ବାୟୁ ମଣ୍ଡଳର ନିର୍ମଳୀକରଣ ପ୍ରକ୍ରିୟାରେ ପ୍ରତିଷେଧକ ପଦକ୍ଷେପ ଆବଶ୍ୟକ, ଯହିଁରେ ପ୍ରଦୂଷଣକୁ ଉତ୍ସରୁ ହିଁ ନିରୋଧ କରିବାକୁ ହୋଇଥାଏ। କିନ୍ତୁ ଭାରତ ଭଳି ଏକ ଗଣତନ୍ତ୍ରରେ ନାଗରିକଙ୍କୁ ଅଧିକ ହଇରାଣ ହରକତ ନ କରିବା ସକାଶେ ପ୍ରଦୂଷଣର ମୁକାବିଲା କେବଳ ପ୍ରତିକାରମୂଳକ ହୋଇ ରହିଛି। ପ୍ରତିଷେଧମୂଳକ ପଦକ୍ଷେପ ନେବାର ସାହସ ସରକାର ଦେଖାଇ ପାରୁ ନାହାନ୍ତି। କାରଣ ତଦ୍ଦ୍ବାରା ସାଧାରଣ ନାଗରିକଙ୍କ ସକାଶେ ଉତ୍ପନ୍ନ ହେବାକୁ ଥିବା ଦୁର୍ଦ୍ଦଶାର ମୁକାବିଲା ଲାଗି ସରକାରଙ୍କୁ ଯଥେଷ୍ଟ ବିକଳ୍ପର ଆୟୋଜନ କରିବାକୁ ହେବ।

Advertisment

UAE Floods: ଅବିଶ୍ରାନ୍ତ ବର୍ଷା ପରେ ୟୁଏଇରେ ବନ୍ୟା ପରିସ୍ଥିତି: ବୁଡ଼ିଲା ରାସ୍ତା, ବିମାନ ବାତିଲ, ଜଳବନ୍ଦୀ ଜୀବନ…

ରାଜଧାନୀ ସହର ଦିଲ୍ଲୀରେ ସଂପ୍ରତି ‘ଜୀବନ-ମରଣ’ ସମସ୍ୟାର ରୂପ ନେଇ ଯାହା ପ୍ରତିଭାତ ହୋଇଛି, ତାହା ହେଉଛି ଅତ୍ୟନ୍ତ ଉତ୍କଟ ବାୟୁ ପ୍ରଦୂଷଣ। ‘ବିଶ୍ବ ସ୍ବାସ୍ଥ୍ୟ ସଂଗଠନ’ ବା ‘ହୁ’ ଦ୍ବାରା ଜାରି ସତର୍କତାମୂଳକ ପରାମର୍ଶ ଅନୁସାରେ ‘ଏୟାର କ୍ବାଲିଟି ଇନ୍‌ଡେକ୍‌ସ’ ବା ‘ଏ.କ୍ୟୁ.ଆଇ.’ ସ୍ତର ୬୦ ତଳକୁ ରହିବା ହେଉଛି ମନୁଷ୍ୟ ସ୍ବାସ୍ଥ୍ୟର ଅନୁକୂଳ, ଯାହା ଦିଲ୍ଲୀରେ ହାରାହାରି ୩୦୦ରୁ ୪୦୦ ମଧ୍ୟରେ ରହୁଛି ଏବଂ ବେଳେବେଳେ କେତେକ ସ୍ଥାନରେ ଏ.କ୍ୟୁ.ଆଇ. ଏକ ଅଚିନ୍ତନୀୟ ୧୪୦୦ରେ ମଧ୍ୟ ପହଞ୍ଚି ଯାଉଛି। କହିବା ଅନାବଶ୍ୟକ ଯେ ଏଭଳି ସ୍ଥିତିରେ ଅତିଷ୍ଠ ଦିଲ୍ଲୀ ନାଗରିକଗଣ ‘ନିର୍ମଳ ବାୟୁ ସେବନ କରିବାର ଅଧିକାର’ ସକାଶେ ଦାବି କରି ସଡ଼କରେ ରୁଣ୍ଡ ହେଲେଣି, ଯହିଁରେ ଏଭଳି ଗୁରୁତର ସ୍ବାସ୍ଥ୍ୟ ସମସ୍ୟାର ସମାଧାନରେ ସରକାରଙ୍କ ବିଫଳତା ଓ ପ୍ରସଙ୍ଗର ଅନାବଶ୍ୟକ ରାଜନୀତୀକରଣକୁ ତୀବ୍ର ସମାଲୋଚନା କରାଯାଉଛି, ଯଦିଓ ନିକଟରେ ଦିଲ୍ଲୀର ପରିବେଶ ମନ୍ତ୍ରୀ ଏଭଳି ସ୍ଥିତି ସକାଶେ ସାଧାରଣରେ କ୍ଷମା ଯାଚନା କରିସାରିଲେଣି। କେବଳ ସେତିକି ନୁହେଁ, ମାନ୍ୟବର ସର୍ବୋଚ୍ଚ ଅଦାଲତ ମଧ୍ୟ ପରିସ୍ଥିତିକୁ ଗାମ୍ଭୀର୍ଯ୍ୟର ସହିତ ବିଚାର କରି ସରକାର ଓ ପୌରପାଳିକାକୁ ତିରସ୍କାର ମଧ୍ୟ କରିଛନ୍ତି। କିନ୍ତୁ ବାସ୍ତବତାଟି ହେଲା, ଶୀତ ଋତୁର ସମାପ୍ତି ନ ଘଟିବା ପର୍ଯ୍ୟନ୍ତ ବିଷାକ୍ତ ବାୟୁ ଦ୍ବାରା ରୁନ୍ଧି ହେବାର ଜ୍ବାଳାରୁ ଦିଲ୍ଲୀ ମୁକ୍ତି ପାଇବ ନାହିଁ। କିନ୍ତୁ ଆଉ ଏକ ବାସ୍ତବତା ହେଲା ନିରୁଦ୍‌ବିଗ୍ନ ଓ ଅସହାୟ ସରକାର ଏବଂ ପୀଡ଼ିତ ନାଗରିକଙ୍କୁ ଅତିକ୍ରମ କରି ଟିକିଏ ଗଭୀର ଦୃଷ୍ଟି ନିକ୍ଷେପ କଲେ ଦିଶିଥାଏ କିଭଳି ଆମ ସମସ୍ତଙ୍କୁ ଘୋଟି ରହିଛି ଆତ୍ମ-ନିରୀକ୍ଷଣରେ ଅନ୍ଧତ୍ବ, ଯାହାକୁ ନେଇ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ହୋଇଥାଏ। 
ଚଳିତ ସଂସଦୀୟ ଅଧିବେଶନରେ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ବାୟୁ ପ୍ରଦୂଷଣ କାରଣରୁ ଆମ ଦେଶରେ ମୃତ୍ୟୁ ସଂଖ୍ୟା ହେଉଛି ଶୂନ; ‘ହୁ’ ଦ୍ବାରା ସ୍ଥିରୀକୃତ ଏ.କ୍ୟୁ.ଆଇ. ସୀମା କେବଳ ସାଧାରଣ ଉପଦେଶମୂଳକ, ଅର୍ଥାତ୍‌ ଆକ୍ଷରିକ ଭାବେ ଏହା ସବୁଠି ସ୍ବୀକୃତ ହୋଇ ନ ପାରେ; ଏବଂ ଆମ ଦେଶର ସ୍ଥିତିକୁ ଅନୁଧ୍ୟାନ କରି ସ୍ବତନ୍ତ୍ର ‘ଏ.କ୍ୟୁ.ଆଇ.’ ସୀମା ନିଦ୍ଧାରଣ କରାଯିବା ଆବଶ୍ୟକ। ତେବେ, ଏହି ପରିପ୍ରେକ୍ଷୀରେ ପୃଥିବୀ ପ୍ରସିଦ୍ଧ ଉଚ୍ଚାଙ୍ଗ ଗବେଷଣାଭିତ୍ତିକ ସ୍ବାସ୍ଥ୍ୟ ବିଜ୍ଞାନ ପତ୍ରିକା ‘ଦ ଲାନ୍‌ସେଟ’ରେ ପ୍ରକାଶିତ ବାୟୁ ପ୍ରଦୂଷଣ ସମ୍ବନ୍ଧିତ ନିଷ୍କର୍ଷ ପ୍ରଣିଧାନଯୋଗ୍ୟ, ଯାହା କହିଥାଏ ଯେ ଏହି କାରଣରୁ ଭାରତରେ ପ୍ରତି ବର୍ଷ ହାରାହାରି ୧.୫ ନିୟୁତରୁ ୧.୭ ନିୟୁତ ଲୋକଙ୍କ ମୃତ୍ୟୁ ଘଟୁଛି। ସୁତରାଂ, ଏହି ପୃଷ୍ଠଭୂମି‌େର ଭାରତ ସରକାରଙ୍କ ବିବୃତ୍ତି ପ୍ରସଙ୍ଗରେ ‘ଦ ଲାନ୍‌ସେଟ’ର ନିର୍ଦ୍ଦେଶିକା ଡକ୍ଟର ମେରିନା ବେଲେନ ରୋମାନେଲୋ କହିଥାନ୍ତି ଯେ ଏ ଯାବତ୍‌ ପୃଥିବୀରେ ଜଣେ ମାତ୍ର ବ୍ୟକ୍ତିଙ୍କ(ଲଣ୍ଡନ ବାସିନ୍ଦା) ମୃତ୍ୟୁ ସାର୍ଟିଫିକେଟରେ ମରଣର କାରଣ ବାୟୁ ପ୍ରଦୂଷଣ ବୋଲି ଉଲ୍ଲିଖିତ ରହିଛି; କିନ୍ତୁ ସମଗ୍ର ପୃଥିବୀରେ ଲକ୍ଷ ଲକ୍ଷ ଲୋକ ସୁନିର୍ଦ୍ଦିଷ୍ଟ ଭାବେ ବାୟୁ ପ୍ରଦୂଷଣରୁ ସୃଷ୍ଟ କ୍ୟାନସର, ଫୁସ୍‌ଫୁସ୍ ସଂକ୍ରମଣ ଏବଂ ହୃଦ୍‌ଘାତରୁ ମୃତ୍ୟୁ ବରଣ କରୁଛନ୍ତି। କହିବାର ତାତ୍ପର୍ଯ୍ୟ ହେଲା ପୃଥିବୀର ବିଶିଷ୍ଟ ଗବେଷକଙ୍କ ଦ୍ବାରା ପ୍ରସ୍ତୁତ ନିଷ୍କର୍ଷକୁ ଅମାନ୍ୟ କରିବା ହେଉଛି ଆତ୍ମ-ନିରୀକ୍ଷଣରେ ଅନ୍ଧତ୍ବର ପ୍ରଥମ ଦୃଷ୍ଟାନ୍ତ। 

Rs 93 crore sanction: ଭୁବନେଶ୍ୱରରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଲଷ୍ଟର ଲାଗି ୯୩.୦୯ କୋଟିର ଆର୍ଥିକ ଅନୁଦାନ


ନିକଟରେ ଦିଲ୍ଲୀର ପରିବେଶ ମନ୍ତ୍ରୀ ମନଜିନ୍ଦର ସିଂହ ଶୀର୍ଷା ଏଭଳି ପ୍ରଦୂଷଣ କାରଣରୁ ସାଧାରଣରେ କ୍ଷମା ଯାଚନା କରିଥିଲେ ହେଁ ସମ ଶ୍ବାସ ଓ ସମ ସ୍ବରରେ ଏଥିଲାଗି ପୂର୍ବର କ୍ଷମତାସୀନ ଆମ୍ ଅାଦମି ପାର୍ଟି ସରକାରଙ୍କୁ ଦାୟୀ କରିଛନ୍ତି; ଅର୍ଥାତ୍‌ ଗୋଟିଏ ଦଶକରୁ ଅଧିକ କାଳ ଧରି ବାୟୁ ପ୍ରଦୂଷଣ ଦ୍ବାରା ଶ୍ବାସରୁଦ୍ଧ ଦିଲ୍ଲୀକୁ ଗଲା ବାର ବର୍ଷ ଧରି ଶାସନ କରୁଥିବା ‘ଆପ୍’ ସରକାରଙ୍କ ନିସ୍ଫୃହତା, ଅବହେଳା ଓ କୁପରିଚାଳନା ହିଁ ହେଉଛି ସାଂପ୍ରତିକ ଭୟାବହ ପରିସ୍ଥିତିର କାରଣ। ଏଭଳି ଆରୋପ ଆଂଶିକ ସତ ହୋଇଥିଲେ ହେଁ ଦିଲ୍ଲୀରେ ନିର୍ମଳ ବାୟୁ ମଣ୍ଡଳକୁ ସମ୍ଭବ କରିବା ଲାଗି ଯେଉଁ କଠୋର ପଦକ୍ଷେପ ନିଆଯିବା ଅତି ଜରୁରି, ତାହା ଭାରତରେ କୌଣସି ରାଜନୈତିକ ଦଳ ନେଇପାରିବା ସମ୍ଭବ କି? ତେଣୁ କୌଣସି ରାଜନୈତିକ ଦଳ ଦ୍ବାରା ଏଭଳି ଏକ ଗମ୍ଭୀର ସ୍ଥିତିର ତୁଚ୍ଛ ରାଜନୀତୀକରଣ କରାଯିବା ହେଉଛି ଆତ୍ମ-ନିରୀକ୍ଷଣରେ ଅନ୍ଧତ୍ବର ଦ୍ବିତୀୟ ଦୃଷ୍ଟାନ୍ତ। 
ଅନେକ ବିଶେଷଜ୍ଞ ଓ ସଚେତନ ନାଗରିକ ଏ ସଂଦର୍ଭରେ ଚୀନର ରାଜଧାନୀ ବେଜିଂ ମହାନଗରୀର ଦୃଷ୍ଟାନ୍ତ ଦିଅନ୍ତି, ଯାହାର ବାୟୁ ମଣ୍ଡଳ, ୨୦୧୫ ମସିହା ବେଳକୁ, ପୃଥିବୀର ସର୍ବାଧିକ ଦୂଷିତ (ଏ.କ୍ୟୁ.ଆଇ. ପ୍ରାୟ ୭୦୦) ଥିଲା; ସାଂପ୍ରତିକ ଦିଲ୍ଲୀ ଠାରୁ ଅଧିକ ଅସହନୀୟ! କିନ୍ତୁ, ବର୍ତ୍ତମାନ ବେଜିଂର ବାୟୁ ପୂର୍ଣ୍ଣତଃ ନିର୍ମଳ (ଏ.କ୍ୟୁ.ଆଇ. ୬୦ ତଳେ), ଅର୍ଥାତ୍ ବେଜିଂ ମଡେଲ ଅନୁସରଣୀୟ। କେବଳ ସେତିକି ନୁହେଁ, ଭୌଗୋଳିକତା ଓ ପ୍ରାକୃତିକ ଗଢ଼ଣ ଦୃଷ୍ଟିରୁ ବେଜିଂ ଓ ଦିଲ୍ଲୀ ଊଣାଅଧିକେ ସମାନ, ତେଣୁ ବେଜିଂ ମଡେଲ ଆଦର୍ଶସ୍ଥାନୀୟ ମଧ୍ୟ। ତେବେ, ଏଭଳି ଚିତ୍ତାକର୍ଷକ ଉପଲବ୍‌ଧି ହାସଲ କରିବା ସକାଶେ ବେଜିଂ ସୁନିୟୋଜିତ ଢଙ୍ଗରେ ଦୀର୍ଘକାଳୀନ ଯୋଜନା କରି ଦୃଢ଼ ମୁଷ୍ଟିର ସହିତ ତା’ର ଅନୁପାଳନ କରିଥିଲା। ପ୍ରଦୂଷଣ ସୃଷ୍ଟିକାରୀ କାରଖାନା ଓ ମୋଟର ଗାଡ଼ି ଚଳାଚଳକୁ ବନ୍ଦ କରିବାରେ ଚୀନ ନିରନ୍ଧ୍ର କଠୋରତା ପ୍ରଦର୍ଶନ କରିଥିଲା। ଏଭଳି କଠୋରତାର ଧାରଣା କେବଳ ଏତିକିରୁ ସ୍ପଷ୍ଟ ହେବ ଯେ କାରଖାନାଗୁଡ଼ିକ ବନ୍ଦ କରାଯାଇ ୮୦ ହଜାର ଲୋକଙ୍କ ଠାରୁ ସ୍ଥାୟୀ ନିଯୁକ୍ତି ଛିନ୍ନ କରି ଦିଆଯାଇଥିଲା। ତେଣୁ ପ୍ରଶ୍ନ ଉଠିଥାଏ ଯେ ଏକଛତ୍ରବାଦୀ ଚୀନର ପନ୍ଥାକୁ ଅନୁସରଣ କରିବା କେବଳ ଭାରତ କାହିଁକି, ଯେ କୌଣସି ଗଣତାନ୍ତ୍ରିକ ଦେଶରେ ସମ୍ଭବ ହେବ କି? ତେଣୁ ପହଞ୍ଚ ବାହାରେ ଥିବା ଚୀନୀୟ ଦୃଷ୍ଟାନ୍ତକୁ ଭାରତ ସମକ୍ଷରେ ଥୋଇବା ହେଉଛି ଆତ୍ମ-ନିରୀକ୍ଷଣରେ ଅନ୍ଧତ୍ବର ତୃତୀୟ ଉଦାହରଣ।
କହିବା ବାହୁଲ୍ୟ ଯେ ସାଂପ୍ରତିକ ବାୟୁ ପ୍ରଦୂଷଣ ସମସ୍ୟା ଦୂର କରିବା ସକାଶେ ସରକାରଙ୍କ ଯେ କୌଣସି ଦୃଢ଼ ପଦକ୍ଷେପ ପ୍ରଥମେ ସାଧାରଣ ନାଗରିକଙ୍କ ଜୀବନକୁ କ୍ଳେଶଯୁକ୍ତ କରିପକାଇବ। ତେଣୁ ପ୍ରଶ୍ନ ହେଲା, କିଛି ତ୍ୟାଗ କରିବାକୁ ଦିଲ୍ଲୀବାସୀ ପ୍ରସ୍ତୁତ ତ? ପାସୋରି ଗଲେ ହେବ ନାହିଁ ଯେ ସରକାରଙ୍କ ବାରମ୍ବାର ବିନତି ଏବଂ ସର୍ବୋଚ୍ଚ ଅଦାଲତଙ୍କ ବାରଣକୁ ଅମାନ୍ୟ କରି ଦିଲ୍ଲୀବାସୀ ଦୀପାବଳି ଉତ୍ସବରେ ସମଗ୍ର ସହରର ବାତାବରଣକୁ ଧୂମ ଓ ଗନ୍ଧକରେ ରୁନ୍ଧି ପକାଇଲେ। ଛୋଟ ପିଲାଙ୍କୁ ପ୍ରଦୂଷଣରୁ ସୁରକ୍ଷା ଦେବା ସହିତ ସଡ଼କରୁ ଯାନବାହନର ସଂଖ୍ୟା ହ୍ରାସ କରିବାକୁ ସରକାରଙ୍କ ପକ୍ଷରୁ ସ୍କୁଲ ଛୁଟି ଓ ‘ୱାର୍କ ଫ୍ରମ୍ ହୋମ୍’ର ଘୋଷଣା କରାଯାଇଛି। କିନ୍ତୁ ଏହାକୁ ଅବକାଶ ବୋଲି ମନେ କରି ଦିଲ୍ଲୀବାସୀ ନିଜ ନିଜ ଗାଡ଼ିରେ ସପରିବାର ବଜାର, ମଲ୍‌ ଓ ରେସ୍ତୋରାଁରେ ଭିଡ଼ ସୃଷ୍ଟି କରୁଛନ୍ତି। କହିବାର ମର୍ମ ହେଲା ପ୍ରଦୂଷଣ ଦୂର ହେଉ ବୋଲି ସର୍ବଦା ଚାହୁଁଥିଲେ ହେଁ ତାହା ସୃଷ୍ଟି କରିବାରେ ଆମମାନଙ୍କ ଦକ୍ଷତା ଅସରନ୍ତି ଓ ଗ୍ଳାନିଶୂନ୍ୟ। ତାହା ହୋଇ ନ ଥିଲେ ଆମ ୨୯୦ ନଦୀ ମଧ୍ୟରୁ ୨୦୫ଟି (୨୦୧୬ ମସିହାର ରିପୋର୍ଟ) ସଂକଟଜନକ ଭାବେ ପ୍ରଦୂଷିତ ଓ ମୁମୂର୍ଷୁ ହୋଇ ନଥାନ୍ତେ! ତେବେ, ନଦୀଗୁଡ଼ିକ ସକାଶେ ଅନ୍ତତଃ ଏତିକି ସାନ୍ତ୍ବନା ଯେ ତାହାର ପରିଷ୍କରଣ ପଦ୍ଧତି ଅପେକ୍ଷାକୃତ ସହଜ ଓ ପ୍ରତିକାରମୂଳକ ହୋଇପାରେ। କିନ୍ତୁ ବାୟୁ ମଣ୍ଡଳର ନିର୍ମଳୀକରଣ ପ୍ରକ୍ରିୟାରେ ପ୍ରତିଷେଧକ ପଦକ୍ଷେପ ଆବଶ୍ୟକ, ଯହିଁରେ ପ୍ରଦୂଷଣକୁ ଉତ୍ସରୁ ହିଁ ନିରୋଧ କରିବାକୁ ହୋଇଥାଏ। କିନ୍ତୁ ଭାରତ ଭଳି ଏକ ଗଣତନ୍ତ୍ରରେ ନାଗରିକଙ୍କୁ ଅଧିକ ହଇରାଣ ହରକତ ନ କରିବା ସକାଶେ ପ୍ରଦୂଷଣର ମୁକାବିଲା କେବଳ ପ୍ରତିକାରମୂଳକ ହୋଇ ରହିଛି। ପ୍ରତିଷେଧମୂଳକ ପଦକ୍ଷେପ ନେବାର ସାହସ ସରକାର ଦେଖାଇ ପାରୁ ନାହାନ୍ତି। କାରଣ ତଦ୍ଦ୍ବାରା ସାଧାରଣ ନାଗରିକଙ୍କ ସକାଶେ ଉତ୍ପନ୍ନ ହେବାକୁ ଥିବା ଦୁର୍ଦ୍ଦଶାର ମୁକାବିଲା ଲାଗି ସରକାରଙ୍କୁ ଯଥେଷ୍ଟ ବିକଳ୍ପର ଆୟୋଜନ କରିବାକୁ ହେବ। ତେବେ, ତା’ ସତ୍ତ୍ବେ ନାଗରିକମାନଙ୍କୁ କେତେକ ତ୍ୟାଗ ମଧ୍ୟ ସ୍ବୀକାର କରିବାକୁ ହେବ। ତେଣୁ ବାୟୁ ପ୍ରଦୂଷଣକୁ ଘେନି ସରକାରଙ୍କ ପ୍ରତି ଅଭିସଂପାତ ବର୍ଷଣରେ ବ୍ୟାପୃତ ଏବଂ ସେଥିଲାଗି ସରକାରଙ୍କ ବିରୋଧରେ ପ୍ରତିବାଦରତ ଆମ ଭଳି ସମସ୍ତେ ନିଜକୁ ନିରୀକ୍ଷଣ କରିବାର ଦୃଷ୍ଟି ସମ୍ଭବତଃ ହରାଇଛେ; ସୁତରାଂ, ଆତ୍ମ-ନିରୀକ୍ଷଣରେ ଅନ୍ଧତ୍ବର ଚତୁର୍ଥ ଉଦାହରଣ। 

Horoscope 2025 December 20: ଜାଣନ୍ତୁ ଆଜିର ରାଶିଫଳ

ତେଣୁ ପରସ୍ପର ଉପରେ ଦୋଷ ଲଦାଲଦି ବା ଅପରକୁ ତର୍ଜନୀ ନିର୍ଦ୍ଦେଶର ଏଭଳି କ୍ଷଣରେ ଚେତନ୍ୟ ଉଦୟ ହେବା ଉଚିତ ଯେ ‌େକୗଣସି ସରକାରଙ୍କୁ ଗାଦିଚ୍ୟୁତ କରି ନୂତନ ସରକାରଙ୍କୁ କ୍ଷମତା ଅର୍ପଣ କରିଦେଲେ ଏହି ସମସ୍ୟାର ସମାଧାନର ବାଟ ଖୋଲିଯିବ ନାହିଁ। ସ୍ବିଜରଲାଣ୍ଡରୁ ପ୍ରତି ବର୍ଷ ପ୍ରକାଶିତ ‘ଆଇକ୍ୟୁ ଏୟାର’ର ୨୦୨୪ ମସିହାର ତାଲିକାରେ ସ୍ଥାନୀତ ସର୍ବାଧିକ ବାୟୁ-ପ୍ରଦୂଷିତ ୧୦୦ଟି ସହର ମଧ୍ୟରୁ ୯୪ଟି ଭାରତରେ ଅବସ୍ଥିତ। ତେଣୁ, କେବଳ ଦିଲ୍ଲୀର ନୁହେଁ, ଏହା ହେଉଛି ଏକ ଅଖିଳ ଭାରତୀୟ ସମସ୍ୟା। ଏଭଳି ସ୍ଥଳେ ଯାହା ଆବଶ୍ୟକ, ତାହା ହେଲା ସରକାରଙ୍କ କଠୋର ପଦକ୍ଷେପ ଏବଂ ସେଭଳି ପଦକ୍ଷେପ ନେବାକୁ ଉତ୍ସାହ ପ୍ରଦାନ କଲା ଭଳି ତ୍ୟାଗ ସ୍ବୀକାର କରିବାରେ ନାଗରିକମାନଙ୍କ ମାନସିକ ପ୍ରସ୍ତୁତି। ତାହା ହେଲେ ଯାଇ ଭବିଷ୍ୟତ୍‌ ପିଢ଼ି ଲାଗି ଅନ୍ତତଃ ଉଜ୍ଜ୍ବଳ ସୁବର୍ଣ୍ଣ ସକାଳର ସମ୍ଭାବନା ସୃଷ୍ଟି ହୋଇପାରେ।