ଠାକୁରଙ୍କ ସହିତ ଲାଞ୍ଚର ନୁହେଁ, ଭାବର ଆଦାନପ୍ରଦାନ କରାଯାଇଥାଏ। “ହେ ଠାକୁର, ମୁଁ ଦୁଃଖରେ ଅଛି, ମୋ’ର ଦୁଃଖ ଦୂର କରିଦିଅ” ବୋଲି କହିଲେ ଠାକୁର ହୁଏତ ଆପଣଙ୍କ କଥା ଶୁଣିପାରନ୍ତି କିନ୍ତୁ, “ହେ ଠାକୁର, ମୁଁ ତୁମ ପାଇଁ ମାର୍ବଲର ମନ୍ଦିର ତୋଳି ଦେଉଛି, ତୁମକୁ ସୁନାରୁପାରେ ଛାଉଣି କରି ଦେଉଛି କିମ୍ବା ଲକ୍ଷ ଲକ୍ଷ ଟଙ୍କାର ଦାନ ତୁମ ହୁଣ୍ଡିରେ ପକେଇ ଦେଉଛି” କହି କିଛି ମାଗିଲେ ଠାକୁର ଆଦୌ ଆପଣଙ୍କ କଥା ଶୁଣନ୍ତି ନାହିଁ।
ଠାକୁର ଲାଞ୍ଚୁଆ ନୁହନ୍ତି। “ମୁଁ ତୁମ ପାଇଁ ହଜାର ହଜାର କୋଟି ଟଙ୍କାର ମନ୍ଦିର ନିର୍ମାଣ କରିଦେଇଛି ତେଣୁ ତୁମେ ମୋତେ ନିର୍ବାଚିତ କରେଇ ଦିଅ” କିମ୍ବା “ମୁଁ ତୁମ ମନ୍ଦିରର ଚତୁର୍ଦିଗରେ ହଜାର ହଜାର କୋଟି ଟଙ୍କାର ପରିକ୍ରମା ପ୍ରକଳ୍ପ କରିଦେଇଛି ତେଣୁ ତୁମେ ମୋତେ ନିର୍ବାଚନରେ ଜିତେଇ ଦିଅ” ପ୍ରାର୍ଥନା କରିବା ବୃଥା ବୋଲି ସ୍ୱୟଂ ଠାକୁର ବର୍ତ୍ତମାନ ସଦ୍ୟ ସମାପିତ ହୋଇଥିବା ନିର୍ବାଚନରେ ପ୍ରମାଣିତ କରିଦେଇଛନ୍ତି। ଏ ସବୁ କେବଳ ଲୋକ ଦେଖାଣିଆ ବୋଲି ଠାକୁର ଭଲ ଭାବରେ ଜାଣନ୍ତି, କିନ୍ତୁ ଠାକୁର ଜାଣନ୍ତି ବୋଲି ତାଙ୍କର ତଥାକଥିତ ପରମଭକ୍ତମାନେ ଜାଣିପାରନ୍ତି ନାହିଁ। ତେଣୁ ସେମାନେ ଏହାର ସାହାରା ନେଇ ନିର୍ବାଚନରେ ଭୋଟ ମାଗିଥାନ୍ତି ଓ ଭୋଟ ନ ମିଳିଲେ ତାଙ୍କୁ ଧାର୍ମିକ ଲୋକମାନେ ଧୋକା ଦେଲେ ବୋଲି କହିଥାନ୍ତି।
ବର୍ତ୍ତମାନ ଏହି ତଥାକଥିତ ଭକ୍ତମାନେ ଆଶ୍ଚର୍ଯ୍ୟ ପ୍ରଘଟ କରି ସାମାଜିକ ଗଣମାଧ୍ୟମରେ ଜନସାଧାରଣଙ୍କୁ ଭୀଷଣ ବିରକ୍ତ ହେବା ଆରମ୍ଭ କରିଦେଇଛନ୍ତି। “ତୁମ୍ଭେମାନେ ଅଧର୍ମୀ। ତୁମମାନଙ୍କୁ ଧର୍ମ ସହିବ ନାହିଁ। ଯିଏ ଠାକୁରମାନଙ୍କ ପାଇଁ ଏତେ କଲା ତୁମ୍ଭେମାନେ ତାଙ୍କ ସହିତ ବିଶ୍ୱାସଘାତକତା କରିଛ ଆଉ ଠାକୁରଙ୍କ ଏହି ପରମ ଭକ୍ତମାନଙ୍କୁ ପରାଜିତ କରି ତୁମେ ବିପଦକୁ ଡାକି ଆଣିଛ।” ଏ ସବୁ ସତ୍ତ୍ୱେ ଠାକୁରଙ୍କ ନିଷ୍ପତ୍ତି ଦେଖନ୍ତୁ। ଯିଏ ଅଯୋଧ୍ୟାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ସୁରମ୍ୟ ରାମମନ୍ଦିର ନିର୍ମାଣ କରିଥିଲେ ସେ ସେଠାର ଲୋକସଭା ଆସନରୁ ହାରିଗଲେ ଆଉ ଯିଏ ପୁରୀରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଜଗନ୍ନାଥ ମନ୍ଦିରର ସୁଦୃଶ୍ୟ ପରିକ୍ରମା ପ୍ରକଳ୍ପ କରିଥିଲେ ସିଏ ଏଠାର ପୁରୀ ଲୋକସଭା ନିର୍ବାଚନରେ ହାରିଗଲେ। ଆଶ୍ଚର୍ଯ୍ୟର କଥା ଏ ଦୁହେଁ ଠାକୁରଙ୍କର ପରମ ଭକ୍ତ ବୋଲାଉଥିଲେ ହେଁ ନିର୍ବାଚନରେ ପରସ୍ପର ପ୍ରତିଦ୍ୱନ୍ଦ୍ବୀ ପକ୍ଷର ଥିଲେ, ତେଣୁ ଠାକୁରଙ୍କୁ ଦୋଷ ଦେଇ ଲାଭ କ’ଣ?
ବନ୍ଧୁଗଣ, ଠାକୁର ଆମ ମା’ବାପା ସଦୃଶ, ଯିଏ ସର୍ବଦା ଆମର ମଙ୍ଗଳ ଚାହାନ୍ତି। ସେ ମନ୍ଦିର ନୁହେଁ, ବିକାଶ ଚାହାନ୍ତି, କିନ୍ତୁ ଆମ୍ଭମାନଙ୍କୁ ଠାକୁରଙ୍କର ଏମିତି ଅଫିମ ଚଟେଇ ଦିଆଯାଉଛି ଯେ ଆମେ ବିକାଶ ବଦଳରେ କେବଳ ମନ୍ଦିର ଚାହୁଛୁ। ଏହି ଅଫିମ ଆମ୍ଭମାନଙ୍କୁ ଜାଣିଶୁଣି ଚଟେଇ ଦିଆଯାଉଛି ଯାହା ଫଳରେ ଆମ୍ଭମାନଙ୍କୁ ବିକାଶ ପରିବର୍ତ୍ତେ କେବଳ ଠାକୁର ହିଁ ଦେଖାଯାଉଛି। ଆମ୍ଭେମାନେ ଏହି ଅଫିମ ସେବନ କରି ଏତେ ନିଶାଗ୍ରସ୍ତ ହୋଇପଡୁଛୁ ଯେ ଆମ୍ଭମାନଙ୍କୁ ରାଜନେତାମାନଙ୍କର କୌଣସି ଅପାରଗତା ଦୃଶ୍ୟମାନ ହେଉନାହିଁ। ଏହି ନିଶାରେ ଆମେ ତାଙ୍କର ପ୍ରତିଟି କାର୍ଯ୍ୟକୁ ସମର୍ଥନ କରି ତାଳି ମାରୁଛୁ ଓ ପ୍ରତିଟି କଥାକୁ ପ୍ରଶଂସା କରି ବାଃ ବାଃ କରୁଛୁ।
ଏଥିରେ ଦ୍ୱିମତ ନାହିଁ ଯେ ଯୁଗେ ଯୁଗେ ଧର୍ମର ଆବଶ୍ୟକତା ରହିଛି। ଏହାର ସୁରକ୍ଷାର ମଧ୍ୟ ଆବଶ୍ୟକତା ରହିଛି, କିନ୍ତୁ କେଭେଁ ବିକାଶର ପ୍ରତିବଦଳରେ ନୁହେଁ। ବର୍ତ୍ତମାନ ରାଜ୍ୟର ଅବସ୍ଥା ଦେଖନ୍ତୁ। ବଜାରରେ ଦରଦାମ ଆକାଶଛୁଆଁ ହୋଇପଡ଼ିଛି। ଦିନକୁ ଦିନ କୃଷି ଓ କୃଷକମାନଙ୍କର ଅବନତି ଘଟିବାରେ ଲାଗିଛି। ବେକାରୀ ସମସ୍ୟା ଯୋଗୁଁ ଦାଦନମାନଙ୍କର ସଂଖ୍ୟା ବଢ଼ିବାରେ ଲାଗିଛି। ଶିକ୍ଷା ଓ ସ୍ୱାସ୍ଥ୍ୟ କଥା ନ କହିବା ଭଲ। ଗୁଣାତ୍ମକ ଶିକ୍ଷା ଓ ଶିକ୍ଷକଙ୍କର ଅଭାବ ରହିଛି। ସୁଲଭ ସ୍ୱାସ୍ଥ୍ୟ ସେବା ଦୁର୍ଲଭ ହୋଇ ପଡ଼ିଛି। ତେଣୁ ସରକାର ପ୍ରଥମେ ରାଜ୍ୟର ଏହି ସର୍ବନିମ୍ନ ସମସ୍ୟାଗୁଡ଼ିକୁ ଠିକଣା କରି ସାରି ଠାକୁରଙ୍କ ପାଇଁ ମନ୍ଦିର ନିର୍ମାଣ କଲେ କି ପରିକ୍ରମା ପ୍ରକଳ୍ପ କଲେ ଠାକୁର ଖୁସି ହେବେ। ଦୁଃଖର କଥା ଆଜି ଆମର ସରକାର ହୁଅନ୍ତୁ କି ବିରୋଧୀ, ଗଣମାଧ୍ୟମ ହୁଅନ୍ତୁ କି ବୁଦ୍ଧିଜୀବୀ, ସମସ୍ତେ କେବଳ ଠାକୁରଙ୍କ ଦର୍ଶନ, ଠାକୁରଙ୍କ ନୀତିକାନ୍ତି, ଠାକୁରଙ୍କ ରତ୍ନଭଣ୍ଡାର ଆଉ ଏହାର ଚାବି ନେଇ ଏତେ ବ୍ୟସ୍ତ ଯେ ରାଜ୍ୟର ବିକାଶ ପାଇଁ ଚିନ୍ତା କରିବା ନିମନ୍ତେ ସେମାନଙ୍କ ପାଖରେ ଆଗ୍ରହ ନାହିଁ କି ସମୟ ନାହିଁ।
ଥରେ ଭାବନ୍ତୁ ତ ଗତ ଦଶ ବର୍ଷରେ ଭାରତ ସରକାରଙ୍କ ଅବଦାନ କ’ଣ କେବଳ ରାମମନ୍ଦିର ନା ଗତ ଚବିଶ ବର୍ଷରେ ଓଡ଼ିଶା ସରକାରଙ୍କ ଅବଦାନ କେବଳ ଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପ? ଏହି ଧାର୍ମିକ କାର୍ଯ୍ୟ ବ୍ୟତୀତ ଏହି ଦୁଇ ସରକାର ଅନେକ ଲୋକହିତକର କାର୍ଯ୍ୟ ମଧ୍ୟ କରିଛନ୍ତି, କିନ୍ତୁ ନିର୍ବାଚନରେ ଧାର୍ମିକ କାର୍ଯ୍ୟକୁ ନେଇ ଯେତେ ପ୍ରଚାର କରାଯାଉଛି ବିକାଶମୂଳକ କାର୍ଯ୍ୟକୁ ନେଇ କାହିଁକି ସେତିକି ଆଲୋଚନା କରାଯାଉନାହିଁ? ସମସ୍ତେ ଧର୍ମକୁ ନେଇ ଚିନ୍ତାଗ୍ରସ୍ତ, ବିକାଶକୁ ନେଇ ନୁହେଁ। ଧର୍ମ ବିକାଶ ଉପରେ ଏମିତି ଏକ ବୋଝ ହୋଇପଡ଼ିଛି ଯେ ସାମାଜିକ ଗଣମାଧ୍ୟମରେ ପଢ଼ିବାକୁ ମିଳୁଛି, “ତୁମକୁ ଦରଦାମ ବୃଦ୍ଧି ଦିଶୁଛି, ବେକାରୀ ସମସ୍ୟା ଦିଶୁଛି, ଗଣତନ୍ତ୍ରରେ ଏକଛତ୍ରବାଦ ଦିଶୁଛି କିନ୍ତୁ ତୁମକୁ ତୁମ ଧର୍ମ କିପରି ଅସୁରକ୍ଷିତ ହୋଇପଡ଼ିଛି ତାହା ଦିଶୁନାହିଁ। ପ୍ରଥମେ ଧର୍ମକୁ ସୁରକ୍ଷିତ ରଖ ପରେ ପେଟ କଥା ବୁଝିବ, ନଚେତ ତୁମେ ଓ ତୁମର ଧର୍ମ ଅଳ୍ପ ଦିନରେ ନିଶ୍ଚିହ୍ନ ହୋଇଯିବ।” ଏହିଭଳି ଧାର୍ମିକ ବ୍ୟକ୍ତିମାନଙ୍କର କଥା ଶୁଣିଲେ ଜଣେ ଉର୍ଦ୍ଦୁ କବିଙ୍କର ଦୁଇଧାଡ଼ି କବିତା ମନେ ପଡ଼ିଯାଏ ଯାହାର ଓଡ଼ିଆ ସାରାଂଶ ହେଉଛି- “ଭୋକଠୁ ବଡ଼ କେଉଁ ମନ୍ଦିର ଆଉ ରୁଟିଠୁ ବଡ଼ କେଉଁ ଠାକୁର ଅଛି ତ ମୋତେ ଦେଖାଅ, ମୁଁ ବି ଧର୍ମ ପରିବର୍ତ୍ତନ କରିବାକୁ ଚାହୁଛି।”
ମୋ: ୯୪୩୭୦୬୭୫୬୭
ସତ କହୁଛି: ଠାକୁର ଲାଞ୍ଚୁଆ ନୁହନ୍ତି
ଶ୍ୟାମସୁନ୍ଦର ଅଗ୍ରୱାଲା