ବିଶ୍ବ ରାଜନୀତି ଆକାଶରେ ଟ୍ରଂପଙ୍କ ପୁନରାବିର୍ଭାବ ପରେ ସଂପ୍ରତି ଯେତେବେଳେ ପୃଥିବୀ ଏକ ଅତ୍ୟନ୍ତ ଅସ୍ବସ୍ତିକର ବାତାବରଣ ଦେଇ ଗତି କରୁଛି, ସେତିକି ବେଳେ ପାକିସ୍ତାନ ଓ ଆମେରିକା ପରସ୍ପରକୁ ସ୍ବପ୍ନ ବିକ୍ରୟ କରିବାର ଖେଳରେ ବ୍ୟାପୃତ, ଯାହାକୁ କେତେକ ପର୍ଯ୍ୟବେକ୍ଷକ ଅସାର ଗେଲ ବା ଗମାତ ବୋଲି କହିଥାଆନ୍ତି! ଆମ ଭାଷାରେ ଏକ ବହୁ ପ୍ରଚଳିତ ରୁଢ଼ି ଅନୁସାରେ ଏଭଳି ଗେଲର ଖେଳ ମାତ୍ରାତିରିକ୍ତ ହୋଇଗଲେ ତେଲ ବାହାରିଯାଏ, ଅର୍ଥାତ୍‌ ଅପ୍ରୀତିକର ପରିସ୍ଥିତି ଉପୁଜିଥାଏ।

Advertisment

ଭାରତରେ ସଂପ୍ରତି ଚର୍ଚ୍ଚା‌, ଚିନ୍ତନ, ଚିନ୍ତା ଓ ଭର୍ତ୍ସନାର କ୍ଷେତ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରଂପଙ୍କ ଆଚରଣ ଓ ଉଚ୍ଚାରଣକୁ ନେଇ ମୁଖର ହୋଇ ଉଠିଥିବା ବେଳେ ଯାହା ଭାରତୀୟମାନଙ୍କ ସକାଶେ ବିରକ୍ତି ଓ ବ୍ୟଥାର କାରଣ ହୋଇଥାଏ, ତାହା ହେଲା ଟ୍ରଂପଙ୍କ ସେହି ତାଚ୍ଛଲ୍ୟଭରା ମନ୍ତବ୍ୟ ଯେ ପାକିସ୍ତାନର ଭୂମି ତଳେ ଗଚ୍ଛିତ ବିପୁଳ ଖଣିଜ ତୈଳ ଭଣ୍ଡାରରୁ ଆମେରିକା-ପାକିସ୍ତାନର ମିଳିତ ଉଦ୍ୟମରେ ଉତ୍ତୋଳିତ ତେଲକୁ ଦିନେ ଭାରତ ହିଁ କ୍ରୟ କରିବ! ପ୍ରକାଶ ଥାଉ କି ଭ‌ାରତ ପାକିସ୍ତାନ ସହିତ ଗୋଟିଏ ବନ୍ଧନୀ ମଧ୍ୟରେ ରହିବାକୁ ସଂପୂର୍ଣ୍ଣ ନାରାଜ ଥିବା ବେଳେ ଏବଂ ଉଭୟ ଦେଶ ମଧ୍ୟରେ କୌଣସି ପ୍ରକାର ବାଣିଜ୍ୟିକ ସଂପର୍କ ନ ଥିବା କାରଣରୁ ଏଭଳି ଏକ ବିଦ୍ରୂପ ଭାରତର କଞ୍ଚା କ୍ଷତରେ ଲୁଣ ଲାଗିଲା ଭଳି ଜ୍ବଳନ ସୃଷ୍ଟି କରିଥାଏ। କିନ୍ତୁ ଏଭଳି ସ୍ଥଳେ ପ୍ରଶ୍ନ ମଧ୍ୟ ଉଠିଥାଏ ଯେ ଉଭୟ ପାକିସ୍ତାନ ଓ ଆମେରିକା ପରସ୍ପରକୁ ପୁଲକିତ କରିବା ଲାଗି ବିନା ‘ଟାରିଫ’ରେ ଅଳୀକ ସ୍ବପ୍ନମାନ ବିକ୍ରୟ କରିବାରେ ବ୍ୟାପୃତ ନାହାନ୍ତି ତ? ଏଭଳି ସ୍ଥଳେ ଏମିତି ଏକ ପ୍ରଶ୍ନ ଉଠିବା ପଛରେ ନିହିତ କାରଣ ଜାଣିବା ସକାଶେ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ। 
ଏହା ସୁବିଦିତ ଯେ ଭାରତ-ପାକିସ୍ତାନ ମଧ୍ୟରେ ଆରମ୍ଭ ହୋଇଥିବା ସଂଘର୍ଷକୁ ମାତ୍ର ଚାରି ଦିନ ମଧ୍ୟରେ ନିଜ ହସ୍ତକ୍ଷେପ ବଳରେ ସମାପ୍ତ କରି ଦେଇଛନ୍ତି ବୋଲି ଟ୍ରଂପଙ୍କ ବାହାସ୍ଫୋଟ(ପ୍ରାୟ ୨୯ ଥର!)କୁ ଭାରତ ପକ୍ଷରୁ ଅସ୍ବୀକାର କରାଯାଇଥିବା ବେଳେ ପାକିସ୍ତାନ ପକ୍ଷରୁ ଏଥି ଲାଗି ଗଭୀର କୃତଜ୍ଞତା ପ୍ରକାଶ କରାଯାଇ ତାଙ୍କ ନାମକୁ ଶାନ୍ତି ପାଇଁ ନୋବେଲ ପୁରସ୍କାର ସକାଶେ ସୁପାରିସ କରାଯାଇଛି। ତେବେ ପ୍ରଶ୍ନ ହେଲା, ଅଳ୍ପ କିଛି ବ୍ୟତିକ୍ରମ ସତ୍ତ୍ବେ ଶାନ୍ତି ଲାଗି ନୋବେଲ ପୁରସ୍କାର ବିଜେତାଙ୍କ ତାଲିକାରେ ଟ୍ରଂପଙ୍କ ନାମ ଦୃଷ୍ଟିକଟୁ ସାବ୍ୟସ୍ତ ହେବ ନାହିଁ ତ? କାରଣ ଏହି ପୁରସ୍କାର ଲାଗି ଥିବା ଯୋଗ୍ୟତାର ମାପଦଣ୍ଡରେ ଟ୍ରଂପଙ୍କ ଭଳି ଜଣେ ଅତ୍ୟନ୍ତ ବଡ଼ିମାଯୁକ୍ତ, ଶିଷ୍ଟାଚାରଶୂନ୍ୟ, ସଂବେଦନାରହିତ, ଅରାଜକ, ଅଶ୍ଳୀଳ ଓ କ୍ଷମତା ରଙ୍କ ବ୍ୟକ୍ତି ଆଦୌ ଖାପ ଖାଇ ନ ଥାଆନ୍ତି! ୨୦୨୦ ମସିହାରେ ରାଷ୍ଟ୍ରପତି ନିର୍ବାଚନ ପରେ ନିଜ ପରାଜୟକୁ ଅସ୍ବୀକାର କରି ଟ୍ରଂପ ଦେଇଥିବା ଡା‌କରାରେ ତାଙ୍କ ଉଚ୍ଛୃଙ୍ଖଳ ସମର୍ଥକ ଦଳ ଯେଉଁ ଭଳି ଭାବେ ଆମେରିକୀୟ ସଂସଦ ଭବନ(କ୍ୟାପିଟଲ ହିଲ୍‌ସ)କୁ ଧସେଇ ପଶି ବ୍ୟାପକ ଭଙ୍ଗାରୁଜା କରିଥିଲେ, ତାହା ଆମେରିକୀୟ ଗଣତନ୍ତ୍ର ଲାଗି ଏକ ଅପବାଦ ହୋଇ ରହିଯିବ। ଏହା ମଧ୍ୟ ଏକ ପ୍ରମାଣ ଯେ ଟ୍ରଂପ ଆଦୌ ଶାନ୍ତିକାମୀ ନୁହନ୍ତି। କିନ୍ତୁ ତା’ ସତ୍ତ୍ବେ ଅମ୍ଳାନ ଯଶ ପ୍ରାପ୍ତିର ମୋହ ତାଙ୍କୁ ନୋବେଲ ପୁରସ୍କାର(ଶାନ୍ତି)ର ସ୍ବୀକୃତିଟିଏ ପାଇଁ ହୁଏତ ପ୍ରଲୁବ୍‌ଧ କରିଥିବ, ନଚେତ୍‌ ସେ ଆସ୍ଫାଳନ କରି ନ ଥାଆନ୍ତେ ଯେ କ୍ଷମତାସୀନ ହେବା ମାତ୍ରକେ ରୁଷିଆ-ୟୁକ୍ରେନ ଓ ଇସ୍ରାଏଲ-ହମାସ ଯୁଦ୍ଧରେ ବିରତି ଘଟାଇବେ। ଇତିମଧ୍ୟରେ ସେହି ସେହି ପ୍ରତିଶ୍ରୁତି ପାଣିରେ ଗାର ବୋଲି ସାବ୍ୟସ୍ତ ହୋଇ ଯାଇଛି, ଯେଉଁ କାରଣରୁ ସେ ରୁଷିଆର ରାଷ୍ଟ୍ରପତି ‘ଅବୋଲକରା’ ଭ୍ଲାଡିମିର ପୁଟିନଙ୍କ ଉପରେ କ୍ଷୁବ୍‌ଧ! ଏବଂ ଯଦିଓ ତାଙ୍କ ‘ବୋଲକରା’ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଟ୍ରଂପଙ୍କ କଥା ମାନି ଗାଜା ପଟି ଉପରେ ଅବିଶ୍ରାନ୍ତ ଓ ନିର୍ବିଚାର ବୋମା ମାଡ଼ରୁ କ୍ଷାନ୍ତ ରହିଛନ୍ତି, ଚୂର୍ଣ୍ଣୀଭୂତ ଗାଜାରେ ସୃଷ୍ଟ ଅବର୍ଣ୍ଣନୀୟ ମାନବୀୟ ଟ୍ରାଜେଡିର ସ୍ରଷ୍ଟା ଭାବେ ସମାଲୋଚିତ ନେତନ୍ୟାହୁଙ୍କ ଘନିଷ୍ଠ ମିତ୍ର ଓ ସମର୍ଥକ ଭାବେ ଟ୍ରଂପଙ୍କ ଛବି ଏକ ଶାନ୍ତିର ଦୂତ ରୂପେ ଦିଶି ନ ଥାଏ! କେବଳ ସେତିକି ନୁହେଁ, ଯୁଦ୍ଧ ବିଧ୍ବସ୍ତ ଗାଜାକୁ ଏକ ବିଳାସପୂର୍ଣ୍ଣ ପର୍ଯ୍ୟଟନ ସ୍ଥଳୀରେ ପରିଣତ କରିବାକୁ ଟ୍ରଂପଙ୍କ ଆଗ୍ରହ ଓ ପ୍ରସ୍ତାବ ଅସଂଖ୍ୟଙ୍କ ମେରୁଦଣ୍ଡରେ ଶୀତଳ ଶିହରଣ ସଂଚାର କରିଥିଲା। କହିବା ବାହୁଲ୍ୟ ଯେ ଏଭଳି ଏକ ସ୍ଥିତିରେ ଶାନ୍ତି ଲାଗି ନୋବେଲ ପୁରସ୍କାର ପାଇବା ସକାଶେ ଟ୍ରଂପଙ୍କ ଆଶାକୁ ଉଜ୍ଜୀବିତ କରି ରଖିଥାଏ ପାକିସ୍ତାନର ସୁପାରିସ, ଯେଉଁ ସ୍ବପ୍ନ ବିକ୍ରୟ କରି ତା’ର ପ୍ରତିବଦଳରେ ଟ୍ରଂପଙ୍କ ଠାରୁ ସେ ଦେଶ ଏକ ସ୍ବପ୍ନ ମଧ୍ୟ କ୍ରୟ କରିଛି ଯେ ତାହାର ଭୂମି ତଳେ ବିଦ୍ୟମାନ ଅସରନ୍ତି ଖଣିଜ ତୈଳ ଭଣ୍ଡାରକୁ ଆମେରିକାର ସହାୟତାରେ ଉପଯୋଗ କରି ନିଜର ଲଲାଟ ଲିଖନ କରିବ।
ପ୍ରକାଶ ଥାଉ କି ପାକିସ୍ତାନ ଏକ ବିଶାଳ ପ୍ରାକୃତିକ ଖଣିଜ ତୈଳ ଭଣ୍ଡାରର ଅଧିକାରୀ ବୋଲି ଏକ ଧାରଣା ସେଠାରେ ପଞ୍ଚମ ଶତାବ୍ଦୀରୁ ଏ ଯାବତ୍‌ ବଳବତ୍ତର ରହି ଆସିଛି; ୧୯୫୨ ମସିହାରେ ପଶ୍ଚିମ ପଞ୍ଜାବର କେଉଁ ଏକ ଅଖ୍ୟାତ ଗ୍ରାମରେ ଭୂମି ଖନନ ସମୟରେ ଖଣିଜ ତୈଳ ଉପସ୍ଥିତିର ସାମାନ୍ୟ ଆଭାସରୁ ଏହି ଧାରଣା ଜନ୍ମ ନେଇଥିଲା। ଯଦିଓ ଅନେକ ବର୍ଷ ପୂର୍ବରୁ ପାକିସ୍ତାନ(ସିନ୍ଧ ଓ ବେଲୋଚିସ୍ତାନ)ରେ ପ୍ରାକୃତିକ ଗ୍ୟାସର ସନ୍ଧାନ ମିଳି ତାହା ପାକିସ୍ତାନୀ ନାଗରିକଙ୍କ ଲାଗି ସୁଲଭ୍ୟ ହୋଇ ଆସିଛି, ପ୍ରଚୁର ଖଣିଜ ତୈଳର ଆଶା କିନ୍ତୁ ଅପୂରଣୀୟ ହୋଇ ରହିଛି। ଉଲ୍ଲେଖଯୋଗ୍ୟ ଯେ ବୈଜ୍ଞାନିକ ଆକଳନ ଅନୁସାରେ ସଂପ୍ରତି ପାକିସ୍ତାନର ତୈଳ ଖଣିଗୁଡ଼ିକରେ ମାତ୍ର ୦.୫ ବିଲିଅନ ବ୍ୟାରେଲ ଉପଲବ୍‌ଧ ଥିବା ବେଳେ ଭାରତରେ ସେହି ପରିମାଣ ହେଉଛି ୪.୯ ବିଲିଅନ ବ୍ୟାରେଲ ଅର୍ଥାତ୍‌ ପାକିସ୍ତାନର ପ୍ରାୟ ଦଶ ଗୁଣ! ତଥାପି ପାକିସ୍ତାନ ପୋଷଣ କରିଥିବା ଅପରିମେୟ ପ୍ରାକୃତିକ ତୈଳ ଭଣ୍ଡାରର ଆଶା ଅମଳିନ ହୋଇ ରହିଛି। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାଁ ଓ ବର୍ତ୍ତମାନର ପାକିସ୍ତାନୀ ସେନାଧ୍ୟକ୍ଷ ଅସୀମ ମୁନୀରଙ୍କ ମଧ୍ୟ‌େର ବୈରୀ ଭାବ ଥିଲେ ହେଁ ଉଭୟଙ୍କ ମଧ୍ୟରେ ଗୋଟିଏ ମତ ସାମଂଜସ୍ୟ ରହିଛି ଯେ ଦୁହେଁ ପାକିସ୍ତାନକୁ ‘ଦ୍ବିତୀୟ ମଦିନା’ ବୋଲି ସଂବୋଧନ କରନ୍ତି ଏବଂ ବିଶ୍ବାସ କରନ୍ତି ଯେ ମଦିନା(ଆରବ) ଭଳି ପାକିସ୍ତାନ ମଧ୍ୟ ଆଲ୍ଲାଙ୍କ ଦ୍ବାରା ଖଣିଜ ତୈଳର ପ୍ରାଚୁର୍ଯ୍ୟ ଦ୍ବାରା ଅନୁଗୃହୀତ ହୋଇଥିବା ସୁନିଶ୍ଚିତ। ଉଲ୍ଲେଖଯୋଗ୍ୟ ଯେ ଏହି କାରଣରୁ ପାକିସ୍ତାନରେ ଖଣିଜ ତୈଳର ସନ୍ଧାନ ଓ ଉତ୍ତୋଳନ ଲାଗି ପୃଥିବୀର ଅନେକ ବୃହତ୍‌ କଂପାନିଙ୍କ ସହଯୋଗରେ ସଘନ ପ୍ରୟାସ ଚାଲି ଆସିଛି, ଯଦିଓ ପରିଶେଷର ବିଦେଶୀ କଂପାନିଗୁଡ଼ିକ ବିଫଳ ମନୋରଥ ହୋଇ ପ୍ରତ୍ୟାବର୍ତ୍ତନ କରିଛନ୍ତି! ଗୋଟିଏ ଉଦାହରଣରୁ ଏ ସମ୍ବନ୍ଧରେ ଧାରଣା ମିଳିବ ଯେ ୨୦୧୯ ମସିହାରେ ‌େକକ୍ରା-୧ ଠାରେ ୨୪୦ଟି ଅତ୍ୟନ୍ତ ଗଭୀର କୂପ ଖନନ କରାଯିବା ସତ୍ତ୍ବେ ବୁନ୍ଦାଏ ସୁଦ୍ଧା ‌େତୖଳ ମିଳି ନ ଥିଲା, ଯେଉଁ ପ୍ରୟାସରେ ସ୍ଥଳ ବିଶେଷରେ ଗୋଟିଏ ଗୋଟିଏ କୂପର ଗଭୀରତା ପାଞ୍ଚ କିଲୋମିଟରରୁ ଅଧିକ ହୋଇଥିଲା। ଏହି ଉଦ୍ୟମରେ ଆମେରିକାର ‘ଏକ୍‌ସନ’ ନାମକ କଂପାନି ପ୍ରାୟ ଶହେ ନିୟୁତ ଡଲାରରୁ ଅଧିକ ବୃଥାରେ ବ୍ୟୟ କରି ଦେଇଥିଲା। ତେବେ ଏଭଳି ନୈରାଶ୍ୟର ବାତାବରଣ ମଧ୍ୟରେ ପାକିସ୍ତାନର ପ୍ରସିଦ୍ଧ ସମ୍ବାଦପତ୍ର ‘ଦ ଡନ’ରେ(୨୦୨୪, ସେପ୍‌ଟେମ୍ବର) ପ୍ରକାଶିତ ଏକ ସମ୍ବାଦ ପୁନର୍ବାର ଆଶା ଉଜ୍ଜ୍ବଳ କରିଛି ଯେ ପାକିସ୍ତାନ ଦଖଲରେ ଥିବା ସମୁଦ୍ରର ଅଂଶ ତଳେ ବିଶାଳ ଖଣିଜ ତୈଳ ଭଣ୍ଡାର ବିଦ୍ୟମାନ ଥିବା ସମ୍ଭବ! ଅନେକଙ୍କ ମତରେ ପାକିସ୍ତନର ପ୍ରଚୁର ଖଣିଜ ତୈଳ ସଂସାଧନ ନେଇ ଟ୍ରଂପଙ୍କ ଧାରଣା ଏହି ସୂତ୍ରରୁ ଦୃଢ଼ତା ପାଇଥିବ। ପ୍ରକାଶ ଥାଉ କି ଭାରତ ଅଧିକାରରେ ଥିବା ଆଣ୍ଡାମାନ ସାଗର ତଳେ ମଧ୍ୟ ଏକ ଅତ୍ୟନ୍ତ ବିଶାଳ ତୈଳ ଭଣ୍ଡାର ଥିବାର ସମ୍ଭାବନା ରହିଛି, କିନ୍ତୁ ପାର୍ଥକ୍ୟଟି ହେଲା ଭାରତ ଏଭଳି ସମ୍ଭାବନାକୁ ନେଇ ଦିବା ସ୍ବପ୍ନ ଦେଖି ନ ଥାଏ! ଏବଂ ବିଡ଼ମ୍ବନା ହେଲା ପାକିସ୍ତାନର ଏଭଳି ସ୍ବପ୍ନକୁ ଚରିତାର୍ଥ କରିବା ଲାଗି ଟ୍ରଂପଙ୍କ ଭଳି ଅଙ୍ଗୀକାରଶୂନ୍ୟ ରାଷ୍ଟ୍ର ନେତା ମଧ୍ୟ ବିଦ୍ୟମାନ ଅଛନ୍ତି। 
ବିଶ୍ବ ରାଜନୀତି ଆକାଶରେ ଟ୍ରଂପଙ୍କ ପୁନରାବିର୍ଭାବ ପରେ ସଂପ୍ରତି ଯେତେବେଳେ ପୃଥିବୀ ଏକ ଅତ୍ୟନ୍ତ ଅସ୍ବସ୍ତିକର ବାତାବରଣ ଦେଇ ଗତି କରୁଛି, ସେତିକି ବେଳେ ପାକିସ୍ତାନ ଓ ଆମେରିକା ପରସ୍ପରକୁ ସ୍ବପ୍ନ ବିକ୍ରୟ କରିବାର ଖେଳରେ ବ୍ୟାପୃତ, ଯାହାକୁ କେତେକ ପର୍ଯ୍ୟବେକ୍ଷକ ଅସାର ଗେଲ ବା ଗମାତ ବୋଲି କହିଥାଆନ୍ତି! ଆମ ଭାଷାରେ ଏକ ବହୁ ପ୍ରଚଳିତ ରୁଢ଼ି ଅନୁସାରେ ଏଭଳି ଗେଲର ଖେଳ ମାତ୍ରାତିରିକ୍ତ ହୋଇଗଲେ ତେଲ ବାହାରିଯାଏ, ଅର୍ଥାତ୍‌ ଅପ୍ରୀତିକର ପରିସ୍ଥିତି ଉପୁଜିଥାଏ। ଶଂସିତ ସଂଦର୍ଭରେ ଚୀନର ଶତ୍ରୁ ରାଷ୍ଟ୍ର ଆମେରିକା ସହିତ ତା’ର ମିତ୍ର ତଥା ବଶମ୍ବଦ ରାଷ୍ଟ୍ର ପାକିିସ୍ତାନ କୌତୁକରେ କୋଳାକୋଳି ହେଉଥିବା ଭଳି ଦୃଶ୍ୟ ଚୀନ ସକାଶେ ତୀବ୍ର ଜ୍ବଳନର କାରଣ ହେଉଥିବ! ଏବଂ କହିବା ବାହୁଲ୍ୟ ଏଭଳି ଗେଲ ସୀମା ଅତିକ୍ରମ କରିଗଲେ ଖଣିଜ ତେଲର ସ୍ବପ୍ନ ପୂରଣ ହେଉ ବା ନ ହେଉ ଆମ ରୁଢ଼ି ଅନୁସାରେ ଯେଉଁ ‘ତେଲ’ ନିଗିଡ଼ିବା ଭଳି ସ୍ଥିତି ଉତ୍ପନ୍ନ ହେବ, ତାହା ପାକିସ୍ତାନ ଲାଗି ସୁଖକର ହେବ ନାହିଁ।