ବର୍ତ୍ତମାନ ଯୁଦ୍ଧ ଯୋଗୁଁ ତାହା ଘଟିଲେ ତୈଳ ଦର ବ୍ୟାରେଲ ପିଛା ୯୦-୧୨୦ ଡଲାର୍ ପର୍ଯ୍ୟନ୍ତ ଛୁଇଁପାରେ। ହୁଏତ ଆମେରିକା ଯଦି ସାମରିକ ହ‌ସ୍ତକ୍ଷେପ କରି ମଧ୍ୟପ୍ରାଚ୍ୟ ତୈଳର ମୁଖ୍ୟ ପରିବହନ ପଥ ହର୍ମୁଜ ପ୍ରଣାଳୀକୁ ଉନ୍ମୁକ୍ତ ରଖେ ତେବେ ପରିସ୍ଥିତି ନିୟନ୍ତ୍ରଣାଧୀନ ହୋଇପାରେ। କିନ୍ତୁ ଅସ୍ଥିରଚିତ୍ତ ଟ୍ରମ୍ପ ପ୍ରଶାସନର ଆଚରଣ ସମ୍ବନ୍ଧରେ କୌଣସି ଭବିଷ୍ୟବାଣୀ କରାଯାଇ ପାରିବ ନାହିଁ। ଏଣୁ ଭାରତୀୟ ଅର୍ଥନୀତିର ମଙ୍ଗୁଆଳମାନେ ଏହି ସମ୍ଭାବ୍ୟ ପ୍ରତିକୂଳ ପବନର ମୁକାବିଲା ପାଇଁ ପ୍ରସ୍ତୁତ ହୋଇ ରହିବା ଜରୁରି।

Advertisment

ଭାରତୀୟ ଅର୍ଥନୀତି ବର୍ତ୍ତମାନ ଏପରି ଏକ ମୋଡ଼ରେ ପହଞ୍ଚିଛି, ଯେତେବେଳେ ତା’ର ଅଭିବୃଦ୍ଧିକୁ ସହାୟକ ହେବା ପାଇଁ ପୂରାପୂରି ଅନୁକୂଳ ବାଆ ବହିବାକୁ ଆରମ୍ଭ କରିଥିବା ଭଳି ମନେ ହୋଇଥାଏ। ସଦ୍ୟ ପ୍ରକାଶିତ ସୂଚନା ଅନୁସାରେ ଦେଶରେ ଖାଉଟି ମୁଦ୍ରାସ୍ଫୀତି ବିଗତ ଚାରି ମାସ ଧରି ଯେଉଁ ଉତ୍ତମ ଅାଚରଣ ପ୍ରଦର୍ଶନ କରି ୪ ଶତାଂଶ ହାର ତଳେ ରହି ଆସିଥିଲା, ସେଇ ଧାରାକୁ ଅବ୍ୟାହତ ରଖି ମଇ ମାସରେ ତାହା ହୋଇଛି ମାତ୍ର ୨.୮୨ ଶତାଂଶ, ଯାହା ପୁଣି ହେଉଛି ଫେବ୍ରୁଆରି ୨୦୧୯ ପରଠାରୁ, ଅର୍ଥାତ୍ ବିଗତ ଛ’ ବର୍ଷରୁ ଅଧିକ କାଳ ମଧ୍ୟରେ ସର୍ବନିମ୍ନ।
ଅତୀତରେ ଉଚ୍ଚା ମୁଦ୍ରାସ୍ଫୀତି ହାର ଯୋଗୁଁ ରିଜର୍ଭ ବ୍ୟାଙ୍କ୍ ଅଭିବୃଦ୍ଧିକୁ ସହାୟକ ହେବା ନିମିତ୍ତ ସୁଧ ହାରରେ ହ୍ରାସ ଘଟାଇବାକୁ କୁଣ୍ଠିତ ହୋଇ ଆସିଥିବାବେଳେ ବର୍ତ୍ତମାନ ମୁଦ୍ରାସ୍ଫୀତିର ନରମ ଆଚରଣ ତା’ର ସେଇ କୁଣ୍ଠା ଦୂର କରିବାରେ ସଫଳ ହୋଇଛି। ଏହାର ପରିପ୍ରକାଶ ସ୍ବରୂପ ରିଜର୍ଭ ବ୍ୟାଙ୍କ୍ ସଦ୍ୟ ସଦ୍ୟ ‘ରେପୋ ରେଟ୍’ରେ ଏକ ସଂପୂର୍ଣ୍ଣ ଅପ୍ରତ୍ୟାଶିତ ତୀକ୍ଷ୍‌ଣ ୫୦ ବେସିସ୍ ପଏଣ୍ଟ ହ୍ରାସ ଘଟାଇ ତାହାକୁ ୫.୫୦ ଶତାଂଶ ସ୍ତରକୁ ଖସାଇ ଆଣିଛି।
ଦେଶରେ ଖାଉଟି ଚାହିଦାରେ ଦେଖାଯାଉଥିବା ମନ୍ଥରତା ଦୀର୍ଘ କାଳ ଧରି ଶିଳ୍ପ ବ୍ୟବସାୟ କ୍ଷେତ୍ର ପାଇଁ ନିରୁତ୍ସାହ ସୃଷ୍ଟି କରିଆସିଛି। ବର୍ତ୍ତମାନ ଏଥିରେ ମଧ୍ୟ ଆଶାଜନକ ଉନ୍ନତି ଘଟିବାର ସୂଚନା ମିଳୁଛି। ଖାଉଟି ଚାହିଦାରେ ବୃଦ୍ଧି ଘଟିଲେ ସରକାରଙ୍କର ‘ଜିଏସ୍‌ଟି’ ରାଜସ୍ବ ସଂଗ୍ରହରେ ବୃଦ୍ଧି ଘଟିଥାଏ। ବିଗତ ତିନି ମାସ ଧରି ‘ଜିଏସ୍‌ଟି’ ସଂଗ୍ରହରେ ଯେଉଁ ବୃଦ୍ଧି ଧାରା ଦେଖିବାକୁ ମିଳିଛି, ତାହା ଖାଉଟିମାନଙ୍କର ନିଦ୍ରାଭଙ୍ଗର ସୂଚନା ବହନ କରିଥାଏ। ଘରୋଇ ଦ୍ରବ୍ୟ ଓ ସେବା ସୂତ୍ରରୁ ସଂଗୃହୀତ ‘ଜିଏସ୍‌ଟି’ରେ ଏପ୍ରିଲରେ ୧୦.୭ ଶତାଂଶ ବୃଦ୍ଧି ଘଟିଥିବାବେଳେ ମଇରେ ବୃଦ୍ଧି ହାର ହୋଇଛି ୧୩.୭ ଶତାଂଶ। ଏପ୍ରିଲ ଓ ମଇରେ ‘ଜିଏସ୍‌ଟି’ ସଂଗ୍ରହ ୨ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିବା ଦେଖାଯାଇଛି।
ପାଣିପାଗ ବିଶେଷଜ୍ଞମାନେ ଏଥର ମଧ୍ୟ ଏକ ଅନୁକୂଳ ମୌସୁମୀ ବୃଷ୍ଟିପାତ ଘଟିବାକୁ ଯାଉଛି ବୋଲି ଦୃଢ଼ ପୂର୍ବାନୁମାନ ପ୍ରକାଶ କରିଛନ୍ତି। ପୂର୍ବ ଋତୁରେ କୃଷି ଅମଳ ମଧ୍ୟ ସନ୍ତୋଷଜନକ ହୋଇଛି। ଏହାର ମିଳିତ ପ୍ରଭାବରେ ଭାରତର ଗ୍ରାମ୍ୟ ଅର୍ଥନୀତିରେ ଖାଉଟି ଚାହିଦାରେ ମଧ୍ୟ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ଏଥରର ବଜେଟ୍‌ରେ ସରକାର ଆୟ କରରେ ପ୍ରଦାନ କରିଥିବା ରିହାତି ସହରାଞ୍ଚଳର ଖାଉଟିମାନଙ୍କର କ୍ରୟ ଶକ୍ତିରେ ବୃଦ୍ଧି ଘଟାଇ ଥିବାବେଳେ, ନୀଚା ମୁଦ୍ରାସ୍ଫୀତି ସେମାନଙ୍କୁ ବଜାରମୁହଁା କରାଇଛି।
ଏ ସବୁର ମିଳିତ ପ୍ରଭାବ ଭାରତୀୟ ଅର୍ଥନୀତିକୁ ନିବେଶକ ଏବଂ ଶିଳ୍ପବାଣିଜ୍ୟ ଉଦ୍ୟୋଗୀମାନଙ୍କ ପାଇଁ ଏକ ଅତ୍ୟନ୍ତ ଅନୁକୂଳ ଆକର୍ଷଣରେ ପରିଣତ କରିବା ସ୍ବାଭାବିକ। କିନ୍ତୁ ଭାରତୀୟ ଅର୍ଥନୀତି ବୋଇତ ଏଭଳି ଅନୁକୂଳ ବାଆକୁ ଉପଯୋଗ କରି ଦ୍ରୁତ ଅଭିବୃଦ୍ଧି ହାସଲ କରିବା ପାଇଁ ଅଝାଲ ମେଲାଇବାକୁ ଆରମ୍ଭ କରିଥିବାବେଳେ ବର୍ତ୍ତମାନ ଦିଗ୍‌ବଳୟରେ ଏପରି ଏକ ଝଡ଼ର ଆବିର୍ଭାବ ଘଟିଛି ଯାହା ତା’ର ଗତିପଥରେ ଏକ ବିରାଟ ପ୍ରତିବନ୍ଧକ ସୃଷ୍ଟି କରିପାରେ। ଏହି ନୂତନ ଝଡ଼ (ଏଥିପୂର୍ବରୁ ରୁଷ୍-ୟୁକ୍ରେନ୍ ଯୁଦ୍ଧ, ଟ୍ରମ୍ପ ଟାରିଫ୍ ଆଦି ଆନ୍ତର୍ଜାତିକ ଅର୍ଥନୀତିକୁ ବିପର୍ଯ୍ୟସ୍ତ କରିଚାଲିଛନ୍ତି) ହେଉଛି ଇସ୍ରାଏଲ-ଇରାନ ସଂଘର୍ଷ। ଆଗାମୀ ଦିନମାନଙ୍କରେ ଏହି ସଂଘର୍ଷ ଯଦି ଏକ ବିଧିବଦ୍ଧ ଯୁଦ୍ଧର ରୂପ ନିଏ ଏବଂ ସେ ସମଗ୍ର ଅଞ୍ଚଳକୁ ଆକ୍ରାନ୍ତ କରେ, ତେବେ ଭାରତ ପାଇଁ ତାହା ବିଭିନ୍ନ ସମସ୍ୟାମାନ ସୃଷ୍ଟି କରିପାରେ- ରାଜନୈତିକରୁ କୂଟନୈତିକ ଓ ଅର୍ଥନୈତିକ ପର୍ଯ୍ୟନ୍ତ।
କିନ୍ତୁ ଭାରତୀୟ ଅର୍ଥନୀତି ପାଇଁ ଯାହା ସବୁଠାରୁ ବଡ଼ ପ୍ରତିବନ୍ଧକ ରୂପେ ଦେଖା ଦେବ ତାହା ହେଉଛି ଏହି ଯୁଦ୍ଧ ଯୋଗୁଁ ତୈଳ ଦରରେ ଏକ ସମ୍ଭାବ୍ୟ ତୀକ୍ଷ୍‌ଣ ବୃଦ୍ଧି। ଏହାର ଏକ ପୂର୍ବାଭାଷ ସ୍ବରୂପ ଇସ୍ରାଏଲ ଇରାନ ଉପରେ ଆକ୍ରମଣ ଆରମ୍ଭ କରିବା ମାତ୍ରେ ସେଇ ଶୁକ୍ରବାର ଦିନ ହିଁ ବ୍ରେଣ୍ଟ୍ ଅଶୋଧିତ ତୈଳ ଦରରେ ୮ ଶତାଂଶ ବୃଦ୍ଧି ଘଟି ତାହା ବ୍ୟାରେଲ ପିଛା ୭୪ ଡଲାର୍ ହୋଇଯାଇଥିଲା। ସୂଚନାଯୋଗ୍ୟ ଯେ ତୈଳ ଯୋଗାଣରେ କୌଣସି ସଂକୋଚନ ଘଟି ନ ଥିଲେ ହେଁ ତୈଳ ଦରରେ ଏଭଳି ତୀକ୍ଷ୍‌ଣ ବୃଦ୍ଧି ଘଟିଥିଲା। ଏହାର କାରଣ ହେଉଛି ଭବିଷ୍ୟତରେ ଯୋଗାଣ ବ୍ୟାହତ ହେବାର ଅାଶଙ୍କା।
ଭାରତର ଜଣାଶୁଣା ଦୁର୍ବଳତା ହେଲା ଆମେ ଆମର ତୈଳ ଚାହିଦା ପୂରଣ ନିମିତ୍ତ ମୁଖ୍ୟତଃ ଆମଦାନି ଉପରେ ନିର୍ଭର କରିଥାଉ, ଯାହାର ଅଂଶ ହେଉଛି ୮୦ ଶତାଂଶ। ତୈଳ ଦରରେ ଯଦି ବୃଦ୍ଧି ଘ‌େଟ, ତେବେ ଏହାର ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ ପ୍ରଭାବ ଯୋଗୁଁ ଏବେ ମଥା ନୁଅଁାଇ ଥିବା ମୁଦ୍ରାସ୍ଫୀତି ପୁଣି ମୁଣ୍ଡ ଟେକିବ। ଯଦି ତାହା ଘଟେ, ତେବେ ରିଜର୍ଭ ବ୍ୟାଙ୍କ୍ ପୁଣି ‘ରେପୋ ରେଟ୍’ରେ ବୃଦ୍ଧି ଘଟାଇବାକୁ ବାଧ୍ୟ ହେବ। ଏମାନଙ୍କର ମିଳିତ ପ୍ରଭାବରେ ଉଭୟ ନିବେଶ ଓ ଖାଉଟି ଚାହିଦାରେ ପୁଣି ଶିଥିଳତା ଅନୁପ୍ରବେଶ କରିବ। ଅର୍ଥନୀତିକୁ ଅ‌ାଗେଇ ନେଉଥିବା ଅନୁକୂଳ ବାଆ ପୁଣି ଥମି ଯିବାକୁ ଅାରମ୍ଭ କରିବ। ସେତିକି ନୁହେଁ, ଯୁଦ୍ଧ ଯୋଗୁଁ ଯଦି ହର୍ମୁଜ ପ୍ରଣାଳୀ ଓ ସୁଏଜ କେନାଲରେ ଜାହାଜ ଚଳାଚଳ ବନ୍ଦ ହୋଇଯାଏ, ତେବେ ଆନ୍ତର୍ଜାତିକ ତୈଳ ଯୋଗାଣ ସହିତ ଭାରତୀୟ ରପ୍ତାନି ମଧ୍ୟ ବାଧା ପାଇବ। ତେବେ ଯୁଦ୍ଧ କେଉଁ ମୋଡ଼ ନେବ ଏବଂ ସେଥିଯୋଗୁଁ ତୈଳ ଯୋଗାଣ ଓ ଦର କିଭଳି ପ୍ରଭାବିତ ହେବ, ସେ ସମ୍ବନ୍ଧରେ ସଠିକ୍ ପୂର୍ବାନୁମାନ କରିବା କଷ୍ଟକର।
ଇରାନର ତୈଳକୂପମାନ ଏବଂ ରପ୍ତାନି ଟର୍ମିନାଲ ସବୁ ଉପରେ ଇସ୍ରାଏଲର ଆକ୍ରମଣ ଯୋଗୁଁ ଯଦି ଇରାନର ତୈଳ ରପ୍ତାନି ସଂପୂର୍ଣ୍ଣ ରୂପେ ବନ୍ଦ ହୋଇଯାଏ, ତା’ହେଲେ ଆନ୍ତର୍ଜାତିକ ତୈଳ ଯୋଗାଣରେ ଦୈନିକ ୧.୭ ନିୟୁତ ବ୍ୟାରେଲ ହ୍ରାସ ଘଟିବ। ଅବଶ୍ୟ ଏହାକୁ ଭରଣା କରିବା ପାଇଁ ସାଉଦି ଆରବ ଓ ‘ୟୁଏଇ’ ପରି ପଡ଼ୋଶୀ ଦେଶମାନଙ୍କ ପାଖରେ ଯଥେଷ୍ଟ ବଳକା ତୈଳ ଉପଲବ୍‌ଧ ଅଛି ଏବଂ ସେମାନେ ଏହି ଅପ୍ରତ୍ୟାଶିତ ପରିସ୍ଥିତିରୁ ଲାଭ ଉଠାଇବା ପାଇଁ ଆଗ୍ରହ ସହକାରେ ଆଗେଇ ଆସନ୍ତେ। କିନ୍ତୁ ଇରାନ ଧମକ ଦେବାରେ ଲାଗିଛି ଯେ ସେମାନେ ଯଦି ଏଭଳି କୌଣସି ପଦକ୍ଷେପ ନିଅନ୍ତି, ଇରାନ ସେମାନଙ୍କୁ ଇସ୍ରାଏଲର ସହଯୋଗୀ ରୂପେ ବିଚାର କରି ସେମାନଙ୍କ ବିରୁଦ୍ଧରେ ଶତ୍ରୁତାମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।
ତା’ ଛଡ଼ା ଏମିତିରେ ତୈଳ ଯୋଗାଣରୁ ଇରାନର ଅପସାରଣ ଯୋଗୁଁ ସେଥିରେ ସଂକୋଚନ ଘଟି ଆନ୍ତର୍ଜାତିକ ବଜାରରେ ତୈଳ ‌ଦରରେ ଯଦି ବୃଦ୍ଧି ଘଟେ, ତାହା ସାଉଦି ଆରବ ବା ‘ୟୁଏଇ’ ଏବଂ ଅନ୍ୟ ତୈଳ ଯୋଗାଣକାରୀ ରାଷ୍ଟ୍ରମାନଙ୍କ ପାଇଁ ବେଶ୍ ଅପ୍ରତ୍ୟାଶିତ ଲାଭ ସୃଷ୍ଟି କରିବ। ପ୍ରକୃତରେ ବିଗତ ଦୁଇ ବର୍ଷ ହେଲା ସେମାନେ ତୈଳ ଯୋଗାଣରେ ସଂକୋଚନ ଘଟାଇ ତୈଳ ଦରରେ ବୃଦ୍ଧି ଘଟାଇବା ପାଇଁ ଚେଷ୍ଟା କରିଆସୁଥିଲେ ହେଁ ସହଯୋଗ ଅଭାବରୁ ଏପରି ସଂକୋଚନ ଘଟିବା ସମ୍ଭବ ହୋଇପାରି ନ ଥିଲା। ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି, ବର୍ତ୍ତମାନ ଯୁଦ୍ଧ ଯୋଗୁଁ ତାହା ଘଟିଲେ ତୈଳ ଦର ବ୍ୟାରେଲ ପିଛା ୯୦-୧୨୦ ଡଲାର୍ ପର୍ଯ୍ୟନ୍ତ ଛୁଇଁପାରେ। ହୁଏତ ଆମେରିକା ଯଦି ସାମରିକ ହ‌ସ୍ତକ୍ଷେପ କରି ମଧ୍ୟପ୍ରାଚ୍ୟ ତୈଳର ମୁଖ୍ୟ ପରିବହନ ପଥ ହର୍ମୁଜ ପ୍ରଣାଳୀକୁ ଉନ୍ମୁକ୍ତ ରଖେ ତେବେ ପରିସ୍ଥିତି ନିୟନ୍ତ୍ରଣାଧୀନ ହୋଇପାରେ। କିନ୍ତୁ ଅସ୍ଥିରଚିତ୍ତ ଟ୍ରମ୍ପ ପ୍ରଶାସନର ଆଚରଣ ସମ୍ବନ୍ଧରେ କୌଣସି ଭବିଷ୍ୟବାଣୀ କରାଯାଇ ପାରିବ ନାହିଁ। ଏଣୁ ଭାରତୀୟ ଅର୍ଥନୀତିର ମଙ୍ଗୁଆଳମାନେ ଏହି ସମ୍ଭାବ୍ୟ ପ୍ରତିକୂଳ ପବନର ମୁକାବିଲା ପାଇଁ ପ୍ରସ୍ତୁତ ହୋଇ ରହିବା ଜରୁରି।