ପାଶ୍ଚାତ୍ୟ ଜୀବନ-ଦର୍ଶନ ବସ୍ତୁବାଦୀ ଓ ବାସ୍ତବବାଦୀ, ଯାହା ମାନବ ସାମର୍ଥ୍ୟର ଗୁଣ କୀର୍ତ୍ତନ କରିଥାଏ ଓ ‘ଦୈବାତ୍’ ବା ‘ଦୈବୀ ସଂଯୋଗ’ର ସମ୍ଭାବନାକୁ ଗୌଣ ମଣିଥାଏ; କିନ୍ତୁ ପ୍ରାଚ୍ୟ ଭୂଖଣ୍ଡ ରହସ୍ୟବାଦୀ ଓ ଈଶ୍ବରବାଦୀ, ଯେଉଁଠି ସର୍ବନିୟନ୍ତାଙ୍କ ସାମ୍ରାଜ୍ୟରେ ମନୁଷ୍ୟ ନିମିତ୍ତ ମାତ୍ର! ତେଣୁ ଶଂସିତ ବିମାନ ଦୁର୍ଘଟଣାରେ ପାଶ୍ଚାତ୍ୟ ବିଶେଷଜ୍ଞ ବର୍ଗ ଇନ୍ଧନ ସୁଇଚର ତ୍ରୁଟି ବାବଦରେ ବିରଳତମ ‘ଦୈବାତ୍’ର ପ୍ରଶ୍ନକୁ ଆଦୌ ପ୍ରଶ୍ରୟ ହେଉ ନ ଥିବା ବେଳେ ପ୍ରାଚ୍ୟର ଲୋକେ ପଚାରନ୍ତି ଯେ ସୁଉଚ୍ଚରେ ଉଡ଼ି ଯାଉଥିବା ଏକ ଇଗଲର ଚଞ୍ଚୁରୁ କଇଁଛଟିଏ କୌଣସି ମନୁଷ୍ୟର ମୁଣ୍ଡ ଉପରେ ଖସି ପଡ଼ି ପ୍ରାଣ ନେଇଯିବା ଭଳି ବିରଳତମ ଘଟଣା ଖ୍ରୀଷ୍ଟପୂର୍ବ ପଞ୍ଚମ ଶତାବ୍ଦୀରେ ଘଟି ନ ଥିଲା କି ଯହିଁରେ ପ୍ରସିଦ୍ଧ ଗ୍ରୀକ୍ ନାଟ୍ୟକାର ଏସ୍କିଲସ ଇହଧାମ ତ୍ୟାଗ କରିଥିଲେ?
ଗଲା ଶନିବାର ଭୋର ପ୍ରାୟ ଦୁଇଟା ବେଳେ ‘ଏ.ଏ.ଆଇ.ବି.’ ବା ‘ଏଆରକ୍ରାଫ୍ଟ ଆକ୍ସିଡେଣ୍ଟ ଇନ୍ଭେଷ୍ଟିଗେସନ ବ୍ୟୁରୋ’ ପକ୍ଷରୁ ଦାଖଲ କରାଯାଇଥିବା ‘ଏଆଇ ୧୭୧’ ବିମାନ ଦୁର୍ଘଟଣା ସମ୍ବନ୍ଧୀୟ ପ୍ରାରମ୍ଭିକ ରିପୋର୍ଟ ବିଭିନ୍ନ କାରଣରୁ ଘନ ସଂଶୟ ଓ ସନ୍ଦେହର ବାତାବରଣ ସୃଷ୍ଟି କରିଛି। କୌଣସି ବିମାନ ଦୁର୍ଘଟଣା ଘଟିବାର ୩୦ ଦିନ ମଧ୍ୟରେ ପ୍ରାରମ୍ଭିକ ରିପୋର୍ଟ ପ୍ରଦାନ କରାଯିବା ଅପରିହାର୍ଯ୍ୟ ହୋଇଥାଏ ସତ, କିନ୍ତୁ ଆଧିକାରିକ ରିପୋର୍ଟଟି ପ୍ରକାଶିତ ହେବାର କିଛି ଦିନ ପୂର୍ବରୁ ତାହାର କିଛି ଅଂଶ ‘ଲିକ୍’ ହୋଇ ପାଶ୍ଚାତ୍ୟ ଗଣମାଧ୍ୟମରେ ପ୍ରସାରିତ ହୋଇଯିବା ଅଥବା ନିର୍ଦ୍ଦିଷ୍ଟ ଅବଧିର ଶେଷ ଦିବସରେ ରାତ୍ରିର ପ୍ରାୟ ଶେଷ ଯାମରେ ରିପୋର୍ଟ ପ୍ରଦାନ କରାଯିବା ଭଳି ବିଷୟମାନ ଭ୍ରୂକୁଂଚନ ସୃଷ୍ଟି କରିଛି। କେବଳ ସେତିକି ନୁହେଁ, ଏହି ଅନୁସନ୍ଧାନମୂଳକ ରିପୋର୍ଟଟିରେ କମ୍ ଉତ୍ତର ଓ ଅଧିକ ପ୍ରଶ୍ନ ଦୃଶ୍ୟମାନ ହୋଇଛି ବୋଲି ଚର୍ଚ୍ଚା ହେବାରେ ଲାଗିଛି।
ଶଂସିତ ରିପୋର୍ଟରେ ଦୁର୍ଘଟଣାର ମଞ୍ଜି ଭାବେ ଦର୍ଶାଯାଇଛି ଯେ ବିମାନଟି ଉଡ଼ାଣ ଭରିବା ମାତ୍ରକେ ତହିଁରେ ଥିବା ଦୁଇଟିଯାକ ଇନ୍ଧନ ସୁଇଚ, ଗୋଟିକ ପରେ ଗୋଟିଏ, ମାତ୍ର ଏକ ସେକେଣ୍ଡର ବ୍ୟବଧାନରେ ‘ରନ୍’ ବା ‘ଚଳନ୍ତି’ ମୋଡ୍ରୁ ‘କଟ୍ ଅଫ୍’ ବା ‘ବନ୍ଦ’ ମୋଡ୍କୁ ଚାଲି ଆସି ବିମାନର ଇଞ୍ଜିନ ଦ୍ବୟକୁ ଇନ୍ଧନର ପ୍ରବାହ ଛିନ୍ନ କରି ଦେଇଥିଲେ, ଯଦ୍ଦ୍ବାରା ବିମାନଟି ଉପରକୁ ଉଠିବାର ଶକ୍ତି ସହସା ହରାଇ ବସିଥିଲା। ଯଦିଓ, ମାତ୍ର ୧୦ ସେକେଣ୍ଡ ପରେ ପୁନର୍ବାର ସୁଇଚ୍ ଦ୍ବୟକୁ ‘ରନ୍’ ମୋଡ୍କୁ ଅଣାଯାଇଥିଲା ଏବଂ ଇଞ୍ଜିନଗୁଡ଼ିକ ପୁନଃ ସକ୍ରିୟ ହୋଇ ଉଠିଥିଲେ, କିନ୍ତୁ ଖୁବ୍ ତଳକୁ ଚାଲି ଆସିଥିବା ବିମାନଟି ନିରାପଦ ଉଚ୍ଚତା ହାସଲ କରିବା ପୂର୍ବରୁ ଏକବହୁ ତଳ ବିଶିଷ୍ଟ ଅଟ୍ଟାଳିକାରେ ଧକ୍କା ଖାଇ ଦୁର୍ଘଟଣାଗ୍ରସ୍ତ ହୋଇଯାଇଥିଲା। ପ୍ରକାଶ ଥାଉ କି ପାଣିପାଗ, ବିମାନ ଚାଳନାର ଅନ୍ୟାନ୍ୟ ନିୟମ, ଇନ୍ଧନରେ ପ୍ରଦୂଷଣ, ବିମାନର ଉଡ଼ାଣ ଯୋଗ୍ୟତା, ପାଇଲଟ ଦ୍ବୟଙ୍କ ସ୍ବାସ୍ଥ୍ୟ ତଥା ଯାତ୍ରା ପୂର୍ବବର୍ତ୍ତୀ ପୂର୍ଣ୍ଣ ବିଶ୍ରାମ ଏବଂ ପକ୍ଷୀ ଧକ୍କା ଭଳି ସଂଦର୍ଭରେ ଆଦୌ କୌଣସି ସମସ୍ୟା ନ ଥିବା ବିଷୟ ଏହି ରିପୋର୍ଟରେ ସ୍ପଷ୍ଟ ଭାବେ ଉଲ୍ଲିଖିତ ଅଛି। ତେଣୁ ଏଭଳି ସ୍ଥିତିରେ ଯେଉଁ ପ୍ରଶ୍ନଟି ବିବାଦର କାରଣ ହୋଇ ବିଶେଷଜ୍ଞ, ଗଣମାଧ୍ୟମ ଏପରିକି ଜନସାଧାରଣଙ୍କୁ ଦୁଇ ଭାଗରେ ବିଭାଜିତ କଲାଣି, ତାହା ହେଲା ଦୁଇଟି ଯାକ ସୁଇଚ ଦ୍ରୁତ କ୍ରମରେ ‘ରନ୍’ରୁ ‘କଟ ଅଫ୍’ ମୋଡ୍କୁ ଆସିଲେ କେମିତି? କାରଣ, ଏହି ସୁଇଚଗୁଡ଼ିକ ସ୍ବୟଂକ୍ରିୟ ବା ‘ଅଟୋମେଟିକ’ ହୋଇ ନ ଥାଆନ୍ତି ଓ ଯେଉଁ ପ୍ରକରଣ ଦେଇ ତାକୁ ‘ଅନ୍’ ବା ‘ଅଫ୍’ କରାଯାଏ, ତାହା କେବଳ ଇଚ୍ଛାକୃତ ଭାବେ କରାଯିବା ହିଁ ସମ୍ଭବ! କେବଳ ସେତିକି ନୁହେଁ, ଅକସ୍ମାତ୍ ହାତ ବାଜି ହେଉ ବା ଅନ୍ୟ କୌଣସି କାରଣରୁ ଅଜାଣତରେ ସେଭଳି ଘଟିବାର ଭୟକୁ ଦୂର କରିବା ସକାଶେ ତହିଁରେ ‘ଲକ୍’ର ବ୍ୟବସ୍ଥା ମଧ୍ୟ ଥାଏ। ସୁତରାଂ, ସ୍ବାଭାବିକ ନିଷ୍କର୍ଷଟି ହେଲା କୌଣସି ଜଣେ ପାଇଲଟ୍ ସ୍ବେଚ୍ଛାକୃତ ଭାବେ ହେଉ ବା ଅନ୍ୟମନସ୍କ ଭାବେ ସେଭଳି କରିଥିବେ, ଯହିଁରେ ‘ଅନ୍ୟମନସ୍କତା’ର ସମ୍ଭାବନା ଶୂନ୍ୟ ପ୍ରାୟ! ସୁତରାଂ, ଦୁର୍ଘଟଣାରେ ପାଇଲଟଙ୍କ ଇଚ୍ଛାକୃତ ଭୂମିକା ରହିଛି!
ଉଲ୍ଲେଖଯୋଗ୍ୟ ଯେ ରିପୋର୍ଟ ଅନୁସାରେ ମାତ୍ର ୫୯ ସେକେଣ୍ଡର ଉଡ଼ାଣ କାଳୀନ ‘କକ୍ପିଟ୍ ଭଏସ ରେକର୍ଡର’ରୁ ସଂଗୃହୀତ ପାଇଲଟ୍ କଥୋପକଥନରେ ଦୁଇଟି ଅନ୍ତିମ ବାକ୍ୟରେ ଜଣେ ପାଇଲଟ ଅପର ଜଣଙ୍କୁ ପଚାରୁଛନ୍ତି, ‘ତୁମେ କାହିଁକି ସୁଇଚ୍ ବନ୍ଦ କଲ?’ ଏବଂ ଉତ୍ତର ମିଳୁଛି, ‘ମୁଁ କରି ନାହିଁ’। ଏହାର ଗୋଟିଏ ବ୍ୟାଖ୍ୟା ହେଲା ମାନବ ହସ୍ତକ୍ଷେପ ବ୍ୟତୀତ କୌଣସି ଯାନ୍ତ୍ରିକ ବା ସଫଟୱେର ତ୍ରୁଟି କାରଣରୁ ଏଭଳି ଅଘଟଣ ଘଟିବାର କୌଣସି ସମ୍ଭାବନା ନ ଥିବାରୁ ବିମାନ ଚାଳନା କରୁଥିବା ପାଇଲଟ ତାଙ୍କ ସମ୍ମୁଖସ୍ଥ କଂଟ୍ରୋଲ ପ୍ୟାନେଲରୁ ଇନ୍ଧନ ଯୋଗାଣ ଛିନ୍ନ ହେବାର ଇଙ୍ଗିତ ପାଇ ହୁଏତ ଏଭଳି ପ୍ରଶ୍ନ କରିଛନ୍ତି ବା ସମ୍ମୁଖକୁ ଦୃଷ୍ଟି ନିବଦ୍ଧ ଥିବା ସତ୍ତ୍ବେ ଦୃଷ୍ଟି ପଟଳର ସୀମାରେ ଦ୍ବିତୀୟ ପାଇଲଟଙ୍କ କାର୍ଯ୍ୟକୁ ଝାପ୍ସା ଭାବେ ଲକ୍ଷ୍ୟ କରିପାରିଛନ୍ତି! ପ୍ରକାଶ ଥାଉ କି ବିମାନ ଚାଳନା କରୁଥିବା ପାଇଲଟଙ୍କ ହାତ ଦ୍ବୟ ବିମାନ ଚାଳନାରେ ବ୍ୟସ୍ତ ରହୁଥିବାରୁ କେବଳ ସହଯୋଗୀ ପାଇଲଟ ହିଁ ଏଭଳି କରିବାର ସୁଯୋଗ ପାଇବେ। ଏହି ମତର ସମର୍ଥକଗଣ (ପ୍ରମୁଖ ଭାବେ ପାଶ୍ଚାତ୍ୟ ମିଡିଆ ଓ ବିଶେଷଜ୍ଞ), କେତେକ ‘ପାଇଲଟ ଆତ୍ମହତ୍ୟା’ର ଦୃଷ୍ଟାନ୍ତ ଦେଇ ଏହା ସେହିଭଳି ଏକ ଦୁର୍ଘଟଣା ବୋଲି କହିଥାଆନ୍ତି। କେବଳ ସେତିକି ନୁହେଁ, ଏହି ବ୍ୟାଖ୍ୟାନକୁ ଦୃଢ଼ କରିବା ଲାଗି ମୁଖ୍ୟ ପାଇଲଟ କ୍ୟାପଟେନ ସୁମିତ ସବରୱାଲଙ୍କ ମାନସିକ ସ୍ଥିତିକୁ ନେଇ ପ୍ରଶ୍ନ ଉଠାଯାଇଥାଏ, ଯାହାଙ୍କ ବୈବାହିକ ଜୀବନ କୁଆଡ଼େ ଝଂଜାଗ୍ରସ୍ତ ଥିଲା! ଶଂସିତ ରିପୋର୍ଟରୁ ଉଦ୍ଧାର କରି ସେମାନେ ଥାଆନ୍ତି ଯେ ‘ଏ.ଏ.ଆଇ.ବି.’ର ଅନୁସନ୍ଧାନକାରୀ ଦଳରେ ଜଣେ ‘ଏଭିଏସନ ସାଇକୋଲୋଜିଷ୍ଟ’ ବା ‘ବୈମାନିକ ମନସ୍ତତ୍ବବିତ୍’ ମଧ୍ୟ ଅନ୍ତର୍ଭୁକ୍ତ, ଯାହାର କାରଣ କୌଣସି ଚାଳକଙ୍କ ଅସ୍ଥିର ମାନସିକ ସ୍ଥିତିକୁ ଘେନି ହୋଇଥିବ। ଏହି ବିଶେଷଜ୍ଞମାନେ କହିଥାଆନ୍ତି ଯେ ‘ନା, ମୁଁ କରିନାହିଁ’ ଭଳି ଉତ୍ତର ନିଜ ଦୋଷ ବା ତ୍ରୁଟିକୁ ଲଚାଇବା ଲାଗି ସେହି ପାଇଲଟଙ୍କ ସ୍ବତଃସ୍ଫୂର୍ତ୍ତ ପ୍ରତିକ୍ରିୟା ହୋଇଥିବ!
କିନ୍ତୁ, ଭାରତୀୟ ଗଣମାଧ୍ୟମ ଓ ବିଶେଷଜ୍ଞ ଗୋଷ୍ଠୀର ଏକ ବୃହତ୍ ଅଂଶ ୨୦୧୮ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକାର ‘ଫେଡେରାଲ ଏଭିଏସନ ଆଡମିନିଷ୍ଟ୍ରେସନ’ ବା ‘ଏଫ.ଏ.ଏ.’ ଦ୍ବାରା ପ୍ରକାଶିତ ଏକ ରିପୋର୍ଟକୁ ଉଦ୍ଧାର କରି କହନ୍ତି ଯେ ‘ବୋଇଂ ୭୩୭ ଓ ୭୮୭’ରେ ଇନ୍ଧନ ସୁଇଚ ମାନବଗତ କାରଣରୁ ନ ହୋଇ ‘ଦୈବାତ୍’ ତ୍ରୁଟି ଦର୍ଶାଉଥିବା ବିଷୟ ତହିଁରେ ସ୍ପଷ୍ଟ ଭାବେ ଉଲ୍ଲିଖିତ। ତେଣୁ ପାଇଲଟଙ୍କୁ ସୈଦ୍ଧାନ୍ତିକ ଭାବେ ଦୋଷଯୁକ୍ତ କରାଯାଇ ନପାରେ! ପୁଣି ବିଡ଼ମ୍ବନା ହେଲା ‘ଏଫ.ଏ.ଏ.’ ରିପୋର୍ଟକୁ ଦୀର୍ଘ ସାତ ବର୍ଷ ବିତି ଯାଇଥିଲେ ହେଁ ଏଭଳି ସ୍ଥିତିରେ କ’ଣ କରଣୀୟ, ସେ ନେଇ କୌଣସି ପାଇଲଟଙ୍କୁ ତାଲିମ ଦିଆଯାଇ ନ ଥାଏ। ଏବଂ ‘ଏଫ.ଏ.ଏ.’ ରିପୋର୍ଟ ମଧ୍ୟ ଏଭଳି ତାଲିମକୁ ବାଧ୍ୟତାମୂଳକ କରିବାର ପ୍ରସ୍ତାବ ନ ଦେଇ ତାହା କେବଳ ସଚେତନତା ସୃଷ୍ଟି ଲାଗି ଉଦ୍ଦିଷ୍ଟ ବୋଲି କହିଛି। ଏହି କାରଣରୁ ହିଁ ‘ବୋଇଂ’ ଏବଂ ବିମାନ ସେବା ପ୍ରଦାନକାରୀ ସଂସ୍ଥାଗୁଡ଼ିକ ଏଭଳି ଏକ ଗୁରୁତର ବ୍ୟାପାରରେ ଦାୟମୁକ୍ତ ହୋଇ ରହିଛନ୍ତି। ଦ୍ବିତୀୟରେ, ରିପୋର୍ଟରେ ସ୍ଥାନିତ କଥାବାର୍ତ୍ତାରେ ପାଇଲଟଙ୍କ ପରିଚୟ ପ୍ରଦାନ କରାଯାଇ ନ ଥିବାରୁ ‘ନା ମୁଁ କରିନାହିଁ’ ବୋଲି ନିସୃତ ସ୍ବରଟି ସୁମିତ ସବରୱାଲଙ୍କ ବୋଲି ନିଶ୍ଚିତ ହେବା ମଧ୍ୟ ପ୍ରମାଦପୂର୍ଣ୍ଣ। ଏହା ସୁବିଦିତ ଯେ ବିଭିନ୍ନ ପ୍ରକାର ନିର୍ମାଣ ଜନିତ ତ୍ରୁଟି ଓ ଖର୍ଚ୍ଚ କାଟ ଲାଗି ବିମାନ ନିର୍ମାଣରେ କରାଯାଉଥିବା କେତେକ ବିପଜ୍ଜନକ ହେରଫେରକୁ ଲୁଚାଇବା ଲାଗି ‘ବୋଇଂ’ ପକ୍ଷରୁ ହୋଇ ଆସିଥିବା ନିୟମିତ ଅପପ୍ରୟାସ ଦୃଷ୍ଟିରୁ ସନ୍ଦେହ ହୋଇଥାଏ ଯେ ‘ବୋଇଂ’କୁ ଦୋଷମୁକ୍ତ କରିବା ଲାଗି ପାଇଲଟମାନଙ୍କୁ ଦାୟୀ କରି ସୁବ୍ୟବସ୍ଥିତ ଢଙ୍ଗରେ ବ୍ୟାଖ୍ୟାନ ବା ଗଳ୍ପ ସୃଷ୍ଟି କରାଯାଉଛି; ଲିକ୍ ହୋଇଥିବା ରିପୋର୍ଟର କିୟଦଂଶ ଛାପି ପାଶ୍ଚାତ୍ୟ ଗଣମାଧ୍ୟମ ଏ ଦିଗରେ ଅଣ୍ଟା ଭିଡ଼ିଛନ୍ତି! ଅବଶ୍ୟ ଏଭଳି ପ୍ରାରମ୍ଭିକ ରିପୋର୍ଟ ଚୂଡ଼ାନ୍ତ ହୋଇ ନ ଥାଏ ଓ ପରିବର୍ତ୍ତନୀୟ ମଧ୍ୟ! ତେଣୁ ଚୂଡ଼ାନ୍ତ ରିପୋର୍ଟକୁ ପ୍ରତୀକ୍ଷା, ଯାହା ପ୍ରକାଶିତ ହେବାକୁ ହୁଏତ ବର୍ଷାଧିକ କାଳ ଲାଗିଯାଇପାରେ!
ଏଠାରେ କହି ରଖିବା ଉଚିତ ହେବ ଯେ ପାଶ୍ଚାତ୍ୟ ଜୀବନ-ଦର୍ଶନ ବସ୍ତୁବାଦୀ ଓ ବାସ୍ତବବାଦୀ, ଯାହା ମାନବ ସାମର୍ଥ୍ୟର ଗୁଣ କୀର୍ତ୍ତନ କରିଥାଏ ଓ ‘ଦୈବାତ୍’ ବା ‘ଦୈବୀ ସଂଯୋଗ’ର ସମ୍ଭାବନାକୁ ଗୌଣ ମଣିଥାଏ; କିନ୍ତୁ ପ୍ରାଚ୍ୟ ଭୂଖଣ୍ଡ ରହସ୍ୟବାଦୀ ଓ ଈଶ୍ବରବାଦୀ, ଯେଉଁଠି ସର୍ବନିୟନ୍ତାଙ୍କ ସାମ୍ରାଜ୍ୟରେ ମନୁଷ୍ୟ ନିମିତ୍ତ ମାତ୍ର! ତେଣୁ ଶଂସିତ ବିମାନ ଦୁର୍ଘଟଣାରେ ପାଶ୍ଚାତ୍ୟ ବିଶେଷଜ୍ଞ ବର୍ଗ ଇନ୍ଧନ ସୁଇଚର ତ୍ରୁଟି ବାବଦରେ ବିରଳତମ ‘ଦୈବାତ୍’ର ପ୍ରଶ୍ନକୁ ଆଦୌ ପ୍ରଶ୍ରୟ ହେଉ ନ ଥିବା ବେଳେ ପ୍ରାଚ୍ୟର ଲୋକେ ପଚାରନ୍ତି ଯେ ସୁଉଚ୍ଚରେ ଉଡ଼ି ଯାଉଥିବା ଏକ ଇଗଲର ଚଞ୍ଚୁରୁ କଇଁଛଟିଏ କୌଣସି ମନୁଷ୍ୟର ମୁଣ୍ଡ ଉପରେ ଖସି ପଡ଼ି ପ୍ରାଣ ନେଇଯିବା ଭଳି ବିରଳତମ ଘଟଣା ଖ୍ରୀଷ୍ଟପୂର୍ବ ପଞ୍ଚମ ଶତାବ୍ଦୀରେ ଘଟି ନ ଥିଲା କି ଯହିଁରେ ପ୍ରସିଦ୍ଧ ଗ୍ରୀକ୍ ନାଟ୍ୟକାର ଏସ୍କିଲସ ଇହଧାମ ତ୍ୟାଗ କରିଥିଲେ? କିନ୍ତୁ, ଏହାର ଉତ୍ତରରେ କେତେକ ପାଶ୍ଚାତ୍ୟ ବ୍ୟାଖ୍ୟାକାର କହନ୍ତି ଯେ ଏଥିରେ ‘ଦୈବାତ୍’ ବୋଲି କିଛି ନାହିଁ, ଏସ୍କିଲସଙ୍କ କେଶହୀନ ଚନ୍ଦା ମୁଣ୍ଡକୁ ଏକ ପଥର ମୁଣ୍ଡିଆ ବୋଲି ଧରି ନେଇ ଇଗଲଟି କଇଁଛକୁ ତା’ ଉପରେ କଚାଡ଼ି ଦେଇଥିବ! କହିବାର ତାତ୍ପର୍ଯ୍ୟ ହେଲା ଚୂଡ଼ାନ୍ତ ରିପୋର୍ଟ ପ୍ରକାଶିତ ହେବା ପରେ ମଧ୍ୟ ‘ଦୈବାତ୍’ ନେଇ ପ୍ରଶ୍ନ ଓ ବିବାଦ ବଳବତ୍ତର ରହିପାରେ!