ବାବାଜୀଚରଣ ପଟ୍ଟନାୟକ

କାହିଁ କେଉଁ ସମୟରୁ ଓଡ଼ିଆରେ ଚଳି ଆସିଥିବା ଏ ଢଗଟି ଏବେ ବି, ପ୍ରସଙ୍ଗ ଓ ପରିବେଶ ଦେଖିଚାହିଁ, ଓଡ଼ିଆଙ୍କ ମୁହଁରେ ପଇଟେ- ‘‘ଦେଇଥିଲେ ପାଇ/ପଡ଼ିଆ ବିଲରେ ଗୋଧନ ଚରାଇ।’’ ଏଥର ପ୍ରଥମ ଧାଡ଼ି ସହଜେ ବୁଝାପଡ଼େ। ଦ୍ବିତୀୟ ଧାଡ଼ି ସୂଚାଏ, ଶସ୍ୟ ଦେଇଥିବା ବିଲ, ପାଇଥାଏ ଘାସ; ଯାହା ଗୋରୁ-ଗାଈଙ୍କ ଚରିବାରେ ଲାଗେ। ଢଗଟି ଦର୍ଶାଇଥାଏ; କିଛି ପାଇବାକୁ ହେଲେ, କିଛି ଦେବାକୁ ହୋଇଥାଏ। ପୁଣି; ଏମିତିକା ଭାବକୁ ଆଉ ବାଗେ, ଢଗରେ କୁହାଯାଏ- ‘‘ଦିଆକୁ ଦିଆ/ଅଦିଆକୁ ଦୁଆର ଦିଆ।’’ ଅର୍ଥାତ୍ ଦେଇଥିବା ଲୋକକୁ ପ୍ରତିବଦଳରେ କିଛି ଦିଆଯିବ, ଆଉ ଯେ କିଛି ଦେଇନାହିଁ, ତା’ ପାଇଁ ଦିଆଯିବା ଦୁଆର ବନ୍ଦ। ଏ ଲେଖକ ଓଡ଼ିଶାର ଏକ ମଫସଲ ଗଁାରେ ଜନ୍ମି ଥିବାରୁ, ପିଲାଦିନେ ଦେଖିଛି ପଡ଼ିଶାରେ ତରକାରି କି ପନିପରିବା ଦେଣନେଣ ଘଟିତ ‘ଦେଇଥିଲେ ପାଇ’ ସଂପର୍କ ବନ୍ଧନର ଟାଣପଣକୁ। ଗଁାରେ ସେତେବେଳେ ବାହାଭୋଜି ବିନା ଦବା-ପାଇବା ଉଲ୍ଲାସର ମେଳଣ ଥିଲା। ଅବଶ୍ୟ, ଠାକୁର ଠାକୁରାଣୀଙ୍କ ଅଷ୍ଟ-ପ୍ରହରୀ ନାମଯଜ୍ଞରେ ଅନୁଷ୍ଠିତ ପଙ୍ଗତ ପାଇଁ ହେଉଥିବା ମଉଚ୍ଛବକୁ ପରିବାପତ୍ର ଏବଂ ଥିଲା ବାଲାଏ କିଛି ଅର୍ଥ ଦେଉଥିଲେ। କିନ୍ତୁ, ସହର ଆସି ଭେଟିବାକୁ ହେଲା, ‘ଆରେ ମଉସା, ଜଡ଼ ପଇସା’କୁ। କେବଳ ମୃତାହ ଭୋଜି ଭିନ୍ନ ଅନ୍ୟ ସବୁଥିରେ ଉପଭୋକ୍ତାକୁ ଦେବାକୁ ପଡୁଥିଲା- ଅର୍ଥ, ମିଠା କି ପୁସ୍ତକ ପ୍ୟାକେଟ୍। ହାଲକୁ ଗୋଟେ ଫେସନ ପଶି ଆସିଥିବା ଦେଖିବାକୁ ମିଳିଛି। କଟକ ସହରରେ ବିତ୍ତଶାଳୀ ପରିବାର କେତୋଟିର ବାହାଘର ଭୋଜିକୁ ଯାଇ, ଯାହା ଯେମିତି ପ୍ୟାକେଟ ଦେଇଛି, ଖାଇସାରି ଫେରିବା ବେଳକୁ ପାଇଛି ଭିନ୍ନ ଭିନ୍ନ ପ୍ୟାକେଟ। ଆହା, ଦେଇଥିଲେ ପାଇ କଥାଟି ଏମିତି ବାଗରେ ଚଳିଲେ ଅନେକ ଆର୍ଥିକ ଅନଗ୍ରସରେ ଏ ଗଣତନ୍ତ୍ର ଶାସନରେ କି ହିନସ୍ତା ନ ଭୋଗିବେ ସତେ! ଇଂରେଜୀ ମାଧ୍ୟମରେ ପଢୁଥିବା ଛାତ୍ରଛାତ୍ରୀଏ ବି ‘ଦେଇଥିଲେ ପାଇ’ର ମଉକା ସେମାନଙ୍କ ଜନ୍ମଦିନ ପାଳନ ଦିନରେ ଭେଟୁଛନ୍ତି। ଏ ସବୁରେ ସଂସ୍କାରର ରୋକ ଲାଗିବା ଆବଶ୍ୟକ। ଆକ୍ଷରିକ ଅର୍ଥରେ ‘ଦେଇଥିଲେ ପାଇ’ର ଅଭିନୟ ପିଲାଙ୍କ ଜନ୍ମଦିନରେ ଚଳୁଥିଲେ ହେଁ, ସଂପର୍କର ଦୃଢ଼ ଭାବବନ୍ଧନ ଦର୍ଶାଉ ନାହିଁ ତାହା।
ରାଜତନ୍ତ୍ର ଶାସନରେ ‘ଦେଇଥିଲେ ପାଇ’ କିପରି ରାଜା ଓ ପ୍ରଜାଙ୍କ ମଧ୍ୟରେ ଚଳୁଥିଲା, ତହିଁର ଦୃଷ୍ଟାନ୍ତଟିଏ ‘କୁମ୍ଭାର ଚକ’ରେ ଲେଖିଛନ୍ତି କାଳୀଚରଣ ପଟ୍ଟନାୟକ। ବଡ଼ମ୍ବା ରାଜବାଟୀରେ ରାମ ନବମୀରୁ ରାମଲୀଳା ପ୍ରଦର୍ଶନ ଆରମ୍ଭ ହୁଏ। ରାଜା ଥା’ନ୍ତି ବିଶ୍ବମ୍ଭର ମଙ୍ଗରାଜ। ରାମ ନବମୀ ଦିନ ବେଳ ରତରତ ବେଳେ ଜଣେ ବ୍ରାହ୍ମଣ ପହଞ୍ଚି, ରାଜାଙ୍କୁ ସାକ୍ଷାତ କଲେ। ଖାଲି ହାତରେ ରାଜାଙ୍କୁ ଦେଖା କରିବା ବିଧି ନ ଥିବାରୁ, ବ୍ରାହ୍ମଣ ଜଣଙ୍କ ତାଙ୍କ ଗାମୁଛାରେ ଗୁଡ଼ାଇ କରି ଆଣିଥିବା ହାତେ ଲମ୍ବର ହଳଦିଆ ଆମ୍ବପତ୍ର ଦେଲେ। ରାଜା ସାଦରେ ଗ୍ରହଣ କଲେ। ଗନ୍ତାୟତଙ୍କୁ ଡାକି, ବ୍ରାହ୍ମଣକୁ ପଚାଶ ଟଙ୍କା ଓ ବିଶ୍ବମ୍ଭର ବଲ୍ଲଭ ଖଜା ଥାଳିଏ ଦେବାକୁ ‌ନିର୍ଦ୍ଦେଶ ଦେଲେ। ଏଥିର ତାତ୍ପର୍ଯ୍ୟ ରାଜା ବୁଝାଇ ଦେଇଥିଲେ ବାଳକ କାଳୀଚରଣଙ୍କୁ। ରାଜତନ୍ତ୍ରରେ ସୁନିଆଁ ଭେଟି ଦେଇଥିଲେ ପ୍ରଜାମାନେ, ରାଜକର୍ମଚାରୀମାନେ ରାଜାଙ୍କୁ। ରାଜା ପ୍ରଦତ୍ତ ଅନେକ ଉପାଧି, ଯଥା: ମହାଭୋଇ, ପ୍ରତାପସିଂହ, ଚମ୍ପତ୍ତିରାୟ, ଚୌଧୁରୀ, ଦକ୍ଷିଣରାୟ ଆଦି ପ୍ରଜାମାନଙ୍କୁ ଦିଆଯାଉଥିଲା। ରାଜତନ୍ତ୍ରରେ ବେଠି, ବେଗାରି, ମାଗଣା ଆଦି ଅନେକ ଜବରଦସ୍ତ ନେବା ବ୍ୟବସ୍ଥା ବି ପ୍ରଚଳିତ ଥିଲା। ଓଡ଼ିଶାର ରାଜା-ମହାରାଜାଙ୍କ ‘ଦେଇଥିଲେ ପାଇ’ ଢାଞ୍ଚାର ଦରବାର ଲକ୍ଷ୍ୟ କରି, ଇଂରେଜ ସରକାର ରାୟବାହାଦୁର, ଖଁା ବାହାଦୁର, ମହାମହୋପାଧ୍ୟାୟ ଆଦି ଉପାଧି ଦେଇଥିଲେ ବ୍ୟକ୍ତିବିଶେଷଙ୍କୁ। କଟକରେ ବାରବାଟୀ ଦୁର୍ଗରେ ୧୮୯୪ରେ ‘ଦରବାର’ କରାଯାଇଥିଲା, ଯହିଁର ବ୍ୟଙ୍ଗ ଚିତ୍ର ରାଧାନାଥ ରାୟଙ୍କ ‘ଦରବାର’ କାବ୍ୟରୁ ଉପଲବ୍‌ଧ ହୁଏ। ଏ ପଦରେ କି କୁହୁକ ଥାଏ କେଜାଣି, ତହିଁର ପ୍ରାପ୍ତି ପ୍ରତି ଅନେକେ ବ୍ୟାକୁଳତା ପ୍ରକାଶ କରିଥାନ୍ତି। କବିବର ରାଧାନାଥ ରାୟଙ୍କ ଭାଷାରେ: ‘‘ଏହି ଛାର ଏହି ଅକିଞ୍ଚିତ କର/ସମ୍ମାନ ସକାଶେ ଏଡ଼େ ବ୍ୟସ୍ତ ନର! ହା ଧିକ! ଏ ତ୍ବକସାର ପଦ ପାଇଁ/ଦେଇଛନ୍ତି ଲୋକେ ସଂପଦ ଉଡ଼ାଇ।’’ ପୋଲା ବା ଫମ୍ପା (ତ୍ବକସାର) ପଦପଦବି ପିଛା କେତେ ସଂପଦ ଉଡ଼ାଇ ନ ଦିଅନ୍ତି ଲୋକେ। ପୁଣି, ଉପାଧି ପାଇବା ଆଶାରେ ଲୋକେ ମନୁଷ୍ୟର ପୂଜା ଷୋଡ଼ଶ ଉପଚାରରେ କରିଥାନ୍ତି। ଦେଇଥିଲେ ପାଇର ଯଥାର୍ଥତା ଉପଲବ୍‌ଧ ହୋଇଥାଏ ଦରବାରୀ ପ୍ରଦତ୍ତ ପଦ, ପଦବି ଓ ଉପାଧିରେ। ଏ ଘେନି ସାମାଜିକ ଜୀବନରେ ଉତ୍କୋଚ, କିଳାପୋତେଇ, ଅଣ୍ଟାଗୁଞ୍ଜା ଆଦି ଶବ୍ଦାବଳୀ ପ୍ରଚଳିତ ହୋଇଛି। 
ସେ କାଳର ରାଜତନ୍ତ୍ର ଶାସନ ବ୍ୟବସ୍ଥା ଓ ବିଦେଶୀ (ବ୍ରିଟିସ) ରାଜ ତିରୋହିତ ହୋଇଛି। ଭାରତୀୟମାନେ ଗଣତନ୍ତ୍ର ବିଧିବିଧାନରେ ଅଗଷ୍ଟ ୧୫, ୧୯୪୭ ପର କାଳରୁ ଶାସିତ; ବିଶେଷ କରି, ୨୬ ଜାନୁଆରି, ୧୯୫୦ରୁ ସେମାନଙ୍କ ଜୀବନଚର୍ଯ୍ୟାର ସଂହିତା ହୋଇଛି ସଂବିଧାନ। ତହିଁରେ ନାଗରିକର ସ୍ବାଧୀନତା, ସମାନତା, ନ୍ୟାୟିକତା ଓ ଭ୍ରାତୃତ୍ବ ‌ବିଶେଷ ଜୀବନ ଦର୍ଶନ ଓ ସାମାଜିକ ଧାରାର ଅସଲ ମାନବିକ ଚାବିକାଠି ବୋଲି ଉଲ୍ଲେଖ କରାଯାଇଛି। ହେ‌େଲ, ଗଣତାନ୍ତ୍ରିକ ସମାଜରେ ବି ପଦବି, ଚାକିରି, ପୁରସ୍କାର, ସମ୍ବର୍ଦ୍ଧନା ଭଳି ପ୍ରାପ୍ତି ଯୋଗ ଘଟିଲେ, ସେହି ପୁରୁଣା ଢଗର ଉଲୁଗୁଣା ମେଲୁଛନ୍ତି କେହି କେହି। ଏଥିରୁ ମୁକ୍ତି ସଂସ୍କାର ପଥ ପ୍ରଦର୍ଶନ ଭାଷଣରେ ନୁହେଁ, ଦଉଥିବା ଲୋକଙ୍କ ବିବେକୀ ଆଚରଣ ଏବଂ ପାଉଥିବା ଲୋକର ଟାଣପଣ ଦ୍ବାରା ଘଟାଇ ହେବ। ‘ଦେଇଥିଲେ ପାଇ’ ଢଗ ଆପଣାଛାଏଁ ତୁଣ୍ଡେ ତୁଣ୍ଡେ ନ ମହକି, ମଉଳି ଯିବ- ଏ ଘେନି ଦାତା-ପ୍ରାପ୍ତି ସ୍ବୀକାରକେ ବିବେକୀ ହେବା ଦରକାର, ଯାହା ଗଣତନ୍ତ୍ର ବ୍ୟବସ୍ଥା ପ୍ରଚଳିତ ସମାଜରେ ଏକାନ୍ତ କାମ୍ୟ। ରାଜତନ୍ତ୍ରୀ ଆଚାର-ଆଚରଣ, ପ୍ରଲୋଭନ ଓ ସ୍ଲୋଗାନ ଗଣତନ୍ତ୍ର ବ୍ୟବସ୍ଥିତ ସମାଜରୁ ହଟିବା ଜରୁରି।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୩୧୯୯୧୪