ପୁଞ୍ଜିର ଅବାଧ ପ୍ରବେଶ ଓ ପ୍ରସ୍ଥାନ ପଥରେ ପ୍ରତିବନ୍ଧକ ରୂପେ କାର୍ଯ୍ୟ କରୁଥିବା ରୁଦ୍ଧ କ୍ୟାପିଟାଲ୍ ଆକାଉଣ୍ଟ୍ ହେଉଛି ଚୀନା ୟୁଆନ୍ ଆନ୍ତର୍ଜାତିକ ମୁଦ୍ରାରେ ପରିଣତ ନ ହୋଇ ‌ପାରିବାର ମୁଖ୍ୟ କାରଣ ବୋଲି ବିଶ୍ବାସ କରାଯାଉଛି। ଭାରତର କ୍ୟାପିଟାଲ୍ ଆକାଉଣ୍ଟ୍ ଚୀନ୍‌ ଠାରୁ ଅଧିକ ଖୋଲା ହୋଇଥିଲେ ହେଁ, ଅନ୍ୟ କଠିନ ମୁଦ୍ରାସଂପନ୍ନ ଦେଶମାନଙ୍କ ତୁଳନାରେ ଏହା ବହୁ ଅଧିକ ନିବୁଜ ହୋଇଥାଏ। କିନ୍ତୁ ବର୍ତ୍ତମାନର ଅସ୍ଥିର ପୃଥିବୀରେ ବିତ୍ତୀୟ ନିୟନ୍ତ୍ରଣ ସବୁକୁ କୋହଳ କରିବାର ପରିଣତି ବିପଜ୍ଜନକ ହୋଇପାରେ। ଏଣୁ ଟଙ୍କା ଏକ ବାସ୍ତବ ଟାଣୁଆ ଆନ୍ତର୍ଜାତିକ ମୁଦ୍ରାରେ ପରିଣତ ହେବା ପାଇଁ ମୋଦୀ ଦେଖୁଥିବା ସ୍ବପ୍ନ ନିକଟ ଭବିଷ୍ୟତରେ ସାକାର ହେବା ପରି ମନେ ହେଉନାହିଁ।

Advertisment

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଳ୍ପ ଦିନ ତଳେ ଏପ୍ରିଲ୍ ପହିଲା ଦିନ ତା’ର ୯୦ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଉଦ୍‌ବୋଧନ ଦେବାବେଳେ ଭାରତୀୟ ମୁଦ୍ରା ଟଙ୍କାକୁ ଏକ ଆନ୍ତର୍ଜାତିକ ମୁଦ୍ରା ବା ‘ଗ୍ଲୋବାଲ୍ କରେନ୍‌ସି’ରେ ପରିଣତ କରିବା ନିମିତ୍ତ ଆବଶ୍ୟକ ପଦକ୍ଷେପମାନ ନେବା ପାଇଁ ଭାରତର କେନ୍ଦ୍ରୀୟ ବ୍ୟାଙ୍କ୍ ‘ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ’କୁ ଆହ୍ବାନ ଦେବା ଦେଖାଯାଇଛି। ମୋଦୀଙ୍କର ଭାରତୀୟ ଟଙ୍କା ସଂପର୍କରେ ଏଭଳି ଉଚ୍ଚାଶା ପୋଷଣରେ କୌଣସି ଅସ୍ବାଭାବିକତା ନାହିଁ। ବର୍ତ୍ତମାନ ପୃଥିବୀର ଦ୍ରୁତତମ ଅଭିବୃଦ୍ଧି ହାସଲ କରିଚାଲି ଆନ୍ତର୍ଜାତିକ ଅର୍ଥନୈତିକ ପରିସରରେ ଚମକ ସୃଷ୍ଟି କରିବାରେ ଲାଗିଥିବା ଦେଶର ମୁଦ୍ରା ମଧ୍ୟ ଡଲାର୍ ଭଳି ଆନ୍ତର୍ଜାତିକ ବାଣିଜ୍ୟ କାରବାରରେ ସବୁ ପକ୍ଷମାନଙ୍କ ଦ୍ବାରା ବ୍ୟବହୃତ ହୋଇ ଏକ ଆନ୍ତର୍ଜାତିକ କଠିନ ମୁଦ୍ରା ବା ‘ହାର୍ଡ କରେନ୍‌ସି’ର ମର୍ଯ୍ୟାଦା ଲାଭ କରୁ ବୋଲି ଏହି ଦେଶର ପ୍ରଧାନମନ୍ତ୍ରୀ ଆଶା କରୁଛନ୍ତି। ପୁଣି ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ମାତ୍ର ପ୍ରାୟ ସାତ ଦଶନ୍ଧି ତଳେ ଭାରତୀୟ ଟଙ୍କା ଯେ ଏଇଭଳି ଏକ ସୀମିତ ଆନ୍ତର୍ଜାତିକ ମର୍ଯ୍ୟାଦାର ଅଧିକାରୀ ଥିଲା, ତାହା ମଧ୍ୟ ମୋଦୀଙ୍କ ଉଚ୍ଚାଶା ଯେ ଅବାସ୍ତବ ନୁହେଁ, ସେଥିପ୍ରତି ଆମର ଦୃଷ୍ଟି ଆକର୍ଷଣ କରିଥାଏ। ଭାରତ ସ୍ବାଧୀନତା ଲାଭ କରିବା ପରେ ଅନେକ ଆରବ ରାଜ୍ୟରେ ଭାରତୀୟ ଟଙ୍କା ସେ ଦେଶମାନଙ୍କର ବିଧିବଦ୍ଧ ମୁଦ୍ରା ରୂପେ ବ୍ୟବହୃତ ହେଉଥିଲା। ଏପରିକି ୧୯୭୦ ବେଳକୁ ମଧ୍ୟ ସେଥିମଧ୍ୟରୁ କେତେକ ଦେଶରେ ‘ଗଲ୍‌ଫ ରୁପି’ (ଉପସାଗରୀୟ ଟଙ୍କା) ନାମକ ଏକ ମୁଦ୍ରା ପ୍ରଚଳିତ ହେଉଥିଲା, ଯାହାକୁ ‘ଭାରତୀୟ ରିଜର୍ଭ ବ୍ୟାଙ୍କ୍’ ହିଁ ଛପାଉଥିଲା।
ଏକ ଦେଶର ମୁଦ୍ରା ଆନ୍ତର୍ଜାତିକ ସ୍ତରରେ ବ୍ୟାପକ ଭାବରେ ବ୍ୟବହୃତ ହେବା ସେ ଦେଶ ପାଇଁ ବହୁତ ଲାଭପ୍ରଦ ହୋଇଥାଏ। ବୈଦେଶିକ ନିବେଶକମାନଙ୍କ ତରଫରୁ ଚାହିଦା ଯୋଗୁଁ ଘରୋଇ କଂପାନିମାନଙ୍କର ବିତ୍ତୀୟ ଖର୍ଚ୍ଚ ଅର୍ଥାତ୍ ସମ୍ବଳ ସଂଗ୍ରହ ଖର୍ଚ୍ଚରେ ହ୍ରାସ ଘଟିଥାଏ, ଯେଉଁମାନେ ଆଉ ବୈଦେଶିକ ମୁଦ୍ରା ଆକାରରେ ଋଣ କରିବା ନିମିତ୍ତ ବାଧ୍ୟ ହୋଇ ନଥାନ୍ତି। ଘରୋଇ ମୁଦ୍ରା ପ୍ରତି ଏଭଳି ଚାହିଦା ଆମଦାନି-ରପ୍ତାନି ବ୍ୟବସାୟୀମାନେ ସମ୍ମୁଖୀନ ହେଉଥିବା ବିନିମୟ ହାରରେ ହ୍ରାସବୃଦ୍ଧିଜନିତ ବିପଦ (‘ଏକ୍ସଚେଞ୍ଜ ରେଟ୍ ରିସ୍କସ୍’)ରେ ହ୍ରାସ ଘଟାଇଥାଏ, କାରଣ ସେମାନଙ୍କୁ ଆଉ ପୂର୍ବଭଳି କାରବାର କଲାବେଳେ ବାରମ୍ବାର ମୁଦ୍ରା ବିନିମୟ କରିବାକୁ ପଡ଼ି ନ ଥାଏ। ନିଜର ମୁଦ୍ରା ଆନ୍ତର୍ଜାତିକ ମୁଦ୍ରାରେ ପରିଣତ ହେବା ପରେ ସରକାରଙ୍କୁ ଆଉ ପୂର୍ବଭଳି ବିଶାଳ ଆକାରରେ ବୈଦେଶିକ ମୁଦ୍ରାପାଣ୍ଠି ମହଜୁଦ ରଖିବା ଆବଶ୍ୟକ ହୋଇ ନ ଥାଏ।
ଭାରତ ଏହିପରି ଏକ ସ୍ଥିତି ହାସଲ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଯେ କେବଳ ଏକ ଦିବାସ୍ବପ୍ନ ଦେଖୁଛନ୍ତି, ତାହା ନୁହେଁ। ଟଙ୍କା ଏକ ଆନ୍ତର୍ଜାତିକ ମୁଦ୍ରାରେ ପରିଣତ ହେବା ନିମିତ୍ତ ଯେଉଁସବୁ ଉପାଦାନମାନଙ୍କର ଉପସ୍ଥିତି ଆବଶ୍ୟକ, ସେଥିମଧ୍ୟରୁ କେତେକ ଉପଲବ୍‌ଧ ହେବା ଆରମ୍ଭ ହେଲାଣି। ବୈଦେଶିକ ନିବେଶକମାନେ ଯେଉଁଭଳି ପରିସଂପତ୍ତିରେ ପୁଞ୍ଜି ନିବେଶ କରିବାକୁ ଚାହାନ୍ତି, ଭାରତରେ ସେଭଳି ପରିସଂପତ୍ତିମାନ ଉପଲବ୍‌ଧ ହେବା ଆରମ୍ଭ ହେଲାଣି। ଏହା ବିଦେଶରେ ଟଙ୍କାକୁ ଏକ ସଞ୍ଚୟ ବା ସଂପଦର ଧାରକରେ ପରିଣତ କରିବାର ସମ୍ଭାବନା ସୃଷ୍ଟି ହେଲାଣି। କେବଳ ଭାରତୀୟ ଅର୍ଥନୀତିର ଆକାର ଯେ ପୃଥିବୀର ପଞ୍ଚମ ବୃହତ୍ତମ ହୋଇସାରିଛି ଓ ଆସନ୍ତା ତିନି ବର୍ଷ ମଧ୍ୟରେ ତୃତୀୟ ବୃହତ୍ତମରେ ପରିଣତ ହେବାକୁ ଯାଉଛି ବୋଲି ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି, ତାହା ନୁହେଁ; ବିଗତ ଏକ ବର୍ଷ ମଧ୍ୟରେ ସେଆର୍ ବଜାରରେ ଭାରତୀୟ କଂପାନିମାନଙ୍କର ସେଆର୍ ସବୁର ଡଲାର୍ ଆକାରରେ ମୂଲ୍ୟରେ ଏକ ଅବିଶ୍ବସନୀୟ ହାରାହାରି ୩୭ ଶତାଂଶ ବିସ୍ଫୋରକ ବୃଦ୍ଧି ଘଟି ଆନ୍ତର୍ଜାତିକ ନିବେଶକମାନଙ୍କୁ ଚମତ୍କୃତ କରିଛି। ଗତ ସେପ୍‌ଟେମ୍ବରରେ ‘‌େଜ ପି ମୋର୍ଗାନ୍ ଚେଜ୍’ ଓ ଗତ ମାସରେ ‘ବ୍ଲୁମ୍ବର୍ଗ’ ଭାରତୀୟ ସରକାରୀ ବଣ୍ଡ୍‌କୁ ସେମାନଙ୍କର ‘ଏମର୍ଜିଙ୍ଗ୍-ମାର୍କେଟ୍ ଇଣ୍ଡେକ୍ସ’ରେ ଅନ୍ତର୍ଭୁକ୍ତ କରିବାକୁ ନେଇଥିବା ନିଷ୍ପତ୍ତି ହେଉଛି ସେମାନଙ୍କ ଉପରେ ଏ ସମସ୍ତର ମିଳିତ ପ୍ରଭାବର ଫଳ। ଟଙ୍କା ମଧ୍ୟ କ୍ରମେ ଅଧିକରୁ ଅଧିକ ବିଦେଶୀମାନଙ୍କ ପାଇଁ ଏକ ବିନିମୟର ମାଧ୍ୟମ ଓ ହିସାବର ଏକକ ରୂ‌େପ ବ୍ୟବହୃତ ହେବାକୁ ଆରମ୍ଭ କଲାଣି। ବାଇଶିଟି ଦେଶର ବ୍ୟାଙ୍କ୍‌ମାନଙ୍କୁ କୌଣସି ବିନିମୟ ସୀମା ଅନୁପାଳନ ବିନା ଟଙ୍କା ଆକାରରେ ବିଶେଷ ଆକାଉଣ୍ଟ୍ ଖୋଲିବା ପାଇଁ ଅନୁମତି ପ୍ରଦାନ କରାଯାଇଛି। ଗତ ଅଗଷ୍ଟରେ ଭାରତ ପ୍ରଥମ ଥର ପାଇଁ ଟଙ୍କା ଆକାରରେ ମୂଲ୍ୟ ପୈଠ କରି ‘ଆବୁ ଧାବି ନେସନାଲ୍ ଅଏଲ୍ କଂପାନି’ ଠାରୁ ଅଶୋଧିତ ତୈଳ କ୍ରୟ କରିଛି।
କିନ୍ତୁ ଏ ସବୁ ସତ୍ତ୍ବେ ଡଲାର୍ କିମ୍ବା ଇଉରୋ କିମ୍ବା ପାଉଣ୍ଡ୍ ଷ୍ଟର୍ଲିଙ୍ଗ୍ ଭଳି ଏକ ବିଧିବଦ୍ଧ କଠିନ ଆନ୍ତର୍ଜାତିକ ମୁଦ୍ରାରେ ପରିଣତ ହେବା ପାଇଁ ଟଙ୍କାକୁ ଆହୁରି ଦୂର ପଥ ଯାତ୍ରା କରିବା ବାକି ଅଛି ଓ ସେ ପଥରେ ଅନେକ ପ୍ରତିବନ୍ଧକମାନ ରହିଛି। ଯେମିତି, କ୍ୟାପିଟାଲ୍ ଆକାଉଣ୍ଟ୍‌ରେ ଟଙ୍କା ଏ ପର୍ଯ୍ୟନ୍ତ ପ୍ରତିବଦଳକ୍ଷମ ନୁହେଁ ଏବଂ ନିକଟ ଭବିଷ୍ୟତରେ ଏହି ସ୍ଥିତିରେ କୌଣସି ପରିବର୍ତ୍ତନ ଘଟିବାର ସମ୍ଭାବନା ନାହିଁ। ପୁଣି, ପୃଥିବୀରେ ହେଉଥିବା ମୋଟ ରପ୍ତାନିର ୬୦ ଶତାଂଶରୁ ଅଧିକ ଡଲାର୍ ଆକାରରେ ସଂପାଦିତ ହୋଇଥାଏ। ଆମେରିକା ହେଉଛି ପୃଥିବୀର ବୃହତ୍ତମ ଅର୍ଥନୀତି; ବିତ୍ତୀୟ ମଧ୍ୟସ୍ଥତା ନିମିତ୍ତ ସର୍ବାଧିକ ଉପଯୁକ୍ତ ବିବେଚିତ ସ୍ଥଳୀ; ସର୍ବାଧିକ ପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜି ନିବେଶ ଆକର୍ଷିତ କରୁଥିବା ଦେଶ; ସର୍ବାଧିକ ସଂଖ୍ୟକ ପୃଥିବୀର ବୃହତ୍ତମ ବହୁଦେଶୀୟ କଂପାନିମାନଙ୍କର ଆଶ୍ରୟସ୍ଥଳୀ। ଇଉରୋପୀୟ ସାଥୀଦେଶମାନଙ୍କ ସହିତ ମିଳିତ ହୋଇ ଆମେରିକା ପ୍ରାୟ ସମସ୍ତ ଶିଳ୍ପ ବ୍ୟବସାୟମାନଙ୍କୁ ନିୟନ୍ତ୍ରଣ କରିବା ନୀତିନିୟମମାନ ପ୍ରଣୟନ କରିଥାଏ। ତେଣୁ ଡଲାର୍ ଓ ଇଉରୋ ସ୍ବାଭାବିକ ଭାବରେ କଠିନ ଆନ୍ତର୍ଜାତିକ ମୁଦ୍ରା ରୂପେ ସର୍ବତ୍ର ଗୃହୀତ ହୋଇଥାନ୍ତି।
ସାରା ପୃଥିବୀରେ ଗଚ୍ଛିତ ଥିବା ବୈଦେଶିକ ମୁଦ୍ରାପାଣ୍ଠିରେ ଏକ ଦେଶର ମୁଦ୍ରାର ଅଂଶକୁ ତାହାର ବିତ୍ତୀୟ ଗୁରୁତ୍ବର ଏକ ନିର୍ଭରଯୋଗ୍ୟ ସୂଚକ ରୂପେ ବିଚାର କରାଯାଇପାରେ। ସାରା ପୃଥିବୀରେ ଗଚ୍ଛିତ ଥିବା ମୋଟ ବୈଦେଶିକ ମୁଦ୍ରାର ପରିମାଣ ହେଉଛି ପ୍ରାୟ ୧୨.୩ ଟ୍ରିଲିଅନ୍ ଡଲାର୍। ଏହି ବୈଦେଶିକ ମୁଦ୍ରା ଭଣ୍ଡାରରେ ଡଲାର୍‌ର ଅଂଶ ହେଉଛି ୫୪ ଶତାଂଶରୁ ଅଧିକ। ଏଥିରେ ‘ଇଉରୋ’ର ଅଂଶ ହେଉଛି ୧୮.୫ ଶତାଂଶ ଓ ଜାପାନୀ ମୁଦ୍ରା ୟେନ୍‌ର ଅଂଶ ହେଉଛି ୫ ଶତାଂଶରୁ ସାମାନ୍ୟ ଅଧିକ। ଚୀନା ମୁଦ୍ରା ‘ୟୁଅାନ୍’ର ଏଥିରେ ଅଂଶ ହେଉଛି ମାତ୍ର ୨ ଶତାଂଶରୁ କିଛି ଅଧିକ ବୋଲି ‘ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି’ (‘ଆଇଏମ୍ଏଫ୍’) ସୂତ୍ରରୁ ପ୍ରକାଶ। ଚୀନ୍‌ର ନୀତିନିର୍ଦ୍ଧାରକମାନେ ଏକ ଦଶନ୍ଧିରୁ ଅଧିକ କାଳ ଧରି ସେ ଦେଶର ମୁଦ୍ରା ‘ୟୁଆନ୍’କୁ ଏକ ଆନ୍ତର୍ଜାତିକ ମୁଦ୍ରାରେ ପରିଣତ କରିବା ପାଇଁ ପ୍ରବଳ ଉଦ୍ୟମ ଚଳାଇ ଆସିଛନ୍ତି। ଏହାସତ୍ତ୍ବେ ପୃଥିବୀର ମୋଟ ଆନ୍ତର୍ଜାତିକ ବାଣିଜ୍ୟ କାରବାରର ମାତ୍ର ୩ ଶତାଂଶରୁ କମ୍ ୟୁଆନ୍ ଦ୍ବାରା ସାଧିତ ହୋଇଥାଏ ଓ ତା’ ମଧ୍ୟରୁ ୮୦ ଶତାଂଶ କାରବାର ଘଟିଥାଏ ହଂକଂରେ। ଚୀନ୍ ପୃଥିବୀର ଦ୍ବିତୀୟ ବୃହତ୍ତମ ଅର୍ଥନୀତି ହୋଇଥିଲେ ହେଁ ଓ ସାରା ପୃଥିବୀର ମୋଟ ‘ଜିଡିପି’ରେ ତା’ର ଅଂଶ ୧୭ ଶତାଂଶ ହୋଇଥିଲେ ହେଁ ଚୀନ୍‌ର ମୁଦ୍ରା ଆନ୍ତର୍ଜାତିକ ମୁଦ୍ରାରେ ପରିଣତ ହେବା ପାଇଁ ଦଶ ବର୍ଷରୁ ଅଧିକ କାଳ ଧରି ଚାଲିଥିବା ଉଦ୍ୟମର ଫଳ ଏଇଭଳି ହତାଶାଜନକ ହୋଇଛି।
ପୁଞ୍ଜିର ଅବାଧ ପ୍ରବେଶ ଓ ପ୍ରସ୍ଥାନ ପଥରେ ପ୍ରତିବନ୍ଧକ ରୂପେ କାର୍ଯ୍ୟ କରୁଥିବା ରୁଦ୍ଧ କ୍ୟାପିଟାଲ୍ ଆକାଉଣ୍ଟ୍ ହେଉଛି ଚୀନା ୟୁଆନ୍ ଆନ୍ତର୍ଜାତିକ ମୁଦ୍ରାରେ ପରିଣତ ନ ହୋଇ ‌ପାରିବାର ମୁଖ୍ୟ କାରଣ ବୋଲି ବିଶ୍ବାସ କରାଯାଉଛି। ଭାରତର କ୍ୟାପିଟାଲ୍ ଆକାଉଣ୍ଟ୍ ଚୀନ୍‌ ଠାରୁ ଅଧିକ ଖୋଲା ହୋଇଥିଲେ ହେଁ, ଅନ୍ୟ କଠିନ ମୁଦ୍ରାସଂପନ୍ନ ଦେଶମାନଙ୍କ ତୁଳନାରେ ଏହା ବହୁ ଅଧିକ ନିବୁଜ ହୋଇଥାଏ। କିନ୍ତୁ ବର୍ତ୍ତମାନର ଅସ୍ଥିର ପୃଥିବୀରେ ବିତ୍ତୀୟ ନିୟନ୍ତ୍ରଣ ସବୁକୁ କୋହଳ କରିବାର ପରିଣତି ବିପଜ୍ଜନକ ହୋଇପାରେ। ଏଣୁ ଟଙ୍କା ଏକ ବାସ୍ତବ ଟାଣୁଆ ଆନ୍ତର୍ଜାତିକ ମୁଦ୍ରାରେ ପରିଣତ ହେବା ପାଇଁ ମୋଦୀ ଦେଖୁଥିବା ସ୍ବପ୍ନ ନିକଟ ଭବିଷ୍ୟତରେ ସାକାର ହେବା ପରି ମନେ ହେଉନାହିଁ।