ଜଣାଶୁଣା ଭାବରେ ଖାଉଟି ମୁଦ୍ରାସ୍ଫୀତି ହାର ଯେତେବେଳେ ନୀଚା ହୋଇଥାଏ, କେନ୍ଦ୍ରୀୟ ବ୍ୟାଙ୍କ୍ମାନେ ସେତେବେଳେ ସୁଧ ହାରରେ ହ୍ରାସ ଘଟାଇ ଦେଶରେ ଅର୍ଥନୈତିକ ଅଭିବୃଦ୍ଧିକୁ ସହାୟତା ପ୍ରଦାନ ନିମିତ୍ତ ଅାଗେଇ ଆସିଥାନ୍ତି। ଏବେ ଲଗାତାର ସାତ ମାସ ଧରି ଦେଶରେ ଖାଉଟି ମୁଦ୍ରାସ୍ଫୀତି ରିଜର୍ଭ ବ୍ୟାଙ୍କ୍ର ନିଶାଣ ୪ ଶତାଂଶ ସ୍ତର ଠାରୁ ତଳେ ରହିଥିବାରୁ ରିଜର୍ଭ ବ୍ୟାଙ୍କ୍ର ମୁଦ୍ରା ନୀତି ନିର୍ଦ୍ଧାରକ କମିଟି (‘ଏମ୍ପିସି’) ଆଗାମୀ ଡିସେମ୍ବରରେ ଅନୁଷ୍ଠିତ ହେବାକୁ ଯାଉଥିବା ତା’ର ପରବର୍ତ୍ତୀ ଦ୍ବିମାସିକ ବୈଠକରେ ନିର୍ଣ୍ଣାୟକ ସୁଧ ହାର ‘ରେପୋ ରେଟ୍’ରେ ଆଉ ଏକ ହ୍ରାସ ଘଟାଇବାକୁ ଆଗେଇ ଆସିପାରେ।
ଂଭାରତରେ ଖାଉଟିମାନଙ୍କୁ ପ୍ରଭାବିତ କରୁଥିବା ଖାଉଟି ମୁଦ୍ରାସ୍ଫୀତିର ପରିମାପକ ହେଉଛି ‘କନସ୍ୟୁମର୍ ପ୍ରାଇସ୍ ଇଣ୍ଡେକ୍ସ’ (‘ସିପିଆଇ’)। ସେହିପରି ଏଠାରେ ପାଇକାରି ମୁଦ୍ରାସ୍ଫୀତିର ପରିମାପକ ହେଉଛି ‘ହୋଲ୍ସେଲ୍ ପ୍ରାଇସ୍ ଇଣ୍ଡେକ୍ସ’ (‘ଡବ୍ଲ୍ୟୁପିଆଇ’)। ସଦ୍ୟ ପ୍ରକାଶିତ ସୂଚନା ଅନୁସାରେ ସେପ୍ଟେମ୍ବର ମାସରେ ଦେଶରେ ଏହି ଉଭୟ ମୁଦ୍ରାସ୍ଫୀତି ସୂଚକାଙ୍କରେ ସ୍ଖଳନ ଘଟି ତାହା ଏଭଳି ନୀଚା ସ୍ତର ଛୁଇଁଛି, ଯାହା ବିଭିନ୍ନ ଅର୍ଥନୀତି ବିଶେଷଜ୍ଞଙ୍କ ସମେତ ଖୋଦ୍ ରିଜର୍ଭ ବ୍ୟାଙ୍କ୍ ମଧ୍ୟ ଆଶା କରିପାରି ନ ଥିଲା।
ପ୍ରକାଶିତ ପରିସଂଖ୍ୟାନ ଅନୁସାରେ ଗତ ମାସରେ ବାର୍ଷିକ ଖାଉଟି ମୁଦ୍ରାସ୍ଫୀତି ହାର ୨ ଶତାଂଶ ତଳକୁ ମଧ୍ୟ ଖସି ମାତ୍ର ୧.୫୪ ଶତାଂଶ ହୋଇଥିବା ବେଳେ ପାଇକାରି ମୁଦ୍ରାସ୍ଫୀତି ହାର ଅଗଷ୍ଟର ୦.୫୨ ଶତାଂଶ ଠାରୁ ମଧ୍ୟ କମ୍ ହୋଇ ଶୂନ୍ୟ ପାଖାପାଖି ୦.୧୩ ଶତାଂଶ ଛୁଇଁଥିଲା। ସୂଚନାଯୋଗ୍ୟ, ଜୁନ୍ ୨୦୧୭ ପରଠାରୁ, ଅର୍ଥାତ୍ ବିଗତ ଆଠ ବର୍ଷରୁ ଅଧିକ କାଳ ମଧ୍ୟରେ ଖାଉଟି ମୁଦ୍ରାସ୍ଫୀତିରେ ଦେଖାଯାଇଥିବା ଏହି ବୃଦ୍ଧି ହାର ହେଉଛି ସର୍ବନିମ୍ନ। ଏଠାରେ ଆଉ ଯାହା ମଧ୍ୟ ହେଉଛି ପ୍ରଣିଧାନଯୋଗ୍ୟ, ତାହା ହେଲା ଖାଉଟି ମୁଦ୍ରାସ୍ଫୀତି ରିଜର୍ଭ ବ୍ୟାଙ୍କ୍ ଅନୁସରଣ କରୁଥିବା ଲକ୍ଷ୍ୟ, ବାର୍ଷିକ ୨-୬ ଶତାଂଶ ହାର ବଳୟ ତଳକୁ ଖସିବା ଚଳିତ ବିତ୍ତ ବର୍ଷରେ ଏହା ହେଉଛି ଦ୍ବିତୀୟ ଥର ପାଇଁ ଘଟିଥିବା ଘଟଣା।
ଖାଦ୍ୟଦ୍ରବ୍ୟ ଦରଦାମରେ ଘଟିଥିବା ହ୍ରାସକୁ ଖାଉଟି ମୁଦ୍ରାସ୍ଫୀତିରେ ପରିଲକ୍ଷିତ ହୋଇଥିବା ଏହି ତୀକ୍ଷ୍ଣ ହ୍ରାସର କାରଣ ରୂପେ ବିଚାର କରାଯାଉଛି। ଯଦିବା ବନସ୍ପତି ତୈଳର ଦାମ୍ରେ ଏହି ସମୟରେ ବୃଦ୍ଧି ଘଟିଛି, ପନିପରିବା ଓ ଡାଲିଜାତୀୟ ଖାଦ୍ୟପଦାର୍ଥ ଦାମ୍ରେ ପରିଦୃଷ୍ଟ ହୋଇଥିବା ହ୍ରାସ ଖାଉଟି ମୁଦ୍ରାସ୍ଫୀତି ହାରକୁ ତଳକୁ ଭିଡ଼ିବାରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ଏଥିଯୋଗୁଁ ଖାଉଟି ମୁଦ୍ରାସ୍ଫୀତି ହାରରେ ଯେଉଁ ୨ ଶତାଂଶରୁ ଅଧିକ ସ୍ଖଳନ ଘଟିଛି, ସେଥିଯୋଗୁଁ ଗ୍ରାମାଞ୍ଚଳ ମୁଦ୍ରାସ୍ଫୀତି ସହରାଞ୍ଚଳ ମୁଦ୍ରାସ୍ଫୀତି ଠାରୁ କମ୍ ହେବା ଦେଖାଯାଇଛି, କାରଣ ଗ୍ରାମାଞ୍ଚଳ ଖାଉଟିମାନଙ୍କର ମାସିକ ଖର୍ଚ୍ଚରେ ଖାଦ୍ୟଦ୍ରବ୍ୟର ଅଂଶ ସହରାଞ୍ଚଳ ତୁଳନାରେ ବୃହତ୍ତର ହୋଇଥାଏ।
ଅନୁକୂଳ ମୌସୁମୀ ଖାଦ୍ୟଦ୍ରବ୍ୟ ଦରଦାମକୁ ସଂଯତ କରିବାରେ ସହାୟକ ହୋଇଥିଲେ ହେଁ ବିଗତ ବର୍ଷମାନଙ୍କରେ ସରକାରଙ୍କର ଚତୁର ଖାଦ୍ୟ ଯୋଗାଣ ପରିଚାଳନା ମଧ୍ୟ ଏଥିରେ ଏକ ଗୁରୁତ୍ବପୂର୍ଣ୍ଣ ଅବଦାନ ରଖିଛି। ଅତ୍ୟାବଶ୍ୟକ ଖାଦ୍ୟଶସ୍ୟର ବଫର୍ ଷ୍ଟକ୍ରେ ବୃଦ୍ଧି, ମହଜୁଦ ପ୍ରତିହତ କରିବା ଉଦ୍ଦେଶ୍ୟରେ ସେଥିରେ ସର୍ବୋଚ୍ଚ ସୀମା ଲାଗୁ କରାଯିବା, ଏବଂ ସଂଗୃହୀତ ଶସ୍ୟର ଉପଯୁକ୍ତ ସମୟରେ ଖୋଲା ବଜାରରେ ବିକ୍ରି ଆଦି ଭଳି ପଦକ୍ଷେପମାନ ମାଧ୍ୟମରେ ସରକାର ଦେଶରେ ଖାଦ୍ୟଦ୍ରବ୍ୟ ଯୋଗାଣକୁ ଚାପମୁକ୍ତ କରି ଖାଦ୍ୟ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ ମଧ୍ୟରେ ରଖିବାରେ ସହାୟକ ହୋଇଛନ୍ତି। ଏହି ସମସ୍ତ ପଦକ୍ଷେପମାନଙ୍କୁ ଆହୁରି ଅଧିକ ଫଳପ୍ରଦ କରିବା ପାଇଁ ସରକାର ଏକ ଅନୁପୂରକ ବାଣିଜ୍ୟ ନୀତି ଅବଲମ୍ବନ କରି ତିରୋଟ ସମୟରେ କେତେକ ଅତ୍ୟାବଶ୍ୟକ ଖାଦ୍ୟଶସ୍ୟର ରପ୍ତାନି ଉପରେ ନିୟନ୍ତ୍ରଣ ଲାଗୁ କରିବା ସଙ୍ଗେ ସଙ୍ଗେ ଆମଦାନି ପାଇଁ ମଧ୍ୟ ଅନୁମତି ପ୍ରଦାନ କରିବା ଦେଖାଯାଇଥାଏ। ଗ୍ରାମ୍ୟ ଭିତ୍ତିଭୂମି ନିର୍ମାଣରେ ସରକାରୀ ବ୍ୟୟ ବୃଦ୍ଧି ମାଧ୍ୟମରେ ଗ୍ରାମାଞ୍ଚଳରେ ପରିବହନ ଓ ଯୋଗାଯୋଗକୁ ସୁଗମ କରାଯିବା ଦ୍ବାରା କୃଷିଜାତ ପଦାର୍ଥ ସହଜରେ ବଜାରରେ ପହଞ୍ଚି ପାରି ସେ ସବୁର ଦରଦାମରେ ଅତ୍ୟଧିକ ବୃଦ୍ଧି ଘଟିବାକୁ ଦେଉନାହିଁ। ଖାଦ୍ୟ ମୁଦ୍ରାସ୍ଫୀତିର ବସ୍ତୁତଃ ଏଭଳି ଅନୁପସ୍ଥିତି ଦେଶରେ ଖାଉଟି ମୁଦ୍ରାସ୍ଫୀତିକୁ କିପରି ଶାନ୍ତ କରି ରଖିଛି, ତାହା ଉପରୋକ୍ତ ପରିସଂଖ୍ୟାନରୁ ସାବ୍ୟସ୍ତ ହୋଇଥାଏ।
ତେବେ ଏଥିପାଇଁ ଆମେ ସନ୍ତୋଷ ଅନୁଭବ କରିବା ବେଳେ ଏଥିପ୍ରତି ମଧ୍ୟ ଧ୍ୟାନ ଦେବା ଆବଶ୍ୟକ ଯେ ଖାଉଟି ମୁଦ୍ରାସ୍ଫୀତିରେ ଯେଉଁଭଳି ସ୍ଖଳନ ପରିଲକ୍ଷିତ ହୋଇଛି, ‘କୋର୍ ଇନ୍ଫ୍ଲେସନ୍’ ବା ‘ମଞ୍ଜି ମୁଦ୍ରାସ୍ଫୀତି’ କ୍ଷେତ୍ରରେ ସେଭଳି ତୀକ୍ଷ୍ଣ ସ୍ଖଳନ ଦେଖିବାକୁ ମିଳିନାହିଁ। ଉଲ୍ଲେଖଯୋଗ୍ୟ ଯେ ମଞ୍ଜି ମୁଦ୍ରାସ୍ଫୀତି ହାର ହିସାବ କରାଯିବା ବେଳେ ଖାଦ୍ୟଦ୍ରବ୍ୟ, ଇନ୍ଧନ ଆଦି ପଦାର୍ଥମାନଙ୍କର ଦରଦାମକୁ ବିଚାରକୁ ନିଆଯାଇ ନ ଥାଏ, ଯାହା ଅତ୍ୟଧିକ ସ୍ପର୍ଶକାତର ଓ ପରିବର୍ତ୍ତନଶୀଳ ହୋଇଥାଏ। ମଞ୍ଜି ମୁଦ୍ରାସ୍ଫୀତି ତେଣୁ ମୁଦ୍ରାସ୍ଫୀତିର ଆଚରଣର ଏକ ଦୀର୍ଘକାଳୀନ ଧାରା ସମ୍ବନ୍ଧରେ ଧାରଣା ପ୍ରଦାନ କରିଥାଏ। ଅଗଷ୍ଟରେ ଭାରତରେ ମଞ୍ଜି ମୁଦ୍ରାସ୍ଫୀତି ହାର ୪.୨ ଶତାଂଶ ଥିବାବେଳେ, ସେପ୍ଟେମ୍ବରରେ ତାହା ଖାଉଟି ମୁଦ୍ରାସ୍ଫୀତି ହାର ଭଳି ହ୍ରାସ ପାଇବା ପରିବର୍ତ୍ତେ ସେଥିରେ ସାମାନ୍ୟ ବୃଦ୍ଧି ଘଟି ତାହା ହୋଇଛି ୪.୬ ଶତାଂଶ। ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ଏଥି ସହିତ ବିଗତ ଆଠ ମାସ ଧରି ଦେଶରେ ମଞ୍ଜି ମୁଦ୍ରାସ୍ଫୀତି ହାର ୪ ଶତାଂଶ ସ୍ତର ଠାରୁ ଉପରେ ରହିଥିବା ଦେଖାଯାଇଛି। ଅବଶ୍ୟ ନିକଟରେ ସୁନା ଦରରେ ଘଟିଚାଲିଥିବା ଅହେତୁକ ବୃଦ୍ଧି ମଞ୍ଜି ମୁଦ୍ରାସ୍ଫୀତିକୁ ପ୍ରଭାବିତ କରିଛି, କିନ୍ତୁ ସୁନାକୁ ବାଦ୍ ଦେଲେ ମଧ୍ୟ ମଞ୍ଜି ମୁଦ୍ରାସ୍ଫୀତିରେ ବୃଦ୍ଧି ବେଶ୍ ଉଲ୍ଲେଖନୀୟ ହୋଇଥିବା ଜଣାପଡ଼ିଥାଏ। ଏହା ଆମ ପାଇଁ ଚିନ୍ତାର ବିଷୟ ହେବା ଉଚିତ, କାରଣ ଏହା ଦୀର୍ଘକାଳୀନ ଭିତ୍ତିରେ ମୁଦ୍ରାସ୍ଫୀତିରେ ବୃଦ୍ଧି ଘଟି ଚାଲିବାର ସମ୍ଭାବନା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଥାଏ। ଏହାର ଅର୍ଥ, ଦୀର୍ଘକାଳୀନ ପରିପ୍ରେକ୍ଷୀରେ ନୀତିନିର୍ଦ୍ଧାରକମାନେ ମୁଦ୍ରାସ୍ଫୀତି ଉପରୁ ନଜର ହଟାଇବା ଉଚିତ ନୁହେଁ।
କିନ୍ତୁ ଏଥିସହିତ ତାତ୍କାଳିକ ଦୃଷ୍ଟିକୋଣରୁ ବିଚାର କଲେ ସ୍ବୀକାର କରିବାକୁ ହେବ ଯେ ବର୍ତ୍ତମାନର ଅତ୍ୟନ୍ତ ନୀଚା ଖାଉଟି ମୁଦ୍ରାସ୍ଫୀତି ସୁଧ ହାରରେ ହ୍ରାସ ଭଳି ପଦକ୍ଷେପ ଗ୍ରହଣ ମାଧ୍ୟମରେ ଅର୍ଥନୈତିକ ଅଭିବୃଦ୍ଧିକୁ ସହାୟତା ପ୍ରଦାନ ନିମିତ୍ତ ରିଜର୍ଭ ବ୍ୟାଙ୍କ୍ ଓ ଅନ୍ୟାନ୍ୟ ନୀତିନିର୍ଦ୍ଧାରକମାନଙ୍କ ସମ୍ମୁଖରେ ଏକ ସୁଯୋଗ ସୃଷ୍ଟି କରିଛି। ପୁଣି ଯେତେବେଳେ ସରକାର ‘ଜିଏସ୍ଟି’ରେ ଘଟାଇଥିବା ହ୍ରାସର ପୂର୍ଣ୍ଣ ପ୍ରଭାବ ଦେଶରେ ଅନୁଭୂତ ହେବ, ସେତେବେଳେ ଖାଉଟି ଦରଦାମରେ ଆହୁରି ହ୍ରାସ ଘଟିବାର ସମ୍ଭାବନା ରହିଛି। ସେପ୍ଟେମ୍ବରର ମୁଦ୍ରାସ୍ଫୀତି ହାରରେ ତାହା ମାତ୍ର ଆଂଶିକ ରୂପେ ପ୍ରତିଫଳିତ ହୋଇଛି। ଜଣାଶୁଣା ଭାବରେ ଖାଉଟି ମୁଦ୍ରାସ୍ଫୀତି ହାର ଯେତେବେଳେ ନୀଚା ହୋଇଥାଏ, କେନ୍ଦ୍ରୀୟ ବ୍ୟାଙ୍କ୍ମାନେ ସେତେବେଳେ ସୁଧ ହାରରେ ହ୍ରାସ ଘଟାଇ ଦେଶରେ ଅର୍ଥନୈତିକ ଅଭିବୃଦ୍ଧିକୁ ସହାୟତା ପ୍ରଦାନ ନିମିତ୍ତ ଅାଗେଇ ଆସିଥାନ୍ତି। ଏବେ ଲଗାତାର ସାତ ମାସ ଧରି ଦେଶରେ ଖାଉଟି ମୁଦ୍ରାସ୍ଫୀତି ରିଜର୍ଭ ବ୍ୟାଙ୍କ୍ର ନିଶାଣ ୪ ଶତାଂଶ ସ୍ତର ଠାରୁ ତଳେ ରହିଥିବାରୁ ରିଜର୍ଭ ବ୍ୟାଙ୍କ୍ର ମୁଦ୍ରା ନୀତି ନିର୍ଦ୍ଧାରକ କମିଟି (‘ଏମ୍ପିସି’) ଆଗାମୀ ଡିସେମ୍ବରରେ ଅନୁଷ୍ଠିତ ହେବାକୁ ଯାଉଥିବା ତା’ର ପରବର୍ତ୍ତୀ ଦ୍ବିମାସିକ ବୈଠକରେ ନିର୍ଣ୍ଣାୟକ ସୁଧ ହାର ‘ରେପୋ ରେଟ୍’ରେ ଆଉ ଏକ ହ୍ରାସ ଘଟାଇବାକୁ ଆଗେଇ ଆସିପାରେ।
‘ଏମ୍ପିସି’ ତା’ର ସେପ୍ଟେମ୍ବର ବୈଠକରେ ‘ଜିଏସ୍ଟି’ ହ୍ରାସ ଓ ଅନ୍ୟାନ୍ୟ ଅନୁକୂଳ କାରଣମାନ ଯୋଗୁଁ ଆଗାମୀ ସମୟରେ ଦେଶରେ ଖାଉଟି ମୁଦ୍ରାସ୍ଫୀତିରେ ହ୍ରାସ ଘଟିବାର ସମ୍ଭାବନା ଅଛି ବୋଲି ଅନୁମାନ ପ୍ରକାଶ କରିଥିଲା। ବର୍ତ୍ତମାନ ପାର୍ବଣ ଋତୁରେ ବଜାରରେ ଚାହିଦାରେ ବୃଦ୍ଧି ପରିଲକ୍ଷିତ ହୋଇଥିଲେ ମଧ୍ୟ, ପରବର୍ତ୍ତୀ ସମୟରେ ସେଇ ଧାରାକୁ ବଜାୟ ରଖିବା ନିମିତ୍ତ, ରିଜର୍ଭ ବ୍ୟାଙ୍କ୍ ନୀଚା ମୁଦ୍ରାସ୍ଫୀତିର ସଦୁପଯୋଗ କରି ଡିସେମ୍ବରରେ ‘ରେପୋ ରେଟ୍’ରେ ଯଦି ଆଉ ଏକ ହ୍ରାସ ଘଟାଏ, ସେଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ।