ଏକ ଦେଶର ଅର୍ଥନୈତିକ ବିକାଶ ଯେଉଁ ତିନିଗୋଟି ‘ଟି’ (ଟ୍ରେଡ୍, ଟ୍ରାନ୍ସପୋର୍ଟ, ଟାଉନ୍) ଉପରେ ନିର୍ଭର କରିଥାଏ, ତା’ ମଧ୍ୟରୁ ମଝି ‘ଟି’ ଅର୍ଥାତ୍ ପରିବହନର ବିକାଶ ସେ ଦେଶର ସଡ଼କମାନଙ୍କର ଅବସ୍ଥା ଉପରେ ନିର୍ଭର କରିଥାଏ। ବମ୍ବେ ହାଇକୋର୍ଟଙ୍କର ନିର୍ଦ୍ଦେଶରୁ ସ୍ପଷ୍ଟ ହୋଇଥାଏ, ଭାରତର ସଡ଼କମାନଙ୍କର ଗାଲ ଯଦି ମହାନ୍ ଅଭିନେତା ସ୍ବର୍ଗୀୟ ଓମ୍ ପୁରୀଙ୍କ ଗାଲ ପରି ହୁଏ, ଦେଶର ବିକାଶ ବାଧାପ୍ରାପ୍ତ ହେବ।
ଅତୀତରେ ବିହାରରେ ନିର୍ବାଚନ ପ୍ରଚାର କରିବା ସମୟରେ ରାଜନେତା ଲାଲୁ ପ୍ରସାଦ ଯାଦବ ପାଟନାର ସଡ଼କମାନଙ୍କର ଉନ୍ନତି ସାଧନ କରିବାକୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ତାହା ସେତେବେଳେ ଦେଶବ୍ୟାପୀ ଲଘୁ ପରିହାସରୁ କଟୁ ସମାଲୋଚନା ପର୍ଯ୍ୟନ୍ତ ବହନ କରୁଥିବା ପ୍ରତିକ୍ରିୟାର ଲହରୀ ସୃଷ୍ଟି କରିଥିଲା ଏବଂ ଏବେ ମଧ୍ୟ ତାହା ଏକ କିଂବଦନ୍ତି ହୋଇ ରହିଛି। ଆଦର୍ଶ ସଡ଼କର ଚେହେରା ସମ୍ବନ୍ଧରେ ଧାରଣା ଦେବାକୁ ଯାଇ ଲାଲୁ କହିଥିଲେ ଯେ ସେ ଯଦି ନିର୍ବାଚିତ ହୋଇ ଶାସନ କ୍ଷମତାକୁ ଆସନ୍ତି, ତେବେ ସେ ରାଜଧାନୀ ପାଟନାର ସଡ଼କସବୁକୁ ଚିତ୍ରତାରକା ହେମା ମାଳିନୀଙ୍କ ଗାଲ ଭଳି ଚିକ୍କଣ କରିଦେବେ। (ଲାଲୁଙ୍କର ଦୀର୍ଘ ଶାସନ ସମୟରେ କିନ୍ତୁ ପାଟନାର ସଡ଼କମାନ ଏପରି ଖାଲଖମାଣରେ ପୂର୍ଣ୍ଣ ହୋଇଥିଲା ଯେ ତାଙ୍କର ସମାଲୋଚକମାନେ ରହସ୍ୟ କରି କହିବା ଦେଖାଗଲା ଯେ ସେ ପାଟନାର ସଡ଼କମାନଙ୍କୁ ପ୍ରସିଦ୍ଧ ଅଭିନେତା ଓମ୍ ପୁରୀଙ୍କ ବସନ୍ତ ଚିହ୍ନଯୁକ୍ତ ଗାଲ ଭଳି କରିଦେଇଛନ୍ତି।
ଲାଲୁଙ୍କର ଏହି ଘୋଷଣା ପରେ ଇତିମଧ୍ୟରେ ତିନି ଦଶନ୍ଧିରୁ ଅଧିକ କାଳ ବିତିଗଲାଣି ଏବଂ ତାଙ୍କର ସନ୍ତାନମାନେ କ୍ଷମତା ରାଜନୀତିରେ ପ୍ରବେଶ କରିସାରିଲେଣି। ଏବେ ପଶ୍ଚାତ୍ ଦୃଷ୍ଟିରେ ଦେଖିଲେ ମନେହୁଏ ଲାଲୁଙ୍କର ସେଇ ପ୍ରତିଶ୍ରୁତି ସେତେବେଳେ ରୁଚିହୀନ ଓ ଶସ୍ତା ମନେ ହୋଇଥିଲେ ହେଁ, ଏହା ପ୍ରକୃତରେ ଭାରତୀୟ ସଂବିଧାନର ସୁରକ୍ଷା ପାଇଁ ଉଦ୍ଦିଷ୍ଟ ଥିଲା। ତାଙ୍କର ପୁତ୍ର ତେଜସ୍ବୀ ଏବେ ରାହୁଳ ଗାନ୍ଧୀଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ସଂବିଧାନ ହାତରେ ଧରି ତା’ର ସୁରକ୍ଷା ପାଇଁ ସଂଗ୍ରାମ କରୁଥିବା ବେଳେ, ସେଇ ଦୂର ଅତୀତରେ ଲାଲୁ ଜଣେ ଭବିଷ୍ୟଦ୍ରଷ୍ଟା ଭଳି ପାଟନାର ସଡ଼କକୁ ଚିକ୍କଣ କରିବା ମାଧ୍ୟମରେ ଭାରତୀୟ ସଂବିଧାନକୁ ସୁରକ୍ଷିତ ରଖିବା ପାଇଁ ହିଁ ଉଦ୍ୟମ କରିଥିଲେ- ଯଦିବା ସେଥିରେ ସେ ବିଫଳ ହୋଇଥିଲେ।
କାରଣ ଅକ୍ଟୋବର ୧୩ରେ ବମ୍ବେ ହାଇକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇ ସ୍ପଷ୍ଟ କରିଦେଇଛନ୍ତି ଯେ ଉତ୍ତମ ମାନର ସଡ଼କ ବ୍ୟବହାର କରିବାର ଅଧିକାର ହେଉଛି ସଂବିଧାନର ଧାର-୨୧ ଅନୁସାରେ ନାଗରିକର ଏକ ମୌଳିକ ଅଧିକାର। ସୂଚନାଯୋଗ୍ୟ, ଧାରା-୨୧ ବ୍ୟକ୍ତିର ବଞ୍ଚିବାକୁ ଅଧିକାର ଓ ବ୍ୟକ୍ତିଗତ ସ୍ବାଧୀନତାକୁ ଏକ ମୌଳିକ ଅଧିକାର ରୂପେ ସ୍ବୀକୃତି ପ୍ରଦାନ କରିଥାଏ। ନିମ୍ନମାନର ସଡ଼କ ବ୍ୟବହାର ଯୋଗୁଁ ଦୁର୍ଘଟଣା ଘଟି ଜୀବନହାନି ଘଟିବା ଦ୍ବାରା ବ୍ୟକ୍ତିର ଏହି ମୌଳିକ ଅଧିକାରର ଉଲ୍ଲଂଘନ ହୋଇଥାଏ। ଏହି ରାୟ ଏ ପ୍ରସଙ୍ଗରେ ହାଇକୋର୍ଟଙ୍କର ସଦ୍ୟତମ ରାୟ ହୋଇଥିଲେ ହେଁ, ଏଥି ପୂର୍ବରୁ ମଧ୍ୟ ସେଇ ଅଦାଲତ ଉତ୍ତମ ମାନର ସଡ଼କ ହେଉଛି ନାଗରିକର ଏକ ମୌଳିକ ଅଧିକାର ବୋଲି ମତ ପ୍ରକାଶ କରି ଆସିଛନ୍ତି।
ଏହି ହାଇକୋର୍ଟ ପ୍ରଥମେ ୨୦୧୫ରେ ସଂବିଧାନର ଧାରା-୨୧ ଅନୁସାରେ ଉତ୍ତମ ମାନର ସଡ଼କକୁ ନାଗରିକର ଏକ ମୌଳିକ ଅଧିକାର ରୂପେ ଘୋଷଣା କରିଥିଲେ। ସେତେବେଳେ ହାଇକୋର୍ଟ ସଡ଼କର ଦୁରବସ୍ଥା ପାଇଁ ଅତିରିକ୍ତ ମୌସୁମୀ ବର୍ଷା ଦାୟୀ ବୋଲି ଦର୍ଶାଯାଇଥିବା କାରଣକୁ ପ୍ରତ୍ୟାଖ୍ୟାନ କରି ସଡ଼କର ଉତ୍ତମ ମାନ ନିଶ୍ଚିତ କରିବା ପାଇଁ ଏବଂ ଏଥିପାଇଁ ଅଭିଯୋଗ ବ୍ୟବସ୍ଥା ସ୍ଥାପନ କରିବାଲାଗି ସମସ୍ତ ନଗରପାଳିକାମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟ ପୁଣି ୨୦୧୮ରେ ଏହି ନିର୍ଦ୍ଦେଶର ପୁନରାବୃତ୍ତି କରି ସଡ଼କର ଖରାପ ଅବସ୍ଥା ଯୋଗୁଁ ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିମାନଙ୍କୁ କ୍ଷତିପୂରଣ ପାଇବାର ଅଧିକାର ପ୍ରଦାନ କରିଥିଲେ। ଅଦାଲତ ଏଥିସହିତ ସମସ୍ତ ସମ୍ପୃକ୍ତ କର୍ତ୍ତୃପକ୍ଷମାନଙ୍କୁ ସଡ଼କର ଉପଯୁକ୍ତ ରକ୍ଷଣାବେକ୍ଷଣ କରିବା ନିମିତ୍ତ ସମସ୍ତ ଆବଶ୍ୟକ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ସେଇ କର୍ତ୍ତୃପକ୍ଷମାନେ ୨୦୧୯ରୁ ୨୦୨୪ ମଧ୍ୟରେ ଅଦାଲତଙ୍କ ନିର୍ଦ୍ଦେଶ ପାଳନ ସମ୍ବନ୍ଧରେ ଏକାଧିକ ସତ୍ୟପାଠ ଦାଖଲ କରିଥିଲେ ହେଁ ଅଦାଲତଙ୍କ ପାଇଁ ତାହା ସମ୍ପୂର୍ଣ୍ଣ ସନ୍ତୋଷଜନକ ହୋଇ ନଥିଲା। ଅଦାଲତ ତେଣୁ ଧାରା-୨୧ ଅନୁସାରେ ନାଗରିକଙ୍କର ମୌଳିକ ଅଧିକାର ସୁରକ୍ଷିତ କରିବା ଉଦ୍ଦେଶ୍ୟରେ ଆପଣାଛାଏଁ (‘ସୁଓ ମୋଟୁ’) ଏକ ‘ପିଆଇଏଲ୍’ର ପୁନରୁଦ୍ଧାର କରି ତାହାର ବିଚାର ଆରମ୍ଭ କରିଦେଲେ।
ଏଇ ଅବସରରେ ଅଦାଲତ କ୍ଷୋଭ ପ୍ରକାଶ କରିଛନ୍ତି ଯେ ବିଗତ ପ୍ରାୟ ତିନି ଦଶନ୍ଧି ଧରି ସେଇ ମହାନଗରୀର ରାସ୍ତାଘାଟ ସବୁ ଖାଲଖମାଣ (‘ପଟ୍ହୋଲ୍’)ରେ ପୂର୍ଣ୍ଣ ହୋଇ ରହିଛି ଏବଂ ନିମ୍ନ ମାନର ନିର୍ମାଣ ଯୋଗୁଁ ମୌସୁମୀ ବର୍ଷା ଆରମ୍ଭ ହୋଇଯିବା ପରେ ପରେ ହିଁ ନବନିର୍ମିତ ସଡ଼କରେ ‘ପଟ୍ହୋଲ୍’ମାନଙ୍କର ଆବିର୍ଭାବ ଘଟିବା ଦେଖାଯାଇଥାଏ। ‘ପଟ୍ହୋଲ୍’ ଓ ଖୋଲା ‘ମ୍ୟାନ୍ହୋଲ୍’ମାନଙ୍କ ଯୋଗୁଁ ନିୟମିତ ଭାବରେ ଦୁର୍ଘଟଣା ଘଟି ସଡ଼କ ବ୍ୟବହାରକାରୀମାନଙ୍କର ଅମୂଲ୍ୟ ଜୀବନ ହାନି ଘଟିଥାଏ ବୋଲି ଅଦାଲତ ସଂପୃକ୍ତ କର୍ତ୍ତୃପକ୍ଷମାନଙ୍କୁ ପୁଣି ଚେତାଇ ଦେଇଥିଲେ। ଏହା ସଂବିଧାନର ଧାରା-୨୧ ନାଗରିକଙ୍କୁ ପ୍ରଦାନ କରିଥିବା ସମ୍ମାନର ସହ ବଞ୍ଚିବାର ଅଧିକାରର ଖୋଲାଖୋଲି ଉଲ୍ଲଂଘନ ବୋଲି ଅଦାଲତ ତାଙ୍କ ଦୃଢ଼ ମତର ପୁନରାବୃତ୍ତି କରିଥିଲେ।
ସଂପୃକ୍ତ କର୍ତ୍ତୃପକ୍ଷ ଏହା ଦ୍ବାରା ସେମାନଙ୍କର ସାଂବିଧାନିକ ଦାୟିତ୍ବ ନିର୍ବାହ କରିବାରେ ଅଦାଲତଙ୍କର ବାରମ୍ବାର ଚେତାବନୀ ସତ୍ତ୍ବେ ବିଫଳ ହୋଇଛନ୍ତି ବୋଲି ଭର୍ତ୍ସନା କରି ଏଥିଯୋଗୁଁ ଘଟୁଥିବା ଦୁର୍ଘଟଣାରେ ଆହତମାନଙ୍କୁ ୫୦,୦୦୦ ଟଙ୍କାରୁ ୨.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ଷତିପୂରଣ ଏବଂ ମୃତକଙ୍କୁ ୬ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯିବା ପାଇଁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ସେତିକି ନୁହେଁ, ସେଇ କ୍ଷତିପୂରଣ ରାଶି କର୍ତ୍ତବ୍ୟରେ ଅବହେଳା ପ୍ରଦର୍ଶନ କରିଥିବା ସଂପୃକ୍ତ ଅଧିକାରୀମାନଙ୍କ ଠାରୁ ଆଦାୟ କରାଯିବ ବୋଲି ମଧ୍ୟ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଏଠାରେ ଉଲ୍ଲେଖ ନିଷ୍ପ୍ରୟୋଜନ ଯେ ଏହି ନିର୍ଦ୍ଦିଷ୍ଟ ରାୟ ମୁମ୍ବାଇର ସଡ଼କମାନଙ୍କୁ ଦୃଷ୍ଟିରେ ରଖି ପ୍ରଦାନ କରାଯାଇଥିଲେ ହେଁ, ଏହା ସାରା ଦେଶର ସଡ଼କମାନଙ୍କ ପ୍ରତି ପ୍ରଯୁଜ୍ୟ, ଏଥିରେ କୌଣସି ସନ୍ଦେହ ନାହିଁ। ଅତୀତରେ ସୁପ୍ରିମ୍ କୋର୍ଟ ମଧ୍ୟ ମତ ପ୍ରକାଶ କରିଛନ୍ତି ଯେ ନିରାପଦ ଓ ଉପଯୁକ୍ତ ରକ୍ଷଣାବେକ୍ଷଣସମ୍ପନ୍ନ ସଡ଼କ ବ୍ୟବହାର ହେଉଛି ନାଗରିକର ଏକ ମୌଳିକ ଅଧିକାର ଏବଂ ଏହା ଯୋଗାଇ ଦେବା ହେଉଛି ରାଷ୍ଟ୍ରର ଦାୟିତ୍ବ। ଅଳ୍ପ ଦିନ ତଳେ ଏହି ସର୍ବୋଚ୍ଚ ଅଦାଲତ ସାରା ଦେଶରେ ସଡ଼କ ନିରାପତ୍ତା ପଦକ୍ଷେପମାନ ଗ୍ରହଣ କରାଯିବା ନିମନ୍ତେ ନିର୍ଦ୍ଦେଶ ପ୍ରଦାନ କରିବା ଦେଖାଯାଇଛି। ମାତ୍ର କେତେ ସପ୍ତାହ ତଳେ ପଦଚାରୀମାନଙ୍କ ନିରାପତ୍ତା ନିଶ୍ଚିତ କରିବା ପାଇଁ ଏକ ଦେଶବ୍ୟାପୀ ମାର୍ଗନିର୍ଦ୍ଦେଶିକା ପ୍ରସ୍ତୁତ କରିବା ଲାଗି ସୁପ୍ରିମ୍ କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ସଡ଼କ ନିରାପତ୍ତା ହେଉଛି ଏକ ବହୁମୁଖୀ ସମସ୍ୟା, ଯେଉଁଥିରେ ସଡ଼କ ଡିଜାଇନ୍ଠାରୁ ଆରମ୍ଭ କରି ନିର୍ମାଣ, ଟ୍ରାଫିକ୍ ପରିଚାଳନା, ନିରାପତ୍ତା ଉପକରଣ ବ୍ୟବହାର, ସଚେତନତା ପ୍ରସାର ଏବଂ ଯାନବାହନର ଡିଜାଇନ୍ ଓ ରକ୍ଷଣାବେକ୍ଷଣ ପର୍ଯ୍ୟନ୍ତ ଅନ୍ତର୍ଭୁକ୍ତ। ଏହା ଜଣାଶୁଣା ଯେ ଏଇ ସମସ୍ତ କାରଣମାନଙ୍କର ମିଳିତ ପ୍ରଭାବରେ ଭାରତରେ ସଡ଼କ ଦୁର୍ଘଟଣା ହାର ପୃଥିବୀରେ ସର୍ବୋଚ୍ଚ ରୂପେ କୁଖ୍ୟାତି ଅର୍ଜନ କରିଛି।
ଏଠାରେ ସୂଚାଇବା ପ୍ରାସଙ୍ଗିକ ହେବ ଯେ ଏକ ଦେଶର ଅର୍ଥନୈତିକ ବିକାଶ ଯେଉଁ ତିନିଗୋଟି ‘ଟି’ (ଟ୍ରେଡ୍, ଟ୍ରାନ୍ସପୋର୍ଟ, ଟାଉନ୍) ଉପରେ ନିର୍ଭର କରିଥାଏ, ତା’ ମଧ୍ୟରୁ ମଝି ‘ଟି’ ଅର୍ଥାତ୍ ପରିବହନର ବିକାଶ ସେ ଦେଶର ସଡ଼କମାନଙ୍କର ଅବସ୍ଥା ଉପରେ ନିର୍ଭର କରିଥାଏ। ବମ୍ବେ ହାଇକୋର୍ଟଙ୍କର ନିର୍ଦ୍ଦେଶରୁ ସ୍ପଷ୍ଟ ହୋଇଥାଏ, ଭାରତର ସଡ଼କମାନଙ୍କର ଗାଲ ଯଦି ମହାନ୍ ଅଭିନେତା ସ୍ବର୍ଗୀୟ ଓମ୍ ପୁରୀଙ୍କ ଗାଲ ପରି ହୁଏ, ଦେଶର ବିକାଶ ବାଧାପ୍ରାପ୍ତ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/OAnDiWZ5zjRDfuWfWgMX.jpg)