ମୁଁ ଯେଉଁ ସମୟରେ ଦେଶର ପ୍ରତିରକ୍ଷା ଦାୟିତ୍ବ ମୁଣ୍ଡେଇ ଚାଲିଥିଲି, ସେତେବେଳେ ଭାରତ ପାଖରେ ସମ୍ବଳର ଅଭାବ ଯୋଗୁଁ ସର୍ବଦା ସବୁଠାରୁ କମ୍ ସମ୍ବଳ ବ୍ୟବହାର କରି ସର୍ବାଧିକ ସମ୍ଭବ ଫଳ ହାସଲ କରିବାକୁ ଉଦ୍ୟମ କରାଯାଉଥିଲା। ମୁଁ ଥିଲି ଅପେକ୍ଷାକୃତ ସ୍ବଳ୍ପ ବ୍ୟୟରେ ନିର୍ମିତ ହୋଇ ଆକାଶରେ ଗର୍ଜନ କରି ଶତ୍ରୁପକ୍ଷକୁ ଭୟଭୀତ କରୁଥିବା ତାହାର ଏକ ପ୍ରକୃଷ୍ଟ ଉଦାହରଣ।
ଦୀର୍ଘ ଛ’ ଦଶନ୍ଧିରୁ ଅଧିକ କାଳ ଧରି ଦେଶର ସୁରକ୍ଷା ଦାୟିତ୍ବ ମୋର ସାଧ୍ୟମତେ ନିର୍ବାହ କରିଚାଲିବା ପରେ ଆସନ୍ତା ସେପ୍ଟେମ୍ବର ୧୯ ଦିନ ମୁଁ ଶେଷରେ ଅବସର ଗ୍ରହଣ କରିବାକୁ ଯାଉଛି। ସେଦିନ ‘ପାନ୍ଥର୍ସ’ ନାମରେ ଖ୍ୟାତି ଅର୍ଜନ କରିଥିବା ୨୩ଶ ସ୍କ୍ବାଡ୍ରନ୍ ଚଣ୍ଡିଗଡ଼ ବାୟୁସେନା ଘାଟୀ ଠାରେ ଶେଷଥର ପାଇଁ ମତେ ଧରି ଆକାଶର ବୁକୁ ଚିରି ଉଡ଼ିବେ। ୧୯୬୩ରେ ମୁଁ ଭାରତୀୟ ବାୟୁସେନାରେ ପ୍ରବେଶ କରିବା ପରଠାରୁ ନିୟମିତ ଭାବରେ ଭାରତର ଆକାଶ ସୀମାକୁ ସୁରକ୍ଷିତ ରଖିବା ପାଇଁ ଉଦ୍ୟମ କରି ଚାଲିଥିବା ସହିତ ୧୯୬୫, ୧୯୭୧ରେ ପାକିସ୍ତାନ ସହିତ ଯୁଦ୍ଧରୁ ଆରମ୍ଭ କରି କାର୍ଗିଲ୍ ଲଢ଼େଇ ଓ ବାଲାକୋଟ୍ ଆକ୍ରମଣ ପର୍ଯ୍ୟନ୍ତରେ ନିର୍ଣ୍ଣାୟକ ଭୂମିକା ନିର୍ବାହ କରିଆସିଛି। ମୋର ଏହି ପରାକ୍ରମ ସତ୍ତ୍ବେ ମୁଁ ମଧ୍ୟ ସଚେତନ ଯେ ଗୋଟିଏ ପିଢ଼ିର ସଦସ୍ୟ ଯେତେ ପରାକ୍ରମଶାଳୀ ହୋଇଥିଲେ ହେଁ ନୂତନ ପିଢ଼ି ଯେତେବେଳେ ନୂତନ ଜ୍ଞାନକୌଶଳ ଦ୍ବାରା ପରିପୁଷ୍ଟ ହୋଇ ଦୃଶ୍ୟପଟରେ ଆବିର୍ଭୂତ ହୁଅନ୍ତି, ପୁରାତନ ପିଢ଼ିକୁ ତାହା ସ୍ବୀକାର କରି ଦୃଶ୍ୟପଟରୁ ଅନ୍ତର୍ହିତ ହୋଇଯିବାକୁ ପଡ଼ିଥାଏ, ଏବଂ ତାହା ହିଁ ହେଉଛି ତା’ ପକ୍ଷରେ ବୁଦ୍ଧିମାନର କାର୍ଯ୍ୟ।
ମୁଁ ଶୁଣୁଛି ମୁଁ ଅବସର ନେବା ପରେ ମୋ ସ୍ଥାନରେ ମୁତୟନ ହେବାକୁ ଯାଉଥିବା ଦେଶରକ୍ଷୀ ହେଉଛି ‘ତେଜସ୍’ ଲାଇଟ୍ କମ୍ବାଟ୍ ଏଆର୍କ୍ରାଫ୍ଟ (‘ଏଲ୍ସିଏ’), ଯିଏ ସଂପୂର୍ଣ୍ଣ ରୂପେ ଭାରତରେ ହିଁ ନିର୍ମିତ। ଭାରତ ପାଇଁ ଏହା ନିଶ୍ଚିତ ରୂପେ ଗର୍ବର କଥା। କିନ୍ତୁ ମୁଁ ଚିନ୍ତିତ ଯେ ମୋର ପ୍ରସ୍ଥାନ ପରେ ଭାରତୀୟ ବାୟୁସେନାରେ ନିୟୋଜିତ ସ୍କ୍ବାଡ୍ରନ୍ ସଂଖ୍ୟା ମାତ୍ର ୨୯କୁ ହ୍ରାସ ପାଇବ, ଯଦିବା ଏହାର ଅନୁମୋଦନପ୍ରାପ୍ତ ସ୍କ୍ବାଡ୍ରନ୍ ସଂଖ୍ୟା ହେଉଛି ୪୨। ଏହି ସଂଖ୍ୟାରେ ଯଥାଶୀଘ୍ର ବୃଦ୍ଧି ନ ଘଟିଲେ ଭାରତର ବାୟୁ ଶକ୍ତି ଶତ୍ରୁ ଦେଶମାନଙ୍କ ତୁଳନାରେ ଦୁର୍ବଳ ହୋଇଯିବ।
ମୁଁ ହେଉଛି ଭାରତର ସର୍ବପ୍ରଥମ ସୁପର୍ସୋନିକ୍ ଫାଇଟର୍ ଜେଟ୍। ମୋର ଡିଜାଇନ୍ ପ୍ରସ୍ତୁତ କରି ମୋତେ ପ୍ରଥମେ ଉତ୍ପାଦନ କରିଥିଲା ତତ୍କାଳୀନ ସୋଭିଏତ୍ ସଂଘର ମିକୋୟାନ୍-ଗୁରେଭିଚ୍ ଡିଜାଇନ୍ ବ୍ୟୁରୋ। ଭାରତୀୟ ବାୟୁସେନାରେ ମୁଁ ପ୍ରବେଶ କଲାପରେ ମୁଁ କ୍ରମେ ଏପରି ଏହାର ମେରୁଦଣ୍ଡରେ ପରିଣତ ହୋଇଗଲି ଯେ ଏକ ସମୟରେ ମୋର ସଂଖ୍ୟାରେ ବୃଦ୍ଧି ଘଟିଚାଲି ତାହା ୮୦୦ ଅତିକ୍ରମ କରିଯାଇଥିଲା। ଏଥିସହିତ ନିୟମିତ ଭାବରେ ନବୀକରଣ ମାଧ୍ୟମରେ ମୋର କ୍ଷମତାରେ ମଧ୍ୟ ବୃଦ୍ଧି ଘଟାଯାଇ ଚାଲିଥିଲା। ମୋର ସର୍ବଶେଷ ନବୀକୃତ ସଂସ୍କରଣ ‘ବାଇସନ୍’ ନାମ ବହନ କରୁଥିଲା, ଯାହା ବିଭିନ୍ନ କିଂବଦନ୍ତିର ଅଂଶ ପାଲଟି ଯାଇଛି। ମୋର ତୀବ୍ର ବେଗ, ସ୍ଫୂର୍ତ୍ତି ଓ ତତ୍କ୍ଷଣାତ୍ ଯୁଦ୍ଧ ପାଇଁ ଉପଲବ୍ଧ ହେବାର କ୍ଷମତା ମୋତେ ଭାରତୀୟ ବାୟୁସେନାର ଏକ ଭରସାଯୋଗ୍ୟ ଯୋଦ୍ଧାରେ ପରିଣତ କରିଥିଲା।
ନିକଟ ଅତୀତରେ ମୁଁ ସଂପୃକ୍ତ ଥିବା ଯେଉଁ ଏକ ଘଟଣା ଏବେ ମଧ୍ୟ ବାୟୁସେନା ପରିସରରୁ ସର୍ବସାଧାରଣ ପରିସର ପର୍ଯ୍ୟନ୍ତରେ ଆଲୋଚିତ ହେବା ଦେଖାଯାଇଥାଏ, ତାହା ହେଉଛି ୨୦୧୯ରେ ବାଲାକୋଟ୍ ଆକ୍ରମଣ ସମୟରେ ୱିଙ୍ଗ୍ କମାଣ୍ଡର୍ ଅଭିନନ୍ଦନ ବର୍ଦ୍ଦମାନଙ୍କର ନାଟକୀୟ କାର୍ଯ୍ୟ। ପାକିସ୍ତାନର ଏଫ୍-୧୬ ମୋ ଠାରୁ ଅଧିକ ଶକ୍ତିଶାଳୀ ରୂପେ ବିବେଚିତ ହେଉଥିଲେ ହେଁ ଅଭିନନ୍ଦନ ମତେ ବ୍ୟବହାର କରି ଏକ ପାକିସ୍ତାନୀ ଏଫ୍-୧୬କୁ ଆକାଶରୁ ଗଳାଇ ପକାଇବା ପରେ ଶତ୍ରୁପକ୍ଷର କ୍ଷେପଣାସ୍ତ୍ର ଆକ୍ରମଣରେ ମୁଁ ମଧ୍ୟ ପାକିସ୍ତାନୀ ଆକାଶରୁ ଗଳି ପଡ଼ିଲି ଓ ଅଭିନନ୍ଦନଙ୍କୁ ପାକିସ୍ତାନୀ ସେନା କାବୁ କରିନେଲା। ଅଭିନନ୍ଦନଙ୍କୁ ସେତେବେଳେ ଆଉ ଯାହା ପ୍ରସିଦ୍ଧି ଆଣି ଦେଇଥିଲା, ତାହା ଥିଲା ତାଙ୍କର ଟ୍ରେଡ୍ମାର୍କ ସର୍ପିଳ ମୋଟା ନିଶ, ଯାହା ଟେଲିଭିଜନ ପର୍ଦ୍ଦାରୁ ଖବରକାଗଜର କାର୍ଟୁନ ପର୍ଯ୍ୟନ୍ତକୁ ଦଖଲ କରିନେଇଥିଲା। ଅବଶେଷରେ ଭାରତର ଚାପ ଆଗରେ ମୁଣ୍ଡ ନୁଅଁାଇ ପାକିସ୍ତାନ ଅଭିନନ୍ଦନଙ୍କୁ ସୁସ୍ବାଦୁ ଚା’ ପିଆଇ ଭାରତକୁ ଫେରାଇ ଦେଇଥିଲା। ଅଭିନନ୍ଦନ ବର୍ଦ୍ଧମାନଙ୍କ ସହିତ ମୁଁ ମଧ୍ୟ ସେ ସମୟରେ ଏକ ଜାତୀୟ ହିରୋରେ ପରିଣତ ହୋଇଯାଇଥିଲି।
କିନ୍ତୁ ମୁଁ ମଧ୍ୟ ସ୍ବୀକାର କରୁଛି ଯେ ମୋର ଦୀର୍ଘ ଦିନର ସେବା ସମୟରେ ଏହି ସୁଖ୍ୟାତି ସହିତ ଏକ ଦୁର୍ଭାଗ୍ୟଜନକ କୁଖ୍ୟାତି ମଧ୍ୟ ମୋ ସହିତ ଯୋଡ଼ି ହୋଇଯାଇଥିଲା। ମୋର ଏହି କୁଖ୍ୟାତିର କାରଣ ହେଲା ମୋର ଖରାପ ନିରାପତ୍ତା ରେକର୍ଡ, ଯେଉଁଥିଲାଗି କେତେକ ମତେ ‘ଫ୍ଲାଇଙ୍ଗ୍ କଫିନ୍’ ରୂପେ ସମ୍ବୋଧନ କରୁଥିଲେ। ମୋର କାର୍ଯ୍ୟକାଳ ସମୟରେ ମୁଁ ୪୦୦ରୁ ଅଧିକ ଦୁର୍ଘଟଣାରେ ସଂପୃକ୍ତ ହୋଇଛି, ଯେଉଁଥିରେ ପ୍ରାୟ ୨୦୦ ପାଇଲଟ୍ଙ୍କର ଅମୂଲ୍ୟ ଜୀବନ ହାନି ଘଟିଛି। ମୋର ଜରାଗ୍ରସ୍ତ ଶରୀର ଓ ରକ୍ଷଣାବେକ୍ଷଣର ଅଭାବ ଯୋଗୁଁ ଏହି ଦୁର୍ଘଟଣାମାନ ଘଟିଛି ବୋଲି ବିଶେଷଜ୍ଞମାନେ ମତ ଦିଅନ୍ତି। ଏହି କାରଣରୁ କ୍ରମଶଃ ମୋର ସଂଖ୍ୟାରେ ହ୍ରାସ ଘଟାଯାଇ ବର୍ତ୍ତମାନ ମାତ୍ର ଦୁଇଟି ସ୍କ୍ବାଡ୍ରନ୍ରେ ମତେ ସୀମିତ ରଖାଯାଇଛି।
ମୋର ସ୍ଥାନ ନେବା ପାଇଁ ‘ତେଜସ୍ ଏମ୍କେ-୧ଏ’ର ପରିକଳ୍ପନା କରାଯାଇଥିଲେ ହେଁ ପ୍ରାବିଧିକ ପ୍ରତିବନ୍ଧକ ଓ ବିଳମ୍ବିତ ଉତ୍ପାଦନ ଯୋଗୁଁ ମୋର ଅବସରକୁ ଘୁଞ୍ଚାଇ ଦିଆଯାଇ ଚାଲିଥିଲା, ଯେମିତି ନୀଚା ଜନ୍ମ ହାର ଜର୍ଜରିତ ଦେଶମାନେ ସେମାନଙ୍କର ବରିଷ୍ଠ ନାଗରିକମାନଙ୍କର ଅବସର ଗ୍ରହଣ ବୟସ ସୀମାକୁ ଦୂରକୁ ଘୁଞ୍ଚାଇ ଚାଲିଥାନ୍ତି। ତେବେ ୮୩ଟି ତେଜସ୍ ପାଇଁ ସରକାର ଯେଉଁ ୪୮,୦୦୦ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି ଏବଂ ଭବିଷ୍ୟତରେ ଆହୁରି ୧୮୦ଟି େତଜସ୍ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଛନ୍ତି, ତାହା ମୋ ପାଇଁ କିଛି ପରିମାଣରେ ଆଶ୍ବସ୍ତି ସୃଷ୍ଟି କରିଥାଏ ଯେ ମୋର ଅବସର ଯୋଗୁଁ ଭାରତର ଆକାଶ ଅସୁରକ୍ଷିତ ହୋଇପଡ଼ିବ ନାହିଁ। ମୁଁ କେବଳ ଆଶା କରୁଛି ମୋର ପ୍ରସ୍ଥାନଜନିତ ସ୍ଥାନ ଯେପରି ଅଧିକ କାଳ ଧରି ଶୂନ୍ୟ ନ ରହେ।
ମୁଁ ମଧ୍ୟ ଜାଣେ ଯେ ମୁଁ ନୂତନ ପିଢ଼ିର ରାଫାଲ୍ କିମ୍ବା ସୁଖୋଇ-୩୦ ପରି ଅତ୍ୟାଧୁନିକ ଯନ୍ତ୍ରପାତି ବା ଜ୍ଞାନକୌଶଳ ଦ୍ବାରା ସମୃଦ୍ଧ କିମ୍ବା ସଜ୍ଜିତ ନୁହେଁ। କିନ୍ତୁ ମୁଁ ଯେଉଁଭଳି ଭାରତର ଆବଶ୍ୟକତା ପୂରଣ କରୁଥିଲି,ଏବଂ ଯେଉଁ ସମୟରେ ତାହା ପୂରଣ କରୁଥିଲି, ତାହା ଅନ୍ୟ କେହି କରିପାରନ୍ତେ ନାହିଁ। ଭାରତ ବର୍ତ୍ତମାନ ପୃଥିବୀର ଚତୁର୍ଥ ବୃହତ୍ତମ ତଥା ଦ୍ରୁତତମ ବର୍ଦ୍ଧିଷ୍ଣୁ ବୃହତ୍ ଅର୍ଥନୀତିରେ ପରିଣତ ହୋଇଛି। କିନ୍ତୁ ମୁଁ ଯେଉଁ ସମୟରେ ଦେଶର ପ୍ରତିରକ୍ଷା ଦାୟିତ୍ବ ମୁଣ୍ଡେଇ ଚାଲିଥିଲି, ସେତେବେଳେ ଭାରତ ପାଖରେ ସମ୍ବଳର ଅଭାବ ଯୋଗୁଁ ସର୍ବଦା ସବୁଠାରୁ କମ୍ ସମ୍ବଳ ବ୍ୟବହାର କରି ସର୍ବାଧିକ ସମ୍ଭବ ଫଳ ହାସଲ କରିବାକୁ ଉଦ୍ୟମ କରାଯାଉଥିଲା। ମୁଁ ଥିଲି ଅପେକ୍ଷାକୃତ ସ୍ବଳ୍ପ ବ୍ୟୟରେ ନିର୍ମିତ ହୋଇ ଆକାଶରେ ଗର୍ଜନ କରି ଶତ୍ରୁପକ୍ଷକୁ ଭୟଭୀତ କରୁଥିବା ତାହାର ଏକ ପ୍ରକୃଷ୍ଟ ଉଦାହରଣ।
ସେଇଥିପାଇଁ ମୋର ନାମ ରଖାଯାଇଥିଲା ‘ବାଇସନ୍’ ବା ‘ଅରଣା ମଇଁଷି’। ‘‘ଅରଣା ମଇଁଷି ରହିଛି ଅନାଇ/ମଇଁଷିର ପାଶେ ନ ଯିବ ଦନାଇ’’ ସତର୍କବାଣୀକୁ ଅନୁସରଣ କରି ଶତ୍ରୁପକ୍ଷର ଦନାଇମାନେ ମତେ ଦେଖିଲେ ଛତ୍ରଭଙ୍ଗ ଦେଉଥିଲେ। ମୁଁ ଆଜି ମୋର ଦେଶବାସୀଙ୍କ ସହିତ ସେଇ ଦନାଇମାନଙ୍କୁ ମଧ୍ୟ ବିଦାୟ ଜଣାଉଛି। ମୁଁ ହେଉଛି: ‘ମିଗ୍-୨୧’। ଜୟହିନ୍ଦ!