ଏହି ଚୁକ୍ତି ପରେ ଭାରତ ଲାଗି ସୃଷ୍ଟ ପ୍ରକୃତ ବିପଦଟି ହେଲା ପାକିସ୍ତାନୀ ସେନା ସାମର୍ଥ୍ୟକୁ ଅଧିକ ସୁଦୃଢ଼ କରିବା ଲାଗି ସାଉଦି ଆରବ ପକ୍ଷରୁ ଅମାପ ଅର୍ଥର ସୁନିଶ୍ଚିତ ପ୍ରବାହ। ଏହା କିନ୍ତୁ ପ୍ରକାରାନ୍ତରେ ଭାରତ ବିରୋଧୀ ଆତଙ୍କବାଦକୁ ପରିପୁଷ୍ଟ କରିବାରେ ହିଁ ନିୟୋଜିତ ହେବ। ତେଣୁ ଏକ ତ୍ରାଣକର୍ତ୍ତାର ଭୂମିକାରେ ଅବତୀର୍ଣ୍ଣ ପାକିସ୍ତାନର ବକ୍ଷ ଦର୍ପରେ ସ୍ଫୀତ ହୋଇ ଉଠୁଥିବା ବେଳେ ତା’ର ହୀନ ଉଦ୍ଦେଶ୍ୟ ଚରିତାର୍ଥ କରିବାର ସୁଯୋଗ ହଠାତ୍ ମିଳିଯିବା ତା’ ସକାଶେ ଜାନ୍ତବ ଉଲ୍ଲାସର କାରଣ ମଧ୍ୟ ହେଉଥିବ।
ଗଲା ୧୭ ତାରିଖ ପାକିସ୍ତାନ ଓ ସାଉଦି ଆରବ ମଧ୍ୟରେ ସଂପାଦିତ ହୋଇଥିବା ସୁରକ୍ଷା-ସହଯୋଗ ଭିତ୍ତିକ ଚୁକ୍ତି ଉପରେ ସାରା ପୃଥିବୀର ଦୃଷ୍ଟି କେନ୍ଦ୍ରୀଭୂତ ହୋଇଥିବା ବେଳେ ଭାରତରେ ତଦ୍ଦ୍ବାରା ଏକ ଉଦ୍ବେଗ ବିଜଡ଼ିତ ପ୍ରତିକ୍ରିୟା ଓ ଆଲୋଚନାର ସୂତ୍ରପାତ ଘଟିଛି। ସ୍ବାଭାବିକ ଭାବେ ଏହା ପାକିସ୍ତାନରେ ଉଲ୍ଲାସ ଓ ଉତ୍ସାହର ତରଙ୍ଗ ସୃଷ୍ଟି କରିଛି; ଓ ଅନ୍ୟ ପକ୍ଷରେ ଏହା ପରବର୍ତ୍ତୀ ଘଟଣାକ୍ରମ ଉପେର ସତର୍କ ଦୃଷ୍ଟି ରଖିବା ଲାଗି ଭାରତକୁ ବାଧ୍ୟ କରିଛି। ଏହା ସୁବିଦିତ ଯେ ମୁଖ୍ୟତଃ ଇସଲାମୀୟ ରାଷ୍ଟ୍ରଗୁଡ଼ିକୁ ଧାରଣ କରିଥିବା ମଧ୍ୟ-ପ୍ରାଚ୍ୟ ଭୂଖଣ୍ଡ ଭିନ୍ନ ଭିନ୍ନ କାରଣରୁ ଅନେକ ସମୟରେ ତରଳ ଓ ବିସ୍ଫୋରକ ପରିସ୍ଥିତି ମଧ୍ୟ ଦେଇ ଗତି କରି ଆସିଛି। ତେଣୁ, ଶଂସିତ ଘଟଣାର ଭବିଷ୍ୟତ୍ ପ୍ରଭାବ ନେଇ ସହସା କୌଣସି ପୂର୍ବାନୁମାନ ଲଗାଇବା ଏକ କଷ୍ଟକର ବ୍ୟାପାର। ଏବଂ ସେହି କାରଣରୁ ଏ ସଂଦର୍ଭରେ ଏକ ସ୍ଥିର ଦୃଷ୍ଟିସଂପନ୍ନ ଆଲୋଚନା ଓ ଭାରତ ଲାଗି ଚିନ୍ତାର ନିର୍ଦ୍ଦିଷ୍ଟ କାରଣକୁ ଠାବ କରିବା ବିଶେଷ ମହତ୍ତ୍ବପୂର୍ଣ୍ଣ ହୋଇଥାଏ।
ପ୍ରକାଶ ଥାଉ କି ପାକିସ୍ତାନ ଓ ସାଉଦି ଆରବ ସହସା ଏଭଳି ଏକ ଚୁକ୍ତିରେ ସ୍ବାକ୍ଷର କରିବା ପଛରେ ନିହିତ କାରଣଟି ହେଲା ଗଲା ୯ ତାରିଖରେ କାତାର ଉପରେ ଇସ୍ରାଏଲୀ ଆକ୍ରମଣ। ଯଦିଓ ଏହି ଆକ୍ରମଣରେ ଇସ୍ରାଏଲର ଲକ୍ଷ୍ୟ ଥିଲା କାତାରରେ ଅବସ୍ଥିତ ହମାସର ନିର୍ଭୟ ଆଶ୍ରୟସ୍ଥଳକୁ ଧୂଳିସାତ୍ କରିବା, ପ୍ରକାରାନ୍ତରେ କିନ୍ତୁ ତାହା ସାଉଦି ଆରବକୁ ଛାନିଆ କରି ପକାଇଛି ଏବଂ ଏହି ଚୁକ୍ତି ମାଧ୍ୟମରେ ପାକିସ୍ତାନ ଠାରୁ ସୁରକ୍ଷାର ନିର୍ଭର ପ୍ରତିଶ୍ରୁତି ଲୋଡ଼ିଛି। ଉଲ୍ଲେଖଯୋଗ୍ୟ ଯେ ଏହି ଚୁକ୍ତିର ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ବାକ୍ୟଟି ଆମେରିକା ଓ ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସଂପାଦିତ ‘ନାଟୋ’ ଚୁକ୍ତିର ଧାରା ୫ର ଅବିକଳ ନକଲ, ଯାହା କହିଥାଏ ଯେ ଏହି ରାଷ୍ଟ୍ର ଦ୍ବୟ ମଧ୍ୟରୁ କୌଣସି ଗୋଟିଏ ଉପରେ ବାହ୍ୟ ଆକ୍ରମଣ ଘଟିଲେ ଅପର ରାଷ୍ଟ୍ରଟି ତାହାକୁ ନିଜ ଉପରେ ଆକ୍ରମଣ ଭଳି ବିଚାର କରିବ। ଏହାର ଅର୍ଥ, ଏଭଳି ସ୍ଥଳେ ଉଭୟ ରାଷ୍ଟ୍ର ମିଳିତ ଭାବେ ତାହାର ମୁକାବିଲା କରିବେ। ଅନେକ ପର୍ଯ୍ୟବେକ୍ଷକଙ୍କ ମତରେ ସାଉଦି ଆରବ ଦ୍ବାରା ପାକିସ୍ତାନ ଲୋଡ଼ା ଯିବାର ଗୋଟିଏ ବଡ଼ କାରଣ ହେଲା ପାକିସ୍ତାନ ହେଉଛି ଆଣବିକ ବୋମାଧାରୀ ଏକମାତ୍ର ଇସଲାମୀୟ ରାଷ୍ଟ୍ର ଏବଂ ତା’ର ‘ସହିନ-୩’ କ୍ଷେପଣାସ୍ତ୍ରର ପ୍ରହାର ସୀମା ମଧ୍ୟରେ ଇସ୍ରାଏଲ ଆସିଥାଏ। ସେମାନଙ୍କ ମତରେ ଆରବ ରାଷ୍ଟ୍ରଗୁଡ଼ିକ ଉପରେ ସଂପ୍ରତି ଆକ୍ରମଣାତ୍ମକ ହୋଇ ଉଠିଥିବା ଇସ୍ରାଏଲକୁ ପ୍ରତିରୋଧ କରିବା ଲାଗି କାତାର ବା ଅନ୍ୟ ଆରବ ରାଷ୍ଟ୍ରଗୁଡ଼ିକ ହୁଏତ ପାକିସ୍ତାନ ସହିତ ଏଭଳି ଚୁକ୍ତିମାନ ସଂପାଦନ କରିପାରନ୍ତି, ଯଦ୍ଦ୍ବାରା ପାକିସ୍ତାନର ଏକ ପୁରୁଣା ଅଭିଳାଷ ମଧ୍ୟ ପୂର୍ଣ୍ଣ ହେବ; କାରଣ ନିଜର ପରମାଣୁ ବୋମାକୁ ‘ଇସଲାମୀୟ ବୋମା’ ବୋଲି ଅଭିହିତ କରି ପାକିସ୍ତାନ ନିଜକୁ ସମୁଦାୟ ଇସଲାମୀୟ ଜଗତ ବା ‘ଉମ୍ମା’ର ତ୍ରାଣକର୍ତ୍ତା ରୂପେ ପରିଚିତ ହେବାର ସ୍ବପ୍ନ ଦେଖି ଆସିଛି। ସେହି ଦୃଷ୍ଟିରୁ ‘ଇସଲାମୀୟ ବୋମା’ର ସୁରକ୍ଷା ସାମର୍ଥ୍ୟର ଛତ୍ର ତଳେ ପାକିସ୍ତାନ ନେତୃତ୍ବରେ ପଶ୍ଚିମ ଏସିଆ(ମଧ୍ୟ ପ୍ରାଚ୍ୟ)ର ଇସଲାମୀୟ ରାଷ୍ଟ୍ରଗୁଡ଼ିକ ଏକତ୍ର ହେଲେ ତାହା ପାକିସ୍ତାନ ସକାଶେ ଅତ୍ୟନ୍ତ ସନ୍ତୋଷଜନକ ହେବ। କିନ୍ତୁ ଏକ ବାସ୍ତବତା ହେଲା, ଆରବ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଏକତାର େଘାର ଅଭାବ ରହିଛି; ସୁନ୍ନୀବହୁଳ ଆରବ ରାଷ୍ଟ୍ରଗୁଡ଼ିକ ପ୍ରତି ପ୍ରତିକୂଳ ମନୋଭାବ ବହନ କରୁଥିବା ଇରାନ ଓ ଇରାକ ଭଳି ବୃହତ୍ ସିହାପ୍ରଧାନ ରାଷ୍ଟ୍ର ଏଭଳି ଛତ୍ର ତଳେ ଏକତ୍ର ହେବା କାଠିକର ବ୍ୟାପାର; ପୁଣି ପରମାଣୁ ବୋମା ବିକାଶ କରିବାର ଧ୍ୟେୟରେ ଇରାନ ନିମଗ୍ନ। ତେବେ, ସେ ଯାହା ହେଉ, ଶଂସିତ ଚୁକ୍ତିଟିକୁ ଘେନି ପ୍ରଶ୍ନ ଉଠିଥାଏ ଯେ ଇସ୍ରାଏଲ ପକ୍ଷରୁ ଯଦି ଦୈବାତ୍ ସାଉଦି ଆରବ ଉପରେ ଆକ୍ରମଣ ହୁଏ, ତେବେ ପାକିସ୍ତାନ ପ୍ରତିଶ୍ରୁତିକୁ ରକ୍ଷା କରି ଇସ୍ରାଏଲ ବିରୋଧରେ ଯୁଦ୍ଧ କରିବାର ବିପଦ ବରଣ କରିବ କି?
ଏହା ସ୍ମରଣରେ ଅଛି ଯେ ଗଲା ଜୁନ୍ ମାସରେ ଇରାନ ଉପରେ ଇସ୍ରାଏଲ ପକ୍ଷରୁ ଆକ୍ରମଣର ଭୟ ଝୁଲି ରହିଥିବା ବେଳେ ପାକିସ୍ତାନ ପକ୍ଷରୁ ଅନାହୂତ ଭାବେ ପ୍ରତିଶୋଧାତ୍ମକ ଆକ୍ରମଣର ହୁଙ୍କାର ଦିଆଯାଇଥିଲା ସିନା, ପ୍ରକୃତରେ ତାହା କିନ୍ତୁ ଶୂନ୍ୟଗର୍ଭା ଧମକ ମାତ୍ର ଥିଲା। କହିବାର ତାତ୍ପର୍ଯ୍ୟ ହେଲା ଆମେରିକାର ଘନିଷ୍ଠ ମିତ୍ର, ସାମରିକ ଶକ୍ତି ଦୃଷ୍ଟିରୁ ଅତ୍ୟନ୍ତ ଶକ୍ତିଶାଳୀ ଏବଂ ତୀବ୍ର ପ୍ରତିଶୋଧପରାୟଣ ଇସ୍ରାଏଲ ବିରୋଧରେ ଯେ କୌଣସି ଯୁଦ୍ଧ ପାକିସ୍ତାନକୁ ଅକାରଣେ ବିପଦାପନ୍ନ କରି ପକାଇବ। ଅବଶ୍ୟ, ଅମିତ ବିତ୍ତଶାଳୀ ହୋଇଥିଲେ ହେଁ ସାମରିକ ଶକ୍ତି ଦୃଷ୍ଟିରୁ ଅତ୍ୟନ୍ତ ଦୁର୍ବଳ ସାଉଦି ଆରବ ବହୁ ପୂର୍ବରୁ ଏକାଧିକ ବାର ପାକିସ୍ତାନର ସାମରିକ ସହାୟତା ଲୋଡ଼ି ପାଇ ଆସିଛି। ୧୯୬୯ ମସିହାରେ ସାଉଦି ଆରବେର ନୂଆ କରି ଗଠିତ ହୋଇଥିବା ବାୟୁ ସେନା ପକ୍ଷରୁ ଦକ୍ଷିଣ ୟେମେନ ଉପରେ କରାଯାଇଥିବା ଆକ୍ରମଣକୁ ବସ୍ତୁତଃ ପରିଚାଳନା କରିଥିଲେ ପାକିସ୍ତାନୀ ଲଢୁଆ ପାଇଲଟ୍ ବାହିନୀ। ଏବଂ ତା’ର ପଇଁଚାଳିଶ ବର୍ଷ ପରେ, ଅର୍ଥାତ୍ ୨୦୧୫ ମସିହାରେ ପୁଣି ସେହି ୟେମେନ (ହୁଥି ଆତଙ୍କବାଦୀଙ୍କ ବିରୋଧରେ) ଉପରେ ସାଉଦି ଆରବର ଆକ୍ରମଣ ନିଷ୍ପ୍ରଭାବୀ ହେବାରୁ ପୁନର୍ବାର ପାକିସ୍ତାନୀ ବିମାନ ବାହିନୀର ସହାୟତା ଲୋଡ଼ା ଯାଇଥିଲା। କେବଳ ସେତିକି ନୁହେଁ, ସାଉଦି ଆରବର ଆଭ୍ୟନ୍ତରୀଣ ସୁରକ୍ଷା ସଙ୍କଟ ଯେମିତି କି ୧୯୭୯ ମସିହାରେ ମକ୍କାର ମୁଖ୍ୟ ମସଜିଦ ‘ମସଜିନ-ଅଲ-ହରମ’କୁ ଉଗ୍ରବାଦୀଙ୍କ କବଳରୁ ମୁକ୍ତ କରିବା ଲାଗି ସାଉଦି ଆରବ ପାକିସ୍ତାନର ସହାୟତା ଲୋଡ଼ି ଥିଲା। ଏହାର ଅର୍ଥ ହେଲା ଏହି ଚୁକ୍ତି ବଳରେ ଏଭଳି ସହାୟତା ଲୋଡ଼ିବା ଏକ ବିଧିବଦ୍ଧ ଔପଚାରିକତା ଲାଭ କରିଛି। କିନ୍ତୁ ଏଥରର ପ୍ରଭେଦଟି ହେଲା ଯେଉଁ ଦେଶର ଭୟରେ ସାଉଦି ଆରବ ଏହି ସହାୟତା ଲୋଡ଼ିଛି, ତାହା ୟେମେନ ଭଳି ଏକ ପୁରୁଣା ମିଞ୍ଜାସର ସେନା ରଖିଥିବା ଦରିଦ୍ର ରାଷ୍ଟ୍ର ନୁହେଁ ବା କୌଣସି ଉଗ୍ରବାଦୀ ସଂଗଠନ ନୁହେଁ; ତାହା ହେଉଛି ଯୁଦ୍ଧଖୋର ଏବଂ ଅତ୍ୟାଧୁନିକ ପ୍ରଯୁକ୍ତି ଦ୍ବାରା ଅତ୍ୟନ୍ତ ଯୁଦ୍ଧପଟୁ ଇସ୍ରାଏଲ। ତେଣୁ ଦରକାର ପଡ଼ିଲେ ପ୍ରତିଶ୍ରୁତି ରକ୍ଷା କରିବାର ଦାୟ ପାକିସ୍ତାନ ଲାଗି କଠିନ ପରିସ୍ଥିତି ସୃଷ୍ଟି କରିପାରେ!
ଭାରତ ଓ ପାକିସ୍ତାନ ମଧ୍ୟରେ ଶତ୍ରୁତା ଓ ଭବିଷ୍ୟତ୍ରେ ଏହି ଦୁଇ ଦେଶ ମଧ୍ୟରେ ଯୁଦ୍ଧର ଆଶଙ୍କା ଦୃଷ୍ଟିରୁ ପ୍ରଶ୍ନ ଉଠିଥାଏ ଯେ ଏଭଳି ଏକ ସ୍ଥିତିରେ ସାଉଦି ଆରବ ପକ୍ଷରୁ ପାକିସ୍ତାନକୁ ସାମରିକ ସହାୟତା ପ୍ରଦାନ କରାଯିବ କି? ଅଧିକାଂଶ ପର୍ଯ୍ୟବେକ୍ଷକଙ୍କ ମତରେ ଏହି ପ୍ରଶ୍ନର ଉତ୍ତର ନାସ୍ତିବାଚକ। କାରଣ, ଗଲା ଦୁଇ ଦଶନ୍ଧି ମଧ୍ୟରେ ଭାରତ ଓ ସାଉଦି ଆରବ ମଧ୍ୟରେ ରଣନୈତିକ, ଅର୍ଥନୈତିକ ଓ ସାଂସ୍କୃତିକ ସଂପର୍କ ଏଭଳି ଦୃଢ଼ ହୋଇଛି ଯେ ଏହାକୁ ଛିନ୍ନ କରିବା ସେହି ଦେଶ ପକ୍ଷରେ ସମ୍ଭବ ନୁହେଁ। ସେମାନଙ୍କ ମତରେ ୨୦୦ ବିଲିଅନ ଆମେରିକୀୟ ଡଲାର ପରିମାଣର ପୁଂଜି ନିବେଶକୁ ବିପନ୍ନ କରିବା ସାଉଦି ଆରବ ପକ୍ଷରେ ଅସମ୍ଭବ। ତେବେ, ସଂପ୍ରତି ପୃଥିବୀର ସ୍ଥିତି ଅତ୍ୟନ୍ତ ଦୋଦୁଲ୍ୟମାନ ହୋଇଥିବାରୁ ଅେନକ କିଛି ବ୍ୟତିକ୍ରମ ଘଟିବାର ସମ୍ଭାବନା ମଧ୍ୟ ରହିଛି, ଯେଉଁ କାରଣରୁ ଭାରତ ପକ୍ଷରୁ ଏହି ଘଟଣାକ୍ରମ ଉପରେ ସତର୍କ ଦୃଷ୍ଟି ରଖାଯିବା ସମୀଚୀନ। ତେବେ, ଏହି ଚୁକ୍ତି ପରେ ଭାରତ ଲାଗି ସୃଷ୍ଟ ପ୍ରକୃତ ବିପଦଟି ହେଲା ପାକିସ୍ତାନୀ ସେନା ସାମର୍ଥ୍ୟକୁ ଅଧିକ ସୁଦୃଢ଼ କରିବା ଲାଗି ସାଉଦି ଆରବ ପକ୍ଷରୁ ଅମାପ ଅର୍ଥର ସୁନିଶ୍ଚିତ ପ୍ରବାହ। ଏହା କିନ୍ତୁ ପ୍ରକାରାନ୍ତରେ ଭାରତ ବିରୋଧୀ ଆତଙ୍କବାଦକୁ ପରିପୁଷ୍ଟ କରିବାରେ ହିଁ ନିୟୋଜିତ ହେବ। ତେଣୁ ଏକ ତ୍ରାଣକର୍ତ୍ତାର ଭୂମିକାରେ ଅବତୀର୍ଣ୍ଣ ପାକିସ୍ତାନର ବକ୍ଷ ଦର୍ପରେ ସ୍ଫୀତ ହୋଇ ଉଠୁଥିବା ବେଳେ ତା’ର ହୀନ ଉଦ୍ଦେଶ୍ୟ ଚରିତାର୍ଥ କରିବାର ସୁଯୋଗ ହଠାତ୍ ମିଳିଯିବା ତା’ ସକାଶେ ଜାନ୍ତବ ଉଲ୍ଲାସର କାରଣ ମଧ୍ୟ ହେଉଥିବ।