ମାନ୍ୟବର ସୁପ୍ରିମ୍ କୋର୍ଟଙ୍କର ଆଦେଶକୁ ପରିବେଶବିତ୍ ଓ ପରିବେଶ ଆନ୍ଦୋଳନକାରୀମାନେ ଏକ ପରିବେଶବିରୋଧୀ କାର୍ଯ୍ୟ ରୂପେ ବିଚାର କରିବା ଉଚିତ ନୁହେଁ; ଏହା ହେଉଛି ‘ଏନ୍‌ଜିଟି’ ଦ୍ବାରା ଦିଲ୍ଲୀରେ ପ୍ରଦୂଷଣ ସମସ୍ୟାର ସମାଧାନ ଦିଗରେ ଏକ ଆଭିଜାତ୍ୟବାଦୀ, ସୁବିଧାବାଦୀ, ସଂକ୍ଷିପ୍ତ ସୂତ୍ର ପ୍ରୟୋଗ କରିବା ପାଇଁ ହୋଇଥିବା ଉଦ୍ୟମକୁ ପ୍ରତ୍ୟାଖ୍ୟାନ କରି ସର୍ବୋଚ୍ଚ ଅଦାଲତ ସେମାନଙ୍କର ବିବେକ ପ୍ରତି ଦେଇଥିବା ଏକ ସମୟୋଚିତ ଆହ୍ବାନ।

Advertisment

ଅନେକ ସମୟରେ ଭାରତ ସମ୍ବନ୍ଧରେ କୁହାଯାଇଥିବା ଏକ ଅପ୍ରିୟ ସତ୍ୟ ହେଉଛି: ଭାରତ ହେଉଛି ଅନେକ ପ୍ରଥମ ବିଶ୍ବ ସୁଲଭ ମିଥ୍ୟାଭିମାନ ପ୍ରଦର୍ଶନ କରୁଥିବା ଏକ ତୃତୀୟ ବିଶ୍ବ ଦେଶ। ଏହି ମିଥ୍ୟାଭିମାନ ପ୍ରଦର୍ଶନର ବିଭିନ୍ନ ଉଦାହରଣମାନଙ୍କ ମଧ୍ୟରୁ ଏକ ପ୍ରମୁଖ ଉଦାହରଣ ହେଉଛି ପରିବେଶ ସୁରକ୍ଷା ଦ୍ବାହି ଦେଇ ଦେଶରେ ବ୍ୟବହୃତ ପୁରୁଣା ମଟରଗାଡ଼ିମାନଙ୍କୁ ଅକାଳରେ ଅଳିଆଗଦାକୁ ଫିଙ୍ଗିଦେବା ପାଇଁ କରାଯାଉଥିବା ଉଦ୍ୟମ। ଏହି ଉଦ୍ୟମର ଏକ ଛାମୁଆ ଉଦାହରଣ ହେଉଛି ଦିଲ୍ଲୀରେ ଦଶ ବର୍ଷ ପୁରୁଣା ପେଟ୍ରୋଲ ଗାଡ଼ି ଓ ୧୫ ବର୍ଷ ପୁରୁଣା ଡିଜେଲ ଗାଡ଼ିମାନଙ୍କର ଚଳାଚଳ ଉପରେ ‘ନେସନାଲ ଗ୍ରିନ୍ ଟ୍ରିବ୍ୟୁନାଲ୍’ (‘ଏନ୍‌ଜିଟି’) ଲାଗୁ କରିଥିବା ସଂପୂର୍ଣ୍ଣ ନିଷେଧାଦେଶ।
ମଙ୍ଗଳବାର ଦିନ ଏହି ମିଥ୍ୟାଭିମାନ ପ୍ରତି ଏକ ଶକ୍ତ ଆଘାତ ପହୁଞ୍ଚାଇ ଭାରତର ସୁପ୍ରିମ୍ କୋର୍ଟ ଆଦେଶ ଦେଇଛନ୍ତି ଯେ ପୁଲିସ କିମ୍ବା ଅନ୍ୟ କୌଣସି କର୍ତ୍ତୃପକ୍ଷ ବର୍ତ୍ତମାନ ଏହି ଶ୍ରେଣୀର ପୁରୁଣା ଗାଡ଼ିମାନଙ୍କର ମାଲିକମାନଙ୍କ ବିରୁଦ୍ଧରେ ‘ଏନ୍‌ଜିଟି’ ନିଷେଧାଦେଶ ଲାଗୁ କରି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ନାହିଁ। ଏହା ବସ୍ତୁତଃ ‘ଏନ୍‌ଜିଟି’ ନିଷେଧାଦେଶ ଉପରେ ସୁପ୍ରିମ୍ କୋର୍ଟ ଲଗାଇଥିବା ଏକ ସ୍ଥଗିତାଦେଶ ‌େବାଲି କହିଲେ ଭୁଲ୍ ହେବ ନାହିଁ। ଏକ ଦୃଷ୍ଟିରୁ ଦେଖିଲେ ସୁପ୍ରିମ୍ କୋର୍ଟଙ୍କର ଏହି ପଦକ୍ଷେପ କେବଳ ଏକ ଆଇନଗତ କାର୍ଯ୍ୟ ନୁହେଁ, ଏହା ହେଉଛି ପରିବେଶ ସୁରକ୍ଷା ଛଦ୍ମବେଶ ପରିଧାନ କରି ଦେଶରେ ଅନୁପ୍ରବେଶ କରିଚାଲିଥିବା ପରିବେଶ ସର୍ବାଧିକାରକୁ ପ୍ରତିହତ କରିବା ନିମିତ୍ତ ଏକ ସୁଚିନ୍ତିତ ଉଦ୍ୟମ।
ପରିବେଶ ପ୍ରଦୂଷଣ ହେଉଛି ଯେ ଏକ କଠୋର ସତ୍ୟ ଏଥିରେ କୌଣସି ସନ୍ଦେହ ନାହିଁ‌; କିନ୍ତୁ ଦୀର୍ଘ କାଳ ହେଲା ଭାରତରେ ଏହା ବିରୁଦ୍ଧରେ ସଂଗ୍ରାମକୁ ଏପରି ପରିଚାଳନା କରାଯିବା ଦେଖାଯାଇଛି, ଯାହା ସମାଜର ସ୍ବଚ୍ଛଳ ଧନିକ ଶ୍ରେଣୀର ଜୀବନଶୈଳୀକୁ ସୁରକ୍ଷା ପ୍ରଦାନ କରୁଥିବାବେଳେ, ଗରିବ ଅସ୍ବଚ୍ଛଳ ଶ୍ରେଣୀର ଜୀବନ ଓ ଜୀବିକା ଉପରେ କୁଠାରାଘାତ କରୁଛି। ଏହାର ଏକ ଉଦାହରଣ ସ୍ବରୂପ ଏହି ‘ଏନ୍‌ଜିଟି’ ନିଷେଧାଦେଶକୁ ଦେଖାଯାଉ। ଅନେକ ଧନୀ ଗାଡ଼ି ମାଲିକମାନେ ନିଜର ଗାଡ଼ି ବଦଳାଇବାକୁ ଦଶ ବର୍ଷ କିମ୍ବା ପନ୍ଦର ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରନ୍ତି ନାହିଁ; ସେମାନେ ନିଜର ପୋଷାକ ବଦଳାଇବା ପରି ନିଜର ଗାଡ଼ି ବଦଳାଇ ନୂଆ ନୂଆ ମଡେଲ୍‌ର ଗାଡ଼ି କିଣି ଚାଲିଥାନ୍ତି। ମଧ୍ୟବିତ୍ତ ଓ ଅସ୍ବଚ୍ଛଳ ବର୍ଗର ଗାଡ଼ି ବ୍ୟବହାରକାରୀମାନେ ଏହି ମାମଲାର ଶୁଣାଣି ସମୟରେ ପ୍ରଧାନ ବିଚାରପତି ମନ୍ତବ୍ୟ ପ୍ରଦାନ କରିଥିବା ଭଳି ସେମାନଙ୍କର ଗାଡ଼ିକୁ ୪୦-୫୦ ବର୍ଷ ଧରି ବ୍ୟବହାର କରିଥାନ୍ତି।
ଏହି ଅର୍ଥନୈତିକ ଦୁର୍ବଳ ବର୍ଗଙ୍କ ପାଇଁ ପ୍ରତି ୧୦-୧୫ ବର୍ଷରେ ଏକ ନୂଆ ଗାଡ଼ି କିଣିବାର ସାମର୍ଥ୍ୟ ନ ଥାଏ। ଉଲ୍ଲେଖ ପ୍ରୟୋଜନ ଯେ ମଟରଗାଡ଼ିଟିଏ ଏମାନଙ୍କ ପାଇଁ ଏକ ଅଭିଳାଷା ଦ୍ରବ୍ୟ ହୋଇଥିବା ସଙ୍ଗେ ସଙ୍ଗେ ଏମାନଙ୍କର ଗତିଶୀଳତାରେ ଉନ୍ନତି ଘଟାଇ ଏମାନଙ୍କର ଉତ୍ପାଦନଶୀଳତାରେ ମଧ୍ୟ ବୃଦ୍ଧି ଘଟିଥାଏ। ଏମାନଙ୍କ ମଧ୍ୟରୁ ଅନେକ ମଧ୍ୟ ଯେତେବେଳେ ପ୍ରଥମ ଥର ପାଇଁ ଗାଡ଼ିଟିଏ କିଣନ୍ତି, ତାହା ଏକ ପୂର୍ବ-ବ୍ୟବହୃତ ଗାଡ଼ି ହୋଇଥାଏ। ଯଦି ଦେଶବ୍ୟାପୀ ‘ଏନ୍‌ଜିଟି’ ସଦୃଶ ନିଷେଧାଦେଶ କାର୍ଯ୍ୟ କରେ, ତେବେ ବଜାର‌ରୁ ଏହି ପୂର୍ବ-ବ୍ୟବହୃତ ଗାଡ଼ିମାନ ଉଭାନ ହୋଇଯାଇ କବାଡ଼ି ସ୍ତୁପର ଅଂଶ ହୋଇଯିବେ।
ଏମିତିରେ ‘ଏନ୍‌ଜିଟି’ର ନିଷେଧାଦେଶ ଏକ ଆଳସ୍ୟପୂର୍ଣ୍ଣ ନୀତିଗତ ନିଷ୍ପତ୍ତି ଥିଲା- ଏହା ଏକ ଉତ୍ତମ ରକ୍ଷଣାବେକ୍ଷଣ କରାଯାଇଥିବା ପାରିବାରିକ କାର୍‌କୁ ଏକ ଧୂମ ଉଦ୍‌ଗିରଣକାରୀ ଟ୍ରକ୍ ସହିତ ସମାନ କରିଦେଇଥିଲା। ଏଥି‌ରୁ ମନେ ହୋଇଥାଏ, ‘ଏନ୍‌ଜିଟି’ ଦୃଷ୍ଟିରେ ସତେ ଯେମିତି ଧୂମ ଉଦ୍‌ଗିରଣ ଯୋଗୁଁ ପ୍ରଦୂଷଣ ଘଟି ନ ଥାଏ, ଜନ୍ମଦିନ ସଂଖ୍ୟା ଯୋଗୁଁ ପ୍ରଦୂଷଣ ଘଟିଥାଏ!
‘ଏନ୍‌ଜିଟି’ ତା’ର ଏହି ନିଷେଧାଦେଶର ଗର୍ଜନ ତର୍ଜନ ଆଢୁଆଳରେ ଲୁଚି ରହିଥିବା ଏକ ନିଷ୍ଠୁର ସତ୍ୟ ସମ୍ବନ୍ଧରେ ସଚେତନ ଥିବା ଭଳି ମନେ ହୁଏନା: ଏହି ନିଷେଧାଦେଶ ଯୋଗୁଁ ଯେଉଁମାନେ ସର୍ବାଧିକ କ୍ଷତିଗ୍ରସ୍ତ ହେବେ, ସେମାନେ ନୁହନ୍ତି ଦାମିକା, ବିଳାସପୂର୍ଣ୍ଣ ‘ଏସ୍‌ୟୁଭି’ରେ ଯାତ୍ରା କରୁଥିବା ଧନିକମାନେ; ସେମାନେ ହେଉଛନ୍ତି ଯାତ୍ରୀ ପରିବହନ କରି ଜୀବିକା ଅର୍ଜନ କରୁଥିବା ଟ୍ୟାକ୍‌ସି ଚାଳକମାନେ, ନିଜର ବଣିଜଦ୍ରବ୍ୟ ପରିବହନ କରୁଥିବା କ୍ଷୁଦ୍ର ବ୍ୟବସାୟୀମାନେ, ମାଲ୍ ପରିବହନ କରୁଥିବା ଡେଲିଭେରି ଶ୍ରମିକମାନେ, ପିଲାଙ୍କୁ ସ୍କୁଲ ନେବାଆଣିବା କରୁଥିବା ଅାତ୍ମନିଯୁକ୍ତ ଗାଡ଼ି ଚାଳକମାନେ...। ଏ ସମସ୍ତଙ୍କ ପାଇଁ ଏକ ପୁରୁଣା ଗାଡ଼ି ଏକ ମର୍ଯ୍ୟାଦାସୂଚକ ସଂପତ୍ତି ନୁହେଁ, ତାହା ହେଉଛି ଦାରିଦ୍ର୍ୟ ଓ ଏକ ସମ୍ମାନଜନକ ଜୀବନ ଜିଇଁବା ମଧ୍ୟରେ ଅଙ୍କିତ ଏକ କ୍ଷୀଣ ବିଭାଜକ ରେଖା। ଗାଡ଼ିମାନଙ୍କର କଡ଼ାକଡ଼ି ନିର୍ଗମନ ଯାଞ୍ଚ ଓ ଆବଶ୍ୟକ ମରାମତି ମାଧ୍ୟମରେ ପ୍ରଦୂଷଣ ନିୟନ୍ତ୍ରଣ ନିମିତ୍ତ ଉଦ୍ୟମ କରିବା ପରିବର୍ତ୍ତେ ‘ଏନ୍‌ଜିଟି’ ଉପରୋକ୍ତ ଧୂଆମୂଳା-ଅଧୁଆମୂଳା-ସମାନ ନୀତି ଅବଲମ୍ବନ କରି ଏକ ସହଜିଆ ତଥା ଶିରୋନାମା-ଅନୁକୂଳ ନିଷେଧାଦେଶ ଜାରି କରିବା ହେଉଛି ପରିବେଶ ସଚେତନତା ନୁହେଁ, ଏକ ଅମଲାତାନ୍ତ୍ରିକ ହୃଦୟହୀନତାର ନିଷ୍ଠୁର ପରିଚୟ।
ଦେଶର ସର୍ବୋଚ୍ଚ ଅଦାଲତ ତାଙ୍କର ସ୍ଥଗିତାଦେଶ ବଳରେ ଚେତାଇ ଦେଇଛନ୍ତି ଯେ ଦେଶର ସଂବିଧାନ ପରିବେଶ ସୁରକ୍ଷା ନାମରେ ନାଗରିକମାନଙ୍କର ଜୀବନ ଓ ଜୀବିକାକୁ ଅବିଚାରିତ ଭାବରେ ଧ୍ବଂସ କରିବାକୁ ଅନୁମତି ଦେଇନାହିଁ। ବିଶୁଦ୍ଧ ବାୟୁ ସେବନ କରିବାକୁ ଯେଉଁଭଳି ଆମର ଅଧିକାର ରହିଛି, ଜୀବିକାର୍ଜନ ପାଇଁ ଓ ନିଜର ସଂପତ୍ତିର ମାଲିକାନା ନ ହରାଇବା ପାଇଁ ମଧ୍ୟ ଆମର ସେଇଭଳି ଅଧିକାର ରହିଛି। ଏକ ନ୍ୟାୟବନ୍ତ ସମାଜ ଏ ଦୁଇ ଅଧିକାର ମଧ୍ୟରେ ସଂଘର୍ଷ ନୁହେଁ, ସହାବସ୍ଥାନ ନିଶ୍ଚିତ କରିବା ପାଇଁ ଉଦ୍ୟମ କରିବା ଆଶା କରାଯା‌ଏ।
ଭାରତରେ ପରିବେଶ ଆନ୍ଦୋଳନ ଏକ ଅପ୍ରିୟ ସତ୍ୟ‌ର ସାମ୍ନା କରିବା ଉଚିତ: ସେମାନଙ୍କ ଦ୍ବାରା ଅନୁସୃତ ନୀତି ସମାଜର ଦୁର୍ବଳ ବର୍ଗକୁ ହିଁ ପ୍ରଥମେ ଆଘାତ ପହୁଞ୍ଚାଇ ଥାଏ। କାରଖାନାରୁ ଦଶନ୍ଧି ଦଶନ୍ଧି ଧରି ଧୂଅଁା ନିର୍ଗତ ହୋଇ ଚାଲିଥାଏ; ନିର୍ମାଣ ଧୂଳି ବସତିମାନଙ୍କୁ ଶ୍ବାସରୁଦ୍ଧ କରି ଚାଲିଥାଏ- କିନ୍ତୁ ଗାଡ଼ି ଚ‌ଳାଇ ପେଟ ପୋଷୁଥିବା ଲୋକଟିକୁ ହଠାତ୍ ‘ସବୁଜ ନ୍ୟାୟ’ ନାମରେ ତା’ର ଗାଡ଼ିଟିକୁ ରାସ୍ତାରୁ ହଟାଇବାକୁ, ଅର୍ଥାତ୍ ବସ୍ତୁତଃ ଭୋକ ଉପାସରେ କାଳ କାଟିବାକୁ ନିର୍ଦ୍ଦେଶ ଦିଆଯାଇଥାଏ।
ସୁପ୍ରିମ୍ କୋର୍ଟଙ୍କ ଆଦେଶ ଯୋଗୁଁ ଏହି ଅବିଚାରିତ କାର୍ଯ୍ୟାନୁଷ୍ଠାନରେ ଯେଉଁ ବିରତି ସୃଷ୍ଟି ହୋଇଛି, ତାହାର ସଦ୍‌ବ୍ୟବହାର କରି ସଂପୃକ୍ତ କର୍ତ୍ତୃପକ୍ଷ ସମସ୍ୟାର ଏକ ସନ୍ତୁଳିତ, ନ୍ୟାୟୋଚିତ ସମାଧାନର ସୂତ୍ର ବାହାର କରିବାକୁ ଚେଷ୍ଟା କରିବେ ବୋଲି ଆଶା କରାଯାଏ। ଉଦାହରଣ ସ୍ବରୂପ ଏହି ଉଦ୍ୟମରେ ଗାଡ଼ିମାନଙ୍କର ନିୟମିତ ପ୍ରଦୂଷଣ ଯାଞ୍ଚ, ଅତିରିକ୍ତ ପ୍ରଦୂଷଣଗ୍ରସ୍ତ ଅଞ୍ଚଳମାନଙ୍କରେ ପ୍ରବେଶ ନିୟନ୍ତ୍ରଣ, ପୁରୁଣା ଗାଡ଼ିମାନଙ୍କରେ ନୂତନ ପ୍ରବିଧି ପ୍ରୟୋଗ, ଏବଂ ଇଚ୍ଛାକୃତ ପରିତ୍ୟାଗ (ସ୍କ୍ରାପେଜ୍) ପାଇଁ ପ୍ରୋ‌ତ୍ସାହନ ପ୍ରଦାନ ଆଦି ଅନ୍ତର୍ଭୁକ୍ତ କରାଯାଇପାରେ। ଏ ସମସ୍ତ ପଦକ୍ଷେପ ଗାଡ଼ି ଦ୍ବାରା ଘଟୁଥିବା ପ୍ରଦୂଷଣକୁ ଦଣ୍ଡିତ କରିଥାଏ, ଗାଡ଼ିର ବୟସକୁ ନୁହେଁ।
ମାନ୍ୟବର ସୁପ୍ରିମ୍ କୋର୍ଟଙ୍କର ଆଦେଶକୁ ପରିବେଶବିତ୍ ଓ ପରିବେଶ ଆନ୍ଦୋଳନକାରୀମାନେ ଏକ ପରିବେଶବିରୋଧୀ କାର୍ଯ୍ୟ ରୂପେ ବିଚାର କରିବା ଉଚିତ ନୁହେଁ; ଏହା ହେଉଛି ‘ଏନ୍‌ଜିଟି’ ଦ୍ବାରା ଦିଲ୍ଲୀରେ ପ୍ରଦୂଷଣ ସମସ୍ୟାର ସମାଧାନ ଦିଗରେ ଏକ ଆଭିଜାତ୍ୟବାଦୀ, ସୁବିଧାବାଦୀ, ସଂକ୍ଷିପ୍ତ ସୂତ୍ର ପ୍ରୟୋଗ କରିବା ପାଇଁ ହୋଇଥିବା ଉଦ୍ୟମକୁ ପ୍ରତ୍ୟାଖ୍ୟାନ କରି ସର୍ବୋଚ୍ଚ ଅଦାଲତ ସେମାନଙ୍କର ବିବେକ ପ୍ରତି ଦେଇଥିବା ଏକ ସମୟୋଚିତ ଆହ୍ବାନ।