ଏମିତିରେ ଗତ ଫେବ୍ରୁଆରି ଠାରୁ ବର୍ତ୍ତମାନ ମଧ୍ୟରେ ରିଜର୍ଭ ବ୍ୟାଙ୍କ୍ ଏକାଧିକ ଛେକରେ ‘ରେପୋ ରେଟ୍’ରେ ପୂରା ୧୦୦ ବେସିସ୍ ପଏଣ୍ଟ (୧ ଶତାଂଶ) ହ୍ରାସ ଘଟାଇ ସାରିଛି। ଏହା ବାଦ୍ ବ୍ୟାଙ୍କ୍‌ମାନଙ୍କ ପାଖରେ ଋଣ ପ୍ରଦାନ ନିମିତ୍ତ ଅଧିକ ଅର୍ଥ ଉପଲବ୍‌ଧ ହେବା ନିମିତ୍ତ ରିଜର୍ଭ ବ୍ୟାଙ୍କ୍ ‘ନଗଦ ମହଜୁଦ ଅନୁପାତ’ (‘କ୍ୟାସ୍ ରିଜର୍ଭ ରେସିଓ’)ରେ ଘଟାଇଥିବା ହ୍ରାସର ପ୍ରଥମ ପର୍ଯ୍ୟାୟ ମାତ୍ର ଗତ ମାସ ଠାରୁ କାର୍ଯ୍ୟକାରୀ ହେବା ଆରମ୍ଭ ହୋଇଛି। ବର୍ତ୍ତମାନ ତେଣୁ ଟ୍ରମ୍ପ ଟାରିଫ୍‌ର ପ୍ରଭାବ ସ୍ପଷ୍ଟ ହେବା ପର୍ଯ୍ୟନ୍ତ ଅର୍ଥନୀତିର ଅଭିବୃଦ୍ଧି ଧାରାକୁ ଅବ୍ୟାହତ ରଖିବା ପାଇଁ ସରକାରଙ୍କର ‘ଜିଏସ୍‌ଟି’ ହ୍ରାସ ପଦକ୍ଷେପ ସହିତ ମିଶି ରିଜର୍ଭ ବ୍ୟାଙ୍କ୍ ନେଇ ସାରିଥିବା ଏଇସବୁ ବିତ୍ତୀୟ ପଦକ୍ଷେପମାନ ଯଥେଷ୍ଟ ହେବ ବୋଲି ଆଶା କରାଯାଉଛି।

Advertisment

ଟ୍ରମ୍ପ ଟାରିଫ୍ ଯୋଗୁଁ ଦେଶର ଅର୍ଥନୀତି ପ୍ରତି ବାଧା ଉପୁଜିବା ସମ୍ଭାବନାକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ଭାରତ ସରକାର ପରୋକ୍ଷ କର ବ୍ୟବସ୍ଥା ‘ଜିଏସ୍‌ଟି’ରେ କାର୍ଯ୍ୟକାରୀ କରିଥିବା ସଂସ୍କାର ବ୍ୟାପକ ଭାବରେ ପ୍ରଶଂସା ଲାଭ କରିଛି। ତେଣୁ ପର୍ଯ୍ୟବେକ୍ଷକମାନେ ଉତ୍ସୁକତାର ସହ ଦେଖିବା ପାଇଁ ଅପେକ୍ଷା କରି ରହିଥିଲେ ‘ଜିଏସ୍‌ଟି’ରେ ହ୍ରାସ କାର୍ଯ୍ୟକାରୀ ହେବାର ପ୍ରାୟ ସପ୍ତାହକ ପରେ ଅନୁଷ୍ଠିତ ତାହାର ଦ୍ବିମାସିକ ବୈଠକରେ ରିଜର୍ଭ ବ୍ୟାଙ୍କ୍‌ର ‘ମୁଦ୍ରା ନୀତି ନିର୍ଦ୍ଧାରଣକାରୀ କମିଟି’ (‘ଏମ୍‌ପିସି’) ମଧ୍ୟ ‘ଜିଏସ୍‌ଟି’କୁ ଅନୁସରଣ କରି ଅର୍ଥନୀତିକୁ ସହାୟକ ହେବା ପାଇଁ ନିର୍ଣ୍ଣାୟକ ସୁଧ ହାର ‘ରେପୋ ରେଟ୍’ରେ ହ୍ରାସ ଘଟାଉଛି କି ନାହିଁ। କିନ୍ତୁ ଅକ୍‌ଟୋବର ପହିଲାରେ ‘ଏମ୍‌ପିସି’ ଯେତେବେଳେ ତା’ର ନିଷ୍ପତ୍ତି ଘୋଷଣା କଲା, ଦେଖାଗଲା ଯେ ସରକାରଙ୍କର ଟିକସ ହ୍ରାସ ନୀତିକୁ ଅନୁସରଣ କରିବା ପରିବର୍ତ୍ତେ ଏହି କମିଟି ରିଜର୍ଭ ବ୍ୟାଙ୍କ୍‌ର ମୁଦ୍ରା ନୀତିକୁ ଅପରିବର୍ତ୍ତିତ ରଖିବାକୁ ଉଚିତ ମନେ କରିଛି। ଅତଏବ ‘ଏମ୍‌ପିସି’ ‘ରେପୋ ରେଟ୍‌’ରେ କୌଣସି ହ୍ରାସ ନ ଘଟାଇ ତାହାକୁ ୫.୫ ଶତାଂଶ ସ୍ତରରେ ଅପରିବର୍ତ୍ତିତ ରଖିଛି।
ଏଠାରେ ଯାହା ଉଲ୍ଲେଖଯୋଗ୍ୟ, ତାହା ହେଲା ଖୋଦ୍ ରିଜର୍ଭ ବ୍ୟାଙ୍କ୍ ୨୦୨୫-୨୬ ବିତ୍ତ ବର୍ଷ ପାଇଁ ଦେଶରେ ଖାଉଟି ମୁଦ୍ରାସ୍ଫୀତି ପୂର୍ବାନୁମାନରେ ପରିବର୍ତ୍ତନ ଘଟାଇ ତାହାକୁ ୩.୧ ଶତାଂଶରୁ ୨.୬ ଶତାଂଶକୁ ହ୍ରାସ କରି ଦେଇଥିଲେ ହେଁ ତା’ ସହିତ ତାଳ ଦେଇ ‘ରେପୋ ରେଟ୍’ରେ ହ୍ରାସ ଘଟାଇବାକୁ ଆଗେଇ ଆସିନାହିଁ। ସ୍ବର୍ଗତ ଅର୍ଥନୀତିଜ୍ଞ ମିଲ୍‌ଟନ୍ ଫ୍ରିଡ୍‌ମ୍ୟାନ୍‌ଙ୍କୁ ଅନୁସରଣ କରି ପୃଥିବୀ ସାରା କେନ୍ଦ୍ରୀୟ ବ୍ୟାଙ୍କ୍‌ମାନେ ବିଶ୍ବାସ କରିଥାନ୍ତି ଯେ ସୁଧ ହାର ଯଦି ଅତ୍ୟଧିକ ଉଚ୍ଚ ହୁଏ, ତାହା ଅର୍ଥନୈତିକ ଅଭିବୃଦ୍ଧିକୁ ମନ୍ଥର କରିଥାଏ ଓ ବେକାରି ସୃଷ୍ଟି କରିଥାଏ; ଅପର ପକ୍ଷେ ସୁଧ ହାର ଯଦି ଅତ୍ୟଧିକ ନୀଚା ହୁଏ, ତାହା ମୁଦ୍ରାସ୍ଫୀତିରେ ବୃଦ୍ଧି ଘଟାଇଥାଏ। ଏଥିରୁ ତେଣୁ ଯେଉଁ ଶିକ୍ଷା ମିଳିଥାଏ, ତାହା ହେଲା, ମୁଦ୍ରାସ୍ଫୀତିରେ ବୃଦ୍ଧି ଘଟିବା ସମୟରେ ତାହାକୁ ଲଗାମ ଦେବା ପାଇଁ ସୁଧ ହାରରେ ବୃଦ୍ଧି ଘଟାଯିବା ବିଧେୟ ଏବଂ ମୁଦ୍ରାସ୍ଫୀତିରେ ହ୍ରାସ ଘଟୁଥିବା ସମୟରେ ଅଭିବୃଦ୍ଧିକୁ ପ୍ରୋତ୍ସାହନ ପ୍ରଦାନ ନିମିତ୍ତ ସୁଧ ହାରରେ ହ୍ରାସ ଘଟାଯାଇ ପାରିବ। ତେଣୁ ରିଜର୍ଭ ବ୍ୟାଙ୍କ୍ ନିଜେ ଖାଉଟି ମୁଦ୍ରାସ୍ଫୀତି ପୂର୍ବାନୁମାନରେ ୦.୫ ଶତାଂଶ ପଏଣ୍ଟ ହ୍ରାସ ଘଟାଇଥିବାବେଳେ ସ୍ବାଭାବିକ ଭାବରେ ‘ରେପୋ ରେଟ୍’ରେ ମଧ୍ୟ ଏହି ଅନୁକୂଳ ପରିସ୍ଥିତିର ସଦ୍‌ବ୍ୟବହାର କରି କିଛି ମାତ୍ରାରେ ହ୍ରାସ ଘଟାଇବା ଉଚିତ ବୋଲି ଆଶା କରାଯାଉଥିଲା।
ରିଜର୍ଭ ବ୍ୟାଙ୍କ୍‌ର ‘ଏମ୍‌ପିସି’ କିନ୍ତୁ ତାହା ନ କରି ଏଠାରେ ଅଷ୍ଟାଦଶ ଶତାବ୍ଦୀର ମହାନ ସ୍କଟିସ୍ ଦାର୍ଶନିକ ଡେଭିଡ୍ ହ୍ୟୁମ୍‌ଙ୍କର ପ୍ରସିଦ୍ଧ ‘‘ଇଜ୍-ଅଟ୍ ଗିଲୋଟିନ୍’’ ନିୟମକୁ ଅନୁସରଣ କରିଥିବା ଭଳି ମନେ ହୁଏ, ଯାହା ଅନୁସାରେ କୌଣସି ଏକ ଘଟଣାର ଉପସ୍ଥିତି ଯୋଗୁଁ କୌଣସି ଏକ ନିର୍ଦ୍ଦିଷ୍ଟ ଆଚରଣ ବାଧ୍ୟତାମୂଳକ ବୋଲି କୁହାଯାଇ ପାରିବ ନାହିଁ (ଯେମିତି ‘‘ରାତି ପାହିଲାଣି ରାବଇ କାଉ/ଉଠ ଉଠ ମଠ ନ କର ଆଉ’’ ବୋଲି ଉପଦେଶ ଦିଆଯାଉଥିଲେ ହେଁ, ରାତି ଅନିଦ୍ରା ହୋଇ ନାଇଟ୍ ସିଫ୍‌ଟରେ କାର୍ଯ୍ୟ କରିଥିବା ଜଣେ ବ୍ୟକ୍ତି ରାତି ପାହିବା ମାତ୍ରେ କାଉ ଭଳି ଶଯ୍ୟା ତ୍ୟାଗ କରି ଉଠିପଡ଼ିବା ଉଚିତ ବୋଲି କୁହାଯାଇ ପାରିବ ନାହିଁ)। ଠିକ୍ ସେଇଭଳି ଦେଶରେ ଖାଉଟି ମୁଦ୍ରାସ୍ଫୀତି ହାର ରିଜର୍ଭ ବ୍ୟାଙ୍କ୍ ପାଇଁ ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟ ୪ ଶତାଂଶ ସୀମା ତଳେ ନିରାପଦ ଇଲାକାରେ ରହିଥିଲେ ହେଁ ଓ ତାହା ମଧ୍ୟ ଆହୁରି ତଳକୁ ଖସିବାକୁ ଯାଉଛି ବୋଲି ଆଶା କରାଯାଉଥିଲେ ହେଁ ରିଜର୍ଭ ବ୍ୟାଙ୍କ୍‌ର ‘ଏମ୍‌ପିସି’ ଶଯ୍ୟା ତ୍ୟାଗ କରି ଉଠିପଡ଼ି ‘ରେପୋ ରେଟ୍’ରେ ହ୍ରାସ ଘଟାଇବା ପରିବର୍ତ୍ତେ ତାହାକୁ ଅପରିବର୍ତ୍ତିତ ରଖି ଆଉ କିଛିସମୟ ପାଇଁ ଶୋଇ ରହିବାକୁ ପସନ୍ଦ କରିଛି।
ରିଜର୍ଭ ବ୍ୟାଙ୍କ୍ ଏଭଳି ଆଳସ୍ୟ ପ୍ରଦର୍ଶନ କରିବାର କାରଣ ହେଲା ତାହାର ଆକଳନ ଅନୁସାରେ ବର୍ତ୍ତମାନ ଦେଶର ‘ଜିଡିପି’ରେ ଅଭିବୃଦ୍ଧି ହାର ଏକ ସନ୍ତୋଷଜନକ ଭାବରେ ଉଚ୍ଚ ସ୍ତରରେ ରହିଥିବା ବେଳେ ଟାରିଫ୍‌ରୁ ଆରମ୍ଭ କରି ଭିସା ଫିରେ ବୃଦ୍ଧି ପର୍ଯ୍ୟନ୍ତ ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ଭାରତୀୟ ଅର୍ଥନୀତି ବିରୁଦ୍ଧରେ ଗ୍ରହଣ କରିଥିବା ପଦକ୍ଷେପମାନଙ୍କର ପ୍ରଭାବ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଉଦାହରଣ ସ୍ବରୂପ ଚଳିତ ବିତ୍ତ ବର୍ଷ ୨୦୨୫-୨୬ ପାଇଁ ରିଜର୍ଭ ବ୍ୟାଙ୍କ୍ ଅର୍ଥନୀତିର ଅଭିବୃଦ୍ଧି ହାର ସମ୍ବନ୍ଧରେ କରିଥିବା ପୂର୍ବାନୁମାନରେ ୩୦ ବେସିସ୍ ପଏଣ୍ଟ (୦.୩ ଶତାଂଶ) ବୃଦ୍ଧି ଘଟାଇଛି; ଯାହା ବର୍ତ୍ତମାନ ୬.୮ ଶତାଂଶ ହେବାକୁ ଯାଉଛି ବୋଲି ଆଶା କରାଯାଉଛି। କହିବା ବାହୁଲ୍ୟ, ପୃଥିବୀର ଅନ୍ୟ ସମସ୍ତ ପ୍ରମୁଖ ଦେଶମାନେ ହାସଲ କରିପାରିଥିବା ଅଭିବୃଦ୍ଧି ହାରମାନ ଏହାର ବହୁ ପଛରେ ପଡ଼ିଥିବା ଦେଖାଯାଇଥାଏ।
ଇତି ମଧ୍ୟରେ ମୌସୁମୀ ବୃଷ୍ଟିପାତ ଏଥର ନର୍ମାଲ ଠାରୁ ୮ ଶତାଂଶ ଅଧିକ ହୋଇଥିବା ଜଣାପଡ଼ିଛି। ଏହା ସତ ଯେ ଖାଉଟି ମୁଦ୍ରାସ୍ଫୀତିରେ ଏବେ ଯେଉଁ ହ୍ରାସ ପରିଲକ୍ଷିତ ହୋଇଛି, ତାହା ମୁଖ୍ୟତଃ ଖାଦ୍ୟଦ୍ରବ୍ୟ ଦରଦାମରେ ଦେଖା ଦେଇଥିବା ଶିଥିଳତା ଯୋଗୁଁ ଘଟିଛି। ଅନୁକୂଳ ମୌସୁମୀର ପ୍ରଭାବରେ ଖାଦ୍ୟ ଉତ୍ପାଦନ ସନ୍ତୋଷଜନକ ହେଲେ ଆଗାମୀ ସମୟରେ ଖାଉଟି ମୁଦ୍ରାସ୍ଫୀତି ସହନୀୟ ସ୍ତରରେ ରହିବା ଆଶା କରାଯାଏ। ଅଶୋଧିତ ତୈଳ ଦର ମଧ୍ୟ ଏହି ସମୟରେ ସ୍ଥିର ରହିବା ଆଶା କରାଯାଇଥାଏ, ଯାହା ଖାଉଟି ମୁଦ୍ରାସ୍ଫୀତିକୁ ମଧ୍ୟ ନିୟନ୍ତ୍ରଣ ମଧ୍ୟରେ ରଖିବାରେ ସହାୟକ ହେବ। ଏଥିସହିତ ଉପରେ ଉଲ୍ଲେଖ କରାଯାଇଥିବା ଭଳି ‘ଜିଏସ୍‌ଟି’ରେ ଘଟାଯାଇଥିବା ହ୍ରାସ ଯୋଗୁଁ ଖାଉଟି ଦ୍ରବ୍ୟ ଦରଦାମରେ ଯେଉଁ ହ୍ରାସ ଘଟିବ ବୋଲି ଆଶା କରାଯାଉଛି, ତାହା ମଧ୍ୟ ଭବିଷ୍ୟତରେ ଖାଉଟି ମୁଦ୍ରାସ୍ଫୀତିକୁ ସଂଯତ କରି ରଖିବ ବୋଲି ଅନୁମାନ କରାଯାଉଛି।
ଏଠାରେ ସୂଚନାଯୋଗ୍ୟ ଯେ ରିଜର୍ଭ ବ୍ୟାଙ୍କ୍ ଉପରେ ନ୍ୟସ୍ତ କରାଯାଇଥିବା ଦାୟିତ୍ବ ଅନୁସାରେ ଏହି କେନ୍ଦ୍ରୀୟ ବ୍ୟାଙ୍କ୍ ଅର୍ଥନୈତିକ ଅଭିବୃଦ୍ଧି ଉପରୁ ଦୃଷ୍ଟି ନ ହଟାଇ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରିଥାଏ। ଏଣୁ ଉଭୟ ଲକ୍ଷ୍ୟ ହାସଲ ଦୃଷ୍ଟିରୁ ରିଜର୍ଭ ବ୍ୟାଙ୍କ୍ ବର୍ତ୍ତମାନ ନିଜକୁ ଏକ ଅନୁକୂଳ ପରିସ୍ଥିତିର ସମ୍ମୁଖୀନ ହୋଇଥିବା ଦେଖିବାକୁ ପାଇଛି ବୋଲି କହିଲେ ଭୁଲ୍ ହେବ ନାହିଁ। ଏଣୁ ରିଜର୍ଭ ବ୍ୟାଙ୍କ୍ ଚାହିଁଥିଲେ ମୁଦ୍ରାସ୍ଫୀତିକୁ ଭୟ ନ କରି ‘ରେପୋ‌ ରେଟ୍’ରେ ହ୍ରାସ ଘଟାଇ ଅଭିବୃଦ୍ଧିକୁ ଆହୁରି ଅଧିକ ପ୍ରୋତ୍ସାହନ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇ ପାରିଥାନ୍ତା। କିନ୍ତୁ ରିଜର୍ଭ ବ୍ୟାଙ୍କ୍ ବର୍ତ୍ତମାନର ଘଡ଼ିସନ୍ଧି ସମୟରେ ସ୍ଥିତାବସ୍ଥା ବଜାୟ ରଖି ପରିସ୍ଥିତି ଉପରେ ନଜର ରଖିବାକୁ ଉଚିତ ମନେ କରିଛି।
ଏମିତିରେ ଗତ ଫେବ୍ରୁଆରି ଠାରୁ ବର୍ତ୍ତମାନ ମଧ୍ୟରେ ରିଜର୍ଭ ବ୍ୟାଙ୍କ୍ ଏକାଧିକ ଛେକରେ ‘ରେପୋ ରେଟ୍’ରେ ପୂରା ୧୦୦ ବେସିସ୍ ପଏଣ୍ଟ (୧ ଶତାଂଶ) ହ୍ରାସ ଘଟାଇ ସାରିଛି। ଏହା ବାଦ୍ ବ୍ୟାଙ୍କ୍‌ମାନଙ୍କ ପାଖରେ ଋଣ ପ୍ରଦାନ ନିମିତ୍ତ ଅଧିକ ଅର୍ଥ ଉପଲବ୍‌ଧ ହେବା ନିମିତ୍ତ ରିଜର୍ଭ ବ୍ୟାଙ୍କ୍ ‘ନଗଦ ମହଜୁଦ ଅନୁପାତ’ (‘କ୍ୟାସ୍ ରିଜର୍ଭ ରେସିଓ’)ରେ ଘଟାଇଥିବା ହ୍ରାସର ପ୍ରଥମ ପର୍ଯ୍ୟାୟ ମାତ୍ର ଗତ ମାସ ଠାରୁ କାର୍ଯ୍ୟକାରୀ ହେବା ଆରମ୍ଭ ହୋଇଛି। ବର୍ତ୍ତମାନ ତେଣୁ ଟ୍ରମ୍ପ ଟାରିଫ୍‌ର ପ୍ରଭାବ ସ୍ପଷ୍ଟ ହେବା ପର୍ଯ୍ୟନ୍ତ ଅର୍ଥନୀତିର ଅଭିବୃଦ୍ଧି ଧାରାକୁ ଅବ୍ୟାହତ ରଖିବା ପାଇଁ ସରକାରଙ୍କର ‘ଜିଏସ୍‌ଟି’ ହ୍ରାସ ପଦକ୍ଷେପ ସହିତ ମିଶି ରିଜର୍ଭ ବ୍ୟାଙ୍କ୍ ନେଇ ସାରିଥିବା ଏଇସବୁ ବିତ୍ତୀୟ ପଦକ୍ଷେପମାନ ଯଥେଷ୍ଟ ହେବ ବୋଲି ଆଶା କରାଯାଉଛି। ଏହା ମଧ୍ୟ ଆଶା କରାଯାଉଛି ଯେ ଡିସେମ୍ବରରେ ‘ଏମ୍‌ପିସି’ର ପରବର୍ତ୍ତୀ ବୈଠକ ଅନୁଷ୍ଠିତ ହେବାବେଳକୁ ଅର୍ଥନୀତି ଉପରେ ଟ୍ରମ୍ପ ଟାରିଫ୍‌ର ପ୍ରଭାବର ଚିତ୍ର ସ୍ପଷ୍ଟ ହୋଇଯାଇଥିବ ଏବଂ ସେତେବେଳେ ରିଜର୍ଭ ବ୍ୟାଙ୍କ୍ ଏକ ଉପଯୁକ୍ତ ମୁଦ୍ରାନୀତି ଅବଲମ୍ବନ ନିମିତ୍ତ ସୁଚିନ୍ତିତ ନିଷ୍ପତ୍ତି ଗ୍ରହଣ କରିପାରିବ। ସେ ପର୍ଯ୍ୟନ୍ତ ରାତି ପାହି ସାରିଥିଲେ ହେଁ ଓ କାଉ ରାବି ଚାଲିଥିଲେ ହେଁ ରିଜର୍ଭ ବ୍ୟାଙ୍କ୍ ହ୍ୟୁମ୍‌ଙ୍କୁ ଅନୁସରଣ କରି ଉଠିବାକୁ ମଠ କରି ନିଦ୍ରାଦେବୀଙ୍କ କୋଳ ତ୍ୟାଗ ନ କରିବାରେ କିଛି ଅସ୍ବାଭାବିକତା ନାହିଁ।