‘ଏନ୍‌ସିଆର୍‌ବି’ ରିପୋର୍ଟ ଭାରତରେ ଅପରାଧର ଏକ ଚିନ୍ତାଜନକ ଚିତ୍ର ବହନ କରୁଥିଲେ ହେଁ, ଏହା ମଧ୍ୟ ଲକ୍ଷ୍ୟ କରିବା କଥା ଯେ ଦେଶରେ ହିଂସାତ୍ମକ ଅପରାଧ ବର୍ତ୍ତମାନ ଏକ ଚଟାଣରେ ପହଞ୍ଚି ଯାଇଥିବା ଭଳି ମନେ ହେଉଛି। ପୁଲିସ ଓ ଆଇନ କାର୍ଯ୍ୟକାରୀ କରୁଥିବା ସଂସ୍ଥାମାନେ ଏହି ସୁଯୋଗର ସଦ୍‌ବ୍ୟବହାର କରି କଠୋର କାର୍ଯ୍ୟାନୁଷ୍ଠାନ ଜାରି ରଖିଲେ, ସେଥିରେ ଆଉ ବୃଦ୍ଧି ନ ଘଟି ତାହା କ୍ରମେ ହ୍ରାସ ପାଇବାରେ ଲାଗିବ। 

Advertisment

ପ୍ରତି ବର୍ଷ ‘ନେସନାଲ୍ କ୍ରାଇମ୍ ରେକର୍ଡସ ବ୍ୟୁରୋ’ (‘ଏନ୍‌ସିଆର୍‌ବି’) ଭାରତରେ ଅପରାଧର ସାମଗ୍ରିକ ଚିତ୍ର ସମ୍ବଳିତ ଏକ ରିପୋର୍ଟ ପ୍ରକାଶ କରିଥାଏ। ସେଇ ଧାରାର ଅଂଶ ସ୍ବରୂପ ‘ଏନ୍‌ସିଆର୍‌ବି’ ଦ୍ବାରା ସଦ୍ୟ ପ୍ରକାଶିତ ହୋଇଥିବା ରିପୋର୍ଟ ୨୦୨୩ ପାଇଁ ଭାରତରେ ଅପରାଧ ସମ୍ବନ୍ଧରେ ଯେଉଁ ଚିତ୍ର ପ୍ରଦାନ କରିଥାଏ, ତାହା ଅନେକ ଦୃଷ୍ଟିରୁ ବେଶ୍ ତାତ୍ପର୍ଯ୍ୟ ବହନ କରିଥାଏ। ଏହି ରିପୋର୍ଟ ଅନୁସାରେ ସେ ବର୍ଷ ଦେଶରେ ମୋଟ ୬.୪ ନିୟୁତ ସଂଖ୍ୟକ ଅପରାଧ ଘଟଣା ପଞ୍ଜିକୃତ ହୋଇଥିଲା, ଯାହା ତା’ର ପୂର୍ବ ବର୍ଷ ତୁଳନାରେ ୭.୨ ଶତାଂଶ ଅଧିକ ଥିଲା। ଏହା ଫଳରେ ଦେଶରେ ଅପରାଧ ହାର ପ୍ରତି ଏକ ଲକ୍ଷ ନାଗରିକଙ୍କ ପିଛା ୪୪୮ରେ ପହଞ୍ଚିଥିଲା, ଯାହା ବିଗତ ୨୦ ବର୍ଷ ମଧ୍ୟରେ ତିନି ଗୁଣ ହୋଇଛି।
ରିପୋର୍ଟ ପ୍ରଦର୍ଶିତ କରିଥିବା ଅପରାଧ ସଂଖ୍ୟାରେ ଏହି ବୃଦ୍ଧି ପଛରେ ମୁଖ୍ୟତଃ ତିନିଟି କାରଣ ନିହିତ ଅଛି। ପ୍ରଥମ- ଅପରାଧ ରିପୋର୍ଟ କରାଯିବାରେ ବୃଦ୍ଧି; ଦ୍ବିତୀୟ- ଅପରାଧର ସହରୀକରଣ; ତୃତୀୟ- ସାଇବର୍ ଅପରାଧର ଆବିର୍ଭାବ। ୨୦୨୩ରେ ଭାରତର ସହରାଞ୍ଚଳରେ ଘଟୁଥିବା ଅପରାଧ ସଂଖ୍ୟାରେ ୧୦.୬ ଶତାଂଶ ବୃଦ୍ଧି ଘଟିଥିଲା ଏବଂ ସାଇବର୍ ଅପରାଧ ସଂଖ୍ୟାରେ ୩୧.୨ ଶତାଂଶ ବୃଦ୍ଧି ଘଟିଥିଲା। ଏ ସମସ୍ତର ମିଳିତ ପ୍ରଭାବରେ ସେ ବର୍ଷ ଦେଶରେ ହାରାହାରି ପ୍ରତି ୫ ସେକେଣ୍ଡ୍‌ରେ ଗୋଟିଏ ଅପରାଧ ଘଟିବା ଦେଖାଯାଇଥିଲା। ଦେଶରେ ଘଟିଥିବା ପ୍ରାୟ ୨୦ ହଜାରରୁ ଅଧିକ ହତ୍ୟାକାଣ୍ଡ ଆମେରିକା ସହିତ ପ୍ରାୟ ସମାନ ହୋଇଥିଲେ ହେଁ ପ୍ରତି ଏକ ଲକ୍ଷ ଲୋକସଂଖ୍ୟା ପିଛା ଦେଖିଲେ ଏହା ହେଉଛି ଆମେରିକାର ୪୦ ଶତାଂଶ ମାତ୍ର। ପ୍ରତି ଏକ ଲକ୍ଷ ଲୋକସଂଖ୍ୟା ପିଛା ଭାରତରେ ଘଟିଥିବା ୨.୩ଟି ହତ୍ୟାକାଣ୍ଡ ହେଉଛି ମେକ୍‌ସିକୋ ଓ ବ୍ରାଜିଲ୍ ଭଳି ଦେଶମାନଙ୍କରେ ଘଟୁଥିବା ହତ୍ୟାକାଣ୍ଡ ସଂଖ୍ୟାର ଏକ-ଦଶମାଂଶ ମାତ୍ର। କିନ୍ତୁ ବ୍ରିଟେନ୍ ତୁଳନାରେ ଭାରତରେ ଏହି ଅପରାଧ ହାର ଦୁଇ ଗୁଣ ହୋଇଥାଏ।
ସାଇବର୍ ଅପରାଧ କ୍ଷେତ୍ରରେ ଯେଉଁ ଦୁଇ ରାଜ୍ୟ ଶୀର୍ଷ ସ୍ଥାନ ଦଖଲ କରିଛନ୍ତି, ସେମାନେ ହେଲେ କର୍ଣ୍ଣାଟକ ଓ ତେଲେଙ୍ଗାନା, ଯେଉଁଠାରେ ଏହି ଆଧୁନିକ ଅପରାଧ ସଂଖ୍ୟା ୧୭,୦୦୦ ଅତିକ୍ରମ କରିଛି। ସର୍ବାଧିକ ସଂଖ୍ୟକ ସାଇବର୍ ଅପରାଧ ଘଟିଥିବା ନଗରୀ ହେଉଛି ସ୍ବାଭାବିକ ଭାବରେ ବେଙ୍ଗାଲୁରୁ। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବରେ ଦେଶରେ ସର୍ବାଧିକ ସଂଖ୍ୟକ ଯୌତୁକ ସଂପର୍କିତ ଅପରାଧ ଘଟିଥିବା ନଗରୀ ହେଉଛି ସେଇ ବେଙ୍ଗାଲୁରୁ ମଧ୍ୟ। ୨୦୨୩ରେ ସେଇ ଟେକ୍‌ନୋ ନଗରୀରେ ୧୦୦୦ଟିରୁ ଅଧିକ ଯୌତୁକଜନିତ ଅପରାଧ ଘଟିଥିଲା। ଅଥଚ ଏଭଳି ଅପରାଧ ପାଇଁ କୁଖ୍ୟାତ ବିହାରର ପାଟନାରେ ଏହି ଅପରାଧ ସଂଖ୍ୟା ମାତ୍ର ଶହେଟିରୁ କିଛି ଅଧିକ ମଧ୍ୟରେ ସୀମିତ ଥିଲା ଏବଂ ଲକ୍ଷ୍ନୌରେ ଏହି ସଂଖ୍ୟା ଥିଲା ମାତ୍ର ୧୯ଟି। ସେଇଭଳି ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ତାମିଲନାଡୁରେ ପ୍ରତି ଏକ ଲକ୍ଷ ଲୋକଙ୍କ ପିଛା ହାରାହାରି ଅପରାଧ ସଂଖ୍ୟା ହେଉଛି ୯୭୮, ଯାହା ଉପରେ ଉଲ୍ଲେଖ କରାଯାଇଥିବା ଜାତୀୟ ହାରାହାରିର ପ୍ରାୟ ଦୁଇଗୁଣ! ମନେ ହୁଏ ବେଙ୍ଗାଲୁରୁରେ ସାଇବର୍ ଅପରାଧ ସଂଖ୍ୟା ଓ ତାମିଲନାଡୁରେ ସାଧାରଣ ଅପରାଧ ସଂଖ୍ୟା ଯେଉଁ ଉଚ୍ଚ ହୋଇଥିବା ଦେଖାଯାଇଛି, ତାହାର ସମ୍ଭାବ୍ୟ କାରଣ ହୋଇପାରେ ସେଠାରେ ଅନୁସୃତ ହେଉଥିବା ଆନୁଷ୍ଠାନିକ ସ୍ବଚ୍ଛତା ଓ ଅନ୍ୟ ଅଞ୍ଚଳ ତୁଳନାରେ ପୁଲିସ ଉପରେ ଜନସାଧାରଣ ପ୍ରଦର୍ଶନ କରୁଥିବା ଅଧିକ ବିଶ୍ବାସ ଓ ଭରସା।
୨୦୨୩ରେ ଦେଶରେ ହିଂସାତ୍ମକ ଅପରାଧ ସଂଖ୍ୟା ପ୍ରାୟ ସ୍ଥିର ରହିଥିବା ବେଳେ ଏ ବାବଦରେ ଦେଶରେ ପ୍ରଥମ ତିନିଟି ସ୍ଥାନ ଦଖଲ କରିଥିବା ନଗରୀମାନ ହେଲେ ଯଥାକ୍ରମେ ଦିଲ୍ଲୀ, ମୁମ୍ବାଇ ଓ ବେଙ୍ଗାଲୁରୁ। ‘ଏନ୍‌ସିଆର୍‌ବି’ ଯେଉଁସବୁ ଅପରାଧମାନଙ୍କୁ ହିଂସାତ୍ମକ ଅପରାଧ ଶ୍ରେଣୀଭୁକ୍ତ କରିଛି ସେଗୁଡ଼ିକ ହେଲେ ହତ୍ୟା, ହରଣଚାଳ ଓ ଅପହରଣ, ଧର୍ଷଣ, ହତ୍ୟା ଉଦ୍ୟମ, ଡକାୟତି, ଅଗ୍ନିକାଣ୍ଡ ଓ ଦଙ୍ଗାଗୋଳ ଆଦି। ଦିଲ୍ଲୀ ଓ ମୁମ୍ବାଇରେ ହିଂସାତ୍ମକ ଅପରାଧର ପରମ୍ପରା ଦୀର୍ଘ ହୋଇଥିବା ବେଳେ ବେଙ୍ଗାଲୁରୁ ମଧ୍ୟ ତାଲିକାର ଶୀର୍ଷ ଦେଶରେ ସେମାନଙ୍କ ସହିତ ଯୋଗଦେବାର କାରଣ ବୋଧହୁଏ ହେଉଛି ସେଠାରେ ଘଟୁଥିବା ସହରୀକରଣର ଦ୍ରୁତ ସଂପ୍ରସାରଣ ଓ ଅପରାଧ ରିପୋର୍ଟ କରାଯିବାରେ ପରିଲକ୍ଷିତ ଉନ୍ନତି।
ରିପୋର୍ଟ ଅନୁସାରେ ଦେଶରେ ପ୍ରତି ଏକ ଲକ୍ଷ ମହିଳାଙ୍କ ମଧ୍ୟରୁ ହାରାହାରି ୬୬.୨ ଜଣ କୌଣସି ନା କୌଣସି ଅପରାଧର ଶିକାର ହୋଇଥାନ୍ତି। ସାଧାରଣ ଅପରାଧମାନଙ୍କ ଭଳି ବିଗତ ବାର ବର୍ଷ ମଧ୍ୟରେ ମହିଳା-ବିରୋଧୀ ଅପରାଧ ସଂଖ୍ୟାରେ ତିନିଗୁଣ ବୃଦ୍ଧି ଘଟିବା ଦେଖାଯାଇଛି। ଏହି ଦୃଷ୍ଟିକୋଣରୁ ଯେଉଁ ଦୁଇଟି ରାଜ୍ୟରେ ମହିଳାମାନେ ସର୍ବାଧିକ ଅସୁରକ୍ଷିତ ବୋଲି କୁହାଯାଇ ପାରିବ, ସେମାନେ ହେଲେ ଦିଲ୍ଲୀ ଓ ତେଲେଙ୍ଗାନା। ଦିଲ୍ଲୀରେ ଉପରୋକ୍ତ ପରିସଂଖ୍ୟାନ ୧୩୩ ହୋଇଥିବା ବେଳେ ତେଲେଙ୍ଗାନାରେ ତାହା ହେଉଛି ୧୨୪। ଏ କ୍ଷେତ୍ରରେ ଯାହା ହେଉଛି ଅତ୍ୟନ୍ତ ଚିନ୍ତାଜନକ, ତାହା ହେଲା ମହିଳାମାନଙ୍କ ପ୍ରତି ଯେଉଁ ସମସ୍ତ ଅପରାଧମାନ ପଞ୍ଜିକୃତ ହୋଇଥାଏ, ସେଥିମଧ୍ୟରୁ ଅଧିକାଂଶ ହେଉଛି ସ୍ବାମୀ କିମ୍ବା ସଂପର୍କୀୟମାନଙ୍କ ଦ୍ବାରା ଆଚରିତ ଅପରାଧ। ବିଶେଷ କରି ବିଗତ ଦଶନ୍ଧି ମଧ୍ୟରେ ଅନୁସୂଚିତ ଜାତି ଓ ଜନଜାତିର ମହିଳାମାନଙ୍କ ବିରୋଧରେ ଅପରାଧ ହାରରେ ତୀକ୍ଷ୍‌ଣ ବୃଦ୍ଧି ଘଟିଥିବା ଦେଖାଯାଇଛି।
୨୦୨୩ରେ ଦେଶରେ ମୋଟ ପ୍ରାୟ ୪୪୪,୦୦୦ଟି ଦୁର୍ଘଟଣାଜନିତ ମୃତ୍ୟୁ ଘଟିଥିଲା, ଯାହା ଏଥିରେ ୩.୨ ଶତାଂଶ ବୃଦ୍ଧି ଦର୍ଶାଇଥାଏ। ଏଥିମଧ୍ୟରୁ ସଡ଼କ ଦୁର୍ଘଟଣା ଯୋଗୁଁ ମୃତ୍ୟୁର ଅଂଶ ହେଉଛି ଏକ ଉଚ୍ଚ ୪୫ ଶତାଂଶ। ସର୍ବାଧିକ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ଘଟୁଥିବା ପ୍ରଥମ ତିନିଟି ସହର ହେଉଛନ୍ତି ଦିଲ୍ଲୀ, ଜୟପୁର ଓ ବେଙ୍ଗାଲୁରୁ। ଅତୀତରେ ଭାରତକୁ ସାପୁଆ କେଳାମାନଙ୍କର ଦେଶ ରୂପେ ବର୍ଣ୍ଣନା କରାଯାଉଥିଲା। ସେମାନେ କ୍ରମେ ଦୃଶ୍ୟପଟରୁ ପ୍ରାୟ ଅନ୍ତର୍ହିତ ହୋଇ ଯାଇସାରିଥିବା ବେଳେ ସାପମାନେ ଯେ ପୂର୍ବଭଳି ଏଠାରେ ଅବାଧରେ ବିଚରଣ କରିବାରେ ଲାଗିଛନ୍ତି, ତାହାର ପ୍ରମାଣ ସ୍ବରୂପ ‘ଏନ୍‌ସିଆର୍‌ବି’ ରିପୋର୍ଟ ଅନୁସାରେ ୨୦୨୩ରେ ଭାରତରେ ପ୍ରାୟ ୧୦,୦୦୦ ସଂଖ୍ୟକ ସର୍ପାଘାତଜନିତ ମୃତ୍ୟୁ ଘଟିଥିଲା।
୨୦୨୩ରେ ଭାରତରେ ଆତ୍ମହତ୍ୟା ହାରରେ ବୃଦ୍ଧି ଘଟି ତାହାର ଅନୁପାତ ପ୍ରତି ଏକ ଲକ୍ଷ ଲୋକଙ୍କ ପିଛା ୧୨.୪ରେ ପହଞ୍ଚିଥିଲା। ଚିନ୍ତାଜନକ ଭାବରେ ଆତ୍ମହତ୍ୟା କରିଥିବା ଲୋକମାନଙ୍କ ମଧ୍ୟରୁ ଦୁଇ-ତୃତୀୟାଂଶଙ୍କର ବୟସ ଥିଲା ୪୫ ବର୍ଷରୁ କମ୍। ବିଶୁଦ୍ଧ ଅର୍ଥନୈତିକ ଦୃଷ୍ଟିକୋଣରୁ ଦେଖିଲେ ଏହା ହେଉଛି ଅତ୍ୟନ୍ତ ଦୁର୍ଭାଗ୍ୟଜନକ, କାରଣ ଜୀବନର ସର୍ବାଧିକ ଉତ୍ପାଦନଶୀଳ ସମୟରେ ଏମାନେ ଜୀବନ ଠାରୁ ଆପଣାଛାଏଁ ବିଦାୟ ନେବାକୁ ‌ନିଷ୍ପତ୍ତି ନେଇଛନ୍ତି। ଆତ୍ମହତ୍ୟା ସଂଖ୍ୟା ଦୃଷ୍ଟିରୁ ପ୍ରଥମ ଦୁଇଟି ରାଜ୍ୟ ହେଲେ ମହାରାଷ୍ଟ୍ର ଓ ତାମିଲନାଡୁ। ସେ ବର୍ଷ ଦେଶରେ ପ୍ରାୟ ୧୧,୦୦୦ କୃଷକ ଆତ୍ମହତ୍ୟା କରିଥିଲେ, ଯେଉଁଥିରେ ପ୍ରଥମ ଦୁଇଟି ସ୍ଥାନ ଦଖଲ କରିଥିବା ରାଜ୍ୟମାନେ ହେଲେ ମହାରାଷ୍ଟ୍ର ଓ କର୍ଣ୍ଣାଟକ।
‘ଏନ୍‌ସିଆର୍‌ବି’ ରିପୋର୍ଟ ଭାରତରେ ଅପରାଧର ଏକ ଚିନ୍ତାଜନକ ଚିତ୍ର ବହନ କରୁଥିଲେ ହେଁ, ଏହା ମଧ୍ୟ ଲକ୍ଷ୍ୟ କରିବା କଥା ଯେ ଦେଶରେ ହିଂସାତ୍ମକ ଅପରାଧ ବର୍ତ୍ତମାନ ଏକ ଚଟାଣରେ ପହଞ୍ଚି ଯାଇଥିବା ଭଳି ମନେ ହେଉଛି। ପୁଲିସ ଓ ଆଇନ କାର୍ଯ୍ୟକାରୀ କରୁଥିବା ସଂସ୍ଥାମାନେ ଏହି ସୁଯୋଗର ସଦ୍‌ବ୍ୟବହାର କରି କଠୋର କାର୍ଯ୍ୟାନୁଷ୍ଠାନ ଜାରି ରଖିଲେ, ସେଥିରେ ଆଉ ବୃଦ୍ଧି ନ ଘଟି ତାହା କ୍ରମେ ହ୍ରାସ ପାଇବାରେ ଲାଗିବ। ଦେଶ ପାଇଁ ଏବେ ଯେଉଁ ନୂତନ ଆହ୍ବାନ ସୃଷ୍ଟି ହୋଇଛି, ତାହା ହେଉଛି ସାଇବର୍ ଅପରାଧରେ ଘଟୁଥିବା ବୃଦ୍ଧି। ଏହାର ସଫଳ ମୁକାବିଲା ନିମିତ୍ତ ସବୁମନ୍ତେ ଉଦ୍ୟମ କରାଯିବା ଆବଶ୍ୟକ ଓ ଜରୁରି।