ଦୀର୍ଘାୟୁ ହେବା ଅନେକ ବାହ୍ୟ କାରଣ ଉପରେ ନିର୍ଭରଶୀଳ ସିନା, ସମଗ୍ର ଆୟୁଷ ମୋଟାମୋଟି ନିରୋଗ ରହିପାରିବା ହୁଏତ ସମ୍ଭବ। ଏବଂ ରୋଗ ଦ୍ବାରା ଶରୀର ଜୀର୍ଣ୍ଣ ନ ହେଲେ ଉପହାର ସ୍ବରୂପ ଅତିରିକ୍ତ ଆୟୁଷ ମଧ୍ୟ ମିଳିଯାଇପାରେ। କିନ୍ତୁ ଏଥି ଲାଗି ଯାହା ସର୍ବପ୍ରଥମ ଆବଶ୍ୟକତା, ତାହା ହେଲା ଖାଦ୍ୟପେୟ, ବ୍ୟାୟାମ, ଶୃଙ୍ଖଳା ଓ ଉତ୍ସାହ; ସବୁଥିରେ ମାତ୍ରାତିରିକ୍ତତାର ବର୍ଜନ; ଉପଯୁକ୍ତ ଜ୍ଞାନ ଓ ସାଧାରଣ ବୋଧର ପ୍ରୟୋଗ, ଗୁରୁ ବା ପଥ ପ୍ରଦର୍ଶକ ଚୟନରେ ସତର୍କତା ଓ ଶେଷର ନିଜ ଲାଗି ବାସ୍ତବବାଦୀ ଲକ୍ଷ୍ୟ ସ୍ଥିର କରି ତାହା ପୂରଣ କରିବା ଦିଗରେ ପ୍ରୟାସ। ସୁସ୍ଥ ଜୀବନର ଆଲୋକ ଲାଗି ଆଜିର ଦୀପାବଳି ଅବସରରେ ଏହା ହିଁ ଅନୁଚିନ୍ତା ହେଉ।
ଉତ୍ତମ ସ୍ବାସ୍ଥ୍ୟ, ଫିଟନେସ ଓ ଅଙ୍ଗ ସୌଷ୍ଠବ ନିର୍ମାଣ ଭଳି ବିଷୟରେ ଆଗ୍ରହୀ, ସଂଶ୍ଳିଷ୍ଟ ଓ ଲିପ୍ତ ଯେଉଁ ଅସୁମାରି ଭାରତୀୟ ଗଲା ୯ ତାରିଖରେ ସହସା ହତଭମ୍ବ ହୋଇପଡ଼ିଲେ, ତା’ର କାରଣ ଥିଲା ‘ବଡି ବିଲ୍ଡିଂ’ କ୍ଷେତ୍ରରେ କିଂବଦନ୍ତି ପାଲଟି ଥିିବା ବରେନ୍ଦର ସିଂହ ଘୁମନଙ୍କ ମାତ୍ର ୪୧ ବର୍ଷ ବୟସରେ ହୃଦ୍ଘାତ କାରଣରୁ ମୃତ୍ୟୁ। ଅବଶ୍ୟ, ମୂଳରୁ ସ୍ପଷ୍ଟ ହୋଇଯିବା ଆବଶ୍ୟକ ଯେ ତାଙ୍କ ବାହୁର ମାଂସେପଶୀ(ବାଇସେପ୍)ରେ ହେଉଥିବା ଯନ୍ତ୍ରଣା ଲାଘବ ସକାଶେ ତାଙ୍କ ଠାରେ ଏକ ସରଳ ଓ ସଫଳ ଅସ୍ତ୍ରୋପଚାର କରାଯାଇଥିଲେ ହେଁ ନିଶ୍ଚେତକର ପ୍ରଭାବରୁ ମୁକ୍ତ ହେଉଥିବା ସମୟରେ ଏଭଳି ଘଟିଥିଲା। ପ୍ରକାଶ ଥାଉ କି ‘ବଡ଼ି ବିଲଡର’ ଏବଂ ଅଭିନେତା ଘୁମନଙ୍କ ପ୍ରଶଂସକ ଓ ଅନୁଗାମୀଙ୍କ ସଂଖ୍ୟା ଭାରତ ଓ ବିଦେଶରେ ଅସଂଖ୍ୟ, ଯେଉଁମାନେ ତାଙ୍କୁ ‘ଫିଟନେସ ଆଇକନ୍’ ଭାବେ ଦେଖି ଅାସୁଥିଲେ। ପେସାଦାର ‘ବଡି ବିଲଡିଂ’ ପ୍ରତିଯୋଗିତାରେ ସେ ଅସାଧାରଣ କୃତିତ୍ବ ମଧ୍ୟ ପ୍ରଦର୍ଶନ କରିଥିଲେ। ତେବେ, ତାଙ୍କ ପରାକାଷ୍ଠାର ଶୀର୍ଷତମ ସ୍ବୀକୃତି ଥିଲା ଏସୀୟ ବଜାରରେ ଲୋକପ୍ରିୟ କରିବା ସକାଶେ କେତେକ ନିର୍ଦ୍ଦିଷ୍ଟ ବ୍ରାଣ୍ଡର ‘ଆମ୍ବାସଡର’ ଭାବେ ପୃଥିବୀ ପ୍ରସିଦ୍ଧ ବଡି ବିଲଡର ଓ ହଲିଉଡ୍ ଅଭିନେତା(କାଲିଫର୍ନିଆ ରାଜ୍ୟର ପୂର୍ବତନ ଗଭର୍ନର ମଧ୍ୟ) ଆରେନାଲ୍ଡ ସ୍କ୍ବାଜନେଗରଙ୍କ ଦ୍ବାରା ଘୁମନଙ୍କ ଚୟନ। ସୁତରାଂ, ଘୁମନଙ୍କ ଦେହାବସାନ ପରେ ଉତ୍ତମ ସ୍ବାସ୍ଥ୍ୟ, ଫିଟନେସ ଓ ବଡି ବିଲ୍ଡିଂ ଭଳି ବିଷୟକୁ ନେଇ ସାମାଜିକ ଗଣମାଧ୍ୟମରେ ତୁମୂଳ ଆଲୋଚନା ଦେଖିବାକୁ ମିଳିଛି। ଏହି ପରିପ୍ରେକ୍ଷୀରେ ଉପର ବର୍ଣ୍ଣିତ କ୍ଷେତ୍ରଗୁଡ଼ିକୁ ଘୋଟି ରହିଥିବା ବିଭ୍ରାନ୍ତି ଏବଂ ଭ୍ରାନ୍ତ ଧାରଣାକୁ ଦୂର କରିବା ଗୁରୁତ୍ବପୂର୍ଣ୍ଣ ହୋଇଥାଏ, କାରଣ ସୁନ୍ଦର ଅଙ୍ଗ ସୌଷ୍ଠବ ଆହରଣର ମାୟାରେ ସମ୍ମୋହିତ ଏକ ବିଶାଳ ବର୍ଗ ପାସୋରି ଯାଇଛନ୍ତି ଯେ ଏହା ସର୍ବଦା ଉତ୍ତମ ସ୍ବାସ୍ଥ୍ୟ ବା ଫିଟନେସର ପରିଚାୟକ ହୋଇ ନ ଥାଏ।
ଉତ୍ତମ ସ୍ବାସ୍ଥ୍ୟ ବୋଇଲେ ଏକ ନିରୋଗ ଜୀବନ, ଯାହା ଏକାଧିକ କାରଣରୁ ସମ୍ଭବ ହୋଇପାରେ, ଯେମିତି କି ଶୃଙ୍ଖଳିତ ଓ କର୍ମଠ ଜୀବନଯାପନ(ସମ୍ୟକ୍ ଆହାର ବିହାର ସହିତ), ମାନସିକ ଚାପକୁ ସୀମିତ କରି ରଖିବାର ସାମର୍ଥ୍ୟ, ଜନ୍ମଗତ ଭାବେ ଆହୃତ ‘ଜେନେଟିକ’ ବା ଆନୁବଂଶିକ ଉପହାର ଇତ୍ୟାଦି। କିଛି ଲୋକ ହୁଏତ ସେମାନଙ୍କ ଦୈନନ୍ଦିନ ସ୍ବାଭାବିକ କାର୍ଯ୍ୟକଳାପରେ ଶରୀର ଚାଳନାକୁ ମହତ୍ତ୍ବ ଦେଇ ଅତିରିକ୍ତ ବ୍ୟାୟାମ ଲୋଡ଼ି ନ ଥାଆନ୍ତି; କିନ୍ତୁ ଯନ୍ତ୍ର ନିର୍ଭର ସାଂପ୍ରତିକ ସମୟରେ ଅତ୍ୟନ୍ତ ନିଷ୍କ୍ରିୟ ଓ ସ୍ଥାଣୁ ଜୀବନଯାନ କରୁଥିବା ଅଧିକାଂଶ ଲୋକଙ୍କ ଲାଗି ବ୍ୟାୟାମ ଯେ ଅପରିହାର୍ଯ୍ୟ ଏ ନେଇ କୌଣସି ଦ୍ବିମତ ନାହିଁ। ଏହି କାରଣରୁ ସଂପ୍ରତି ଆମ ଦେଶରେ ଲକ୍ଷ ଲକ୍ଷ ଲୋକ ‘ଜିମନାସିଅମ’ ବା ଜିମ୍ରେ ନିୟମିତ ବ୍ୟାୟାମରେ ବ୍ରତୀ ହୋଇ ଉତ୍ତମ ସ୍ବାସ୍ଥ୍ୟର ଆଲୋକିତ ଇଲାକାରେ ପ୍ରବେଶ କରିବାକୁ ବ୍ୟଗ୍ର। ଏଭଳି ଚାହିଦାର ସୁଯୋଗ ନେଇ ଏକ ଅତ୍ୟନ୍ତ ବିଶାଳ ବ୍ୟବସାୟ ମଧ୍ୟ ସୃଷ୍ଟି ହେଲାଣି, ଯାହାର ଅତିକାୟତା କେବଳ ଏଥିରୁ ହୃଦ୍ବୋଧ କରି ହେବ ଯେ ୨୦୨୪ ମସିହାରେ ଆମ ଦେଶରେ ଫିଟନେସ ଉଦ୍ୟୋଗର ମୂଲ୍ୟ ଥିଲା ୧.୯୪ ବିଲିଅନ ଡଲାର(୧୬,୨୦୦ କୋଟି ଟଙ୍କା); ଜିମ୍, ବ୍ୟାୟାମ ଉପକରଣ ଏବଂ ନ୍ୟୁଟ୍ରିସନ ଓ ସପ୍ଲିମେଣ୍ଟ(ପ୍ରୋଟିନ ପାଉଡର ବା କ୍ରିଏଟିନ ବା ଷ୍ଟେରୋଏଡ୍) ଇତ୍ୟାଦିର କାରବାର ମୂଲ୍ୟ ଥିଲା ଯଥାକ୍ରମେ ୪୯୦.୬୩ ମିଲିଅନ(ନିୟୁତ), ୪.୮୮ ବିଲିଅନ ଏବଂ ୧.୭୯ ବିଲିଅନ ଡଲାର(ଡେଲଏଟ ଇଣ୍ଡିଆ ଫିଟନେସ ମାର୍କେଟ ରିପୋର୍ଟ-୨୦୨୫)। ଅନୁମାନ କରାଯାଉଛି ଯେ ଏହି ଉଦ୍ୟୋଗର ଆକାର ୨୦୩୦ ମସିହା ସୁଦ୍ଧା ୨ ଗୁଣ ହୋଇଯାଇପାରେ। କିନ୍ତୁ, ଏଭଳି ସ୍ଥଳେ ପ୍ରଶ୍ନଟିଏ ଉଠିଥାଏ ଯେ ଏଭଳି ସୂତ୍ରରେ ଉତ୍ତମ ସ୍ବାସ୍ଥ୍ୟ ଓ ଫିଟନେସ ଲାଭ କରିବାର କୌଣସି ଗ୍ୟାରେଣ୍ଟି ଥାଏ କି?
ଏହାର ଉତ୍ତର ଏକ-ପଦୀ ‘ହଁ’ ବା ‘ନାଁ’ ଦ୍ବାରା ସ୍ପଷ୍ଟ ହେବା ସମ୍ଭବ ନୁହେଁ; କାରଣ ତାହା ଏକ ଧୂସର ଇଲାକାରେ ରହିଥାଏ। ପ୍ରକୃତ କଥା ହେଲା ଯେ ଜଣେ ନିୟମିତ ଜିମ ଗମନକାରୀ ବା ବ୍ୟାୟାମକାରୀଙ୍କ ପକ୍ଷରେ ଉତ୍ତମ ସ୍ବାସ୍ଥ୍ୟ କି ଫିଟନେସ ଲାଭ କରିବା ନିର୍ଭର କରିବ ସେହି ବ୍ୟକ୍ତିଙ୍କ ଆଭିମୁଖ୍ୟ ଓ ଆଚରଣ ଉପରେ, ଅର୍ଥାତ୍ ତାଙ୍କ ଲକ୍ଷ୍ୟ କ’ଣ ଏବଂ ପ୍ରକୃତରେ ସେ କ’ଣ ହେବାକୁ ଉଦ୍ଗ୍ରୀବ, ତା’ ଉପରେ। ଧରି ନିଆଯାଉ ମେଦବହୁଳତା ହ୍ରାସ କରିବା ଲାଗି ଜିମକୁ ଯାଇଥିବା ଜଣେ ଯୁବକ ତହିଁରେ ସଫଳ ହେବା ପରେ ନିଜ ଶରୀରକୁ ସେହିଭଳି ରଖିବାରେ ସନ୍ତୁଷ୍ଟ ନ ହୋଇ ସେହି ଜିମ୍ରେ ବିଚରଣ କରୁଥିବା ଅତି-ମାନବୀୟ ଭାବେ ବପୁବନ୍ତମାନଙ୍କ ଦ୍ବାରା ବିମୋହିତ ହୋଇ ହୁଏତ ସେମାନଙ୍କ ମଧ୍ୟରୁ ଜଣେ ହେବାକୁ ଚାହିଁପାରେ। କିନ୍ତୁ ସେ ଭଳି ହୋଇପାରିବା ପଛରେ ଥିବା ଦୀର୍ଘକାଳୀନ ସଘନ ଶ୍ରମ ସକାଶେ ଧୈର୍ଯ୍ୟ ନ ଦେଖାଇ ଦ୍ରୁତ ସଫଳତା ନିମନ୍ତେ ଅର୍ବାଚୀନ ଓ ଅନେକ ସମୟରେ ଅଜ୍ଞ ଜିମ୍ ପ୍ରଶିକ୍ଷକଙ୍କ ପରାମର୍ଶ ଅନୁସାରେ ଶୃୃଙ୍ଖଳାହୀନ ଭାବେ ମାତ୍ରାତିରିକ୍ତ ମାଂସପେଶୀ-ବର୍ଦ୍ଧକ ଷ୍ଟେରୋଏଡ୍ ବା ସପ୍ଲିମେଣ୍ଟ ଆଦି ସେବନ କରି ଶରୀରର ସୂକ୍ଷ୍ମ ବ୍ୟବସ୍ଥାକୁ ଉଜାଡ଼ି ଦେଇପାରେ! ଏବଂ ବିଡ଼ମ୍ବନାଟି ହେଲା ଅଇନାରେ ସୁନ୍ଦର ଭାବେ ପ୍ରସ୍ଫୁଟିତ ଶରୀର ସୌଷ୍ଠବ ଦେଖି ସେ କିଭଳି ଫିଟ୍ ତାହା ଭାବି ଆତ୍ମହରା ହେଉଥିବା ବେଳେ ତା ଶରୀରାଭ୍ୟନ୍ତରଟି ତା’ ଅଲକ୍ଷ୍ୟରେ ଭୁଶୁଡ଼ି ପଡ଼ିବା ଭଳି ସ୍ଥିତିକୁ ଆସିଯାଇଥାଇପାରେ। ଦୁର୍ଭାଗ୍ୟର ବିଷୟ ଯେ ସଂପ୍ରତି ଅସଂଖ୍ୟ ଅସଚେତନ ଯୁବକଯୁବତୀଙ୍କ ଲାଗି ଏହା ହିଁ ନିୟତି ହୋଇଛି, ଅଥଚ ଫିଟନେସର ମୂର୍ତ୍ତିମନ୍ତ ଅବତାର ରୂପେ ସେହିମାନଙ୍କୁ ଗଣତି କରାଯାଉଛି ଏବଂ ସାମାଜିକ ଗଣମାଧ୍ୟମରେ ପ୍ରଭାବ ବିସ୍ତାରକାରୀ ଭାବେ ସେମାନେ ଭରପୂର। ଅବଶ୍ୟ, ପେସାଦାର ପୋଖତ ‘ବଡି ବିଲଡର’ମାନେ ଷ୍ଟେରୋଏଡ ଓ ସପ୍ଲିମେଣ୍ଟ ନିଅନ୍ତି; କିନ୍ତୁ ପ୍ରାୟତଃ ଗବେଷଣାଳବ୍ଧ ଜ୍ଞାନ, ଶୃଙ୍ଖଳା ଓ ଚିକିତ୍ସାବିଜ୍ଞାନୀମାନଙ୍କ ଉପଦେଶର ଅନୁସରଣ କରନ୍ତି; ତଥାପି ମାତ୍ରାଧିକତା ହେତୁ ଅନେକ କିଂବଦନ୍ତୀୟ ‘ବଡି ବିଲଡର’ ଯୌବନରେ ଅକର୍ମଣ୍ୟ ହୋଇଯାଇଛନ୍ତି, ଯେମିତି ରନି କଲମାନ ବା ଅକାଳରେ ମୃତ୍ୟୁ ଲଭିଛନ୍ତି ଯେମିତି ଡାଲାସ ମାକାର୍ଭର।
୨୦୧୭ ମସିହାରେ ମାତ୍ର ୨୬ ବର୍ଷ ବୟସରେ ହୃଦ୍ଘାତରେ ମୃତ୍ୟୁ ବରଣ କରିଥିବା ମାକାର୍ଭରଙ୍କ ହୃତ୍ପିଣ୍ଡର ଓଜନ ଥିଲା ଅବିଶ୍ବସନୀୟ ଭାବେ ୮୦୦ ଗ୍ରାମ; ସାଧାରଣ ଠାରୁ ତିନି ଗୁଣ ଅଧିକ। ହୃତ୍ପିଣ୍ଡର ଆକାର ବୃଦ୍ଧି ପାଇବା ଭଳି ସ୍ଥିତିକୁ ଡାକ୍ତରୀ ଭାଷାରେ କୁହାଯାଏ ‘ଲେଫ୍ଟ ଭେଂଟ୍ରିକୁଲାର ହାଇପୋଟ୍ରୋଫି’, ଯାହା ସମସ୍ତ ଖେଳାଳି, ସନ୍ତରଣକାରୀ ଓ ନିୟମିତ ବ୍ୟାୟାମକାରୀଙ୍କ ଠାରେ ଦେଖାଯାଇଥାଏ। ଏହାର କାରଣ ଦୌଡ଼ାଦୌଡ଼ି ଓ ବ୍ୟାୟାମ ଆଦି ହେତୁ ଅଧିକ ସଂଚାଳିତ ହେଉଥିବା ହୃତ୍ପିଣ୍ଡଟି ସ୍ବୟଂ ଏକ ମାଂସପେଶୀ ହୋଇଥିବାରୁ ସ୍ବାଭାବିକ ଭାବେ ସ୍ଫୀତ ହୋଇଯାଏ, ଯାହା କିନ୍ତୁ ଚିନ୍ତାର କାରଣ ହୋଇ ନ ଥାଏ। କିନ୍ତୁ ଯଦି ରୋଗ କିମ୍ବା ଔଷଧ ଇତ୍ୟାଦି ଭଳି କାରଣରୁ ଏଭଳି ସ୍ଥିତି ଉପୁଜେ, ତେବେ ତାହା ଉଦ୍ବେଗର କାରଣ ହୁଏ। ଡାଲାସ ମାକାର୍ଭରଙ୍କ ଭଳି ଅନେକ ସୁଖ୍ୟାତ ପେସାଦାର ‘ବଡି ବିଲଡର’ ପ୍ରତିଦ୍ବନ୍ଦ୍ବତାରେ ଜିତିବାର ଆଗ୍ରହାତିଶଯ୍ୟରେ ‘ଆନାବୋଲିକ ଷ୍ଟେରୋଏଡ୍’ର ମାତ୍ରାତିରିକ୍ତ ବ୍ୟବହାର କରି ମାଂସପେଶୀ ସ୍ଫୀତ କଲା ବେଳକୁ ହୃତ୍ପିଣ୍ଡର ଆକାର ବୃଦ୍ଧି ପାଇବା ସହିତ ନମନୀୟତାରେ ହ୍ରାସ ଘଟି ବିପଜ୍ଜନକ ସ୍ଥିତି ସୃଷ୍ଟି କରିଥାଏ। କିନ୍ତୁ ଏହି କାରଣରୁ ଜିମ୍ ବା ନିୟମିତ ବ୍ୟାୟାମ ସନ୍ଦେହର ପାତ୍ର ହେବା ସଂପୂର୍ଣ୍ଣ ଅଯୌକ୍ତିକ; ଏବଂ ଯାହା ଦୋଷଦୁଷ୍ଟ ହେବାକୁ ଯୋଗ୍ୟ ତାହା ହେଲା ଅଜ୍ଞତା, ସାଧାରଣ ବୋଧର ଅଭାବ ଏବଂ ମାତ୍ରାତିରିକ୍ତତା।
ଏକ ନିରୋଗ ଓ ସୁସ୍ଥ ଜୀବନ ସମସ୍ତଙ୍କର କାମ୍ୟ ହୋଇଥିଲେ ହେଁ ତାହା ପାଇବା ଲାଗି ମାତ୍ରାତିରିକ୍ତ ଆଗ୍ରହ ଓ ପଦକ୍ଷେପ ଦ୍ବାରା ତହିଁରେ ଅନ୍ତରାୟ ସୃଷ୍ଟି ହୋଇଥାଏ। ଏହା ଏକ ସାଧାରଣ କଥା ନୁହେଁ କି ଯେ ରକ୍ତଚାପକୁ ନିୟନ୍ତ୍ରଣରେ ରଖିବା ଲାଗି ଅଧିକ ଲୁଣ ଖାଇବା ନେଇ ଡାକ୍ତରୀ ବାରଣ ରୂପ ନେଇଥାଏ ଲବଣର ସଂପୂର୍ଣ୍ଣ ପରିତ୍ୟାଗରେ ଓ ପରିଣାମ ସ୍ବରୂପ ‘ଇଲେକ୍ଟ୍ରୋଲାଇଟ୍ସ’ ଅସନ୍ତୁଳନ ଭଳି ଗୁରୁତର ବିପଦ ବରଣ କରିବାରେ? ସତ କଥାଟି ହେଲା, ଦୀର୍ଘାୟୁ ହେବା ଅନେକ ବାହ୍ୟ କାରଣ ଉପରେ ନିର୍ଭରଶୀଳ ସିନା, ସମଗ୍ର ଆୟୁଷ ମୋଟାମୋଟି ନିରୋଗ ରହିପାରିବା ହୁଏତ ସମ୍ଭବ। ଏବଂ ରୋଗ ଦ୍ବାରା ଶରୀର ଜୀର୍ଣ୍ଣ ନ ହେଲେ ଉପହାର ସ୍ବରୂପ ଅତିରିକ୍ତ ଆୟୁଷ ମଧ୍ୟ ମିଳିଯାଇପାରେ। କିନ୍ତୁ ଏଥି ଲାଗି ଯାହା ସର୍ବପ୍ରଥମ ଆବଶ୍ୟକତା, ତାହା ହେଲା ଖାଦ୍ୟପେୟ, ବ୍ୟାୟାମ, ଶୃଙ୍ଖଳା ଓ ଉତ୍ସାହ; ସବୁଥିରେ ମାତ୍ରାତିରିକ୍ତତାର ବର୍ଜନ; ଉପଯୁକ୍ତ ଜ୍ଞାନ ଓ ସାଧାରଣ ବୋଧର ପ୍ରୟୋଗ, ଗୁରୁ ବା ପଥ ପ୍ରଦର୍ଶକ ଚୟନରେ ସତର୍କତା ଓ ଶେଷର ନିଜ ଲାଗି ବାସ୍ତବବାଦୀ ଲକ୍ଷ୍ୟ ସ୍ଥିର କରି ତାହା ପୂରଣ କରିବା ଦିଗରେ ପ୍ରୟାସ। ସୁସ୍ଥ ଜୀବନର ଆଲୋକ ଲାଗି ଆଜିର ଦୀପାବଳି ଅବସରରେ ଏହା ହିଁ ଅନୁଚିନ୍ତା ହେଉ।