ଏକାଦଶ ମ୍ୟାଚ୍ରେ ଗୁକେଶ ଡିଙ୍ଗ୍ଙ୍କୁ ହରାଇ ଆଗକୁ ଚାଲିଯିବା ପରେ ପରେ ଡିଙ୍ଗ୍ କାଳ ବିଳମ୍ବ ନ କରି ଦ୍ବାଦଶ ମ୍ୟାଚ୍ରେ ବିଜୟ ଲାଭ କରି ପୁନରାୟ ଉଭୟଙ୍କ ସ୍କୋର ସମାନ କରିଦେବାରେ ସକ୍ଷମ ହେଲେ। ବାରଟି ଗେମ୍ ପରେ ଯେତେବେଳେ ଉଭୟ ୬ ପଏଣ୍ଟ ଲେଖାଏଁ ହାସଲ କରିଥିଲେ, ପର୍ଯ୍ୟବେକ୍ଷକମାନେ ମନେ କରିଥିଲେ ଯେ ଟୁର୍ନାମେଣ୍ଟର ସମାପ୍ତି ପାଖେଇ ଆସୁଥିବା ବେଳେ ଦ୍ବାଦଶ ଗେମ୍ରେ ପରାଜୟ ଗୁକେଶଙ୍କର ମନୋବଳ ଭାଙ୍ଗି ଦେଇଥିବ ଏବଂ ସେଥିଯୋଗୁଁ ସେ ତ୍ରୟୋଦଶ ଗେମ୍ରେ ମଧ୍ୟ ପରାସ୍ତ ହେବାକୁ ଯାଉଛନ୍ତି।
ଭାରତର ୧୮ ବର୍ଷୀୟ ବିସ୍ମୟ ନବଯୁବକ ଗୁକେଶ ଦୋମ୍ମାରାଜୁ ସିଙ୍ଗାପୁର ଠାରେ ଅନୁଷ୍ଠିତ ପ୍ରତିଯୋଗିତାରେ ଚୀନ୍ର ମୁକୁଟଧାରୀ ୩୨ ବର୍ଷୀୟ ଡିଙ୍ଗ୍ ଲିରେନ୍ଙ୍କୁ ପରାସ୍ତ କରି ଇତିହାସରେ କନିଷ୍ଠତମ ଖେଳାଳି ରୂପେ ଚେସ୍ର ବିଶ୍ବ ଚାମ୍ପିଅନ୍ ମୁକୁଟ ହାସଲ କଲାପରେ ସେଇ ମସ୍ତିଷ୍କ-ଖେଳର କେତେକ ଜଣାଶୁଣା ତାରକା ଗୁକେଶଙ୍କର ଏହି ବିଜୟକୁ ଗୌଣ କରି ଦେଖାଇବାକୁ ଚେଷ୍ଟା କରି ମନ୍ତବ୍ୟ ପ୍ରଦାନ କରିବା ଦେଖାଯାଇଛି। ଏଭଳି ସମାଲୋଚକମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ ଅଛନ୍ତି ଦୁଇ ଜଣ ବିଚକ୍ଷଣ ଚେସ୍ ଖେଳାଳି- ରୁଷିଆର ଭ୍ଲାଡିମିର୍ କ୍ରାମ୍ନିକ୍ ଓ ନର୍ୱେର ମାଗ୍ନସ୍ କାର୍ଲସେନ୍, ଯେଉଁମାନେ ମଧ୍ୟ ହେଉଛନ୍ତି ପୂର୍ବତନ ବିଶ୍ବ ଚାମ୍ପିଅନ୍। ଏମାନେ ଏହି ପ୍ରତିଯୋଗିତାରେ ଉଭୟ ପ୍ରତିଯୋଗୀ ଅତ୍ୟନ୍ତ ନିମ୍ନମାନର ଖେଳ ପ୍ରଦର୍ଶନ କରିଥିଲେ ବୋଲି କଠୋର ଭାଷାରେ ସମାଲୋଚନା କରିଛନ୍ତି।
ଦୁଇ ପ୍ରକାର ଉତ୍ତର ଦ୍ବାରା ଏଭଳି ସମାଲୋଚକମାନଙ୍କର ମୁହଁ ବନ୍ଦ କରି ଦିଆଯାଇପାରେ। ଗୋଟିଏ ଉତ୍ତର ମିଳିଥାଏ ଅଳ୍ପ ଦିନ ତଳେ ଇହଧାମ ତ୍ୟାଗ କରିଥିବା ପ୍ରସିଦ୍ଧ ଆମେରିକୀୟ ବସ୍ତୁବାଦୀ ଦାର୍ଶନିକ ଡାନିଏଲ୍ ଡେନେଟ୍ଙ୍କ ଠାରୁ, ଯିଏ ବିଂଶ-ଏକବିଂଶ ଶତାବ୍ଦୀର ଜଣେ ଛାମୁଆ ‘ମସ୍ତିଷ୍କର ଦାର୍ଶନିକ’ (‘ଫିଲସଫର୍ ଅଫ୍ ମାଇଣ୍ଡ୍’) ରୂପେ ବିବେଚିତ ହୋଇଥାନ୍ତି। ତାଙ୍କର ପରଲୋକ ଗମନର ଅଳ୍ପ କାଳ ପୂର୍ବରୁ ପ୍ରକାଶ ପାଇଥିବା ତାଙ୍କର ଆତ୍ମଚରିତ ‘ଆଇ ହାଭ୍ ବିନ୍ ଥିଙ୍କିଙ୍ଗ୍’ (‘ମୁଁ ଚିନ୍ତା କରି ଚାଲିଛି’)ରେ ଚେସ୍ ଖେଳ ସମ୍ବନ୍ଧରେ ଡେନେଟ୍ ଦେଇଥିବା ମନ୍ତବ୍ୟରେ ଏହି ଉତ୍ତର ନିହିତ ଅଛି। ଏଥିରେ ସେ ‘ଚ୍ମେସ୍’ ନାମକ ‘ଚେସ୍’ର ଏକ ବିକଳ୍ପ ଉଦ୍ଭାବନ କରିଛନ୍ତି ଯେଉଁଥିରେ ‘ରାଜା’ ଯେ କୌଣସି ଦିଗରେ ପାରମ୍ପରିକ ଗୋଟିଏ ପାଦ ସ୍ଥାନରେ ଦୁଇ ପାଦ ଲେଖାଏଁ ଚାଲିପାରିବ। ଡେନେଟ୍ଙ୍କ କହିବା କଥା ‘ରାଜା’ ଏକ ପାଦ ଚାଲୁଥିବା ଚେସ୍ ଖେଳ ଯେଉଁଭଳି ନିରର୍ଥକ, ‘ରାଜା’ ଦୁଇ ପାଦ ଚାଲୁଥିବା ଚ୍ମେସ୍ ଖେଳ ମଧ୍ୟ ହେଉଛି ସେଇଭଳି ନିରର୍ଥକ। ଉଭୟରେ କେବଳ ମସ୍ତିଷ୍କର ଅପଚୟ ଘଟିଥାଏ।
ବର୍ତ୍ତମାନର ପ୍ରସଙ୍ଗରେ େଡନେଟ୍ଙ୍କ ଏହି ମତ ଅନୁସାରେ କ୍ରାମ୍ନିକ୍ ବା କାର୍ଲସେନ୍ ଚେସ୍ ଖେଳରେ ନିଜର ଉଚ୍ଚାଙ୍ଗ ପ୍ରଦର୍ଶନ ପାଇଁ ଯେତେ ଗର୍ବ କରୁଥିଲେ ହେଁ, ତାହା ହେଉଛି ସଂପୂର୍ଣ୍ଣ ନିରର୍ଥକ। ନିଜର ଏହି ଚିନ୍ତାଧାରା ସପକ୍ଷରେ ଡେନେଟ୍ ମହାନ କାନାଡିଆନ୍ ମନସ୍ତତ୍ତ୍ବବିତ୍ ଡୋନାଲ୍ଡ ହେବ୍ଙ୍କୁ ଉଦ୍ଧାର କରିଛନ୍ତି: ‘‘ଯେଉଁ କାର୍ଯ୍ୟ କରିବା ହେଉଛି ମୂଲ୍ୟହୀନ, ସେ କାର୍ଯ୍ୟକୁ ଭଲ ରୂପେ କରିବା ମଧ୍ୟ ହେଉଛି ମୂଲ୍ୟହୀନ।’’ ଡେନେଟ୍ଙ୍କ ବହୁ ପୂର୍ବରୁ ମୁନ୍ସୀ ପ୍ରେମଚନ୍ଦ ତାଙ୍କର ପ୍ରସିଦ୍ଧ କାହାଣୀ ‘ସତରଞ୍ଜ କେ ଖିଲାଡ଼ୀ’ରେ ଅନବଦ୍ୟ ଢଙ୍ଗରେ ଏହା ହିଁ ସାବ୍ୟସ୍ତ କରିଥିଲେ।
ଅନ୍ୟ ଉତ୍ତରଟି ମିଳିଥାଏ ଖୋଦ୍ ସମାଲୋଚନାର ନିଶାଣ ଗୁକେଶଙ୍କ ଠାରୁ। କୈଶୋରର ଶେଷ ପାହାଚରେ ପାଦ ଦେଇଥିବା ଏହି ବିଶ୍ବ ଚାମ୍ପିଅନ୍ ଏକ ଚାମ୍ପିଅନ୍ସୁଲଭ ପରିପକ୍ବତା ପ୍ରଦର୍ଶନ କରି ସକଳ ନମ୍ରତାର ସହିତ କହିଛନ୍ତି ଯେ ତାଙ୍କ ବିଚାରରେ ଏକ ବିଶ୍ବ ଚାମ୍ପିଅନ୍ସିପ୍ ମ୍ୟାଚ୍ର ଫଳାଫଳ କେବଳ ଚେସ୍ ଖେଳ ଦ୍ବାରା ନିର୍ଣ୍ଣୀତ ହୋଇ ନ ଥାଏ, ଏହା କାହାର ବ୍ୟକ୍ତିତ୍ବ ଅଧିକ ଶକ୍ତିଶାଳୀ ଓ କାହାର ଇଚ୍ଛାଶକ୍ତି ହେଉଛି ଅଧିକ, ତାହା ଉପରେ ନିର୍ଭର କରିଥାଏ। ଏଥିରେ ସନ୍ଦେହ ନାହିଁ ଯେ ଚେସ୍ ଖେଳକୁ ନିରର୍ଥକ ଓ ମୂଲ୍ୟହୀନ ମନେ କରୁଥିବା ଡେନେଟ୍ ମଧ୍ୟ ମନୁଷ୍ୟ ଚରିତ୍ରର ଏ ଦୁଇ ଦିଗ ଉପରେ ଗୁକେଶ ପ୍ରଦାନ କରିଥିବା ଗୁରୁତ୍ବ ଓ ମୂଲ୍ୟ ସହିତ ନିଶ୍ଚିତ ରୂପେ ଏକମତ ହେବେ। ନିଜେ ଗୁକେଶ କହିଛନ୍ତି ଯେ ନିଜର ଏହି ଦୁଇ ଚାରିତ୍ରିକ ଶକ୍ତି ବଳରେ ହିଁ ସେ ଚାମ୍ପିଅନ୍ସିପ୍ ମ୍ୟାଚ୍ରେ ଡିଙ୍ଗ୍ ଲିରେନ୍ଙ୍କୁ ପରାସ୍ତ କରିବାରେ ସଫଳ ହୋଇଛନ୍ତି। ଏଥିରେ ଯାହା କେବଳ ଅସ୍ବାଭାବିକ ବୋଧ ହୋଇଥାଏ, ତାହା ହେଉଛି ତାଙ୍କ ଭଳି କୋମଳ ବୟସରେ ତାଙ୍କ ଚରିତ୍ରରେ ଏପରି ପରିପକ୍ବତା ପ୍ରକାଶ ପାଇବା।
ଚାମ୍ପିଅନ୍ସିପ୍ ମ୍ୟାଚ୍ ପୂର୍ବରୁ ଅବଶ୍ୟ ପର୍ଯ୍ୟବେକ୍ଷକମାନେ ଗୁକେଶ ବିଜୟୀ ହେବାକୁ ଯାଉଛନ୍ତି ବୋଲି ପୂର୍ବାନୁମାନ ପ୍ରକାଶ କରିଚାଲିଥିଲେ। ଏହା ପଛରେ ଦୃଢ଼ ଯୁକ୍ତି ନିହିତ ଥିଲା। ଚାମ୍ପିଅନ୍ସିପ୍ ମ୍ୟାଚ୍ରେ ବିଶ୍ବ ଚାମ୍ପିଅନ୍ ଡିଙ୍ଗ୍ ଲିରେନ୍ଙ୍କର ପ୍ରତିଦ୍ବନ୍ଦ୍ବୀ ଚୟନ ନିମିତ୍ତ ଉଦ୍ଦିଷ୍ଟ କାନାଡାରେ ଅନୁଷ୍ଠିତ କ୍ୟାଣ୍ଡିଡେଟ୍ସ ପ୍ରତିଯୋଗିତାରେ ଗୁକେଶ ବିଜୟ ଲାଭ କରି ଡିଙ୍ଗ୍ଙ୍କ ବିରୁଦ୍ଧରେ ଖେଳିବା ପାଇଁ ଅଧିକାର ହାସଲ କରିଥିଲେ। ଗତ ଦୁଇ ଚେସ୍ ଅଲିମ୍ପିଆଡ୍ରେ ସର୍ବୋତ୍ତମ ପ୍ରଦର୍ଶନ ପାଇଁ ସେ ସ୍ବର୍ଣ୍ଣ ପଦକ ଲାଭ କରିଥିଲେ। ୨୦୨୨ରେ ତାଙ୍କ ନେତୃତ୍ବରେ ଚେନ୍ନାଇରେ ଭାରତୀୟ ଟିମ୍ କାଂସ୍ୟ ପଦକ ଜିତିଥିବା ବେଳେ ୨୦୨୪ରେ ବୁଦାପେଷ୍ଟ ଠାରେ ସ୍ବର୍ଣ୍ଣ ପଦକ ଜିତିଥିଲା। ଅପରପକ୍ଷେ ସିଙ୍ଗାପୁର ଠାରେ ଗୁକେଶଙ୍କ ସମ୍ମୁଖୀନ ହେବାକୁ ଆସିବା ପୂର୍ବରୁ ଡିଙ୍ଗ୍ ଲିରେନ୍ଙ୍କର ଫର୍ମ ଅତ୍ୟନ୍ତ ଖରାପ ଥିବା ସହିତ ତାଙ୍କର ମାନସିକ ସ୍ଥିତି ମଧ୍ୟ ଭଲ ନ ଥିଲା।
ଏହା ସତ୍ତ୍ବେ ଡିଙ୍ଗ୍ ଯେତେବେଳେ ଶଙ୍କାକୁଳ ବାଳକ ଗୁକେଶଙ୍କୁ ୧୪ ମ୍ୟାଚ୍ବିଶିଷ୍ଟ ଟୁର୍ନାମେଣ୍ଟ୍ର ପ୍ରଥମ ମ୍ୟାଚ୍ରେ ପରାସ୍ତ କରିବାରେ ସଫଳ ହେଲେ, ତାହା ଡିଙ୍ଗ୍ଙ୍କ ପାଇଁ ଥିଲା ବିଗତ ୩୦୪ ଦିନ ମଧ୍ୟରେ ସର୍ବପ୍ରଥମ ବିଜୟ। ଗୁକେଶ କିନ୍ତୁ ଅସାମାନ୍ୟ ମନୋବଳର ପରିଚୟ ଦେଇ ତୃତୀୟ ମ୍ୟାଚ୍ରେ ବିଜୟ ହାସଲ କରି ତୁରନ୍ତ ଡିଙ୍ଗ୍ଙ୍କ ସହିତ ସମାନ ପଏଣ୍ଟସ୍ ହାସଲ କରିନେଲେ। ଏଭଳି ଲମ୍ବା ଲଢ଼େଇରେ ସର୍ବଦା ଯେମିତି ଘଟିଥାଏ, ଉଭୟ ଖେଳାଳି ପରସ୍ପର ଉପରେ ମରଣାନ୍ତକ ଚାପ ପକାଇ ଚାଲିଲେ ମଧ୍ୟ ସର୍ବପ୍ରଥମ ଥର ପାଇଁ ଏହି ସର୍ବୋଚ୍ଚ ସ୍ତରରେ ଖେଳୁଥିବା ଗୁକେଶ ତାଙ୍କର ବହୁ ଅଧିକ ଅନୁଭୂତିସଂପନ୍ନ ପ୍ରତିଦ୍ବନ୍ଦ୍ବୀଙ୍କ ନିକଟରେ ହାର ମାନିବାକୁ ପ୍ରସ୍ତୁତ ନ ଥିଲେ। ଏହାର ଫଳସ୍ବରୂପ ତୃତୀୟ ମ୍ୟାଚ୍ ପରେ ଲଗାତାର ସାତଟି ମାଚ୍ ଡ୍ର ହୋଇଥିଲା।
ଏକାଦଶ ମ୍ୟାଚ୍ରେ ଗୁକେଶ ଡିଙ୍ଗ୍ଙ୍କୁ ହରାଇ ଆଗକୁ ଚାଲିଯିବା ପରେ ପରେ ଡିଙ୍ଗ୍ କାଳ ବିଳମ୍ବ ନ କରି ଦ୍ବାଦଶ ମ୍ୟାଚ୍ରେ ବିଜୟ ଲାଭ କରି ପୁନରାୟ ଉଭୟଙ୍କ ସ୍କୋର ସମାନ କରିଦେବାରେ ସକ୍ଷମ ହେଲେ। ବାରଟି ଗେମ୍ ପରେ ଯେତେବେଳେ ଉଭୟ ୬ ପଏଣ୍ଟ ଲେଖାଏଁ ହାସଲ କରିଥିଲେ, ପର୍ଯ୍ୟବେକ୍ଷକମାନେ ମନେ କରିଥିଲେ ଯେ ଟୁର୍ନାମେଣ୍ଟର ସମାପ୍ତି ପାଖେଇ ଆସୁଥିବା ବେଳେ ଦ୍ବାଦଶ ଗେମ୍ରେ ପରାଜୟ ଗୁକେଶଙ୍କର ମନୋବଳ ଭାଙ୍ଗି ଦେଇଥିବ ଏବଂ ସେଥିଯୋଗୁଁ ସେ ତ୍ରୟୋଦଶ ଗେମ୍ରେ ମଧ୍ୟ ପରାସ୍ତ ହେବାକୁ ଯାଉଛନ୍ତି। ଏହା ଘଟିଥିଲେ ଡିଙ୍ଗ୍ ଗୁକେଶଙ୍କ ଠାରୁ ଗୋଟିଏ ପଏଣ୍ଟ ଆଗକୁ ଚାଲି ଯାଇଥାନ୍ତେ ଏବଂ ଶେଷ ଅର୍ଥାତ୍ ଚତୁର୍ଦ୍ଦଶ ଗେମ୍ର ତିନିଟି ସମ୍ଭାବ୍ୟ ଫଳାଫଳ - ଜୟ, ପରାଜୟ, ଡ୍ର - ମଧ୍ୟରୁ ଡିଙ୍ଗ୍ ଯଦି ଦୁଇଟି - ଜୟ ବା ଡ୍ର - ହାସଲ କରିପାରନ୍ତେ ତେବେ ସେ ଟୁର୍ନାମେଣ୍ଟରେ ବିଜୟ ଲାଭ କରି ନିଜର ଚାମ୍ପିଅନ୍ ପଦ ବଜାୟ ରଖିପାରନ୍ତେ।
ପର୍ଯ୍ୟବେକ୍ଷକମାନଙ୍କର ଆଶଙ୍କାକୁ ଅମୂଳକ ସାବ୍ୟସ୍ତ କରି ଗୁକେଶଙ୍କ ପାଇଁ କିନ୍ତୁ ଏହି ପରିସ୍ଥିତି ଏକ ବିପରୀତ ପ୍ରଭାବ ସୃଷ୍ଟି କଲା। ଚାମ୍ପିଅନ୍ସିପ୍ ଟୁର୍ନମେଣ୍ଟର ପ୍ରଥମ ଗେମ୍ରେ ଅବତୀର୍ଣ୍ଣ ହେବାବେଳେ ଏଭଳି ଟୁର୍ନାମେଣ୍ଟରେ ଗୁକେଶ ସଂପୂର୍ଣ୍ଣ ରୂପେ ଅନୁଭୂତିଶୂନ୍ୟ ହୋଇଥିବା ବେଳେ, ତ୍ରୟୋଦଶ ଗେମ୍ ବେଳକୁ ଗୁକେଶ ବାରଟି ଗେମ୍ ଖେଳିବାର ଅନୁଭୂତି ହାସଲ କରିସାରିଥିଲେ। ସ୍ବଭାବତଃ ଦୃଢ଼ମନା ଗୁକେଶଙ୍କ ପାଇଁ ସତେ ଯେମିତି ଏତିକି ଅନୁଭୂତି ଯଥେଷ୍ଟ ଥିଲା: ସେ ସହଜରେ ତ୍ରୟୋଦଶ ଗେମ୍ରେ ଏକ ଡ୍ର ହାସଲ କରିନେଲେ, ଯାହା ଫଳରେ ଉଭୟଙ୍କ ସ୍କୋର ୬.୫ ଲେଖାଏଁରେ ସମାନ ରହିଲା। ଏହି ଅଭାବିତ ଫଳ ବୋଧହୁଏ ଡିଙ୍ଗ୍ ଲିରେନ୍ଙ୍କର ଆତ୍ମବିଶ୍ବାସ ଅନ୍ତର୍ଦ୍ଧାନ ହେବା ପାଇଁ ଯଥେଷ୍ଟ ଥିଲା; ସେ ଚତୁର୍ଦ୍ଦଶ ତଥା ଶେଷ ଗେମ୍ରେ ଏକ ଶିଶୁସୁଲଭ ଭୁଲ୍ ଗୋଟି ଚାଳନା କରି ପରାସ୍ତ ହୋଇ ଟୁର୍ନାମେଣ୍ଟରେ ଗୁକେଶଙ୍କ ଠାରୁ ୬.୫-୭.୫ ପଏଣ୍ଟସ୍ରେ ପରାସ୍ତ ହେଲେ। ଗୁକେଶ ପ୍ରଦର୍ଶନ କରିଥିବା ବ୍ୟକ୍ତିତ୍ବ ଦେଖି କୌଣସି ସନ୍ଦେହ ରହେ ନାହିଁ ଯେ ଚେସ୍ ସ୍ଥାନରେ ଯଦି ଡେନେଟ୍-ଉଦ୍ଭାବିତ ‘ଚ୍ମେସ୍’ ଖେଳାଯାଏ, ସେଥିରେ ମଧ୍ୟ ଗୁକେଶ ଦୋମ୍ମାରାଜୁ ଚାମ୍ପିଅନ୍ ହେବା ନିଶ୍ଚିତ।