ଆମକୁ ଯେଉଁ କଠୋର ସତ୍ୟ ସ୍ବୀକାର କରିବାକୁ େହବ, ତାହା ହେଲା ଆମ ପୁଲିସ ଓ ନ୍ୟାୟପାଳିକାର ଅବହେଳା ଓ ଅପାରଗତା ହେଉଛି ଦେଶରେ ନାରୀମାନଙ୍କର ଅସହାୟତାର ମୁଖ୍ୟ କାରଣ। ରାଷ୍ଟ୍ରର ଉପଯୁକ୍ତ ନେତୃତ୍ବ ଯଦି ସଂସ୍କାର ମାଧ୍ୟମରେ ଏଥିରେ ଉନ୍ନତି ଘଟାଇ ପାରନ୍ତା, ତେବେ ରୋହିଣୀ ଖାଡ଼ସେଙ୍କ ପରି ନେତ୍ରୀମାନଙ୍କୁ ଏଭଳି ଦାବି କରିବାକୁ ପଡ଼ନ୍ତା ନାହିଁ।
ଅନ୍ତତଃ ଗୋଟିଏ ହତ୍ୟାକାଣ୍ଡ ଘଟାଇବା ପାଇଁ ଭାରତର ପ୍ରତ୍ୟେକ ନାରୀକୁ ଆଇନଗତ ସୁରକ୍ଷା ପ୍ରଦାନ କରାଯାଉ। ଶନିବାର ଆନ୍ତର୍ଜାତିକ ମହିଳା ଦିବସ ପାଳନ ଅବସରରେ ଶରଦ ପାୱାରଙ୍କ ନେତୃତ୍ବାଧୀନ ‘ନେସ୍ନାଲିଷ୍ଟ କଂଗ୍ରେସ ପାର୍ଟି’ (‘ଏନ୍ସିପି’)ର ମହିଳା ଶାଖାର ମୁଖ୍ୟ ରୋହିଣୀ ଖାଡ଼ସେ ଦେଶର ମହିଳା ରାଷ୍ଟ୍ରପତିଙ୍କୁ ଲେଖିଥିବା ଯେଉଁ ପତ୍ର ଦେଶବ୍ୟାପୀ ଚାଞ୍ଚଲ୍ୟ ସୃଷ୍ଟି କରିଛି, ସେଥିରେ ସେ ଭାରତୀୟ ନାରୀମାନଙ୍କୁ ଏହି ଘାତକ ଅଧିକାର ପ୍ରଦାନ ନିମିତ୍ତ ପଦକ୍ଷେପ ନେବା ପାଇଁ ମହାମହିମ ରାଷ୍ଟ୍ରପତିଙ୍କୁ ଅନୁରୋଧ କରି ସମସ୍ତଙ୍କୁ ହତଭମ୍ଭ କରିଦେଇଛନ୍ତି। ମହାରାଷ୍ଟ୍ରରେ ନିକଟରେ ଘଟିଥିବା ଏକ ୧୨ ବର୍ଷୀୟା ବାଳିକାର ଗଣଧର୍ଷଣ ଘଟଣା ପ୍ରତି ଦୃଷ୍ଟି ଆକର୍ଷଣ କରି ଭାରତରେ ମହିଳାମାନେ ସମ୍ମୁଖୀନ ହେଉଥିବା ବ୍ୟାପକ ହିଂସାଚରଣର ମୁକାବିଲା ପାଇଁ ସେମାନଙ୍କୁ ଏହି ବିରଳ ଅଧିକାର ପ୍ରଦାନ କରାଯିବା ଆବଶ୍ୟକ ବୋଲି ରୋହିଣୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅନୁରୋଧ କରିଛନ୍ତି।
ଭାରତରେ ମହିଳାମାନଙ୍କର ଅସୁରକ୍ଷିତ ଅବସ୍ଥା ସମ୍ବନ୍ଧରେ ଦୃଢ଼ ପ୍ରମାଣ ଉପସ୍ଥାପନ ସ୍ବରୂପ ରୋହିଣୀ ତାଙ୍କର ପତ୍ରରେ ‘ୱର୍ଲଡ୍ ପପୁଲେସନ୍ ରିଭିଉ’ ଦ୍ବାରା କରାଯାଇଥିବା ଏକ ସର୍ବେକ୍ଷଣର ଫଳାଫଳ ପ୍ରତି ଦୃଷ୍ଟି ଆକର୍ଷଣ କରିଛନ୍ତି, ଯେଉଁଥିରେ ଭାରତ ସମଗ୍ର ଏସିଆ ମହାଦେଶରେ ମହିଳାମାନଙ୍କ ପାଇଁ ସର୍ବାଧିକ ଅସୁରକ୍ଷିତ ଦେଶ ରୂପେ ଆବିର୍ଭୂତ ହୋଇଛି। ଧର୍ଷଣରୁ ଆରମ୍ଭ କରି ଅପହରଣ, ପାରିବାରିକ ହିଂସାକାଣ୍ଡ, ଏସିଡ୍ ଆକ୍ରମଣ, ଇଜ୍ଜତ-ହତ୍ୟା ଆଦି ନାରୀମାନେ ଭାରତରେ ନିୟମିତ ଭାବରେ ସମ୍ମୁଖୀନ ହେଉଥିବା ବିପଦମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ ବୋଲି ସେଇ ରିପୋର୍ଟରେ ଦର୍ଶାଯାଇଛି। ‘ନେସ୍ନାଲ୍ କ୍ରାଇମ୍ ରେକର୍ଡସ୍ ବ୍ୟୁରୋ’ (‘ଏନ୍ସିଆର୍ବି’) ଦ୍ବାରା ପ୍ରକାଶିତ ପରିସଂଖ୍ୟାନ ଅନୁସାରେ ୨୦୨୨ରେ ଭାରତରେ ପ୍ରତି ଘଣ୍ଟାରେ ହାରାହାରି ୫୧ଟି ମହିଳାମାନଙ୍କ ପ୍ରତି ହିଂସାଚରଣ ସଂପର୍କିତ ‘ଏଫ୍ଆଇଆର୍’ ଦରଜ ହୋଇଥିଲା। ଏଥିରେ ସନ୍ଦେହ ନାହିଁ ଯେ ‘ଏଫ୍ଆଇଆର୍’ ଦରଜ ନ ହୋଇଥିବା ଏଭଳି ଅପରାଧ ସଂଖ୍ୟା ଏହାଠାରୁ ବହୁଗୁଣ ଅଧିକ ହୋଇଥିବ।
ପ୍ରଚଳିତ ଆଇନ ଓ ନ୍ୟାୟ ବ୍ୟବସ୍ଥା ଭାରତରେ ନାରୀମାନଙ୍କୁ ସୁରକ୍ଷିତ ରଖିବାରେ ଏପରି ବିଫଳ ହୋଇଥିବାରୁ ନିଜର ସୁରକ୍ଷା ନିମିତ୍ତ ସେମାନଙ୍କୁ ସଶକ୍ତ କରିବା ପାଇଁ ସେମାନଙ୍କୁ ଏହି ‘ଏକ ଖୁଣ୍ ମାଫ୍’ ଅଧିକାର ପ୍ରଦାନ କରାଯାଉ ବୋଲି ରୋହିଣୀ ଖାଡ଼ସେ ରାଷ୍ଟ୍ରପତିଙ୍କୁ ନିବେଦନ କରିଛନ୍ତି। ଅବଶ୍ୟ ଏକ ଦୃଢ଼ ସମ୍ଭାବନା ରହିଛି ଯେ ତାଙ୍କର ଏହି ସଂପୂର୍ଣ୍ଣ ଅଚିନ୍ତନୀୟ ଅନୁରୋଧକୁ ରାଷ୍ଟ୍ରପତି ଆକ୍ଷରିକ ରୂପେ ଗ୍ରହଣ କରିବା ବୋଧହୁଏ ରୋହିଣୀଙ୍କର ଉଦ୍ଦେଶ୍ୟ ନୁହେଁ; ଏହା ମାଧ୍ୟମରେ ଭାରତୀୟ ସମାଜ ପରି ଏକ ପୁରୁଷ-ପ୍ରଧାନ, ନାରୀ-ପ୍ରତିକୂଳ ସମାଜର ବିବେକକୁ ଧକ୍କା ଦେଇ ଦୋହଲାଇ ଦେବା ହୁଏତ ହେଉଛି ତାଙ୍କର ଅସଲ ଉଦ୍ଦେଶ୍ୟ। କିନ୍ତୁ ଭାରତରେ ନାରୀ-ନିରାପତ୍ତା ନିଶ୍ଚିତ କରିବା ପାଇଁ ଜଣେ ନାରୀନେତ୍ରୀଙ୍କୁ େଯ ଏଭଳି ଏକ ଚରମ ପଦକ୍ଷେପର ପରିକଳ୍ପନା କରିବାକୁ ପଡ଼ିଛି, ତାହା ଏଠାରେ ନାରୀମାନଙ୍କର ଚରମ ଅସହାୟବୋଧକୁ ପଦାରେ ପକାଇଥାଏ। ଏଥିସହିତ, ଯେହେତୁ ରାଷ୍ଟ୍ରର ସର୍ବୋଚ୍ଚ ସ୍ତରରେ ଏହି ଚରମ ପ୍ରସ୍ତାବ ବିଚାର କରାଯିବାର ଏକ ଅବକାଶ ସୃଷ୍ଟି ହେଲାଣି, ବୃହତ୍ତର ସମାଜରେ ଏହା ଏକ ବିତର୍କର ବିଷୟବସ୍ତୁରେ ପରିଣତ ହେବା ଅନିବାର୍ଯ୍ୟ।
ରୋହିଣୀ ଖାଡ଼ସେଙ୍କର ଏହି ପ୍ରସ୍ତାବ ଯେଉଁ ପ୍ରସଙ୍ଗକୁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁରେ ପରିଣତ କରିଥାଏ, ତାହା ହେଉଛି- ନ୍ୟାୟ। ଏକ ସଭ୍ୟ ସମାଜର ମୂଳଭିତ୍ତି ହେଉଛି ନ୍ୟାୟ। େରାହିଣୀ ଦାବି କରିଥିବା ଭଳି ଜଣେ ଅତ୍ୟାଚାରିତା ତା’ର ଅତ୍ୟାଚାରକାରୀକୁ ହତ୍ୟା କରିବାର ଅଧିକାର ଯେଉଁ ନ୍ୟାୟ ବ୍ୟବସ୍ଥା ଉପରେ ଆଧାରିତ ହୋଇଥାଏ, ତାହା ହେଉଛି- ‘ପ୍ରତିଶୋଧାତ୍ମକ ନ୍ୟାୟ’। ପ୍ରତିଶୋଧାତ୍ମକ ନ୍ୟାୟକୁ ଯାହା ଯଥାର୍ଥ ପ୍ରତିପାଦିତ କରିଥାଏ, ତାହା ହେଲା- ‘ଉଚିତ ପ୍ରାପ୍ୟ’ ବା ‘ଯେସାକୁ ତେସା/ହାରାମଜାଦାକୁ ଟାଙ୍ଗିଆ ପଶା’ ନୀତି।
ଅଷ୍ଟାଦଶ ଶତାବ୍ଦୀର ମହାନ ଜର୍ମାନ୍ ଦାର୍ଶନିକ ଇମାନୁଏଲ୍ କାଣ୍ଟ ଏହି ‘ଉଚିତ ପ୍ରାପ୍ୟ’ ନୀତି ହେଉଛି କିପରି ନ୍ୟାୟୋଚିତ, ତାହା ବୁଝାଇବା ପାଇଁ ‘ଋଣ’ ରୂପକଳ୍ପର ବ୍ୟବହାର କରିଥିଲେ। ତାଙ୍କ ଅନୁସାରେ ଏକ ସଭ୍ୟ ସମାଜରେ ନାଗରିକମାନେ ଆଇନର ଶାସନର ସୁବିଧାମାନ ଉପଭୋଗ କରିଥାନ୍ତି। ଏହାର ପ୍ରତିବଦଳରେ ସେମାନଙ୍କୁ ଆଇନ ମାନି ଚଳିବାକୁ େହାଇଥାଏ, ଅର୍ଥାତ୍ ଆତ୍ମସଂଯମ ରକ୍ଷା କରିବାକୁ ପଡ଼ିଥାଏ। ସଂଯମ ହେଉଛି ଉକ୍ତ ସୁବିଧା ଉପଭୋଗ ପାଇଁ ନାଗରିକ ଦେଉଥିବା ମୂଲ୍ୟ। ଯେଉଁ ନାଗରିକ ଏହି ସଂଯମ ରକ୍ଷା ନ କରି ଆଇନ ଉଲ୍ଲଂଘନ କରିଥାଏ କିନ୍ତୁ ନିଜେ ଆଇନର ଶାସନର ସୁବିଧାମାନ ଉପଭୋଗ କରିଥାଏ, ସେ ମାଗଣାରେ ତାହା ଉପଭୋଗ କରିଥାଏ; ଏହାର ଅର୍ଥ ସେ ଏହାଦ୍ବାରା ସମାଜ ନିକଟରେ ଋଣୀ ହୋଇଥାଏ। ଏଥିପାଇଁ ସେ ଦଣ୍ଡ ପାଇବା ଦ୍ବାରା ସମାଜର ଋଣ ପରିଶୋଧ କରିଥାଏ। କୁହାଯାଇପାରେ ସେ ଆଇନ ଉଲ୍ଲଂଘନ କରିବା ଦ୍ବାରା ଯିଏ କ୍ଷତିଗ୍ରସ୍ତ ହୋଇଥାଏ, ପ୍ରତିଶୋଧାତ୍ମକ ନ୍ୟାୟ ଅନୁସାରେ ସେଇ ହିଁ ଉକ୍ତ ଆଇନ ଉଲ୍ଲଂଘନକାରୀ ଅପରାଧୀକୁ ଋଣ ପରିଶୋଧମୂଳକ ଦଣ୍ଡ ଦେବା ପାଇଁ ହକ୍ଦାର।
ରୋହିଣୀ ଖାଡ଼ସେ ଭାରତର ଅତ୍ୟାଚାରିତା ନାରୀମାନଙ୍କ ପାଇଁ ଏହି ଅଧିକାର ହିଁ ଦାବି କରିଛନ୍ତି। ତାଙ୍କର ଏହି ପ୍ରସ୍ତାବ ସପକ୍ଷରେ ଯୁକ୍ତି କରାଯାଇପାରେ ଯେ ଅତ୍ୟାଚାରର ମୁକାବିଲା କରିବା ପାଇଁ ଶାରୀରିକ ଭାବରେ ‘ଦୁର୍ବଳା ଅବଳା’କୁ ଏହି ଅଧିକାର ପ୍ରଦାନ ଶକ୍ତ ଆଇନଗତ ମାଂସପେଶୀ ଯୋଗାଇବ। ମୃତ୍ୟୁର ଭୟ ସମ୍ଭାବ୍ୟ ଅତ୍ୟାଚାରକାରୀ ପୁରୁଷମାନଙ୍କୁ ନାରୀ ଉପରେ ବାସ୍ତବରେ ଅତ୍ୟାଚାର କରିବାରୁ ନିବୃତ୍ତ କରିବ।
ଏଭଳି ଯୁକ୍ତି କିନ୍ତୁ ସମସ୍ୟାମୁକ୍ତ ନୁହେଁ। ରୋହିଣୀଙ୍କ ପ୍ରସ୍ତାବିତ ଅଧିକାର ହେଉଛି ଏକ ଆତ୍ମରକ୍ଷାମୂଳକ ଅଧିକାର। ପ୍ରଚଳିତ ଆଇନରେ ମଧ୍ୟ ଏଭଳି ଆତ୍ମରକ୍ଷା ଅଧିକାର ପାଇଁ ବ୍ୟବସ୍ଥା ରହିଛି। କିନ୍ତୁ ରୋହିଣୀ କଳ୍ପନା କରିଥିବା ଭଳି ଗୋଟିଏ ହତ୍ୟାକାଣ୍ଡ ଘଟାଇବା ପାଇଁ ନାରୀମାନଙ୍କୁ ଯଦି ନିଃସର୍ତ୍ତ ଅଧିକାର ପ୍ରଦାନ କରାଯାଏ, ତେବେ ସ୍ଥଳବିଶେଷରେ ସେଭଳି ଅଧିକାର ଆତ୍ମରକ୍ଷା ପାଇଁ ବ୍ୟବହୃତ ହେବା ପରିବର୍ତ୍ତେ ନିଜର ସ୍ବାର୍ଥ ସାଧନ ନିମିତ୍ତ ଆକ୍ରମଣରେ ବ୍ୟବହୃତ ହେବାର ସମ୍ଭାବନା ରହିଛି। ଏପରି ଘଟିଲେ କାଣ୍ଟଙ୍କର ଉପରଲିଖିତ ‘ଋଣ’ ରୂପକଳ୍ପର ଓଲଟ ପ୍ରୟୋଗ ଦେଖିବାକୁ ମିଳିବ ବୋଲି କୁହାଯାଇପାରେ। ଆଇନ ଉଲ୍ଲଂଘନକାରୀ ଅପରାଧୀକୁ ଦଣ୍ଡ ଦେଇ ତା’ର ଋଣ ପରିଶୋଧ ନିଶ୍ଚିତ କରିବା ପରିବର୍ତ୍ତେ ଏହି ଅଧିକାରର ଦୁରୁପଯୋଗ କରି ମହିଳାମାନେ ଯେ ଅନେକ ସମୟରେ ଅପରାଧ ଘଟାଇ ନିଜେ ସମାଜ ନିକଟରେ ଋଣଗ୍ରସ୍ତ ହୋଇ ନ ଯିବେ, ତାହା କିଏ କହିବ?
ଏପରି ସମ୍ଭାବନାକୁ ପ୍ରତିହତ କରିବା ନିମିତ୍ତ ପୁରୁଷମାନେ ଯଦି ନାରୀମାନଙ୍କ ଉପରେ ସେମାନଙ୍କର ନିୟନ୍ତ୍ରଣକୁ ଆହୁରି କଠୋର କରିବାକୁ ଚେଷ୍ଟା ଆରମ୍ଭ କରିଦିଅନ୍ତି, ତେବେ ତ ଏହି ଉଦ୍ୟମର ଫଳ ସଂପୂର୍ଣ୍ଣ ବିପରୀତ ହେବ। ମହିଳାମାନେ ସମ୍ମୁଖୀନ ହେଉଥିବା ହିଂସାକାଣ୍ଡମାନ ଅନେକ ସମୟରେ ପରିବାର ମଧ୍ୟରେ ଘଟୁଥିବାରୁ, ସେମାନଙ୍କୁ ଏଭଳି ହତ୍ୟା କରିବାର ଅଧିକାର ପ୍ରଦାନ ପରିବାରର ସଂହତିରୁ ଆରମ୍ଭ କରି ଶିଶୁ ମନସ୍ତତ୍ତ୍ବ ପର୍ଯ୍ୟନ୍ତ ଉପରେ କିଭଳି ପ୍ରଭାବ ପକାଇବ, ତାହାର ଗଭୀର ସମାଜତାତ୍ତ୍ବିକ ଓ ମନସ୍ତାତ୍ତ୍ବିକ ଅନୁସନ୍ଧାନ ଲୋଡ଼ା।
ଶେଷରେ ଆମକୁ ଯେଉଁ କଠୋର ସତ୍ୟ ସ୍ବୀକାର କରିବାକୁ େହବ, ତାହା ହେଲା ଆମ ପୁଲିସ ଓ ନ୍ୟାୟପାଳିକାର ଅବହେଳା ଓ ଅପାରଗତା ହେଉଛି ଦେଶରେ ନାରୀମାନଙ୍କର ଅସହାୟତାର ମୁଖ୍ୟ କାରଣ। ରାଷ୍ଟ୍ରର ଉପଯୁକ୍ତ ନେତୃତ୍ବ ଯଦି ସଂସ୍କାର ମାଧ୍ୟମରେ ଏଥିରେ ଉନ୍ନତି ଘଟାଇ ପାରନ୍ତା, ତେବେ ରୋହିଣୀ ଖାଡ଼ସେଙ୍କ ପରି ନେତ୍ରୀମାନଙ୍କୁ ଏଭଳି ଦାବି କରିବାକୁ ପଡ଼ନ୍ତା ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/OAnDiWZ5zjRDfuWfWgMX.jpg)