ଦକ୍ଷିଣ ଭାରତବାସୀମାନେ ସିନେମାର ଘାତକ ମୁଠା ମଧ୍ୟରୁ ବାହାରି ରାଜନୀତିକୁ ଏକ ନୂତନ ଦୃଷ୍ଟିରେ ଦେଖିବା ପାଇଁ କରୁର୍ ଘଟଣା ହେଉଛି ସେମାନଙ୍କ ପ୍ରତି ଏକ ଆହ୍ବାନ; ଯେଉଁଥିରେ ସେମାନଙ୍କର ଭାଗ୍ୟ ନିୟନ୍ତ୍ରଣ କରିବା ପାଇଁ ରୁପେଲି ପର୍ଦ୍ଦାରେ ଅଲୌକିକ ଶକ୍ତି ପ୍ରଦର୍ଶନ କରୁଥିବା କେହି ଜଣେ ତାରକା ଓହ୍ଲାଇ ନ ଆସି ତୃଣମୂଳ ସ୍ତରରେ ନିଜର ଦକ୍ଷତା ଓ ଯୋଗ୍ୟତା ପ୍ରମାଣିତ କରିଥିବା ବାସ୍ତବ ନାୟକମାନେ କ୍ରମଶଃ କ୍ଷମତାର ପାହାଚ ଆରୋହଣ କରି ସେ ଦାୟିତ୍ବ ନିର୍ବାହ କରିବେ।

Advertisment

ଆଦିମ ସମାଜରେ ଅନ୍ଧବିଶ୍ବାସ ରାଜତ୍ବ କରୁଥିବା ସମୟରେ କୌଣସି ଲକ୍ଷ୍ୟ ପୂରଣରେ ସହାୟକ ହେବା ନିମିତ୍ତ କୌଣସି ରକ୍ତପିପାସୁ ଅଦୃଶ୍ୟ କାଳ୍ପନିକ ଦେବଦେବୀଙ୍କୁ ସନ୍ତୁଷ୍ଟ କରିବା ଉଦ୍ଦେଶ୍ୟରେ ଗୋପନରେ କିମ୍ବା ଖୋଲାଖୋଲି ନରବଳି ଦିଆଯାଉଥିଲା। ଏକ ସଭ୍ୟ ସମାଜରେ ଏକ ସଂପୂର୍ଣ୍ଣ ଭିନ୍ନ ରୂପ ପରିଗ୍ରହଣ କରି ସେଇ ଭୟଙ୍କର ପ୍ରଥାର ଯେ ଆବିର୍ଭାବ ଘଟିପାରେ, ତାହା ଏବେ ଦେଖିବାକୁ ମିଳିଛି ତାମିଲନାଡୁର କରୁର୍ ଠାରେ। ସେଠାରେ ଶନିବାର ଦିନ ଘଟିଥିବା ଦଳାଚକଟାରେ ମହିଳା, ଶିଶୁ, ପୁରୁଷ ସମେତ ଯେଉଁ ପ୍ରାୟ ଚାଳିଶ ଜଣଙ୍କର ପ୍ରାଣହାନି ଘଟିଛି, ତାହାକୁ ଯଦି ତାମିଲ ଚିତ୍ରତାରକା ବିଜୟଙ୍କର ରାଜନୀତିରେ ପ୍ରବେଶକୁ ସାଫଲ୍ୟ ମଣ୍ଡିତ କରିବା ପାଇଁ ଏକ ଗଣନରବଳି ବୋଲି କୁହାଯାଏ, କିଛି ଅତିରଞ୍ଜନ ହେବ ନାହିଁ। ଅବଶ୍ୟ ଏହା ହେଉଛି ବିଜୟଙ୍କର ଏହି ଫ୍ୟାନ୍‌ମାନେ ସେଦିନ କରୁର୍‌ ଠାରେ ଦେଇଥିବା ଆତ୍ମବଳି।
ଏହି ଦୁର୍ଭାଗ୍ୟଜନକ ରୋମଟାଙ୍କୁରା ଘଟଣା ଅନ୍ୟ ଯେଉଁ ଏକ କଠୋର ସତ୍ୟର ସ୍ବାକ୍ଷର ବହନ କରିଥାଏ, ତାହା ହେଲା ଦକ୍ଷିଣ ଭାରତୀୟ ରାଜନୀତି ଉପରେ ସିନେମାର ଅପ୍ରତିହତ ଦଖଲ। କରୁର୍‌ ଠାରେ ସେଦିନ ଯାହା ଘଟିଲା, ତାହା କେବଳ ମାତ୍ର ଭିଡ଼ ପରିଚାଳନାରେ ଅବ୍ୟବସ୍ଥା ଯୋଗୁଁ ଘଟିଥିବା ଏକ ଦୁର୍ଘଟଣା ନୁହେଁ; ତାହା ହେଉଛି ଦେଶର ସେଇ ଅଂଶରେ ଦୀର୍ଘ କାଳ ଧରି ଗଭୀର ଚେର ବିସ୍ତାର କରି ଆସିଥିବା ତାରକା-ପୂଜାର ଏକ ଚରମ ପରିପ୍ରକାଶ, ଯେଉଁଥିରେ ଚିତ୍ରତାରକାମାନେ ରାଜନେତାକୁ ରୂପାନ୍ତରିତ ହୋଇଯାଆନ୍ତି ଏବଂ ସେମାନଙ୍କର ଅଗଣିତ ଫ୍ୟାନ୍‌ମାନେ କାଣ୍ଡଜ୍ଞାନ ଶୂନ୍ୟ ହୋଇ ଗଣଉନ୍ମାଦନାର ଆବେଶରେ ଆସିଯାଆନ୍ତି।
ଦାକ୍ଷିଣାତ୍ୟରେ ରାଜନୀତି ସିନେମା ଦ୍ବାରା କବଳିତ ହେବାର ଇତିହାସ ପାଖାପାଖି ଏକ ଶତାବ୍ଦୀ ବ୍ୟାପୀ ପ୍ରସାରିତ। ୧୯୩୦ ଓ ୪୦ ଦଶକମାନଙ୍କରେ ତାମିଲ ଓ ତେଲୁଗୁ ସିନେମା ଥିଲା ସାଂସ୍କୃତିକ ସ୍ବାଭିମାନ ଓ ସାମାଜିକ ସଂସ୍କାର ସନ୍ଦେଶର ବାହକ। ସେ ସମୟରେ ଆନ୍ନାଦୁରାଇ ଓ କରୁଣାନିଧିଙ୍କ ପରି ସଂଳାପ ରଚନାକାରୀମାନେ ଫିଲ୍‌ମକୁ ରାଜନୈତିକ ଇସ୍ତାହାର ରୂପେ ଉପଯୋଗ କରୁଥିଲେ। ଫିଲ୍‌ମମାନଙ୍କର ସଂଳାପ ଓ ସଙ୍ଗୀତରେ ସେମାନେ ଶକ୍ତିଶାଳୀ ଶୈଳୀରେ ଦ୍ରାବିଡ଼ୀୟ ମତବାଦକୁ ସ୍ଥାପନ କରୁଥିଲେ। ୧୯୫୦ ଦଶକ ବେଳକୁ ସିନେମାର ଶକ୍ତିଶାଳୀ ଆବେଗିକ ପ୍ରଭାବ ତାମିଲନାଡୁରେ ଏମ୍‌ଜି ରାମଚନ୍ଦ୍ରନ୍ (‘ଏମ୍‌ଜିଆର୍’) ଓ ଆନ୍ଧ୍ରପ୍ରଦେଶରେ ଏନ୍‌ଟି ରାମାରାଓ (‘ଏନ୍‌ଟିଆର୍’)ଙ୍କ ପରି ତୁଙ୍ଗ ରାଜନେତାମାନଙ୍କୁ ସୃଷ୍ଟି କରିସାରିଥିଲା। ସେମାନେ ଫିଲ୍‌ମରେ ସର୍ବଦା ଯେଉଁ ଦୁଷ୍ଟ-ଦମନକାରୀ ଓ ଦୁର୍ବଳ-ରକ୍ଷାକାରୀ ଭୂମିକାରେ ଅବତୀର୍ଣ୍ଣ ହେଉଥିଲେ, ବାସ୍ତବ ଜୀବନରେ ମଧ୍ୟ ସେମାନେ ସେଇ ଭୂମିକା ନିର୍ବାହ କରିବେ ବୋଲି ବିଶ୍ବାସ କରି ସେମାନଙ୍କର ଅଗଣିତ ଅନୁଗାମୀମାନେ ସେମାନଙ୍କୁ ନିର୍ବାଚନୀ ସମର୍ଥନ ପ୍ରଦାନ କରି ସେମାନଙ୍କ ହାତରେ ରାଜନୈତିକ କ୍ଷମତା ସମର୍ପଣ କଲେ। ଯେଉଁମାନେ ଦର୍ଶକ ଭାବରେ ସୋ’ ପରେ ସୋ’ ସିନେମା ହଲ୍ ଭର୍ତ୍ତି କରିଥାନ୍ତି, ସେଇମାନେ ସେମାନଙ୍କର ପ୍ରିୟ ତାରକାମାନଙ୍କର ସଭାସମିତି, ରୢାଲି ଆଦିରେ ଭିଡ଼ ଜମାଇଲେ ଓ ଭୋଟଦାନ କେନ୍ଦ୍ରରେ ପହଞ୍ଚି ସେମାନଙ୍କୁ ବିଜୟମଣ୍ଡିତ କଲେ।
ରାଜନୀତିର ଏଇ ତାରକାଖଚିତ ମଡେଲ୍ ଏପରି ଏକ ସଫଳ ମଡେଲ୍‌ରେ ପରିଣତ ହୋଇଗଲା ଯେ ଏହା ସେ ରାଜ୍ୟମାନଙ୍କରେ ଏକ ନିୟମିତ ଧାରାରେ ପରିଣତ ହୋଇଗଲା। ଏଇ ଧାରାର ଅଂଶସ୍ବରୂପ ‘ଏମ୍‌ଜିଆର୍’ଙ୍କ ଉତ୍ତରାଧିକାରିଣୀ ଭାବରେ ଜୟଲଳିତା ଦୀର୍ଘ କାଳ ଧରି ତାମିଲନାଡୁରେ ଶାସନ ଗାଦି ଦଖଲ କରିଥିଲେ। ଜୟଲଳିତା ନିଜେ ଜଣେ ଲୋକପ୍ରିୟ ସିନେ-ନାୟିକା ଥିବାବେଳେ ‘ଏମ୍‌ଜିଆର୍’ଙ୍କର ଯାଦୁକରୀ ଖ୍ୟାତି ଜୟଲଳିତାଙ୍କୁ ରାଜନୀତିରେ ପ୍ରବେଶ କରିବାରେ ବିଶେଷ ସହାୟକ ହୋଇଥିଲା। କରୁଣାନିଧି ମଧ୍ୟ ଆବିଷ୍କାର କଲେ ଯେ ସଂଳାପ ରଚନା କେବଳ ଫିଲ୍‌ମର ସଫଳତା ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରି ନ ଥାଏ, ଏହା ହେଉଛି ସେ ରାଜ୍ୟରେ ରାଜନୈତିକ ସଫଳତା ହାସଲ କରିବାର ଏକ କୁହୁକ ଚାବିକାଠି ମଧ୍ୟ (କରୁଣାନିଧିଙ୍କର ପୁଅ ଷ୍ଟାଲିନ୍ ବର୍ତ୍ତମାନ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଓ ନାତି ଉଦୟନିଧି ହେଉଛନ୍ତି ଉପମୁଖ୍ୟମନ୍ତ୍ରୀ)। ଆନ୍ଧ୍ରପ୍ରଦେଶରେ ‘ଏନ୍‌ଟିଆର୍’ଙ୍କ ଉତ୍ତରାଧିକାର ଏବେ ମଧ୍ୟ ରାଜ୍ୟର ରାଜନୀତିକୁ ନିୟନ୍ତ୍ରଣ କରୁଛି (ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ହେଉଛନ୍ତି ‘ଏନ୍‌ଟିଆର୍’ଙ୍କର ଜାମାତା)। ସେଇ ଧାରାକୁ ଅନୁସରଣ କରି ସେଠାରେ ଚିରଞ୍ଜିବୀ, ପବନ କଲ୍ୟାଣ, ବିଜୟକାନ୍ତ ଆଜି ଚିତ୍ରତାରକାମାନେ ରାଜନୀତିରେ ପ୍ରବେଶ କରିବାରେ ଲାଗିଛନ୍ତି (ପବନ କଲ୍ୟାଣ ଏବେ ସେଠାରେ ଉପମୁଖ୍ୟମନ୍ତ୍ରୀ ଅଛନ୍ତି)।
ଦାକ୍ଷିଣାତ୍ୟର ଏହି ସିନେମା-କୈନ୍ଦ୍ରିକ ରାଜନୀତି ପରିପ୍ରେକ୍ଷୀରେ ସ୍ବାଭାବିକ ଭାବରେ ଏକ ପ୍ରଶ୍ନ ସୃଷ୍ଟି ହୋଇଥାଏ: ଉତ୍ତର ଭାରତରେ ଏପରି କାହିଁକି ହୋଇନାହିଁ? ଏହାର କାରଣ, ଉତ୍ତର ଭାରତରେ ରାଜନୀତି ମୁଖ୍ୟତଃ ଯାହାଦ୍ବାରା ପ୍ରଭାବିତ ହୋଇଛି, ତାହା ହେଲା ଜାତିଭିତ୍ତିକ ସମୀକରଣ, ଧର୍ମଭିତ୍ତିକ ଆହ୍ବାନ ଓ ବିଭିନ୍ନ ଗଣଆନ୍ଦୋଳନମାନ। ଏଠାରେ ମଧ୍ୟ ସିନେମା ବ୍ୟାପକ ଲୋକପ୍ରିୟତା ଉପଭୋଗ କରୁଥିଲେ ହେଁ, ଏହା ମନଗଢ଼ା ମନୋରଞ୍ଜନର ଇଲାକା ମଧ୍ୟରେ ହିଁ ସୀମିତ ହୋଇ ରହିଛି, ଯାହା ହେଉଛି ସିନେମାର ପ୍ରାକୃତିକ ଇଲାକା। ଅତୀତରେ କଁା ଭଁା କୌଣସି ବଲିଉଡ୍ ତାରକା ରାଜନୀତିରେ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ ହେଁ (ଯେମିତି ରାଜେଶ ଖାନ୍ନା, ଅମିତାଭ ବଚ୍ଚନ, ବିନୋଦ ଖାନ୍ନା ଅାଦି), ସେମାନଙ୍କର ପ୍ରଭାବ ଅତ୍ୟନ୍ତ ନଗଣ୍ୟ ହେବା ସାର ହୋଇଛି।
ଦକ୍ଷିଣ ଭାରତୀୟ ଗଣତନ୍ତ୍ର ଏହି ଅସୁବିଧାଜନକ ସତ୍ୟର ସମ୍ମୁଖୀନ ହେବା ଉଚିତ: ରାଜନୀତି ଯେତେବେଳେ ସିନେମା ସହିତ ଏଭଳି ଅନ୍ତରଙ୍ଗ ଭାବରେ ସଂଲିପ୍ତ ହୋଇଯାଏ, ତାହା ଏପରି ଏକ ଶାସନ ବ୍ୟବସ୍ଥାକୁ ଜନ୍ମ ଦେଇଥାଏ ଯେଉଁଥିରେ ଦକ୍ଷତା ଅପେକ୍ଷା ଆକର୍ଷକ ବ୍ୟକ୍ତିତ୍ବ ଅଧିକ ପ୍ରାଧାନ୍ୟ ଲାଭ କରିଥାଏ; ଅନ୍ଧ ଆନୁଗତ୍ୟ ରାଜେନତାମାନଙ୍କୁ ସ୍ବେଚ୍ଛାଚାରୀ ହେବାରେ ସହାୟକ ହୋଇଥାଏ। ଏଥିଯୋଗୁଁ କରୁର୍‌ ଠାରେ ଘଟିଥିବା ଭଳି ହୃଦୟ ବିଦାରକ ଟ୍ରାଜେଡି ମଧ୍ୟ ଘଟିପାରେ। କରୁର୍ ଘଟଣା ତେଣୁ ହେଉଛି ସିନେମା ସହିତ ମୋହ ଭଙ୍ଗ ପାଇଁ ଦାକ୍ଷିଣାତ୍ୟ ଅଧିବାସୀମାନଙ୍କ ଲାଗି ଏକ ସତର୍କ ଘଣ୍ଟି ବୋଲି କହିଲେ ଭୁଲ୍ ହେବ ନାହିଁ।
ଦକ୍ଷିଣ ଭାରତବାସୀମାନେ ସିନେମାର ଘାତକ ମୁଠା ମଧ୍ୟରୁ ବାହାରି ରାଜନୀତିକୁ ଏକ ନୂତନ ଦୃଷ୍ଟିରେ ଦେଖିବା ପାଇଁ କରୁର୍ ଘଟଣା ହେଉଛି ସେମାନଙ୍କ ପ୍ରତି ଏକ ଆହ୍ବାନ; ଯେଉଁଥିରେ ସେମାନଙ୍କର ଭାଗ୍ୟ ନିୟନ୍ତ୍ରଣ କରିବା ପାଇଁ ରୁପେଲି ପର୍ଦ୍ଦାରେ ଅଲୌକିକ ଶକ୍ତି ପ୍ରଦର୍ଶନ କରୁଥିବା କେହି ଜଣେ ତାରକା ଓହ୍ଲାଇ ନ ଆସି ତୃଣମୂଳ ସ୍ତରରେ ନିଜର ଦକ୍ଷତା ଓ ଯୋଗ୍ୟତା ପ୍ରମାଣିତ କରିଥିବା ବାସ୍ତବ ନାୟକମାନେ କ୍ରମଶଃ କ୍ଷମତାର ପାହାଚ ଆରୋହଣ କରି ସେ ଦାୟିତ୍ବ ନିର୍ବାହ କରିବେ। ଏ ଦୁଇ ବ୍ୟବସ୍ଥା ମଧ୍ୟରେ ଯେଉଁ ଗୁରୁତ୍ବପୂର୍ଣ୍ଣ ତଥା ମୌଳିକ ତଫାତ ରହିଥାଏ, ତାହା ହେଲା- ଚଳନ୍ତି ଈଶ୍ବର ଭଳି ଚିତ୍ରତାରକା-ନେତାମାନେ ସେମାନଙ୍କର ଅନ୍ଧ ଭକ୍ତମାନଙ୍କ ପାଖରେ ଉତ୍ତରଦାୟୀ ହୋଇ ନ ଥିବାବେଳେ ସ୍ବାଭାବିକ ରାଜନୈତିକ ପ୍ରକ୍ରିୟା ଦେଇ କ୍ଷମତା ଲାଭ କରିଥିବା ନେତାମାନେ ସେମାନଙ୍କ ସମର୍ଥକ ତଥା ଜନସାଧାରଣଙ୍କ ପାଖରେ ଉତ୍ତରଦାୟୀ ହୋଇଥାନ୍ତି।
ଇତିମଧ୍ୟରେ ସୋସିଆଲ୍ ମିଡିଆର ଆବିର୍ଭାବ ଏବେ ସହଜ ପ୍ରଚାର ଓ ପ୍ରସାର ମାଧ୍ୟମରେ ଚିତ୍ରତାରକାମାନଙ୍କର ସେମାନଙ୍କର ‌ଅନୁଗାମୀମାନଙ୍କ ଉପରେ ପ୍ରଭାବକୁ ବହୁଗୁଣିତ କରି ଚାଲିଥିବା ବେଳେ, ନିଜକୁ ସେଇ ଆତ୍ମଘାତୀ ପ୍ରଭାବରୁ ମୁକୁଳାଇବା ପାଇଁ ଏହି ଅନ୍ଧ ଅନୁଗାମୀମାନଙ୍କ ଲାଗି କରୁର୍ ନରବଳି ହେଉଛି ଏକ ମର୍ମନ୍ତୁଦ ଚେତାବନୀ।