ନୂତନ ରାଜନୈତିକ ଦଳମାନେ ଯେତେବେଳେ ନୂଆ ନୂଆ ପ୍ରତିଶ୍ରୁତିମାନ ଧରି ପ୍ରବେଶ କରନ୍ତି, ସେତେବେଳେ ମତଦାତାମାନେ ସେମାନଙ୍କ ଆଡ଼କୁ ଆକର୍ଷିତ ନ ହୋଇ ସେମାନଙ୍କର ପାରମ୍ପରିକ ପରିଚିତ ଦଳମାନଙ୍କୁ ବିଶ୍ବାସଯୋଗ୍ୟ ବ୍ରାଣ୍ଡ୍ ରୂପେ ଜାବୁଡ଼ି ଧରିଥାନ୍ତି। ପିତାଙ୍କୁ ଗ୍ରହଣ କରିଥିବା ମତଦାତାମାନେ, ପୁତ୍ର, ପୌତ୍ର, ପ୍ରପୌତ୍ରଙ୍କୁ ମଧ୍ୟ ଗ୍ରହଣ କରିଥାନ୍ତି। ଏହି ଧାରା ଅବ୍ୟାହତ ରହିଲେ କ୍ରମେ ପ୍ରାର୍ଥୀଙ୍କର ଯୋଗ୍ୟତା ଅପେକ୍ଷା ସେମାନଙ୍କ ସହିତ ପରିଚୟର ଦୀର୍ଘତା କିମ୍ବା ଗଭୀରତା ମତଦାନ ସମୟରେ ଅଧିକ ଗୁରୁତ୍ବ ବହନ କରିଥାଏ।

Advertisment

ମହାରାଷ୍ଟ୍ରରେ ଏକନାଥ ସିନ୍ଦେ ଯେତେବେଳେ ଶାସକ ଦଳ ଶିବସେନାକୁ ଦୁଇ ଭାଗ କରିଦେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ସରକାରର ପତନ ଘଟାଇ ନିଜକୁ ଶିବସେନାର ପ୍ରତିଷ୍ଠାତା ବାଲା ସାହେବ ଠାକ୍‌ରେଙ୍କର ପ୍ରକୃତ ବୈଚାରିକ ଅନୁଗାମୀ ରୂପେ ଘୋଷଣା କଲେ, ସେତେବେଳେ ବାଲା ସାହେବଙ୍କ ପୁତ୍ର ଉଦ୍ଧବ ଠାକ୍‌ରେ ଯେଉଁ ପ୍ରତିକ୍ରିୟା ପ୍ରକାଶ କରିଥିଲେ, ତାହା ଭାରତୀୟ ରାଜନୀତିରେ ବଂଶବାଦର ରାଜୁତି ସମ୍ବନ୍ଧରେ ଏକ ସ୍ପଷ୍ଟ ଧାରଣା ପ୍ରଦାନ କରିଥାଏ। ଉତ୍‌କ୍ଷିପ୍ତ ଉଦ୍ଧବ ପ୍ରଶ୍ନ କରିଥିଲେ, ସିନ୍ଦେ ତାଙ୍କ ନିଜ ପିତାଙ୍କ ନାମ ବ୍ୟବହାର ନ କରି ‘‘ମୋ ପିତାଙ୍କ ନାମ ନେଇ କାହିଁକି ରାଜନୀତି କରୁଛନ୍ତି?’’
ଉଦ୍ଧବଙ୍କ କ୍ରୋଧ ବୁଝିବା ମଧ୍ୟ କଷ୍ଟକର ନୁହେଁ, କାରଣ ବଂଶବାଦର ପ୍ରମୁଖ ହିତାଧିକାରୀ ରୂପେ କେବଳ ସେ ନୁହନ୍ତି, ତାଙ୍କର ପୁତ୍ର ତଥା ବାଲା ସାହେବଙ୍କ ନାତି ଆଦିତ୍ୟ ମଧ୍ୟ ସେ ରାଜ୍ୟରେ ଶାସନ କ୍ଷମତା ଦଖଲ କରିବାରେ ସଫଳ ହୋଇଛନ୍ତି। ତେବେ ବଂଶବାଦ ସମ୍ବନ୍ଧରେ ଉଦ୍ଧବ ଠାକ୍‌ରେଙ୍କର ଏଭଳି ନଗ୍ନ ସ୍ବୀକାରୋକ୍ତି ବିରଳ ହୋଇଥିଲେ ହେଁ ଭାରତୀୟ ରାଜନୀତିରେ ବଂଶବାଦ ଯେ ଗଭୀର ଚେର ବିସ୍ତାର କରି ଶାଖାପ୍ରଶାଖା ମେଲାଇ ଚାଲିଛି, ଏହାର ଅସଂଖ୍ୟ ଉଦାହରଣମାନ ଏପରି ସୁବିଦିତ ଯେ, ଏଠାରେ ତାହାର ଉଲ୍ଲେଖ ସଂପୂର୍ଣ୍ଣ ଅନାବଶ୍ୟକ ମନେ ହୁଏ।
ବଂଶବାଦ ସାଧାରଣତଃ ରାଜତନ୍ତ୍ରର ମୌଳିକ ଚରିତ୍ର ହୋଇଥିବା ବେଳେ ନିଜକୁ ପୃଥିବୀର ବୃହତ୍ତମ ଗଣତନ୍ତ୍ରର ନାଗରିକ ରୂପେ ଗର୍ବ କରୁଥିବା ଭାରତୀୟମାନେ ଯେ ଏହି ବିକୃତିକୁ ସାଦରେ ଆଲିଙ୍ଗନ କରିଚାଲିଛନ୍ତି, ସ୍ବାଧୀନତାର ୭୫ ବର୍ଷରୁ ଅଧିକ କାଳ ଅତିକ୍ରାନ୍ତ ହେବା ପରେ ମଧ୍ୟ ତାହା ହେଉଛି ଏକ ତିକ୍ତ ସତ୍ୟ। ଗଣତନ୍ତ୍ରର ଏହି ଅଗଣତାନ୍ତ୍ରିକ ରୂପାନ୍ତର ଯେତେବେଳେ ଦେଶରେ କାହାରି ଠାରେ ଆଉ ଭ୍ରୂ-କୁଞ୍ଚନ ମଧ୍ୟ ସୃଷ୍ଟି କରିବା ପ୍ରାୟ ବନ୍ଦ ହୋଇଗଲାଣି, ସେତିକିବେଳେ ହଠାତ୍ ବଂଶବାଦ ବିରୁଦ୍ଧରେ ଏକ ସଂପୂର୍ଣ୍ଣ ଅଭାବିତ ସୂତ୍ରରୁ ଉତ୍ତୋଳିତ ହୋଇଥିବା ଏକ ସ୍ବର ବର୍ତ୍ତମାନ ଆମର ସାମୂହିକ ନିଦ୍ରା ଭଙ୍ଗ କରି ଆମକୁ ପୁଣି ଥରେ ସେ ସମ୍ବନ୍ଧରେ ସଚେତନ ହେବାକୁ ଆବିର୍ଭୂତ ହୋଇ ଚମକାଇ ଦେଇଛି। ଏହା ସଂପୂର୍ଣ୍ଣ ଅଭାବିତ ‌ଏଇଥିପାଇଁ ଯେ ଏହି ସ୍ବର ହେଉଛି ଭାରତୀୟ ରାଜନୀତିରେ ବଂଶବାଦର ମୁଖ୍ୟ ପ୍ରବର୍ତ୍ତକ ହୋଇଥିବା ‘ଭାରତୀୟ ଜାତୀୟ କଂଗ୍ରେସ’ ଦଳର ଲୋକସଭା ସାଂସଦ ତଥା ସେଇ ଦଳର ଜଣେ ବିରଳ ବୌଦ୍ଧିକ ନେତା ଶଶୀ ଥରୁର୍‌ଙ୍କର।
ଥରୁର୍ ତାଙ୍କର ଏକ ସଦ୍ୟ ପ୍ରକାଶିତ ‘ପ୍ରୋଜେକ୍ଟ ସିଣ୍ଡିକେଟ୍’ ରଚନାରେ ବଂଶବାଦ ସମ୍ବନ୍ଧରେ ପ୍ରକଟ କରିଥିବା ଚିନ୍ତା ବର୍ତ୍ତମାନ ସ୍ବାଭାବିକ ଭାବରେ ଦେଶରେ ଏକ ରାଜନୈତିକ କୋଳାହଳ ସୃଷ୍ଟି କରିଛି। କାରଣ ତାଙ୍କ ନିଜ ଦଳର ସର୍ବମୟ ନେତା ରାହୁଳ ଗାନ୍ଧୀ ଦେଶରେ ବଂଶବାଦର ସର୍ବପ୍ରଧାନ ପ୍ରତୀକ ହୋଇଥିବାବେଳେ ଥରୁର୍ ବଂଶବାଦ ବିରୋଧରେ ବିଷୋଦ୍‌ଗାର କରିବା ରାଜଦ୍ରୋହ ଭଳି ହୋଇଥାଏ। ଥରୁର୍ ତାଙ୍କର ଏହି ରଚନାରେ ଅଭିଯୋଗ କରିଛନ୍ତି ଯେ ବଂଶବାଦୀ ରାଜନୀତିରେ ଖାନ୍‌ଦାନି ଦ୍ବାରା ଯୋଗ୍ୟତା ପଦାନତ ହୋଇଥାଏ, ଯାହାର ପରିଣାମ ସ୍ବରୂପ ଶାସନର ଗୁଣାତ୍ମକ ମାନ ଘୋର କ୍ଷତିଗ୍ରସ୍ତ ହୋଇଥାଏ। ଥରୁର୍ ଅବଶ୍ୟ ତାଙ୍କ ରଚନାରେ ସ୍ପଷ୍ଟ କରିଦେଇଛନ୍ତି ‌େଯ ବଂଶବାଦ କେବଳ କଂଗ୍ରେସ ଦଳରେ ବସାବାନ୍ଧି ରହି ନାହିଁ।
ଭାରତୀୟ ଗଣତନ୍ତ୍ରର ଅସ୍ତିତ୍ବ ପ୍ରତି ବିପଦ ସୃଷ୍ଟି କରୁଥିବା ଏହି ବିକୃତି ଏପରି ସର୍ବବ୍ୟାପୀ ଯେ ଏଠାରେ ରାଜନୈତିକ କ୍ଷମତା ହସ୍ତାନ୍ତର ଏକ ଗଣତାନ୍ତ୍ରିକ ପ୍ରକ୍ରିୟା ନ ହୋଇ ଏକ ପାରିବାରିକ ଉଇଲ୍ ପାଠ କରାଯିବା ଭଳି ମନେ ହୋଇଥାଏ। ଏହାର ପ୍ରମାଣ ସ୍ବରୂପ କେତୋଟି ସୁପରିଚିତ ଉଦାହରଣ ଉପରେ ଦୃଷ୍ଟି ନିକ୍ଷେପ କରାଯାଇପାରେ। ଉପରେ ପ୍ରଦତ୍ତ ଠାକ୍‌ରେ ପରିବାର ଉଦାହରଣର ପୁନରାବୃତ୍ତି ଅନାବଶ୍ୟକ। ଓଡ଼ିଶାରେ ବିଜୁ ପଟ୍ଟନାୟକଙ୍କ ଉତ୍ତରାଧିକାରୀ ରୂପେ ତାଙ୍କର ପୁତ୍ର ନବୀନ ଦୀର୍ଘ ପ୍ରାୟ ଚଉଠ ଶତାବ୍ଦୀ ଧରି ଶାସନ କ୍ଷମତା ଉପଭୋଗ କଲେ। ତାମିଲନାଡୁରେ କରୁଣାନିଧିଙ୍କ ବଂଶର ଉତ୍ତରାଧିକାରକୁ ତାଙ୍କର ପୁତ୍ର ଷ୍ଟାଲିନ୍ ଓ ନାତି ଉଦୟନିଧି ଆଗେଇ ନେବାରେ ଲାଗିଛନ୍ତି। ବିହାରରେ ଲାଲୁ ଯାଦବ, ତାଙ୍କର ପତ୍ନୀ ଓ ପୁତ୍ରମାନଙ୍କ ମାଧ୍ୟମରେ ଯାଦବ ବଂଶର ଉତ୍ତରାଧିକାରର ଜୟଯାତ୍ରା ଅବ୍ୟାହତ ରହିଥିବାବେଳେ ମୁଲାୟମ ଓ ଅଖିଳେଶଙ୍କ ମାଧ୍ୟମରେ ଅନ୍ୟ ଏକ ଯାଦବ ବଂଶ ଉତ୍ତରପ୍ରଦେଶ ରାଜନୀତିରେ ପ୍ରଭୁତ୍ବ ବିସ୍ତାର କରିବା ଦେଖାଯାଇଛି। ଆନ୍ଧ୍ର, ତେଲେଙ୍ଗାନା, ପଞ୍ଜାବ ଓ ଏପରିକି ପଶ୍ଚିମବଙ୍ଗ ପରି ରାଜ୍ୟମାନଙ୍କରେ ମଧ୍ୟ ବିଭିନ୍ନ ସମୟରେ ବଂଶବାଦୀ ରାଜନୀତି କାୟା ବିସ୍ତାର କରିବା ଦେଖାଯାଇଛି।
ପିଢ଼ି ପରେ ପିଢ଼ି ଶାସନ କ୍ଷମତାରେ ରହିବା ଦ୍ବାରା ସଂପୃକ୍ତ ବଂଶ ଠାରେ ଏକ ରାଜବଂଶର ଭ୍ରମ ସୃଷ୍ଟି ହୋଇଥାଏ, ଯାହା ସେମାନଙ୍କୁ ଗଣତନ୍ତ୍ର ଠାରୁ ଦୂରେଇ ଦେଇଥାଏ। ଶାସନ ଗାଦି ଦଖଲରେ ରହିବା ସେମାନଙ୍କର ଏକମାତ୍ର ଧ୍ୟେୟ ହୋଇଥାଏ ଏବଂ ତାହା ନିଶ୍ଚିତ କରିବା ନିମିତ୍ତ ସେମାନେ ଅନେକ ସମୟରେ ଦାୟିତ୍ବହୀନ ନୀତିମାନ ଅବଲମ୍ବନ କରିଥାନ୍ତି, ଯାହା ସମାଜ ପାଇଁ ଘୋର କ୍ଷତିକାରକ ହୋଇଥାଏ। ଏଥିସତ୍ତ୍ବେ ଭାରତୀୟ ମତାଦାତାମାନେ ପିଢ଼ି ପରେ ପିଢ଼ି ଗୋଟିଏ ନିର୍ଦ୍ଦିଷ୍ଟ ବଂଶର ସଦସ୍ୟମାନଙ୍କ ପ୍ରତି ଆନୁଗତ୍ୟ ପ୍ରଦର୍ଶନ କରି ଚାଲିଥାନ୍ତି କାହିଁକି?
ଏହାର ଗୋଟିଏ ସମ୍ଭାବ୍ୟ ଉତ୍ତର ମିଳିପାରେ ଅର୍ଥଶାସ୍ତ୍ରର ବଜାର ସମ୍ବନ୍ଧିତ ଏକ ତତ୍ତ୍ବରୁ। ବେଳେବେଳେ ଏକ ବଜାର ପ୍ରତିଯୋଗିତାପୂର୍ଣ୍ଣ ହୋଇଥିଲେ ହେଁ ସେଠାରେ ହାତଗଣତି କେତେଗୋଟି ବ୍ୟବସାୟ ପାଖାପାଖି ଏକଚାଟିଆ ଅଧିକାର ହାସଲ କରିବା ଦେଖାଯାଇଥାଏ। ସେମାନେ ଯେଉଁସବୁ କୌଶଳ ବ୍ୟବହାର କରି ଏପରି କ୍ଷମତା ଅାହରଣ କରିଥାନ୍ତି, ସେଥି‌ରୁ ଗୋଟିଏ ହେଉଛି ବ୍ରାଣ୍ଡ୍ ସୃଷ୍ଟି ମାଧ୍ୟମରେ ନିଜ ଜିନିଷକୁ ପ୍ରତିଦ୍ବନ୍ଦ୍ବୀମାନଙ୍କର ଜିନିଷ ଠାରୁ ନିଆରା ବୋଲି ପ୍ରଦର୍ଶିତ କରିବା, ଯାହାକୁ ‘ଦ୍ରବ୍ୟ ପୃଥକ୍‌କରଣ’ (‘ପ୍ରଡକ୍ଟ ଡିଫରେନ୍‌ସିଏସନ୍’) ରୂପେ ଅଭିହିତ କରାଯାଇଥାଏ। ସମୟ କ୍ରମେ କେତେକ ପ୍ରତିଷ୍ଠିତ ବ୍ରାଣ୍ଡ୍‌ମାନଙ୍କ ପ୍ରତି ସୃଷ୍ଟି ହୋଇଥିବା ଗ୍ରାହକ ଆନୁଗତ୍ୟ ପିଢ଼ି ପରେ ପିଢ଼ି ଅତିକ୍ରମ କରି ଦୀର୍ଘସ୍ଥାୟୀ ହୋଇଥିବା ଦେଖାଯାଇଥାଏ (ଉଦାହରଣ- ‘ସର୍ଫ’, ‘କଲ୍‌ଗେଟ୍’, ‘ବାଟା’...)। ବଜାରରେ ଅନୁରୂପ ଜିନିଷ ଭିନ୍ନ ଭିନ୍ନ ବ୍ରାଣ୍ଡ୍ ବହନ କରି ପ୍ରବେଶ କଲେ ମଧ୍ୟ ଏହି ଅନୁଗତ ଗ୍ରାହକମାନେ ସେଗୁଡ଼ିକର ଗୁଣାତ୍ମକ ମାନକୁ ବିଶ୍ବାସ କରନ୍ତି ନାହିଁ ଏବଂ ନିଜର ସେଇ ପୁରୁଣା ପରିଚିତ ଭରସାଯୋଗ୍ୟ ବ୍ରାଣ୍ଡ୍ ସହିତ ଯୋଡ଼ି ହୋଇ ରହନ୍ତି।
ରାଜନୀତିରେ ସେଇଭଳି ଅନେକ ସମୟରେ ମତାଦାତାମାନେ ପ୍ରତିଷ୍ଠିତ ପରିବାରର ନାମକୁ ଭରସାଯୋଗ୍ୟ ବ୍ରାଣ୍ଡ୍ ଭାବରେ ଗ୍ରହଣ କରିଥାନ୍ତି। ନୂତନ ରାଜନୈତିକ ଦଳମାନେ ଯେତେବେଳେ ନୂଆ ନୂଆ ପ୍ରତିଶ୍ରୁତିମାନ ଧରି ପ୍ରବେଶ କରନ୍ତି, ସେତେବେଳେ ମତଦାତାମାନେ ସେମାନଙ୍କ ଆଡ଼କୁ ଆକର୍ଷିତ ନ ହୋଇ ସେମାନଙ୍କର ପାରମ୍ପରିକ ପରିଚିତ ଦଳମାନଙ୍କୁ ବିଶ୍ବାସଯୋଗ୍ୟ ବ୍ରାଣ୍ଡ୍ ରୂପେ ଜାବୁଡ଼ି ଧରିଥାନ୍ତି। ପିତାଙ୍କୁ ଗ୍ରହଣ କରିଥିବା ମତଦାତାମାନେ, ପୁତ୍ର, ପୌତ୍ର, ପ୍ରପୌତ୍ରଙ୍କୁ ମଧ୍ୟ ଗ୍ରହଣ କରିଥାନ୍ତି। ଏହି ଧାରା ଅବ୍ୟାହତ ରହିଲେ କ୍ରମେ ପ୍ରାର୍ଥୀଙ୍କର ଯୋଗ୍ୟତା ଅପେକ୍ଷା ସେମାନଙ୍କ ସହିତ ପରିଚୟର ଦୀର୍ଘତା କିମ୍ବା ଗଭୀରତା ମତଦାନ ସମୟରେ ଅଧିକ ଗୁରୁତ୍ବ ବହନ କରିଥାଏ। ନେତା ଓ ଜନତାଙ୍କ ମଧ୍ୟରେ ଏହା ଏକ ଦୀର୍ଘକାଳୀନ ଚୁକ୍ତି ଭଳି କାର୍ଯ୍ୟ କରିଥାଏ।
ନିର୍ବାଚନରେ ଜୟ ପରାଜୟ ଏକ ବଂଶର ପରିଚୟ ଉପରେ ନିର୍ଭର କରିବା ପରେ ସଂପୃକ୍ତ ରାଜନୈତିକ ଦଳରେ ସ୍ବାଭାବିକ ଭାବରେ ଆଭ୍ୟନ୍ତରୀଣ ଗଣତନ୍ତ୍ର ନିଶ୍ଚିହ୍ନ ହୋଇଯାଏ। ଦଳର ପାଣ୍ଠି ମଧ୍ୟ ବଂଶର ନିୟନ୍ତ୍ରଣରେ ରହିବା ପରେ ଦଳ ଉପରେ ବଂଶର ପ୍ରଭୁତ୍ବ ସଂପୂର୍ଣ୍ଣ ହୋଇଯାଏ। ଏଇ ନିୟନ୍ତ୍ରଣ ହିଁ ସମ୍ଭବତଃ ଶଶୀ ଥରୁର୍‌ଙ୍କୁ ଶ୍ବାସରୁଦ୍ଧ କରି ଉପରୋକ୍ତ ରଚନାରେ ନିଜର ମର୍ମବେଦନା ପ୍ରକାଶ କରିବାକୁ ପ୍ରବୃତ୍ତ କରିଛି। କିନ୍ତୁ ଉପରେ ପ୍ରଦତ୍ତ ‘ଏକଚାଟିଆ ପ୍ରତଯୋଗିତା’ (‘ମନୋପଲିଷ୍ଟିକ୍ କମ୍ପିଟିସନ୍’)ରେ ଘଟିଥିବା ଭଳି ପ୍ରତିଷ୍ଠିତ ବ୍ରାଣ୍ଡ୍‌କୁ ବଜାରରୁ ହଟାଇବା ସହଜ ନୁହେଁ, ଯେଉଁଥିପାଇଁ ସଚେତନ ଶଶୀ ଥରୁର୍ ମଧ୍ୟ ଯେତେବେଳେ ରାଜନୀତିରେ ପ୍ରବେଶ କଲେ, ସେଇ ବଂଶବାଦୀ କଂଗ୍ରେସକୁ ହିଁ ନିଜର ଆଶ୍ରୟସ୍ଥଳୀ ରୂପେ ପସନ୍ଦ କଲେ।