ଭାରତ ହେଉଛି ପୃଥିବୀରେ ‘ଏଆଇ’ ସେବାର ତୃତୀୟ ବୃହତ୍ତମ ବଜାର ଓ ‘ଏଆଇ’ କଂପାନିମାନେ ଆବଶ୍ୟକ କରୁଥିବା ‘ଡେଟା’ର ଏକ ପ୍ରମୁଖ ଉତ୍ପାଦନକାରୀ। ଏସବୁ କିନ୍ତୁ ଭାରତକୁ ଏକ ‘ଏଆଇ’ ମହାଶକ୍ତିରେ ପରିଣତ କରିବେ ନାହିଁ; ସେଥିପାଇଁ ଲୋଡ଼ା ଉଭୟ ହାର୍ଡୱେଆର୍ ଓ ସଫ୍ଟୱେଆର୍ରେ ଆମର କ୍ଷମତା ସୃଷ୍ଟି ଓ ବୃଦ୍ଧି ନିମିତ୍ତ ଉଦ୍ୟମ। ହାର୍ଡୱେଆର୍ ଇଲାକାରେ ଚିପ୍ ଡିଜାଇନ୍, ଫାବ୍ରିକେସନ୍, ଆସେଂବ୍ଲି ଓ ଟେଷ୍ଟିଙ୍ଗ୍ ଆଦି ଗୁରୁତ୍ବପୂର୍ଣ୍ଣ ହୋଇଥିବା େବଳେ ସଫ୍ଟୱେଆର୍ ଇଲାକାରେ ଆମକୁ ନିଜର ‘ଏଆଇ’ ମଡେଲ୍ ସୃଷ୍ଟି କରିବାକୁ ହେବ। ତାହା ହେଲେ ଯାଇ ଭାରତ ‘ଏଆଇ’ରେ ନିଜର ସାର୍ବଭୌମତ୍ବ ହାସଲ କରିପାରିବ; ତାକୁ ବିଦେଶୀ ଯୋଗାଣକାରୀମାନଙ୍କ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ।
ଭାରତ ଦିଲ୍ଲୀରେ ଚତୁର୍ଥ ଆନ୍ତର୍ଜାତିକ ‘ଏଆଇ ଇମ୍ପାକ୍ଟ ସମିଟ୍’ ଆୟୋଜିତ କରିବା ଯଦି ନିଜକୁ ପୃଥିବୀର ଏକ ଅଗ୍ରଣୀ ‘ଏଆଇ’ ଶକ୍ତି ରୂପେ ପ୍ରଦର୍ଶିତ କରିବା ଦିଗରେ ଏକ ସାଙ୍କେତିକ ପଦକ୍ଷେପ ହୋଇଥାଏ, ଭାରତରେ ବର୍ତ୍ତମାନ ଘଟି ଚାଲିଥିବା ‘ଡେଟା ସେଣ୍ଟର୍’ମାନଙ୍କର ଦ୍ରୁତ ଆବିର୍ଭାବକୁ ଏହାର ଏକ ବାସ୍ତବ ପ୍ରମାଣ ରୂପେ ପ୍ରଦର୍ଶିତ କରାଯିବା ଦେଖାଯାଉଛି। ଉଦାହରଣ ସ୍ବରୂପ ଗତ ବର୍ଷ ଭାରତରେ ସ୍ଥାପିତ ‘ଡେଟା ସେଣ୍ଟର୍’ମାନଙ୍କର ମୋଟ କ୍ଷମତା ୧.୩ ଗିଗାୱାଟ୍ (ଜିଡବ୍ଲ୍ୟୁ)ରେ ପହଞ୍ଚିଥିଲା। ତୁଳନାତ୍ମକ ଦୃଷ୍ଟିରୁ ଏହା ଆମେରିକାର ୩୮.୭ ଜିଡବ୍ଲ୍ୟୁ କିମ୍ବା ଚୀନ୍ର ୯.୫ ଜିଡବ୍ଲ୍ୟୁ କ୍ଷମତା ସମ୍ମୁଖରେ ନଗଣ୍ୟ ମନେ ହୋଇପାରେ, କିନ୍ତୁ ୨୦୨୦ରେ ଭାରତରେ ଉପଲବ୍ଧ କ୍ଷମତାର ଏହା ହେଉଛି ପ୍ରାୟ ତିନି ଗୁଣ। ଯୋଜନା ଅନୁସାରେ ଏହି ଉଲ୍ଲେଖନୀୟ ବୃଦ୍ଧି ଧାରା ଯଦି ଅବ୍ୟାହତ ରେହ, ତାହା ଅଦୂର ଭବିଷ୍ୟତରେ ସେମାନଙ୍କର ସମକକ୍ଷ ହେବାର ଏକ ବାସ୍ତବ ସମ୍ଭାବନା ଦେଖାଯାଉଛି।
ଏଇ ସମ୍ଭାବନାକୁ ସାକାର କରିବାରେ ସହାୟକ ହେବା ସ୍ବରୂପ ଏଥିପାଇଁ ସେମାନେ ୨୦୩୫ ସୁଦ୍ଧ ୧୦୦ ବିଲିଅନ୍ ଡଲାର୍ ପୁଞ୍ଜି ନିବେଶ କରିବାକୁ ଯାଉଛନ୍ତି ବୋଲି ଆଦାନି ଗ୍ରୁପ୍ ଉପରୋକ୍ତ ସମ୍ମିଳନୀରେ ଘୋଷଣା କରିଛି। ସେହିପରି ଭାରତରେ ‘ଡେଟା ସେଣ୍ଟର୍’ମାନ ପ୍ରତିଷ୍ଠା କରିବାରେ ମୁଖ୍ୟ ଭୂମିକା ନିର୍ବାହ କରିଥିବା ଜାପାନ୍ର ‘ଏନ୍ଟିଟି ଡେଟା’ ନାମକ ବିଶାଳକାୟ ଆଇଟି କଂପାନି ଏଠାରେ ଆହୁରି ଅଧିକ ‘ଡେଟା ସେଣ୍ଟର୍’ମାନ ସ୍ଥାପନ କରିବାରେ ବିପୁଳ ପୁଞ୍ଜି ନିବେଶ ଯୋଜନା ମଧ୍ୟ ଘୋଷଣା କରିଛି। ଆମେରିକାର ନିବେଶକମାନେ ମଧ୍ୟ ଏଥିପାଇଁ ଅନୁରୂପ ଘୋଷଣା କରିବା ଦେଖାଯାଇଛି। ଭାରତ ତେଣୁ ଅନତିବିଳମ୍ବେ ପୃଥିବୀରେ ‘ଡେଟା ସେଣ୍ଟର୍’ମାନଙ୍କର ଏକ ଗୁରୁତ୍ବପୂର୍ଣ୍ଣ କେନ୍ଦ୍ରରେ ପରିଣତ ହେବାକୁ ଯାଉଛି।
ତିନିଟି ମୁଖ୍ୟ କାରଣ ଯୋଗୁଁ ଏହା ଘଟୁଛି। ପ୍ରଥମ, ଡେଟାର ସ୍ଥାନୀୟକରଣକୁ ସରକାର ପ୍ରଦାନ କରୁଥିବା ଅଗ୍ରାଧିକାର। ଭାରତର ବିଶାଳ ଜନସଂଖ୍ୟା ପୃଥିବୀର ମୋଟ ଡିଜିଟାଲ୍ ଡେଟାର ଏକ ବୃହତ୍ ଅଂଶ ଉତ୍ପାଦନ କରିଥାଏ। ବିଶେଷଜ୍ଞ ଆକଳନ ଅନୁସାରେ ୨୦୨୪ରେ ଅହରହ ସାମାଜିକ ଗଣମାଧ୍ୟମରେ ନିମଜ୍ଜିତ ଥିବା ଭାରତୀୟମାନେ ପୃଥିବୀର ପ୍ରାୟ ଏକ-ପଞ୍ଚମାଂଶ ଡିଜିଟାଲ୍ ଡେଟା ଉତ୍ପାଦନ କରିଥିଲେ; କିନ୍ତୁ ଭାରତରେ ଉପଲବ୍ଧ ‘ଡେଟା ସେଣ୍ଟର୍’ କ୍ଷମତା ଥିଲା ପୃଥିବୀରେ ଉପଲବ୍ଧ କ୍ଷମତାର ମାତ୍ର ତିନି ଶତାଂଶ। ‘ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ’ ୨୦୧୮ ଠାରୁ ବିତ୍ତୀୟ ଅନୁଷ୍ଠାନମାନେ ସେମାନଙ୍କର ଗ୍ରାହକମାନଙ୍କର ଡେଟାକୁ ଦେଶ ଭିତରେ ହିଁ ସାଇତିବା ବାଧ୍ୟତାମୂଳକ କରିଛି। ଆସନ୍ତା ବର୍ଷଠାରୁ ବଳବତ୍ତର ହେବାକୁ ଯାଉଥିବା ଏକ ଆଇନ ଅନୁସାରେ ସୋସିଆଲ୍ ମିଡିଆ ମେସେଜ୍ମାନଙ୍କରୁ ଉତ୍ପନ୍ନ ଅନେକ ଡେଟା ସମେତ କେତେକ ବ୍ୟକ୍ତିଗତ ଡେଟା ପ୍ରତି ମଧ୍ୟ ଏଇ ନିୟମ ଲାଗୁ ହୋଇପାରେ।
ଦ୍ବିତୀୟ, ସରକାରୀ ପ୍ରୋତ୍ସାହନର ମଧ୍ୟ ‘ଡେଟା ସେଣ୍ଟର୍’ ପ୍ରସାରକୁ ତ୍ବରାନ୍ବିତ କରିବାରେ ଏକ ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଛି। ଉଦାହରଣ ସ୍ବରୂପ ଏଥର ବଜେଟ୍ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କରିଥିବା ଘୋଷଣା ଅନୁସାରେ ଭାରତରେ ଥିବା ‘ଡେଟା ସେଣ୍ଟର୍’ମାନଙ୍କର ବିଦେଶୀ ମାଲିକମାନଙ୍କୁ ୨୦୪୭ (ସ୍ବାଧୀନତାର ଶତବାର୍ଷିକୀ ତଥା ‘ବିକଶିତ ଭାରତ’ ଲକ୍ଷ୍ୟ ସାଧନ ନିମିତ୍ତ ସ୍ଥାପିତ ନିଶାଣ) ପର୍ଯ୍ୟନ୍ତ ଟିକସ ଛାଡ଼ କରାଯିବ। ରାଜ୍ୟ ସରକାରମାନେ ମଧ୍ୟ ନିଜ ନିଜର ରାଜ୍ୟକୁ ‘ଡେଟା େସଣ୍ଟର୍’ମାନଙ୍କୁ ଆକର୍ଷିତ କରିବା ଉଦ୍ଦେଶ୍ୟରେ ସେମାନଙ୍କୁ ରିହାତି ଦରରେ ବିଦ୍ୟୁତ୍ ଶକ୍ତି ଯୋଗାଇବାରୁ ଆରମ୍ଭ କରି ଅମଲାତାନ୍ତ୍ରିକ କଟକଣା ହୁଗୁଳା କରିବା ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ପ୍ରୋତ୍ସାହନ ପ୍ରଦାନ କରିବାରେ ଲାଗିଛନ୍ତି।
ତୃତୀୟ, ଭାରତରେ ‘ଡେଟା ସେଣ୍ଟର୍’ ନିର୍ମାଣ ପାଇଁ ବହନ କରିବାକୁ ପଡୁଥିବା ବ୍ୟୟ ଅନ୍ୟ ଦେଶମାନଙ୍କ ତୁଳନାରେ ଆପେକ୍ଷାକୃତ ନୀଚା ହୋଇଥିବାରୁ, ତାହା ବଡ଼ବଡ଼ ବିଦେଶୀ କଂପାନିମାନଙ୍କୁ ଏଠାରେ ଡେଟା ସେଣ୍ଟର୍ ପ୍ରତିଷ୍ଠା କରିବାକୁ ଆକର୍ଷିତ କରୁଛି। ଉଦାହରଣ ସ୍ବରୂପ ‘ଆଲ୍ଫାବେଟ୍’ ଏଥିପାଇଁ ଭାରତରେ ୧୫ ବିଲିଅନ୍ ଡଲାର୍ ନିବେଶ କରିବାକୁ ଯାଉଥିବା ବେଳେ, ‘ମାଇକ୍ରୋସଫ୍ଟ’ ୨୦ ବିଲିଅନ୍ ଡଲାର୍ ନିବେଶ କରିବାକୁ ଘୋଷଣା କରିଛି। ଏସବୁ ଉଦ୍ୟମର ଫଳସ୍ବରୂପ ୨୦୩୦ ସୁଦ୍ଧା ଭାରତର ‘ଡେଟା ସେଣ୍ଟର୍’ କ୍ଷମତା ୧୦ ଜିଡବ୍ଲ୍ୟୁ ଛୁଇଁବ ବୋଲି ଅନୁମାନ ପ୍ରକାଶ ପାଇଛି।
କିନ୍ତୁ ଭାରତରେ ‘ଡେଟା ସେଣ୍ଟର୍’ମାନଙ୍କର ଆବିର୍ଭାବରେ ଏଭଳି ବିସ୍ଫୋରକ ବୃଦ୍ଧି କେତେଦୂର ସ୍ବାଗତଯୋଗ୍ୟ ଓ ତାହା ଭାରତ ଏକ ପ୍ରମୁଖ ‘ଏଆଇ’ ଶକ୍ତିରେ ପରିଣତ ହେବାରେ କେତେ ଦୂର ସହାୟକ ହେବ, ତାହା ଘୋର ସନ୍ଦେହଜନକ। ଏହା ଅବଶ୍ୟ ସତ ଯେ ଏଇ ‘ଡେଟା ସେଣ୍ଟର୍’ମାନଙ୍କର ନିର୍ମାଣ ସମୟରେ ବିଭିନ୍ନ କିସମର ନିଯୁକ୍ତି ସୃଷ୍ଟିରେ ଅସ୍ଥାୟୀ ବୃଦ୍ଧି ଘଟିବା ଦେଖାଯିବ। କିନ୍ତୁ ସେଗୁଡ଼ିକର ନିର୍ମାଣ ସମାପ୍ତ ହୋଇଯିବା ପରେ ସେଗୁଡ଼ିକ କାର୍ଯ୍ୟ କରିବା ପାଇଁ ଅତ୍ୟନ୍ତ ସ୍ବଳ୍ପ ଲୋକଶକ୍ତି ଆବଶ୍ୟକ ହେବ। ଆଶଙ୍କା କରାଯାଉଛି ସେତେବେଳେ ଏଇ ଜନମାନବଶୂନ୍ୟ ‘ଡେଟା ସେଣ୍ଟର୍’ମାନ ଭୂତକୋଠି ପରି ଦଣ୍ଡାୟମାନ ହୋଇ ରହିବେ।
ଏହା ମଧ୍ୟ ଜଣାଶୁଣା ଯେ ‘ଡେଟା ସେଣ୍ଟର୍’ମାନ କାର୍ଯ୍ୟ କରିବା ପାଇଁ ପ୍ରଚୁର ବିଦ୍ୟୁତ୍ ଶକ୍ତି ଆବଶ୍ୟକ କରିଥାନ୍ତି, ଯାହା ବିଦ୍ୟୁତ୍ ଶକ୍ତି ଯୋଗାଣ ଉପରେ ଅସହ୍ୟ ଚାପ ସୃଷ୍ଟି କରିବା ସଙ୍ଗେସଙ୍ଗେ ପରିବେଶକୁ କ୍ଷତିଗ୍ରସ୍ତ କରିବ।
ତେବେ ଏ ସମସ୍ତ ଅସୁବିଧା ଆମ ପାଇଁ ଗ୍ରହଣୀୟ ହୁଅନ୍ତା, ଯଦି ‘ଡେଟା ସେଣ୍ଟର୍’ମାନଙ୍କର ଉପସ୍ଥିତି ଆମକୁ ଏକ ନେତୃସ୍ଥାନୀୟ ‘ଏଆଇ’ ଶକ୍ତିରେ ପରିଣତ କରନ୍ତା। ଭାରତ ହେଉଛି ପୃଥିବୀରେ ‘ଏଆଇ’ ସେବାର ତୃତୀୟ ବୃହତ୍ତମ ବଜାର ଓ ‘ଏଆଇ’ କଂପାନିମାନେ ଆବଶ୍ୟକ କରୁଥିବା ‘ଡେଟା’ର ଏକ ପ୍ରମୁଖ ଉତ୍ପାଦନକାରୀ। ଏସବୁ କିନ୍ତୁ ଭାରତକୁ ଏକ ‘ଏଆଇ’ ମହାଶକ୍ତିରେ ପରିଣତ କରିବେ ନାହିଁ; ସେଥିପାଇଁ ଲୋଡ଼ା ଉଭୟ ହାର୍ଡୱେଆର୍ ଓ ସଫ୍ଟୱେଆର୍ରେ ଆମର କ୍ଷମତା ସୃଷ୍ଟି ଓ ବୃଦ୍ଧି ନିମିତ୍ତ ଉଦ୍ୟମ। ହାର୍ଡୱେଆର୍ ଇଲାକାରେ ଚିପ୍ ଡିଜାଇନ୍, ଫାବ୍ରିକେସନ୍, ଆସେଂବ୍ଲି ଓ ଟେଷ୍ଟିଙ୍ଗ୍ ଆଦି ଗୁରୁତ୍ବପୂର୍ଣ୍ଣ ହୋଇଥିବା େବଳେ ସଫ୍ଟୱେଆର୍ ଇଲାକାରେ ଆମକୁ ନିଜର ‘ଏଆଇ’ ମଡେଲ୍ ସୃଷ୍ଟି କରିବାକୁ ହେବ। ତାହା ହେଲେ ଯାଇ ଭାରତ ‘ଏଆଇ’ରେ ନିଜର ସାର୍ବଭୌମତ୍ବ ହାସଲ କରିପାରିବ; ତାକୁ ବିଦେଶୀ ଯୋଗାଣକାରୀମାନଙ୍କ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ।
ଭାରତ ହେଉଛି ପୃଥିବୀର ଅଳ୍ପ କେତୋଟି ଦେଶମାନଙ୍କ ମଧ୍ୟରୁ ଗୋଟିଏ, ଯେଉଁଠି ସର୍ଜନାତ୍ମକ ‘ଏଆଇ’ ବିକାଶ କରିବା ପାଇଁ ଆବଶ୍ୟକ ଉପଯୁକ୍ତ ମେଧା ଶକ୍ତି ଉପଲବ୍ଧ ଅଛି। ଏଇ ମେଧାବୀ ଯୁବକଯୁବତୀମାନଙ୍କୁ ଉପଯୁକ୍ତ ତାଲିମ ଦେବାରେ ସମ୍ବଳ ବିନିଯୋଗ କରାଗଲେ, ସେମାନେ ଯେ ‘ଏଆଇ’ର ଉଭୟ ହାର୍ଡୱେଆର୍ ଓ ସଫ୍ଟୱେଆର୍ କ୍ଷେତ୍ରରେ ଚମତ୍କାରିତା ସୃଷ୍ଟି କରିପାରିବେ, ଚୀନ୍ ତାହା ପ୍ରମାଣିତ କରିଛି। ଭାରତ ବର୍ତ୍ତମାନ ‘ଭୂତକୋଠି’ର ଅତ୍ୟଧିକ ଆକର୍ଷଣରୁ ମୁକୁଳି ଏଥିପ୍ରତି ଅଧିକ ଧ୍ୟାନ ଦେବା ବୁଦ୍ଧିମାନର କାର୍ଯ୍ୟ (କୃତ୍ରିମ ବୁଦ୍ଧିର ନୁହେଁ) ହେବ ବୋଲି ମନେହୁଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/OAnDiWZ5zjRDfuWfWgMX.jpg)