ଅବିଶ୍ବାସ୍ୟ ଭାବରେ ମତଦାତାଙ୍କ ମନ ଜିଣିବା ପାଇଁ ଏକ ଶିଶୁସୁଲଭ ସରଳତା ପ୍ରଦର୍ଶନ କରି ରାହୁଳ ଗାନ୍ଧୀ ଥରେ ସଂପୂର୍ଣ୍ଣ ପୋଷାକ ପରିଧାନ କରିଥିବା ଅବସ୍ଥାରେ ମାଛ ଧରିବା ପାଇଁ ଏକ ପୋଖରୀ ଭିତରକୁ ଡେଇଁ ପଡ଼ିଥିଲେ। ଯଦି ତାଙ୍କ ଦଳ ବା ମେଣ୍ଟ ନିର୍ବାଚନ ଜିଣିଥାନ୍ତା, ତେବେ କୁହାଯାଇ ପାରନ୍ତା ଯେ ରାହୁଳ ବଡ଼ ମାଛଟିଏ ଧରିଲେ। ଏବେ ଚିରାଚରିତ ଭାବରେ ମାଛ ଧରାଳିମାନେ କହୁଥିବା ମିଛର ଅନୁସରଣ କରି କୁହାଯିବ ଯେ ରାହୁଳ ଏକ ବିରାଟ ମାଛ ଧରିଥିଲେ, କିନ୍ତୁ ତାହା ତାଙ୍କ ହାତରୁ ଖସିଗଲା!
ବିହାର ବିଧାନସଭା ନିର୍ବାଚନରେ ନୀତୀଶ କୁମାରଙ୍କ ନେତୃତ୍ବରେ ‘ଏନ୍ଡିଏ’ର ବିପୁଳ ବିଜୟ ଓ ତେଜସ୍ବୀ ଯାଦବଙ୍କ ନେତୃତ୍ବରେ ‘ମହାଗଠବନ୍ଧନ’ର ଶୋଚନୀୟ ପରାଜୟକୁ ଗୋଟିଏ ବାକ୍ୟରେ କହିଲେ ଆଶାବାଦୀ ରାଜନୀତିର ହତାଶ ରାଜନୀତି ଉପରେ ବିଜୟ ବୋଲି କୁହାଯାଇପାରେ। କାରଣ ସାଧାରଣତଃ ଦେଖାଯାଇଥାଏ ଦୀର୍ଘ କାଳ ଧରି କ୍ଷମତାରେ ଥିବା ନେତା ବା ଦଳ ନିର୍ବାଚନରେ ପ୍ରତ୍ୟାଖ୍ୟାନର ସମ୍ମୁଖୀନ ହେବାର ସମ୍ଭାବନା ଅଧିକ ହୋଇଥାଏ। ଏହା ସ୍ବାଭାବିକ ଏଇଥିପାଇଁ ଯେ ଦୀର୍ଘ ଶାସନ ସମୟରେ ସବୁ ବର୍ଗର ମତଦାତାମାନଙ୍କୁ ସନ୍ତୁଷ୍ଟ କରିବା ସମ୍ଭବ ହୋଇ ନ ଥାଏ ଏବଂ ଅସନ୍ତୁଷ୍ଟ ମତଦାତାମାନେ ପରିବର୍ତ୍ତନ ସପକ୍ଷରେ ମତଦାନ କରିଥାନ୍ତି। କିନ୍ତୁ ଲାଲୁ ଯାଦବଙ୍କର ‘ଜଙ୍ଗଲରାଜ୍’ ନାମକ ଅରାଜକତାରୁ ରାଜ୍ୟବାସୀମାନଙ୍କୁ ମୁକ୍ତି ପ୍ରଦାନ କରି ସୁଶାସନ ପ୍ରତିଷ୍ଠାକୁ ନିଜର ମୁଖ୍ୟ ନିର୍ବାଚନୀ ପ୍ରତିଶ୍ରୁତି ରୂପେ ଉପସ୍ଥାପିତ କରି ପ୍ରଥମେ କ୍ଷମତାକୁ ଆସିଥିବା ନୀତୀଶଙ୍କର ସେଇ ଭରସା ଯେ ଏବେ ମଧ୍ୟ ବିହାରବାସୀଙ୍କ ପାଇଁ ବିଶେଷ ଗୁରୁତ୍ବ ବହନ କରିଥାଏ, ତାହା ଏହି ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହୋଇଛି।
ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ଏ ସଂପର୍କିତ ଏକ ରହସ୍ୟ ମଧ୍ୟ ଉନ୍ମୋଚିତ ହୋଇଥିବା ଭଳି ମନେ ହୁଏ। ତାହା ହେଲା ଲାଲୁ ପ୍ରସାଦ ଯାଦବଙ୍କ ଅବାଧ ବିଚରଣ। ଲାଲୁ ହେଉଛନ୍ତି ଜଣେ ଅଦାଲତ ଦ୍ବାରା ଦୋଷୀ ସାବ୍ୟସ୍ତ ହୋଇଥିବା ଅପରାଧୀ, ଯାହାଙ୍କ ସ୍ଥାନ ହେଉଛି ଜେଲ୍ ଭିତରେ। ସେ କିନ୍ତୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ବିହାରରେ ଏହି ନିର୍ବାଚନ ପ୍ରଚାରରେ ସକ୍ରିୟ ଭୂମିକା ନିର୍ବାହ କରିବା ଦେଖାଯାଇଥିଲା। ଯାହା ଆହୁରି ଅଧିକ ଆଶ୍ଚର୍ଯ୍ୟର କଥା, ତାହା ହେଲା ନା ତାଙ୍କୁ ସ୍ବାସ୍ଥ୍ୟଗତ କାରଣରୁ ଜାମିନ ଦେଇଥିବା ଅଦାଲତ ଏହାକୁ ଏକ ସର୍ତ୍ତ ଉଲ୍ଲଂଘନ ରୂପେ ବିଚାର କରିଛି, ଓ ଆହୁରି ଯାହା ଅଧିକ ରହସ୍ୟମୟ, ନା ତାଙ୍କର ବିରୋଧୀ ପକ୍ଷ ଏହା ବିରୁଦ୍ଧରେ ପ୍ରତିବାଦର ସ୍ବର ଉତ୍ତୋଳନ କରିଛି।
ଅପରପକ୍ଷେ ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ଆରମ୍ଭ କରି ‘ଏନ୍ଡିଏ’ର ସାଧାରଣ କର୍ମୀମାନଙ୍କ ପର୍ଯ୍ୟନ୍ତ ଅତୀତର ସେଇ ଜଙ୍ଗଲରାଜ୍କୁ ଏଥର ମଧ୍ୟ ପୁଣି ସେମାନଙ୍କର ମୁଖ୍ୟ ନିର୍ବାଚନୀ ପ୍ରସଙ୍ଗରେ ପରିଣତ କରିବା ଦେଖାଯାଇଥିଲା। କହିବା ବାହୁଲ୍ୟ ସେମାନେ ଜଙ୍ଗଲରାଜ୍ ବିରୋଧରେ ଆହ୍ବାନ ଦେଉଥିବା ସମୟରେ ସେଇ ଭୟଙ୍କର ଅରାଜକତାର ପ୍ରବର୍ତ୍ତକ ଖୋଦ୍ ସଶରୀରେ ଆତଯାତ ହେବା ପୁରାତନ ମତଦାତାଙ୍କର ସେଇ ପୁରୁଣା ଘା’ରୁ ପୁଣି ରକ୍ତ ଝରାଇବାରେ ସହାୟକ ହୋଇଥିବାବେଳେ, ଯୁବପିଢ଼ିର ନୂତନ ମତଦାତାମାନଙ୍କ ପାଇଁ ଜଙ୍ଗଲରାଜ ଏକ କାଳ୍ପନିକ କାହାଣୀ ନ ହୋଇ ଏକ ବାସ୍ତବ ଘଟଣା ରୂପେ ସାବ୍ୟସ୍ତ ହେବାରେ ସହାୟକ ହୋଇଥିଲା। ଲାଲୁଙ୍କ ପୁତ୍ର ତେଜସ୍ବୀଙ୍କ କ୍ଷମତାକୁ ପ୍ରତ୍ୟାବର୍ତ୍ତନ ସହିତ ଯେ ପୁନରାୟ ସେଇ ଭୟଙ୍କର ଜଙ୍ଗଲରାଜ୍ର ପ୍ରତ୍ୟାବର୍ତ୍ତନ ଘଟିବ, ଲାଲୁଙ୍କର ସଶରୀର ଉପସ୍ଥିତି ହେଉଛି ତାହାର ନିଶ୍ଚିତ ସୂଚନା ବୋଲି ମତଦାତାମାନେ ଆଶଙ୍କା କରିଛନ୍ତି।
ନୀତୀଶ କୁମାରଙ୍କର ଲୋକପ୍ରିୟତାର ଏକ ମୁଖ୍ୟ ଅଂଶ ସେ ରାଜ୍ୟରେ ମହିଳାମାନଙ୍କର ସମର୍ଥନ ଉପରେ ମଧ୍ୟ ପ୍ରତିଷ୍ଠିତ। ଏହାର ଗୋଟିଏ ନିର୍ଦ୍ଦିଷ୍ଟ କାରଣ ହେଉଛି ନୀତୀଶ ଏକ ଅତ୍ୟନ୍ତ ସାହସିକ ପଦକ୍ଷେପ ଗ୍ରହଣ କରି ସେ ରାଜ୍ୟରେ କାର୍ଯ୍ୟକାରୀ କରିଥିବା ସଂପୂର୍ଣ୍ଣ ନିଶା ନିବାରଣ। ପୁରୁଷମାନେ ମଦ୍ୟପ ହେଲେ ଯେଉଁମାନେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥାନ୍ତି, ସେମାନେ ହେଉଛନ୍ତି ସେ ପରିବାରର ମହିଳାମାନେ ଓ ବିଶେଷ କରି ସେ ମଦୁଆମାନଙ୍କର ପତ୍ନୀମାନେ। ରାଜ୍ୟର ରାଜସ୍ବ ହାନିକୁ ଖାତିର ନ କରି (ବିହାର ଦେଶର ଦରିଦ୍ରତମ ରାଜ୍ୟ ହୋଇଥିଲେ ହେଁ) ନୀତୀଶ ସେଠାରେ ସଂପୂର୍ଣ୍ଣ ନିଶା ନିବାରଣ ବଳବତ୍ତର କରିବା ନିଷ୍ପତ୍ତିରେ ଅଟଳ ରହିଛନ୍ତି। ଅପରପକ୍ଷେ ନିର୍ବାଚନୀ ରାଜନୀତିରେ ସିଧାସଳଖ ପ୍ରବେଶ କରିବା ପାଇଁ ଉଦ୍ୟମ କରି ଶୋଚନୀୟ ଭାବରେ ହତାଶ ହୋଇଥିବା ପେସାଦାର ନିର୍ବାଚନୀ ଉପଦେଷ୍ଟା ପ୍ରଶାନ୍ତ କିଶୋର ତାଙ୍କ ‘ଜନସୁରାଜ’ ଦଳର ଇସ୍ତାହାରରେ ଅନ୍ତର୍ଭୁକ୍ତ କରିଥିବା ଏକ ମୁଖ୍ୟ ପ୍ରତିଶ୍ରୁତି ଥିଲା ନିଶା ନିବାରଣର ଉଚ୍ଛେଦ ସାଧନ। ଯେହେତୁ ପ୍ରଶାନ୍ତ କିଶୋର ଅତୀତରେ ନିଜକୁ ଜଣେ ବିଚକ୍ଷଣ ନିର୍ବାଚନୀ ଉପଦେଷ୍ଟା ରୂପେ ପ୍ରତିଷ୍ଠିତ କରାଇଥିଲେ ଏବଂ ଏକାଧିକ ନିର୍ବାଚନରେ ତାଙ୍କର ଗ୍ରାହକ ନେତାମାନଙ୍କୁ ନିର୍ବାଚନରେ ସଫଳତାର ସ୍ବାଦ ଚଖାଇ ଆସିଥିଲେ, ତେଜସ୍ବୀ ଯାଦବ ଭାବିଲେ ବୋଧହୁଏ ନିଶା ନିବାରଣର ଉେଚ୍ଛଦ ପାଇଁ ପ୍ରତିଶ୍ରୁତି ହେଉଛି ଏକ ଅତ୍ୟନ୍ତ ଚତୁର କୌଶଳ, ଯାହା ତାଙ୍କୁ ନିର୍ବାଚନ ଜିଣିବାରେ ସାହାଯ୍ୟ କରିବ। ତେଣୁ ସେ ମଧ୍ୟ ପ୍ରଶାନ୍ତ କିଶୋରଙ୍କୁ ଅନୁସରଣ କରି ସେ କ୍ଷମତାକୁ ଆସିଥିଲେ ବଜାରରେ ମଦ୍ୟପାନ ଉପରୁ ନିଷେଧାଦେଶ ଉଠାଇଦେବେ ବୋଲି ଘୋଷଣା କଲେ। ଉଭୟ ବିରୋଧୀ ଦଳର ଏଭଳି ମଦ୍ୟପ ପ୍ରୀତି ବିହାରର ମହିଳା ମତାଦାତାମାନଙ୍କ ଠାରେ କିଭଳି ଆତଙ୍କ ସୃଷ୍ଟି କରିଥିବ, ତାହା ସହଜେ ଅନୁମେୟ। ସେମାନେ ଆତ୍ମରକ୍ଷା ପାଇଁ ଉଭୟ ବିରୋଧୀ ଦଳଙ୍କୁ ପଦାଘାତ କରି ଧରାଶାୟୀ କରି ଦେଇଛନ୍ତି।
ଏଇ ନିର୍ବାଚନୀ ଘଡ଼ିସନ୍ଧି ସମୟରେ ଘଟିଥିବା ଆଉ ଯେଉଁ ଏକ ଅପ୍ରତ୍ୟାଶିତ ଘଟଣା ବିହାରରେ ଦ୍ବିତୀୟ ପାଳ ମତଦାନ ସମୟରେ ମତଦାତାମାନଙ୍କୁ ‘ମହାଗଠବନ୍ଧନ’ ବିରୋଧରେ ଏବଂ ‘ଏନ୍ଡିଏ’ ସପକ୍ଷରେ ପ୍ରଭାବିତ କରିଥାଇପାରେ, ତାହା ହେଉଛି ଏହାର ଠିକ୍ ପୂର୍ବ ଦିନ ନଭେମ୍ବର ୧୦ରେ ଦିଲ୍ଲୀର ଲାଲକିଲ୍ଲା ଠାରେ ଘଟିଥିବା ଇସଲାମୀୟ ଆତଙ୍କବାଦୀ ଆକ୍ରମଣ। ବିହାରରେ ରାଜନୀତି ସର୍ବଦା ଜାତି ଓ ସଂପ୍ରଦାୟ ବିଚାର ଦ୍ବାରା ପ୍ରଭାବିତ ହୋଇ ଆସିଛି। ଲାଲୁ ଯାଦବଙ୍କର ରାଷ୍ଟ୍ରୀୟ ଜନତା ଦଳ ନେତୃତ୍ବରେ ଯାଦବ-ମୁସଲମାନ ମେଣ୍ଟ ସର୍ବଦା ‘ମହାଗଠବନ୍ଧନ’ର ଏକ ମୁଖ୍ୟ ଶକ୍ତି ରୂପେ କାର୍ଯ୍ୟ କରିଆସିଛି। ଲାଲୁଙ୍କ ମୁଖ୍ୟମନ୍ତ୍ରିତ୍ବ ସମୟରେ ସେ ଏ ସମ୍ବନ୍ଧରେ ସନ୍ଦେହର କୌଣସି ଅବକାଶ ରହିବାକୁ ନ ଦେଇ ଲାଲକୃଷ୍ଣ ଆଡ଼ଭାନୀଙ୍କର ଶ୍ରୀରାମ ରଥଯାତ୍ରାକୁ ଅଟକାଇ ୨୩ ଅକ୍ଟୋବର ୧୯୯୦ରେ ସମସ୍ତିପୁର ଠାରେ ତାଙ୍କୁ ଗିରଫ କରିଥିଲେ। ଏ ପ୍ରସଙ୍ଗରେ କଂଗ୍ରେସର ଆଭିମୁଖ୍ୟ ମଧ୍ୟ କାହାକୁ ଅଛପା ନୁହେଁ। ଅପରପକ୍ଷେ ‘ଏନ୍ଡିଏ’ର ପ୍ରମୁଖ ଅଂଶୀଦାର ଦଳ ‘ଭାରତୀୟ ଜନତା ପାର୍ଟି’ର ମୁଖ୍ୟ ପରିଚୟ ହେଉଛି ଏକ ଜାତୀୟତାବାଦୀ ଦଳ ଭାବରେ। ଦିଲ୍ଲୀ ଆତଙ୍କବାଦୀ ଆକ୍ରମଣ ତେଣୁ ଶେଷ ମୁହୂର୍ତ୍ତରେ କେତେକ ମତଦାତାମାନଙ୍କୁ ‘ଏନ୍ଡିଏ’ ସପକ୍ଷରେ ପ୍ରଭାବିତ କରିଥିବାର ଦୃଢ଼ ସମ୍ଭାବନା ରହିଛି।
ବିହାର ନିର୍ବାଚନ ଫଳାଫଳ ଦୁର୍ଭାଗ୍ୟଜନକ ଭାବରେ ଯେଉଁ ଏକ ପ୍ରମୁଖ ଜାତୀୟ ଦଳର ଅସ୍ତିତ୍ବ ଉପରେ ପ୍ରଶ୍ନବାଚୀ ଲଗାଇଛି, ସେ ହେଉଛି କଂଗ୍ରେସ। ଏହି ଦଳ ଓ ଏହାର ନେତା ରାହୁଳ ଗାନ୍ଧୀ ଯେଉଁଭଳି ଶୈଳୀରେ ନିର୍ବାଚନ ପ୍ରଚାର କରୁଥିଲେ, ତାକୁ ମତଦାତାମାନେ ଯେ ଅାଦୌ ଗୁରୁତ୍ବ ପ୍ରଦାନ କରିନାହାନ୍ତି, ତାହା ଫଳାଫଳରୁ ସ୍ପଷ୍ଟ ହୋଇଥାଏ। କପୋଳକଳ୍ପିତ ‘ଭୋଟ୍ ଚୋରି’ ଅଭିଯୋଗ ଓ ଧ୍ବଂସାତ୍ମକ ଜାତିଭିତ୍ତିକ ଆହ୍ବାନ ବ୍ୟତୀତ ମତଦାତାମାନଙ୍କୁ ପ୍ରଭାବିତ କରିବା ନିମିତ୍ତ ସେମାନଙ୍କ ପାଖରେ ଅନ୍ୟ କୌଣସି ପ୍ରସଙ୍ଗ ନ ଥିଲା। ଅବିଶ୍ବାସ୍ୟ ଭାବରେ ମତଦାତାଙ୍କ ମନ ଜିଣିବା ପାଇଁ ଏକ ଶିଶୁସୁଲଭ ସରଳତା ପ୍ରଦର୍ଶନ କରି ରାହୁଳ ଗାନ୍ଧୀ ଥରେ ସଂପୂର୍ଣ୍ଣ ପୋଷାକ ପରିଧାନ କରିଥିବା ଅବସ୍ଥାରେ ମାଛ ଧରିବା ପାଇଁ ଏକ ପୋଖରୀ ଭିତରକୁ ଡେଇଁ ପଡ଼ିଥିଲେ। ଯଦି ତାଙ୍କ ଦଳ ବା ମେଣ୍ଟ ନିର୍ବାଚନ ଜିଣିଥାନ୍ତା, ତେବେ କୁହାଯାଇ ପାରନ୍ତା ଯେ ରାହୁଳ ବଡ଼ ମାଛଟିଏ ଧରିଲେ। ଏବେ ଚିରାଚରିତ ଭାବରେ ମାଛ ଧରାଳିମାନେ କହୁଥିବା ମିଛର ଅନୁସରଣ କରି କୁହାଯିବ ଯେ ରାହୁଳ ଏକ ବିରାଟ ମାଛ ଧରିଥିଲେ, କିନ୍ତୁ ତାହା ତାଙ୍କ ହାତରୁ ଖସିଗଲା!
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/OAnDiWZ5zjRDfuWfWgMX.jpg)