (ବିଭିନ୍ନ ଆଇନ ଦ୍ବାରା), ଖଣି ଓ ଶିଳ୍ପ ଲାଗି ସେମାନଙ୍କ ବିସ୍ଥାପନ, ସେମାନଙ୍କ ଅଧିକାର ହନନ ଏବ˚ ସେମାନଙ୍କ ଜନଜାତି ପରିଚୟକୁ ଦ୍ରବୀଭୂତ କରିବାର ଉଦ୍ୟମ ସେମାନଙ୍କୁ ଏଭଳି ଏକ ସ୍ଥିତିରେ ଛିଡ଼ା କରାଇଛି, ଯେଉଁଠି ମାଓବାଦୀମାନେ ‘ଅପା˚କ୍ତେୟଙ୍କ ସ୍ବାର୍ଥ ରକ୍ଷା’ ଲାଗି ସମର୍ପିତ ବୋଲି ଆଦିବାସୀମାନଙ୍କ ମନରେ ବିଶ୍ବାସ ଜନ୍ମାଇବାରେ ସମର୍ଥ ହୋଇଛନ୍ତି। ସୁତରାଂ, ଏହି ପରିପ୍ରେକ୍ଷୀରେ ହୃଦ୍‌ବୋଧ କରିହୁଏ ଯେ ଯାହା ସର୍ବାଧିକ ଗୁରୁତ୍ବପୂର୍ଣ୍ଣ, ତାହା ହେଲା ମାଓବାଦୀ ପ୍ରବଣ ଆଦିବାସୀ ବହୁଳ ଅଞ୍ଚଳରେ ବିକାଶର ରାଜମାର୍ଗ ନିର୍ମାଣର ପ୍ରୟାସ। ଏହା ପ୍ରମାଣିତ ଯେ କେବଳ ସଡ଼କ ଏବ˚ ପୋଲ ଦ୍ବାରା ସଂଯୋଜିତ ଆଦିବାସୀ ବସତିଗୁଡ଼ିକ କ୍ରମେ ବିକାଶର ଆଲୋକ ଲାଭ କରି ମାଓବାଦୀଙ୍କ ପ୍ରଭାବରୁ ମୁକ୍ତ ହୋଇ ପାରିଛି। ସୁତରା˚, ଏଥିରେ ଦ୍ବିରୁକ୍ତି ନାହିଁ ଯେ ଆଞ୍ଚଳିକ ବିକାଶ ହେଉଛି ଏଭଳି ଏକ ‘କୋମଳ ଶକ୍ତି’ ଯାହା ଆଦିବାସୀ ସ˚ପ୍ରଦାୟକୁ ମାଓବାଦୀମାନଙ୍କ ପ୍ରଭାବରୁ ମୁକ୍ତ କରିପାରିବ; ଯାହା ବନ୍ଧୁକ ଦ୍ବାରା ହୁଏ’ତ ସମ୍ଭବ ହୋଇ ନ ପାରେ।

ଉଲ୍ଲେଖଯୋଗ୍ୟ ଯେ କାର୍ଲ ମାର୍କସଙ୍କ ସାମ୍ୟବାଦ ଆଦର୍ଶରେ ଅନୁପ୍ରାଣିତ ମାଓବାଦୀମାନେ (ସେମାନଙ୍କ ପଥ ପ୍ରଦର୍ଶକ ଲେନିନ ବା ମାଓ ସେତୁ˚ଙ୍କ ଭଳି) ମଧ୍ୟ ନିରନ୍ଧ୍ର ଅନ୍ଧକାର ଭରା ସୁଡ଼ଙ୍ଗ ପଥର ଯାତ୍ରୀ। ଏହା ସର୍ବଦା ଦେଖାଯାଇଛି ଯେ ଅସ˚ଖ୍ୟ ମନୁଷ୍ୟଙ୍କୁ ଉଦ୍‌ବୁଦ୍ଧ କରିପାରୁଥିବା ଯେ କୌଣସି ଆଦର୍ଶ ମନୁଷ୍ୟମାନଙ୍କ ଦ୍ବାରା ବ୍ୟବହାର୍ଯ୍ୟ ହେଲା ପରେ ସେମାନଙ୍କ ଭ୍ରାନ୍ତି, ବିଭ୍ରାନ୍ତି, ପୂର୍ବାଗ୍ରହ ଓ ଧାରଣା ଇତ୍ୟାଦି ଦ୍ବାରା ପ୍ରଭାବିତ ହୋଇ ସ˚କୀର୍ଣ୍ଣ ହୁଏ ଓ ଅଚିରେ ତାହା ସେହି ଆଦର୍ଶର ଏକ ସୁଡ଼ଙ୍ଗରେ ପରିଣତ ହୁଏ। କହିବା ଅନାବଶ୍ୟକ ଯେ ଅତ୍ୟନ୍ତ ଉଚ୍ଚ ଶିକ୍ଷିତ ଓ ଅସାଧାରଣ ଭାବେ ଧୀ ସ˚ପନ୍ନ ଅନେକ ଯୁବକଯୁବତୀ ବାମପନ୍ଥୀ ଆଦର୍ଶର ଏହି ‘ମାଓବାଦ-ସୁଡ଼ଙ୍ଗ’ରେ ବନ୍ଦୀ। ସେହି କାରଣରୁ ବିକୃତ ହୋଇ ଯାଇଥିବା ସେମାନଙ୍କ ବିଚାରର ଏକ ନିଦର୍ଶନ ସ୍ବରୂପ ଦେଖିବାକୁ ମିଳିଥାଏ ଯେ ଦରିଦ୍ର ଆଦିବାସୀମାନଙ୍କୁ ଶୋଷଣରୁ ମୁକ୍ତ କରିବା ତଥା ସେମାନଙ୍କୁ ନ୍ୟାୟ ପ୍ରଦାନ କରିବା ସକାଶେ ବଦ୍ଧପରିକର ବୋଲି କହୁଥିବା ମାଓବାଦୀମାନେ ଆଦିବାସୀ ଅଞ୍ଚଳର ବିକାଶରେ ସର୍ବାଧିକ ପ୍ରତିବନ୍ଧ ରୂପେ ଆବିର୍ଭୂତ ହୁଅନ୍ତି। ସେମାନେ ଚାହିଁ ଥାଆନ୍ତି ଯେ ଆଦିବାସୀମାନଙ୍କ ଦାରିଦ୍ର୍ୟ ଓ ଅନୁନ୍ନତି ଚିରନ୍ତନ ହେଉ; କାରଣ ବିକାଶର ଆଲୋକ ଦ୍ବାରା ଆଦିବାସୀମାନେ ସେମାନଙ୍କ ପ୍ରଭାବ ବଳୟରୁ ମୁକ୍ତ ହେବାକୁ ଇଚ୍ଛା କରିବାର ଭୟ ସେମାନଙ୍କ ମନରେ ରହିଥାଏ। ଉଲ୍ଲେଖଯୋଗ୍ୟ ଯେ ଏଭଳି ଛଳନାର ସୁଯୋଗ ନେଇ କୌଣସି ଆଦର୍ଶର ଧାର ଧାରି ନ ଥିବା ଅସ˚ଖ୍ୟ ନିରୋଳା ଅସାମାଜିକ ବ୍ୟକ୍ତି ମାଓବାଦର ସୁଡ଼ଙ୍ଗ ଭିତରେ ଭିଡ଼ ସୃଷ୍ଟି କରିବାରେ ଲାଗିଛନ୍ତି; ଯେଉଁମାନେ ନିଶା କାରବାର ଅଥବା ବଟି ଆଦାୟ ଠାରୁ ଆରମ୍ଭ କରି ସ˚ଗଠନ ଭିତରେ ନାରୀମାନଙ୍କୁ ଶୋଷଣ କରିବା ପର୍ଯ୍ୟନ୍ତରେ ବିଭିନ୍ନ କୁକାର୍ଯ୍ୟରେ ଲିପ୍ତ।

ସୁତରାଂ, ଯାହା ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ତାହା ହେଲା ଆଦିବାସୀମାନଙ୍କ ଆଖିରୁ ଅନ୍ଧ ପୁଟୁଳି ଖୋଲି ଦେବା। କିନ୍ତୁ ପ୍ରଶ୍ନ ହେଲା କିଏ ଖୋଲିବ? ଏହା ସ୍ବାଭାବିକ ଭାବେ ସରକାର ଓ ପ୍ରଶାସନର ଦାୟିତ୍ବ। କିନ୍ତୁ ସେଥି ଲାଗି ଆଦିବାସୀମାନଙ୍କ ଠାରେ ଶାସନ କଳକୁ ମାଓବାଦୀଙ୍କ ତୁଳନାରେ ଅଧିକ ବିଶ୍ବାସଭାଜନ ହେବାକୁ ପଡ଼ିବ। ଏବ˚ କହିବା ବାହୁଲ୍ୟ ଯେ ସେଭଳି ବିଶ୍ବସନୀୟତା ସୃଷ୍ଟି କରିପାରିବା ହେଉଛି ଏକ ବିରାଟ ଆହ୍ବାନ।

ସମ୍ବନ୍ଧିତ ଖବର