ଏହି ନାରୀ ନିର୍ଯାତନା କାହାଣୀର ନିଷ୍ଠୁର ପାଦଟୀକା ହେଉଛି ଏହାକୁ କେନ୍ଦ୍ର କରି କରାଯାଉଥିବା ରାଜନୀତି। ଏହା ରାଜ୍ୟବାସୀଙ୍କର ନଜର ଏଡ଼ାଇ ନ ଥିବ ଯେ ଇତିଶ୍ରୀ ଘଟଣା ସମୟରେ ଶାସନ କ୍ଷମତାରେ ଥିବା ଦଳ ବର୍ତ୍ତମାନ ବାଲେଶ୍ବର ଘଟଣା ପାଇଁ ସରକାରଙ୍କୁ ଦାୟୀ କରି ବିକ୍ଷୋଭ କରୁଛି ଏବଂ ସେ ସମୟରେ ସେ ଘଟଣା ପାଇଁ ସରକାରଙ୍କୁ ଦାୟୀ କରୁଥିବା ଦଳ ବର୍ତ୍ତମାନ ବସିଛି ଶାସନ ଗାଦିରେ। ସବୁ ରଙ୍ଗର ନେତାମାନଙ୍କ ପାଇଁ ଏଭଳି ନାରୀ ନିର୍ଯାତନା ହେଉଛି କେବଳ ଏକ ରାଜନୈତିକ ସୁଯୋଗ ମାତ୍ର।
ଯୁବତୀ ଶିକ୍ଷୟିତ୍ରୀ ଜଣଙ୍କୁ ତାଙ୍କର ଉପରିସ୍ଥ ଅଧିକାରୀ ସ୍କୁଲ ଏସ୍ଆଇ ରୀତିମତ ହଇରାଣ ହରକତ କରି ଚାଲିଥିଲେ। ସେଇ ଏସ୍ଆଇ ଜଣକ ମଧ୍ୟ ଏଥିପୂର୍ବରୁ ସେଇ ଶିକ୍ଷୟିତ୍ରୀଙ୍କ ସ୍କୁଲର ହେଡ୍ମାଷ୍ଟର ରୂପେ କାର୍ଯ୍ୟ କରିଥିଲେ। ନିର୍ଯାତନା ଅସମ୍ଭାଳ ହେବାରୁ ଅସହାୟା ଶିକ୍ଷୟିତ୍ରୀ ସେଇ ଏସ୍ଆଇଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ ଦାଖଲ କରିବା ସତ୍ତ୍ବେ ଅଭିଯୁକ୍ତଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ କରାଗଲା ନାହିଁ। ନିର୍ଯାତିତା ନିରୁପାୟ ହୋଇ ଏଥର ବିଭିନ୍ନ ସରକାରୀ ଉଚ୍ଚ ପଦାଧିକାରୀ ଓ ଅନୁଷ୍ଠାନମାନଙ୍କୁ ନିଜର ଦୁର୍ଦ୍ଦଶା ସମ୍ବନ୍ଧରେ ଅବଗତ କରାଇ ନ୍ୟାୟ ଓ ସୁରକ୍ଷା ପାଇବା ନିମିତ୍ତ ସେମାନଙ୍କ ନିକଟରେ ପ୍ରାର୍ଥନା କଲେ। ତାଙ୍କର ମିନତି କିନ୍ତୁ କାହାରି କର୍ଣ୍ଣ କୁହରରେ ପ୍ରବେଶ କଲା ନାହିଁ। ଏଣେ ସରକାରଙ୍କର ଉଦାସୀନତାର ସୁଯୋଗ ନେଇ ଅଭିଯୁକ୍ତ ଏସ୍ଆଇ ଜଣକ ତାଙ୍କର ଅଭିଯୋଗ ପ୍ରତ୍ୟାହାର କରିବା ପାଇଁ ସଂପୃକ୍ତା ଶିକ୍ଷୟିତ୍ରୀଙ୍କ ଉପରେ ବିଭିନ୍ନ ପ୍ରକାର ଅସହନୀୟ ଚାପ ପକାଇବାରେ ଲାଗିଥାନ୍ତି। ଦୃଢ଼ମନା ଯୁବତୀ ଜଣକ କିନ୍ତୁ ଏହି ଚାପ ଆଗରେ ମୁଣ୍ଡ ନ ନୁଅଁାଇ ଅଭିଯୋଗ ପ୍ରତ୍ୟାହାର ନ କରି ଅଟଳ ରହିଲେ।
ଦିନେ ରାତିରେ ସେ ନିଜର ବାସସ୍ଥାନରେ ଏକାକିନୀ ଥିବା ଅବସ୍ଥାରେ ଜଣେ ଅଜଣା ବ୍ୟକ୍ତି ଅନୁପ୍ରବେଶ କରି ସମସ୍ତ ଅଭିଯୋଗ ପ୍ରତ୍ୟାହାର କରିବା ପାଇଁ ଶିକ୍ଷୟିତ୍ରୀଙ୍କୁ ଧମକ ଦେଲା। ଶିକ୍ଷୟିତ୍ରୀ ଏଥିରେ ଡରି ନ ଯାଇ ଯେତେବେଳେ ଅଭିଯୋଗ ପ୍ରତ୍ୟାହାର ନ କରିବାକୁ ନିଜ ନିଷ୍ପତ୍ତିରେ ଅଟଳ ରହିଲେ ଏହି ଦୁର୍ବୃତ୍ତ ଜଣକ ତାଙ୍କ ଉପରେ ସେ ସାଙ୍ଗରେ ଆଣିଥିବା କିରାସିନି ଢାଳିଦେଇ ନିଅଁା ଲଗାଇଦେଲା। ଅର୍ଦ୍ଧଦଗ୍ଧ ପୀଡ଼ିତାଙ୍କୁ ଏହା ପରେ ଗୋଟିକ ପରେ ଗୋଟିଏ ଛୋଟରୁ ବଡ଼ ହସ୍ପିଟାଲ୍କୁ ସ୍ଥାନାନ୍ତରିତ କରାଯିବା ପରେ ଅବଶେଷରେ ସେ ଶେଷ ନିଃଶ୍ବାସ ତ୍ୟାଗ କଲେ।
ସର୍ବସାଧାରଣଙ୍କ ସ୍ମୃତି କ୍ଷଣସ୍ଥାୟୀ ହୋଇଥିବାରୁ ଏ ଘଟଣା ତଥା ସେଇ ହତଭାଗିନୀ ଯୁବତୀଙ୍କ ପରିଚୟ ଅନେକଙ୍କ ସ୍ମୃତିପଟରୁ ଲିଭି ଯାଇସାରିଥିବ। ଏ ଘଟଣା ଘଟିଥିଲା ଆଜିକୁ ୧୨ ବର୍ଷ ତଳେ ୨୦୧୩ରେ ଓଡ଼ିଶାର ରାୟଗଡ଼ା ଜିଲ୍ଲାର କାଶୀପୁର ବ୍ଲକ୍ ଅନ୍ତର୍ଗତ ଟିକିରିରେ। ଏଥିରେ ପ୍ରାଣ ହରାଇଥିବା ସେଇ ଶିକ୍ଷୟିତ୍ରୀଙ୍କ ନାମ ଥିଲା ଇତିଶ୍ରୀ ପ୍ରଧାନ, ଯିଏ ସେଠାରେ ଅବସ୍ଥିତ ପ୍ରୋଜେକ୍ଟ ୟୁପି ସ୍କୁଲରେ କାର୍ଯ୍ୟ କରୁଥିଲେ। ପରବର୍ତ୍ତୀ ସମୟରେ ଅପରାଧୀ ଏସ୍ଆଇ ନେତ୍ରାନନ୍ଦ ଦଣ୍ଡସେନା ଅଦାଲତ ଦ୍ବାରା ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡ ପାଇଥିଲା, କିନ୍ତୁ ତାହା ଦ୍ବାରା ଇତିଶ୍ରୀ ଆଉ ଜୀବନ ଫେରି ପାଇନାହାନ୍ତି କିମ୍ବା ତାଙ୍କ ପିତାମାତା ଓ ପରିବାରଙ୍କର ଯନ୍ତ୍ରଣାରେ ଅନ୍ତ ଘଟିନାହିଁ।
ବର୍ତ୍ତମାନ ଏକ ଅବିଶ୍ବାସ୍ୟ ପୈଶାଚିକ କାଣ୍ଡ ଭଳି ଓଡ଼ିଶାର ଆଉ ଏକ ଶିକ୍ଷାନୁଷ୍ଠାନରେ ଯେଉଁ ନାରକୀୟ ଘଟଣା ଘଟିଛି ତାହା କେବଳ କିଛି ସାମାନ୍ୟ ପରିବର୍ତ୍ତନ ସହିତ ୧୨ ବର୍ଷ ତଳର ସେଇ ଇତିଶ୍ରୀ ହତ୍ୟାକାଣ୍ଡର ପୁନରାବୃତ୍ତି ପରି ମନେ ହୋଇଥାଏ। ସେତେବେଳେ ସଂପୃକ୍ତ ଶିକ୍ଷାନୁଷ୍ଠାନ ଏକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ େହାଇଥିବାବେଳେ, ବର୍ତ୍ତମାନର ଘଟଣା ଘଟିଛି ରାଜ୍ୟର ଏକ ଅଗ୍ରଣୀ ଉଚ୍ଚଶିକ୍ଷା ଅନୁଷ୍ଠାନ- ବାଲେଶ୍ବରସ୍ଥିତ ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ବା ଅଧିକ ସୁପରିଚିତ ନାମ ଏଫ୍ଏମ୍ କଲେଜରେ। ଇତିଶ୍ରୀ ଥିଲେ ଜଣେ ଶିକ୍ଷୟିତ୍ରୀ; ବାଲେଶ୍ବରର ପୀଡ଼ିତା ସୌମ୍ୟାଶ୍ରୀ ଥିଲେ ଜଣେ ୨୦ ବର୍ଷୀୟା ଛାତ୍ରୀ। ଇତିଶ୍ରୀଙ୍କୁ ନିର୍ଯାତନା ଦେଉଥିଲେ ତାଙ୍କର ଜଣେ ଉପରିସ୍ଥ କର୍ମକର୍ତ୍ତା- ଶିକ୍ଷକ ପ୍ରଶାସକ ଏସ୍ଆଇ; ସୌମ୍ୟାଶ୍ରୀ ଯାହାଙ୍କ ବିରୁଦ୍ଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ, ସେ ଅଧ୍ୟାପକ ଜଣକ ହେଉଛନ୍ତି ସଂପୃକ୍ତ ବିଭାଗର ବିଭାଗୀୟ ମୁଖ୍ୟ। ଇତିଶ୍ରୀଙ୍କ ଉପରେ ଅପରାଧୀ କିରାସିନି ଢାଳି ନିଅଁା ଲଗାଇ ଦେଇଥିଲା; ସୌମ୍ୟାଶ୍ରୀ ଅପରାଧୀର ଅତ୍ୟାଚାରରେ ଅତିଷ୍ଠ ହୋଇ ନିଜ ଶରୀରରେ ପେଟ୍ରୋଲ ଢାଳି ନିଅଁା ଲଗାଇ ଦେଇଥିଲେ। ଇତିଶ୍ରୀ ଜୀବନ୍ତ ଦଗ୍ଧ ହୋଇ ଜୀବନ ହରାଇଥିଲେ; ସୌମ୍ୟାଶ୍ରୀ ମଧ୍ୟ ମୁମୂର୍ଷୁ ଅବସ୍ଥାରେ ଇତିଶ୍ରୀଙ୍କ ପରି ହସ୍ପିଟାଲ୍ରୁ ହସ୍ପିଟାଲ୍କୁ ସ୍ଥାନାନ୍ତରିତ ହୋଇ ଜୀବନ ସହିତ ସଂଗ୍ରାମ କରି ଶେଷରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି।
ଉଭୟ ଘଟଣାର ସାମଞ୍ଜସ୍ୟ ଏତିକିରେ ସୀମିତ ନୁହେଁ। ଇତିଶ୍ରୀଙ୍କ ପରି ସୌମ୍ୟାଶ୍ରୀ କର୍ତ୍ତୃପକ୍ଷଙ୍କ ନିକଟରେ କରିଥିବା ଅଭିଯୋଗରୁ କିଛି ସୁଫଳ ପାଇ ପାରି ନ ଥିଲେ। ସୁପ୍ରିମ୍ କୋର୍ଟଙ୍କ ଦ୍ବାରା ପ୍ରଦତ୍ତ ବିଶାଖା ଗାଇଡ୍ଲାଇନ୍ସ ଅନୁସାରେ ପ୍ରତ୍ୟେକ ଅନୁଷ୍ଠାନ ଭଳି ସେଇ କଲେଜରେ ମଧ୍ୟ ଏଭଳି ଯୌନ ନିର୍ଯାତନା ଅଭିଯୋଗ ବିଚାର କରିବା ନିମିତ୍ତ କାର୍ଯ୍ୟ କରୁଥିବା ‘ଇଣ୍ଟର୍ନାଲ୍ କମ୍ପ୍ଲେଣ୍ଟସ କମିଟି’ (‘ଆଇସିସି’) ନିକଟରେ ପୀଡ଼ିତା ଅଭିଯୋଗ କରିଥିଲେ ହେଁ ସେଇ କମିଟି ତା’ର ରିପୋର୍ଟରେ ଅଭିଯୁକ୍ତକୁ ସୁରକ୍ଷା ଦେବାକୁ ଚେଷ୍ଟା କରିଛି ବୋଲି ସମ୍ବାଦ ପ୍ରକାଶ ପାଇଛି ଏବଂ କଲେଜର ଅଧ୍ୟକ୍ଷ ମଧ୍ୟ ଅନୁରୂପ ଆଭିମୁଖ୍ୟ ଗ୍ରହଣ କରିବା ପରେ ପରେ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ସମ୍ମୁଖରେ ହିଁ ହତାଶ ଛାତ୍ରୀ ଜଣକ ଆତ୍ମାହୁତି ଦେବା ପାଇଁ ଅାଗେଇ ଆସିଥିଲେ।
ଛାତ୍ରୀ ସୌମ୍ୟାଶ୍ରୀଙ୍କର ଏହି କାର୍ଯ୍ୟକୁ କେହି ଭୀରୁତା ରୂପେ ବିବେଚନା କରିବାର ଭୁଲ୍ କରିବା ଉଚିତ ନୁହେଁ। ବରଂ ସେ ହେଉଛନ୍ତି ସାହସର ମୂର୍ତ୍ତିମନ୍ତ ପ୍ରତୀକ। ପ୍ରକାଶିତ ଖବର ଅନୁସାରେ ସେ ବିପର୍ଯ୍ୟୟ ପ୍ରଶମନରେ ତାଲିମ ନେଇଥିଲେ ତଥା ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ପ୍ରଦାନ କ୍ଷେତ୍ରରେ ଜଣେ ଓସ୍ତାଦ ବା ମାଷ୍ଟର୍ ଟ୍ରେନର୍ ରୂପେ କାର୍ଯ୍ୟ କରୁଥିଲେ। ସେ ମଧ୍ୟ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (‘ଏବିଭିପି’)ର ଜଣେ କର୍ମକର୍ତ୍ତା ହୋଇଥିଲେ ହେଁ ଏବଂ କ୍ଷମତାସୀନ ଭାରତୀୟ ଜନତା ପାର୍ଟି ସରକାର ସହିତ ଏହି ସଂଗଠନର ସଂପର୍କ ଘନିଷ୍ଠ ହୋଇଥିଲେ ହେଁ, ସମ୍ବେଦନଶୀଳତାହୀନ କର୍ତ୍ତୃପକ୍ଷଙ୍କ କବଳରୁ ଏହା ମଧ୍ୟ ତାଙ୍କୁ ସୁରକ୍ଷା ପ୍ରଦାନ କରିପାରି ନାହିଁ। ସମାଜ ସେବାରେ ସକ୍ରିୟ ଅଂଶଗ୍ରହଣ ପାଇଁ ଛାତ୍ରୀ ଜଣଙ୍କର ସୁଖ୍ୟାତି ଥିବାବେଳେ ତାଙ୍କର ଅଭିନୟ ନିପୁଣତା ପାଇଁ ଗତ ବର୍ଷ ସେ କଲେଜରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଥିଲେ ବୋଲି ସୂଚନା ପ୍ରକାଶ ପାଇଛି। ସେ ଜଣେ ମେଧାବିନୀ ଛାତ୍ରୀ ହୋଇଥିଲେ ହେଁ ତାଙ୍କୁ ବାରମ୍ବାର ଫେଲ୍ କରିବାକୁ ଓ କଲେଜରୁ ବହିଷ୍କାର କରିବାକୁ ଧମକ ଦିଆଯାଇଥିଲା ବୋଲି ତାଙ୍କର ପିତା ସାମ୍ବାଦିକମାନଙ୍କ ଆଗରେ ପ୍ରକାଶ କରିଛନ୍ତି।
ଅସୀମ ସାହସର ସହିତ ଏକ ଶକ୍ତିଶାଳୀ ନ୍ୟସ୍ତସ୍ବାର୍ଥ ବ୍ୟବସ୍ଥା ବିରୁଦ୍ଧରେ ଏକାକିନୀ ଲଢୁଥିବା ଏହି ଛାତ୍ରୀଙ୍କର ଆତ୍ମାହୁତି ଉଦ୍ୟମ ମଧ୍ୟ ଅଚାନକ ନ ଥିଲା। ଜୁଲାଇ ପହିଲାରେ ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏ ସଂପର୍କରେ ସୂଚନା ଦେଇ ଲେଖିଥିଲେ ଯେ ଯଦି ସେ ନ୍ୟାୟ ପାଇବାରେ ଅସମର୍ଥ ହୁଅନ୍ତି, ସେ ଆତ୍ମହତ୍ୟା କରିବେ। ଏହାକୁ ମଧ୍ୟ କଲେଜ କର୍ତ୍ତୃପକ୍ଷରୁ ଲୋକପ୍ରତିନିଧି ଓ ସ୍ଥାନୀୟ ପ୍ରଶାସନ ତଥା ପୁଲିସ ପର୍ଯ୍ୟନ୍ତ କେହି ହେଲେ ତିଳେ ମାତ୍ର ଗୁରୁତ୍ବ ଦେଇ ନ ଥିଲେ। ଏଣୁ ଯେଉଁ ହାତ ସେଇ ବହୁମୁଖୀ ପ୍ରତିଭା ତଥା ଦୃଢ଼ ବ୍ୟକ୍ତିତ୍ବସଂପନ୍ନା ଛାତ୍ରୀଙ୍କ ଶରୀରରେ ଅଗ୍ନି ସଂଯୋଗ କରିଛି, ସେ ହାତ ତାଙ୍କ ନିଜର ଭଳି ଦୃଶ୍ୟମାନ ହେଉଥିଲେ ହେଁ, ପ୍ରକୃତରେ ସେ ଅଦୃଶ୍ୟ ହାତ ହେଉଛି ସେ ଅନୁଷ୍ଠାନର କର୍ତ୍ତୃପକ୍ଷମାନଙ୍କର, ସରକାରୀ ବ୍ୟବସ୍ଥାର ଓ ସର୍ବୋପରି ବୃହତ୍ତର ସମାଜର। ସେହି ଅଦୃଶ୍ୟ ହାତ ହିଁ ୧୨ ବର୍ଷ ତଳେ ଇତିଶ୍ରୀଙ୍କୁ ହତ୍ୟା କରିଥିଲା, ଦଣ୍ଡସେନା ଥିଲା କେବଳ ନିମିତ୍ତ ମାତ୍ର।
ସାମାଜିକ ସଂସ୍କାର ପାଇଁ ହୋଇଚାଲିଥିବା ସମସ୍ତ ଉଦ୍ୟମ ସତ୍ତ୍ବେ ଆମ ସମାଜରେ ତଥାପି ଯେଉଁ ପୁରୁଷ-ପ୍ରଧାନ ଓ ନାରୀ-ବିରୋଧୀ ମନୋଭାବ ଦୃଢ଼ ଭାବରେ ବସା ବାନ୍ଧି ରହିଛି, ତାହାର ଶିକାରମାନଙ୍କର ତାଲିକା ଆମ ରାଜ୍ୟରେ ଇତିଶ୍ରୀଙ୍କ ଠାରୁ ଆରମ୍ଭ କରି ବେବିନା, ମମିତା ଓ ଏପରିକି କୁନିଝିଅ ପରୀ ଦେଇ ଏହି ଅଗ୍ନିକନ୍ୟା ସୌମ୍ୟାଶ୍ରୀଙ୍କ ପର୍ଯ୍ୟନ୍ତ ଲମ୍ବିଛି। ଏହି ନାରୀ ନିର୍ଯାତନା କାହାଣୀର ନିଷ୍ଠୁର ପାଦଟୀକା ହେଉଛି ଏହାକୁ କେନ୍ଦ୍ର କରି କରାଯାଉଥିବା ରାଜନୀତି। ଏହା ରାଜ୍ୟବାସୀଙ୍କର ନଜର ଏଡ଼ାଇ ନ ଥିବ ଯେ ଇତିଶ୍ରୀ ଘଟଣା ସମୟରେ ଶାସନ କ୍ଷମତାରେ ଥିବା ଦଳ ବର୍ତ୍ତମାନ ବାଲେଶ୍ବର ଘଟଣା ପାଇଁ ସରକାରଙ୍କୁ ଦାୟୀ କରି ବିକ୍ଷୋଭ କରୁଛି ଏବଂ ସେ ସମୟରେ ସେ ଘଟଣା ପାଇଁ ସରକାରଙ୍କୁ ଦାୟୀ କରୁଥିବା ଦଳ ବର୍ତ୍ତମାନ ବସିଛି ଶାସନ ଗାଦିରେ। ସବୁ ରଙ୍ଗର ନେତାମାନଙ୍କ ପାଇଁ ଏଭଳି ନାରୀ ନିର୍ଯାତନା ହେଉଛି କେବଳ ଏକ ରାଜନୈତିକ ସୁଯୋଗ ମାତ୍ର।
ଆମେ ଅଗ୍ନିକନ୍ୟା ସୌମ୍ୟାଶ୍ରୀଙ୍କର ଅଦମ୍ୟ ଆତ୍ମାର ଚିରନ୍ତନ ସଦ୍ଗତି ପାଇଁ ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରୁଛୁ।