ଜଣାଶୁଣା ଭାବରେ କୃଷିଜାତ ଖାଦ୍ୟପଦାର୍ଥ ରପ୍ତାନି ସମ୍ମୁଖୀନ ହେଉଥିବା ଟାରିଫ୍ ପ୍ରତିବନ୍ଧକ ଯେତିକି ଗୁରୁତ୍ବପୂର୍ଣ୍ଣ ହୋଇଥାଏ, ତା’ ଅପେକ୍ଷା ଅଧିକ ଗୁରୁତ୍ବପୂର୍ଣ୍ଣ ହୋଇଥାଏ ତାହାର ଗୁଣାତ୍ମକ ମାନ ପରୀକ୍ଷା। ଏହି କାରଣରୁ ଭାରତୀୟ ଆମ୍ବ ରପ୍ତାନି ଆମେରିକାରେ କିପରି ପ୍ରତିବନ୍ଧକର ସମ୍ମୁଖୀନ ହୋଇଛି, ତାହା ଜଣାଶୁଣା। ଏଣୁ କୃଷିଜାତ ପଦାର୍ଥର ଗୁଣାତ୍ମକ ମାନ ନିଶ୍ଚିତ ରଖିବା ସହିତ ଏକ ସାବଲୀଳ ଯୋଗାଣ ଶୃଙ୍ଖଳ ନିଶ୍ଚିତ କରିପାରିଲେ ଯାଇ ଭାରତ ଏଭଳି ଟାରିଫ୍ ଉଚ୍ଛେଦରୁ ପୂର୍ଣ୍ଣ ଲାଭ ଉଠାଇ ପାରିବ।

Advertisment

ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ଉଚ୍ଚ ଟାରିଫ୍ ମାଧ୍ୟମରେ ତାଙ୍କ ଦେଶ ଭିତରକୁ ଆମଦାନି ଅଟକାଇବାକୁ ବନ୍ଦ କରିଥିବା କବାଟକୁ ଏବେ ସାମାନ୍ୟ ମେଲା କରିଛନ୍ତି। ସେ ୨ ଏପ୍ରିଲରେ ତାଙ୍କର ଘୋଷଣା ଦ୍ବାରା ଯେଉଁ ସମସ୍ତ ଆମଦାନି ଦ୍ରବ୍ୟମାନଙ୍କ ଉପରେ ୫୦ ପ୍ରତିଶତ ହାର ପର୍ଯ୍ୟନ୍ତ ଟାରିଫ୍ ଲାଗୁ କରିଥିଲେ, ସେଥିମଧ୍ୟରୁ କେତେକ ଖାଦ୍ୟ ଓ କୃଷିଜାତ ପଦାର୍ଥମାନଙ୍କୁ ସେଥିରୁ ଏବେ ଛାଡ଼ କରିଦେଇଛନ୍ତି, ଯେଉଁମାନଙ୍କ ଉପରେ ଏଣିକି ସ୍ବାଭାବିକ (‘ମୋଷ୍ଟ ଫେଭର୍‌ଡ ନେସନ’- ‘ଏମ୍ଏଫ୍ଏନ୍’) ହାରରେ ଟାରିଫ୍ ଲାଗିବ। ଯେଉଁ କେତେକ ଦ୍ରବ୍ୟମାନଙ୍କ ପାଇଁ ଏହି ଟାରିଫ୍ କୋହଳ କରାଯାଇଛି, ସେମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ ଅଛନ୍ତି କଫି, ଚା’, ଉଷ୍ଣକଟିବନ୍ଧୀୟ ଫଳଫୁଲୁରି, ମସଲା, କୋକୋଆ, ପାଚିଲା କଦଳୀ, ଟମାଟୋ, ଗୋମାଂସ ଓ କେତେକ ସାର ଆଦି। ଏସବୁ ଦ୍ରବ୍ୟମାନଙ୍କର ବିଶେଷତ୍ବ ହେଉଛି ଏହା ଯେ ପ୍ରତିକୂଳ ଜଳବାୟୁ ଯୋଗୁଁ ଏଗୁଡ଼ିକ ମଧ୍ୟରୁ କେତେକ ଆମେରିକାରେ ଆଦୌ ଉତ୍ପାଦିତ ହୋଇପାରି ନଥାନ୍ତି, ଓ ଅନ୍ୟ କେତେକ ଅତ୍ୟନ୍ତ ସ୍ବଳ୍ପ ପରିମାଣରେ ଉତ୍ପାଦିତ ହୋଇଥାନ୍ତି।
ଟ୍ରମ୍ପ ଅବଶ୍ୟ ହଠାତ୍ ଉଦାର-ହୃଦୟ ହୋଇପଡ଼ି ଏଭଳି ପଦକ୍ଷେପ ନେଇନାହାନ୍ତି। ଉଚ୍ଚ ଟାରିଫ୍ ଯୋଗୁଁ ତାଙ୍କ ଦେଶରେ ଦେଖା ଦେବାକୁ ଆରମ୍ଭ କରିଥିବା ଖାଦ୍ୟଦ୍ରବ୍ୟ ଦରଦାମରେ ବୃଦ୍ଧି ଓ ତଜ୍ଜନିତ ଜନ ଅସନ୍ତୋଷ ଦ୍ବାରା ଛାନିଆ ହୋଇ ସେ ଏ ସମସ୍ତ ଦ୍ରବ୍ୟମାନଙ୍କ ଉପରେ ଟାରିଫ୍ ହ୍ରାସ କରିବାକୁ ବାଧ୍ୟ ହୋଇଛନ୍ତି। ରାଜନୈତିକ ଦୃଷ୍ଟିକୋଣରୁ ମଧ୍ୟ ଏହି ଟାରିଫ୍ ହ୍ରାସ ଟ୍ରମ୍ପଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ ନାହିଁ; କାରଣ ଯେଉଁ ଆମେରିକୀୟ କୃଷକମାନଙ୍କୁ ତୁଷ୍ଟ କରିବା ପାଇଁ ସେ କୃଷିଜାତ ପଦାର୍ଥ ଆମଦାନି ଉପରେ ଟାରିଫ୍ ବୃଦ୍ଧି କରିଥିଲେ, ସେଇ କୃଷକମାନେ ଏ ସମସ୍ତ ଦ୍ରବ୍ୟ ଉତ୍ପାଦନ କରନ୍ତି ନାହିଁ।
ଯେଉଁ ସବୁ ଦେଶମାନେ ଆମେରିକାକୁ ଏ ସମସ୍ତ ଦ୍ରବ୍ୟ ରପ୍ତାନି କରନ୍ତି, ସେମାନଙ୍କ ପାଇଁ ଟ୍ରମ୍ପଙ୍କର ଏହି ନିଷ୍ପତ୍ତି ଅନେକ ପରିମାଣରେ ଆଶ୍ବସ୍ତି ଆଣି ଦେଉଥିଲେ ହେଁ ଭାରତ ପାଇଁ ଏହା ସେଭଳି ଗୁରୁତ୍ବ ବହନ କରି ନ ଥାଏ। ଟାରିଫ୍ କୋହଳ କରାଯାଇଥିବା ଦ୍ରବ୍ୟମାନଙ୍କ ମଧ୍ୟରୁ କେବଳ ଉଚ୍ଚ ମୂଲ୍ୟଯୁକ୍ତ ଦ୍ରବ୍ୟମାନଙ୍କ ବ୍ୟତୀତ ଅନ୍ୟଗୁଡ଼ିକ ଭାରତ ଆମେରିକାକୁ ରପ୍ତାନି କରି ନ ଥାଏ। ଭାରତ ରପ୍ତାନି କରୁଥିବା ଏହି ଦ୍ରବ୍ୟଗୁଡ଼ିକ ହେଉଛନ୍ତି ମୁଖ୍ୟତଃ ଗୋଲମରିଚ ଓ ସିମଲା ଲଙ୍କା ଦ୍ବାରା ପ୍ରସ୍ତୁତ ମସଲା; ହଳଦୀ, ଅଦା ଆଦିର ମିଶ୍ରଣ; ଜିରା, ପାନମହୁରି; ଅଳେଇଚ, ଜାଇଫଳ; ଓ ଚା’। ଏଥିମଧ୍ୟରୁ କେତେକ ଭାରତର ବିଶେଷ ଜଳବାୟୁ ସହିତ ସଂପୃକ୍ତ ହୋଇଥବା ବେଳେ ଚା’ ନିଜ ପାଇଁ ସୃଷ୍ଟି କରିଥିବା ବିଶେଷ ପରିଚୟ (ଯେମିତି ଦାର୍ଜିଲିଙ୍ଗ୍ ଚା’) ଯୋଗୁଁ ଆମେରିକା ବଜାରରେ ଆସ୍ଥାନ ଜମାଇଥାଏ।
ତେବେ ଟ୍ରମ୍ପଙ୍କର ଟାରିଫ୍-କୋହଳ ତାଲିକାରେ ଭାରତର ସ୍ଥାନ କିଭଳି ନଗଣ୍ୟ, ତାହା ନିମ୍ନୋକ୍ତ ପରିସଂଖ୍ୟାନରୁ ସ୍ପଷ୍ଟ ହୋଇଥାଏ। ଆମେରିକା ୨୦୨୪ରେ ମୋଟ ୫୦.୬ ବିଲିଅନ୍ ଡଲାର୍ ମୂଲ୍ୟର ଏହି ତାଲିକାଭୁକ୍ତ ଦ୍ରବ୍ୟମାନଙ୍କର ଆମଦାନି କରିଥିବା ବେଳେ, ସେଥିରେ ଭାରତର ଅଂଶ ଥିଲା ମାତ୍ର ୫୪୮ ମିଲିଅନ୍ ଡଲାର, ଯାହା ହେଉଛି ପ୍ରାୟ ଏକ ଶତାଂଶ ମାତ୍ର। ତାଲିକାରେ ଥିବା ଅନ୍ୟ ଦ୍ରବ୍ୟଗୁଡ଼ିକୁ ଆମେରିକା ମୁଖ୍ୟତଃ ଦକ୍ଷିଣ ଆମେରିକୀୟ ଦେଶମାନଙ୍କରୁ ଆମଦାନି କରିଥାଏ। ସେ ଦ୍ରବ୍ୟମାନ ହେଲା ତାଜା ଟମାଟୋ, କମଳା, ତରଭୁଜ, ପାଚିଲା କଦଳୀ, ଫଳରସ ଆଦି। କଫି ଓ କୋକୋଆ ଆମଦାନି ପାଇଁ ଆମେରିକା ବିଶେଷ ଭାବରେ ଦୁଇଟି ଅଞ୍ଚଳ ଉପରେ ନିର୍ଭର କରିଥାଏ- ଦକ୍ଷିଣ ଆମେରିକା ଓ ଆଫ୍ରିକା।
ଟ୍ରମ୍ପଙ୍କର ଏହି ପଦକ୍ଷେପ ତେଣୁ ଭାରତ ପାଇଁ ଏକ ବିଶାଳ ଲାଭ ସୃଷ୍ଟି କରିବାକୁ ଯାଉନାହିଁ; କିନ୍ତୁ ତଥାପି ବ୍ୟାବସାୟିକ ରଣକୌଶଳ ଦୃଷ୍ଟିରୁ ଏହା ଭାରତ ପାଇଁ ତାତ୍ପର୍ଯ୍ୟପୂର୍ଣ୍ଣ ହୋଇଥାଏ। ଯେହେତୁ ଟାରିଫ୍ ହ୍ରାସ ଯୋଗୁଁ ସଂପୃକ୍ତ ଦ୍ରବ୍ୟଗୁଡ଼ିକ ଆମେରିକା ବଜାରରେ ‌ଏବେ ପୂର୍ବାପେକ୍ଷା ଶସ୍ତା ହେବେ, ତାହା ପ୍ରତିଯୋଗିତାର ତୀବ୍ରତାରେ ବୃଦ୍ଧି ଘଟାଇବ। କିନ୍ତୁ ଯେହେତୁ ଏ ସବୁର ରପ୍ତାନିରେ ଭାରତର ଅଂଶ ନଗଣ୍ୟ, ତାହା ଭାରତ ପାଇଁ ଆମେରିକା ବଜାରରେ କୌଣସି ନୂତନ ଅସୁବିଧା ସୃଷ୍ଟି କରିବ ନାହିଁ। ଅପରପକ୍ଷେ ଆମେରିକା ବଜାରରେ ନିଜର ଉପସ୍ଥିତି ସୁଦୃଢ଼ କରିଥିବା ଭାରତୀୟ ମସଲା, ଚା’, କେତେକ ବିଶେଷ ଫଳ ଆଦି ଅତ୍ୟୁଚ୍ଚ ଟାରିଫ୍ ଯୋଗୁଁ ସେମାନଙ୍କର ପ୍ରତିଯୋଗିତା କ୍ଷମତା ହରାଇବାର ଯେଉଁ ବିପଦ ସୃଷ୍ଟି ହୋଇଥିଲା, ବର୍ତ୍ତମାନ ଟାରିଫ୍ ଛାଡ଼ ଦ୍ବାରା ସେମାନଙ୍କ ପାଇଁ ତାହା ଟଳି ଯାଇଛି। ଭାରତୀୟ ରପ୍ତାନିକାରୀମାନେ ମଧ୍ୟ ବର୍ତ୍ତମାନ ଟାରିଫ୍ ରିହାତି ମିଳିଥିବା ଇଲାକାରେ ପ୍ରବେଶ କରିବାକୁ ଉଦ୍ୟମ ଆରମ୍ଭ କରିପାରନ୍ତି। କିନ୍ତୁ ଭାରତ ରପ୍ତାନି କରୁଥିବା ଦୁଇଟି ପ୍ରମୁଖ ଦ୍ରବ୍ୟ- ବାସମତୀ ଚାଉଳ ଓ ସାମୁଦ୍ରିକ ଚିଙ୍ଗୁଡ଼ି ଉପରୋକ୍ତ ଟାରିଫ୍ ରିହାତି ତାଲିକାରୁ ବାଦ୍ ପଡ଼ିଥିବାରୁ ଆମେରିକା ବଜାରରେ ସେଗୁଡ଼ିକ ପ୍ରତି‌େଯାଗିତା କ୍ଷମତା ହରାଇ ଚାଲିବେ।
ଟ୍ରମ୍ପଙ୍କର ଏହି ସୀମିତ ଟାରିଫ୍ ଛାଡ଼ ପଦକ୍ଷେପ ଭାରତ ପାଇଁ ଏକ ଅତ୍ୟନ୍ତ ସ୍ପର୍ଶକାତର ସମୟରେ ଆସିଛି ଯେତେବେଳେ ଭାରତ ଅନେକ ଉତ୍ପାଦିତ ଦ୍ରବ୍ୟମାନଙ୍କ ଉପରେ ଅତି ଉଚ୍ଚ ଟ୍ରମ୍ପ ଟାରିଫ୍‌ର ଶରବ୍ୟ ହୋଇଛି ଏବଂ ରୁଷିଆ ଠାରୁ ରିହାତି ଦରରେ ତୈଳ କ୍ରୟ କରିବା ବନ୍ଦ କରିବା ନିମିତ୍ତ ଟ୍ରମ୍ପଙ୍କ ଠାରୁ ପ୍ରବଳ ଚାପର ସମ୍ମୁଖୀନ ହୋଇଛି। ଏଇ ଘଡ଼ିସନ୍ଧି ମୁହୂର୍ତ୍ତରେ କେତେକ କୃଷିଜାତ ଦ୍ରବ୍ୟ ଉପରୁ ଟାରିଫ୍ ପ୍ରତ୍ୟାହାର ଭାରତ ପାଇଁ ଆମେରିକା ସହିତ ବର୍ତ୍ତମାନ ଚାଲିଥିବା ବାଣିଜ୍ୟ କଥାବାର୍ତ୍ତାରେ କିଛି ମାତ୍ରାରେ ଅଧିକ ସ୍ବାଧୀନତା ପ୍ରଦାନ କରିଥାଏ। କେତେକ ନିର୍ଦ୍ଦିଷ୍ଟ କୃଷିଜାତ ପଦାର୍ଥମାନ ଆମେରିକୀୟ ଟାରିଫ୍‌ରୁ ନିରାପଦ ରହିବେ ବୋଲି ଜଣାପଡ଼ିବା ପରେ ଭାରତ ଏଇ ଇଲାକାରେ ନିଜର ରପ୍ତାନି ପ୍ରତିଯୋଗିତାରେ ଉନ୍ନତି ଘଟାଇବା ପାଇଁ ଉଦ୍ୟମ ଆରମ୍ଭ କରିବା ଆବଶ୍ୟକ ମନେ ହୁଏ। ବିଶେଷ କରି ଉଚ୍ଚ ମୂଲ୍ୟଯୁକ୍ତ ତାଜା ଫଳ ଓ ପନିପରିବା, ମସଲା, ପ୍ରକ୍ରିୟାକୃତ ଖାଦ୍ୟପଦାର୍ଥ ଓ ସ୍ବାସ୍ଥ୍ୟପ୍ରଦ ଉଦ୍ଭିଦଜାତ ଦ୍ରବ୍ୟ କ୍ଷେତ୍ରରେ ଏଥିପାଇଁ ନୂତନ ସୁଯୋଗ ଉନ୍ମୋଚିତ ହୋଇଛି। ରପ୍ତାନି ଦ୍ରବ୍ୟମାନଙ୍କର ଗୁଣାତ୍ମକ ମାନ ନିଶ୍ଚିତ କରିବା, ଶୀତଳ ଶୃଙ୍ଖଳା ବଜାୟ ରଖିବା, କୃଷି ସଂସ୍କାର କାର୍ଯ୍ୟକାରୀ କରିବା ଆଦି ଦ୍ବାରା ଏହି ଲକ୍ଷ୍ୟ ସାଧିତ ହୋଇପାରିବ।
ଆନ୍ତର୍ଜାତିକ ବଜାରରେ ଯେଉଁ ସବୁ କୃଷିଜାତ ପଦାର୍ଥ ପାଇଁ ଅଧିକ ଚାହିଦା ରହିଛି, ଯଦି ଭାରତୀୟ କୃଷି-ଜଳବାୟୁରେ ସେ ସବୁର ଉତ୍ପାଦନ ସମ୍ଭବ ହୋଇଥାଏ, ତେବେ ଏଠାରେ ତାହାର ଉତ୍ପାଦନ ଆରମ୍ଭ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବା ନିମିତ୍ତ ଟ୍ରମ୍ପଙ୍କର ଏହି ପଛଘୁଞ୍ଚା ହେଉଛି ଏକ ଇସାରା। କିନ୍ତୁ କୃଷି-ଉଦ୍ୟୋଗୀମାନଙ୍କ ଦ୍ବାରା କେବଳ ଏଗୁଡ଼ିକର ଉତ୍ପାଦନ ଘଟିବା ଯଥେଷ୍ଟ ନୁହେଁ। ଉତ୍ପାଦିତ ଦ୍ରବ୍ୟ ପ୍ରତିଯୋଗିତାମୂଳକ ଭାବରେ ବିଦେଶ ବଜାରରେ ପ୍ରବେଶ କରିବାକୁ ହେଲେ, ଦେଶରେ ସେଥିପାଇଁ ଉପଯୁକ୍ତ ଭିତ୍ତିଭୂମି ଓ ଆନୁଷଙ୍ଗିକ ବ୍ୟବସ୍ଥାମାନ ଉପସ୍ଥିତ ଥିବା ଆବଶ୍ୟକ। ଜଣାଶୁଣା ଭାବରେ କୃଷିଜାତ ଖାଦ୍ୟପଦାର୍ଥ ରପ୍ତାନି ସମ୍ମୁଖୀନ ହେଉଥିବା ଟାରିଫ୍ ପ୍ରତିବନ୍ଧକ ଯେତିକି ଗୁରୁତ୍ବପୂର୍ଣ୍ଣ ହୋଇଥାଏ, ତା’ ଅପେକ୍ଷା ଅଧିକ ଗୁରୁତ୍ବପୂର୍ଣ୍ଣ ହୋଇଥାଏ ତାହାର ଗୁଣାତ୍ମକ ମାନ ପରୀକ୍ଷା। ଏହି କାରଣରୁ ଭାରତୀୟ ଆମ୍ବ ରପ୍ତାନି ଆମେରିକାରେ କିପରି ପ୍ରତିବନ୍ଧକର ସମ୍ମୁଖୀନ ହୋଇଛି, ତାହା ଜଣାଶୁଣା। ଏଣୁ କୃଷିଜାତ ପଦାର୍ଥର ଗୁଣାତ୍ମକ ମାନ ନିଶ୍ଚିତ ରଖିବା ସହିତ ଏକ ସାବଲୀଳ ଯୋଗାଣ ଶୃଙ୍ଖଳ ନିଶ୍ଚିତ କରିପାରିଲେ ଯାଇ ଭାରତ ଏଭଳି ଟାରିଫ୍ ଉଚ୍ଛେଦରୁ ପୂର୍ଣ୍ଣ ଲାଭ ଉଠାଇ ପାରିବ।