ପର୍ବତମାଳାରେ ଅର୍ଥନୈତିକ କାର୍ଯ୍ୟକଳାପକୁ ନିରୁତ୍ସାହିତ କରିବା ପାଇଁ ସଂପୃକ୍ତ ରାଜ୍ୟମାନେ ପ୍ରସ୍ତୁତ ନୁହନ୍ତି। ଉଦାହରଣ ସ୍ବରୂପ ୨୦୧୪ରୁ ବର୍ତ୍ତମାନ ମଧ୍ୟରେ କେନ୍ଦ୍ର ସରକାର ଏ ସଂକ୍ରାନ୍ତରେ ପାଞ୍ଚଟି ଚିଠା ବିଜ୍ଞପ୍ତି ଜାରି କରିସାରିଥିଲେ ହେଁ ସଂପୃକ୍ତ ରାଜ୍ୟମାନଙ୍କର ସହମତି ଅଭାବରୁ ଅନ୍ତିମ ବିଜ୍ଞପ୍ତି ଏ ପର୍ଯ୍ୟନ୍ତ ସମ୍ଭବ ହୋଇପାରିନାହିଁ। ଏପରିକି ଦୁଇ ବର୍ଷ ତଳେ, ଯେହେତୁ ଏହି ବିଜ୍ଞପ୍ତି ଦ୍ବାରା ଲୋକମାନଙ୍କର ଜୀବିକା ବାଧାପ୍ରାପ୍ତ ହେବ, ଏହାକୁ ପ୍ରତ୍ୟାହାର କରିବା ପାଇଁ କର୍ଣ୍ଣାଟକ ସରକାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିବା ଦେଖାଯାଇଥିଲା।
ନୋବେଲ୍ ପୁରସ୍କାରପ୍ରାପ୍ତ ଔପନ୍ୟାସିକ ଗାବ୍ରିଏଲ୍ ଗାର୍ସିଆ ମାର୍କେଜ୍ଙ୍କର ଅନ୍ୟତମ ବିଶ୍ବପ୍ରସିଦ୍ଧ ଉପନ୍ୟାସ ‘କ୍ରୋନିକ୍ଲ ଅଫ୍ ଏ ଡେଥ୍ ଫୋର୍ଟୋଲ୍ଡ’ (‘ଏକ ପୂର୍ବସୂଚୀତ ମୃତ୍ୟୁର ବିବରଣୀ’)ରେ ମୁଖ୍ୟ ଚରିତ୍ର ସାଣ୍ଟିଆଗୋକୁ ସେମାନେ ସେମାନଙ୍କର ଭଉଣୀର କୁମାରୀତ୍ବ ହରଣ କରିଥିବା ଯୋଗୁଁ ହତ୍ୟା କରିବାକୁ ଯାଉଛନ୍ତି ବୋଲି ପ୍ରତିହିଂସା ପରାୟଣ ଯମଜ ଭ୍ରାତାଦ୍ବୟ- ପାବ୍ଲୋ ଓ ପେଡ୍ରୋ ଖୋଲାଖୋଲି ଘୋଷଣା କରି ଚାଲିଥିଲେ ହେଁ କେହି ସେଥିପ୍ରତି କର୍ଣ୍ଣପାତ ନ କରିବାରୁ ଶେଷରେ ସେମାନଙ୍କ ହାତରେ ସାଣ୍ଟିଆଗୋର ବିଭତ୍ସ ହତ୍ୟାକାଣ୍ଡ ଘଟିଥିଲା। ଏକ ଭିନ୍ନ ପୃଷ୍ଠପଟରେ ଗାର୍ସିଆ ମାର୍କେଜ୍ଙ୍କ ସେଇ ଲୋମହର୍ଷଣକାରୀ କାହାଣୀର ଏକ ବହୁଗୁଣିତ ପ୍ରତିଚ୍ଛବି ପରି କୁହାଯାଇପାରେ ଯେ ଏବେ କେରଳର ୱାୟାନାଡ଼ ଠାରେ ଭୂ-ସ୍ଖଳନ ଯୋଗୁଁ ଯେଉଁ ପ୍ରାୟ ତିନି ଶହରୁ ଅଧିକ ଅମୂଲ୍ୟ ଜୀବନ ଭୟଙ୍କର ମୃତ୍ୟୁମୁଖରେ ପଡ଼ିବା ଦେଖାଯାଇଛି ତାହା ହେଉଛି ସେଇଭଳି ପୂର୍ବ ସତର୍କ ସୂଚନାମାନଙ୍କୁ ହେୟଜ୍ଞାନ କରିବାର କରୁଣ ପରିଣତି।
ପଶ୍ଚିମଘାଟ ପର୍ବତମାଳା ଯେ ତା’ର ପରିବେଶର କୁମାରୀତ୍ବ ହରଣ କରାଯାଉଥିବା ଯୋଗୁଁ କ୍ରମେ ପ୍ରତିହିଂସା ପରାୟଣ ହୋଇ ଏଇଭଳି ବିପର୍ଯ୍ୟୟ ଘଟାଇବାକୁ ଯାଉଛି, ଏକ ଦଶନ୍ଧିରୁ ଅଧିକ କାଳ ପୂର୍ବରୁ ସେ ସରକାର ଓ ଜନସାଧାରଣଙ୍କୁ ଏହି ସତର୍କ ସୂଚନା ଶୁଣାଇବାରେ ଲାଗିଥିଲେ ହେଁ କେହି ତାହାକୁ ଗୁରୁତ୍ବ ନ ଦେବାରୁ ଆଜି ଏଭଳି ବିପର୍ଯ୍ୟୟ ଘଟିଛି ବୋଲି ବର୍ଷୀୟାନ ବିଶିଷ୍ଟ ବୈଜ୍ଞାନିକ ତଥା ପରିବେଶବିତ୍ ମାଧବ ଗାଡ୍ଗିଲ୍ ଏକ ପ୍ରମୁଖ ଜାତୀୟ ସମ୍ବାଦପତ୍ରକୁ ସାକ୍ଷାତ୍କାର ଦେଇ ନିଜର ମର୍ମବେଦନା ପ୍ରକାଶ କରିଛନ୍ତି।
ଏଥିରେ ଅବଶ୍ୟ ସନ୍ଦେହ ନାହିଁ ଯେ ୱାୟାନାଡ଼ ଦୁର୍ବିପାକର ତାତ୍କାଳିକ କାରଣ ହେଉଛି ସେଠେର ମୁଷଳଧାରେ ଅଜାଡ଼ି ହୋଇପଡ଼ିଥିବା ବର୍ଷା। ଭାରତର ପାଣିପାଗ ବିଭାଗ ଚଳିତ ବର୍ଷା ଋତୁରେ ମୌସୁମୀଜନିତ ବୃଷ୍ଟିପାତ ନର୍ମାଲ୍ ଠାରୁ ଅଧିକ ହେବ ବୋଲି ପୂର୍ବାନୁମାନ ପ୍ରକାଶ କରିଛି, ଯାହା ଦୀର୍ଘକାଳୀନ ହାରାହାରି ବୃଷ୍ଟିପାତର ୧୦୬ ଶତାଂଶ ହେବାକୁ ଯାଉଛି ବୋଲି ଅନୁମାନ କରାଯାଉଛି। ବର୍ଷର ଦ୍ବିତୀୟ ଭାଗରେ ବୃଷ୍ଟିପାତର ତୀବ୍ରତା ବୃଦ୍ଧି ପାଇବ ବୋଲି ସେଇ ବିଭାଗ ସତର୍କ କରିଦେଇଛି। ବିପଦର କଥା ହେଲା କିନ୍ତୁ ଏହା ଯେ ବୃଷ୍ଟିପାତ ଘଟୁଥିବା ଦିବସମାନଙ୍କର ସଂଖ୍ୟାରେ ହ୍ରାସ ଘଟୁଥିବାରୁ ଏହି ମାତ୍ରାଧିକ ବୃଷ୍ଟିପାତ ଅଳ୍ପସଂଖ୍ୟକ ଦିବସରେ କେନ୍ଦ୍ରୀଭୂତ ହୋଇ ଭୀଷଣ ବର୍ଷା ବା ‘ଭେରି ହେଭି ରେନ୍ଫଲ୍’ (୧୧୫.୬ ମିମିରୁ ୨୦୪.୪ ମିମି) ଓ ଅତି ଭୀଷଣ ବର୍ଷା ବା ‘ଏକ୍ସଟ୍ରିମ୍ଲି ହେଭି ରେନ୍ଫଲ୍’ (୨୦୪.୪ ମିମିରୁ ଅଧିକ) ଘଟଣା ସଂଖ୍ୟାରେ ବୃଦ୍ଧି ପାଇଚାଲିଛି, ଯେମିତି ଘଟିଛି ୱାୟାନାଡ଼ରେ।
ପାଣିପାଗ ବିଶେଷଜ୍ଞମାନଙ୍କ କହିବା ଅନୁସାରେ ପୃଥିବୀରେ ଘଟୁଥିବା ଜଳବାୟୁ ପରିବର୍ତ୍ତନ ଯୋଗୁଁ ଆରବ ସାଗରର ତାପମାତ୍ରାରେ ବୃଦ୍ଧି ଘଟି ସୃଷ୍ଟି ହେଉଥିବା ଘନ ବାଦଲମାଳା କେବଳ ୱାୟାନାଡ଼ ନୁହେଁ, ସେଇ ଅଞ୍ଚଳରେ ଅବସ୍ଥିତ କୋଝିକୋଡ଼, ମାଲ୍ଲାପୁରମ୍, କାନ୍ନୁର ଆଦି ଇଲାକାରେ ମଧ୍ୟ ପ୍ରବଳ ବୃଷ୍ଟିପାତ ଘଟାଉଛନ୍ତି। ଏଠାରେ ମନେ ପକାଇ ଦିଆଯାଇପାରେ ଯେ ଏଇଭଳି ଏକ ବାଦଲ ସଂରଚନା ଯୋଗୁଁ ୨୦୧୯ରେ ପ୍ରବଳ ବର୍ଷା ହୋଇ କେରଳ ଏକ ଅଭୂତପୂର୍ବ ପ୍ରଳୟଙ୍କରୀ ବନ୍ୟାରେ ଉବୁଟୁବୁ ହୋଇଥିଲା। ସମୁଦ୍ର ବକ୍ଷର ଜଳରାଶିର ତାପମାତ୍ରାରେ ବୃଦ୍ଧି ଯୋଗୁଁ ଏଣିକି ଆରବ ସାଗର ଅଧିକ ନିୟମିତ ଭାବରେ ସେ ଅଞ୍ଚଳରେ ବାରମ୍ବାର ଏଇଭଳି ବର୍ଷା ବିତ୍ପାତ ରଚନା କରିବାରେ ଲାଗିବ। କେବଳ କେରଳ ନୁେହଁ, ପଶ୍ଚିମଘାଟ ପର୍ବତମାଳା ପ୍ରସାରିତ ହୋଇଥିବା ଗୁଜରାଟ, ମହାରାଷ୍ଟ୍ର, ଗୋଆ, କର୍ଣ୍ଣାଟକ ଓ ତାମିଲନାଡୁ ପରି ରାଜ୍ୟମାନ ମଧ୍ୟ ଏହି ଜଳବାୟୁ ପରିବର୍ତ୍ତନ ପରିଣତିର ସମ୍ମୁଖୀନ ହେବା ନିଶ୍ଚିତ।
କେନ୍ଦ୍ର ସରକାରଙ୍କର ପରିବେଶ ମନ୍ତ୍ରଣାଳୟ ୨୦୧୧ରେ ପଶ୍ଚିମଘାଟ ପର୍ବତମାଳାର ଅବକ୍ଷୟ ସମ୍ମୁଖୀନ ପରିବେଶର ସୁରକ୍ଷା ଦିଗରେ ଏକ ପଦକ୍ଷେପ ନେଇ ସମସ୍ୟାର ଅନୁଶୀଳନ ଓ ସମାଧାନ ସୁପାରିସ କରିବା ନିମିତ୍ତ ‘ୱେଷ୍ଟର୍ନ ଘାଟ୍ସ ଇକୋଲୋଜି ଏକ୍ସପର୍ଟ ପ୍ୟାନେଲ୍’ (‘ଡବ୍ଲ୍ୟୁଜିପ୍’) ନାମକ ଯେଉଁ କମିଟି ଗଠନ କରିଥିଲେ, ମାଧବ ଗାଡ୍ଗିଲ୍ ଥିଲେ ତା’ର ଚେଆର୍ମ୍ୟାନ୍। ଗାଡ୍ଗିଲ୍ ଓ କମିଟିର ସଦସ୍ୟମାନେ ହୃଦୟଙ୍ଗମ କରିଥିଲେ ଯେ ନିକଟ ଭବିଷ୍ୟତ୍ରେ ଜଳବାୟୁ ପରିବର୍ତ୍ତନଜନିତ ପାଣିପାଗର ଅସ୍ବାଭାବିକ ଆଚରଣ ହେଉଛି ଏକ ଅନିବାର୍ଯ୍ୟ ପ୍ରକ୍ରିୟା। ପଶ୍ଚିମଘାଟ ପର୍ବତମାଳାକୁ ଏହାର ଆକ୍ରମଣରୁ ରକ୍ଷା କରିବା ସମ୍ଭବ ନୁହେଁ। କିନ୍ତୁ ପଶ୍ଚିମଘାଟ ପର୍ବତମାଳାର ପରିବେଶ ପ୍ରତି ମନୁଷ୍ୟକୃତ ବିପଦର ଆକାର ଓ ମାତ୍ରା ହେଉଛି ଏହାଠାରୁ ଅଧିକ ଭୟଙ୍କର। ମନଇଚ୍ଛା ଖଣି ଖନନ, ବାଲୁକା ସଂଗ୍ରହ, ପଥର କାଟିବା, ଡ୍ୟାମ୍ ନିର୍ମାଣ, ସଡ଼କ ନିର୍ମାଣ, ଗୃହ ନିର୍ମାଣ ଆଦି ବ୍ୟାପକ କାର୍ଯ୍ୟକଳାପ ଯୋଗୁଁ ଏହାର ପରିବେଶର ଯେଉଁ ଦ୍ରୁତ ଅବକ୍ଷୟ ଘଟିବାରେ ଲାଗିଛି, ସେଥିପ୍ରତି ଦୃଷ୍ଟି ଆକର୍ଷଣ କରିବା ଉଦ୍ଦେଶ୍ୟରେ ୟୁନେସ୍କୋ ୨୦୧୨ରେ ଏହାକୁ ଏକ ‘ୱାର୍ଲଡ୍ ହେରିଟେଜ୍ ସାଇଟ୍’ (‘ବିଶ୍ବ ଐତିହ୍ୟ ସ୍ଥଳୀ’) ରୂପେ ଘୋଷିତ କରିଥିଲା। ଏହାର କାରଣ ହେଲା ପୃଥିବୀରେ ଯେଉଁ ସମସ୍ତ ପ୍ରାଣୀ ଓ ଉଦ୍ଭିଦ ଜାତି ବିଲୁପ୍ତପ୍ରାୟ ଅବସ୍ଥାରେ ପହଞ୍ଚିଗଲେଣି, ସେମାନଙ୍କ ମଧ୍ୟରୁ ୩୨୫ଟି ୧୬୦୦ କିମି ଦୀର୍ଘ ପଶ୍ଚିମଘାଟ ପର୍ବତମାଳା ଅଞ୍ଚଳରେ ଉପଲବ୍ଧ ଅଛନ୍ତି। ଏଠାରେ ପରିଦୃଷ୍ଟ ବ୍ୟାପକ ଜୈବବିବିଧତା ଯୋଗୁଁ ଏହି ପର୍ବତମାଳାକୁ ମଧ୍ୟ ପୃଥିବୀର ୩୬ଟି ବାୟୋଡାଇଭର୍ସିଟି ହଟ୍ସ୍ପଟ୍ମାନଙ୍କ ମଧ୍ୟରୁ ଅନ୍ୟତମ ରୂପେ ଚିହ୍ନିତ କରାଯାଇଛି।
ପର୍ଯ୍ୟଟନ ଶିଳ୍ପ ଏହି ସ୍ପର୍ଶକାତର ଅଞ୍ଚଳରେ ଅବକ୍ଷୟକାରୀ ମାନବ-ଅନୁପ୍ରବେଶର ଏକ ମୁଖ୍ୟ ମାଧ୍ୟମ ରୂପେ ଏବେ ଆବିର୍ଭୂତ ହୋଇଛି। ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିବା ପାଇଁ ପାହାଡ଼ କାନ୍ଥିରେ ହୋଟେଲ୍ ଓ ଅବସର ସ୍ଥଳୀମାନ ଛତୁ ଫୁଟିବା ପରି ନିର୍ମିତ ହେବାରେ ଲାଗିଛି ଓ ସେ ସବୁକୁ ସଂଯୁକ୍ତ କରିବା ପାଇଁ ସେଠାରେ ରାସ୍ତାଘାଟରୁ ପାଣି ପାଇପ୍ ଓ ବିଦ୍ୟୁତ୍ ଲାଇନ୍ମାନ ପର୍ଯ୍ୟନ୍ତ ବିଛାଇ ଦିଆଯାଇଛି। (ୱାୟାନାଡ଼ ବିପର୍ଯ୍ୟୟରେ ଓଡ଼ିଶା ସମେତ ଦେଶର ଅନ୍ୟାନ୍ୟ ଅଞ୍ଚଳରୁ ସେଠାକୁ ଭ୍ରମଣରେ ଯାଇଥିବା ଅନେକ ପର୍ଯ୍ୟଟକ ଦୁର୍ଭାଗ୍ୟଜନକ ଭାବରେ ପ୍ରାଣ ହରାଇଛନ୍ତି)।
ଏହି ସମସ୍ତ ତଥାକଥିତ ଉନ୍ନୟନମୂଳକ କାର୍ଯ୍ୟ ଯୋଗୁଁ ପର୍ବତମାଳାର ମୃତ୍ତିକା ବନ୍ଧନ ହୁଗୁଳା ହୋଇଯାଇଥାଏ, ଯାହା ଭୀଷଣ ବୃଷ୍ଟିପାତର ମାଡ଼ ସମ୍ଭାଳି ନ ପାରି ଧସିଯାଏ, ଯେମିତି ୱାୟାନାଡ଼ ଠାରେ ଘଟିଛି। ଏଭଳି ମନୁଷ୍ୟକୃତ ଉନ୍ନୟନ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିବାକୁ ଓ ନିରାପଦ ବାଟରେ ନେବା ପାଇଁ ‘ଡବ୍ଲ୍ୟୁଜିପ୍’ ଅତ୍ୟନ୍ତ ଯତ୍ନ ସହକାରେ ଏକ ଦିଗ୍ଦର୍ଶିକା ପ୍ରସ୍ତୁତ କରିଥିଲା। ପର୍ବତମାଳାର ବିଭିନ୍ନ ଅଞ୍ଚଳର ଭିନ୍ନ ଭିନ୍ନ ପ୍ରକାର ସ୍ପର୍ଶକାତରତାକୁ ବିଚାରକୁ ନେଇ ସେଠାରେ ଉନ୍ନୟନ କାର୍ଯ୍ୟକଳାପକୁ ଆବଶ୍ୟକତା ମତେ ନିୟନ୍ତ୍ରଣ କରିବା ପାଇଁ ପ୍ରସ୍ତାବ ଦେଇ କମିଟି ତା’ର ମାର୍ଗଦର୍ଶିକା ପ୍ରସ୍ତୁତ କରିଥିଲା।
କିନ୍ତୁ ପର୍ବତମାଳାରେ ଅର୍ଥନୈତିକ କାର୍ଯ୍ୟକଳାପକୁ ନିରୁତ୍ସାହିତ କରିବା ପାଇଁ ସଂପୃକ୍ତ ରାଜ୍ୟମାନେ ପ୍ରସ୍ତୁତ ନୁହନ୍ତି। ଉଦାହରଣ ସ୍ବରୂପ ୨୦୧୪ରୁ ବର୍ତ୍ତମାନ ମଧ୍ୟରେ କେନ୍ଦ୍ର ସରକାର ଏ ସଂକ୍ରାନ୍ତରେ ପାଞ୍ଚଟି ଚିଠା ବିଜ୍ଞପ୍ତି ଜାରି କରିସାରିଥିଲେ ହେଁ ସଂପୃକ୍ତ ରାଜ୍ୟମାନଙ୍କର ସହମତି ଅଭାବରୁ ଅନ୍ତିମ ବିଜ୍ଞପ୍ତି ଏ ପର୍ଯ୍ୟନ୍ତ ସମ୍ଭବ ହୋଇପାରିନାହିଁ। ଏପରିକି ଦୁଇ ବର୍ଷ ତଳେ, ଯେହେତୁ ଏହି ବିଜ୍ଞପ୍ତି ଦ୍ବାରା ଲୋକମାନଙ୍କର ଜୀବିକା ବାଧାପ୍ରାପ୍ତ ହେବ, ଏହାକୁ ପ୍ରତ୍ୟାହାର କରିବା ପାଇଁ କର୍ଣ୍ଣାଟକ ସରକାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିବା ଦେଖାଯାଇଥିଲା। ମହାରାଷ୍ଟ୍ର ଓ ଗୋଆ ଚିଠାରେ ଥିବା ପ୍ରସ୍ତାବିତ ପରିବେଶ-ସ୍ପର୍ଶକାତର ସଂରକ୍ଷିତ ଅଞ୍ଚଳର ଇଲାକାକୁ ସଂକୁଚିତ କରି ଅଧିକ ଅଞ୍ଚଳକୁ ଉନ୍ନୟନ କାର୍ଯ୍ୟ ପାଇଁ ମୁକ୍ତ ରଖିବାକୁ ଦାବି କରୁଛନ୍ତି। ଆଶା କରାଯାଏ ୱାୟାନାଡ଼ ପ୍ରଳୟ ପରେ ଏ ସମସ୍ତ ରାଜ୍ୟମାନଙ୍କର ଚେତା ପଶିବ ଓ ସେମାନେ ପଶ୍ଚିମଘାଟକୁ ଆଉ ଅଧିକ କ୍ରୋଧିତ କରିବାକୁ ନିବୃତ୍ତ ରହିବେ, େଯମିତି ଗାଡ୍ଗିଲ୍ଙ୍କ ଭବିଷ୍ୟବାଣୀ ସତ ହୋଇ ଆଉ ଅଧିକ ଏପରି ନରସଂହାର ନ ଘଟେ।