ଏହି ପରିପ୍ରେକ୍ଷୀରେ ମୁମ୍ବାଇ ଉଚ୍ଚ ଅଦାଲତଙ୍କ ରାୟ ଅଧିକ ପ୍ରଣିଧାନଯୋଗ୍ୟ, କାରଣ ତହିଁରେ ରାତ୍ରିର ବିଳମ୍ବିତ ପ୍ରହର ଯାଏ ଜେରା କରିବାକୁ ‘ଇ.ଡି.’କୁ ବାରଣ କରାଯାଇଛି। ଏହାର କାରଣ ନିଦ୍ରାହୀନତା କାରଣରୁ ସୃଷ୍ଟ ଚିନ୍ତା ବିଭ୍ରାଟ ଦ୍ବାରା ଜଣେ ଅଭିଯୁକ୍ତ ଠିକଣା ଉତ୍ତର ଦେବାର ସାମର୍ଥ୍ୟ ହରାଇବାର ଆଶଙ୍କା ମଧ୍ୟ ରହିଛି। ଏହି ଦୃଷ୍ଟିରୁ ମୁମ୍ବାଇ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଏକ ଗୁରୁତ୍ବପୂର୍ଣ୍ଣ ତଥା ସଂବେଦନଶୀଳ ବିଚାର ଭାବେ ଗ୍ରହଣ କରାଯାଇପାରେ।
ଗତ ବର୍ଷ ‘ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ’ ବା ‘ଇ.ଡି.’ ବିରୋଧରେ ଆଗତ ଏକ ମାମଲାର ଶୁଣାଣି କରି ଗଲା ୧୫ ତାରିଖରେ ମୁମ୍ବାଇ ଉଚ୍ଚ ଅଦାଲତ ପକ୍ଷରୁ ପ୍ରଦତ୍ତ ଏକ ରାୟରେ ରାତ୍ରିକାଳୀନ ପ୍ରଶାନ୍ତ ନିଦ୍ରାକୁ ପ୍ରତ୍ୟେକ ଭାରତୀୟ ନାଗରିକଙ୍କ ସକାଶେ ସଂବିଧାନ ସ୍ବୀକୃତ ଏକ ମୌଳିକ ଅଧିକାର ରୂପେ ଅଭିହିତ କରାଯାଇଛି। ପ୍ରକାଶ ଥାଉ କି ଏକ ବ୍ୟାଙ୍କ ଜାଲିଆତି ଅଭିଯୋଗ କାରଣରୁ ଇ.ଡି. ପକ୍ଷରୁ ସମନ ପ୍ରାପ୍ତ ଚଉଷଠି ବର୍ଷ ବୟସ୍କ ଜନୈକ ବ୍ୟବସାୟୀ ନିର୍ଦ୍ଦେଶାଳୟର ଦପ୍ତରରେ ଦୀର୍ଘ କୋଡ଼ିଏ ଘଣ୍ଟାର କ୍ଳାନ୍ତିକର ପ୍ରତୀକ୍ଷା ପରେ ଯେତେବେଳେ ରାତ୍ର ୧୦ଟାରୁ ଭୋର ୩ଟା ପର୍ଯ୍ୟନ୍ତ ତଦନ୍ତକାରୀ ଦଳର ପ୍ରଶ୍ନବାଣ ଦ୍ବାରା ଜର୍ଜର ହେଲେ, ଅଗତ୍ୟା ତାଙ୍କର ଧୈର୍ଯ୍ୟଚ୍ୟୁତି ଘଟିଥିଲା ଏବଂ ତାଙ୍କର ନିଦ୍ରା ଯିବାର ଅଧିକାରକୁ ‘ଇ.ଡି.’ କ୍ଷୁଣ୍ଣ କରିଛି ବୋଲି ଦର୍ଶାଇ ସେ ଅଦାଲତର ଆଶ୍ରୟ ନେଇଥିଲେ। ସୁସ୍ଥ ଜୀବନଯାପନ ସକାଶେ ସମ୍ୟକ ନିଦ୍ରା ଏକାନ୍ତ ଅପରିହାର୍ଯ୍ୟ ହୋଇଥିବା ବେଳେ ସଂପ୍ରତି ବିଭିନ୍ନ କାରଣରୁ, ଭାରତ ସେମତ ପୃଥିବୀର ସର୍ବତ୍ର, ‘ଶାନ୍ତ ଶୟନ’ ବା ‘ପରିପୂର୍ଣ୍ଣ ନିଦ୍ରା’ ଏକ ସୁଦୂର ପରାହତ ସ୍ବପ୍ନରେ ପରିଣତ ହୋଇଥିବା ଏକ ବିଡ଼ମ୍ବନାର ବିଷୟ। ଏହି ଦୃଷ୍ଟିରୁ ନିଦ୍ରା ଯିବାର ମୌଳିକ ଅଧିକାରକୁ ସାବ୍ୟସ୍ତ କରି ଆସିଥିବା ଅଦାଲତୀ ନିର୍ଣ୍ଣୟ ଏକ କ୍ଷୁଦ୍ର ଆଲୋଚନା ଲାଗି ଅବକାଶ ସୃଷ୍ଟି କରିଥାଏ।
ଆଜିକୁ ପଚସ୍ତରି ବର୍ଷ ପୂର୍ବରୁ, ଯେତେବେଳେ ନିଦ୍ରାହୀନତା ଆଦୌ ଏକ ଚିନ୍ତା ଉଦ୍ରେକକାରୀ ବିଷୟ ନ ଥିବ, ଭାରତର ସଂବିଧାନ ପ୍ରଣେତାମାନେ, ନିଦ୍ରା ଯିବାର ଅଧିକାରକୁ ‘ଧାରା ୨୧’ (‘ବଞ୍ଚିବାର ଅଧିକାର’)ରେ ଅନ୍ତର୍ଭୁକ୍ତ କରି ଯେଉଁ ଅପୂର୍ବ ସଂବେଦନଶୀଳ ପୁରୋଦୃଷ୍ଟିର ପରିଚୟ ପ୍ରଦାନ କରିଛନ୍ତି, ତାହାର ପଟାନ୍ତର ନାହିଁ। ଏହାର ଅର୍ଥ କୌଣସି ଭାରତୀୟଙ୍କୁ ତାଙ୍କ ଇଚ୍ଛା ବିରୁଦ୍ଧରେ କୌଣସି ଆଳରେ ବା ବଳପୂର୍ବକ ଆବଶ୍ୟକ ଅବଧିର ନିଦ୍ରାରୁ ବଞ୍ଚିତ କରି ରଖାଯାଇପାରିବ ନାହିଁ। ‘ବିଶ୍ବ ସ୍ବାସ୍ଥ୍ୟ ସଂଗଠନ’ ଅନୁସାରେ ସୁସ୍ଥ ଜୀବନଯାପନ ଲାଗି ଦୈନିକ ସାତରୁ ଆଠ ଘଣ୍ଟାର ନିଦ୍ରା ଆବଶ୍ୟକ। ଉଲ୍ଲେଖଯୋଗ୍ୟ ଯେ ଜାତିସଂଘର ‘ସାର୍ବଜନୀନ ମାନବିକ ଅଧିକାର ଘୋଷଣାପତ୍ର’ରେ ମଧ୍ୟ ବ୍ୟାଘାତହୀନ ନିଦ୍ରାକୁ ଅନ୍ତର୍ଭୁକ୍ତ କରାଯାଇଛି। ଅନେକ ରାଷ୍ଟ୍ରରେ ଯଦିଓ ଏହା, ଭାରତ ତୁଲ୍ୟ, ସଂବିଧାନ-ସ୍ବୀକୃତ ନୁହେଁ, ତଥାପି ବିଭିନ୍ନ ଆଇନ ବଳରେ ସେଠାକାର ନାଗରିକମାନଙ୍କ ଲାଗି ନିଦ୍ରାକୁ ସହଜଲଭ୍ୟ କରିବାର ଉଦ୍ୟମ ହୋଇଛି; ଯେମିତି ୨୦୦୧ ମସିହାର ‘ୟୁରୋପିଆନ୍ କୋର୍ଟ ଅଫ୍ ହ୍ୟୁମାନ ରାଇଟ୍ସ’ର ଏକ ରାୟ ପରେ ରାତ୍ରିର ବିଳମ୍ବିତ ପ୍ରହରରେ ହିଥ୍ରୋ ବିମାନ ବନ୍ଦରରେ ବିମାନଗୁଡ଼ିକର ଉଡ଼ାଣ ଓ ଅବତରଣକୁ ନିଷେଧ କରାଯାଇଛି, କାରଣ ସେମାନଙ୍କ ବିକଟ ଗର୍ଜନ ଲଣ୍ଡନବାସୀଙ୍କ ସୁନିଦ୍ରାରେ ବ୍ୟାଘାତ ଘଟାଉଥିଲା। ସେହି ଭଳି ୨୦୧୭ ମସିହାରେ ଫ୍ରାନ୍ସର ଏକ ଆଇନ ନିର୍ଦ୍ଧାରିତ କାର୍ଯ୍ୟ-ସମୟ ପରେ ଦପ୍ତରରୁ ଆସୁଥିବା ଡାକରା (ଫୋନ୍ କଲ୍)କୁ କର୍ଣ୍ଣପାତ ନ କରିବାର ଅଧିକାର ପ୍ରଦାନ କରିଛି। ଅନେକ ରାଷ୍ଟ୍ରରେ ଏହା ପ୍ରଚଳିତ, ଯାହାକୁ ‘ରାଇଟ୍ ଟୁ ଡିସକନେକ୍ଟ’ ବା ‘ଅସଂଯୁକ୍ତ ରହିବାର ଅଧିକାର’ ବୋଲି ଅଭିହିତ କରାଯାଇଥାଏ। ଇତିମଧ୍ୟରେ ଫ୍ରାନ୍ସକୁ ଅନୁସରଣ କରି ଇଟାଲୀ, ବେଲଜିଅମ, ସ୍ପେନ, ପର୍ତ୍ତୁଗାଲ ଏବଂ ଅଷ୍ଟ୍ରେଲିଆରେ ମଧ୍ୟ ସମତୁଲ ଆଇନଗତ ପ୍ରାବଧାନ ଅଣାଗଲାଣି; ଉଦ୍ଦେଶ୍ୟ ନାଗରିକମାନଙ୍କ ନିଦ୍ରା ଅପହୃତ ହେବାରୁ ଓ କାଳେ ତାହା ଅପହୃତ ହୋଇଯିବ, ତଜ୍ଜନିତ ଉଦ୍ବେଗରୁ ମୁକ୍ତ ରଖିବା। କିନ୍ତୁ ବିଡ଼ମ୍ବନାଟି ହେଲା, ରାଷ୍ଟ୍ରର ଉଦ୍ୟମ ସତ୍ତ୍ବେ ସାଂପ୍ରତିକ ଦ୍ରୁତ ଜୀବନଯାପନ ଶୈଳୀ ସୌଜନ୍ୟରୁ ବ୍ୟକ୍ତିିକୁ ମିଳିଥିବା ମାନସିକ ଚାପ ଠାରୁ ଆରମ୍ଭ କରି ବୈଦ୍ୟୁତିକ ଉଦ୍ଦୀପନା ପର୍ଯ୍ୟନ୍ତ ଅନେକ ପୁରସ୍କାର ନୈଶ-ଜୀବନକୁ ତନ୍ଦ୍ରାହୀନ କରି ସାରିଲେଣି। ସୁତରାଂ, ନିଦ୍ରାହୀନତାଜନିତ ଅନେକ ଗୁରୁତର ବ୍ୟାଧି ଓ ଉପସର୍ଗ ଏକ ନିୟମିତ ବ୍ୟାପାରରେ ପରିଣତ ହୋଇ ଚିନ୍ତା ସୃଷ୍ଟି କଲାଣି।
ସମସ୍ତ ପ୍ରାଣୀଙ୍କ ସଦୃଶ ମନୁଷ୍ୟ କ୍ଷେତ୍ରରେ ମଧ୍ୟ ଆହାର ଏବଂ େମୖଥୁନ ଭଳି ନିଦ୍ରାକୁ ଏକ ସର୍ବନିମ୍ନ ପ୍ରାକୃତିକ ଆବଶ୍ୟକତା ରୂପେ ବିବେଚନା କରାଯାଇଥାଏ। ତେବେ, ଏକ କ୍ଳାନ୍ତିକର ଦିନଚର୍ଯ୍ୟା ପରେ ନିଦ୍ରା କେବଳ ମାତ୍ର ଏକ ବିଶ୍ରାମର ଅବସର ନୁହେଁ, ଏହା ହେଉଛି ଶରୀରର କ୍ଷତ ଭରଣା, ପୀଡ଼ା ମୋଚନ ସହିତ ସାମଗ୍ରିକ ଭାବେ ଶରୀରକୁ ସଂରକ୍ଷଣ କରି ରଖିବାରେ ଏକ ଈଶ୍ବର ପ୍ରଦତ୍ତ ଶକ୍ତି। ବୈଜ୍ଞାନିକ ଭାବେ ଗୋଟିଏ ‘ନିଦ୍ରା-ଚକ୍ର’ ବା ‘ସ୍ଲିପ୍ ସାଇକେଲ୍’ ଚାରିଟି ପର୍ଯ୍ୟାୟ ଦେଇ ସଂପନ୍ନ ହୋଇଥାଏ; ଯହିଁରୁ ପ୍ରଥମ ପ୍ରାୟ ୧୦ ମିନିଟ୍ରେ ଛାଇ ନିଦ (ଏନ୍-୧), ପରବର୍ତ୍ତୀ ପ୍ରାୟ ୩୦ରୁ ୪୦ ମିନିଟ୍ରେ ହାଲୁକା ନିଦ (ଏନ୍-୨), ତା’ ପରେ ୨୦ରୁ ୨୫ ମିନିଟ୍ରେ ଅଥଳ ଗଭୀର ନିଦ୍ରା ଏବଂ ଶେଷ ପ୍ରାୟ ୨୦ ମିନିଟ୍ରେ ସ୍ବପ୍ନ ଭରା ନିଦ୍ରା ହୋଇଥାଏ। ଏକ ପରିପୂର୍ଣ୍ଣ ରାତ୍ରିକାଳୀନ ନିିଦ୍ରା ସକାଶେ ଏଭଳି ଚାରିଟିରୁ ପାଞ୍ଚଟି ‘ନିଦ୍ରା-ଚକ୍ର’ର ଆବଶ୍ୟକତା ପଡ଼ିଥାଏ, ଯାହାର ଅର୍ଥ ପ୍ରାୟ ୭ରୁ ୮ ଘଣ୍ଟାର ଶାନ୍ତିପୂର୍ଣ୍ଣ ଶୟନ। ଉଲ୍ଲେଖଯୋଗ୍ୟ ଯେ ପୃଥିବୀର ପ୍ରାୟ ସମସ୍ତ ରାଷ୍ଟ୍ରରେ ତଦନ୍ତକାରୀ ସଂସ୍ଥାଗୁଡ଼ିକ ଜେରା ସମୟରେ ଅଭିଯୁକ୍ତର ମନୋବଳକୁ ଚୂର୍ଣ୍ଣ କରିବା ଲାଗି ଯାତନାର ଏକ ପଦ୍ଧତି ରୂପେ ତାକୁ ବଳ ପୂର୍ବକ ଶୋଇବାକୁ ଦିଅନ୍ତି ନାହିଁ; ଏବଂ ନିରବଚ୍ଛିନ୍ନ ଭାବେ ଦୁଇ ବା ତିନି ଦିନ ଧରି ନିଦ୍ରା ହରଣ କରି ନିଆଗଲେ ଯେ କୌଣସି ବ୍ୟକ୍ତି ଅବଲୀଳା କ୍ରମେ ତା’ର ସମସ୍ତ ଦୃଢ଼ତା ହରାଇ ତଦନ୍ତରେ ସହଯୋଗ କରିବାକୁ ବାଧ୍ୟ ହୋଇଥାଏ। ଏହି ପରିପ୍ରେକ୍ଷୀରେ ମୁମ୍ବାଇ ଉଚ୍ଚ ଅଦାଲତଙ୍କ ରାୟ ଅଧିକ ପ୍ରଣିଧାନଯୋଗ୍ୟ, କାରଣ ତହିଁରେ ରାତ୍ରିର ବିଳମ୍ବିତ ପ୍ରହର ଯାଏ ଜେରା କରିବାକୁ ‘ଇ.ଡି.’କୁ ବାରଣ କରାଯାଇଛି। ଏହାର କାରଣ ନିଦ୍ରାହୀନତା କାରଣରୁ ସୃଷ୍ଟ ଚିନ୍ତା ବିଭ୍ରାଟ ଦ୍ବାରା ଜଣେ ଅଭିଯୁକ୍ତ ଠିକଣା ଉତ୍ତର ଦେବାର ସାମର୍ଥ୍ୟ ହରାଇବାର ଆଶଙ୍କା ମଧ୍ୟ ରହିଛି। ଏହି ଦୃଷ୍ଟିରୁ ମୁମ୍ବାଇ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଏକ ଗୁରୁତ୍ବପୂର୍ଣ୍ଣ ତଥା ସଂବେଦନଶୀଳ ବିଚାର ଭାବେ ଗ୍ରହଣ କରାଯାଇପାରେ।
ଉଲ୍ଲେଖଯୋଗ୍ୟ ଯେ ସାତରୁ ଆଠ ଘଣ୍ଟାର ନିଦ୍ରା ଏକ ଆଦର୍ଶ ସ୍ଥାନୀୟ ଅପରିହାର୍ଯ୍ୟତା ହୋଇଥିଲେ ସୁଦ୍ଧା ବାସ୍ତବରେ ପ୍ରତ୍ୟେକ ମନୁଷ୍ୟ ସକାଶେ ଏହା ଭିନ୍ନ ଭିନ୍ନ ହୋଇପାରେ! ସେହି ଦୃଷ୍ଟିରୁ ନିଦ୍ରା ଆଧାରରେ ବ୍ୟକ୍ତିମାନଙ୍କୁ ଚାରିଟି ସ୍ଥୂଳ ବର୍ଗରେ ବିଭାଜିତ କରାଯାଇଥାଏ; ଯଥା: ଭଲ୍ଲୁକ, ସିଂହ, ହେଟା ଏବଂ ଡଲଫିନ୍। ନିଦ୍ରାର ପ୍ରକୃତି ଅନୁସାରେ ଭଲ୍ଲୁକ ବର୍ଗ ସଂଧ୍ୟାରୁ ତନ୍ଦ୍ରାଳସ ହୋଇ ଉଠନ୍ତି ସିନା ପ୍ରାତଃ କାଳରୁ ଦ୍ବିପ୍ରହର ପର୍ଯ୍ୟନ୍ତ ଅତ୍ୟନ୍ତ ସକ୍ରିୟ ରହନ୍ତି। ସିଂହ ବର୍ଗର ବ୍ୟକ୍ତି ଦିନ ତମାମ ସକ୍ରିୟତା ଏବଂ ଆଳସ୍ୟ ମଧ୍ୟରେ ଦୋଳାୟମାନ ହେଉଥାଆନ୍ତି। ହେଟା ବର୍ଗର ବ୍ୟକ୍ତି ଅତ୍ୟନ୍ତ କ୍ରିୟାଶୀଳ ଭାବେ ବିନିଦ୍ର ରଜନୀ ଅତିବାହିତ କରି ପାରୁଥିବା ବେଳେ ଡଲଫିନ୍ ବର୍ଗ ସର୍ବଦା ଛନକା ଭରା ନିଦର ଭାଗ୍ୟ ଭୋଗ କରନ୍ତି। ସେହି ଦୃଷ୍ଟିରୁ ଇଂଲାଣ୍ଡର ପ୍ରଧାନମନ୍ତ୍ରୀ ୱିନଷ୍ଟନ ଚର୍ଚ୍ଚିଲ ସମ୍ଭବତଃ ଥିଲେ ସିଂହ ଗୁଣଧାରୀ, କାରଣ ପ୍ରଧାନମନ୍ତ୍ରୀ ଭାବେ ନିରନ୍ଧ୍ର କାର୍ଯ୍ୟବ୍ୟସ୍ତତା ମଧ୍ୟରେ ଅପରାହ୍ଣରେ ଦୁଇ ଘଣ୍ଟାର ନିଦ୍ରା ବା ‘ସିଏସ୍ତା’ ତାଙ୍କ ଲାଗି ଅନିବାର୍ଯ୍ୟ ଥିଲା। ପ୍ରସିଦ୍ଧ ଇତାଲୀୟ କଳାକାର ବୈଜ୍ଞାନିକ ଏବଂ ଉଦ୍ଭାବକ ଲିଓନାର୍ଡୋ ଦା ଭିନ୍ସି ପ୍ରତି ଚାରି ଘଣ୍ଟାରେ ମାତ୍ର କୋଡ଼ିଏ ମିନିଟ୍ ସକାଶେ ଶୋଇ ପଡ଼ି ତାଙ୍କ ନିଦ୍ରା ଆବଶ୍ୟକତା ପୂରଣ କରୁଥିଲେ; ବୋଧହୁଏ ସେ ଥିଲେ ଡଲଫିନ୍ ଜାତୀୟ! ଲେଖକ ଓ ସଂପାଦକ ରାଜକମଳ ଝା ତାଙ୍କ ବିନିଦ୍ର ରଜନୀଗୁଡ଼ିକୁ ଅର୍ଥପୂର୍ଣ୍ଣ କରିବା ଲାଗି ଲେଖାଲେଖିରେ ବ୍ୟାପୃତ ରହି ସୃଷ୍ଟି କରିଥିଲେ ବହୁଚର୍ଚ୍ଚିତ ଇଂରେଜୀ ଉପନ୍ୟାସ ‘ଦ ବ୍ଲୁ ବେଡ୍ସ୍ପ୍ରେଡ୍’; ସେ କ’ଣ ହେଟା ବର୍ଗୀୟ? କହିବାର ତାତ୍ପର୍ଯ୍ୟ ହେଲା ସାତ ବା ଆଠ ଘଣ୍ଟାର ନିଦ୍ରାକୁ ନିତାନ୍ତ ଜରୁରୀ ବୋଲି ମନେ ନ କରି ପ୍ରତ୍ୟେକ ମନୁଷ୍ୟ ନିଜ ଆବଶ୍ୟକତାକୁ ହୃଦୟଙ୍ଗମ କରି ସେହି ଅନୁସାରେ ନିଜ ସୁନିଦ୍ରାର ବ୍ୟବସ୍ଥା କରିବା ଉଚିତ। ଅର୍ଥାତ୍ ମୂଳ କଥା ହେଲା ସମ୍ୟକ ନିଦ୍ରା ଅତ୍ୟନ୍ତ ଜରୁରୀ ଏବଂ ଭାରତରେ ଏହା ଏକ ମୌଳିକ ଅଧିକାର ହୋଇଥିବାରୁ ସଚେତନ ନାଗରିକମାନଙ୍କ ଲାଗି ନିଦ୍ରା ବ୍ୟାପାରରେ ଜାଗ୍ରତ ହେବାର ବା ଉଠିବାର ବେଳ ଅବତୀର୍ଣ୍ଣ ହୋଇଛି ବୋଲି କୁହାଯାଇପାରିବ!