ଏଇ ଘଡ଼ିସନ୍ଧି ମୁହୂର୍ତ୍ତରେ ଅର୍ଥନୀତିକୁ ଉପସ୍ଥିତ ସଂକଟରୁ ଉଦ୍ଧାର କରିବା ପାଇଁ ସେଇମାନେ ଆଗେଇ ଆସିବା ଆଶା କରାଯାଏ, ଯେଉଁମାନେ ଆରମ୍ଭରେ ସୂଚାଇ ଦିଆଯାଇଥିବା ଭଳି ସରକାରୀ ପ୍ରୋତ୍ସାହନ ରୂପକ ଦାନ ଯୋଗୁଁ ଦୀପାବଳି ସମୟରେ ଅଭୂତପୂର୍ବ ଭାବରେ ଲାଭବାନ ହୋଇଛନ୍ତି: ଭାରତୀୟ ଘରୋଇ କ୍ଷେତ୍ରର କଂପାନିମାନେ। ସେମାନେ ବର୍ତ୍ତମାନ ମୁକ୍ତ ହସ୍ତ ହୋଇ ପୁଞ୍ଜି ନିବେଶ କଲେ ହିଁ ଦେଶରେ କର୍ମନିଯୁକ୍ତିରେ ସନ୍ତୋଷଜନକ ଭାବରେ ବୃଦ୍ଧି ଘଟିବ। କିନ୍ତୁ ଚିନ୍ତାଜନକ ଭାବରେ ଅର୍ଥନୈତିକ ଗବେଷଣା ସଂସ୍ଥା ‘ସେଣ୍ଟର୍ ଫର୍ ମନିଟରିଙ୍ଗ୍ ଇଣ୍ଡିଆନ୍ ଇକନମି’ (‘ସିଏମ୍‌ଅାଇଇ’)ର ସୂଚନା ଅନୁସାରେ କର୍ପୋରେଟ୍ କ୍ଷେତ୍ରରେ ଘୋଷିତ ନୂତନ ପ୍ରକଳ୍ପମାନଙ୍କର ମୂଲ୍ୟରେ ବର୍ଷକ ମଧ୍ୟରେ ୪୬ ଶତାଂଶ ହ୍ରାସ ଘଟିଛି।

Advertisment

ଭାରତ ହେଉଛି ଏକ ଅବିରତ ଉତ୍ସବମୁଖର ଦେଶ। ଏହି ଉତ୍ସବ ପାଳନ ସହିତ ଭାରତୀୟ ଅର୍ଥନୀତିର ସଂପର୍କ ମଧ୍ୟ ଘନିଷ୍ଠ ହୋଇଥାଏ, ଯାହା ଶୀର୍ଷ ବିନ୍ଦୁ ସ୍ପର୍ଶ କରିଥାଏ ଆଲୋକର ଉତ୍ସବ ଦୀପାବଳି ପାଳନ ସମୟରେ। ସଦ୍ୟ ପ୍ରକାଶିତ ସୂଚନା ଅନୁସାରେ ଚଳିତ ବର୍ଷ ଦୀପାବଳିର ଭାରତୀୟ ଅର୍ଥନୀତି ଉପରେ ପ୍ରଭାବ ଅତୀତର ସମସ୍ତ ରେକର୍ଡ ଭାଙ୍ଗି ଦେଇ ଏକ ନୂତନ ଶିଖର ସ୍ପର୍ଶ କରିଛି। ଦେଶର ବ୍ୟବସାୟ ବାଣିଜ୍ୟ ସଂଗଠନ ‘କନ୍‌ଫେ‌ଡେରେସନ୍ ଅଫ୍ ଅଲ୍‌ ଇଣ୍ଡିଆ ଟ୍ରେଡର୍ସ’ ଦ୍ବାରା ପ୍ରକାଶିତ ଏହି ସୂଚନା ଅନୁସାରେ ୨୦୨୫ର ଦୀପାବଳି ଉତ୍ସବ ପାଳନ ଅବସରରେ ଦେଶରେ ସଂପନ୍ନ ହୋଇଥିବା ମୋଟ ବିକ୍ରୟର ପରିମାଣ ହୋଇଛି ୬.୦୫ ଲକ୍ଷ କୋଟି ଟଙ୍କା, ଯାହା ହେଉଛି ସର୍ବକାଳୀନ ସର୍ବୋଚ୍ଚ। ଏଥିରେ ଦ୍ରବ୍ୟମାନଙ୍କର ଅଂଶ ୫.୪୦ ଲକ୍ଷ କୋଟି ଟଙ୍କା ହୋଇଥିବାବେଳେ, ସେବା ସବୁର ଅଂଶ ହେଉଛି ୬୫,୦୦୦ କୋଟି ଟଙ୍କା।
ଏହି ପରିସଂଖ୍ୟାନ ଦେଖି ମନେହୁଏ ଭାରତୀୟ ଉତ୍ପାଦନକାରୀମାନଙ୍କ ପାଇଁ ଆମେରିକାର ବଜାରକୁ ସଂକୁଚିତ କରିବା ନିମିତ୍ତ ଉଦ୍ଦିଷ୍ଟ ଟ୍ରମ୍ପ ଟାରିଫ୍‌ର ମୁକାବିଲା କରିବା ପାଇଁ ଏଥର ଦୀପାବଳିରେ ପୃଥିବୀର ସର୍ବାଧିକ ଜନବହୁଳ ଦେଶର କୋଟି କୋଟି ଗ୍ରାହକମାନେ ସଦଳବଳେ ବଜାରକୁ ବାହାରି ପଡ଼ିଛନ୍ତି। ଏହାର ପ୍ରମାଣ ସ୍ବରୂପ ୨୦୨୪ ଦୀପାବଳି ସମୟର ମୋଟ ବିକ୍ରୟ ପରିମାଣ ୪.୨୫ ଲକ୍ଷ କୋଟି ଟଙ୍କା ତୁଳନାରେ ଚଳିତ ଦୀପାବଳି ବିକ୍ରୟରେ ଏକ ତୀକ୍ଷ୍‌ଣ ୨୫ ଶତାଂଶ ବୃଦ୍ଧି ଘଟିଛି। ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ଏହି ଗ୍ରାହକମାନଙ୍କ ମଧ୍ୟରୁ ଏକ ଉଚ୍ଚ ୮୭ ଶତାଂଶ ଏହି ରଣନୀତିର ଅଂଶ ସ୍ବରୂପ ଆତ୍ମନିର୍ଭରତାକୁ ଆଗେଇ ନେଇ ସ୍ବଦେଶରେ ନିର୍ମିତ ଦ୍ରବ୍ୟମାନ କ୍ରୟ କରିବାକୁ ପସନ୍ଦ କରିଥିଲେ।
ଏଥିରୁ ସ୍ପଷ୍ଟ ହୋଇଥାଏ ଖାଉଟିମାନଙ୍କୁ ବଜାରକୁ ଆକର୍ଷିତ କରିବା ଉଦ୍ଦେଶ୍ୟରେ ସରକାର ଯେଉଁ ଦୁଇଟି ଟିକସ ସଂପର୍କିତ ବୃହତ ପଦକ୍ଷେପ ଗ୍ରହଣ କରିଥିଲେ, ତାହା ଫଳପ୍ରସୂ ହୋଇଛି। ପ୍ରଥମଟି ଥିଲା ପ୍ରତ୍ୟକ୍ଷ କର ସଂପର୍କିତ; ଦ୍ବିତୀୟଟି ଥିଲା ପରୋକ୍ଷ କର ସଂପର୍କିତ। ପ୍ରଥମ ପଦକ୍ଷେପ ସ୍ବରୂପ ସରକାର ଆୟ କର କୋହଳ କରି କରଦାତାମାନଙ୍କ ପାଖରେ ପ୍ରାୟ ୧.୨୫ ଲକ୍ଷ କୋଟି ଟଙ୍କାର ଉଦ୍‌ବୃତ୍ତ ଆୟ ଉପଲବ୍‌ଧ କରାଇଥିଲେ। ଦ୍ବିତୀୟ ପଦକ୍ଷେପ ସ୍ବରୂପ ସରକାର ‘ଜିଏସ୍‌ଟି’ରେ ପରିବର୍ତ୍ତନ ଘଟାଇ ବଜାରରେ ଅଧିକାଂଶ ଦ୍ରବ୍ୟ ଓ ସେବାମାନଙ୍କର ବିକ୍ରୟ ମୂଲ୍ୟରେ ହ୍ରାସ ସାଧନ କରିଛନ୍ତି। ଉଦ୍ଦେଶ୍ୟ: ଚୁମ୍ବକ ଲୁହାକୁ ଆକର୍ଷିତ କରିବା ଭଳି ଶସ୍ତା ଜିନିଷପତ୍ର ବର୍ଦ୍ଧିତ କ୍ରୟ ଶକ୍ତି ସଂପନ୍ନ ଗ୍ରାହକମାନଙ୍କୁ ବଜାର ଆଡ଼କୁ ଆକର୍ଷିତ କରିବ।
ଏବେ କାର୍ଯ୍ୟତଃ ତାହାହିଁ ଘଟିବା ଦେଖାଯାଇଛି। ଏହାର ଏକ ଉଦାହରଣ ସ୍ବରୂପ ଧନତେରସ ଦିନ କାର୍‌ ନିର୍ମାତା ମାରୁତି ସୁଜୁକି କଂପାନି ଏକ ରେକର୍ଡ ୫୧,୦୦୦ ସଂଖ୍ୟକ ଗାଡ଼ି ବିକ୍ରି କରିଥିବା ଜଣାପଡ଼ିଛି। ‘ଜିଏସ୍‌ଟି’ ବୋଝ ହ୍ରାସ ଯୋଗୁଁ ପୂର୍ବାପେକ୍ଷା ଶସ୍ତା ହୋଇଥିବା ଗାଡ଼ି କିଣିବା ପାଇଁ ପରିପୁଷ୍ଟ-ପକେଟ୍ ଗ୍ରାହକମାନେ ଭିଡ଼ ଜମାଇଥିଲେ। ଏଇ ଗ୍ରାହକମାନେ ନିଜର ବର୍ଦ୍ଧିତ କ୍ରୟ ଶକ୍ତିକୁ ଯଦି ଖର୍ଚ୍ଚ ନ କରି ସଞ୍ଚୟ କରିବାକୁ ପସନ୍ଦ କରିଥାନ୍ତେ, ତେବେ ସରକାରଙ୍କ ସମସ୍ତ ଉଦ୍ୟମ ବ୍ୟର୍ଥ ହୋଇଯାଆନ୍ତା; ସେମାନେ କିନ୍ତୁ ତାହା ନ କରି ତାହାକୁ ଖର୍ଚ୍ଚ କରିବାକୁ ଆଗେଇ ଆସି ସଂକଟ ସମୟରେ ଅର୍ଥନୀତିକୁ ସମ୍ଭାଳି ରଖିବା ପାଇଁ ବଦ୍ଧପରିକର ହୋଇଥିବା ଭଳି ଆଚରଣ ପ୍ରଦର୍ଶନ କରିଛନ୍ତି।
ଅବଶ୍ୟ ଉତ୍ସବ ପରବର୍ତ୍ତୀ ସମୟରେ ସ୍ବାଭାବିକ ଭାବରେ ଖାଉଟିମାନଙ୍କର ଚାହିଦାରେ କିଛି ମାତ୍ରାରେ ଶିଥିଳତା ‌ନିଶ୍ଚିତ ରୂପେ ଦେଖାଦେବ; କିନ୍ତୁ ତଥାପି ସେମାନଙ୍କ ପାଖରେ ଯେଉଁ ଅତିରିକ୍ତ କ୍ରୟ ଶକ୍ତି ଉପଲବ୍‌ଧ ହୋଇ ଚାଲିବ, ତାହା କ୍ରମେ ବର୍ଦ୍ଧିଷ୍ଣୁ ଚାହିଦାରେ ରୂପାନ୍ତରିତ ହେବାର ଦୃଢ଼ ସମ୍ଭାବନା ରହିଛି। ତେବେ ଭାରତୀୟ ଅର୍ଥନୀତି ଏଭଳି ଲଢୁଆ ଆଚରଣ ପ୍ରଦର୍ଶନ କରିବା ସତ୍ତ୍ବେ, ସମୟ କ୍ରମେ ସାମଗ୍ରିକ ଚାହିଦା ବାଧାପ୍ରାପ୍ତ ହେବାର ସମ୍ଭାବନାକୁ ଏଡ଼ାଇ ଦେଇ ହେବ ନାହିଁ। ଏହାର ଏକ ପ୍ରଥମ କାରଣ ଅବଶ୍ୟ ହେଉଛି ଟ୍ରମ୍ପ ଟାରିଫ୍‌ର ପ୍ରଭାବ। ଏଥିଯୋଗୁଁ ସେପ୍‌ଟେମ୍ବରରେ ଭାରତରୁ ଆମେରିକାକୁ କରାଯାଉଥିବା ରପ୍ତାନିରେ ୧୨ ଶତାଂଶ ହ୍ରାସ ଘଟିଛି ବୋଲି ଜଣାପଡ଼ିଲାଣି। ରତ୍ନ ପଥର, ଅଳଙ୍କାର ଓ ପୋଷାକପତ୍ର ଆଦିର ରପ୍ତାନିରେ ଏହି ସଂକୋଚନ ବିଶେଷ ଭାବରେ ଅନୁଭୂତ ହୋଇଛି। ଉଲ୍ଲେଖଯୋଗ୍ୟ ଯେ ଏ ସମସ୍ତ ହେଉଛନ୍ତି ଶ୍ରମ-ସଘନ ଶିଳ୍ପ। ତେଣୁ ରପ୍ତାନିରେ ସଂକୋଚନ ଯୋଗୁଁ ଏହି ଶିଳ୍ପମାନଙ୍କରେ ନିଯୁକ୍ତ ଶ୍ରମିକ ଓ କର୍ମଚାରୀମାନଙ୍କର ଆୟରେ ସଂକୋଚନ ଘଟି ସେମାନଙ୍କର ଖର୍ଚ୍ଚ ଅର୍ଥାତ୍ ଚାହିଦାକୁ ସଂକୁଚିତ କରିବା ଏଇ ସମୟରେ ଏକ ଦ୍ବିତୀୟ କାରଣ ସ୍ବରୂପ ଦେଶରେ ନିଯୁକ୍ତି ସୃଷ୍ଟି ଏକ ଦୁର୍ବଳ ସ୍ତରରେ ଅଟକି ରହିଛି। ଦେଶରେ ଅଗ୍ରଣୀ କଂପାନିମାନେ ସେମାନଙ୍କର ନୂତନ ନିଯୁକ୍ତି ସୃଷ୍ଟି‌େର ହ୍ରାସ ଘଟାଇ ଚାଲିଥିବାବେଳେ କେତେକ ଛାମୁଆ ଆଇଟି କଂପାନି ବହୁ ସଂଖ୍ୟାରେ କର୍ମଚାରୀ ଛଟେଇ କରିବା ମଧ୍ୟ ପରିଲକ୍ଷିତ ହୋଇଛି। ଦୁର୍ବଳ ନିଯୁକ୍ତି ଅର୍ଥ ଦୁର୍ବଳ ଆୟ ଓ ଦୁର୍ବଳ ଚାହିଦା। ତୃତୀୟରେ ବର୍ତ୍ତମାନ ଖାଉଟି ମୁଦ୍ରାସ୍ଫୀତି ଅତ୍ୟନ୍ତ ନୀଚା ହୋଇଥିଲେ ହେଁ, ଅତୀତର ମୁଦ୍ରାସ୍ଫୀତି ଯୋଗୁଁ ଦରଦାମ ଯେଉଁ ଉଚ୍ଚ ସ୍ତରରେ ପହଞ୍ଚି ସାରିଛି, ପାର୍ବଣର ଉତ୍ସାହ ଶେଷ ହୋଇଯିବା ପରେ ତାହା ପୁଣି ଖାଉଟିମାନଙ୍କ ଠାରେ ଖର୍ଚ୍ଚ କରିବା ପାଇଁ କୁଣ୍ଠା ସୃଷ୍ଟି କରିପାରେ।
ଭାରତୀୟ ଅର୍ଥନୀତି ତା’ର ଚାହିଦା ପାର୍ଶ୍ବରେ ଏଇଭଳି ସମ୍ଭାବ୍ୟ ବାଧାବିଘ୍ନମାନଙ୍କର ସମ୍ମୁଖୀନ ହେବାକୁ ଯାଉଥିବାବେଳେ ଏହା କିନ୍ତୁ ସ୍ବୀକାର କରିବାକୁ ହେବ ଯେ ସରକାର ଏହାକୁ ଟାଳିବା ନିମିତ୍ତ ସମସ୍ତ ସମ୍ଭବ ପଦକ୍ଷେପମାନ ଗ୍ରହଣ କରିବାରେ ଲାଗିଛନ୍ତି। ଏହାର ଅଂଶ ସ୍ବରୂପ ଆଗାମୀ ସମୟରେ ଅଷ୍ଟମ ବେତନ କମିସନର ସୁପାରିସ କାର୍ଯ୍ୟକାରୀ କରି ସରକାରୀ କର୍ମଚାରୀମାନଙ୍କର ବେତନରେ ବୃଦ୍ଧି ଘଟାଇ ସରକାର ସାମଗ୍ରିକ ଚାହିଦାକୁ ଆହୁରି ପରିପୁଷ୍ଟ କରିବାକୁ ଯାଉଛନ୍ତି। କିନ୍ତୁ ଯେହେତୁ ଏଥିସହିତ ଅର୍ଥନୈତିକ ସାବଧାନତାର ଅଂଶ ସ୍ବରୂପ ସରକାରଙ୍କୁ ରାଜକୋଷୀୟ ନିଅଣ୍ଟକୁ ମଧ୍ୟ ନିରାପଦ ସୀମା ମଧ୍ୟରେ ରଖିବାକୁ ପଡ଼ିବ, ତେଣୁ ସରକାର ସୀମାହୀନ ଭାବରେ ଏଭଳି ଅର୍ଥନୈତିକ ପ୍ରୋତ୍ସାହନ ପ୍ରଦାନ କରି ଚାଲିବା ସମ୍ଭବପର ନୁହେଁ।
ଏଇ ଘଡ଼ିସନ୍ଧି ମୁହୂର୍ତ୍ତରେ ଅର୍ଥନୀତିକୁ ଉପସ୍ଥିତ ସଂକଟରୁ ଉଦ୍ଧାର କରିବା ପାଇଁ ସେଇମାନେ ଆଗେଇ ଆସିବା ଆଶା କରାଯାଏ, ଯେଉଁମାନେ ଆରମ୍ଭରେ ସୂଚାଇ ଦିଆଯାଇଥିବା ଭଳି ସରକାରୀ ପ୍ରୋତ୍ସାହନ ରୂପକ ଦାନ ଯୋଗୁଁ ଦୀପାବଳି ସମୟରେ ଅଭୂତପୂର୍ବ ଭାବରେ ଲାଭବାନ ହୋଇଛନ୍ତି: ଭାରତୀୟ ଘରୋଇ କ୍ଷେତ୍ରର କଂପାନିମାନେ। ସେମାନେ ବର୍ତ୍ତମାନ ମୁକ୍ତ ହସ୍ତ ହୋଇ ପୁଞ୍ଜି ନିବେଶ କଲେ ହିଁ ଦେଶରେ କର୍ମନିଯୁକ୍ତିରେ ସନ୍ତୋଷଜନକ ଭାବରେ ବୃଦ୍ଧି ଘଟିବ। କିନ୍ତୁ ଚିନ୍ତାଜନକ ଭାବରେ ଅର୍ଥନୈତିକ ଗବେଷଣା ସଂସ୍ଥା ‘ସେଣ୍ଟର୍ ଫର୍ ମନିଟରିଙ୍ଗ୍ ଇଣ୍ଡିଆନ୍ ଇକନମି’ (‘ସିଏମ୍‌ଅାଇଇ’)ର ସୂଚନା ଅନୁସାରେ କର୍ପୋରେଟ୍ କ୍ଷେତ୍ରରେ ଘୋଷିତ ନୂତନ ପ୍ରକଳ୍ପମାନଙ୍କର ମୂଲ୍ୟରେ ବର୍ଷକ ମଧ୍ୟରେ ୪୬ ଶତାଂଶ ହ୍ରାସ ଘଟିଛି। ଅଥଚ ଗତ ଦୁଇ ବର୍ଷ ମଧ୍ୟରେ ଘରୋଇ ଅନ୍ତିମ ଖାଉଟି ବ୍ୟୟରେ ଉଲ୍ଲେଖନୀୟ ବୃଦ୍ଧି ଘଟିବା ଦେଖାଯାଇଛି, ଯାହା ସ୍ବାଭାବିକ ଭାବରେ କଂପାନିମାନଙ୍କୁ ନୂତନ ପ୍ରକଳ୍ପମାନଙ୍କରେ ଅଧିକରୁ ଅଧିକ ପୁଞ୍ଜି ନିବେଶ କରିବାକୁ ଅାଗ୍ରହୀ କରନ୍ତା। ସେମାନେ କିନ୍ତୁ ତାହା ନ କରି ଏ ବାବଦରେ ଭୀରୁତା ପ୍ରଦର୍ଶନ କରିଚାଲିଛନ୍ତି। ମନେ ରଖିବା କଥା ଏଥିପାଇଁ ସେମାନଙ୍କ ପାଖରେ ଅର୍ଥର ଅଭାବ ନାହିଁ: କର୍ପୋରେଟ୍ କ୍ଷେତ୍ରର କଂପାନିମାନଙ୍କ ପାଖରେ ମହଜୁଦ ଥିବା ନଗଦ ରାଶିର ପରିମାଣ ହେଉଛି ୧୪ ଲକ୍ଷ କୋଟି ଟଙ୍କା। ଦାନର ପ୍ରତିଦାନ ସ୍ବରୂପ ଏହାର କିୟଦଂଶ ସେମାନେ ନୂତନ ନିଯୁକ୍ତି ସୃଷ୍ଟିରେ ନିୟୋଜିତ କରିବା ଆଶା କରାଯାଏ। ଏହା ଶେଷରେ ଚାହିଦାରେ ବୃଦ୍ଧି ରୂପରେ ବଜାରକୁ ଫେରିଆସି ସେଇ କଂପାନିମାନଙ୍କୁ ହିଁ ଲାଭବାନ କରିବ।