ଏହି ସଂଦର୍ଭରେ ବିରୋଧୀ ଦଳ ପ୍ରଶ୍ନ କରିଥାଆନ୍ତି ଯେ ମାମଲାର ଶୁଣାଣି କାଳୀନ ତର୍କ-ବିତର୍କରୁ ଟ୍ରଂପଙ୍କ ବିରୋଧରେ ରାୟ ଆସିବାର ସମ୍ଭାବନା ଥିଲା ବେଳେ ଭାରତ ସରକାର ରାୟକୁ ଅପେକ୍ଷା ନ କରି ତରବରିଆ ଭାବେ ବାଣିଜ୍ୟ ଚୁକ୍ତିରେ ଆବଦ୍ଧ ହେଲେ କାହିଁକି? ଏହାର ଉତ୍ତର ବୋଧହୁଏ ଏହା ଯେ ନଅ ଜଣ ବିଚାରପତିଙ୍କ ମଧ୍ୟରୁ ଛଅ ଜଣ ରିପବ୍ଲିକାନ ସମର୍ଥକ ହୋଇଥିବାରୁ ରାୟ ଯେ ଟ୍ରଂପଙ୍କ ବିରୋଧରେ ଆସିବ, ସେ ନେଇ ସରକାର ନିଶ୍ଚିତ ହୁଅନ୍ତେ ବା କିପରି?
ଗଲା ଶନିବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ସର୍ବୋଚ୍ଚ ଅଦାଲତଙ୍କ ଦ୍ବାରା ପ୍ରଦତ୍ତ ଏକ ରାୟ ସେଠାକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରଂପଙ୍କ ସକାଶେ ଅତ୍ୟନ୍ତ ନିରାଶାଜନକ ହୋଇଥିଲେ ହେଁ ସମଗ୍ର ପୃଥିବୀକୁ ଆଶ୍ବସ୍ତ କରିଛି। ସୁପ୍ରିମ କୋର୍ଟର ଏକ ନଅ ଜଣିଆ ବିଚାରପତିଙ୍କ ବେଞ୍ଚରେ ଛଅ ଜଣଙ୍କ ସମ୍ମତିରେ ଆସିଥିବା ନିଷ୍ପତ୍ତିଟି ସ୍ପଷ୍ଟ କରି ଦେଇଛି ଯେ ଯେଉଁ ‘ଏକଜିକ୍ୟୁଟିଭ’ କ୍ଷମତାର ପ୍ରେୟାଗ କରି ସ୍ବେଚ୍ଛାଚାରୀ ଟ୍ରଂପ ବିଭିନ୍ନ ରାଷ୍ଟ୍ର ଉପରେ ଅଯୌକ୍ତିକ ଓ ଅହେତୁକ ଆମଦାନି ଶୁଳ୍କ ଲଗାଇ ଚାଲିଥିଲେ, ତାହା ଅସାଂବିଧାନିକ; ସୁତରାଂ ଅବୈଧ ମଧ୍ୟ। ଦ୍ବିତୀୟ ପାଳିରେ ରାଷ୍ଟ୍ରପତି ହେବା ପରେ ଟ୍ରଂପ ମହାଶୟ ପ୍ରାୟ ବର୍ଷକ ଧରି କିଭଳି ବାଣିଜ୍ୟ ଶୁଳ୍କ ବା ‘ଟାରିଫ’କୁ ଏକ ଅସ୍ତ୍ର ରୂପେ ବ୍ୟବହାର କରି ଆନ୍ତର୍ଜାତିକ ରାଜନୀତି, ରଣନୀତି ଓ କୂଟନୀତିର ପରଂପରା ଓ ସଂପର୍କର ଭାରସାମ୍ୟକୁ ନଷ୍ଟଭ୍ରଷ୍ଟ କରିବାରେ ଲାଗିଥିଲେ, ତାହା ସର୍ବ ଜନ ବିଦିତ। ତେବେ, ସୁପ୍ରିମ କୋର୍ଟଙ୍କ ଏହି ନିଷ୍ପତ୍ତି ଗୋଟିଏ ଅଙ୍କୁଶ ତୁଲ୍ୟ ମତ୍ତ ହସ୍ତୀଟିଏକୁ ଆୟତ୍ତକୁ ଆଣିବାର ଉଦ୍ୟମରେ ସୀମିତ ହୋଇ ନ ଥାଏ; ଏଥିରୁ ମିଳିଥିବା ଅନ୍ୟ କେତେକ ସଂକେତ ଅଧିକ ପ୍ରଣିଧାନଯୋଗ୍ୟ।
ପ୍ରକାଶ ଥାଉ କି ଯେଉଁ ଆଇନକୁ ଅବଲମ୍ବନ କରି ଟ୍ରଂପ ବିଭିନ୍ନ ଦେଶ ଉପରେ ହାହାକାର ସୃଷ୍ଟିକାରୀ ଟାରିଫ ଲଦିବାରେ ପ୍ରବୃତ୍ତ ହୋଇଥିଲେ, ତାହା ହେଉଛି ୧୯୭୭ ମସିହାରେ ପ୍ରଚଳିତ ହୋଇଥିବା ‘ଇଣ୍ଟରନେସନାଲ ଏମର୍ଜେନ୍ସି ଇକୋନୋମିକ ପାୱାର ଆକ୍ଟ’ ବା ସଂେକ୍ଷପରେ ‘ଆଇ.ଇ.ଇ.ପି.ଏ.’; ଯାହାକୁ କେବଳ ଯୁଦ୍ଧର ଘନଘଟା ବା ତୀବ୍ର ଆର୍ଥିକ ଆହ୍ବାନ ପରିପ୍ରେକ୍ଷୀରେ ଏକ ସ୍ବତନ୍ତ୍ର ‘ଏକଜିକ୍ୟୁଟିଭ’ କ୍ଷମତା ରୂପେ ବ୍ୟବହାର କରାଯାଇପାରେ। କହିବା ଅନାବଶ୍ୟକ ଯେ ସଂପ୍ରତି ସେଭଳି କୌଣସି ପରିସ୍ଥିତି ସୃଷ୍ଟି ହୋଇନାହିଁ, ଯଦ୍ଦ୍ବାରା ଟ୍ରଂପ ଏଭଳି ଏକ ଅବାଧ କ୍ଷମତାଧାରୀ ସ୍ବତନ୍ତ୍ର ଆଇନର ଉପଯୋଗ କରନ୍ତେ। କେବଳ ସେତିକି ନୁହେଁ, ଟ୍ରଂପ ଏହାକୁ ଏକ ଅସ୍ତ୍ର ରୂପେ ଦେଖାଇ ଅନେକ ରାଷ୍ଟ୍ରଙ୍କ ସାର୍ବଭୌମତ୍ବ ଅତିକ୍ରମ କରିବାରେ ମଧ୍ୟ ବ୍ୟାପୃତ ହୋଇଥିଲେ; ଦୃଷ୍ଟାନ୍ତ ସ୍ବରୂପ ରୁଷିଆ ଠାରୁ ଖଣିଜ ତୈଳ ଖର୍ଦ୍ଦି ନ କରିବାକୁ ଭାରତକୁ ବାଧ୍ୟ କରିବା କିମ୍ବା ଗ୍ରୀନଲାଣ୍ଡ ଅଧିକାର କରିନେବା ଲାଗି ଡେନମାର୍କକୁ ଧମକ ଦେବା ଅଥବା କାନାଡାକୁ ଆମେରିକାର ଏକ ପ୍ରଦେଶରେ ପରିଣତ କରିବା େନଇ ଆଗ୍ରହାତିଶଯ୍ୟ ଦେଖାଇବା। ଖୁବ୍ ସମ୍ଭବ ଯେ ଟ୍ରଂପଙ୍କ ଏଭଳି ମୂଢ଼ତାପୂର୍ଣ୍ଣ ଆଚରଣ ଦ୍ବାରା ଆମେରିକାର ଭାବମୂର୍ତ୍ତି କ୍ଷୁଣ୍ଣ ହେଉଛି ବୋଲି ସୁପ୍ରିମ କୋର୍ଟର ବିଚାରପତିମାନଙ୍କ ହୃଦ୍ବୋଧ ହୋଇଥିବ; ନଚେତ ସେହି ବେଞ୍ଚର ନଅ ଜଣ ବିଚାରପତିଙ୍କ ମଧ୍ୟରୁ ଛଅ ଜଣ ରିପବ୍ଲିକାନ ଦଳର ସୁପାରିସ କ୍ରମେ ନିଯୁକ୍ତି ପାଇଥିଲେ ହେଁ ତହିଁରୁ ତିନି ଜଣ ଟ୍ରଂପଙ୍କ ବିରୋଧରେ ଯାଇ ନ ଥାଆେନ୍ତ! ଦକ୍ଷିଣପନ୍ଥୀ ଓ ତୀବ୍ର ଜାତୀୟତାବାଦୀ ଟ୍ରଂପ ତାଙ୍କ ସ୍ବଭାବ ସୁଲଭ ଢଙ୍ଗରେ ସଂପୃକ୍ତ ବିଚାରପତିମାନଙ୍କୁ ନିର୍ବୋଧ ଏବଂ ଦେଶପ୍ରେମ-ବିରହିତ ବୋଲି ଭର୍ତ୍ସନା କରିଛନ୍ତି। ତେବେ, ଟ୍ରଂପଙ୍କ ପ୍ରଳାପ ସତ୍ତ୍ବେ ଏଭଳି ଦାମ୍ଭିକ ନିଷ୍ପତ୍ତି ଯେ ନ୍ୟାୟପାଳିକାର ଗରିମା ବୃଦ୍ଧି କରିବା ସହିତ ଗଣତନ୍ତ୍ରର ଅକ୍ଷୟ ଉର୍ଜାକୁ ସାବ୍ୟସ୍ତ କରିଛି, ଏଥିରେ ଦ୍ବିରୁକ୍ତି ନାହିଁ।
ଉଲ୍ଲେଖଯୋଗ୍ୟ ଯେ ଟ୍ରଂପଙ୍କ ସୃଷ୍ଟ ଟାରିଫ ଯୁଦ୍ଧ ପରେ ଆମେରିକାର ଅନ୍ତତଃ ୧୨ଟି ପ୍ରଦେଶର ବିଭିନ୍ନ ଅଦାଲତରେ ମାମଲା ଦେଖିବାକୁ ମିଳିଥିଲା, ଯହିଁରୁ ପାଞ୍ଚ ଜଣ କ୍ଷୁଦ୍ର ବ୍ୟବସାୟୀଙ୍କ ଦ୍ବାରା ସର୍ବୋଚ୍ଚ ଅଦାଲତରେ ଆଗତ ମାମଲା ହେଉଛି ପ୍ରମୁଖ, ଯାହାକୁ ସେମାନଙ୍କ ପକ୍ଷରୁ ଲଢ଼ିଥିଲେ ଜଣେ ପ୍ରବାସୀ ଭାରତୀୟ ବଂଶଜ ଓକିଲ ନୀଳ ଏସ. କାତ୍ୟାଲ। ସମଗ୍ର ପୃଥିବୀକୁ ଶୀତଳ କରିଥିବା ଅଦାଲତୀ ନିଷ୍ପତ୍ତି ସକାଶେ କାତ୍ୟାଲଙ୍କ ଚମତ୍କାର ତର୍କ ହିଁ ଭୂମିକା ପ୍ରସ୍ତୁତ କରିଥିଲା। ମାମଲାରେ ବିଜୟ ଲାଭ କରିବା ପରେ ନୀଳ କାତ୍ୟାଲ ତାଙ୍କ ‘ଏକ୍ସ’ ବାର୍ତ୍ତାରେ ଯାହା କହିଛନ୍ତି, ତା’ର ମର୍ମାର୍ଥ ହେଲା ଏହା ହେଉଛି ସେଭଳି ଏକ ରାୟ ଯାହା ଏକ ମହାନ ଗଣତନ୍ତ୍ରରେ ସମ୍ଭବ, ଯେଉଁଠି ଏକାଧିପତ୍ୟକୁ ନିୟନ୍ତ୍ରଣ କରି ସମତୁଲତା ପ୍ରଦାନ କରିବାର ବ୍ୟବସ୍ଥା ଅତ୍ୟନ୍ତ ସୁଦୃଢ଼। ଏବଂ ପ୍ରବାସୀମାନଙ୍କୁ ପଲ୍ଲବିତ କରି ତଦ୍ଦ୍ବାରା ସ୍ବୟଂ ପରିପୁଷ୍ଟ ହୋଇଥିବା ଏହି ରାଷ୍ଟ୍ରରେ ଏଭଳି ବିଜୟ ଆକାଂକ୍ଷିତ। କହିବା ବାହୁଲ୍ୟ, ଏକଛତ୍ରବାଦୀ ଟ୍ରଂପଙ୍କ ବିରୋଧରେ ପାଞ୍ଚ କ୍ଷୁଦ୍ର ବ୍ୟବସାୟୀ ଛିଡ଼ା ହେବା ଓ ଟ୍ରଂପଙ୍କ ଆଗ୍ରହରେ ସଂପ୍ରତି ସେଠାରେ ପ୍ରବାସୀମାନଙ୍କ ମୂଳୋତ୍ପାଟନ, ବିତାଡ଼ନ ଓ ନିଷ୍ପେଷଣ ଅତ୍ୟନ୍ତ ଉତ୍କଟ ହୋଇଥିବା ବେଳେ ନୀଳ କାତ୍ୟାଲ ମକଦ୍ଦମା ଲଢ଼ିବା ଭଳି ବିଷୟ କେବଳ ସେମାନଙ୍କ ସାହସର ପରଚୟ ହୋଇ ନ ଥାଏ, ସେଠାକାର ଗଣତାନ୍ତ୍ରିକ ଅନୁଷ୍ଠାନ ଉପରେ ସେମାନଙ୍କ ଆସ୍ଥାର ପ୍ରମାଣ ମଧ୍ୟ ହୋଇଥାଏ।
ଅଦାଲତଙ୍କ ରାୟ ପରେ ଟ୍ରଂପଙ୍କ ମନ ମଉଜିଆ ଟାରିଫ ହଟିଯାଇଛି ସତ, କିନ୍ତୁ ଏ ନେଇ ସ୍ପଷ୍ଟତା ଆସିବାକୁ କିଛି ସମୟ ଲାଗିପାରେ। ଅବଶ୍ୟ, ନିଜର ସାଧାରଣ ‘ଏକଜିକ୍ୟୁଟିଭ’ କ୍ଷମତାର ପ୍ରୟୋଗ କରି ଟ୍ରପଂ ସବୁ ଦେଶ ଉପରେ ୧୦% ଅତିରିକ୍ତ ଶୁଳ୍କ ଲଗାଇଛନ୍ତି। ଯଦିଓ, ଅଦମ୍ୟ ଟ୍ରଂପ ତାଙ୍କ ଟାରିଫ ନୀତିରେ ଅଟଳ ରହିବାକୁ ପ୍ରତିଜ୍ଞାବଦ୍ଧ, ବିଶେଷଜ୍ଞଙ୍କ ମତରେ ଅନ୍ୟ ଆଇନ ଉପଯୋଗ କରି ସେଭଳି ଅବାଧ ଟାରିଫ ଲଗୁ କରାଯିବା ଅତ୍ୟନ୍ତ କଷ୍ଟସାଧ୍ୟ ଓ କାଳକ୍ଷେପଣକାରୀ ହେବ। ଅଦାଲତଙ୍କ ରାୟ ଅନୁସାରେ ‘ଆଇ.ଇ.ଇ.ପି.ଏ.’ର ପ୍ରୟୋଗ ସକାଶେ ସେଠାକାର ସଂସଦ କଂଗ୍ରେସର ଅନୁମୋଦନ ଜରୁରି; ଯାହା ଲାଭ କରିବା ମଧ୍ୟ ଏକ ଦୁରୂହ ବ୍ୟାପାର। ତେଣୁ ଅବାଂଛିତ ଟାରିଫର ଭୟ ଅପାତତଃ ଟଳି ଯାଇଛି। କିନ୍ତୁ ଏହି ବର୍ଷକ ମଧ୍ୟରେ ବେଆଇନ ଟାରିଫ ସୂତ୍ରରୁ ଆମେରିକା ଲାଭ କରିଥିବା ଏକ ବିପୁଳ ଅର୍ଥ ରାଶି (୧୭୦ ବିଲିଅନ ଡଲାରରୁ ଅଧିକ)କୁ ଫେରସ୍ତ କରାଯିବା ଭଳି ଏକ ଗୁରୁତ୍ବପୂର୍ଣ୍ଣ ବିଷୟ ଅଛିଣ୍ଡା ରହିଯାଇଛି। ଏହି ପ୍ରକ୍ରିୟା ଅତ୍ୟନ୍ତ ବିଶାଳ ଓ ଜଟିଳ ହେବ; କାରଣ ‘ରଏଟର୍ସ’ର ସୂଚନାନୁସାରେ ପ୍ରାୟ ୩ ଲକ୍ଷ ସରିକି କଂପାନି ଏହାର ଦାବିଦାର ହେବେ।
ଏଭଳି ସ୍ଥଳେ ଭାରତର ସ୍ଥିତି ଅତ୍ୟନ୍ତ ଅସ୍ପଷ୍ଟ; କାରଣ, ନିକଟରେ ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିର ଢାଞ୍ଚା ଉଭୟ ପକ୍ଷର ସମ୍ମତିରେ ପ୍ରସ୍ତୁତ ହୋଇ ସାରିଛି। ଏଣେ ଟ୍ରଂପ ମଧ୍ୟ କହିସାରିଲେଣି ଯେ ତାହା ଅପରିବର୍ତ୍ତିତ ରହିବ। ଏହାର ଅର୍ଥ ଭାରତ କ’ଣ ଅତିରିକ୍ତ ୧୦% ଉପରେ ଆହୁରି ୧୮% ଅଧିକ ଟାରିଫ େଦବାକୁ ବାଧ୍ୟ ହେବ? ସମୟ କ୍ରମେ ଏହା ପ୍ରାଂଜଳ ହେବ। ତେବେ, ଏହି ସଂଦର୍ଭରେ ବିରୋଧୀ ଦଳ ପ୍ରଶ୍ନ କରିଥାଆନ୍ତି ଯେ ମାମଲାର ଶୁଣାଣି କାଳୀନ ତର୍କ-ବିତର୍କରୁ ଟ୍ରଂପଙ୍କ ବିରୋଧରେ ରାୟ ଆସିବାର ସମ୍ଭାବନା ଥିଲା ବେଳେ ଭାରତ ସରକାର ରାୟକୁ ଅପେକ୍ଷା ନ କରି ତରବରିଆ ଭାବେ ବାଣିଜ୍ୟ ଚୁକ୍ତିରେ ଆବଦ୍ଧ ହେଲେ କାହିଁକି? ଏହାର ଉତ୍ତର ବୋଧହୁଏ ଏହା ଯେ ନଅ ଜଣ ବିଚାରପତିଙ୍କ ମଧ୍ୟରୁ ଛଅ ଜଣ ରିପବ୍ଲିକାନ ସମର୍ଥକ ହୋଇଥିବାରୁ ରାୟ ଯେ ଟ୍ରଂପଙ୍କ ବିରୋଧରେ ଆସିବ, ସେ ନେଇ ସରକାର ନିଶ୍ଚିତ ହୁଅନ୍ତେ ବା କିପରି?
ଶୁଣିବାକୁ ମିଳେ ଯେ ଟ୍ରଂପଙ୍କ ଜ୍ବାଇଁ ଜାରେଡ କୁସନର, ଆମାଜନରେ ବ୍ୟବସାୟ-ପରାମର୍ଶ ସଂକ୍ରାନ୍ତ କେତେକ ପୁସ୍ତକ ଖୋଜୁଥିବା ବେଳେ ପିଟର ନବାରୋଙ୍କ ଯେଉଁ ପୁସ୍ତକର ସନ୍ଧାନ ପାଆନ୍ତି, ତା’ର ଶୀର୍ଷକ ହେଉଛି ‘ଡେଥ ବାଇ ଚାଇନା: କନଫ୍ରଣ୍ଟିଙ୍ଗ ଦ ଡ୍ରାଗନ- ଏ ଗ୍ଲୋବାଲ କଲ ଟୁ ଆକସନ’ (ପ୍ରକାଶନ କାଳ ୨୦୧୧)। ତହିଁରେ ବର୍ଣ୍ଣିତ ଥାଏ କିଭଳି ଅନୈତିକ ବାଣିଜ୍ୟ କାରବାର ବଳରେ ଆମେରିକାର ଅର୍ଥନୀତିକୁ ନଷ୍ଟ କରିବାରେ ଚୀନ ପ୍ରବୃତ୍ତ ଅଛି। ତହିଁରୁ କୁଆଡ଼େ ଟ୍ରଂପ ଲାଭ କରିଥିଲେ ତାଙ୍କ ‘ଟାରିଫ’ ଦର୍ଶନ। ସଂପ୍ରତି ପିଟର ନବାରୋ ହେଉଛନ୍ତି ଟ୍ରଂପଙ୍କ ଘନିଷ୍ଠ ଉପଦେଷ୍ଟା ଓ ଦିଗଦ୍ରଷ୍ଟା। ପ୍ରକାଶ ଥାଉ କି ଗତ ବର୍ଷ ଆତ୍ମପ୍ରକାଶ କରିଥିବା ‘ପ୍ରୋଜେକ୍ଟ ୨୦୨୫’ରେ ନବାରୋଙ୍କ ଦ୍ବାରା ଲିଖିତ ନିବନ୍ଧ ‘ଦ କେସ ଫର ଫେୟାର ଟ୍ରେଡ’ରୁ ଟ୍ରଂପ ଟାରିଫ ଆକ୍ରମଣର ରୂପରେଖ ପାଇଥିଲେ। ଜୀବନ ଉପରେ ଅନେକ ସମୟରେ ପୁସ୍ତକର ଗଭୀର ପ୍ରଭାବ ପଡ଼ିଥାଏ। ମୋହନ ଦାସଙ୍କ ହାତରେ ଜନ ରସ୍କିନଙ୍କ ‘ଅନ ଟୁ ଦିସ୍ ଲାଷ୍ଟ’ ନାମକ ପୁସ୍ତକ ପଡ଼ି ନ ଥିଲେ ପୃଥିବୀ ହୁଏତ ମହାତ୍ମା ଗାନ୍ଧୀଙ୍କୁ ପାଇ ନ ଥାଆନ୍ତା। କିନ୍ତୁ, ବେଳେବେଳେ ଭୁଲ୍ ବ୍ୟକ୍ତିଙ୍କ ହାତରେ ଭୁଲ୍ ପୁସ୍ତକ ମଧ୍ୟ ପଡ଼ିଥାଏ, ଯେମିତି ହିଟଲରଙ୍କୁ ହାବୁଡ଼ି ଥିଲା ମାଡିସନ ଗ୍ରାଣ୍ଟଙ୍କ ପୁସ୍ତକ ‘ଦ ପାସିଙ୍ଗ ଅଫ ଦ ଗ୍ରେଟ ରେସ୍’ ଏବଂ ତାଙ୍କ ଭିତରେ ଇହୁଦୀ ଗଣମେଧ ଯଜ୍ଞ ସକାଶେ ବୀଜ ପଡ଼ିଥିଲା। ନବାରୋଙ୍କ ପୁସ୍ତକ ମଧ୍ୟ ଟ୍ରଂପଙ୍କ ଲାଗି ବୁଦ୍ଧିଭ୍ରଂଶକାରୀ ସାବ୍ୟସ୍ତ ହୋଇଛି। ତେବେ, ସୌଭାଗ୍ୟର ବିଷୟ ତାଙ୍କ ମୁଣ୍ଡରୁ ଟାରିଫ ଭୂତ ଝାଡ଼ିବା ସକାଶେ ସେଠି ସାହସୀ ଗୁଣିଆ ମହଜୁଦ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/OAnDiWZ5zjRDfuWfWgMX.jpg)