ବର୍ତ୍ତମାନ ‘ଏନ୍ଏସ୍ଓ’ ଦ୍ବାରା ପ୍ରକାଶିତ ତଥ୍ୟରେ ଅଭିବୃଦ୍ଧି ସଂପର୍କରେ ଅନ୍ୟ କେତେକ ସୂଚକ ମଧ୍ୟ ବେଶ୍ ବଳିଷ୍ଠ ଥିବା ଦେଖାଯାଇଥାଏ। ସେଗୁଡ଼ିକ ମଧ୍ୟରେ ଅନ୍ତର୍ଭୁକ୍ତ: ସଂଯୁକ୍ତ କ୍ରୟ ପରିଚାଳକ ସୂଚକାଙ୍କ (‘କମ୍ପୋଜିଟ୍ ପର୍ଚେଜିଙ୍ଗ୍ ମ୍ୟାନେଜର୍ସ ଇଣ୍ଡେକ୍ସ’); ଆଠଟି ମଞ୍ଜ ଅର୍ଥନୈତିକ କ୍ଷେତ୍ରରେ ହାସଲ ହୋଇଥିବା ଅଭିବୃଦ୍ଧି; ଅଣ-ଖାଦ୍ୟ ଋଣ। ପୁଣି ଆଗକୁ ଆସୁଛି ପର୍ବପର୍ବାଣିର ସମୟ ବା ଉତ୍ସବ ଋତୁ, ଯେତେବେଳେ ଖାଉଟି ବ୍ୟୟରେ ତୀକ୍ଷ୍ଣ ବୃଦ୍ଧି ଘଟିବା ଆଶା କରାଯାଇଥାଏ। ଏଣୁ ପ୍ରଥମ ଚଉଠରେ ଅଭିବୃଦ୍ଧି ସାମାନ୍ୟ ଶିଥିଳ ହୋଇଥିଲେ ହେଁ, ସମଗ୍ର ବିତ୍ତ ବର୍ଷରେ ଅଭିବୃଦ୍ଧି ହାର ୭ ଶତାଂଶ ଅତିକ୍ରମ କରିବା ଏକ ବାସ୍ତବ ସମ୍ଭାବନା ଭଳି ପ୍ରତୀୟମାନ ହୋଇଥାଏ।
‘ନେସ୍ନାଲ୍ ଷ୍ଟାଟିଷ୍ଟିକାଲ୍ ଅଫିସ୍’ (‘ଏନ୍ଏସ୍ଓ’) ଚଳିତ ବିତ୍ତ ବର୍ଷର ପ୍ରଥମ ଚଉଠ, ଏପ୍ରିଲ୍-ଜୁନ୍, ୨୦୨୪ରେ ଭାରତର ମୋଟ ଜାତୀୟ ଉତ୍ପାଦ (‘ଜିଡିପି’)ରେ ହାସଲ ହୋଇଥିବା ଅଭିବୃଦ୍ଧି ସମ୍ବନ୍ଧରେ ଏବେ ସୂଚନା ପ୍ରକାଶ କରିଛି। ଏହା ଅନୁସାରେ ଏହି ସମୟରେ ଦେଶର ବାସ୍ତବ ‘ଜିଡିପି’ରେ ବାର୍ଷିକ ୬.୭ ଶତାଂଶ ହାରରେ ଅଭିବୃଦ୍ଧି ଘଟିଛି। ଉଲ୍ଲେଖନୀୟ ଭାବରେ ଏହି ହାର ହେଉଛି ଏହାର ଠିକ୍ ପୂର୍ବବର୍ତ୍ତୀ ଚଉଠରେ ‘ଜିଡିପି’ରେ ପରିଲକ୍ଷିତ ହୋଇଥିବା ଅଭିବୃଦ୍ଧି ହାର ୭.୮ ଶତାଂଶଠାରୁ ପୂରା ୧ ଶତାଂଶରୁ ଅଧିକ କମ୍। ସେତିକି ନୁହେଁ, ଏହା ମଧ୍ୟ ହେଉଛି ଏହି ଚଉଠ ପାଇଁ ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ କରିଥିବା ପୂର୍ବାନୁମାନ ୭.୧ ଶତାଂଶ ହାରଠାରୁ କମ୍ ଏବଂ ସେଥିଯୋଗୁଁ ଏକ ସଂଶୟ ଉପୁଜିଥାଏ ଯେ ପୂରା ଚଳିତ ବିତ୍ତ ବର୍ଷ ପାଇଁ ରିଜର୍ଭ ବ୍ୟାଙ୍କ୍ ଆଶା କରିଥିବା ୭.୨ ଶତାଂଶ ଅଭିବୃଦ୍ଧି ହାର ସମ୍ଭବ ହେବ କି ନାହିଁ।
ତେବେ ଏଭଳି ନିରାଶା ସ୍ବାଭାବିକ ମନେ ହେଉଥିଲେ ହେଁ ଯଦି ଏହି ଶିରୋନାମା-ପରିସଂଖ୍ୟାନକୁ ଭେଦ କରି ‘ଜିଡିପି’ ସଂପର୍କରେ ପ୍ରକାଶିତ ଅନ୍ତର୍ନିହିତ ପରିସଂଖ୍ୟାନ ଉପରେ ଦୃଷ୍ଟି ନିକ୍ଷେପ କରାଯାଏ, ତେବେ ସେଥିରେ ଏହି ନିରାଶାକୁ କିଛି ପରିମାଣରେ ଲାଘବ କରିବା ଭଳି କାରଣ ଥିବା ଦୃଷ୍ଟିଗୋଚର ହୋଇପାରେ। ବିଶେଷ କରି ଏହି ଚଉଠରେ ଉତ୍ପାଦିତ ସାମଗ୍ରିକ ଦ୍ରବ୍ୟ ଓ ସେବାମାନଙ୍କର ମୂଲ୍ୟରେ ପରିଲକ୍ଷିତ ଅଭିବୃଦ୍ଧି (ଗ୍ରସ୍ ଭାଲ୍ୟୁ ଆଡେଡ୍- ‘ଜିଭିଏ’) ହାର ୬.୮୪ ଶତାଂଶ ଥିଲା ତିନି ଚଉଠ ମଧ୍ୟରେ ସର୍ବୋଚ୍ଚ ଏବଂ ଏ ଯାଏ ମାନ୍ଦା ଅବସ୍ଥା ପ୍ରଦର୍ଶନ କରିଆସିଥିବା ଘରୋଇ ଖାଉଟି ବ୍ୟୟ ବା ‘ପ୍ରାଇଭେଟ୍ କନ୍ସମ୍ପସନ୍’ରେ ଏକ ସ୍ବାଗତଯୋଗ୍ୟ ପ୍ରତ୍ୟାବର୍ତ୍ତନର ଲକ୍ଷଣ ଦେଖିବାକୁ ମିଳିଛି। ଏହି ଘରୋଇ ଖାଉଟି ବ୍ୟୟ ସାଧାରଣତଃ ‘ଜିଡିପି’ର ୫୦-୬୦ ଶତାଂଶ ହୋଇଥିବାରୁ ‘ଜିଡିପି’ରେ ଅଭିବୃଦ୍ଧି ଅନେକାଂଶରେ ଖାଉଟି ବ୍ୟୟରେ ଘଟିଥିବା ଅଭିବୃଦ୍ଧି ଉପରେ ନିର୍ଭର କରିଥାଏ।
ପୂର୍ବ ବିତ୍ତ ବର୍ଷର ଶେଷ ଚଉଠ, ଅର୍ଥାତ୍ ୨୦୨୪ ଜାନୁଆରି-ମାର୍ଚ୍ଚ ଚଉଠରେ ଖାଉଟି ବ୍ୟୟରେ ଦେଖାଯାଇଥିବା ବୃଦ୍ଧି ହାର ୩.୯୯ ଶତାଂଶ ଥିବାବେଳେ ଏପ୍ରିଲ୍-ଜୁନ୍ ଚଉଠରେ ସେଥିରେ ବହୁପ୍ରତୀକ୍ଷିତ ବୃଦ୍ଧି ଘଟି ତାହା ୭.୪୫ ହୋଇଥିବା ଜଣାପଡ଼ିଛି। ଦୀର୍ଘ ସାତ ଚଉଠ ଧରି ଖାଉଟି ବ୍ୟୟରେ ବୃଦ୍ଧି ମାନ୍ଦା ରହିବା ପରେ ଅବଶେଷରେ ସେଥିରେ ଘଟିଥିବା ଏହି ବୃଦ୍ଧି ‘ଜିଡିପି’ରେ ଅଭିବୃଦ୍ଧିକୁ ସହାୟକ ହୋଇଛି। ଯଦି ଅନ୍ତିମ ଖାଉଟି ବ୍ୟୟରେ ଏହି ଉନ୍ନତି ଘଟି ନଥାନ୍ତା, ତେବେ ବିଶେଷଜ୍ଞମାନଙ୍କ ଆକଳନ ଅନୁସାରେ ‘ଜିଡିପି’ରେ ଦେଖାଯାଇଥିବା ଅଭିବୃଦ୍ଧି ହାରରେ ଆଉ ୧ ଶତାଂଶ ହ୍ରାସ ଘଟିଥାନ୍ତା। ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ସାଧାରଣତଃ ଦେଖାଯାଇଥାଏ ଯେ ଋତୁକାଳୀନ ପ୍ରଭାବମାନ ଯୋଗୁଁ ଜାନୁଆରି-ମାର୍ଚ୍ଚ ଚଉଠ ତୁଳନାରେ ଏପ୍ରିଲ୍-ଜୁନ୍ ଚଉଠରେ ଘରୋଇ ଖାଉଟି ବ୍ୟୟରେ ସଂକୋଚନ ଘଟିଥାଏ। ଏଥର କିନ୍ତୁ ଏକ ବ୍ୟତିକ୍ରମ ଘଟି ସେଇ ସଂକୋଚନରେ ଶିଥିଳତା ପରିଦୃଷ୍ଟ ହୋଇଛି।
କୋଭିଡ୍ ପାଣ୍ଡେମିକ୍ ପରଠାରୁ ଅର୍ଥନୀତିକୁ ସହାୟତା ପ୍ରଦାନ କରିବା ପାଇଁ ସରକାର ପୁଞ୍ଜି ବ୍ୟୟରେ ବିଶେଷ ବୃଦ୍ଧି ଘଟାଇ ଚାଲିଛନ୍ତି। କିନ୍ତୁ ବିତ୍ତ ବର୍ଷର ପ୍ରଥମ ଚଉଠ ସମୟରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବା ଯୋଗୁଁ ସରକାରୀ ବ୍ୟୟ ପ୍ରତି କଟକଣା ଲାଗୁ ହେବା କାରଣରୁ ଏଥିରେ ଉଲ୍ଲେଖନୀୟ ସଂକୋଚନ ଘଟିଥିଲା। ପୂର୍ବ ବର୍ଷ ତୁଳନାରେ ଏହି ସମୟରେ ସରକାରୀ ପୁଞ୍ଜି ବ୍ୟୟରେ ୩୫ ଶତାଂଶ ସଂକୋଚନ ଘଟିଥିବା ବେଳେ ସରକାରୀ ଅନ୍ତିମ ଖାଉଟି ବ୍ୟୟରେ ୦.୨ ଶତାଂଶ ସଂକୋଚନ ଘଟିଥିଲା। ରିଜର୍ଭ ବ୍ୟାଙ୍କ୍ ଗଭର୍ନର୍ ଶକ୍ତିକାନ୍ତ ଦାସ ମଧ୍ୟ ‘ଜିଡିପି’ରେ ଦେଖାଯାଇଥିବା ଅପେକ୍ଷାକୃତ ଶିଥିଳ ଅଭିବୃଦ୍ଧି ପାଇଁ ସରକାରୀ ବ୍ୟୟରେ ଘଟିଥିବା ଏହି ସଂକୋଚନକୁ ଅନ୍ୟତମ ମୁଖ୍ୟ କାରଣ ରୂପେ ଚିହ୍ନଟ କରିଛନ୍ତି।
ସୂଚନାଯୋଗ୍ୟ ଯେ ଅର୍ଥନୀତିର ନିର୍ମାଣ କ୍ଷେତ୍ର ପାଇଁ ସରକାରୀ ପୁଞ୍ଜି ବ୍ୟୟ ବିଶେଷ ସହାୟକ ହୋଇଥାଏ, କିନ୍ତୁ ସେଥିରେ ସଂକୋଚନ ସତ୍ତ୍ବେ ନିର୍ମାଣ କ୍ଷେତ୍ରରେ ଅଭିବୃଦ୍ଧି ବଳିଷ୍ଠ ଥିବା ଦେଖାଯାଇଛି। ଗୃହ ନିର୍ମାଣ କ୍ଷେତ୍ରରେ ଅଭିବୃଦ୍ଧି ଏହାର କାରଣ ହୋଇଥିବାର ଦୃଢ଼ ସମ୍ଭାବନା ରହିଛି। ଦେଶର ନେଟ୍ ରପ୍ତାନି (ରପ୍ତାନି ବିଯୁକ୍ତ ଆମଦାନି) ହେଉଛି ‘ଜିଡିପି’ର ଅନ୍ୟତମ ଏକ ଉପାଦାନ। ଭାରତ ପାଇଁ ଏହା ସାଧାରଣତଃ ଋଣାତ୍ମକ ହୋଇଥାଏ, ଯାହାର ଆକାର ୨୦୨୩-୨୪ ବିତ୍ତ ବର୍ଷରେ ବେଶ୍ ବୃହତ୍ ଥିଲା। ଚଳିତ ବିତ୍ତ ବର୍ଷର ପ୍ରଥମ ଚଉଠରେ ନେଟ୍ ରପ୍ତାନି ଋଣାତ୍ମକ ଥିଲେ ମଧ୍ୟରେ ସେଥିରେ ସଂକୋଚନ ଘଟି ‘ଜିଡିପି’ର ଅଭିବୃଦ୍ଧି ଉପରେ ଚାପ ହ୍ରାସ କରିଥିଲା। ଆନ୍ତର୍ଜାତିକ ସ୍ତରରେ ପରିଦୃଷ୍ଟ ଅସ୍ଥିରତା ଯୋଗୁଁ ଆଗାମୀ ସମୟରେ ଦୁର୍ବଳ ରପ୍ତାନି ଭାରତୀୟ ଅର୍ଥନୀତି ପାଇଁ ମୁଣ୍ଡବିନ୍ଧାର କାରଣ ହୋଇ ରହିବାର ଦୃଢ଼ ସମ୍ଭାବନା ରହିଛି।
ସରକାରୀ ବ୍ୟୟରେ ନିର୍ବାଚନଜନିତ ଶିଥିଳତା ସତ୍ତ୍ବେ ‘ଜିଡିପି’ରେ ଅଭିବୃଦ୍ଧି ଅତ୍ୟଧିକ ବ୍ୟାହତ ହୋଇ ନଥିବା ବେଳେ ନୂତନ ସରକାର ଦାୟିତ୍ବ ଗ୍ରହଣ କରିବା ପରେ ଜୁଲାଇରେ ସରକାରୀ ପୁଞ୍ଜି ବ୍ୟୟରେ ପୂର୍ବ ବର୍ଷ ତୁଳନାରେ ଦୁଇ ଗୁଣ ବୃଦ୍ଧି ଘଟିବା ଦେଖାଯାଇଛି, ଯାହା ଚଳିତ ଚଉଠରେ ଅଭିବୃଦ୍ଧିକୁ ନିଶ୍ଚିତ ରୂପେ ତ୍ବରାନ୍ବିତ କରିବ। ସେଇଭଳି ପୂର୍ବ ବର୍ଷ ତୁଳନାରେ ଜୁଲାଇରେ ଟ୍ରାକ୍ଟର ବିକ୍ରିରେ ଅଧିକ ବୃଦ୍ଧି ଦେଖାଯାଇଛି, ଯାହାକୁ କୃଷି ଅର୍ଥନୀତିର ସ୍ବାସ୍ଥ୍ୟ ସନ୍ତୋଷଜନକ ହୋଇଥିବାର ସୂଚକ ରୂପେ ବିଚାର କରାଯାଇଥାଏ।
ତେବେ ଆମ ଦେଶରେ କୃଷିର ଅବସ୍ଥା ଶେଷରେ ମୌସୁମିର ଅବସ୍ଥା ଉପରେ ନିର୍ଭର କରିଥାଏ। ଅଗଷ୍ଟରେ ବୃଷ୍ଟିପାତ ନିୟମିତ ସ୍ତରଠାରୁ ଅଧିକ ହୋଇଥିଲେ ହେଁ ସେପ୍ଟେମ୍ବରରେ ତାହା ନିୟମିତ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। କିନ୍ତୁ ନିଅଣ୍ଟିଆ ବୃଷ୍ଟିପାତ ଅପେକ୍ଷା ଯାହା ଅଧିକ ଚିନ୍ତାଜନକ ହୋଇଥାଏ, ତାହା ହେଲା ମୌସୁମିର ସମ୍ଭାବ୍ୟ ବିଳମ୍ବିତ ପ୍ରତ୍ୟାବର୍ତ୍ତନ। ମୌସୁମିର ପ୍ରତ୍ୟାବର୍ତ୍ତନରେ ଯଦି ବିଳମ୍ବ ଘଟେ ତାହା ଯୋଗୁଁ ଖରିଫ ଫସଲ ଅମଳ ବାଧାପ୍ରାପ୍ତ ହୋଇପାରେ। ତେବେ ଏଥିଯୋଗୁଁ ଜଳଭଣ୍ଡାରମାନଙ୍କରେ ଜଳସ୍ତର ଉଚ୍ଚ ରହିଲେ ତାହା ରବି ଫସଲ ପାଇଁ ସହାୟକ ହେବ। ଯଦି କୃଷି କ୍ଷେତ୍ରରେ ଅଭିବୃଦ୍ଧି ସନ୍ତୋଷଜନକ ହୁଏ ତେବେ ତାହାର ସୁପ୍ରଭାବ ସମଗ୍ର ଅର୍ଥନୀତିରେ ଅନୁଭୂତ ହେବ।
ବର୍ତ୍ତମାନ ‘ଏନ୍ଏସ୍ଓ’ ଦ୍ବାରା ପ୍ରକାଶିତ ତଥ୍ୟରେ ଅଭିବୃଦ୍ଧି ସଂପର୍କରେ ଅନ୍ୟ କେତେକ ସୂଚକ ମଧ୍ୟ ବେଶ୍ ବଳିଷ୍ଠ ଥିବା ଦେଖାଯାଇଥାଏ। ସେଗୁଡ଼ିକ ମଧ୍ୟରେ ଅନ୍ତର୍ଭୁକ୍ତ: ସଂଯୁକ୍ତ କ୍ରୟ ପରିଚାଳକ ସୂଚକାଙ୍କ (‘କମ୍ପୋଜିଟ୍ ପର୍ଚେଜିଙ୍ଗ୍ ମ୍ୟାନେଜର୍ସ ଇଣ୍ଡେକ୍ସ’); ଆଠଟି ମଞ୍ଜ ଅର୍ଥନୈତିକ କ୍ଷେତ୍ରରେ ହାସଲ ହୋଇଥିବା ଅଭିବୃଦ୍ଧି; ଅଣ-ଖାଦ୍ୟ ଋଣ। ପୁଣି ଆଗକୁ ଆସୁଛି ପର୍ବପର୍ବାଣିର ସମୟ ବା ଉତ୍ସବ ଋତୁ, ଯେତେବେଳେ ଖାଉଟି ବ୍ୟୟରେ ତୀକ୍ଷ୍ଣ ବୃଦ୍ଧି ଘଟିବା ଆଶା କରାଯାଇଥାଏ। ଏଣୁ ପ୍ରଥମ ଚଉଠରେ ଅଭିବୃଦ୍ଧି ସାମାନ୍ୟ ଶିଥିଳ ହୋଇଥିଲେ ହେଁ, ସମଗ୍ର ବିତ୍ତ ବର୍ଷରେ ଅଭିବୃଦ୍ଧି ହାର ୭ ଶତାଂଶ ଅତିକ୍ରମ କରିବା ଏକ ବାସ୍ତବ ସମ୍ଭାବନା ଭଳି ପ୍ରତୀୟମାନ ହୋଇଥାଏ।