ସୋଭିଏତ ବିଖଣ୍ଡିତ ହୋଇଯିବା ପରେ ସଂପ୍ରତି ତାହାର ସଂପୂର୍ଣ୍ଣ ବିଲୟ ଘଟିଛି ଏବଂ ଶୀତଳ ଯୁଦ୍ଧ କାଳରେ ଗୋଟିଏ ପକ୍ଷଭୁକ୍ତ ଭାରତ, ହଙ୍ଗେରୀ ଏବଂ ପୋଲାଣ୍ଡର ତିନି ଜଣ ମହାକାଶଚାରୀ ଏହି ଆମେରିକୀୟ ମହାକାଶ ଯାନର ଅଭିଯାତ୍ରୀ। ବିଜ୍ଞାନ ଓ ପ୍ରବିଧି କ୍ଷେତ୍ରରେ ଜ୍ଞାନର ବିନିମୟ ଏବଂ ସମ୍ମିଳିତ ପ୍ରଚେଷ୍ଟା ଦୃଷ୍ଟିରୁ ଏହା ଦୃଷ୍ଟାନ୍ତମୂଳକ; ବିଶେଷ କରି ଯେତେବେଳେ ପୃଥିବୀ ଯୁଦ୍ଧ ଓ ସଂତ୍ରାସ ଦ୍ବାରା ବିକ୍ଷୁବ୍‌ଧ ଓ ବିଭାଜିତ!

Advertisment

ସମର, ସଂତ୍ରାସ, ପ୍ରାଣହାନି, ଧ୍ବଂସଲୀଳା, ବିସ୍ଥାପନ, ଶରଣ ଭିକ୍ଷା ଓ ଅହଂକାରୀ ଉପଦ୍ରବ ଦ୍ବାରା ସଂତ୍ରସ୍ତ ବା‌ତାବରଣରେ ଯାହା ଭାରତୀୟମାନଙ୍କ ସକାଶେ ଏକ ବିରଳ ପୁଲକର ହେତୁ ହୋଇଥାଏ, ତାହା ହେଲା ଶୁଭାଂଶୁ ଶୁକ୍ଳ ନାମକ ଜଣେ ତରୁଣ ଭାରତୀୟଙ୍କ ମହାକାଶ ଯାତ୍ରା। ମହାକାଶ ବିଚରଣର ବିରଳତମ ଅନୁଭୂତି ଏବଂ ଉପଲବ୍‌ଧି ହାସଲ କରିବାରେ ସ୍କ୍ବାଡନ ଲିଡର ରାକେଶ ଶର୍ମାଙ୍କ ପରେ ଶୁଭାଂଶୁ ହେଉଛନ୍ତି ଦ୍ବିତୀୟ ଭାରତୀୟ ଏବଂ ଏହି ଦୁଇ ବିଶେଷ ଘଟଣା ମଧ୍ୟରେ ସମୟର ବ୍ୟବଧାନ ହେଉଛି ଦୀର୍ଘ ଏକଚାଳିଶ ବର୍ଷ। କହିବା ବାହୁଲ୍ୟ, ଏହି ଚାରି ଦଶନ୍ଧି ମଧ୍ୟରେ ଭାରତୀୟ ଅର୍ଥନୀତି, ବିଜ୍ଞାନ-ଗବେଷଣା ଏବଂ ପ୍ରଯୁକ୍ତି କ୍ଷେତ୍ରରେ ଅତୁଲ୍ୟ ପରିବର୍ତ୍ତନମାନ ସଂଘଟିତ ହୋଇ ସାରିଲାଣି, ଯଦ୍ଦ୍ବାରା ଏହି ମହାକାଶ ଯାତ୍ରାର ମହତ୍ତ୍ବ ଅନେକ ଗୁଣ ବୃଦ୍ଧି ପାଇଛି। ଏହି ପରିପ୍ରେକ୍ଷୀରେ ଏକ କ୍ଷୁଦ୍ର ଆଲୋଚନା ଏଠାରେ ପ୍ରାସଙ୍ଗିକ ଭଳି ମନେ ହୋଇଥାଏ। 
ପ୍ରକାଶ ଥାଉ କି ‘ଗଗନଯାନ’ ମିସନର ସମ୍ଭାବ୍ୟ ଅଭିଯାତ୍ରୀ ରୂପେ ପ୍ରାରମ୍ଭିକ ଭାବେ ମନୋନୀତ ଚାରି ଜଣ ଭାରତୀୟଙ୍କ ମଧ୍ୟରୁ ଅନ୍ୟତମ ଶୁଭାଂଶୁ ଶୁକ୍ଳଙ୍କ ସକାଶେ ଏହି ସୁଯୋଗ ଅତ୍ୟନ୍ତ ଅପ୍ରତ୍ୟାଶିତ ଥିଲା। ‘ସ୍ପେସ ଏକ୍‌ସ’ର ଡ୍ରାଗନ କ୍ୟାପସୁଲରେ ତାଙ୍କ ସକାଶେ ଆସନଟିଏ ପାଇଁ ‘ଭାରତୀୟ ମହାକାଶ ପ୍ରତିଷ୍ଠାନ’ ବା ‘ଇସ୍ରୋ’ ପକ୍ଷରୁ ପ୍ରଦାନ କରାଯାଇଛି ୫୦୦ କୋଟି ଟଙ୍କା ବା ୫୯ ନିୟୁତ ଡଲାର। ଏହାର କାରଣ ସ୍ପଷ୍ଟ ଯେ ୨୦୨୭ ମସିହାରେ ପରିକଳ୍ପିତ ମାନବ ‘କ୍ରିଉ’ଙ୍କୁ ଘେନି ‘ଗଗନଯାନ’ର ପ୍ରଥମ ଅନ୍ତରୀକ୍ଷ ଯା‌ତ୍ରା କାଳରେ ତହିଁରେ ମହାକାଶ-ଚାରଣ ଅନୁଭୂତି ସଂପନ୍ନ ଅନ୍ତତଃ ଜଣେ ବ୍ୟକ୍ତି ଉପସ୍ଥିତ ଥିବେ। ଏବଂ ଏହି ଯାତ୍ରାରେ ଶୁଭାଂଶୁ ମିସନ ପାଇଲଟ ଭାବେ ବିଶେଷ ଦାୟିତ୍ବ ମଧ୍ୟ ବହନ କରିଛନ୍ତି। କେବଳ ସେତିକି ନୁହେଁ, ‘ଇଣ୍ଟର ନେସନାଲ ସ୍ପେସ ସେଣ୍ଟର’(ଆଇ.ସି.ସି.) ବା ‘ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର’ରେ ପ୍ରବେଶ କରିବାରେ ଶୁଭାଂଶୁ ହେବେ ପ୍ରଥମ ଭାରତୀୟ(ସୁନୀତା ୱିଲିଅମସ ହେଉଛନ୍ତି ଅର୍ଧ-ଭାରତୀୟ ଆମେରିକୀୟ), ଯିଏ ତା‌’ ମଧ୍ୟରେ ଦୁଇ ସପ୍ତାହ ଅବସ୍ଥାନ କରି ସାତଟି ଭାରତୀୟ ଗବେଷଣାର ଅଗ୍ରଗତି ଘଟାଇବେ। ପ୍ରକାଶ ଥାଉ କି ଏହି ମିସନ ମାଧ୍ୟମରେ ‘ଆଇ.ସି.ସି.’ର ‘ମାଇକ୍ରୋ-ଗ୍ରାଭିଟି’ ଅର୍ଥାତ୍ ‘ଅଣୁ-ମାଧ୍ୟାକର୍ଷଣ’ ବା ‘ଅତି କ୍ଷୀଣ ମାଧ୍ୟାକର୍ଷଣ’ର ପରିବେଶରେ ସମୁଦାୟ ଷାଠିଏଟି ପରୀକ୍ଷାନିରୀକ୍ଷା କରାଯିବ। ଶୁଭାଂଶୁ ଯେଉଁମାନଙ୍କ ଗବେଷଣାକୁ ସାଙ୍ଗରେ ନେଇ ଯାତ୍ରା କରିଛନ୍ତି, ସେମାନଙ୍କ ମଧ୍ୟରେ ଅଛନ୍ତି ଅରବିନ୍ଦ ରାମନାଇନ, ସନ୍ଦୀପ ଆଶ୍ରୟ, ସି. ଜୟଲକ୍ଷ୍ମୀ ଓ ଅନୁପ କୁମାରଙ୍କ ଭଳି ବିଶିଷ୍ଟ ବୈଜ୍ଞାନିକ; ଏବଂ ମହାକାଶର ଅତ୍ୟନ୍ତ କ୍ଷୀଣ ମାଧ୍ୟାକର୍ଷଣର ବାତାବରଣରେ ମାଂସପେଶୀର ବିଘଟନ, ବିହନର ଅଙ୍କୁରଣ, ‘ଟାର୍ଡିଗ୍ରେଡ୍‌’ ଭଳି ଅଣୁ ଜଳଚରଙ୍କ ଅବସ୍ଥା ବାବଦରେ ଗୁରୁତ୍ବପୂର୍ଣ୍ଣ ନିଷ୍କର୍ଷମାନ ଉପଲବ୍‌ଧ ହେବ, ଯାହା ଚନ୍ଦ୍ର ପୃଷ୍ଠରେ ମାନବ ଜୀବନଯାପନ ସମ୍ଭବ କରିବା ନେଇ ହେଉଥିବା ଉଦ୍ୟମଗୁଡ଼ିକର ଏକ ଅଂଶ ହେବ। ସେହି ଦୃଷ୍ଟିରୁ ଏ ସବୁ ଗବେଷଣା ଭବିଷ୍ୟଦର୍ଶୀ ଏବଂ ଗଗନଯାନର ଯାତ୍ରା ପୂର୍ବରୁ ‘ଇସ୍ରୋ’ ପକ୍ଷରୁ କାର୍ଯ୍ୟକାରୀ ହେବାକୁ ଥିବା ‘ଜୀବନ୍ତ’ ନାମକ ମିସନର ଏହା ହେଉଛି ପ୍ରଥମ ଅଂଶ। ବୈଜ୍ଞାନିକମାନଙ୍କ ମତରେ ପ୍ରଥମ ଓ ଦ୍ବିତୀୟ ଚନ୍ଦ୍ରଯାନ ଅଭିଯାନରେ ବୈଜ୍ଞାନିକ ପରୀକ୍ଷାନିରୀକ୍ଷାମାନ ଯନ୍ତ୍ରର ଦୃଷ୍ଟି ତଳେ ସମାହିତ ହୋଇଛି, ଯାହା ପ୍ରଥମ ଥର ଲାଗି ଜଣେ ମାନବର ସଂବେଦନଶୀଳ ଚକ୍ଷୁ ତଳେ ସଂପନ୍ନ ହେବ, ଯାହା ଖୁବ୍‌ ମହତ୍ତ୍ବପୂର୍ଣ୍ଣ। ଏହା ସୁବିଦିତ ଯେ ଭାରତୀୟ ମହାକାଶ ଗବେଷଣା ଇତିମଧ୍ୟରେ ବିଶେଷ ସଫଳତା ଲାଭ କରି କତିପୟ କ୍ଷେତ୍ରରେ ପୃଥିବୀର ଶ୍ରେଷ୍ଠ ଛଅଟି ଦେଶଙ୍କ କ୍ଲବରେ ସାମିଲ ହୋଇ ସାରିଛି। ଏହି କ୍ରମରେ ୨୦୩୫ ମସିହା ସୁଦ୍ଧା ମହାକାଶରେ ସ୍ଥାୟୀ ଗବେଷଣା କେନ୍ଦ୍ର ସ୍ଥାପନ ବା ୨୦୪୦ ମସିହା ଚନ୍ଦ୍ରପୃଷ୍ଠରେ ମାନବ ଅବତରଣ ଭଳି ଲକ୍ଷ୍ୟରେ ଭାରତର ମହାକାଶ ଗବେଷଣା ଅଗ୍ରସର ହେଉଛି। ଯଦିଓ ଅନେକ ଭାରତୀୟଙ୍କ ମତରେ ଏଭଳି ଲକ୍ଷ୍ୟମାନ ଅତ୍ୟନ୍ତ ଉଚ୍ଚାଭିଳାଷୀ, ତଥାପି ଯେତେ ସୁଦୂରପରାହତ ଭଳି ବୋଧ ହେଉଥିଲେ ହେଁ କୌଣସି ସ୍ବପ୍ନକୁ ଚରିତାର୍ଥ କରିବା ଲାଗି ଯେଉଁ ଅଗ୍ରସରୀ ପଦକ୍ଷେପ ଲୋଡ଼ା, ଏହି ମହାକାଶ ଅଭିଯାନ ଯେ ସେଭଳି ଗୋଟିଏ, ଏଥିରେ ମଧ୍ୟ ଦ୍ବିମତ ହେବାର କାରଣ ନାହିଁ।
ଷଷ୍ଠ-ସପ୍ତମ ଦଶକରେ ରକେଟର ଅବୟବାଂଶମାନ ସାଇକେଲ କ୍ୟାରିଅରରେ ଲଦା ହୋଇ ଗୋଟିଏ ନିର୍ମାଣ ସ୍ଥଳରୁ ଆଉ ଏକ ନିର୍ମାଣ ସ୍ଥଳକୁ ଯିବା ଭଳି ସ୍ଥିତିରୁ ଆରମ୍ଭ କରି ୨୦୨୩ ମସିହାରେ ମସିହାରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-୨ର ବିରଳ ଓ ସଫଳ ଅବତରଣ ପର୍ଯ୍ୟନ୍ତ ଘଟଣାକ୍ରମ ହେଉଛି ‘ଇସ୍ରୋ’ର ଅକ୍ଳାନ୍ତ ଜୟ ଯାତ୍ରାର ପ୍ରମାଣ। ସଂପ୍ରତି ଭାରତୀୟ ମହାକାଶ ଅର୍ଥନୀତିର ଆକର ହେଉଛି ୮ ବିଲିଅନ ଡଲାର, ଯାହା ୨୦୩୩ ମସିହା ସୁଦ୍ଧା ୪୪ ବିଲିଅନ ଡଲାରରେ ପହଞ୍ଚିବ ବୋଲି ଆକଳନ କରାଯାଇଥାଏ। ଏହା ସର୍ବଜନବିଦିତ ଯେ ଇତି ମଧ୍ୟରେ ମହାକାଶ ଗବେଷଣା ଅତ୍ୟନ୍ତ ଅତିକାୟ ରୂପ ପରିଗ୍ରହଣ କରିଛି, ଯହିଁରେ ବୃହଦାକାୟ ଘରୋଇ ଉଦ୍ୟୋଗମାନଙ୍କ ପ୍ରବେଶ ଘଟିଲାଣି, ଯେମିତି ଏହି ଯାତ୍ରା ସହିତ ‘ନାସା’ ବା ‘ଇସ୍ରା’ ଅଥବା ‘ୟୁରୋପୀୟ ସଂଘ ମହାକାଶ ପ୍ରତିଷ୍ଠାନ’ ଇତ୍ୟାଦି ଭଳି ସରକାରୀ ଅନୁଷ୍ଠାନ ସଂଶ୍ଳିଷ୍ଟ ଥିବା ବେଳେ ଏହାର ପରିଚାଳନାକାରୀ ‘ଆକ୍‌ସିମ-୪’ ବା ଏହି ଯାତ୍ରା‌ ଲାଗି ବ୍ୟବହୃତ ହେଉଥିବା ଯାନ ‘ସ୍ପେସ୍ ଏକ୍‌ସ’ ଇତ୍ୟାଦି ହେଉଛନ୍ତି ଘରୋଇ ଉଦ୍ୟୋଗ। ଉଲ୍ଲେଖଯୋଗ୍ୟ ଯେ ସଂପ୍ରତି ମହାକାଶ ପ୍ରଯୁକ୍ତି ଓ ଗବେଷଣାରେ ନିମଗ୍ନ ଅଛନ୍ତି ପ୍ରାୟ ଦୁଇଶହ ସରିକି ଭାରତୀୟ ଷ୍ଟାର୍ଟ‌ଅପ୍‌। ୧୯୮୪ ମସିହାରେ ସୋଭିଏତ୍‌ ପ୍ରେରିତ ‘ସୋୟୁଜ ଟି ୧୧’ ମହାକାଶ ଯାନରେ ରାକେଶ ଶର୍ମାଙ୍କ ମହାକାଶ ଭ୍ରମଣ କାଳରେ ସେଭିଏତ ରୁଷିଆ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ଚାଲିଥିବା ଉତ୍କର୍ଷର ତୀବ୍ର ପ୍ରତିଦ୍ବନ୍ଦ୍ବିତା ତତ୍କାଳୀନ ଶୀତଳ ଯୁଦ୍ଧର ବାତାବରଣକୁ ଉଷ୍ଣ କରି ରଖିଥିଲା। ସୋଭିଏତ ବିଖଣ୍ଡିତ ହୋଇଯିବା ପରେ ସଂପ୍ରତି ତାହାର ସଂପୂର୍ଣ୍ଣ ବିଲୟ ଘଟିଛି ଏବଂ ଶୀତଳ ଯୁଦ୍ଧ କାଳରେ ଗୋଟିଏ ପକ୍ଷଭୁକ୍ତ ଭାରତ, ହଙ୍ଗେରୀ ଏବଂ ପୋଲାଣ୍ଡର ତିନି ଜଣ ମହାକାଶଚାରୀ ଏହି ଆମେରିକୀୟ ମହାକାଶ ଯାନର ଅଭିଯାତ୍ରୀ। ବିଜ୍ଞାନ ଓ ପ୍ରବିଧି କ୍ଷେତ୍ରରେ ଜ୍ଞାନର ବିନିମୟ ଏବଂ ସମ୍ମିଳିତ ପ୍ରଚେଷ୍ଟା ଦୃଷ୍ଟିରୁ ଏହା ଦୃଷ୍ଟାନ୍ତମୂଳକ; ବିଶେଷ କରି ଯେତେବେଳେ ପୃଥିବୀ ଯୁଦ୍ଧ ଓ ସଂତ୍ରାସ ଦ୍ବାରା ବିକ୍ଷୁବ୍‌ଧ ଓ ବିଭାଜିତ!
ସ୍ଥାନ, କାଳ ଓ ପାତ୍ର ନିର୍ବିଶେଷରେ ସମସ୍ତ ମହାକାଶଚାରୀ ଏକମତ ହୁଅନ୍ତି ଯେ ପୃଥିବୀର ଗୁରୁତ୍ବ-ଆକର୍ଷଣ(ମାଧ୍ୟାକର୍ଷଣ)କୁ ଛିନ୍ନ କରି ମହାକାଶ ମଣ୍ଡଳରେ ପ୍ରବେଶ କଲା ପରେ ଅନ୍ତହୀନ ଅନ୍ତରୀକ୍ଷ ସମକ୍ଷରେ ମନୁଷ୍ୟ ସହସା ସଂପୂର୍ଣ୍ଣ ବିନମ୍ର ହେବାକୁ ବାଧ୍ୟ ହୁଏ। ମହାଜାଗତିକ ପିଣ୍ଡଗୁଡ଼ିକର ଆକାର ତୁଳନାରେ ପୃଥିବୀ ଏକ ଧୂଳିକଣା ଠାରୁ ମଧ୍ୟ କ୍ଷୁଦ୍ରତର ଏବଂ ମନୁଷ୍ୟ ଏକ ସତ୍ତାହୀନ ଉପସ୍ଥିତି ମାତ୍ର! ‘ଆଇ.ସି.ସି.’ରୁ ଶୁଭାଂଶୁ ଶୁକ୍ଳଙ୍କୁ ପୃଥିବୀ ଏକ ସୁନୀଳ ଶାନ୍ତ ଗ୍ରହ ଭଳି ଦିଶିବ ଏବଂ ଏହି ଶିଷ୍ଟ-ଦର୍ଶନ ଗ୍ରହ ସଂପ୍ରତି ଏକ ଜ୍ବଳନ୍ତ ପିଣ୍ଡରେ ପରିଣତ ହୋଇଥିବା ଭଳି ବିଷୟ ତାଙ୍କୁ ବିଚଳିତ ମଧ୍ୟ କରିପାରେ। କହିବା ବାହୁଲ୍ୟ ଯେ ମୁଷ୍ଟିମେୟ ରାଷ୍ଟ୍ର ନେତା ସେମାନଙ୍କ ଗୁରୁତ୍ବର ଅହମିକାରେ ଲୀନ ହୋଇ ପୃଥିବୀକୁ ଏଭଳି ଦୁର୍ଦଶା ମଧ୍ୟକୁ ନିକ୍ଷେପ କରିଛନ୍ତି। କିନ୍ତୁ ସୀମିତ ଧରାଲୋକର ବନ୍ଦୀମାନେ ଏହାର ‘ଗୁରୁତ୍ବ-ଆକର୍ଷଣ’କୁ ଅତିକ୍ରମ କରି ନିଜର ଅକିଞ୍ଚନତାକୁ ଅନୁଭବ କଲେ ସିନା ଅନନ୍ୟ ବିନମ୍ର ବୋଧର ଅଧିକାରୀ ହୁଅନ୍ତେ?