ରିଜର୍ଭ ବ୍ୟାଙ୍କ୍ର ଏହି ଉଦାର ମୁଦ୍ରାନୀତି କେତେଦୂର ବର୍ତ୍ତମାନର ମାନ୍ଦା ଘରୋଇ କ୍ଷେତ୍ର ନିବେଶ ଓ ଖାଉଟି ଚାହିଦାରେ ଉନ୍ନତି ଘଟାଇବ, ତାହା ହେଉଛି ‘ଫଳେନ ପରିଚୟେତ୍’ ସଦୃଶ। ବଡ଼ ବଡ଼ କଂପାନିମାନେ ବର୍ତ୍ତମାନ ନୂତନ ନିଯୁକ୍ତି ସୃଷ୍ଟି କରିବା ପରିବର୍ତ୍ତେ କର୍ମଚାରୀ ଛଟେଇ କରିବା ଦେଖାଯାଉଛି। ଖାଉଟିମାନେ ମଧ୍ୟ ବଜାରରେ ପ୍ରବେଶ ପାଇଁ ବିଶେଷ ଉତ୍ସାହ ପ୍ରଦର୍ଶନ କରିବା ଦେଖାଯାଉ ନାହିଁ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଭାରତକୁ ଭୀଷଣ ଈର୍ଷା କରୁଥିବେ। ତା’ର କାରଣ ହେଉଛି ଭାରତର କେନ୍ଦ୍ରୀୟ ବ୍ୟାଙ୍କ୍ ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଘୋଷଣା କରିଥିବା ଏକ ସଦ୍ୟତମ ନିଷ୍ପତ୍ତି। ଡୋନାଲ୍ଡ ଟ୍ରମ୍ପ ସେ ଦେଶରେ ଦ୍ବିତୀୟ ପାଳି ପାଇଁ ଶାସନ କ୍ଷମତା ଗ୍ରହଣ କରିବା ପରଠାରୁ ସେଠାରେ ସୁଧ ହାରରେ ହ୍ରାସ ଘଟାଇବା ନିମିତ୍ତ ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ୍ ‘ଫେଡେରାଲ୍ ରିଜର୍ଭ ସିଷ୍ଟମ୍’ (ସଂକ୍ଷେପରେ- ‘ଫେଡ୍’)ର ଚେଆର୍ମ୍ୟାନ୍ ଜେରେମି ପାୱେଲ୍ଙ୍କ ଉପରେ ପ୍ରବଳ ଚାପ ପକାଇ ଚାଲିଥିଲେ ହେଁ (ଏଥିରେ ଧମକରୁ ଅଭଦ୍ର ଗାଳି ପର୍ଯ୍ୟନ୍ତ ଅନ୍ତର୍ଭୁକ୍ତ) ପାୱେଲ୍ ନିଜର ପେସାଦାର ଅର୍ଥନୀତିଜ୍ଞର ଧର୍ମରୁ ବିଚ୍ୟୁତ ନ ହୋଇ ସୁଧ ହାରରେ ଆଦୌ ହ୍ରାସ ଘଟାଉ ନାହାନ୍ତି। ଏହି ସମୟରେ ଏବେ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ସମସ୍ତଙ୍କୁ ଚମକାଇ ଦେଇ ‘ରେପୋ ରେଟ୍’ରେ ଯେଉଁ ଅପ୍ରତ୍ୟାଶିତ ତତ୍କ୍ଷଣାତ୍ ୫୦ ବେସିସ୍ ପଏଣ୍ଟ (୦.୫ ଶତାଂଶ) ହ୍ରାସ ସହିତ ବ୍ୟାଙ୍କ୍ମାନେ ଅନୁସରଣ କରୁଥିବା ‘ନଗଦ ମହଜୁଦ ଅନୁପାତ’ (‘କ୍ୟାସ୍ ରିଜର୍ଭ ରେସିଓ’- ‘ସିଆର୍ଆର୍’) ଆବଶ୍ୟକତାରେ କ୍ରମଶଃ ଏକ ୧୦୦ ବେସିସ୍ ପଏଣ୍ଟ ହ୍ରାସ ଘଟାଇବା ଘୋଷଣା କରିଛି, ଜେରେମି ପାୱେଲ୍ ଠିକ୍ ସେଇଭଳି ନୀତି ଅବଲମ୍ବନ କରିବା ଟ୍ରମ୍ପ ଚାହୁଁଛନ୍ତି ଓ ହତାଶ ହେଉଛନ୍ତି।
ଏଠାରେ ଏହା ସ୍ପଷ୍ଟ କରିଦେବା ଉଚିତ ହେବ ଯେ ଭାରତୀୟ ରିଜର୍ଭ ବ୍ୟାଙ୍କ୍ର ମୁଦ୍ରା ନୀତି ନିର୍ଦ୍ଧାରଣକାରୀ କମିଟି (‘ଏମ୍ପିସି’) ମଧ୍ୟ ସଂପୂର୍ଣ୍ଣ ପେସାଦାର ଅର୍ଥନୈତିକ ଆଭିମୁଖ୍ୟ ପ୍ରଦର୍ଶନ କରି ଏଠାରେ ଏବେ ‘ରେପୋ ରେଟ୍’ ଓ ‘ସିଆର୍ଆର୍’ କୋହଳ କରିବା ପାଇଁ ପଦକ୍ଷେପ ନେବାକୁ ଆରମ୍ଭ କରିଛି। ପୂର୍ବତନ ଗଭର୍ନର ଶକ୍ତିକାନ୍ତ ଦାସଙ୍କର ଦୃଢ଼ ନେତୃତ୍ବରେ ଦେଶରେ ମୁଦ୍ରାସ୍ଫୀତିକୁ ଦମନ କରିବାକୁ ପ୍ରାଧାନ୍ୟ ଦେଇ ରିଜର୍ଭ ବ୍ୟାଙ୍କ୍ ଦୀର୍ଘ କାଳ ଧରି ଜେରେମି ପାୱେଲ୍ଙ୍କ ପରି ସୁଧ ହାରରେ ହ୍ରାସ ଘଟାଇବାକୁ ସରକାରଙ୍କ ତରଫରୁ ପଡୁଥିବା ସମସ୍ତ ଚାପକୁ ଖାତିର ନ କରି ଅଟଳ ରହିବା ପରେ ବର୍ତ୍ତମାନ ପରିସ୍ଥିତି ଅନୁକୂଳ ହେବା ପରେ ଯାଇ ଏପରି ଅଭିବୃଦ୍ଧି-ଅନୁକୂଳ ପଦକ୍ଷେପ ଗ୍ରହଣ କରିବା ଦେଖାଯାଉଛି।
ରିଜର୍ଭ ବ୍ୟାଙ୍କ୍ ଏଥିସହିତ ତା’ର ‘ଆଭିମୁଖ୍ୟ’ (‘ଷ୍ଟାନ୍ସ’)ରେ ପଶ୍ଚାତ୍-ଗମନ କରି ତାହାକୁ ‘ସହଯୋଗିତାମୂଳକ’ (‘ଆକୋମଡେଟିଭ୍’) ସ୍ଥାନରେ ‘ନିରପେକ୍ଷ’ (‘ନିଉଟ୍ରାଲ୍’) କରିଦେଇଛି ବୋଲି ଘୋଷଣା କରିଛି। ନିଜର ‘ଷ୍ଟାନ୍ସ’ରେ ଏହି ପରିବର୍ତ୍ତନ ଘଟାଇବା ଦ୍ବାରା ରିଜର୍ଭ ବ୍ୟାଙ୍କ୍ ଯେଉଁ ଇସାରା ଦେବାକୁ ଚାହିଁଥାଏ, ତାହା ହେଲା ଏହାକୁ ମିଶାଇ ଲଗାତାର ତିନି ଥର ‘ଏମ୍ପିସି’ର ଦ୍ବିମାସିକ ବୈଠକରେ ‘ରେପୋ ରେଟ୍’ରେ ହ୍ରାସ ଘଟାଯିବା ପରେ ଏଣିକି ନିକଟ ଭବିଷ୍ୟତରେ ସେଥିରେ ଆଉ ହ୍ରାସ ଘଟାଯିବାର ସମ୍ଭାବନା ନାହିଁ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏହି ତିନି ଥର ବୈଠକରେ ଅର୍ଥାତ୍ ଗତ ଛ’ମାସ ମଧ୍ୟରେ ରିଜର୍ଭ ବ୍ୟାଙ୍କ୍ ‘ରେପୋ ରେଟ୍’ରେ ମୋଟ ୧୦୦ ବେସିସ୍ ପଏଣ୍ଟ (୧ ଶତାଂଶ) ହ୍ରାସ ଘଟାଇ ସାରିଲାଣି, ଯାହା କେନ୍ଦ୍ରୀୟ ବ୍ୟାଙ୍କ୍ମାନଙ୍କର ରକ୍ଷଣଶୀଳ ମାପକାଠିରେ ହେଉଛି ଏକ ବେଶ୍ ଦ୍ରୁତ ତଥା ତୀକ୍ଷ୍ଣ ହ୍ରାସ। ରିଜର୍ଭ ବ୍ୟାଙ୍କ୍ର ଏହି ଘୋଷଣା ଅଭିବୃଦ୍ଧି ପାଇଁ ଅନୁକୂଳ ହେବା ସଙ୍ଗେ ସଙ୍ଗେ ନିକଟ ଭବିଷ୍ୟତରେ ତାହାର ମୁଦ୍ରାନୀତି ସଂପର୍କିତ ଆଚରଣ ସମ୍ବନ୍ଧରେ ଅନିଶ୍ଚିତତା ଦୂର କରିଥାଏ, ଯାହା ବର୍ତ୍ତମାନର ଅତ୍ୟନ୍ତ ଅସ୍ଥିର ଆନ୍ତର୍ଜାତିକ ଅର୍ଥନୈତିକ ପରିସ୍ଥିତିରେ ଭାରତକୁ ନିବେଶକମାନଙ୍କ ପାଇଁ ଏକ ଅପେକ୍ଷାକୃତ ଆକର୍ଷଣୀୟ କ୍ଷେତ୍ରରେ ପରିଣତ କରିଥାଏ।
ସତ କହିବାକୁ ଗଲେ ପ୍ରାୟ ସମସ୍ତେ ଆଶା କରୁଥିଲେ ଯେ ରିଜର୍ଭ ବ୍ୟାଙ୍କ୍ର ‘ଏମ୍ପିସି’ ଏଥର ‘ରେପୋ ରେଟ୍’ରେ ଏକ ୨୫ ବେସିସ୍ ପଏଣ୍ଟ ହ୍ରାସ ଘଟାଇବାକୁ ଯାଉଛି। ‘ଏମ୍ପିସି’ କିନ୍ତୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇ ‘ରେପୋ ରେଟ୍’ରେ ଏକ ୫୦ ବେସିସ୍ ପଏଣ୍ଟ ହ୍ରାସ ଘଟାଇବାକୁ ଉଚିତ ମନେ କରିବାର ଏକ କାରଣ ହୋଇପାରେ ବ୍ୟାଙ୍କ୍ମାନେ ‘ରେପୋ ରେଟ୍’ରେ ଘଟାଯାଉଥିବା ହ୍ରାସକୁ ସେମାନଙ୍କର ଋଣ ଓ ଜମା ହାରରେ ପ୍ରତିଫଳିତ ହେବାରେ କରୁଥିବା ବିଳମ୍ବରେ ସଂକୋଚନ ଘଟାଇବା। ‘ସିଆର୍ଆର୍’ରେ ହ୍ରାସ ଯୋଗୁଁ ଋଣ ପ୍ରଦାନ ନିମିତ୍ତ ବ୍ୟାଙ୍କ୍ମାନଙ୍କ ନିକଟରେ ଉପଲବ୍ଧ ଅର୍ଥ ପରିମାଣରେ ଘଟିବାକୁ ଯାଉଥିବା ବୃଦ୍ଧି (ପ୍ରାୟ ୨.୫ ଲକ୍ଷ କୋଟି ଟଙ୍କା) ସହିତ ମିଳିତ ହୋଇ ‘ରେପୋ ରେଟ୍’ରେ ଏହି ଆଖିଦୃଶିଆ ହ୍ରାସ ବ୍ୟାଙ୍କ୍ମାନଙ୍କୁ ଅବିଳମ୍ବେ ସେମାନଙ୍କର ଗ୍ରାହକମାନଙ୍କ ପାଇଁ ଉଭୟ ସୁଧ ହାରରେ ହ୍ରାସ ଘଟାଇବାକୁ ବାଧ୍ୟ କରିବ। ଉଭୟ ସାମଗ୍ରିକ ଖାଉଟି ଚାହିଦା ଓ ନିବେଶରେ ବହୁ ପ୍ରତୀକ୍ଷିତ ବୃଦ୍ଧି ଘଟିବା ପାଇଁ ଆବଶ୍ୟକ ସମ୍ବଳ ଏହା ଦ୍ବାରା ଅପେକ୍ଷାକୃତ ଶସ୍ତାରେ ଉପଲବ୍ଧ ହେବ। ଏହା ମଧ୍ୟ ଋଣ ଚାହିଦାକୁ ଅପେକ୍ଷାକୃତ ଦୀର୍ଘସ୍ଥାୟୀ ହେବାରେ ସହାୟକ ହେବ। ଅତୀତରେ ରିଜର୍ଭ ବ୍ୟାଙ୍କ୍ ଦ୍ବାରା ‘ରେପୋ ରେଟ୍’ରେ ଘଟାଯାଇଥିବା ହ୍ରାସମାନଙ୍କର ପରିଚଳନ ସନ୍ତୋଷଜନକ ହୋଇନାହିଁ ବୋଲି ଗଭର୍ନର ସଞ୍ଜୟ ମାଲ୍ହୋତ୍ରା ଯେଉଁ କ୍ଷୋଭ ପ୍ରକାଶ କରିଛନ୍ତି, ଏଥର ତାହାର ପୁନରାବୃତ୍ତି ଘଟିବ ନାହିଁ ବୋଲି ଆଶା କରାଯାଉଛି। ବ୍ୟାଙ୍କ୍ମାନେ ମଧ୍ୟ ନିଜର ଲାଭ ପାଇଁ ନୂତନ ଜମା ଉପରେ ପ୍ରଦତ୍ତ ସୁଧ ହାରରେ ଯେଉଁ ବେଗରେ ହ୍ରାସ ଘଟାଇବା ଦେଖାଯାଇଛି ଋଣ ଉପେର ଆଦାୟ କରୁଥିବା ସୁଧ ହାରରେ ଅନୁରୂପ ହ୍ରାସ ଘଟାଇବାରେ ସେ ତୁଳନାରେ ମନ୍ଥରତା ପ୍ରଦର୍ଶନ କରିବା ଦେଖାଯାଇଛି।
‘ଏମ୍ପିସି’ ପ୍ରକାଶ କରିଥିବା ପରିବର୍ତ୍ତିତ ପୂର୍ବାନୁମାନ ଅନୁସାରେ ୨୦୨୫-୨୬ ବିତ୍ତ ବର୍ଷରେ ଖାଉଟି ମୁଦ୍ରାସ୍ଫୀତି ହାର ୪ ଶତାଂଶ ନ ହୋଇ ୩.୭ ଶତାଂଶ େହବାକୁ ଯାଉଛି। ଖାଉଟି ମୁଦ୍ରାସ୍ଫୀତି ଏପରି ଏକ ନୀଚା ସ୍ତର ଛୁଇଁବା ପରେ ପରବର୍ତ୍ତୀ ସମୟରେ ଏହି ନୀଚା ଭିତ୍ତି ଉପରେ ଘଟିବାକୁ ଯାଉଥିବା ମୁଦ୍ରାସ୍ଫୀତିର ହାର ଉଚ୍ଚା ହେବା ଅନିବାର୍ଯ୍ୟ। ତେଣୁ ଆସନ୍ତା ବିତ୍ତ ବର୍ଷରେ ଖାଉଟି ମୁଦ୍ରାସ୍ଫୀତି ହାର ୪-୪.୫ ଶତାଂଶ ହାର ହୋଇପାରେ ବୋଲି ଅନୁମାନ କରାଯାଉଛି, ଯେଉଁ କାରଣରୁ ଏହି ସମ୍ଭାବ୍ୟ ମୁଦ୍ରାସ୍ଫୀତି ପରିସ୍ଥିତିର ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିବା ପାଇଁ ‘ଏମ୍ପିସି’ ରିଜର୍ଭ ବ୍ୟାଙ୍କ୍ର ‘ଷ୍ଟାନ୍ସ’କୁ ନିଉଟ୍ରାଲ୍ କରିଦେବାକୁ ଉଚିତ ମନେ କରିଛି।
ରିଜର୍ଭ ବ୍ୟାଙ୍କ୍ର ଏହି ଉଦାର ମୁଦ୍ରାନୀତି କେତେଦୂର ବର୍ତ୍ତମାନର ମାନ୍ଦା ଘରୋଇ କ୍ଷେତ୍ର ନିବେଶ ଓ ଖାଉଟି ଚାହିଦାରେ ଉନ୍ନତି ଘଟାଇବ, ତାହା ହେଉଛି ‘ଫଳେନ ପରିଚୟେତ୍’ ସଦୃଶ। ବଡ଼ ବଡ଼ କଂପାନିମାନେ ବର୍ତ୍ତମାନ ନୂତନ ନିଯୁକ୍ତି ସୃଷ୍ଟି କରିବା ପରିବର୍ତ୍ତେ କର୍ମଚାରୀ ଛଟେଇ କରିବା ଦେଖାଯାଉଛି। ଖାଉଟିମାନେ ମଧ୍ୟ ବଜାରରେ ପ୍ରବେଶ ପାଇଁ ବିଶେଷ ଉତ୍ସାହ ପ୍ରଦର୍ଶନ କରିବା ଦେଖାଯାଉ ନାହିଁ। ଉଦାହରଣ ସ୍ବରୂପ ୨୦୨୪-୨୫ ବିତ୍ତ ବର୍ଷର ଅନ୍ତିମ ଚଉଠରେ ଦେଶର ‘ମୋଟ ଘରୋଇ ଉତ୍ପାଦ’ (‘ଜିଡିପି’)ରେ ୭.୪ ଶତାଂଶ ହାରରେ ବୃଦ୍ଧି ଘଟିଥିବାବେଳେ ଖାଉଟି ଚାହିଦାରେ ଘଟିଥିବା ବୃଦ୍ଧିର ହାର ଥିଲା ତା’ଠାରୁ କମ୍, ୬ ଶତାଂଶ। ତାହାର ପୂର୍ବ ଚଉଠର ‘ଜିଡିପି’ରେ ଖାଉଟି ଖର୍ଚ୍ଚର ଅଂଶ ୬୦ ଶତାଂଶ ଥିବାବେଳେ ସେଇ ଶେଷ ଚଉଠରେ ତାହା ୫୩ ଶତାଂଶକୁ ହ୍ରାସ ପାଇବା ଦେଖାଯାଇଥିଲା।
ଏ ବାବଦରେ କୌଣସି ଅତ୍ୟଧିକ ପ୍ରତ୍ୟାଶାକୁ ସଂଯତ କରିବା ପାଇଁ ରିଜର୍ଭ ବ୍ୟାଙ୍କ୍ର ଗଭର୍ନର ସଚେତନ କରିଦେଇଛନ୍ତି ଯେ ନିବେଶ ଓ ଚାହିଦା ମୁଦ୍ରାନୀତି ଦ୍ବାରା ପ୍ରଭାବିତ ହେଉଥିଲେ ହେଁ ତାହା ସେମାନଙ୍କୁ ପ୍ରଭାବିତ କରୁଥିବା ଏକମାତ୍ର ଉପାଦାନ ନୁହେଁ। ଅର୍ଥନୀତିଜ୍ଞ କେନ୍ସଙ୍କ ଭାଷାରେ ଏକ ‘ଜାନ୍ତବ ଉତ୍ସାହ’ (‘ଆନିମଲ୍ ସ୍ପିରିଟ୍ସ’) ଏଥିପାଇଁ ଏକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ରିଜର୍ଭ ବ୍ୟାଙ୍କ୍ ବର୍ତ୍ତମାନ ତା’ର ଦାୟିତ୍ବ ନିର୍ବାହ କରିଛି; ସରକାର ମଧ୍ୟ ଟିକସ େକାହଳ କରିଛନ୍ତି। ଏଥର କର୍ପୋରେଟ୍ କ୍ଷେତ୍ର ତା’ର ସୁଷୁପ୍ତି ତ୍ୟାଗ କରି ସେଇ ଜାନ୍ତବ ଉତ୍ସାହ ପ୍ରଦର୍ଶନ କରିବାକୁ ଆଗେଇ ଆସିବା ଆଶା କରାଯାଏ।