ୱର୍ଲଡ୍ ବ୍ୟାଙ୍କ୍‌ର ଅନ୍ୟ ଏକ ରିପୋର୍ଟ ଅନୁସାରେ ୨୦୧୧-୧୨ରୁ ୨୦୨୨-୨୩ ମଧ୍ୟରେ ଚରମ ଦାରିଦ୍ର୍ୟରେ କାଳାତିପାତ କରୁଥିବା (ମୁଣ୍ଡପିଛା ଦିନକୁ ୨.୧୫ ଡଲାର୍‌ରୁ କମ୍) ଭାରତର ଜନସଂଖ୍ୟାର ଅଂଶ ୧୬.୨%ରୁ ହ୍ରାସ ପାଇ ହୋଇଥିଲା ୨.୩ ଶତାଂଶ। ଚରମ ଦାରିଦ୍ର୍ୟର ସଂଶୋଧିତ ସୀମାରେଖା ଦୈନିକ ୩ ଡଲାର୍ ଅନୁସାରେ ମଧ୍ୟ ୨୦୨୨-୨୩ରେ ଭାରତର ଜନସଂଖ୍ୟାରେ ଏଭଳି ଦରିଦ୍ରମାନଙ୍କର ଅନୁପାତ ଥିଲା ଏକ ଅପେକ୍ଷାକୃତ ନୀଚା ୫.୩%।

Advertisment

ଅଷ୍ଟାଦଶ ଶତାବ୍ଦୀର ମହାନ ସ୍ବିସ୍ ଦାର୍ଶନିକ ରୁଷୋଙ୍କର ଅନ୍ୟତମ ପ୍ରସିଦ୍ଧ ରଚନା ହେଉଛି ‘‘ଏ ଡିସ୍‌କୋର୍ସ ଅନ୍ ଇନ୍‌ଇକ୍ବାଲିଟି’’ (‘‘ବିଷମତା ଉପରେ ଏକ ଚର୍ଚ୍ଚା’’)। ଏଥିରେ ରୁଷୋ ଯାହାକୁ ଆଧୁନିକ ସମାଜରେ ଦେଖାଯାଉଥିବା (ତାଙ୍କ ପାଇଁ ଅଷ୍ଟାଦଶ ଶତାବ୍ଦୀ ଥିଲା ଆଧୁନିକ ସମୟ) ସାମାଜିକ ଓ ଅର୍ଥନୈତିକ ‌ବୈଷମ୍ୟର ମୂଳ କାରଣ ରୂପେ ପ୍ରଦର୍ଶିତ କରିଥିଲେ, ତାହା ହେଲା- ବ୍ୟକ୍ତିଗତ ସଂପତ୍ତି। ସେଥିରେ ସେ କହିଥିଲେ, ‘‘ସଭ୍ୟ ସମାଜର ପ୍ରକୃତ ପ୍ରତିଷ୍ଠାତା ଥିଲା ସେଇ ଲୋକ, ଯିଏ ଖଣ୍ଡିଏ ଜାଗାକୁ ଘେରାଇ ଦେବା ପରେ ଭାବିଲା ‘ଇଏ ହେଉଛି ମୋର’ ଏବଂ ଏକଥା ବିଶ୍ବାସ କରିବାକୁ କିଛି ସରଳ ବିଶ୍ବାସୀ ଲୋକ ମଧ୍ୟ ତାକୁ ମିଳିଗଲେ।’’ ଏହା ପୂର୍ବରୁ ପ୍ରକୃତି କୋଳରେ ବଢୁଥିବା ଆଦିମ ମନୁଷ୍ୟ ଥିଲା ଉତ୍ତମ ସ୍ବଭାବସଂପନ୍ନ ଏବଂ ସେ ଉଭୟ ପ୍ରକୃତି ସହିତ ଓ ତା’ର ସାଥୀ ମନୁଷ୍ୟମାନଙ୍କ ସହିତ ସଦାବେଳେ ସଂପୂର୍ଣ୍ଣ ସଦ୍‌ଭାବ ରକ୍ଷା କରି ଜୀବନ ବିତାଉଥିଲା। କିନ୍ତୁ ବ୍ୟକ୍ତିଗତ ସଂପଦର ଏଇଭଳି ଆବିର୍ଭାବ ପରଠାରୁ ତାହାର ବଣ୍ଟନରେ ତାରତମ୍ୟ ଓ ସମାଜରେ ତଜ୍ଜନିତ ଅସଦ୍‌ଭାବ ଓ ସମସ୍ୟାମାନ ବୃଦ୍ଧି ପାଇବାରେ ଲାଗିଛି। ରୁଷୋଙ୍କ ମତରେ ଏହି ସମସ୍ୟାର ସମାଧାନ ହେଉଛି ଆମେ ସଭ୍ୟତାକୁ ପରିତ୍ୟାଗ କରି ପୁଣି ପୂର୍ବଭଳି ପ୍ରକୃତି କୋଳକୁ ଫେରିଯାଇ ଆଦିମ ମନୁଷ୍ୟ ଭଳି ଜୀବନଯାପନ କରିବା।
୧୭୫୪ରେ ତାଙ୍କର ଏହି ରଚନା ପ୍ରକାଶ ପାଇବା ପରେ ରୁଷୋ ତାହାକୁ ତାଙ୍କର ବନ୍ଧୁ ତଥା ଶତ୍ରୁ ଅନ୍ୟତମ ମହାନ ଫରାସୀ ଦାର୍ଶନିକ ଭଲ୍‌ଟେଆର୍‌ଙ୍କ ପାଖକୁ ତାଙ୍କର ମତାମତ ପାଇଁ ପଠାଇଥିଲେ। ଭଲ୍‌ଟେଆର୍‌ଙ୍କର ବିଦ୍ରୂପଭରା ମତାମତର କିୟଦଂଶ ଏଠାରେ ଉଦ୍ଧାର କରାଯାଉଛି। ‘‘ମାନବ ଜାତି ବିରୁଦ୍ଧରେ ତୁମର ନୂତନ ରଚନାଟି ପାଇଲି, ଏବଂ ସେଥିପାଇଁ ତୁମକୁ ଧନ୍ୟବାଦ। ଆମ ସମସ୍ତଙ୍କୁ ବୋକା ବନାଇବା ପାଇଁ ପୂର୍ବରୁ କେବେହେଲେ ଏଭଳି ଚତୁରତା ବ୍ୟବହୃତ ହୋଇ ନ ଥିଲା। ତୁମ ପୁସ୍ତକ ପାଠ କଲାପରେ ମୋର ପୁଣି ଗୁରୁଣ୍ଡି ଗୁରୁଣ୍ଡି ଚାଲିବାକୁ ଇଚ୍ଛା ହେଉଛି। କିନ୍ତୁ ଯେହେତୁ ଷାଠିଏ ବର୍ଷରୁ ଅଧିକ କାଳ ଧରି ମୁଁ ସେ ଅଭ୍ୟାସ ଛାଡ଼ି ସାରିଛି, ମୁଁ ଘୋର ଦୁଃଖର ସହିତ ଅନୁଭବ କରୁଛି ଯେ ତାହା ଅାଉ ସମ୍ଭବପର ନୁହେଁ।’’
ଏ ଦୁଇ ପ୍ରସିଦ୍ଧ ଦାର୍ଶନିକଙ୍କ ମଧ୍ୟରେ ଦେଖାଯାଇଥିବା ଏହି ବିତର୍କର ମର୍ମ ହେଲା, ସମାଜରୁ ବୈଷମ୍ୟ ଦୂର କରିବାକୁ ହେଲେ ଆମକୁ ପୁଣି ପ୍ରାଗୈତିହାସିକ ମନୁଷ୍ୟ ଭଳି ପ୍ରକୃତି କୋଳକୁ ଫେରିଯିବାକୁ ହେବ (ଭଲ୍‌ଟେଆର୍‌ଙ୍କ ଭାଷାରେ ଆମର ପୂର୍ବଜ ବାନରମାନଙ୍କ ଭଳି ଆମକୁ ପୁଣି ଚାରି ଗୋଡ଼ରେ ଗୁରୁଣ୍ଡି ଗୁରୁଣ୍ଡି ଚାଲିବାକୁ ହେବ) ବୋଲି ରୁଷୋ କହିଥିବାବେଳେ, ଭଲ୍‌ଟେଆର୍‌ଙ୍କ ମତରେ ମାନବ ସଭ୍ୟତାର ବିକାଶ ସହିତ ତାଳ ଦେଇ ସମାଜରୁ କ୍ରମେ ଅର୍ଥନୈତିକ ଓ ସାମାଜିକ ବିଷମତା ଭଳି ବିକୃତିମାନ ଦୂରୀଭୂତ ହୋଇଯିବ।
ଏହି ଐତିହାସିକ ବିତର୍କ ପୃଷ୍ଠଭୂମିରେ ବିଚାର କଲେ କୁହାଯାଇପାରେ ଯେ ଏକ ସଦ୍ୟ ପ୍ରକାଶିତ ୱର୍ଲଡ୍‌ ବ୍ୟାଙ୍କ୍ ରିପୋର୍ଟ ଅନୁସାରେ ଭାରତ ଭଲ୍‌ଟେଆର୍‌ଙ୍କୁ ସତ୍ୟ ସାବ୍ୟସ୍ତ କରି ପ୍ରମାଣିତ କରିଛି ଯେ ଦେଶରେ ଅର୍ଥନୈତିକ ବିଷମତାରେ ହ୍ରାସ ଘଟାଇବା ପାଇଁ ଆମକୁ ପ୍ରକୃତି କୋଳକୁ ଫେରିଯାଇ ମାଙ୍କଡ଼ ପରି ଚାରି ଗୋଡ଼ରେ ଚାଲିବାକୁ ପଡ଼ିବ ନାହିଁ। ନିକଟ ଅତୀତରେ ଭାରତ ନିରନ୍ତର ମନୁଷ୍ୟସୁଲଭ ପ୍ରଗତି ହାସଲ କରିଚାଲି ପୃଥିବୀର ଚତୁର୍ଥ ବୃହତ୍ତମ ଅର୍ଥନୀତିରେ ପରିଣତ ହେବା ସହିତ ଦ୍ରୁତତମ ବର୍ଦ୍ଧିଷ୍ଣୁ ବୃହତ୍ ଅର୍ଥନୀତି ରୂପେ ଆବିର୍ଭୂତ ହେବାର ଗୌରବ ଅର୍ଜନ କରିଥିବାବେଳେ ୱର୍ଲଡ୍ ବ୍ୟାଙ୍କ୍‌ର ଏହି ରିପୋର୍ଟ ଭାରତକୁ ବର୍ତ୍ତମାନ ପୃଥିବୀର ଚତୁର୍ଥ ସର୍ବାଧିକ ସମାନତାପୂର୍ଣ୍ଣ ସମାଜ ରୂପେ ପ୍ରଦର୍ଶିତ କରିଛି। ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ସମାନତା ଦୃଷ୍ଟିରୁ ଯେଉଁ ତିନିଟି ଦେଶ ଭାରତ ଉପରକୁ ପ୍ରଥମ ତିନିଟି ସ୍ଥାନରେ ରହିଛନ୍ତି, ସେମାନେ ହେଲେ ଯଥାକ୍ରମେ ସ୍ଲୋଭାକ୍ ରିପବ୍ଲିକ୍, ସ୍ଲୋଭେନିଆ ଓ ବେଲାରୁଷ। କହିବା ବାହୁଲ୍ୟ, ଏଇ ଦେଶମାନଙ୍କର ଆକାର ଓ ଲୋକସଂଖ୍ୟା ହେଉଛି ଭାରତର ଅଧିକାଂଶ ରାଜ୍ୟମାନଙ୍କ ଠାରୁ ମଧ୍ୟ କ୍ଷୁଦ୍ରତର। ତେଣୁ ବାସ୍ତବତା ଦୃଷ୍ଟିରୁ ଭାରତକୁ ବର୍ତ୍ତମାନ ପୃଥିବୀର ସର୍ବାଧିକ ସମାନତାପୂର୍ଣ୍ଣ ଦେଶ ରୂପେ ବିଚାର କରିବା ଯଥାର୍ଥ ହେବ।
ପୃଥିବୀରେ ବିଭିନ୍ନ ଦେଶମାନଙ୍କରେ ଆୟର ବଣ୍ଟନରେ ଉପସ୍ଥିତ ସମାନତା ବା ବିଷମତା ପରିମାପ କରିବା ନିମିତ୍ତ ୱର୍ଲଡ୍ ବ୍ୟାଙ୍କ୍ ଯେଉଁ ପରିସଂଖ୍ୟାନ ଉପକରଣ ବ୍ୟବହାର କରିଛି, ତାହା ହେଉଛି ‘ଜିନି କୋଏଫିସିଏଣ୍ଟ’ ବା ‘ଜିନି ଇଣ୍ଡେକ୍‌ସ’। ଯଦି ଏକ ଦେଶର ‘ଜିନି ଇଣ୍ଡେକ୍‌ସ’ ୦ (ଶୂନ) ହୋଇଥାଏ, ସେ ଦେଶରେ ଜାତୀୟ ଆୟର ବଣ୍ଟନରେ ସଂପୂର୍ଣ୍ଣ ସାମ୍ୟ ପରିଲକ୍ଷିତ ହୋଇଥାଏ; ଅପରପକ୍ଷେ ଯେଉଁ ଦେଶରେ ଏହାର ମୂଲ୍ୟ ୧୦୦ ହୋଇଥାଏ, ସେଠାରେ ଆୟର ବଣ୍ଟନରେ ଏଭଳି ଚରମ ବୈଷମ୍ୟ ଦେଖାଯାଇଥାଏ ଯେ, ସମଗ୍ର ଜାତୀୟ ଆୟ ଜଣେ ଲୋକର ଅଧିକାରରେ ଥାଏ। ଉକ୍ତ ରିପୋର୍ଟ ଅନୁସାରେ ଭାରତର ‘ଜିନି’ ସ୍କୋର ବର୍ତ୍ତମାନ ୨୫.୫ ହୋଇ ଭାରତକୁ ପୃଥିବୀର ଚତୁର୍ଥ ସର୍ବାଧିକ ସମାନ ସମାଜରେ ପରିଣତ କରିଛି।
ଉଲ୍ଲେଖଯୋଗ୍ୟ ଭାବରେ ପୃଥିବୀର ସମୃଦ୍ଧ ଦେଶମାନଙ୍କର ଗୋଷ୍ଠୀ ଜି-୭ର ସମସ୍ତ ସଦସ୍ୟ ଦେଶମାନେ ଏ ବାବଦରେ ଭାରତ ଠାରୁ ପଛରେ ପଡ଼ିଥିବ‌ାବେଳେ (ଆମେରିକା ସ୍କୋର- ୪୧.୮, ‌ବ୍ରିଟେନ୍- ୩୪.୪, ଫ୍ରାନ୍‌ସ- ୩୨.୪, ଜାପାନ୍- ୩୨.୯) ଜି-୨୦ ଗୋଷ୍ଠୀର ଅନ୍ୟ ସମସ୍ତ ସଦସ୍ୟମାନେ ମଧ୍ୟ ଭାରତ ପଛରେ ରହିଛନ୍ତି। ଏକ ବିଡ଼ମ୍ବନା ସଦୃଶ ତଥାକଥିତ ସାମ୍ୟବାଦୀ ଦେଶ ଚୀନ୍‌ର ‘ଜିନି ଇଣ୍ଡେକ୍‌ସ’ ହେଉଛି ୩୫.୭, ଯାହା ପୁଞ୍ଜିବାଦୀ ଭାରତକୁ ଚୀନ୍ ଅପେକ୍ଷା ଏକ ବେଶ୍ ଅଧିକ ସାମ୍ୟବାଦୀ ସମାଜର ମର୍ଯ୍ୟାଦା ପ୍ରଦାନ କରିଥାଏ। ଭାରତର ‘ଜିନି’ ସ୍କୋର ମଧ୍ୟ ଏଥିରେ ଘଟିଚାଲିଥିବା ନିୟମିତ ଉନ୍ନତିର ସ୍ବାକ୍ଷର ବହନ କରିଥାଏ। ଉଦାହରଣ ସ୍ବରୂପ ୨୦୧୧ରେ ଏହା ୨୮.୮ ଥିବାବେଳେ ତାହାର ଦଶ ବର୍ଷ ପରେ ୨୦୨୨ରେ ତାହା ହୋଇଥିଲା ୨୫.୫। ଏହା ଭାରତରେ ଆୟ ବଣ୍ଟନରେ ରହିଥିବା ବୈଷମ୍ୟରେ ଘଟିଚାଲିଥିବା କ୍ରମାଗତ ସଂକୋଚନକୁ ପ୍ରମାଣିତ କରିଥାଏ।
ଭାରତର ଏହି ସଫଳତା ଅର୍ଥନୀତିଜ୍ଞ ଥମାସ୍ ପିକେଟିଙ୍କ ପରି ଅନେକଙ୍କୁ ଆଶ୍ଚର୍ଯ୍ୟ କରିଦେଉଥିବ, ଯେଉଁମାନେ ଭାରତକୁ ପୃଥିବୀର ସର୍ବାଧିକ ବିଷମ ସମାଜମାନଙ୍କ ମଧ୍ୟରୁ ଅନ୍ୟତମ ରୂପେ ନିୟମିତ ଭାବରେ ପ୍ରଦର୍ଶିତ କରିଆସିଛନ୍ତି। ଦ୍ରୁତ ଅଭିବୃଦ୍ଧି ହାସଲ କରିଚାଲିବା ସଙ୍ଗେ ସଙ୍ଗେ ଦାରିଦ୍ର୍ୟ ଦୂରୀକରଣ ପାଇଁ ଭାରତ ଦେଇଆସିଥିବା ଧ୍ୟାନ ଯୋଗୁଁ ହିଁ ବଣ୍ଟନ ବିଷମତାରେ ଏଭଳି ଉଲ୍ଲେଖନୀୟ ହ୍ରାସ ଘଟିବା ସମ୍ଭବ ହୋଇପାରିଛି। ସେଇ ୱର୍ଲଡ୍ ବ୍ୟାଙ୍କ୍‌ର ଅନ୍ୟ ଏକ ରିପୋର୍ଟ ଅନୁସାରେ ୨୦୧୧-୧୨ରୁ ୨୦୨୨-୨୩ ମଧ୍ୟରେ ଚରମ ଦାରିଦ୍ର୍ୟରେ କାଳାତିପାତ କରୁଥିବା (ମୁଣ୍ଡପିଛା ଦିନକୁ ୨.୧୫ ଡଲାର୍‌ରୁ କମ୍) ଭାରତର ଜନସଂଖ୍ୟାର ଅଂଶ ୧୬.୨%ରୁ ହ୍ରାସ ପାଇ ହୋଇଥିଲା ୨.୩ ଶତାଂଶ। ଚରମ ଦାରିଦ୍ର୍ୟର ସଂଶୋଧିତ ସୀମାରେଖା ଦୈନିକ ୩ ଡଲାର୍ ଅନୁସାରେ ମଧ୍ୟ ୨୦୨୨-୨୩ରେ ଭାରତର ଜନସଂଖ୍ୟାରେ ଏଭଳି ଦରିଦ୍ରମାନଙ୍କର ଅନୁପାତ ଥିଲା ଏକ ଅପେକ୍ଷାକୃତ ନୀଚା ୫.୩%।
ସରକାର କାର୍ଯ୍ୟକାରୀ କରିଥିବା ବିଭିନ୍ନ ଜନମଙ୍ଗଳ ଯୋଜନାମାନଙ୍କ ଠାରୁ ଆରମ୍ଭ କରି ବିତ୍ତୀୟ ଅନ୍ତର୍ଭୁକ୍ତୀକରଣ ଯୋଜନାମାନଙ୍କ ପର୍ଯ୍ୟନ୍ତର ଏଥିପାଇଁ ଏକ ବିଶେଷ ଅବଦାନ ରହିଛି। ବର୍ତ୍ତମାନ ସରକାର ଓ ନୀତିନିର୍ଦ୍ଧାରକମାନଙ୍କର ଦାୟିତ୍ବ ହେଉଛି ଏହି ଧାରା ବଜାର ରଖି ଚାଲିବା ଯେମିତି ଭାରତ ଏକ ବିକଶିତ ରାଷ୍ଟ୍ରରେ ପରିଣତ ହେବା ପରେ ମଧ୍ୟ ତା’ର ଜିନି ଇଣ୍ଡେକ୍‌ସରେ ଆହୁରି ହ୍ରାସ ଘଟିଚାଲେ।