ପ୍ରକୃତ ବିଡ଼ମ୍ବନାଟି ହେଲା, ଅନୁସୂଚିତ ଜାତି ଓ ଜନଜାତି ବର୍ଗରୁ ମୁଖ୍ୟ-ସ୍ରୋତୀୟ ହୋଇଥିବାର ଆଶ୍ବାସନା ବହନ କରିଥିବା ଅନେକ ବ୍ୟକ୍ତି ଅସ୍ପୃଶ୍ୟତାର ପ୍ରାଚୀରକୁ ସଂପୂର୍ଣ୍ଣ ଭାବେ ଚୂର୍ଣ୍ଣ କରିପାରି ନ ଥାଆନ୍ତି। ତେଣୁ ଯାହା ହୃଦ୍ବୋଧ ହୋଇଥାଏ, ତାହା ହେଲା ଆରକ୍ଷଣ ବ୍ୟବସ୍ଥାର ସୀମିତ ଫଳପ୍ରଦତାକୁ ବିଚାର କରି ଅନୁସୂଚିତ ଜାତି ଓ ଜନଜାତି ବର୍ଗ ସକାଶେ ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ବିହିତ ଉନ୍ନତି ଅଣାଯିବା ଅଧିକ ଗୁରୁତ୍ବପୂର୍ଣ୍ଣ, ଯାହା ସେମାନଙ୍କୁ ଅଧିକ ପ୍ରତ୍ୟୟବାନ ଏବଂ ଯୋଗ୍ୟ କରି ଆରକ୍ଷଣ ଲାଗି ନିର୍ଦ୍ଧାରିତ ପଦ ଓ ଆସନ ପୂରଣ କରିବାରେ ସମର୍ଥ କରିବ। ଏହା ଦ୍ବାରା ସେମାନଙ୍କ ପ୍ରତିନିଧିତ୍ବ ଆଖିଦୃଶିଆ ମଧ୍ୟ ହେବ।
ଗଲା ଗୁରୁବାର ଦିନ ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କ ଏକ ସାତଜଣିଆ ଖଣ୍ଡପୀଠଙ୍କ ଦ୍ବାରା ପ୍ରଦତ୍ତ ଏକ ରାୟ ପରେ ଜାତିଆଣ ଭେଦଭାବ, ପ୍ରାଚୀନ କାଳରୁ ପ୍ରଚଳିତ ହୋଇ ରହିଥିବା ଜାତି ବିଚାର ଓ ଜାତି ବ୍ୟବସ୍ଥା, ଜାତିଭିତ୍ତିକ ଆରକ୍ଷଣର ଫଳପ୍ରଦତା ଓ ପ୍ରାସଙ୍ଗିକତା ଏବଂ ଜାତିଭିତ୍ତିକ ଜନଗଣନାର ଆବଶ୍ୟକତା ଆଦିକୁ ନେଇ ତୁମୂଳ ଆଲୋଚନା ଆରମ୍ଭ ହୋଇଯାଇଛି। ପ୍ରକାଶ ଥାଉ କି ଛଅ-ଏକ ବହୁମତ ସହିତ ଖଣ୍ଡପୀଠ ଯେଉଁ ନିଷ୍କର୍ଷରେ ପହଞ୍ଚିଛନ୍ତି, ତାହା ହେଲା, ଅନୁସୂଚିତ ଜାତି ଓ ଜନଜାତି ବର୍ଗ ମଧ୍ୟରୁ କେତେକ ଜାତି ଅନ୍ୟ ଜାତିଙ୍କ ତୁଳନାରେ ଅନେକ ପଛରେ ପଡ଼ି ଯାଇଛନ୍ତି, ଯେଉଁମାନଙ୍କ ଉତ୍ଥାନ ଆବଶ୍ୟକ ଏବଂ ସେଥି ସକାଶେ ରାଜ୍ୟଗୁଡ଼ିକ ସେଭଳି ନିର୍ଦ୍ଦିଷ୍ଟ ଜାତିଗୁଡ଼ିକର ଚିହ୍ନଟ କରିବା ସହିତ ସେଗୁଡ଼ିକ ସକାଶେ ଅଧିକ ଆରକ୍ଷଣର ବ୍ୟବସ୍ଥା କରିପାରନ୍ତି; କିନ୍ତୁ ତହିଁରେ ଯେମିତି ଅନୁସୂଚିତ ଜାତି ଓ ଜନଜାତିଙ୍କ ସକାଶେ ଥିବା ମୋଟ ଆରକ୍ଷଣ ହାର ବା ଜାତି ଓ ଜନଜାତି ତାଲିକାରେ କୌଣସି ପରିବର୍ତ୍ତନ ନ ଘଟେ। ଅର୍ଥାତ୍, ଆରକ୍ଷଣର ନିର୍ଦ୍ଧାରିତ ପରିସର ମଧ୍ୟରେ ହିଁ ଯୋଗ-ବିୟୋଗର ବୁଝାମଣା କରାଯାଇପାରେ। ସାଂପ୍ରତିକ ସମାଜର ବସ୍ତୁସ୍ଥିତିକୁ ଅନୁଧ୍ୟାନ କଲେ ଯଦିଓ ମାନ୍ୟବର ଅଦାଲତଙ୍କ ରାୟ ଯୁକ୍ତିଯୁକ୍ତ ଭଳି ମନେ ହୋଇଥାଏ, କିନ୍ତୁ ଏହାର ରୂପାୟନ କିଭଳି କଷ୍ଟପ୍ରଦ ଓ ଏହାର ପରିଣାମ କିଭଳି ବିବାଦସଂକୁଳ ହୋଇପାରେ, ତାହା ଏକ କ୍ଷୁଦ୍ର ଆଲୋଚନା ପରେ ହୁଏତ ସ୍ପଷ୍ଟ ହେବ।
ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କ ରାୟ ଅନୁସାରେ ରାଜ୍ୟ ସରକାରଗୁଡ଼ିକ ଅନୁସୂଚିତ ଜାତି ଓ ଜନଜାତି ବର୍ଗରେ ରହିଥିବା ଅତି ବଞ୍ଚିତ ବର୍ଗଙ୍କୁ ଚିହ୍ନଟ କରିବା ବେଳେ ଯଥେଷ୍ଟ ‘ଡେଟା’ ଠୁଳ କରିବା ସହିତ ବସ୍ତୁସ୍ଥିତି ଅନୁଶୀଳନ କରିବା ଆବଶ୍ୟକ; ଅର୍ଥାତ୍ ରାଜ୍ୟରେ କ୍ଷମତାସୀନ ଦଳଗୁଡ଼ିକ ଭୋଟ ବ୍ୟାଙ୍କ ସୃଷ୍ଟି ଉଦ୍ଦେଶ୍ୟରେ ନିଜ ପକ୍ଷକୁ ସୁହାଇବା ଭଳି ନିର୍ଦ୍ଦିଷ୍ଟ ଜାତି ଆରକ୍ଷଣ ନିଷ୍ପତ୍ତି ନେବାର ସମ୍ଭାବନା କ୍ଷୀଣ ହେବ। କିନ୍ତୁ ଏହି ପ୍ରସଙ୍ଗରେ ମୂଳ ପ୍ରଶ୍ନ ହେଲା ‘ଜାତିଭିତ୍ତିକ ଜନଗଣନା’ ବ୍ୟତୀତ ଏଭଳି ‘ଡେଟା’ ଉପଲବ୍ଧ ହେବ କିଭଳି? ଏହା ସୁବିଦିତ ଯେ ସଂପ୍ରତି କେନ୍ଦ୍ରରେ କ୍ଷମତାସୀନ ବିଜେପି ନେତୃତ୍ବାଧୀନ ସରକାର ଜାତିଭିତ୍ତିକ ଜନଗଣନାକୁ ସମର୍ଥନ କରି ନ ଥାଆନ୍ତି ଏବଂ ୨୦୧୧ ମସିହା ପରଠାରୁ ଦେଶରେ ସାଧାରଣ ଜନଗଣନା ମଧ୍ୟ ସଂପନ୍ନ ହୋଇନାହିଁ। ଏଭଳି ଜାତିଗୁଡ଼ିକୁ ପ୍ରମାଣିକତାର ସହିତ ଚିହ୍ନଟ କରିବା ଏକ ଦୁରୂହ ବ୍ୟାପାର। ପୁଣି, ଅନେକ ପର୍ଯ୍ୟବେକ୍ଷକଙ୍କ ମତରେ ଏହି ରାୟ ଫଳରେ ‘ଆରକ୍ଷଣ’ ମଧ୍ୟରେ ଆଉ ଏକ ‘ଆରକ୍ଷଣ’ ବ୍ୟବସ୍ଥା ସୃଷ୍ଟି ହୋଇ ଅନୁସୂଚିତ ଜାତି ଓ ଜନଜାତି ସଂପ୍ରଦାୟ ମଧ୍ୟରେ ଏକ ସ୍ବୀକୃତିପ୍ରାପ୍ତ ବିଭାଜନ ଏପରିକି ବିଦ୍ବେଷକୁ ଜନ୍ମ ଦେଇପାରେ, ଯହିଁରେ ନୂତନ ଲାଭାର୍ଥୀ ବର୍ଗ ଅବଶିଷ୍ଟଙ୍କ ଆକ୍ରୋଶର ଶରବ୍ୟ ହୋଇପାରନ୍ତି, ସୁତରାଂ, ଏହା ଉପଦ୍ରବ ସୃଷ୍ଟିକାରୀ ‘ପାଣ୍ଡୋରା ବାକ୍ସ’କୁ ଖୋଲିଦେଲା ଭଳି ଏକ ଉଦ୍ୟମ। ମାନ୍ୟବର ବିଚାରପତିମାନେ ସେମାନଙ୍କ ଆଲୋଚନାରେ ପ୍ରସଙ୍ଗ କ୍ରମେ ଅନୁସୂଚିତ ଜାତି ଓ ଜନଜାତି ବର୍ଗ ମଧ୍ୟରେ ‘କ୍ରିମି ଲେୟର’ ବା ‘ଲହୁଣି ପରସ୍ତ’ଙ୍କ ବିଷୟ ଅବତାରଣା କରି ସେହି ସୁବିଧାଭୋଗୀ ବର୍ଗଙ୍କ ଅପସାରଣ ଆଡ଼କୁ ଇଙ୍ଗିତ କରିଛନ୍ତି। କିନ୍ତୁ ବିଡ଼ମ୍ବନା ହେଲା ସରକାରୀ ଚାକିରି ବା ଉଚ୍ଚ ଶିକ୍ଷାନୁଷ୍ଠାନରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ଲାଗି ଉଦ୍ଦିଷ୍ଟ ପଦ ବା ଆସନରୁ ମାତ୍ର ୯-୧୦ ପ୍ରତିଶତ ପୂରଣ ହୋଇଥାଏ, ଯହିଁରେ ‘ଲହୁଣି ପରସ୍ତ’ଙ୍କ ଦାୟାଦମାନଙ୍କ ଅନେକ ଯୋଗଦାନ ରହିଥାଏ। ସୁତରାଂ, ସେମାନଙ୍କୁ ଅପସାରଣ କରି ଦିଆଗଲେ ଅନୁସୂଚିତ ଜାତି ଓ ଜନଜାତି ବର୍ଗ ଯତ୍ ସାମାନ୍ୟ ପ୍ରତିନିଧିତ୍ବ ଲାଭ କରିବାରୁ ମଧ୍ୟ ବଂଚିତ ହେବ। କେବଳ ସେତିକି ନୁହେଁ, ହଜାର ହଜାର ବର୍ଷର ଜାତିଗତ ଘୃଣା ଓ ବିଦ୍ବେଷ ପରିପ୍ରେକ୍ଷୀରେ ଗୋଟିଏ ପିଢ଼ିର ଲାଭାର୍ଥୀଙ୍କୁ କ’ଣ ‘ଲହୁଣି ପରସ୍ତ’ ଭାବେ ଅଭିହିତ କରାଯାଇପାରେ? ସୁତରାଂ, ‘ଲହୁଣି ପରସ୍ତ’ ନିର୍ଦ୍ଧାରଣ ସକାଶେ ଏକ ମାପଦଣ୍ଡର ମଧ୍ୟ ଆବଶ୍ୟକତା ରହିଛି।
ଏକବିଂଶ ଶତାବ୍ଦୀର ପୃଥିବୀରେ ଜାତିଆଣ ବିଦ୍ବେଷଜନିତ ଅସ୍ପୃଶ୍ୟତା ଏକ ଉଦ୍ଭଟ ଚେତନାଗତ ବିକୃତି ଭଳି ଦିଶୁଥିଲେ ହେଁ ଏହା ଯେ ଭାରତୀୟ ସମାଜରେ ଏକ ଦୈନନ୍ଦିନ ବାସ୍ତବତା, ଏଥିରେ ସନ୍ଦେହ ନାହିଁ। ଆବହମାନ କାଳରୁ ଭାରତୀୟ ସମାଜରେ ଦୃଢ଼ମୂଳ ହୋଇଥିବା ଜାତିଆଣ ମନସ୍ତତ୍ତ୍ବ, ଦର୍ଶନ ଓ ସମୀକରଣ କିଭଳି ଅବାନ୍ତର ଓ ଜଟିଳ, ତାହା ଏଥିରୁ ସ୍ପଷ୍ଟ ହେବ ଯେ ସମସ୍ତ ଅସବର୍ଣ୍ଣ ଜାତି ସବର୍ଣ୍ଣମାନଙ୍କ ଦ୍ବାରା ସମ ଭାବେ ଅସ୍ପୃଶ୍ୟ ହୋଇ ନ ଥାଆନ୍ତି, ଯେମିତି କେତେକ ଜାତି ଲାଗି ମନ୍ଦିର ପ୍ରବେଶ ସଂପୂର୍ଣ୍ଣ ନିଷେଧ ହୋଇଥିବା ବେଳେ କେତେକ ଜାତି ବେଢ଼ା ପର୍ଯ୍ୟନ୍ତ ପ୍ରବେଶ କରିପାରନ୍ତି; କେବଳ ସେତିକି ନୁହେଁ, ଏକ ବିଡ଼ମ୍ବନା ହେଲା ସବର୍ଣ୍ଣ-ଅସ୍ପୃଶ୍ୟ ଜାତିଗୁଡ଼ିକ ମଧ୍ୟ ପାରସ୍ପରିକ ଅସ୍ପୃଶ୍ୟତାରୁ ମୁକ୍ତ ହୋଇ ନ ଥାଆନ୍ତି, ଯେମିତି ବିହାରରେ ଧୀବରମାନେ ସେମାନଙ୍କ ନୌକା ମଧ୍ୟକୁ ଚମାରଙ୍କ ପ୍ରବେଶକୁ ପ୍ରତ୍ୟାଖ୍ୟାନ କରିପାରନ୍ତି। ସୁତରାଂ, ସ୍ପୃଶ୍ୟ-ଅସ୍ପୃଶ୍ୟ ବିଚାରରେ ରହିଥିବା ଏଭଳି ଦୁର୍ବୋଧ୍ୟ ସୂକ୍ଷ୍ମତାକୁ ଦୂର କରିବା କେବଳ ସରକାରୀ ଆରକ୍ଷଣ ଭଳି ଏକ ସ୍ଥୂଳ ବ୍ୟବସ୍ଥା ପକ୍ଷରେ ସମ୍ଭବ କି? ଏଭଳି ପ୍ରଶ୍ନର କାରଣ, ଏହି ବ୍ୟବସ୍ଥା ମୁଖ୍ୟତଃ ଆର୍ଥିକ ବିକାଶ ଓ ସମ୍ମାନଜନକ ଜୀବିକା ବା ବୃତ୍ତି ପ୍ରଦାନ ଉପରେ ଗୁରୁତ୍ବ ଆରୋପ କରିଥାଏ। କିନ୍ତୁ ଅସ୍ଥିମଜ୍ଜାଗତ ହୋଇ ରହି ଆସିଥିବା ଜାତିବାଦୀ ବିଚାରରେ ଅସବର୍ଣ୍ଣମାନଙ୍କ ବିତ୍ତ ବା ଉଚ୍ଚ ପଦ ବା ଯଶ ଅଥବା ବିଚକ୍ଷଣତା ବା ସାମର୍ଥ୍ୟ ଇତ୍ୟାଦି ସବୁ କିଛି ମୂଲ୍ୟହୀନ ବା ମଳିନ ହୋଇଯାଇପାରେ।
୧୯୫୦ ମସିହାରେ ଅନୁସୂଚିରେ ସନ୍ନିବେଶିତ ଜାତି ଓ ଜନଜାତିଗୁଡ଼ିକ ପ୍ରାୟ ସମ ଭାବେ ବଂଚିତ ଓ ନିପୀଡ଼ିତ ଭଳି ପ୍ରତୀତ ହେଉଥିବାରୁ ସେମାନଙ୍କ ମଧ୍ୟରେ ଥିବା ବିଦ୍ବେଷ ଅଗତ୍ୟା ପ୍ରଗାଢ଼ତା ଲାଭ କରି ନ ଥିବ ବା ଆର୍ଥିକ ବିକାଶ ଏହି ବଞ୍ଚିତ ବର୍ଗର ସକାଶେ ମୁକ୍ତିର ମାର୍ଗ ବୋଲି ହୁଏତ ଏକ ସ୍ବାଭାବିକ ଧାରଣା ସୃଷ୍ଟି ହୋଇଥିବ; କିନ୍ତୁ ବାସ୍ତବତାଟି ହେଲା ଏହି ବଞ୍ଚିତ ବର୍ଗ ମଧ୍ୟରୁ ତୁଳନାତ୍ମକ ଭାବେ ଅଧିକ ପ୍ରଭାବଶାଳୀ ଗୋଷ୍ଠୀ ଆରକ୍ଷଣ ବ୍ୟବସ୍ଥାର ସଦ୍ବ୍ୟବହାର କରି ଆର୍ଥିକ ବିକାଶର ମୁଖ୍ୟ ସ୍ରୋତରେ ଅନ୍ତର୍ଭୁକ୍ତ ହୋଇଯିବା ସହିତ ସେହି ଅନୁସୂଚିତ ଜାତି ଓ ଜନଜାତି ବର୍ଗ ମଧ୍ୟରେ ଏକ ବିଭାଜନ ରେଖା ସୃଷ୍ଟି କରିଛନ୍ତି, ଯେଉଁ ବିଷୟ ସର୍ବୋଚ୍ଚ ଅଦାଲତଙ୍କ ଚିନ୍ତାର କାରଣ ହୋଇଛି। କିନ୍ତୁ ପ୍ରକୃତ ବିଡ଼ମ୍ବନାଟି ହେଲା, ଅନୁସୂଚିତ ଜାତି ଓ ଜନଜାତି ବର୍ଗରୁ ମୁଖ୍ୟ-ସ୍ରୋତୀୟ ହୋଇଥିବାର ଆଶ୍ବାସନା ବହନ କରିଥିବା ଅନେକ ବ୍ୟକ୍ତି ଅସ୍ପୃଶ୍ୟତାର ପ୍ରାଚୀରକୁ ସଂପୂର୍ଣ୍ଣ ଭାବେ ଚୂର୍ଣ୍ଣ କରିପାରି ନ ଥାଆନ୍ତି। ତେଣୁ ଯାହା ହୃଦ୍ବୋଧ ହୋଇଥାଏ, ତାହା ହେଲା ଆରକ୍ଷଣ ବ୍ୟବସ୍ଥାର ସୀମିତ ଫଳପ୍ରଦତାକୁ ବିଚାର କରି ଅନୁସୂଚିତ ଜାତି ଓ ଜନଜାତି ବର୍ଗ ସକାଶେ ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ବିହିତ ଉନ୍ନତି ଅଣାଯିବା ଅଧିକ ଗୁରୁତ୍ବପୂର୍ଣ୍ଣ, ଯାହା ସେମାନଙ୍କୁ ଅଧିକ ପ୍ରତ୍ୟୟବାନ ଏବଂ ଯୋଗ୍ୟ କରି ଆରକ୍ଷଣ ଲାଗି ନିର୍ଦ୍ଧାରିତ ପଦ ଓ ଆସନ ପୂରଣ କରିବାରେ ସମର୍ଥ କରିବ। ଏହା ଦ୍ବାରା ସେମାନଙ୍କ ପ୍ରତିନିଧିତ୍ବ ଆଖିଦୃଶିଆ ମଧ୍ୟ ହେବ।
କିନ୍ତୁ ସତ କହିଲେ ଏହି ‘ସ୍ପର୍ଶକାତର’ ପ୍ରସଙ୍ଗରେ ଯାହା ଅଧିକ ଆବଶ୍ୟକ, ତାହା ହେଉଛି ଚେତନାଗତ ଉତ୍ତରଣ, ଯହିଁରେ ଜାତିବାଦ ଭଳି ଏକ ଉଦ୍ଭଟ ସଂକୀର୍ଣ୍ଣତା ସ୍ଥାନ ପାଇ ନ ଥାଏ। ସନ୍ଥ କବୀରଙ୍କ ଏକ ଦୋହା ଏହି ଉତ୍ତରଣକୁ ଇଙ୍ଗିତ କରି କହିଥାଏ ଯେ ‘ଜାତି ନା ପୁଛୋ ସାଧୁ କି, ପୁଛ ଲିଜିଓ ଜ୍ଞାନ; ମୋଲ କରୋ ତଲୱାର କି ପଡ଼ା ରହେନେ ଦୋ ମ୍ୟାନ’, ଯାହାର ମର୍ମାର୍ଥ ହେଲା ସାଧୁଙ୍କୁ ଜାତି ନ ପଚାରି ସେମାନଙ୍କ ଜ୍ଞାନକୁ ପରଖ, ଖୋଳର ନୁହେଁ, ତରବାରିର ମୂଲଚାଲ କର। କିନ୍ତୁ ବିଡ଼ମ୍ବନାଟି ହେଲା ଆଜିର ଆରକ୍ଷଣ ବ୍ୟବସ୍ଥାରେ ‘କୋଟା’ ଭଳି ଏକ ଶବ୍ଦରେ ସାଧୁମାନଙ୍କ ଜ୍ଞାନ ପରିବର୍ତ୍ତେ ଜାତି ଅଧିକ ପ୍ରାଂଜଳ ହେଉଛି, ଜାତିଆଣ ସମସ୍ୟାକୁ ଦୂର କରିବା ପରିବର୍ତ୍ତେ ତାହାକୁ ଦୋରସ୍ତ କରିବାର ରାଜନୀତି ଅଧିକ ସଘନ ହେଉଛି ଏବଂ ଜାତିବାଦୀମାନେ ସଂକୀର୍ଣ୍ଣ ମନର ଅତଳ ଗହ୍ବରରେ ଅଧିକ ତଳକୁ ନିକ୍ଷେପିତ ହେବାରେ ଲାଗିଛନ୍ତି!