ଟ୍ରମ୍ପ ଯେତେବେଳେ ଏପ୍ରିଲ ୨ ତାରିଖକୁ ‘ଲିବରେସନ୍ ଡେ’ (‘ମୁକ୍ତି ଦିବସ’) ରୂପେ ନାମିତ କରି ସେଦିନ ଆଖିବୁଜା ଟାରିଫ୍ ଲାଗୁ କରିବା ଘୋଷଣା କଲେ, ସେତେବେଳେ ପୃଥିବୀର ୫୭ଟି ଦେଶ ତାଙ୍କର ନିଶାଣ ହୋଇଥିଲେ। ପରେ ସେ ସେମାନଙ୍କୁ ଆମେରିକା ସହିତ ବାଣିଜ୍ୟ ଚୁକ୍ତି ସଂପାଦନ କରିବା ପାଇଁ ୯୦ ଦିନ ସମୟ ଦେଇଥିଲେ। ଇତିମଧ୍ୟରେ କେବଳ ବ୍ରିଟେନ୍ ଆମେରିକା ସହିତ ଏକ ମଧ୍ୟବର୍ତ୍ତୀକାଳୀନ ଚୁକ୍ତି ସଂପାଦନ କରିପାରିଛି। ଭାରତ ଯଦି ଏବେ ସେଇଭଳି ଏକ ମଧ୍ୟବର୍ତ୍ତୀକାଳୀନ ଚୁକ୍ତି ସଂପାଦନ କରିପାରିବ, ତେବେ ସେ ହେବ ଏହା କରିବାରେ ଦ୍ବିତୀୟ ଦେଶ।
ଭାରତ-ଆମେରିକା ମଧ୍ୟରେ ଏକ ବାଣିଜ୍ୟ ଚୁକ୍ତି ସ୍ବାକ୍ଷରିତ େହବା ନିମିତ୍ତ ଧାର୍ଯ୍ୟ ସମୟ ସୀମା ଜୁଲାଇ ୯ ତାରିଖ ପାଖେଇ ଆସୁଥିବା ବେଳେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଖୁବ୍ ଶୀଘ୍ର ଏହା ସଂପାଦିତ ହୋଇ ଆମେରିକୀୟ ରପ୍ତାନି ପାଇଁ ଭାରତୀୟ ବଜାର ଉନ୍ମୁକ୍ତ ହେବାକୁ ଯାଉଛି ବୋଲି ତାଙ୍କର ସ୍ବଭାବସୁଲଭ ଢଙ୍ଗରେ ଘୋଷଣା କରିବା ଦେଖାଯାଇଛି। ସତ କଥା କିନ୍ତୁ ହେଉଛି ୱାସିଂଟନ୍ ଠାରେ ଉଭୟ ପକ୍ଷ ମଧ୍ୟରେ ଏହି ସମୟ ସୀମା ପୂର୍ବରୁ ଏକ ରାଜିନାମାରେ ପହଞ୍ଚିବା ନିମିତ୍ତ ଜୋରସୋର ଉଦ୍ୟମ ଚାଲିଥିଲେ ହେଁ, ସେମାନେ ସମ୍ମୁଖୀନ ହେଉଥିବା କେତେକ ପ୍ରତିବନ୍ଧକ ଏପରି ଅଲଂଘ୍ୟ ମନେ ହୋଇଥାଏ, ଯାହା ଏହାର ଫଳାଫଳକୁ ଅନିଶ୍ଚିତତା ମଧ୍ୟକୁ ଠେଲି ଦେଇଥାଏ।
ଏଥି ମଧ୍ୟରୁ ଯାହା ଏକ ମୁଖ୍ୟ ପ୍ରତିବନ୍ଧକ ରୂପେ ଆବିର୍ଭୂତ ହୋଇଛି, ତାହା ହେଉଛି କୃଷି। ଅନେକ ଦିନ ଧରି ଆମେରିକା ଭାରତର ବିଶାଳ କୃଷି ବଜାରରେ ପ୍ରବେଶ କରିବା ପାଇଁ ଚେଷ୍ଟା କରିଆସିଛି। ଭାରତ କିନ୍ତୁ ଶସ୍ୟ ବଜାର ଭଳି ମୌଳିକ କୃଷିଜାତ ପଦାର୍ଥ ବଜାରରେ ବାହ୍ୟ ଅନୁପ୍ରବେଶ ଉଦ୍ୟମକୁ ସର୍ବଦା ପ୍ରତିରୋଧ କରିଆସିଛି। ଉଭୟ ରାଜନୈତିକ ଓ ଅର୍ଥନୈତିକ କାରଣରୁ ଭାରତରେ ଶାସନ କ୍ଷମତାରେ ଥିବା କୌଣସି ସରକାର ଏଥିପାଇଁ ଅନୁମତି ପ୍ରଦାନ କରିବା କଥା ଚିନ୍ତା କରିପାରିବ ନାହିଁ। ଭାରତ ତା’ର ବିଶାଳ ଜନସଂଖ୍ୟାର ଖାଦ୍ୟ ନିରାପତ୍ତା ନିଶ୍ଚିତ କରିବା ପାଇଁ କୌଣସି ବାହାର ଦେଶ ଉପରେ ନିର୍ଭର କରିବା କେବେ ହେଲେ ଏକ ବୁଦ୍ଧିମାନର କାର୍ଯ୍ୟ ହେବ ନାହିଁ। ଅତୀତରେ ଏଇଭଳି ସଂକଟରୁ ସବୁଜ ବିପ୍ଳବ ମାଧ୍ୟମରେ ଉଦ୍ଧାର ପାଇବା ପରେ ଭାରତ ଏହି ଶିକ୍ଷା ଲାଭ କରିଛି। ଏହା ବାଦ୍ ଜନସଂଖ୍ୟାର ପ୍ରାୟ ଅର୍ଦ୍ଧେକ ଜୀବିକା ନିର୍ବାହ ନିମିତ୍ତ କୃଷି ଉପରେ ନିର୍ଭର କରୁଥିବାରୁ ବାହ୍ୟ ଅନୁପ୍ରବେଶ ସେମାନଙ୍କର ଜୀବିକା ଛଡ଼ାଇ ନେବ। ଅସଂଖ୍ୟ କ୍ଷୁଦ୍ର ଚାଷୀ ସେମାନଙ୍କର ବିଦେଶୀ ପ୍ରତିଦ୍ବନ୍ଦ୍ବୀମାନଙ୍କ ସହିତ ପ୍ରତିଯୋଗିତାରେ ପରାଜୟ ସ୍ବୀକାର କରିବାକୁ ବାଧ୍ୟ ହେବେ।
ବର୍ତ୍ତମାନ ଭାରତ-ଆମେରିକା ମଧ୍ୟରେ ହେଉଥିବା ବାଣିଜ୍ୟ କାରବାରରେ କୃଷିଜାତ ପଦାର୍ଥମାନଙ୍କର ଅଂଶ ନଗଣ୍ୟ ହୋଇଥାଏ, ଯାହାର ମୂଲ୍ୟ ହେଉଛି ମାତ୍ର ପ୍ରାୟ ୮ ବିଲିଅନ୍ ଡଲାର୍। ଭାରତ ମୁଖ୍ୟତଃ ଆମେରିକାକୁ ଚାଉଳ, ଚିଙ୍ଗୁଡ଼ି ଓ ମସଲା ରପ୍ତାନି କରୁଥିବା ବେଳେ ଆମେରିକା ଏଠାକୁ ମୁଖ୍ୟତଃ ଆପଲ୍, ନଟ୍ସ ଓ ଡାଲି ରପ୍ତାନି କରିଥାଏ। ଆମେରିକା ବର୍ତ୍ତମାନ ଏହି ବାଣିଜ୍ୟ ଚୁକ୍ତି ମାଧ୍ୟମରେ ଭାରତକୁ କରୁଥିବା ଏହି କୃଷିଜାତ ରପ୍ତାନିରେ ସଂପ୍ରସାରଣ ଘଟାଇ ସେଥିରେ ସୋୟାବିନ, ମକା ଓ କାର୍ପାସ ଆଦି ଅନ୍ତର୍ଭୁକ୍ତ କରିବାକୁ ଲକ୍ଷ୍ୟ ରଖିଛି। ଆମେରିକା ଭାରତକୁ କରୁଥିବା ରପ୍ତାନି ଅପେକ୍ଷା ଭାରତରୁ ଅଧିକ ଆମଦାନି କରୁଥିବାରୁ, ଏହି ରପ୍ତାନି ସଂପ୍ରସାରଣ ମାଧ୍ୟମରେ ଟ୍ରମ୍ପ ସେଇ ତଫାତ୍ ଦୂର କରିବାକୁ ଚାହୁଁଛନ୍ତି। ଭାରତ ଉଚ୍ଚା ଆମଦାନି ଶୁଳ୍କ ବା ‘ଟାରିଫ୍’ ଲାଗୁ କରି ସେଇସବୁ ଦ୍ରବ୍ୟମାନଙ୍କର ଭାରତୀୟ ବଜାରରେ ପ୍ରବେଶ ପଥରେ ପ୍ରତିବନ୍ଧକ ସୃଷ୍ଟି କରୁଥିବାରୁ ଆମେରିକା ସେଇ ଟାରିଫ୍କୁ କୋହଳ କରିବାକୁ କିମ୍ବା ସଂପୂର୍ଣ୍ଣ ଉଚ୍ଛେଦ କରିବାକୁ ଭାରତ ଉପରେ ଚାପ ପକାଉଛି।
ଭାରତ କିନ୍ତୁ ଚାଉଳ, ଗହମ ଆଦି ମୁଖ୍ୟ ଖାଦ୍ୟଶସ୍ୟ ଓ ଦୁଗ୍ଧଜାତ ପଦାର୍ଥମାନ ଉପରେ ଟାରିଫ୍ କୋହଳ କରିବାର କୌଣସି ସମ୍ଭାବନା ନାହିଁ, କାରଣ ଏହାସବୁ ହେଉଛନ୍ତି ଭାରତୀୟ ଗ୍ରାମ୍ୟ ଅର୍ଥନୀତିର ମେରୁଦଣ୍ଡ ସଦୃଶ। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବରେ ପ୍ରାୟ ଏକ ମାସ ତଳେ ‘ନିତି’ ଆୟୋଗ ଦ୍ବାରା ପ୍ରକାଶିତ ଏକ ଗବେଷଣା ପତ୍ରରେ ଭାରତ ଏହି ସମସ୍ତ ପଦାର୍ଥ ସମେତ ବିଭିନ୍ନ କୃଷିଜାତ ପଦାର୍ଥମାନଙ୍କ ଉପରେ ଟାରିଫ୍ କୋହଳ କରିବା ନିମିତ୍ତ ସୁପାରିସ କରାଯାଇଛି। ଏଥିରେ ଯୁକ୍ତି ଦର୍ଶାଯାଇଛି ଯେ ଯେହେତୁ ଭାରତ ବର୍ତ୍ତମାନ ଖାଦ୍ୟଶସ୍ୟ ରପ୍ତାନି କରୁଛି, ତେଣୁ ଖାଦ୍ୟଶସ୍ୟ ଉପରୁ ଆମଦାନି ଶୁଳ୍କ ହଟାଇ ଦେଲେ ତାହା ଭାରତ ପାଇଁ କୌଣସି ସମସ୍ୟା ସୃଷ୍ଟି କରିବ ନାହିଁ; କାରଣ ଭାରତ ତାହା ଆମଦାନି ହିଁ କରୁନାହିଁ।
ଏହା ଏକ ଦୂରଦୃଷ୍ଟିହୀନ ଯୁକ୍ତି ଭଳି ମନେ ହୋଇଥାଏ। ଏଥିରେ ଆନ୍ତର୍ଜାତିକ ବଜାରରେ ଶସ୍ୟ ମୂଲ୍ୟରେ ସମୟେ ସମୟେ ଦେଖାଯାଉଥିବା ତୀକ୍ଷ୍ଣ ହ୍ରାସ ବୃଦ୍ଧି ପ୍ରତି ଧ୍ୟାନ ଦିଆଯାଇ ନାହିଁ। ଉଦାହରଣ ସ୍ବରୂପ ୨୦୧୪-୧୬ରେ ଆନ୍ତର୍ଜାତିକ ବଜାରରେ ଗହମ, ମକା ଆଦି ଶସ୍ୟ ଦରରେ ତୀକ୍ଷ୍ଣ ସ୍ଖଳନ ଘଟିବା ଦେଖାଯାଇଥିଲା। ଯଦି ଟାରିଫ୍ ପ୍ରତିବନ୍ଧକ କାର୍ଯ୍ୟ କରୁନଥା’ନ୍ତା, ତେବେ ଭାରତୀୟ ବଜାରରେ ଶସ୍ତା ଖାଦ୍ୟଶସ୍ୟର ପ୍ରବେଶ ଭାରତୀୟ କୃଷକମାନଙ୍କୁ ସର୍ବସ୍ବାନ୍ତ କରିଦେଇଥା’ନ୍ତା। ଫଳସ୍ବରୂପ ପରବର୍ତ୍ତୀ ଋତୁରେ ସେମାନେ ଆଉ ଖାଦ୍ୟଶସ୍ୟ ଚାଷ କରିବାକୁ ସାହସ କରନ୍ତେ ନାହିଁ। ଭାରତ ତା’ର ଖାଦ୍ୟଶସ୍ୟ ଆବଶ୍ୟକତା ପୂରଣ ନିମିତ୍ତ ସଂପୂର୍ଣ୍ଣ ରୂେପ ଆମଦାନି ଉପରେ ନିର୍ଭର କରନ୍ତା। ବିପଦ ହେଲା, ଆନ୍ତର୍ଜାତିକ ବଜାରରେ ଖାଦ୍ୟଶସ୍ୟ ଦରରେ ପୁଣି ଯେତେବେଳେ ତୀକ୍ଷ୍ଣ ବୃଦ୍ଧି ଘଟନ୍ତା, ସେତେବେଳେ ଭାରତକୁ ଉଚ୍ଚା ଦରରେ ଖାଦ୍ୟଶସ୍ୟ ଆମଦାନି କରିବାକୁ ପଡ଼ନ୍ତା। ଏହାର ବିଭିନ୍ନ କୁପରିଣାମମାନ ମଧ୍ୟରୁ ଗୋଟିଏ ବିଶେଷ କଷ୍ଟଦାୟକ ପରିଣାମ ହେଉଛି ଏଥିଯୋଗୁଁ ସୃଷ୍ଟି ହେଉଥିବା ଖାଦ୍ୟ ମୁଦ୍ରାସ୍ଫୀତି, ଯାହା ଖାଉଟି ମୁଦ୍ରାସ୍ଫୀତିକୁ ପରିପୁଷ୍ଟ କରିଥାଏ। ଆମର ଦୃଢ଼ ବିଶ୍ବାସ ସରକାର କେବେହେଲେ ଏହି ଅପରିଣାମଦର୍ଶୀ ସୁପାରିସ ଗ୍ରହଣ କରିବେ ନାହିଁ।
ତା’ ହେଲେ ପ୍ରଶ୍ନ ଉଠୁଛି, ଭାରତ-ଆମେରିକା ମଧ୍ୟରେ ଚାଲିଥିବା କଥାବାର୍ତ୍ତାର ଫଳାଫଳ କ’ଣ ହେବ? ଭାରତ ଯଦି ଟ୍ରମ୍ପଙ୍କ ଚାପ ଆଗରେ ମୁଣ୍ଡ ନ ନୁଅଁାଏ, ତେବେ ଟ୍ରମ୍ପ କ’ଣ କଥାବାର୍ତ୍ତାରୁ ଓହରି ଯାଇ ଭାରତୀୟ ରପ୍ତାନି ଉପରେ ପୂର୍ବରୁ ଧମକ ଦେଇଥିବା ଭଳି ୨୬ ଶତାଂଶ ହାରରେ ଟାରିଫ୍ ଲାଗୁ କରିବେ? କିନ୍ତୁ ଯାହା ମନେ ହୁଏ ଟ୍ରମ୍ପ ଏଭଳି ଏକ ଚରମ ପଦକ୍ଷେପ ନେବା ପରିବର୍ତ୍ତେ ବର୍ତ୍ତମାନ ପାଇଁ ଏକ ପୂର୍ଣ୍ଣ ବାଣିଜ୍ୟ ଚୁକ୍ତି ପରିବର୍ତ୍ତେ ଏକ ସଂକ୍ଷିପ୍ତ ବାଣିଜ୍ୟ ଚୁକ୍ତି ସଂପାଦନ ପାଇଁ ରାଜି ହୋଇଯାଇ ପାରନ୍ତି। ଏହା ଅନୁସାରେ ଭାରତ ମଟର ଗାଡ଼ି ଓ ଅନ୍ୟାନ୍ୟ କେତେକ ଆମେରିକୀୟ ଶିଳ୍ପ ଉତ୍ପାଦନ ଉପରେ ଟାରିଫ୍ ହ୍ରାସ କରିବା ସହିତ ଇଥାନଲ୍, ଆଲମଣ୍ଡ୍, ୱାଲ୍ନଟ୍, ଆପଲ୍, ରେଜିନ୍ସ, ଆଭୋକାଡୋ, ଅଲିଭ୍ ଅଏଲ୍ ଓ ମଦ ଉପରେ ମଧ୍ୟ ଟାରିଫ୍ ହ୍ରାସ କରିପାରେ। ଟାରିଫ୍ ହ୍ରାସ ବାଦ୍ ଟ୍ରମ୍ପ ମଧ୍ୟ ଆମେରିକାରୁ ତୈଳ, ପ୍ରାକୃତିକ ବାଷ୍ପ, ବ୍ୟୋମଯାନ, ଆଣବିକ ରିଆକ୍ଟର୍ ଆଦି କ୍ରୟ କରିବା ନିମିତ୍ତ ଭାରତ ଉପରେ ଚାପ ପକାଇ ପାରନ୍ତି। ସେ ମଧ୍ୟ ୱାଲ୍ମାର୍ଟ, ଆମାଜନ୍ ଆଦି ଭଳି ଆମେରିକୀୟ କଂପାନିମାନଙ୍କୁ ସାହାଯ୍ୟ କରିବା ପାଇଁ ସେମାନଙ୍କ ଉପରେ ନିୟନ୍ତ୍ରଣ କୋହଳ କରିବା ଲାଗି ଭାରତକୁ ବାଧ୍ୟ କରିପାରନ୍ତି।
ଉଲ୍ଲେଖଯୋଗ୍ୟ ଟ୍ରମ୍ପ ଯେତେବେଳେ ଏପ୍ରିଲ ୨ ତାରିଖକୁ ‘ଲିବରେସନ୍ ଡେ’ (‘ମୁକ୍ତି ଦିବସ’) ରୂପେ ନାମିତ କରି ସେଦିନ ଆଖିବୁଜା ଟାରିଫ୍ ଲାଗୁ କରିବା ଘୋଷଣା କଲେ, ସେତେବେଳେ ପୃଥିବୀର ୫୭ଟି ଦେଶ ତାଙ୍କର ନିଶାଣ ହୋଇଥିଲେ। ପରେ ସେ ସେମାନଙ୍କୁ ଆମେରିକା ସହିତ ବାଣିଜ୍ୟ ଚୁକ୍ତି ସଂପାଦନ କରିବା ପାଇଁ ୯୦ ଦିନ ସମୟ ଦେଇଥିଲେ। ଇତିମଧ୍ୟରେ କେବଳ ବ୍ରିଟେନ୍ ଆମେରିକା ସହିତ ଏକ ମଧ୍ୟବର୍ତ୍ତୀକାଳୀନ ଚୁକ୍ତି ସଂପାଦନ କରିପାରିଛି। ଭାରତ ଯଦି ଏବେ ସେଇଭଳି ଏକ ମଧ୍ୟବର୍ତ୍ତୀକାଳୀନ ଚୁକ୍ତି ସଂପାଦନ କରିପାରିବ, ତେବେ ସେ ହେବ ଏହା କରିବାରେ ଦ୍ବିତୀୟ ଦେଶ। ତା’ ହେଲେ ଭାରତ ବର୍ତ୍ତମାନ ପାଇଁ ଟ୍ରମ୍ପଙ୍କର ୨୬ ଶତାଂଶ ଟାରିଫ୍ରୁ ବର୍ତ୍ତିଯାଇ ୧୦ ଶତାଂଶ ବେସ୍ଲାଇନ ଟାରିଫ୍ର ସମ୍ମୁଖୀନ ହୋଇପାରେ। ତେବେ ଅସ୍ଥିରଚିତ୍ତ ଟ୍ରମ୍ପଙ୍କ ସମ୍ବନ୍ଧରେ କୌଣସି ଭବିଷ୍ୟବାଣୀ କରାଯାଇ ପାରିବ ନାହିଁ।