ରୋଗ ହେଉଛି ରୋଗୀ ପାଇଁ ଏକ ବିପଦ, ଯାହା ତାକୁ ଅସହାୟ କରିଦେଇଥାଏ। ତା’ର ଏହି ଅସହାୟ ମୁହୂର୍ତ୍ତରେ ତା’ର ଉଦ୍ଧାରକର୍ତ୍ତା ରୂପେ ଜଣେ ଡାକ୍ତର ତା’ ସହିତ ସଂପର୍କ ସ୍ଥାପନ କରିବା କେବଳ ଏକ ଯାନ୍ତ୍ରିକ କାର୍ଯ୍ୟ ହୋଇ ନ ପାରେ। ହିପୋକ୍ରାଟେସ୍ ପ୍ରଦର୍ଶିତ ମାର୍ଗ ଅନୁସରଣ କରୁଥିବା ଜଣେ ଚିକିତ୍ସକଙ୍କ ପାଇଁ ଜଣେ ରୋଗୀ କେବଳ ଏକ କେସ୍ ଫାଇଲ୍ ହୋଇ ନ ଥାଏ; ସେ ହୋଇଥାଏ ଅନେକ ଆଶା, ଆଶଙ୍କା ଦ୍ବାରା ଆନ୍ଦୋଳିତ ଏକ ତ୍ରସ୍ତ ମନୁଷ୍ୟ, ଯାହାର ଅନ୍ତଃସ୍ଥଳରେ ତଥାପି ଏକ ମନୁଷ୍ୟସୁଲଭ ସମ୍ମାନବୋଧ ସ୍ବୀକୃତି ପାଇଁ ଅପେକ୍ଷା କରିଥାଏ। କିଶୋରଙ୍କ ପରି ଡାକ୍ତରମାନେ ରୋଗୀର ସେଇ ଅନ୍ତଃସ୍ଥଳକୁ ସ୍ପର୍ଶ କରିଥାନ୍ତି।

Advertisment

ଆଜିକୁ ଠିକ୍ ସାତ ବର୍ଷ ତଳେ ଏହି ସମ୍ବାଦପତ୍ର ତା’ର ଏଇ ସ୍ତମ୍ଭରେ ଜଣେ ଯୁବ ଡାକ୍ତରଙ୍କୁ ଜଣେ ଦେବଦୂତ ରୂପେ ଅଭିହିତ କରି ମନ୍ତବ୍ୟ ପ୍ରଦାନ କରିଥିଲା। ସେ ଥିଲେ ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟିସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅବସ୍ଥାପିତ ଡାକ୍ତର କିଶୋର ଚନ୍ଦ୍ର ଦାସ, ଯାହାଙ୍କୁ ସେ ଅଞ୍ଚଳବାସୀ ପ୍ରଦାନ କରିଥିବା ଭାବବିହ୍ବଳ ବିଦାୟ ସମ୍ବର୍ଦ୍ଧନା ସେତେବେଳେ କେବଳ ଓଡ଼ିଶାରେ ନୁହେଁ, ଜାତୀୟ ଗଣମାଧ୍ୟମରେ ବ୍ୟାପକ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଥିଲା। ଏଠାରେ ତାହାର ଅଧିକ ପୁନରାବୃତ୍ତି ନ କରି ଏତିକି କହିଲେ ଯଥେଷ୍ଟ ହେବ, ସେ ଅଞ୍ଚଳବାସୀ ଡାକ୍ତର କିଶୋରଙ୍କୁ ଏଭଳି ସ୍ବତଃସ୍ଫୂର୍ତ୍ତ ସ୍ନେହ, ଶ୍ରଦ୍ଧା ଓ ସମ୍ମାନ ପ୍ରଦର୍ଶନ କରିବାର କାରଣ ଥିଲା ସେ ଅଞ୍ଚଳର ଚିକିତ୍ସାପ୍ରାର୍ଥୀ ରୋଗୀମାନଙ୍କ ପ୍ରତି ସେ ପ୍ରଦର୍ଶନ କରିଥିବା ଅକୁଣ୍ଠ, ବାଛବିଚାରହୀନ, ଆନ୍ତରିକ ଏକାତ୍ମ ଭାବ।
ଡାକ୍ତର କିଶୋରଙ୍କର ସେଇ ଅଭୂତପୂର୍ବ ବିଦାୟ ସମ୍ବର୍ଦ୍ଧନା ହିଁ ସେତେବେଳେ ଆମକୁ ଏଇ ସ୍ତମ୍ଭ ମାଧ୍ୟମରେ ତାଙ୍କର ବିରଳ ଆଦର୍ଶ ଚିକିତ୍ସକସୁଲଭ ବ୍ୟକ୍ତିତ୍ବକୁ ସମ୍ମାନ ଜଣାଇବାକୁ ପ୍ରବୃତ୍ତ କରିଥିଲା। ଆମେ ସେତେବେଳେ ଆଶା ପ୍ରକାଶ କରିଥିଲୁ ଯେ ଅନ୍ତତଃ ‌ଆମ ରାଜ୍ୟରେ ଡାକ୍ତର କିଶୋରଙ୍କର ଉଦାହରଣ ଅନ୍ୟ ସମସ୍ତ ଡାକ୍ତରମାନଙ୍କୁ ତାଙ୍କୁ ଅନୁସରଣ କରିବାକୁ ଅନୁପ୍ରାଣିତ କରିବ। ସାତ ବର୍ଷ ପରେ ଏଇ ସମ୍ବାଦପତ୍ରରେ ଅନ୍ୟ ଏକ ସରକାରୀ ହସ୍‌ପିଟାଲ୍‌ରେ ଅନ୍ୟ ଜଣେ ଡାକ୍ତରଙ୍କ ଆଚରଣ ସମ୍ବନ୍ଧରେ ଗତ ଶନିବାର ଦିନ ପ୍ରକାଶିତ ଏକ ଖବର ତେଣୁ ଆମଠାରେ କିଭଳି ହତାଶା, ବିଷାଦ ଓ କ୍ଷୋଭ ସୃଷ୍ଟି କରିଥିବ, ତାହା ସହଜେ ଅନୁମେୟ।
ଏହି ରିପୋର୍ଟ ଅନୁସାରେ ଜଣେ ଆସନ୍ନପ୍ରସବା ସଂପୃକ୍ତା ଡାକ୍ତରଙ୍କ ତରଫରୁ ଯେଉଁଭଳି ଦୁର୍ବ୍ୟବହାରର ସମ୍ମୁଖୀନ ହୋଇଥିଲେ, ତାହା କେବଳ ଅକଥନୀୟ ନୁହେଁ, ସାମାନ୍ୟତମ ମାନବିକତା ଥିବା ଯେ କୌଣସି ବ୍ୟକ୍ତି ପାଇଁ ଅକଳ୍ପନୀୟ ମଧ୍ୟ। ଏହାର ଏକ ନମୁନା ସ୍ବରୂପ ଏକ ସମୟରେ ଡାକ୍ତର ଜଣକ ନିର୍ଦ୍ଦେଶ ଦେଇଥିଲେ- ‘‘ୟାକୁ ନେଇକି ଫୋପାଡ଼ି ଦିଅ ବେଡ୍‌ରେ। ଦେଖିବା କ’ଣ ହେଉଛି... ପ୍ରଥମେ କାଟ, ପରେ ଆନାସ୍ଥେସିଆ ଦିଅ...।’’ ଏହା ଯନ୍ତ୍ରଣା ଉପଶମକାରୀ କୌଣସି ଏକ ଚିକିତ୍ସାଳୟର ଏକ ଦୃଶ୍ୟ ଅପେକ୍ଷା ଯନ୍ତ୍ରଣା ପ୍ରଦାନକାରୀ କୌଣସି ‘ଟର୍ଚର୍ ଚାମ୍ବର୍’ର ଏକ ଦୃଶ୍ୟ ଭଳି ମନେ ହୋଇ ନ ଥାଏ କି (ଯେମିତି ହରର୍ ସିନେମାରେ ଦେଖିବାକୁ ମିଳିଥାଏ)? ଅବିଶ୍ବାସ୍ୟ ଭାବରେ ଏହି ଡାକ୍ତରଖାନା ପୁଣି ଯେ କୌଣସି ଏକ ଡାକ୍ତରଖାନା ନୁହେଁ, ଏହା ହେଉଛି ରାଜଧାନୀ ଭୁବନେଶ୍ବରର ମୁଖ୍ୟ ସରକାରୀ ଚିକିତ୍ସାଳୟ- କ୍ୟାପିଟାଲ ହସ୍‌ପିଟାଲ୍!
ରିପୋର୍ଟଟିରେ ବର୍ଣ୍ଣିତ ଏହି ଦୃଶ୍ୟ ହେଉଛି ମୌଳିକ ଭାବରେ ଡାକ୍ତର ଓ ରୋଗୀଙ୍କ ମଧ୍ୟରେ ବଳ କଷାକଷିର ଏକ ଦୃଶ୍ୟ, ଯେଉଁଥିରେ ସର୍ବଦା ଡାକ୍ତରଙ୍କ ଶକ୍ତି ଶତପ୍ରତିଶତ ହୋଇଥିବା ବେଳେ ରୋଗୀର ଶକ୍ତି ହୋଇଥାଏ ଶୂନ୍ୟ ପ୍ରତିଶତ। ଏହାର କାରଣ ନିହିତ ଅଛି ଉଭୟ ପକ୍ଷଙ୍କ ମଧ୍ୟରେ ସୂଚନା ବଣ୍ଟନରେ ସ୍ବାଭାବିକ ଭା‌ବରେ ରହିଥିବା ଚରମ ଅସମତୁଲତା, ଯାହାକୁ କୁହାଯାଇଥାଏ- ‘ଇନ୍‌ଫର୍ମେସନ୍ ଆସିମେଟ୍ରି’। ନିଜର ରୋଗର ଚରିତ୍ର ଓ ଚିକିତ୍ସା ସମ୍ବନ୍ଧରେ ରୋଗୀ ସଂପୂର୍ଣ୍ଣ ଅଜ୍ଞ ହୋଇଥାଏ ଏବଂ ଏ ସମ୍ବନ୍ଧରେ ସମସ୍ତ ସୂଚନାର ଅଧିକାରୀ ହୋଇଥାନ୍ତି ସେଇ ଡାକ୍ତର, ଯାହାଙ୍କ ପାଖରେ ସିଏ ଶରଣାପନ୍ନ ହୋଇଥାଏ। ଏହି ‘ଇନ୍‌ଫର୍ମେସନ୍ ଆସିମେଟ୍ରି’ ସ୍ବାଭାବିକ ଭାବରେ ରୂପାନ୍ତରିତ ହୋଇଥାଏ ‘ପାୱାର ଆ‌ସିମେଟ୍ରି’ (କ୍ଷମତା ବଣ୍ଟନରେ ଅସମତୁଲତା)କୁ। ସରଳ ଭାବରେ କହିଲେ ଡାକ୍ତରଙ୍କ ପାଖରେ ରୋଗୀ ସର୍ବଦା ସଂପୂର୍ଣ୍ଣ ଅସହାୟ ହୋଇଥାଏ। କହିବା ବାହୁଲ୍ୟ, କ୍ଷମତାର ଏଭଳି ଘୋର ବିଷମ ବଣ୍ଟନ ଅନିବାର୍ଯ୍ୟ ଭାବରେ କ୍ଷମତାଶାଳୀ ଦ୍ବାରା କ୍ଷମତାର ଦୁରୁପଯୋଗର ସମ୍ଭାବନା ସୃଷ୍ଟି କରିଥାଏ।
ଆଧୁନିକ ଚିକିତ୍ସା ବିଜ୍ଞାନର ଜନକ ରୂପେ ବିବେଚିତ ଖ୍ରୀ.ପୂ. ପଞ୍ଚମ ଶତାବ୍ଦୀ‌ର ଗ୍ରୀକ୍ ଚିକିତ୍ସକ-ଦାର୍ଶନିକ ହିପୋକ୍ରାଟେସ୍ ଏହାର ସେଇ ଉନ୍ମେଷ କାଳରୁ ହିଁ ଜଣେ ଚିକିତ୍ସକ ଉପଭୋଗ କରୁଥିବା ଏହି ଅପ୍ରମିତ କ୍ଷମତା ସମ୍ବନ୍ଧରେ ସଚେତନ ହୋଇ ଏହାର ସମ୍ଭାବ୍ୟ ଦୁରୁପଯୋଗ ଏଡ଼ାଇବା ଉଦ୍ଦେଶ୍ୟରେ ତାଙ୍କର ଚିକିତ୍ସକ-ଶିଷ୍ୟମାନଙ୍କ ପାଇଁ ଏକ ଆଦର୍ଶ ନୈତିକ ଆଚରଣ ବିଧି ପ୍ରସ୍ତୁତ କରିଥିଲେ। ଏବେ ବି ପୃଥିବୀ ସାରା ଡାକ୍ତରୀ ଶିକ୍ଷାନୁଷ୍ଠାନମାନଙ୍କରେ ଛାତ୍ରଛାତ୍ରୀମାନେ ଯେଉଁ ଆଦର୍ଶ ଆଚରଣ ବିଧି ଅନୁସରଣ କରିବାକୁ ଶପଥ ଗ୍ରହଣ କରିଥାନ୍ତି, ତାହା ହିପୋକ୍ରାଟେସ୍‌ଙ୍କ ଦ୍ବାରା ପ୍ରଣୀତ ସେଇ ଅନୁଶାସନ ଉପରେ ପ୍ରତିଷ୍ଠିତ ହୋଇଥାଏ। ଏହି ଶପଥ ପାଠ ତେଣୁ ‘ହିପୋକ୍ରାଟିକ୍ ଓଥ୍’ ରୂପେ ସୁପରିଚିତ। ଓଡ଼ିଶାର ଅଗ୍ରଣୀ ଡାକ୍ତରୀ ଶିକ୍ଷାନୁଷ୍ଠାନ ‘ଭିମ୍‌ସାର୍’ର ୱେବ୍‌ସାଇଟରୁ ଉଦ୍ଧୃତ ଏହାର କେତେକ ନମୁନା ହେଉଛି ଏଇଭଳି: ‘‘ମୁଁ ସତ୍ୟନିଷ୍ଠାପୂର୍ବକ ଶପଥ ଗ୍ରହଣ କରୁଛି ଯେ ମୁଁ ମୋର ଜୀବନକୁ ମାନବ ସେବାରେ ଉତ୍ସର୍ଗ କରିଦେବି... ଭ୍ରୂଣ ସଞ୍ଚାର ପର ଠାରୁ ମାନବ ଜୀବନ ପ୍ରତି ମୁଁ ସର୍ବାଧିକ ସମ୍ମାନ ପ୍ରଦର୍ଶନ କରିଚାଲିବି... ମୋ ରୋଗୀର ସ୍ବାସ୍ଥ୍ୟ ହେବ ମୋର ସର୍ବପ୍ରଥମ ଦାୟିତ୍ବ... ମୁଁ ମୋର ସାଧ୍ୟମତେ ଚିକିତ୍ସା ବୃତ୍ତିର ସମ୍ମାନ ଏବଂ ମହାନ ପରମ୍ପରାକୁ ଅକ୍ଷୁଣ୍ଣ ରଖିବା ପାଇଁ ସବୁମନ୍ତେ ଚେଷ୍ଟା କରିବି...।’’
ଯେଉଁ ଚିକିତ୍ସକମାନେ ଏହି ଶପଥକୁ ଆନ୍ତରିକ ଭାବେ ପାଳନ କରିଥାନ୍ତି, ସେମାନେ ସର୍ବଦା ସଚେତନ ଥାନ୍ତି ଯେ କେବଳ ରୋଗୀକୁ ଦିଆଯାଉଥିବା ଔଷଧ ନୁହେଁ, ରୋଗୀ ପ୍ରତି ଚିକିତ୍ସକଙ୍କର ଆଚରଣ ମଧ୍ୟ ସେ ଆରୋଗ୍ୟ ଲାଭ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ସେମାନେ ଜାଣନ୍ତି ଚିକିତ୍ସା କେବଳ ଏକ ବିଜ୍ଞାନ ନୁହେଁ; ଏହା ମଧ୍ୟ ହେଉଛି ଏକ ନୈତିକ ବୃତ୍ତି। ଜଣେ ଚିକିତ୍ସକଙ୍କର ଭୂମିକାର କେନ୍ଦ୍ର ସ୍ଥଳରେ ରହିଥାଏ ଏକ ବିଶ୍ବାସାଶ୍ରିତ ଦାୟିତ୍ବ- ରୋଗୀର ସର୍ବାଧିକ ସ୍ବାର୍ଥ ରକ୍ଷା ପାଇଁ କାର୍ଯ୍ୟ କରିବା। ତା’ର ଏହି ସର୍ବାଧିକ ସ୍ବାର୍ଥ ରକ୍ଷା କେବଳ ରୋଗ ବିଷୟକ ନୁହେଁ; ଏହା ମଧ୍ୟ ହେଉଛି ବ୍ୟକ୍ତିଗତ, ମନସ୍ତାତ୍ତ୍ବିକ ଓ ଗଭୀର ଭାବେ ନୈତିକ। ରୋଗ ହେଉଛି ରୋଗୀ ପାଇଁ ଏକ ବିପଦ, ଯାହା ତାକୁ ଅସହାୟ କରିଦେଇଥାଏ। ତା’ର ଏହି ଅସହାୟ ମୁହୂର୍ତ୍ତରେ ତା’ର ଉଦ୍ଧାରକର୍ତ୍ତା ରୂପେ ଜଣେ ଡାକ୍ତର ତା’ ସହିତ ସଂପର୍କ ସ୍ଥାପନ କରିବା କେବଳ ଏକ ଯାନ୍ତ୍ରିକ କାର୍ଯ୍ୟ ହୋଇ ନ ପାରେ। ହିପୋକ୍ରାଟେସ୍ ପ୍ରଦର୍ଶିତ ମାର୍ଗ ଅନୁସରଣ କରୁଥିବା ଜଣେ ଚିକିତ୍ସକଙ୍କ ପାଇଁ ଜଣେ ରୋଗୀ କେବଳ ଏକ କେସ୍ ଫାଇଲ୍ ହୋଇ ନ ଥାଏ; ସେ ହୋଇଥାଏ ଅନେକ ଆଶା, ଆଶଙ୍କା ଦ୍ବାରା ଆନ୍ଦୋଳିତ ଏକ ତ୍ରସ୍ତ ମନୁଷ୍ୟ, ଯାହାର ଅନ୍ତଃସ୍ଥଳରେ ତଥାପି ଏକ ମନୁଷ୍ୟସୁଲଭ ସମ୍ମାନବୋଧ ସ୍ବୀକୃତି ପାଇଁ ଅପେକ୍ଷା କରିଥାଏ। କିଶୋରଙ୍କ ପରି ଡାକ୍ତରମାନେ ରୋଗୀର ସେଇ ଅନ୍ତଃସ୍ଥଳକୁ ସ୍ପର୍ଶ କରିଥାନ୍ତି।
କ୍ୟାପିଟାଲ ହସ୍‌ପିଟାଲ୍‌ରେ ଘଟିଥିବା ସେଇ ମର୍ମନ୍ତୁଦ ଘଟଣା ଅବଶ୍ୟ ପ୍ରମାଣିତ କରି ନ ଥାଏ ଯେ ସବୁଠାରେ ଡାକ୍ତରମାନେ ଏଭଳି ହୃଦୟହୀନ ହୋଇଥାନ୍ତି। ଏହାର ଏକ ଗଭୀର ଆଶ୍ବସ୍ତି ଓ ଭରସା ସୃଷ୍ଟିକାରୀ ଉଦାହରଣ ହେଉଛି ସେଇ ଭୁବନେଶ୍ବରସ୍ଥିତ ‘ଅଲ୍ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍’ (‘ଏମ୍‌ସ’)। ଏଠାରେ ହିପୋକ୍ରାଟେସ୍‌ସୁଲଭ ସଂସ୍କୃତିର ଚେର ଏଭଳି ଗଭୀର ଓ ବିସ୍ତାରିତ ଯେ ଏଠାରେ କର୍ତ୍ତବ୍ୟରତ ଦେଶର ଦକ୍ଷତମ ଧନ୍ବନ୍ତରି ଭଳି ଡାକ୍ତରମାନେ ସଂପୂର୍ଣ୍ଣ ରୂପେ ଅର୍ଥ ଲୋଭ ତ୍ୟାଗ କରି ନିଜ ଜୀବନକୁ ଆକ୍ଷରିକ ଭାବରେ ମାନବ ସେବାରେ ଉତ୍ସର୍ଗ କରି ଦେଇଥାନ୍ତି। ଏହାର ଚାକ୍ଷୁଷ ପ୍ରମାଣ ହେଉଛନ୍ତି ସେଠାକୁ ଆକର୍ଷିତ ହୋଇ ଦୂର ଦୂରାନ୍ତରୁ ଆସି ସେଇ ଦେବଦୂତସମ ଡାକ୍ତରମାନଙ୍କର ସାକ୍ଷାତ୍ ପାଇଁ ସହସ୍ର ସହସ୍ର ସଂଖ୍ୟାରେ ଭିଡ଼ ଜମାଉଥିବା ଦୁରାରୋଗ୍ୟ ରୋଗରେ ପୀଡ଼ିତ ଆର୍ତ୍ତ ରୋଗୀମାନେ। ଏହି ଅନୁଷ୍ଠାନରେ ପ୍ରଶାସନିକ ଓ ଆର୍ଥିକ କାରଣରୁ ସମସ୍ତ ପ୍ରକାର ସହାୟକ ସେବାର ସଂପୂର୍ଣ୍ଣ ଅନୁପସ୍ଥିତି ସତ୍ତ୍ବେ ରାଜ୍ୟ ଭିତରୁ ଓ ରାଜ୍ୟ ବାହାରୁ ରୋଗୀମାନଙ୍କର ଏଠାକୁ ଏଭଳି ସୁଅ ଛୁଟିବାର କାରଣ ହେଉଛି ସେମାନେ ଏଠାରେ ଡାକ୍ତରମାନଙ୍କ ଠାରୁ ପାଉଥିବା ସଂପୂର୍ଣ୍ଣ ରୂପେ ବାଛବିଚାରହୀନ ସର୍ବୋତ୍ତମ ଚିକିତ୍ସା, ଯାହାର ଏକ ବିଶେଷ ଅଂଶ ହୋଇଥାଏ ପ୍ରତ୍ୟେକ ରୋଗୀ ପ୍ରତି ଡାକ୍ତରଙ୍କ ଦ୍ବାରା ପ୍ରଦର୍ଶିତ ଆନ୍ତରିକ ସମ୍ବେଦନା। ଏହି ସମ୍ବେଦନାର ଅଭାବ ହିଁ ଥିଲା କ୍ୟାପିଟାଲ ହସ୍‌ପିଟାଲ୍‌ରେ ସେଇ ଅଭାବନୀୟ ଘଟଣା ଘଟିବାର ମୂଳ କାରଣ, ଯଦିବା ଏକ ନିଷ୍ଠୁର ବିଡ଼ମ୍ବନା ଭଳି ଖୋଦ୍ ସଂପୃକ୍ତା ଡାକ୍ତରଙ୍କ ନାମ ହେଉଛି ପ୍ରକାଶିତ ରିପୋର୍ଟ ଅନୁସାରେ- ଡାକ୍ତର ସମ୍ବେଦନା ପାଣିଗ୍ରାହୀ!