ଟ୍ରମ୍ପ ଯଦି ପ୍ରକୃତରେ ଶିଶୁମାନଙ୍କ ଠାରେ ‘ଅଟିଜ୍ମ’ ବା ‘ଏଡିଏଚ୍ଡି’ ପାଇଁ ଚିନ୍ତିତ ହୋଇଥାନ୍ତି, ତେବେ ତାଙ୍କର ଏହି ଉପଦେଶର ପାଳନ ଏହି ବ୍ୟାଧିର ସମ୍ଭାବନା ହ୍ରାସ କରିବା ପରିବର୍ତ୍ତେ ଯେ ବୃଦ୍ଧି କରିପାରେ, ତାହା ସେ ହୃଦୟଙ୍ଗମ କରିବା ଉଚିତ। କିନ୍ତୁ ଏ ବାୟା ଡାକ୍ତରଙ୍କୁ ବୁଝାଇବ କିଏ?
ଆମେରିକାର ବାଚାଳ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସେ ଦ୍ବିତୀୟ ପାଳି କ୍ଷମତାକୁ ଆସିବାର ସାତ ମାସ ମଧ୍ୟରେ ପୃଥିବୀର ବିଭିନ୍ନ ଅଞ୍ଚଳରେ ସାତଟି ଯୁଦ୍ଧ ବନ୍ଦ କରାଇ ଦେଇ (ଏହା ସେ ଏବେ ପୁଣିଥରେ ମିଳିତ ଜାତିସଂଘର ସାଧାରଣ ପରିଷଦରେ ଘୋଷଣା କରିଛନ୍ତି ଓ ଏଥିରେ ଭାରତ-ପାକିସ୍ତାନ ଯୁଦ୍ଧ ମଧ୍ୟ ଅନ୍ତର୍ଭୁକ୍ତ) କୋଟି କୋଟି ଜୀବନ ରକ୍ଷା କରିବା ପରେ ବର୍ତ୍ତମାନ ଆହୁରି ଅସଂଖ୍ୟ ଜୀବନ ରକ୍ଷା କରିବା ପାଇଁ ନିଜର ଶାନ୍ତିଦୂତ ପୋଷାକ ବଦଳାଇ ଜଣେ ବିଜ୍ଞ ଡାକ୍ତରଙ୍କର ଧଳା କୋଟ୍ ପରିଧାନ କରିଛନ୍ତି। ଏହି ନୂତନ ଅବତାରରେ ଏକ ସାମ୍ବାଦିକ ସମ୍ମିଳନୀରେ ଭାଷଣ ଦେବା ଅବସରରେ ଟ୍ରମ୍ପ ବଜ୍ର ଗମ୍ଭୀର ସ୍ବରରେ ତାଙ୍କ ଦେଶବାସୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି: ‘‘ଟାଇଲେନଲ୍ ସେବନ କର ନାହିଁ।’’
ଟାଇଲେନଲ୍ ନାମ ଏଠାରେ ଆମକୁ ଅପରିଚିତ ମନେ ହେଉଥିଲେ ହେଁ, ଏହା ବୋଧହୁଏ ହେଉଛି ଆମେରିକା ଭଳି ଭାରତରେ ମଧ୍ୟ ସର୍ବାଧିକ ପରିଚିତ ତଥା ଲୋକପ୍ରିୟ ବଟିକା, ଯାହାକୁ ଆମେ ଜ୍ବରଜନିତ ଶରୀରର ତାତି କମାଇବାରୁ ଆରମ୍ଭ କରି ସର୍ଦ୍ଦି, ମୁଣ୍ଡବିନ୍ଧା, ଘୋଳାବିନ୍ଧା ଆଦିର ଉପଶମ ନିମିତ୍ତ ନିୟମିତ ଭାବରେ ବ୍ୟବହାର କରିଥାଉ। ଆମେ ଏହାକୁ ଯେଉଁ ନାମରେ ଜାଣୁ, ତାହା ହେଲା- ପାରାସେଟାମଲ୍, ଯାହା ‘କ୍ରୋସିନ୍’, ‘ଡୋଲୋ’ ଆଦି ଭଳି ବିଭିନ୍ନ ଲୋକପ୍ରିୟ ବ୍ରାଣ୍ଡ୍ ନାମରେ ଏଠାରେ ଉପଲବ୍ଧ ହୋଇଥାଏ। ଟ୍ରମ୍ପ ଦୃଢ଼ ନିଶ୍ଚିତ ଯେ ପାରାସେଟାମଲ୍ ବ୍ୟବହାର ‘ଅଟିଜ୍ମ’ ଓ ‘ଏଡିଏଚ୍ଡି’ ଆଦି ଦୁରାରୋଗ୍ୟ ବ୍ୟାଧି ସୃଷ୍ଟି କରିଥାଏ ଏବଂ ଏହା ପିଲାମାନଙ୍କ ପାଇଁ ବିଶେଷ ଭାବରେ ବିପଜ୍ଜନକ ହୋଇଥାଏ।
ଟିକା ଗ୍ରହଣ ବିରୋଧରେ ତାଙ୍କର ସ୍ବାସ୍ଥ୍ୟ ସଚିବ ରବର୍ଟ କେନେଡି ଜୁନିଅର୍ ଗ୍ରହଣ କରିଥିବା କଠୋର ଆଭିମୁଖ୍ୟ ଭଳି ପାରାସେଟାମଲ୍ ସେବନ ସମ୍ବନ୍ଧରେ ଟ୍ରମ୍ପ ପ୍ରସାର କରୁଥିବା ଏହି ସତର୍କ ସୂଚନା ମଧ୍ୟ ହେଉଛି ସଂପୂର୍ଣ୍ଣ ଭ୍ରମାତ୍ମକ। ବାସ୍ତବରେ ବୈଜ୍ଞାନିକମାନେ ବର୍ଷ ବର୍ଷ ଧରି ପାରାସେଟାମଲ୍ (ଯାହା ମଧ୍ୟ ବୈଜ୍ଞାନିକ ପରିସରରେ ‘ଆସିଟାମିନୋଫେନ୍’ ନାମରେ ପରିଚିତ) ଓ ଅଟିଜ୍ମ ମଧ୍ୟରେ ସମ୍ଭାବ୍ୟ ସଂପର୍କ ଆବିଷ୍କାର ଉଦ୍ଦେଶ୍ୟରେ ଅନୁସନ୍ଧାନ ଚଳାଇ ଆସିଥିଲେ ହେଁ, ସେମାନେ ଏ ପର୍ଯ୍ୟନ୍ତ ଏଭଳି ନିଶ୍ଚିତ ସଂପର୍କ ଆବିଷ୍କାର କରିବାରେ ବିଫଳ ହୋଇଛନ୍ତି। ଉଦାହରଣ ସ୍ବରୂପ ୨୦୨୪ରେ ପ୍ରକାଶିତ ପ୍ରାୟ ଦୁଇ ଲକ୍ଷ ପିଲାଙ୍କୁ ନେଇ କରାଯାଇଥିବା ଏଭଳି ଏକ ଗବେଷଣାର ଫଳାଫଳ ଅନୁସାରେ ଆସିଟାମିନୋଫେନ୍ ସେବନ ଓ ‘ଅଟିଜ୍ମ’ ମଧ୍ୟରେ କୌଣସି ସଂପର୍କ ଆବିଷ୍କୃତ ହୋଇନାହିଁ। ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ଏହି ଗବେଷଣା ପାଇଁ ଅର୍ଥ ଯୋଗାଇ ଥିଲା ଆମେରିକାର ନେସନାଲ୍ ଇନ୍ଷ୍ଟିଚ୍ୟୁଟ୍ସ ଫର୍ ହେଲ୍ଥ (‘ଏନ୍ଆଇଏଚ୍’)। ଏହି ପିଲାମାନଙ୍କର ମା’ମାନେ ଗର୍ଭବତୀ ଅବସ୍ଥାରେ ପାରାସେଟାମଲ୍ ସେବନ କରିଥିଲେ ମଧ୍ୟ, ତାହା ଟ୍ରମ୍ପ ଦାବି କରିଥିବା ଭଳି ପିଲାମାନଙ୍କରେ ଅଟିଜ୍ମ ସୃଷ୍ଟି କରି ନ ଥିଲା।
ପ୍ରଶ୍ନ ଉଠିପାରେ, ଯଦି ପାରାସେଟାମଲ୍ ଗ୍ରହଣ ସହିତ ‘ଅଟିଜ୍ମ’ ବା ‘ଏଡିଏଚ୍ଡି’ର କୌଣସି ସଂପର୍କ ନାହିଁ, ତେବେ ସେଭଳି ସନ୍ଦେହ ସୃଷ୍ଟି ହେଉଛି କାହିଁକି ଓ ସେ ସଂପର୍କରେ ବିଧିବଦ୍ଧ ଅନୁସନ୍ଧାନ କରାଯାଉଛି କାହିଁକି? ଏହାର ଉତ୍ତର ହେଲା, େବୖଜ୍ଞାନିକମାନେ ଅନେକ ସମୟରେ ଏକ ବ୍ୟାଧି ସହିତ କୌଣସି ବାହ୍ୟ କାରଣ - ଯେମିତି କୌଣସି ନିର୍ଦ୍ଦିଷ୍ଟ ଖାଦ୍ୟ କିମ୍ବା କୌଣସି ଔଷଧ ସେବନ - ର ସଂପର୍କ ଥିବା ସନ୍ଦେହ କରିଥାନ୍ତି, ଏବଂ ସେଇ ସନ୍ଦେହର ସତ୍ୟତା ପରୀକ୍ଷା କରିବା ନିମିତ୍ତ ଅନୁସନ୍ଧାନମୂଳକ ଗବେଷଣା କରିଥାନ୍ତି।
ଏହି ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ହୋଇଥିବା ଅନ୍ୟ ଦୁଇଟି ବୃହତ୍ ଅନୁସନ୍ଧାନ ପ୍ରତି ସେ ଦେଶର ‘ଫୁଡ୍ ଆଣ୍ଡ୍ ଡ୍ରଗ୍ ଆଡ୍ମିନିଷ୍ଟ୍ରେସନ୍’ (‘ଏଫ୍ଡିଏ’) ଅଙ୍ଗୁଳି ନିର୍ଦ୍ଦେଶ କରି ଟ୍ରମ୍ପଙ୍କର ଆଭିମୁଖ୍ୟକୁ ସତ୍ୟ ପ୍ରମାଣିତ କରିବାକୁ ଚେଷ୍ଟା କରିଛି। ଏହି ଦୁଇଟି ଅନୁଶୀଳନ ହେଲେ- ‘ନର୍ସେସ୍ ହେଲ୍ଥ ଷ୍ଟଡି’ ଓ ‘ବୋଷ୍ଟନ୍ ବାର୍ଥ କୋହର୍ଟ’। ଏଥିମଧ୍ୟରୁ ଦ୍ବିତୀୟଟି ଭ୍ରୂଣାବସ୍ଥାରେ ଆସିଟାମିନୋଫେନ୍ ସହିତ ସଂପର୍କ ଉପରେ ଦୃଷ୍ଟି ନିବଦ୍ଧ କରିଥିଲା ଏବଂ ଏଥିରୁ ଆବିଷ୍କାର କରିଥିଲା ଯେ ଏହି ସଂପର୍କର ମାତ୍ରା ଶିଶୁ ଠାରେ ‘ଅଟିଜ୍ମ’ ଓ ‘ଏଡିଏଚ୍ଡି’ର ଆବିର୍ଭାବର ସମ୍ଭାବନାକୁ ପ୍ରଭାବିତ କରିଥାଏ। ଆସିଟାମିନୋଫେନ୍ ପ୍ଲାସେଣ୍ଟା ପ୍ରତିବନ୍ଧକ ଅତିକ୍ରମ କରିପାରିଥାଏ ବୋଲି ଜଣାଅଛି ଏବଂ କେତେକ ବୈଜ୍ଞାନିକ ଆଶଙ୍କା କରନ୍ତି ଯେ ଏହା ହର୍ମୋନ୍ ସିଷ୍ଟମ୍କୁ ପ୍ରଭାବିତ କରିପାରେ, ଜୀବକୋଷ ମଧ୍ୟରେ ଚାପ ସୃଷ୍ଟି କରିପାରେ କିମ୍ବା ମସ୍ତିଷ୍କକୁ ସୂଚନା ପ୍ରଦାନକାରୀ ରାସାୟନିକ ପଦାର୍ଥମାନଙ୍କୁ ପ୍ରଭାବିତ କରିପାରେ। କିନ୍ତୁ ଏ ବାବଦରେ କୌଣସି ନିର୍ଦ୍ଦିଷ୍ଟ ସିଦ୍ଧାନ୍ତରେ ପହଞ୍ଚିବା ପାଇଁ ବହୁ ଅଧିକ ଗବେଷଣା ଆବଶ୍ୟକ ଏବଂ ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ସେଇ ସେପ୍ଟେମ୍ବର ୨୨ ଦିନ ହିଁ ଅଟିଜ୍ମ ସଂପର୍କରେ ଗବେଷଣାକୁ ବ୍ୟାପକତର କରିବା ନିମିତ୍ତ ‘ଏନ୍ଆଇଏଚ୍’ ୫୦ ନିୟୁତ ଡଲାର୍ ଅର୍ଥ ଯୋଗାଇବାକୁ ଯାଉଛି ବୋଲି ଘୋଷଣା କରିଛି।
ଇତିମଧ୍ୟରେ ‘ଏଫ୍ଡିଏ’ ଆସିଟାମିନୋଫେନ୍ର ଖୋଳ ଉପରେ ଏହି ସମ୍ଭାବ୍ୟ ସଂପର୍କ ସମ୍ବନ୍ଧରେ ସୂଚନା ଛାପିବା ନିମିତ୍ତ ନିର୍ଦ୍ଦେଶ ପ୍ରଦାନ କରିବାକୁ ଯୋଜନା କରୁଥିଲେ ହେଁ ଏହି ସଂସ୍ଥା ମଧ୍ୟ ଏହା ପ୍ରକାଶ କରିଛି ଯେ ଏମାନଙ୍କ ମଧ୍ୟରେ ଏକ ନିଶ୍ଚିତ କାର୍ଯ୍ୟ-କାରଣ ସଂପର୍କ ଏଯାଏ ଆବିଷ୍କୃତ ହୋଇନାହିଁ। ଏଭଳି ପରିସ୍ଥିତିରେ ଗର୍ଭବତୀ ନାରୀମାନଙ୍କୁ ପାରାସେଟାମଲ୍ ଠାରୁ ଦୂରେଇ ରହିବା ପାଇଁ ନିର୍ଦ୍ଦେଶ ବା ଉପଦେଶ ଦେବା ନିଜର ଏକ ଗୁରୁତର ବିପଦ ବହନ କରିଥାଏ। ସାଧାରଣତଃ ଜ୍ବର ଯୋଗୁଁ ଶରୀରର ତାତିରେ ଯେତେବେଳେ ଅତ୍ୟଧିକ ବୃଦ୍ଧି ଘଟିଥାଏ, ସେତେବେଳେ ତାହାର ଉପଶମ ଘଟାଇବା ନିମିତ୍ତ ପାରାସେଟାମଲ୍ ବ୍ୟବହାର କରାଯାଇଥାଏ ଏବଂ ଏହା ହେଉଛି ସହଜରେ ବିନା ଡାକ୍ତର ପରାମର୍ଶ ପତ୍ରରେ ଔଷଧ ଦୋକାନରୁ କ୍ରୟ କରାଯାଇ ପାରୁଥିବା ସର୍ବାଧିକ ଫଳପ୍ରଦ ଔଷଧ। ଗର୍ଭବତୀ ନାରୀର ଶରୀରର ତାତି ସ୍ତର ଅଧିକ ସମୟ ଧରି ଉଚ୍ଚ ରହିଲେ ତାହା ଗର୍ଭସ୍ଥ ଶିଶୁର ସ୍ବାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିଥାଏ ବୋଲି ଆଶଙ୍କା କରାଯାଇଥାଏ। ବାସ୍ତବରେ ଉପରୋକ୍ତ ‘ବୋଷ୍ଟନ୍ ବାର୍ଥ କୋହର୍ଟ’ ଅନୁଶୀଳନ ଆସିଟାମିନୋଫେନ୍ ଓ ଶିଶୁ ଠାରେ ‘ଅଟିଜ୍ମ’ ବା ‘ଏଡିଏଚ୍ଡି’ର ଆବିର୍ଭାବ ମଧ୍ୟରେ ଯେଉଁ ସମ୍ଭାବ୍ୟ ସଂପର୍କ ପ୍ରତି ଇଙ୍ଗିତ କରିଥିଲା, ତାହାର ଅସଲ କାରଣ ହୋଇପାରେ ଗର୍ଭାବସ୍ଥାରେ ଭାବୀ ଜନନୀ ଜ୍ବରଜନିତ ତାତି ହ୍ରାସ ନ କରି ଦୀର୍ଘ ସମୟ ଧରି ଉଚ୍ଚ ତାତି ସହନ କରିଯିବା।
ଏକ ବିପଜ୍ଜନକ ବିଡ଼ମ୍ବନା ଭଳି ଡାକ୍ତର ଟ୍ରମ୍ପ ଏବେ ଏହି ଗର୍ଭବତୀ ନାରୀମାନଙ୍କୁ ଯେଉଁ ଉପଦେଶ ଦେଇଛନ୍ତି, ତାହା ହେଲା- କଷ୍ଟ ସମ୍ଭାଳି ଯାଅ, ଆସିଟାମିନୋଫେନ୍ ସେବନ କରନାହିଁ। ଟ୍ରମ୍ପ ଯଦି ପ୍ରକୃତରେ ଶିଶୁମାନଙ୍କ ଠାରେ ‘ଅଟିଜ୍ମ’ ବା ‘ଏଡିଏଚ୍ଡି’ ପାଇଁ ଚିନ୍ତିତ ହୋଇଥାନ୍ତି, ତେବେ ତାଙ୍କର ଏହି ଉପଦେଶର ପାଳନ ଏହି ବ୍ୟାଧିର ସମ୍ଭାବନା ହ୍ରାସ କରିବା ପରିବର୍ତ୍ତେ ଯେ ବୃଦ୍ଧି କରିପାରେ, ତାହା ସେ ହୃଦୟଙ୍ଗମ କରିବା ଉଚିତ। କିନ୍ତୁ ଏ ବାୟା ଡାକ୍ତରଙ୍କୁ ବୁଝାଇବ କିଏ?