ଶ୍ରମିକ-ମାଲିକ ସଂପର୍କରେ ଉନ୍ନତି ସାଧନକୁ ଅତିକ୍ରମ କରି ଅନୁପାଳନକୁ ସରଳୀକୃତ କରିବା ଏବଂ ଛୋଟ ଛୋଟ ଭୁଲ୍ଭଟକାର ଅଣ-ଅପରାଧକରଣ କରାଯିବା ଦ୍ବାରା ଏଇ ଲେବର୍ କୋଡ୍ମାନ ‘ଏମ୍ଏସ୍ଏମ୍ଇ’ ଓ ‘ଷ୍ଟାର୍ଟଅପ୍’ମାନଙ୍କୁ ଅବାଧରେ କାର୍ଯ୍ୟ କରିବା ପାଇଁ ଅଧିକ ସ୍ବାଧୀନତା ପ୍ରଦାନ କରିଥାଏ। ଏହି ସଂସ୍କାର ଉଦ୍ୟମ ଦ୍ବାରା ଦେଶର ଏ ସମସ୍ତ ନୂତନ ଉଦ୍ୟୋଗ ଓ ନୂତନ ଶ୍ରମ ଶକ୍ତି ମଧ୍ୟରେ ଯଦି ଏକ ଅଧିକ ସକାରାତ୍ମକ ସହଯୋଗ ପ୍ରତିଷ୍ଠିତ ହେବ, ତେବେ ତାହା ଏକ ବିକଶିତ ଦେଶରେ ପରିଣତ ହେବା ପାଇଁ ଭାରତର ଯାତ୍ରାକୁ ନିଶ୍ଚିତ ରୂପେ ତ୍ବରାନ୍ବିତ କରିବ।
ସାମ୍ୟବାଦର ଜନକ କାର୍ଲ ମାର୍କ୍ସଙ୍କ ଅନୁସାରେ ଏକ ଅର୍ଥନୀତିରେ ଉତ୍ପାଦନର ଚାରିଟି ଉପାଦାନ ମଧ୍ୟରୁ ଶ୍ରମ ହେଉଛି ଏକମାତ୍ର ଉପାଦାନ ଯିଏ ବଳକା ସଂପଦ (ସର୍ପ୍ଲସ୍ ଭାଲ୍ୟୁ) ସୃଷ୍ଟି କରିଥାଏ। ଏକ ପୁଞ୍ଜିବାଦୀ ବ୍ୟବସ୍ଥାରେ କିନ୍ତୁ ଶ୍ରମିକ ସେ ସୃଷ୍ଟି କରିଥିବା ଏହି ସଂପଦର ଏକ ଉଚିତ ଅଂଶ ପାଇବାରୁ ବଞ୍ଚିତ ହୋଇଥାଏ, ତେଣୁ ସାମ୍ୟବାଦୀ ବିପ୍ଳବ ମାଧ୍ୟମରେ ଏହି ବ୍ୟବସ୍ଥାରେ ପରିବର୍ତ୍ତନ ଘଟାଇ ନିଜର ନ୍ୟାଯ୍ୟ ଅଧିକାର ହାସଲ କରିବା ପାଇଁ ମାର୍କ୍ସ ପୃଥିବୀର ଶ୍ରମିକମାନଙ୍କୁ ଆହ୍ବାନ ଦେଇଥିଲେ।
ଏହା ଅବଶ୍ୟ ସତ ଯେ ମାର୍କ୍ସଙ୍କର ଯୁକ୍ତି ଅନେକାଂଶରେ ଭ୍ରମାତ୍ମକ ଥିଲା, ଏବଂ ବିଭିନ୍ନ ଦେଶରେ ମାର୍କ୍ସ କଳ୍ପନା କରିଥିବା ସାମ୍ୟବାଦ ପ୍ରତିଷ୍ଠା କରିବା ପାଇଁ ହୋଇଥିବା ରାଜନୈତିକ ପରୀକ୍ଷାମାନ ବିଫଳତାରେ ସମାପ୍ତ ହୋଇଛି। କିନ୍ତୁ ଏହା ମଧ୍ୟ ସତ ଯେ ଏକ ଦେଶରେ ଅର୍ଥନୀତିରେ ଶ୍ରମର ଗୁରୁତ୍ବ ଓ ଶ୍ରମିକର ଅଧିକାର ସମ୍ବନ୍ଧରେ ମାର୍କ୍ସ ଯେଉଁ ବିଶ୍ବବ୍ୟାପୀ ସଚେତନ ସୃଷ୍ଟି କଲେ, ତାହା ନିଷ୍ଫଳ ହୋଇନାହିଁ। ଏହାର ପ୍ରଭାବରେ ନିୟମିତ ସଂସ୍କାର ଘଟି ଚାଲି ପୃଥିବୀର ଅଧିକାଂଶ ପୁଞ୍ଜିବାଦୀ ଅର୍ଥନୀତିମାନଙ୍କରେ ଶ୍ରମିକଙ୍କ ଶୋଷଣରେ ଅନ୍ତ ଘଟାଯାଇ ତାଙ୍କୁ ତାଙ୍କର ନ୍ୟାଯ୍ୟ ଅଧିକାର ପ୍ରଦାନ କରାଯିବା ପାଇଁ ନିରନ୍ତର ଉଦ୍ୟମ ହୋଇଚାଲିଛି। ଏଥିସହିତ ଶ୍ରମିକମାନେ ଯେପରି ଅଧିକ ଫଳପ୍ରଦ ଭାବରେ ଉତ୍ପାଦନରେ ଅଂଶଗ୍ରହଣ କରି ଦେଶର ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ବରାନ୍ବିତ କରିପାରିବେ, ତାହା ମଧ୍ୟ ହୋଇଛି ସଂସ୍କାରର ଅନ୍ୟତମ ଲକ୍ଷ୍ୟ। ଅନ୍ୟମାନଙ୍କ ସହିତ ଶ୍ରମିକମାନେ ମଧ୍ୟ ଏହି ଅଭିବୃଦ୍ଧି ଦ୍ବାରା ଲାଭବାନ ହୋଇଥାନ୍ତି।
ଭାରତରେ ଏବେ ଯେଉଁ ପ୍ରାୟ ୩୦ଟି ଶ୍ରମ ଆଇନକୁ ଗତ ଶୁକ୍ରବାର ବିଜ୍ଞପିତ ହୋଇଥିବା ଚାରିଟି ବିସ୍ତୃତ ‘ଲେବର୍ କୋଡ୍’ ମଧ୍ୟରେ ଏକାଠି କରି ଦିଆଯାଇଛି, ତାହା କେବଳ ଏକ ଆଇନଗତ କସରତ ନୁହେଁ, ତାହା ହେଉଛି ଏହି ଅବିରତ ସଂସ୍କାର ଉଦ୍ୟମରେ ଆମ ଦେଶରେ ନିଆଯାଇଥିବା ଏକ ସଦ୍ୟତମ ପଦକ୍ଷେପ। ଏହି ପଦକ୍ଷେପ ଏକ ଶ୍ରମ-ପରିବେଶ ସୃଷ୍ଟି କରିବା ପାଇଁ ଉଦ୍ଦିଷ୍ଟ ଯାହା ଶ୍ରମିକଙ୍କ ସ୍ବାର୍ଥ ସୁରକ୍ଷିତ ରଖିବା ସହିତ ଏକ ଦ୍ରୁତ ପରିବର୍ତ୍ତନଶୀଳ ଅର୍ଥନୀତି ସହିତ ମଧ୍ୟ ଖାପ ଖାଇବ। ବର୍ତ୍ତମାନ ଆନ୍ତର୍ଜାତିକ ଯୋଗାଣ ଶୃଙ୍ଖଳମାନଙ୍କର ଯେଉଁଭଳି ଏକୀକରଣ ଘଟୁଛି, ନୂତନ ପ୍ରବିଧିର ଯେଉଁଭଳି ପ୍ରବେଶ ଘଟି ଶିଳ୍ପ ଦୁନିଆରେ ଅସ୍ଥିରତା ସୃଷ୍ଟି କରୁଛି, ଓ ନୂତନ ପ୍ରକାର ନିଯୁକ୍ତିର ଆବିର୍ଭାବ ଘଟୁଛି, ସେଇ ପରିପ୍ରେକ୍ଷୀରେ ଭାରତ ଏକ ଶ୍ରମ ସଂରଚନା ଆବଶ୍ୟକ କରିଥାଏ, ଯାହା ଶ୍ରମିକଙ୍କର ଅଧିକାର ଓ ସମ୍ମାନକୁ ସୁରକ୍ଷିତ ରଖିବା ସହିତ ଶିଳ୍ପ ବ୍ୟବସାୟର ପ୍ରତିଯୋଗିତା କ୍ଷମତାକୁ ମଧ୍ୟ ବଜାୟ ରଖିବ।
ଏବେ ବଳବତ୍ତର ହୋଇଥିବା ଚାରିଟି ‘ଲେବର୍ କୋଡ୍’ ତାହାହିଁ ହାସଲ କରିବା ପାଇଁ ଉଦ୍ଦିଷ୍ଟ। ଏଇ କୋଡ୍ମାନଙ୍କରେ ଏକାଠି କରାଯାଇଥିବା ଆଇନମାନ ଯଥାକ୍ରମେ ପାରିଶ୍ରମିକ, ଶ୍ରମ ସଂପର୍କ, ସାମାଜିକ ନିରାପତ୍ତା ଓ ବୃତ୍ତିଗତ ନିରାପତ୍ତା ସହିତ ସଂପର୍କିତ। ଏହି ପଦକ୍ଷେପ ମାଧ୍ୟମରେ ଆଇନଗୁଡ଼ିକର ଏଭଳି ଏକତ୍ରୀକରଣ କରାଯିବା ସହିତ ସରଳୀକରଣ ମଧ୍ୟ କରାଯାଇଛି, ଯାହା ଆଜିର ପ୍ରତିଯୋଗିତାମୂଳକ ଦୁନିଆରେ ଏକାନ୍ତ ଆବଶ୍ୟକ। ଏକାଧିକ ଅନୁପାଳନ ଆବଶ୍ୟକତା ଏବଂ ପରସ୍ପରବିରୋଧୀ ସଂଜ୍ଞାମାନଙ୍କ ସ୍ଥାନରେ ଗୋଟିଏ ସ୍ପଷ୍ଟ ଏକୀକୃତ ବ୍ୟବସ୍ଥା ଉପଲବ୍ଧ ହେବା ଶିଳ୍ପ ବ୍ୟବସାୟ ପାଇଁ ଅତ୍ୟନ୍ତ ଉପଯୋଗୀ ହେବା ନିଶ୍ଚିତ। ପାରିଶ୍ରମିକର ସମାନ ସଂଜ୍ଞା ନିରୂପଣ, ସରଳୀକୃତ ଲାଇସେନ୍ସ ପ୍ରଦାନ ପ୍ରକ୍ରିୟା ଓ ଡିଜିଟାଲ୍ ଦାଖଲ ଅନୁପାଳନର ବୋଝ ହ୍ରାସ କରିବା ସଙ୍ଗେ ସଙ୍ଗେ ସ୍ବଚ୍ଛତା ପ୍ରତିଷ୍ଠା କରିଥାଏ। ଯେଉଁମାନଙ୍କ ପାଇଁ ଏହି ସଂସ୍କାର ନିର୍ଦ୍ଦିଷ୍ଟ ଭାବରେ ଗୁରୁତ୍ବପୂର୍ଣ୍ଣ ହୋଇଥାଏ, ସେମାନେ ହେଉଛନ୍ତି ମାଇକ୍ରୋ, ସ୍ମଲ୍ ଓ ମିଡିଅମ୍ ଉଦ୍ୟୋଗ (‘ଏମ୍ଏସ୍ଏମ୍ଇ’)ମାନ ଏବଂ ‘ଷ୍ଟାର୍ଟଅପ୍’ମାନ। ଅନୁପାଳନ ବୋଝ ଲାଘବ କରିବା ଏବଂ ସିଙ୍ଗଲୱିଣ୍ଡୋ ସେବା ଯୋଗାଇବା ଦ୍ବାରା ଏହି ସଂସ୍କାର କ୍ଷୁଦ୍ର ବ୍ୟବସାୟମାନଙ୍କର ଦ୍ରୁତ କଳେବର ବୃଦ୍ଧି ଓ ସେମାନଙ୍କର ପ୍ରତିଯୋଗିତା କ୍ଷମତାରେ ଦ୍ରୁତ ଉନ୍ନତିରେ ସହାୟକ ହୋଇଥାଏ।
ଶ୍ରମିକମାନଙ୍କ ଦୃଷ୍ଟିକୋଣରୁ ଏହି କୋଡ୍ମାନ ଏକ ନ୍ୟାୟସମ୍ମତ ନିଯୁକ୍ତି ପରିବେଶ ସୃଷ୍ଟି କରିବା ଦିଗରେ ଏକ ଦୃଢ଼ ପଦକ୍ଷେପ ହୋଇଥାଏ। ପାରିଶ୍ରମିକ ସଂପର୍କିତ କୋଡ୍ ସାର୍ବଜନୀନ ସର୍ବନିମ୍ନ ପାରିଶ୍ରମିକ ପ୍ରଦାନ ନିଶ୍ଚିତ କରିଥିବା ବେଳେ ଓ ଠିକ୍ ସମୟରେ ପାରିଶ୍ରମିକ ପ୍ରଦାନ ନିମିତ୍ତ ବ୍ୟବସ୍ଥା କରିଥିବା ବେଳେ ବୃତ୍ତିଗତ ନିରାପତ୍ତା, ସ୍ବାସ୍ଥ୍ୟ ଓ କାର୍ଯ୍ୟ ପରିବେଶ ସଂପର୍କିତ କୋଡ୍ କାର୍ଯ୍ୟସ୍ଥଳୀରେ ନିରାପତ୍ତା ଦୃଢ଼ୀଭୂତ କରିବା ସହିତ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା, ଓ ଶ୍ରମିକ ମଙ୍ଗଳ ସୁବିଧାମାନ ଉପଲବ୍ଧ କରାଯିବା ପାଇଁ ନିର୍ଦ୍ଦେଶ ଦେଇଥାଏ। ଏବେ ବହୁ ଅଧିକ ଶ୍ରେଣୀର ଶ୍ରମିକମାନଙ୍କ ପାଇଁ ପ୍ରୋଭିଡେଣ୍ଟ ଫଣ୍ଡ୍, ଗ୍ରାଚୁଇଟି, ମାଟର୍ନିଟି ଲିଭ୍ ଓ ବୀମା ଭଳି ସାମାଜିକ ନିରାପତ୍ତା ସୁବିଧା ପ୍ରଦାନ ଲାଗୁ ହେବାକୁ ଯାଉଛି। ଏହା ଦ୍ବାରା ପୂର୍ବରୁ ଏହି ସୁବିଧାରୁ ବଞ୍ଚିତ ହୋଇ ଆସିଥିବା କୋଟି କୋଟି ଶ୍ରମିକ ବର୍ତ୍ତମାନ ଉପକୃତ ହେବେ। ପୂର୍ବରୁ ପ୍ରାୟ ଅଦୃଶ୍ୟ ହୋଇ ରହି ଆସିଥିବା ଆନ୍ତଃରାଜ୍ୟ ପ୍ରବାସୀ ଶ୍ରମିକମାନଙ୍କୁ ଏହି ନୂତନ କୋଡ୍ରେ ସ୍ବୀକୃତି ପ୍ରଦାନ କରାଯାଇଛି।
ବୋଧହୁଏ ଏହି କୋଡ୍ମାନଙ୍କରେ ଅନ୍ତର୍ଭୁକ୍ତ ସର୍ବାଧିକ ପ୍ରଗତିଶୀଳ ପଦକ୍ଷେପ ହେଉଛି ଆଜିର ନବ-ଆବିର୍ଭୂତ ବିଶାଳ ‘ଗିଗ୍’ ଓ ‘ପ୍ଲାଟ୍ଫର୍ମ’ ଶ୍ରମିକ ବାହିନୀକୁ ବିଧିବଦ୍ଧ ସ୍ବୀକୃତି ପ୍ରଦାନ। ଆଜିର ଇ-କମର୍ସ ଯୁଗରେ ବିକ୍ଷିପ୍ତ ଗ୍ରାହକମାନଙ୍କ ପାଖରେ ନେଇ ଠିକଣା ସମୟରେ ଜିନିଷ ପହଞ୍ଚାଉଥିବା ଏଇ ‘ଗିଗ୍’ କର୍ମଚାରୀମାନଙ୍କ ସଂଖ୍ୟା ଆମ ଦେଶରେ ଏବେ ଯାଇ ପ୍ରାୟ ଆଠ ନିୟୁତ ଛୁଇଁ ସାରିଲାଣି ଏବଂ ନିକଟ ଭବିଷ୍ୟତରେ ଏଇ ସଂଖ୍ୟାରେ ବିସ୍ଫୋରକ ବୃଦ୍ଧି ଘଟିବା ନିଶ୍ଚିତ। ସାମାଜିକ ନିରାପତ୍ତା ସଂପର୍କିତ କୋଡ୍ରେ ସ୍ବାସ୍ଥ୍ୟ, ମାତୃ ମଙ୍ଗଳ, ବୀମା ଓ ବାର୍ଦ୍ଧକ୍ୟ ସହାୟତା ସଂପର୍କିତ ସ୍କିମ୍ମାନ ଅନ୍ତର୍ଭୁକ୍ତ ହୋଇଥାଏ। ଦ୍ରୁତ ପ୍ରାବିଧିକ ପରିବର୍ତ୍ତନ ଯୋଗୁଁ ଅର୍ଥନୀତିରେ ଯେତେବେଳେ ନିଯୁକ୍ତିର ଚରିତ୍ରରେ ମଧ୍ୟ ଦ୍ରୁତ ପରିବର୍ତ୍ତନ ଘଟିବା ଦେଖାଯାଉଛି, ସେତେବେଳେ ଏହି ନୂତନ କୋଡ୍ମାନ ନିଶ୍ଚିତ କରିଥାନ୍ତି ଯେପରି ଏହି ନୂଆ ପିଢ଼ିର ଶ୍ରମିକମାନେ ଆଇନଗତ ଛେଉଣ୍ଡ ଅବସ୍ଥାରେ ନିଜକୁ ଆବିଷ୍କାର ନ କରନ୍ତି।
କର୍ମକ୍ଷେତ୍ରରେ ଲିଙ୍ଗଗତ ନ୍ୟାୟ ପ୍ରତିଷ୍ଠା ନିମିତ୍ତ ମଧ୍ୟ ନୂତନ କୋଡ୍ରେ ବ୍ୟବସ୍ଥା କରାଯାଇଛି। ସେଥିରେ ସମାନ କାମ ପାଇଁ ସମାନ ପାରିଶ୍ରମିକ, ପ୍ରସବକାଳୀନ ସହାୟତା ପ୍ରଦାନ ଓ ନବଜାତ ଶିଶୁମାନଙ୍କ ପାଇଁ ପାଳନ ସୁବିଧା (‘କ୍ରେସ୍’) ଯୋଗାଣ ନିମିତ୍ତ ବ୍ୟବସ୍ଥା ଅନ୍ତର୍ଭୁକ୍ତ କରାଯାଇଛି। ସେହିପରି ମହିଳା କର୍ମଚାରୀମାନଙ୍କ ପାଇଁ ପୂର୍ବରୁ ରହିଥିବା ସମୟ ନିୟନ୍ତ୍ରଣ କୋହଳ କରାଯିବା ସହିତ ସେମାନଙ୍କର ନିରାପତ୍ତା ନିଶ୍ଚିତ କରିବା ପାଇଁ ପଦକ୍ଷେପ ନିଆଯିବା ପାଇଁ କୋଡ୍ରେ କରାଯାଇଥିବା ବ୍ୟବସ୍ଥା ମହିଳା କର୍ମଚାରୀମାନଙ୍କୁ କର୍ମକ୍ଷେତ୍ରରେ ପୁରୁଷମାନଙ୍କ ସହିତ ସମାନ ଅଧିକାର ପ୍ରଦାନ ଦିଗରେ ହେଉଛି ଏକ ଦୃଢ଼ ପଦକ୍ଷେପ।
ଶ୍ରମିକ-ମାଲିକ ସଂପର୍କରେ ଉନ୍ନତି ସାଧନକୁ ଅତିକ୍ରମ କରି ଅନୁପାଳନକୁ ସରଳୀକୃତ କରିବା ଏବଂ ଛୋଟ ଛୋଟ ଭୁଲ୍ଭଟକାର ଅଣ-ଅପରାଧକରଣ କରାଯିବା ଦ୍ବାରା ଏଇ ଲେବର୍ କୋଡ୍ମାନ ‘ଏମ୍ଏସ୍ଏମ୍ଇ’ ଓ ‘ଷ୍ଟାର୍ଟଅପ୍’ମାନଙ୍କୁ ଅବାଧରେ କାର୍ଯ୍ୟ କରିବା ପାଇଁ ଅଧିକ ସ୍ବାଧୀନତା ପ୍ରଦାନ କରିଥାଏ। ଏହି ସଂସ୍କାର ଉଦ୍ୟମ ଦ୍ବାରା ଦେଶର ଏ ସମସ୍ତ ନୂତନ ଉଦ୍ୟୋଗ ଓ ନୂତନ ଶ୍ରମ ଶକ୍ତି ମଧ୍ୟରେ ଯଦି ଏକ ଅଧିକ ସକାରାତ୍ମକ ସହଯୋଗ ପ୍ରତିଷ୍ଠିତ ହେବ, ତେବେ ତାହା ଏକ ବିକଶିତ ଦେଶରେ ପରିଣତ ହେବା ପାଇଁ ଭାରତର ଯାତ୍ରାକୁ ନିଶ୍ଚିତ ରୂପେ ତ୍ବରାନ୍ବିତ କରିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/OAnDiWZ5zjRDfuWfWgMX.jpg)