ଏକ ସୁଦକ୍ଷ, ବିଚାରବନ୍ତ ବିତ୍ତୀୟ ନିୟନ୍ତ୍ରକ ରୂପେ ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଦୀର୍ଘ କାଳ ଧରି ଆନ୍ତର୍ଜାତିକ ସୁଖ୍ୟାତି ଉପଭୋଗ କରିଆସିଛି। ଆଶା କରାଯାଏ ବର୍ତ୍ତମାନ ଋଣଦାତାମାନଙ୍କୁ ମୋବାଇଲ୍‌ ଫୋନ୍ ଲକିଙ୍ଗ୍ ଆପ୍ ସ୍ଥାପନ କରିବାକୁ ଅନୁମତି ଦେଇ ରିଜର୍ଭ ବ୍ୟାଙ୍କ୍ ସେକ୍‌ସପିଅର୍‌ଙ୍କ ସାଇଲକ୍ କିମ୍ବା ନିଚାଙ୍କର ବର୍ବର ମହାଜନ ପରି ଆଚରଣ ପ୍ରଦର୍ଶନ କରି ନିଜର ସେଇ ସୁଖ୍ୟାତିରେ ଦାଗ ଲଗାଇବ ନାହିଁ।

Advertisment

ସେକ୍‌ସପିଅର୍‌ଙ୍କ ପ୍ରସିଦ୍ଧ ନାଟକ ‘ଦି ମର୍ଚାଣ୍ଟ୍ ଅଫ୍ ଭେନିସ୍’ରେ ମହାଜନ ସାଇଲକ୍ କିପରି ତା’ର ଖାତକ ଆଣ୍ଟୋନିଓ ଶରୀରରୁ ଗୋଟିଏ ପାଉଣ୍ଡ ଓଜନର ମାଂସ କାଟି ନେବାକୁ ଜିଦ୍ କରିଥିଲା, ତାହା ଏକ ଉଦାହରଣ ରୂପେ ସର୍ବଦା ଶୋଷଣକାରୀ ଋଣଦାତାମାନଙ୍କ ବିରୁଦ୍ଧରେ ବ୍ୟବହୃତ ହୋଇଥାଏ। ସାଇଲକ୍ ଯଦି ତା’ର ସେଇ ମନ୍ଦ ଉଦ୍ଦେଶ୍ୟରେ ସଫଳ ହୋଇଥାନ୍ତା, ତାହାର ପରିଣାମ ଯେ ହୋଇଥାନ୍ତା ଆଣ୍ଟୋନିଓଙ୍କର ମୃତ୍ୟୁ, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ। ସେକ୍‌ସପିଅର୍‌ଙ୍କ ସେଇ କାହାଣୀକୁ ଅନୁକରଣ କଲାଭଳି ଭାରତରେ କେତେକ ଋଣ ପ୍ରଦାନକାରୀମାନେ ଏପରି ଏକ ଚକ୍ରାନ୍ତର ମସୁଧା କରୁଥିବା ସମ୍ବନ୍ଧରେ ଏବେ ସୂଚନା ପ୍ରକାଶ ପାଇଛି, ଯାହା ଅନୁସାରେ ସେମାନେ ସାଇଲକ୍ ଠାରୁ ଆଉ ପାଦେ ଆଗକୁ ଯାଇ ଋଣ ଅନାଦାୟେ ଋଣକର୍ତ୍ତାଙ୍କର ମସ୍ତିଷ୍କରୁ ଖଣ୍ଡେ କାଟିନେବା ପାଇଁ ଯୋଜନା କରୁଛନ୍ତି ବୋଲି କୁହାଯାଇ ପାରିବ।
ପ୍ରକାଶିତ ଏହି ସମ୍ବାଦ ଅନୁସାରେ ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ତା’ର ‘ଫେଆର୍ ପ୍ରାକ୍ଟିସେସ୍ କୋଡ୍’ରେ ବର୍ତ୍ତମାନ ଏପରି ଏକ ପରିବର୍ତ୍ତନ ଘଟାଇବାକୁ ବିଚାର କରୁଛି, ଯାହା ବଳରେ ମୋବାଇଲ୍ ଫୋନ୍ କିଣିବାକୁ ଋଣ ନେଇ ଠିକଣା ସମୟରେ ପରିଶୋଧ କରିପାରୁ ନ ଥିବା ଗ୍ରାହକମାନଙ୍କର ମୋବାଇଲ୍ ଫୋନ୍‌କୁ ଦୂରରେ ଥାଇ ଅଚଳ (ଲକ୍) କରିଦେବା ପାଇଁ ସେମାନଙ୍କ ଫୋନ୍‌ରେ ଋଣଦାତାମାନେ ସେଭଳି କ୍ଷମତା ବହନ କରୁଥିବା ‘ଆପ୍ଲିକେସନ୍’ (‘ଆପ୍’)ମାନ ସ୍ଥାନିତ କରିପାରିବେ।
ସୂଚନାଯୋଗ୍ୟ ଯେ ପ୍ରାୟ ୯୦ କୋଟି ଛୁଇଁ ସାରିଥିବା ଭାରତର ମୋବାଇଲ୍ ଫୋନ୍ ବ୍ୟବହାରକାରୀଙ୍କ ମଧ୍ୟରୁ ଅଧିକାଂଶ ଅସ୍ବଚ୍ଛଳ ବର୍ଗର ବ୍ୟବହାରକାରୀମାନେ ଋଣ ସାହାଯ୍ୟରେ ଏହି ଅତ୍ୟାବଶ୍ୟକ ଯନ୍ତ୍ରଟିକୁ କ୍ରୟ କରିଥାନ୍ତି। ଦୂର ଅତୀତରେ ଏହାର ଉନ୍ମେଷ କାଳରେ ୧୯୯୮ରେ ପ୍ରକାଶିତ ସେମାନଙ୍କର ଏକ ରଚନାରେ ଦାର୍ଶନିକ ଯୋଡ଼ି ଆଣ୍ଡି କ୍ଲାର୍କ ଓ ଡେଭିଡ୍ ଚାମର୍ସ ମୋବାଇଲ୍ ଫୋନ୍‌କୁ ମନୁଷ୍ୟର ସଂପ୍ରସାରିତ ମସ୍ତିଷ୍କ ରୂପେ ବର୍ଣ୍ଣନା କରିଥିବା ବେଳେ ବର୍ତ୍ତମାନ ଏହି ଯନ୍ତ୍ରଟି ଅନେକଙ୍କ ପାଇଁ ବସ୍ତୁତଃ ଅସଲ ମସ୍ତିଷ୍କରେ ପରିଣତ ହୋଇସାରିଲାଣି କହିଲେ ଅତିରଞ୍ଜନ ହେବ ନାହିଁ। କେବଳ ମସ୍ତିଷ୍କ ନୁହେଁ, ଏହା ମନୁଷ୍ୟର ହାତ, ଗୋଡ଼, ଆଖି, କାନ ଆଦିର ଅଂଶରେ ପରିଣତ ହୋଇ ବ୍ୟବହାରକାରୀର ଜୀବନ ଓ ଜୀବିକା ସହିତ ଅବିଚ୍ଛେଦ୍ୟ ଭାବରେ ଛନ୍ଦି ହୋଇଯାଇସାରିଲାଣି। ଜଣେ ଆଧୁନିକ ସାଇଲକ୍ କୌଣସି ଏକ ଋଣ ଖିଲାପକାରୀର ମୋବାଇଲ୍ ଫୋନ୍‌କୁ ଯଦି ଦୂରରୁ ଥାଇ ଅଚଳ କରିଦିଏ, ତାହା ସେଇ ମୋବାଇଲ୍ ବ୍ୟବହାରକାରୀ ପାଇଁ କିଭଳି ଅକଥନୀୟ ଦୁର୍ଦ୍ଦଶା ସୃଷ୍ଟି କରିବ, ତାହା ଅନୁମାନ କରିବା କଷ୍ଟକର ନୁହେଁ।
କଳ୍ପନା କରାଯାଉ ଜଣେ ଅସ୍ଥାୟୀ କର୍ମଚାରୀ ସାମୟିକ ଭାବରେ ତାଙ୍କର ନିଯୁକ୍ତି ହରାଇଥିବା ଯୋଗୁଁ ଋଣ କିସ୍ତି ପରିଶୋଧ କରିବାକୁ ଅସମର୍ଥ ହେବାରୁ ଋଣଦାତା ତାଙ୍କର ମୋବାଇଲ୍ ଫୋନ୍‌ଟିକୁ ଦୂରରୁ ଅଚଳ କରିଦେଲେ। ବର୍ତ୍ତମାନ ମୋବାଇଲ୍ ଫୋନ୍ ଅଭାବରେ ତାଙ୍କର ନୂତନ ନିଯୁକ୍ତି ଖୋଜିବା କ୍ଷମତା ବାଧାପ୍ରାପ୍ତ ହେବ; ସେ ବ୍ୟାଙ୍କ କାରବାରରୁ ୟୁପିଆଇ ବ୍ୟବହାର କରିବା ପର୍ଯ୍ୟନ୍ତରେ ଘୋର ଅସୁବିଧାର ସମ୍ମୁଖୀନ ହେବେ; ଜରୁରିକାଳୀନ ଫୋନ୍ କଲ୍ କରିବାରେ ଅସମର୍ଥ ହେବେ, ତାଙ୍କର ଦୈନନ୍ଦିନ ଜୀବନଯାପନରେ ବିଭ୍ରାଟ ସୃଷ୍ଟି ହେବ। ସେଇଭଳି ଆଉ ଏକ ଉଦାହରଣର କଳ୍ପନା କରାଯାଉ, ଯେଉଁଥିରେ ଜଣେ ଗୃହିଣୀ ନିଜ ପରିବାରର ଆର୍ଥିକ ବୋଝ ହାଲୁକା କରିବା ପାଇଁ ଏକ ଛୋଟିଆ ଗୃହପ୍ରସ୍ତୁତ ଖାଦ୍ୟ ଯୋଗାଣ ବ୍ୟବସାୟ ଚଳାଉଛନ୍ତି। ପାଖଆଖର ଗ୍ରାହକମାନେ ସକାଳେ ମୋବାଇଲ୍ ଫୋନ୍ ମାଧ୍ୟମରେ ଅର୍ଡର ପଠାଇଦେଲେ, ଗୃହିଣୀ ଜଣକ ସେମାନଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରି ଯୋଗାଇ ଦେଇଥାନ୍ତି। ମୋବାଇଲ୍ ଫୋନ୍ ଅଚଳ ହେଲେ ତାଙ୍କର ବ୍ୟବସାୟ ପୂରାପୂରି ବନ୍ଦ ହୋଇଯିବ। ବ୍ୟବସାୟ ବନ୍ଦ ହେଲେ ରୋଜଗାର ବନ୍ଦ ହୋଇଯିବ ଓ ଋଣ ପରିଶୋଧ କରିବା ତାଙ୍କ ପକ୍ଷରେ ଆଉ ସମ୍ଭବ ହେବ ନାହିଁ। ଏଇଭଳି ଆହୁରି ଅସଂଖ୍ୟ ଉଦାହରଣ କଳ୍ପନା କରାଯାଇ ପାରିବ, ଯାହା ଭୂମି ସ୍ତରରେ ଭାରତର ବହୁ ପ୍ରଚାରିତ ଡିଜିଟାଲ୍ ଅର୍ଥନୀତିକୁ ଧ୍ବସ୍ତବିଧ୍ବସ୍ତ କରିଦେଇପାରେ, ଯେଉଁ ସମୟରେ ଏହାକୁ ମଜଭୁତ କରି ଟ୍ରମ୍ପ ଆକ୍ରମଣର ମୁକାବିଲା କରିବା ପାଇଁ ଆମେ ଅଣ୍ଟା ଭିଡ଼ିଛୁ ଓ ପ୍ରଧାନମନ୍ତ୍ରୀ ମୋଦୀ ବାରମ୍ବାର ଆହ୍ବାନ ଦେବାରେ ଲାଗିଛନ୍ତି।
କୁହାଯାଉଛି ଯେ ଗ୍ରାହକଙ୍କ ସମ୍ମତି ମିଳିବା ପରେ ହିଁ କିସ୍ତି ସୂତ୍ରରେ ବିକ୍ରି କରୁଥିବା ଫୋନ୍‌ ବିକ୍ରେତାମାନେ ସେଇ ମୋବାଇଲ୍ ଫୋନ୍‌ରେ ଉପରୋକ୍ତ ଲକିଙ୍ଗ୍‌ ଆପ୍ ସ୍ଥାପନ କରିବେ। ଏହା ହେଉଛି ଏକ ବିଭ୍ରାନ୍ତକାରୀ ଯୁକ୍ତି। ଗ୍ରାହକଙ୍କର ଏହି ସମ୍ମତି ଏକ ସ୍ବାଧୀନ ସମ୍ମତି ନୁହେଁ, ଏହା ହେଉଛି ଏକ ଚାପଗ୍ରସ୍ତ ସମ୍ମତି ମାତ୍ର। ଫୋନ୍‌ଟିଏ କିଣିବା ବିଭିନ୍ନ କାରଣରୁ ତାଙ୍କ ପାଇଁ ଯେତେବେଳେ ଜରୁରି ହୋଇପଡ଼ିଥାଏ, ଗ୍ରାହକମାନେ ସେତେବେଳେ ଲକିଙ୍ଗ୍‌ ଆପ୍ ସ୍ଥାପନ ନିମିତ୍ତ ଋଣଦାତା ରଖିଥିବା ସର୍ତ୍ତ ମାନିବା ପାଇଁ ରାଜି ହୋଇ ଯାଇପାରନ୍ତି। ଏହି ସର୍ତ୍ତରେ ମଧ୍ୟ ଆଉ ଏକ ଗୁରୁତର ବିପଦ ଲୁଚି ରହିଥାଏ। ଋଣ ଅନାଦାୟେ ସଂପୃକ୍ତ ଫୋନ୍‌କୁ ଅଚଳ କରିବା ନିମିତ୍ତ କେବଳ ଏକ ସରଳ ସୁଇଚକୁ ଅଫ୍ କରି ଦିଆଯାଇ ନ ଥାଏ, ଏଥିପାଇଁ ‘ମୋବାଇଲ୍ ଡିଭାଇସ୍ ମ୍ୟାନେଜ୍‌ମେଣ୍ଟ୍’ (‘ଏମ୍‌ଡିଏମ୍’) ସଫ୍‌ଟୱେଆର୍ ବ୍ୟବହାର କରାଯାଇଥାଏ। କଂପାନିମାନେ ସେମାନଙ୍କର କର୍ମଚାରୀମାନଙ୍କୁ କାର୍ଯ୍ୟରେ ବ୍ୟବହାର କରିବା ପାଇଁ ଦେଇଥିବା ମୋବାଇଲ୍ ଫୋନ୍‌କୁ ନିୟନ୍ତ୍ରଣ କରିବା ନିମିତ୍ତ ସେଥିରେ ଏଇ ସଫ୍‌ଟୱେଆର୍ ସ୍ଥାପନ କରିଥାନ୍ତି। ଏହା ମାଧ୍ୟମରେ ମୋବାଇଲ୍ ଫୋନ୍‌କୁ କେବଳ ଲକ୍ କରାଯାଏ, ତାହା ନୁହେଁ; ଏହା ମାଧ୍ୟମରେ ସେଇ ଫୋନ୍ କିଭଳି ବ୍ୟବହାର କରାଯାଉଛି, ତା’ ଉପରେ ନଜର ରଖାଯାଇଥାଏ; ଫୋନ୍‌ର ଲଗ୍ ହସ୍ତଗତ ‌କରାଯାଇଥାଏ; ମେସେଜ୍ ଦେଖାଯାଇଥାଏ କିମ୍ବା ପଠାଯାଇଥାଏ; ଆପ୍ ସ୍ଥାପନ କରାଯାଇଥାଏ ଓ ସ୍ଥାପିତ ଆପ୍‌କୁ ଅଚଳ କରି ଦିଆଯାଇଥାଏ ଏବଂ କେତେକ କ୍ଷେତ୍ରରେ ସେଥିରେ ଥିବା ବ୍ୟାଙ୍କିଙ୍ଗ୍ ଆପ୍‌ରେ ପ୍ରବେଶ କରି ତାହାକୁ ଇଚ୍ଛାନୁସାରେ ନିୟନ୍ତ୍ରଣ କରାଯାଇଥାଏ।
ଏଥିରୁ ଯାହା ସ୍ପଷ୍ଟ ହୋଇଥାଏ, ତାହା ହେଲା, ରିଜର୍ଭ ବ୍ୟାଙ୍କ୍ ଯଦି ଋଣଦାତାମାନଙ୍କୁ ଗ୍ରାହକମାନଙ୍କର ମୋବାଇଲ୍ ଫୋନ୍‌ରେ ‘ଏମ୍‌ଡିଏମ୍’ ଆପ୍ ପରି ତଥାକଥିତ ଲକିଙ୍ଗ୍ ଆପ୍ ସ୍ଥାପନ କରିବା ପାଇଁ ଅନୁମତି ଦିଏ, ତେବେ କେବଳ ଆଣ୍ଟୋନିଓଙ୍କ ମାଂସ ପରି ଋଣକର୍ତ୍ତାଙ୍କ ମସ୍ତିଷ୍କରୁ ଗୋଟିଏ ପାଉଣ୍ଡ ମହାଜନ କାଟି ନେବ ନାହିଁ, ଋଣକର୍ତ୍ତାଙ୍କର ସମଗ୍ର ଜୀବନ ମହାଜନର ନିୟନ୍ତ୍ରଣାଧୀନ ହୋଇଯିବ। ସତେ ଯେମିତି ଋଣ କରିବା ହେଉଛି ଆଦିମ ସମାଜରେ ବିବେଚିତ ହେଉଥିବା ଭଳି ଏକ ପାପ, ଏବଂ ତା’ର ମୋବାଇଲ୍ ଫୋନ୍‌ରେ ଲକିଙ୍ଗ୍ ଆପ୍ ସ୍ଥାପନ ହେଉଛି ଋଣକର୍ତ୍ତାକୁ ଏହି ପାପ ପାଇଁ ପ୍ରଦାନ କରାଯାଉଥିବା ଦଣ୍ଡ। ଏହା ଊନବିଂଶ ଶତାବ୍ଦୀର ମହାନ ଜର୍ମାନ୍‌ ଦାର୍ଶନିକ ଫ୍ରେଡରିକ୍ ନିଚା ତାଙ୍କର ପ୍ରସିଦ୍ଧ ପୁସ୍ତକ ‘ଅନ୍ ଦି ଜେନିଆଲୋଜି ଅଫ୍ ମୋରାଲ୍‌ସ’ରେ ସେଇ ଆଦିମ ପ୍ରଥା ସଂପର୍କରେ କରିଥିବା ବର୍ଣ୍ଣନାର ପ୍ରତିଧ୍ବନି ପରି ମନେ ହୋଇଥାଏ। ନିଚା ସେଥିରେ ଉଲ୍ଲେଖ କରିଥିଲେ ଯେ ଆଦିମ ବର୍ବର ସମାଜରେ ଋଣ କରିବା ଏକ ଅପରାଧ ରୂପେ ବିବେଚିତ ହେଉଥିଲା ଏବଂ ମହାଜନମାନେ ଏଥିପାଇଁ ଖାତକକୁ ଦଣ୍ଡ ଦେଇ ଆନନ୍ଦ ଲାଭ କରୁଥିଲେ। ଋଣ ପରିଶୋଧରେ ଖିଲାପ ହେଲେ, ଋଣର ଆକାର ଅନୁସାରେ ମହାଜନ ଖାତକର ଶରୀରରୁ ଉପଯୁକ୍ତ ପରିମାଣର ମାଂସ କାଟିନେବା ଥିଲା ଏକ ସାଧାରଣ ପ୍ରଥା।
ଏକ ସୁଦକ୍ଷ, ବିଚାରବନ୍ତ ବିତ୍ତୀୟ ନିୟନ୍ତ୍ରକ ରୂପେ ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଦୀର୍ଘ କାଳ ଧରି ଆନ୍ତର୍ଜାତିକ ସୁଖ୍ୟାତି ଉପଭୋଗ କରିଆସିଛି। ଆଶା କରାଯାଏ ବର୍ତ୍ତମାନ ଋଣଦାତାମାନଙ୍କୁ ମୋବାଇଲ୍‌ ଫୋନ୍ ଲକିଙ୍ଗ୍ ଆପ୍ ସ୍ଥାପନ କରିବାକୁ ଅନୁମତି ଦେଇ ରିଜର୍ଭ ବ୍ୟାଙ୍କ୍ ସେକ୍‌ସପିଅର୍‌ଙ୍କ ସାଇଲକ୍ କିମ୍ବା ନିଚାଙ୍କର ବର୍ବର ମହାଜନ ପରି ଆଚରଣ ପ୍ରଦର୍ଶନ କରି ନିଜର ସେଇ ସୁଖ୍ୟାତିରେ ଦାଗ ଲଗାଇବ ନାହିଁ।