ପ୍ରଥମ ଚଉଠରେ ନୋମିନାଲ୍ ଖାଉଟି ଖର୍ଚ୍ଚରେ ମଧ୍ୟ ବେଶ୍ ଏକ ସନ୍ତୋଷଜନକ ୯.୧ ଶତାଂଶ ହାରରେ ବୃଦ୍ଧି ଘଟିଥିବା ଦେଖାଯାଇଛି। ନୀଚା ମୁଦ୍ରାସ୍ଫୀତି ଯୋଗୁଁ ଖାଉଟିମାନେ ମଧ୍ୟ ବଜାରରେ ଅଧିକ ଖର୍ଚ୍ଚ କରିବାକୁ ସ୍ବାଭାବିକ ଭାବରେ ଅାଗେଇ ଆସିବେ ବୋଲି ଆଶା କରାଯାଉଛି। ଏଥର ମୌସୁମୀ ବୃଷ୍ଟିପାତ ମଧ୍ୟ ଅନୁକୂଳ ହୋଇଛି; ଏଣୁ ଅମଳ ଭଲ ହେଲେ ଗ୍ରାମାଞ୍ଚଳରେ ଖାଉଟି ଖର୍ଚ୍ଚରେ ମଧ୍ୟ ବୃଦ୍ଧି ଘଟିବ। ପ୍ରଥମ ଚଉଠରେ ୩୦.୪ ଶତାଂଶ ହୋଇଥିବା ନିବେଶ ହାରରେ ମଧ୍ୟ ଖାଉଟି ଖର୍ଚ୍ଚରେ ବୃଦ୍ଧି ସହିତ ତାଳ ଦେଇ କ୍ରମଶଃ ବୃଦ୍ଧି ଘଟିଚାଲିବ ବୋଲି ଆଶା କରାଯାଉଛି।

Advertisment

ଜଣେ ବ୍ୟକ୍ତି ଭଳି ଏକ ଦେଶର ଅର୍ଥନୀତିର ନିଜର ଚେତନା ବା ବୋଧଶକ୍ତି ଥାଏ କି? ଏ ପ୍ରଶ୍ନର ସ୍ବାଭାବିକ ଉତ୍ତର ହେବ- ନା। କାରଣ ନିର୍ଜୀବ ଦ୍ରବ୍ୟ ଓ ସେବା ଆଦିର ଉତ୍ପାଦନ, ଉପଭୋଗ ଇତ୍ୟାଦିର ସମାହାର ହୋଇଥିବା ଏକ ଅର୍ଥନୀତିର ନିଜର ଚେତନା ଆସିବ କୁଆଡୁ? କିନ୍ତୁ ଭାରତୀୟ ଅର୍ଥନୀତିର ସଦ୍ୟ ପ୍ରଦର୍ଶିତ ଆଚରଣ ଦେଖିଲେ ଆମର ଏଭଳି ଧାରଣା ଭ୍ରମାତ୍ମକ ହୋଇଥିବା ଭଳି ମନେ ହୁଏ।
କେତେଦିନ ତଳେ ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ଭାରତୀୟ ଅର୍ଥନୀତିକୁ ଏକ ‘‘ମୃତ ଅର୍ଥନୀତି’’ ବୋଲି ବିଦ୍ରୂପ କରିଥିଲେ। ଟ୍ରମ୍ପଙ୍କର ଏହି ନିର୍ବୋଧ ମନ୍ତବ୍ୟ ସେତେବେଳେ ସମସ୍ତ ଦେଶଭକ୍ତ ଭାରତୀୟମାନଙ୍କ ଠାରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଥିଲା। ସତେ ଯେମିତି ଏହି ବିବାଦକୁ ସେତେବେଳେ ଚୁପ୍‌ଚାପ୍ ଦେଖୁଥିବା ଭାରତୀୟ ଅର୍ଥନୀତି ବର୍ତ୍ତମାନ ସେଇ ବିତର୍କରେ ସାମିଲ ହୋଇ ଟ୍ରମ୍ପଙ୍କର ଅଜ୍ଞତା ଓ ବିଦ୍ବେଷକୁ ପଦାରେ ପକାଇବା ପାଇଁ ଶେଷରେ ନିଜେ ବାହାରି ପଡ଼ିଥିବା ଭଳି ମନେ ହେଉଛି। ଏକ ସଚେତନ ସତ୍ତା ଭଳି! କାରଣ ସଦ୍ୟ ସଦ୍ୟ ସୂଚନା ପ୍ରକାଶ ପାଇଛି ଯେ ଯେଉଁ ସମୟରେ ଟ୍ରମ୍ପ ଭାରତୀୟ ଅର୍ଥନୀତିକୁ ମୃତ ବୋଲି ଘୋଷଣା କରୁଥିଲେ ତା’ର ଠିକ୍ ଅବ୍ୟବହିତ ପୂର୍ବରୁ ସେଇ ଅର୍ଥନୀତି ଏକ ଚମକପ୍ରଦ ହାରରେ ଅଭିବୃଦ୍ଧି ହାସଲ କରି ଚଳିତ ବିତ୍ତ ବର୍ଷର ପ୍ରଥମ ଚଉଠ ସମାପ୍ତ କରିଥିଲା। ‘ଏନ୍ଏସ୍ଓ’ ଦ୍ବାରା ପ୍ରକାଶିତ ସୂଚନା ଅନୁସାରେ ଚଳିତ ବିତ୍ତ ବର୍ଷର ଏପ୍ରିଲ-ଜୁନ୍ ଚଉଠରେ ଭାରତର ‘ଜିଡିପି’ରେ ବାର୍ଷିକ ୭.୮ ଶତାଂଶ ହାରରେ ବୃଦ୍ଧି ଘଟିଛି, ଯାହା ହେଉଛି ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ସେଇ ଚଉଠରେ ଆମେରିକାର ଅର୍ଥନୀତି ହାସଲ କରିଥିବା ବାର୍ଷିକ ୩.୩ ଶତାଂଶ ଅଭିବୃଦ୍ଧି ହାରର ଦୁଇ ଗୁଣରୁ ମଧ୍ୟ ଅଧିକ ତଥା ପୃଥିବୀର ସମସ୍ତ ବୃହତ୍ ଦେଶମାନଙ୍କ ମଧ୍ୟରେ ସର୍ବୋଚ୍ଚ।
ଅର୍ଥନୀତିର ଏହି ପ୍ରଭାବଶାଳୀ ପ୍ରଦର୍ଶନ କେବଳ ଡୋନାଲ୍‌ଡ ଟ୍ରମ୍ପଙ୍କୁ ଏକ କରୁଣ ଉପହାସର ପାତ୍ରରେ ପରିଣତ କରିନାହିଁ, ଏହି ପ୍ରଦର୍ଶନର ସମୟ ମଧ୍ୟ ଆମ ପାଇଁ ଗଭୀର ଆଶ୍ବସ୍ତି ସୃଷ୍ଟି କରିଛି। କାରଣ, ଟ୍ରମ୍ପ ତାଙ୍କର ଏଭଳି ବିଷୋଦ୍‌ଗାର କରିବା ପରେ ପରେ ଭାରତ ଉପରେ ଆକ୍ରୋଶମୂଳକ ଭାବରେ ସୁଉଚ୍ଚ ୫୦ ଶତାଂଶ ହାରରେ ଟାରିଫ୍ ଲାଗୁ କରିଛନ୍ତି, ଯାହା ହେଉଛି ସେ ବିଭିନ୍ନ ଦେଶମାନଙ୍କ ପ୍ରତି ଲାଗୁ କରିଥିବା ଟାରିଫ୍ ହାରମାନ ମଧ୍ୟରେ ସର୍ବୋଚ୍ଚ। ଏହା ଆମେରିକା ବଜାର ପାଇଁ ଉଦ୍ଦିଷ୍ଟ ଭାରତୀୟ ରପ୍ତାନି ପଥରେ ପ୍ରତିବନ୍ଧକ ଛିଡ଼ା କରାଇବା ଦ୍ବାରା ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ଯେ କେ‌ତେକାଂଶରେ ବ୍ୟାହତ ହେବ, ସେଥିରେ କୌଣସି ସନ୍ଦେହ ନାହିଁ। କିନ୍ତୁ ଠିକ୍ ଏଇ ସମୟରେ ଭାରତୀୟ ଅର୍ଥନୀତି ଏଭଳି ଏକ ଉଚ୍ଚ ହାରରେ ଅଭିବୃଦ୍ଧି ହାସଲ କରି ଚାଲିଥିବାରୁ ଏକ ଭରସା ସୃଷ୍ଟି ‌େହାଇଥାଏ ଯେ ସେଥିରେ ସାମାନ୍ୟ ହ୍ରାସ ଆମ ପାଇଁ ଅସହନୀୟ ହେବ ନାହିଁ।
ବିତ୍ତ ବର୍ଷର ପ୍ରଥମ ଚଉଠରେ ଭାରତୀୟ ଅର୍ଥନୀତି ହାସଲ କରିଥିବା ଏପରି ଉଚ୍ଚ ହାରରେ ଅଭିବୃଦ୍ଧି ଖୋଦ୍ ‘ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ’ ସମେତ ଅନେକ ବିଶେଷଜ୍ଞ ପର୍ଯ୍ୟବେକ୍ଷମାନଙ୍କୁ ମଧ୍ୟ ଆଶ୍ଚର୍ଯ୍ୟାନ୍ବିତ କରିଦେଇଛି। ଏହି ଚଉଠରେ ଅଭିବୃଦ୍ଧି ହାର ୬.୫ ଶତାଂଶ ହେବ ବୋଲି ରିଜର୍ଭ ବ୍ୟାଙ୍କ୍ ପୂର୍ବାନୁମାନ ପ୍ରକାଶ କରିଥିବା ବେଳେ କେତେକ ବିଶିଷ୍ଟ ଅର୍ଥନୀତିଜ୍ଞ କରିଥିବା ହାରାହାରି ପୂର୍ବାନୁମାନ ଥିଲା ଏହାଠାରୁ ସାମାନ୍ୟ ଅଧିକ, ୬.୭ ଶତାଂଶ। ଏପରିକି ପ୍ରଥମ ଚଉଠର ଏହି ୭.୮ ଶତାଂଶ ଅଭିବୃଦ୍ଧି ହାର ତା’ ପୂର୍ବ ଚଉଠ ଅର୍ଥାତ୍ ପୂର୍ବ ବିତ୍ତ ବର୍ଷର ଶେଷ ଚଉଠର ଅଭିବୃଦ୍ଧି ହାର ୭.୪ ଶତାଂଶକୁ ମଧ୍ୟ ଟପି ଯାଇଛି।
ଏଭଳି ଚମତ୍କାରିତା ଦେଖାଯିବାର ଗୋଟିଏ କାରଣ ହେଉଛି ମୁଦ୍ରାସ୍ଫୀତିକୁ କାବୁ କରିବାରେ ଭାରତ ହାସଲ କରିଥିବା ବିରଳ ସଫଳତା। ଏଠାରେ ସୂଚାଇ ଦିଆଯାଇପାରେ ଯେ ଉପର ଲିଖିତ ଅଭିବୃଦ୍ଧି ହାର ହେଉଛି ‘ବାସ୍ତବ ଅଭିବୃଦ୍ଧି ହାର’। ଦ୍ରବ୍ୟ ଓ ସେବା ଆଦିର ବଜାର ମୂଲ୍ୟ ଆଧାରରେ ‘ଜିଡିପି’ର ନାମମାତ୍ର ଆକାର ନିର୍ଦ୍ଧାରଣ କଲା ପରେ ସେଥିରୁ ମୁଦ୍ରାସ୍ଫୀତିର ପ୍ରଭାବକୁ ବାଦ୍ ଦେବା ପରେ ‘ଜିଡିପି’ର ବାସ୍ତବ ଆକାର ନିରୂପିତ ହୋଇଥାଏ। ତେଣୁ ମୁଦ୍ରାସ୍ଫୀତି ହାର ଯଦି ନୀଚା ହୁଏ, ତେବେ ‘ଜିଡିପି’ର ‘ନାମମାତ୍ର’ (‘ନୋମିନାଲ୍’) ଅଭିବୃଦ୍ଧି ହାର ଓ ‘ବାସ୍ତବ’ (‘ରିଅଲ୍’) ଅଭିବୃଦ୍ଧି ହାର ମଧ୍ୟରେ ବିଶେଷ ତଫାତ୍ ଦେଖାଯିବ ନାହିଁ। ଏଥର ତାହାହିଁ ଘଟିଛି। ପ୍ରଥମ ଚଉଠରେ ‘ନୋମିନାଲ୍ ଜିଡିପି’ରେ ବୃଦ୍ଧି ହାର ୮.୮ ଶତାଂଶ ଥିବାବେଳେ ଅତ୍ୟନ୍ତ ନୀଚା ମୁଦ୍ରାସ୍ଫୀତି ହାର ଯୋଗୁଁ ‘ରିଅଲ୍ ଜିଡିପି’ରେ ବୃଦ୍ଧି ହାର ତା’ଠାରୁ ମାତ୍ର ୧ ଶତାଂଶ କମ୍ ହୋଇଛି।
ତେବେ ନୀଚା ମୁଦ୍ରାସ୍ଫୀତି ‘ବାସ୍ତବ ଜିଡିପି’ରେ ଅଭିବୃଦ୍ଧି ହାର ଉଚ୍ଚ ହେବାରେ ସହାୟକ ହୋଇଥିଲେ ହେଁ ଅର୍ଥନୀତିର କେତେକ କ୍ଷେତ୍ରରେ ମଧ୍ୟ ଉଭୟ ନାମମାତ୍ର ଓ ବାସ୍ତବ ଅଭିବୃଦ୍ଧିରେ ଉନ୍ନତି ଘଟିବା ଦେଖାଯାଇଛି। ଉଦାହରଣ ସ୍ବରୂପ ପୂର୍ବ ଚଉଠ ତୁଳନାରେ ପ୍ରଥମ ଚଉଠରେ ମାନୁଫାକ୍‌ଚରିଙ୍ଗ କ୍ଷେତ୍ରରେ ମୂଲ୍ୟ ସୃଷ୍ଟି (‘ଜିଭିଏ’) ଉଲ୍ଲେଖନୀୟ ହୋଇଛି ବୋଲି କୁହାଯାଇପାରେ। ପୂର୍ବ ଚଉଠରେ ଏଥିରେ ବାସ୍ତବ ବୃଦ୍ଧି ହାର ୪.୮ ଶତାଂଶ ହୋଇଥିବା ବେଳେ, ପ୍ରଥମ ଚଉଠରେ ତାହା ୭.୭ ଶତାଂଶକୁ ବୃଦ୍ଧି ପାଇଥିଲା। ପୂର୍ବ ଚଉଠରେ ଏହି କ୍ଷେତ୍ରରେ ନାମମାତ୍ର ଅଭିବୃଦ୍ଧି ହାର ୭.୮ ଶତାଂଶ ହୋଇଥିବା ବେଳେ, ପ୍ରଥମ ଚଉଠରେ ତାହା ହୋଇଥିଲା ୧୦.୧ ଶତାଂଶ। ସେଇଭଳି ସେବା କ୍ଷେତ୍ରରେ ନାମମାତ୍ର ଅଭିବୃଦ୍ଧି ହାର ୧୦.୮ ଶତାଂଶରୁ ୧୧.୩ ଶତାଂଶକୁ ବୃଦ୍ଧି ପାଇଥିବା ବେଳେ ବାସ୍ତବ ଅଭିବୃଦ୍ଧି ହାର ୭.୩ ଶତାଂଶରୁ ୯.୩ ଶତାଂଶକୁ ବୃଦ୍ଧି ପାଇଥିଲା।
ଆଗାମୀ ଦିନମାନଙ୍କରେ ମଧ୍ୟ ମାନୁଫାକ୍‌ଚରିଙ୍ଗ କ୍ଷେତ୍ରରେ ଏହି ଅଭିବୃଦ୍ଧି ଧାରା ଅବ୍ୟାହତ ରହିବ ବୋଲି ଆଶା କରାଯାଉଛି। ଏହାର କାରଣ ହେଉଛି ମାନୁଫାକ୍‌ଚରିଙ୍ଗକୁ ସମ୍ଭାଳି ଥାଏ ଖାଉଟି ଖର୍ଚ୍ଚ ବା ଉପଭୋଗ ଏବଂ ସରକାର ଅବଲମ୍ବନ କରିଥିବା କେତେକ ନୀତି ଯୋଗୁଁ ଆଗାମୀ ସମୟରେ ଦେଶରେ ଖାଉଟି ଖର୍ଚ୍ଚ ସ୍ତର ଉଚ୍ଚ ରହିବାର ଦୃଢ଼ ସମ୍ଭାବନା ସୃଷ୍ଟି ହୋଇଛି। ଏଭଳି ଦୁଇଟି ପଦକ୍ଷେପ ହେଉଛି ଏଥରର ବଜେଟ୍‌ରେ ଦିଆଯାଇଥିବା ଆୟକର ରିହାତି ଏବଂ ଏବେ କାର୍ଯ୍ୟକାରୀ ହେବାକୁ ଯାଉଥିବା ‘ଜିଏସ୍‌ଟି’ରେ ସଂସ୍କାର, ଯାହା ଅନୁସାରେ ଅଧିକାଂଶ ଖାଉଟି ଦ୍ରବ୍ୟ ଓ ସେବାମାନ ପ୍ରତି ଲାଗୁ ହେଉଥିବା ପରୋକ୍ଷ କରରେ ବ୍ୟାପକ ହ୍ରାସ ଘଟିବାକୁ ଯାଉଛି।
ପ୍ରଥମ ଚଉଠରେ ନୋମିନାଲ୍ ଖାଉଟି ଖର୍ଚ୍ଚରେ ମଧ୍ୟ ବେଶ୍ ଏକ ସନ୍ତୋଷଜନକ ୯.୧ ଶତାଂଶ ହାରରେ ବୃଦ୍ଧି ଘଟିଥିବା ଦେଖାଯାଇଛି। ନୀଚା ମୁଦ୍ରାସ୍ଫୀତି ଯୋଗୁଁ ଖାଉଟିମାନେ ମଧ୍ୟ ବଜାରରେ ଅଧିକ ଖର୍ଚ୍ଚ କରିବାକୁ ସ୍ବାଭାବିକ ଭାବରେ ଅାଗେଇ ଆସିବେ ବୋଲି ଆଶା କରାଯାଉଛି। ଏଥର ମୌସୁମୀ ବୃଷ୍ଟିପାତ ମଧ୍ୟ ଅନୁକୂଳ ହୋଇଛି; ଏଣୁ ଅମଳ ଭଲ ହେଲେ ଗ୍ରାମାଞ୍ଚଳରେ ଖାଉଟି ଖର୍ଚ୍ଚରେ ମଧ୍ୟ ବୃଦ୍ଧି ଘଟିବ। ପ୍ରଥମ ଚଉଠରେ ୩୦.୪ ଶତାଂଶ ହୋଇଥିବା ନିବେଶ ହାରରେ ମଧ୍ୟ ଖାଉଟି ଖର୍ଚ୍ଚରେ ବୃଦ୍ଧି ସହିତ ତାଳ ଦେଇ କ୍ରମଶଃ ବୃଦ୍ଧି ଘଟିଚାଲିବ ବୋଲି ଆଶା କରାଯାଉଛି। ଏହି ଚଉଠରେ ଚମତ୍କାର ପ୍ରଦର୍ଶନ କରିଥିବା ଅର୍ଥନୀତିର ଆଉ ଏକ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ର ହେଉଛି ନିର୍ମାଣ ବା କନ୍‌ଷ୍ଟ୍ରକ୍‌ସନ୍, ଯେଉଁଥିରେ ଅଭିବୃଦ୍ଧି ହାର ହୋଇଛି ଏକ ସମ୍ମାନଜନକ ୭.୬ ଶତାଂଶ। ଉଭୟ ଭିତ୍ତିଭୂମି କ୍ଷେତ୍ରରେ ସରକାରୀ ନିବେଶ ଏବଂ ଗୃହ ନିର୍ମାଣ କ୍ଷେତ୍ରରେ ସଂପ୍ରସା‌ରଣ ଯୋଗୁଁ ଏହି ଅଭିବୃଦ୍ଧି ହାର ଏଭଳି ଉଚ୍ଚ ହୋଇଛି।
ଭାରତୀୟ ଅର୍ଥନୀତିର ପ୍ରା‌ୟ ପ୍ରତ୍ୟେକ ଅଙ୍ଗ ଏଭଳି ଜୀବନ୍ତ ଓ ଶକ୍ତିଶାଳୀ ଥିବାବେଳେ ଆମେରିକାର ଟାରିଫ୍ ଆକ୍ରମଣ ତା’ର ବିଶେଷ କ୍ଷତିସାଧନ କରିବାର ସମ୍ଭବନା କ୍ଷୀଣ।