ଆଧୁନିକ ସମାଜରେ ମଧ୍ୟ ବ୍ୟକ୍ତିର ଆଚରଣ ଠିକ୍ ସେଇଭଳି ପ୍ରଦର୍ଶନଭିତ୍ତିକ ହୋଇଥାଏ, ଯେଉଁଭଳି ଆଦିମ ବର୍ବର ସମାଜରେ ଦେଖାଯାଉଥିଲା। କେବଳ ଫରକ ଏତିକି ଯେ ଆଜିର ସମାଜରେ କେହି ନିଜର ପରାକ୍ରମ ପ୍ରଦର୍ଶନ ପାଇଁ ତା’ର ପରାସ୍ତ ଶତ୍ରୁର ମସ୍ତକର ଛାଲ ତା’ର ଘର ବାହାରେ ଟାଙ୍ଗିଦେଉ ନାହିଁ; କାରଣ ନରହତ୍ୟା ଏବେ ହେଉଛି ଏକ ଚରମ ଦଣ୍ଡନୀୟ ଅପରାଧ। ଆଧୁନିକ ମନୁଷ୍ୟ ତେଣୁ ତା’ର ପ୍ରତିପତ୍ତି ପ୍ରଦର୍ଶନ ନିମିତ୍ତ ଅନ୍ୟ ଏକ ମାଧ୍ୟମ ବ୍ୟବହାର କରିଥାଏ- ଅର୍ଥ, ଧନସଂପଦ ଠୁଳ କରିବା ଏବଂ ଖୋଲାଖୋଲି ଭାବରେ କିମ୍ବା ସୂକ୍ଷ୍ମ ଚତୁରତାର ସହିତ ତା’ର ପ୍ରଦର୍ଶନ କରିବା।
ଏକ ସଦ୍ୟ ପ୍ରକାଶିତ ଭିନ୍ନ ସ୍ବାଦର ସମ୍ବାଦ ଅନୁସାରେ ଭାରତର ଉତ୍ତରାଖଣ୍ଡ ରାଜ୍ୟରେ ଏକ ଗ୍ରାମସଭା ନିକଟରେ ଗ୍ରହଣ କରିଥିବା ଏକ ସର୍ବସମ୍ମତ ନିଷ୍ପତ୍ତିର ପୃଷ୍ଠଭୂମି ପ୍ରାୟ ଏକ ଶତାବ୍ଦୀ ତଳେ ଆମେରିକୀୟ ସମାଜରେ ଦେଖିବାକୁ ମିଳିଥିବା ଏକ ଅସ୍ବାଭାବିକ ମନେ ହେଉଥିବା ମାନବୀୟ ଆଚରଣର ପ୍ରତିଛବି ପରି ପ୍ରତୀୟମାନ ହୋଇଥାଏ ବୋଲି କହିଲେ ଭୁଲ୍ ହେବ ନାହିଁ। ଆମେରିକାରେ ସେତେବେଳେ ସେଇ ସମୟ ଥିଲା ଏକ ଭୟାନକ ଅର୍ଥନୈତିକ ସଂକଟର ସମୟ, ଯାହା ପୃଥିବୀ ଇତିହାସରେ ‘ଦି ଗ୍ରେଟ୍ ଡିପ୍ରେସନ୍’ (‘ଅର୍ଥନୈତିକ ମହାଅବପାତ’) ରୂପେ ଲିପିବଦ୍ଧ ହୋଇ ରହିଛି। ସଂକ୍ଷେପରେ କହିଲେ, ଅଭୂତପୂର୍ବ ଭାବରେ ବ୍ୟାପକ ବେକାରି ଓ ବେରୋଜଗାରି ଯୋଗୁଁ ୧୯୨୯ରୁ ପ୍ରାୟ ୧୯୩୯ ପର୍ଯ୍ୟନ୍ତ ପ୍ରସାରିତ ଏଇ ମହାଅବପାତ ସମୟରେ ଅଧିକାଂଶ ଆମେରିକୀୟ ପରିବାର ଘୋର ଦୁର୍ଦ୍ଦଶା ଭୋଗ କରି ଚାଲିଥିଲେ।
ଏଇ ଅସ୍ବାଭାବିକ ସମୟ ଆମେରିକୀୟମାନଙ୍କର ଆଚରଣକୁ କିଭଳି ପ୍ରଭାବିତ କରିଥିଲା, ତାହାର ଅନୁଶୀଳନ କରି ସେ ସମ୍ବନ୍ଧରେ ରବର୍ଟ ଓ ହେଲେନ୍ ଲିଣ୍ଡ୍ ନାମକ ଏକ ଦଂପତି ସେଇ ସମୟରେ ରଚନା କରିଥିବା ଏକ ପୁସ୍ତକ ବହନ କରିଥିବା ଚାଞ୍ଚଲ୍ୟକର ଅନ୍ତର୍ଦୃଷ୍ଟି ଏ ପର୍ଯ୍ୟନ୍ତ ଉଭୟ ଅର୍ଥଶାସ୍ତ୍ର ଓ ସମାଜଶାସ୍ତ୍ର ପରିସରରେ ଆଲୋଚନାର ବିଷୟବସ୍ତୁ ହୋଇ ରହିଛି। ଲିଣ୍ଡ୍ ଦଂପତି ‘ମିଡ୍ଲଟାଉନ୍’ ଶୀର୍ଷକ ବହନ କରୁଥିବା ସେମାନଙ୍କର ଏହି ପୁସ୍ତକରେ ସେମାନଙ୍କର ଯେଉଁ ଚାଞ୍ଚଲ୍ୟ ସୃଷ୍ଟିକାରୀ ଆବିଷ୍କାର ସମ୍ବନ୍ଧରେ ଉଲ୍ଲେଖ କରିଥିଲେ, ତାହା ହେଲା, ସେଇ ଘୋର ଅଭାବ ଅନାଟନ ସମୟରେ କେବଳ ଚରମ ଦରିଦ୍ର ଶ୍ରେଣୀର ପରିବାରମାନଙ୍କୁ ଛାଡ଼ିଦେଲେ, ଅନ୍ୟ ସମସ୍ତେ ପ୍ରଥମେ ସେମାନଙ୍କର ‘‘ଦରକାରୀ’’ ବିଳାସ ସାମଗ୍ରୀମାନଙ୍କ କ୍ରୟ ବାବଦରେ ଖର୍ଚ୍ଚ କାଟ କରିବା ପରିବର୍ତ୍ତେ ଆଗ ଖାଦ୍ୟ ଓ ପୋଷାକ ବାବଦରେ ଖର୍ଚ୍ଚ କାଟ କରିବା ଦେଖାଯାଇଥିଲା।
ଲିଣ୍ଡ୍ ଦଂପତିଙ୍କର ଏହି ଆବିଷ୍କାର ପ୍ରସିଦ୍ଧ ଅର୍ଥନୀତିଜ୍ଞ ଥର୍ଷ୍ଟାଇନ୍ ଭେବ୍ଲେନ୍ ୧୮୯୯ରେ ପ୍ରକାଶ ପାଇ ଚହଳ ସୃଷ୍ଟି କରିଥିବା ତାଙ୍କର ପୁସ୍ତକ ‘ଦି ଥିଓରି ଅଫ୍ ଦି ଲିଜର୍ କ୍ଲାସ୍’ରେ ପ୍ରଦାନ କରିଥିବା ‘ପ୍ରଦର୍ଶନଧର୍ମୀ ଉପଭୋଗ’ (‘କନ୍ସ୍ପିକ୍ୟୁଅସ୍ କନ୍ସମ୍ପସନ୍’) ସମ୍ବନ୍ଧରେ ତାଙ୍କର ତୀକ୍ଷ୍ଣ ଅନ୍ତର୍ଦୃଷ୍ଟିକୁ ଅକାଟ୍ୟ ସତ୍ୟ ରୂପେ ପ୍ରମାଣିତ କରିଥିଲା। ଭେବ୍ଲେନ୍ଙ୍କ ପୂର୍ବରୁ ସମସ୍ତ ଅର୍ଥଶାସ୍ତ୍ରୀମାନେ ମନୁଷ୍ୟକୁ ଏକ ବିଚାର କ୍ଷମତାସଂପନ୍ନ ହିସାବୀ ପ୍ରାଣୀ ରୂପେ ପ୍ରଦର୍ଶିତ କରି ଆସିଥିଲେ, ଯିଏ ସର୍ବଦା ନିଜର ଲାଭକୁ ସର୍ବାଧିକ ସମ୍ଭବ ଓ କ୍ଷତିକୁ ସର୍ବନିମ୍ନ ସମ୍ଭବ କରିବାକୁ କାର୍ଯ୍ୟ କରିଥାଏ- ଯାହାକୁ ‘ହୋମୋ ଇକନମିକ୍ସ’ ରୂପେ ବର୍ଣ୍ଣନା କରାଯାଇଥାଏ। ଭେବ୍ଲେନ୍ କିନ୍ତୁ ସେଇ ପ୍ରତିଷ୍ଠିତ ପାରମ୍ପରିକ ଚିନ୍ତାଧାରାକୁ ଓଲଟପାଲଟ କରିଦେଇ ସାବ୍ୟସ୍ତ କରିବାକୁ ଚାହିଁଲେ ଯେ ମନୁଷ୍ୟର ଅର୍ଥନୈତିକ ଆଚରଣ ପ୍ରକୃତରେ ଏପରି ଆଦିମ ପ୍ରବୃତ୍ତିମାନଙ୍କ ଦ୍ବାରା ପରିଚାଳିତ ହୋଇଥାଏ, ଯାହାର ଏପରି ବିଚାରଶୀଳତା ସହିତ କୌଣସି ସଂପର୍କ ନ ଥାଏ।
ଏହାର ପ୍ରମାଣ ସ୍ବରୂପ ଭେବ୍ଲେନ୍ ଆଦିମ ଜନଜାତିମାନଙ୍କର ଉଦାହରଣ ଦେଇଛନ୍ତି, ଯେଉଁମାନଙ୍କ ସମାଜରେ ବ୍ୟକ୍ତିକୁ ନିଜର ଗୁରୁତ୍ବ ସାବ୍ୟସ୍ତ କରିବାକୁ ଅନାବଶ୍ୟକ ହିଂସ୍ର ଆଚରଣ ଓ ବାହୁବଳ ପ୍ରଦର୍ଶନ କରିବାକୁ ପଡ଼ିଥାଏ। ଭେବ୍ଲେନ୍ ଉଲ୍ଲେଖ କରିଥିବା ଏହାର ଏକ ବର୍ବର ଉଦାହରଣ ହେଉଛି ଆମେରିକାର ମୂଳ ଆଦିମ ଅଧିବାସୀ ଲୋହିତ ଭାରତୀୟମାନେ ନିଜର ଶକ୍ତିର ସୂଚକ ରୂପେ ସେମାନଙ୍କର ବାସଗୃହ ‘ଟେପି’ ନାମକ ତମ୍ବୁରେ ଓହଳାଇ ଥିବା ଲୋମଟାଙ୍କୁରା ପଦାର୍ଥମାନ: ସଂପୃକ୍ତ ବ୍ୟକ୍ତି ହତ୍ୟା କରିଥିବା ତା’ର ଶତ୍ରୁର ମସ୍ତକରୁ ସେ ଉତାରି ଥିବା ଛାଲ। ଯାହାର ‘ଟେପି’ରୁ ଓହଳି ଥିବା ଛାଲ ସଂଖ୍ୟା ଯେତେ ଅଧିକ ହୋଇଥାଏ, ତାହାର ଗୋଷ୍ଠୀରେ ସେ ବ୍ୟକ୍ତିର ପ୍ରତିପତ୍ତି ସେତେ ଅଧିକ ହୋଇଥାଏ।
ଭେବ୍ଲେନ୍ଙ୍କ ବିଚାରରେ ଆଧୁନିକ ମନୁଷ୍ୟ ନିର୍ମାଣ କରିଥିବା ଲିଣ୍ଡ୍ ଦଂପତିଙ୍କ ଅନୁଶୀଳନର ବିଷୟବସ୍ତୁ ହୋଇଥିବା ତଥାକଥିତ ସଭ୍ୟ ସମାଜ ଓ ଲୋହିତ ଭାରତୀୟମାନଙ୍କ ଭଳି ଆଦିମ ମନୁଷ୍ୟମାନେ ସୃଷ୍ଟି କରିଥିବା ସେଇ ବର୍ବର ସମାଜ ମଧ୍ୟରେ ବିଶେଷ କିଛି ଫରକ ନାହିଁ। ଆଧୁନିକ ସମାଜରେ ମଧ୍ୟ ବ୍ୟକ୍ତିର ଆଚରଣ ଠିକ୍ ସେଇଭଳି ପ୍ରଦର୍ଶନଭିତ୍ତିକ ହୋଇଥାଏ, ଯେଉଁଭଳି ଆଦିମ ବର୍ବର ସମାଜରେ ଦେଖାଯାଉଥିଲା। କେବଳ ଫରକ ଏତିକି ଯେ ଆଜିର ସମାଜରେ କେହି ନିଜର ପରାକ୍ରମ ପ୍ରଦର୍ଶନ ପାଇଁ ତା’ର ପରାସ୍ତ ଶତ୍ରୁର ମସ୍ତକର ଛାଲ ତା’ର ଘର ବାହାରେ ଟାଙ୍ଗିଦେଉ ନାହିଁ; କାରଣ ନରହତ୍ୟା ଏବେ ହେଉଛି ଏକ ଚରମ ଦଣ୍ଡନୀୟ ଅପରାଧ। ଆଧୁନିକ ମନୁଷ୍ୟ ତେଣୁ ତା’ର ପ୍ରତିପତ୍ତି ପ୍ରଦର୍ଶନ ନିମିତ୍ତ ଅନ୍ୟ ଏକ ମାଧ୍ୟମ ବ୍ୟବହାର କରିଥାଏ- ଅର୍ଥ, ଧନସଂପଦ ଠୁଳ କରିବା ଏବଂ ଖୋଲାଖୋଲି ଭାବରେ କିମ୍ବା ସୂକ୍ଷ୍ମ ଚତୁରତାର ସହିତ ତା’ର ପ୍ରଦର୍ଶନ କରିବା। ଅନେକ ସମୟରେ ଏହି ପ୍ରଦର୍ଶିତ ଧନସଂପତ୍ତି ମଧ୍ୟ ଅସାଧୁ ଉପାୟରେ ଠୁଳ କରାଯାଇଥାଏ, ଯାହା ହେଉଛି ନରହତ୍ୟା ମାଧ୍ୟମରେ ମସ୍ତକର ଛାଲ ସଂଗ୍ରହ ଭଳି ଏକ ଅପରାଧ।
କିନ୍ତୁ ଭେବ୍ଲେନ୍ଙ୍କ ମତରେ ଦୁର୍ଭାଗ୍ୟ କ୍ରମେ ଏଇ ଆଦିମ ପ୍ରଦର୍ଶନ ପ୍ରବୃତ୍ତି ହିଁ ଆଜି ବି ମନୁଷ୍ୟର ଅର୍ଥନୈତିକ ଆଚରଣକୁ ରୂପ ପ୍ରଦାନ କରିଥାଏ: ତାହା ମୁକେଶ ଅମ୍ବାନିଙ୍କ ଭଳି ଏକ ୨୭ ମହଲାବିଶିଷ୍ଟ ନଭଶ୍ଚୁମ୍ବୀ ବାସଗୃହ ରୂପକ ‘ଟେପି’ ନିର୍ମାଣ ମାଧ୍ୟମରେ ହେଉ, କିମ୍ବା ‘ମିଡ୍ଲଟାଉନ୍’ର ଅବପାତଗ୍ରସ୍ତ ପରିବାରମାନଙ୍କର “ଦରକାରୀ’’ ବିଳାସ ଦ୍ରବ୍ୟ କ୍ରୟରେ ହେଉ, କିମ୍ବା ଉତ୍ତରାଖଣ୍ଡର ଉପରୋକ୍ତ ଗ୍ରାମର ମହିଳାମାନେ ବିବାହ ଉତ୍ସବ ପାଳନ ସମୟରେ ପ୍ରତିଯୋଗିତାମୂଳକ ଭାବରେ ସୁନାଗହଣାରେ ମଣ୍ଡି ହୋଇ ବାହାରି ପଡ଼ିବାରେ ହେଉ। ତେବେ ଏଭଳି ପ୍ରଦର୍ଶନ ପ୍ରତିଯୋଗିତା ଅମ୍ବାନିଙ୍କ ପରି ଅପହଞ୍ଚ ଉଚ୍ଚତାରେ ଥିବା ଲୋକମାନଙ୍କର ବିଶେଷ କ୍ଷତି ଘଟାଇ ପାରି ନ ଥିବାବେଳେ ଏକ ସାଧାରଣ ପାହାଡ଼ୀ ଗଁାର ସୀମିତ ଆୟବିଶିଷ୍ଟ ପରିବାରର ଅର୍ଥନୀତି ପାଇଁ ଯେ ଅସହନୀୟ ବୋଝ ସୃଷ୍ଟି କରିଥାଏ, ଏହା ହୃଦୟଙ୍ଗମ କରିବା ନିମିତ୍ତ କେହି ଭେବ୍ଲେନ୍ଙ୍କ ପରି ବିଚକ୍ଷଣ ମସ୍ତିଷ୍କର ଅଧିକାରୀ ହେବା ଆବଶ୍ୟକ ନୁହେଁ।
କିନ୍ତୁ ଏହି ଭେବ୍ଲେନୀୟ ସମସ୍ୟାର ଏକ ସନ୍ତୋଷଜନକ ସମାଧାନ ପାଇଁ କାନ୍ଧାର୍ ନାମକ ଉକ୍ତ ଗ୍ରାମର ଗ୍ରାମସଭା ସର୍ବସମ୍ମତ ଭାବରେ ଯେଉଁ ନିୟମ ପ୍ରଣୟନ କରିଛି, ତାହା ଖୋଦ୍ ଭେବ୍ଲେନ୍ଙ୍କୁ ମଧ୍ୟ ଚମତ୍କୃତ କରନ୍ତା। ସଂପୃକ୍ତ ଗ୍ରାମସଭା ଏହି ନିୟମ ମାଧ୍ୟମରେ କୌଣସି ବିବାହ ଉତ୍ସବରେ ସେଇ ଗ୍ରାମର ମହିଳାମାନେ ପିନ୍ଧୁଥିବା ଗହଣା ପରିମାଣକୁ ସୀମିତ କରିଦେଇଛି। ଏହି ନିୟମ ଅନୁସାରେ ଏଭଳି ଅବସରରେ କୌଣସି ମହିଳା ତିନିଗୋଟିରୁ ଅଧିକ ଗହଣା ପିନ୍ଧି ପାରିବେ ନାହିଁ। ଗ୍ରାମସଭା ମଧ୍ୟ ସେ ତିନିଟି ଗହଣାର ପ୍ରକାର ନିର୍ଦ୍ଦିଷ୍ଟ କରିଦେଇଛି: ଏକ ନାକଫୁଲ, ଦୁଇଟି କାନଫୁଲ, ଓ ଗୋଟିଏ ମଙ୍ଗଳସୂତ୍ର। କେହି ଯଦି ଏହି ନିୟମର ଉଲ୍ଲଂଘନ କରେ, ତେବେ ସେ ଉଲ୍ଲଂଘନକାରିଣୀଙ୍କ ପ୍ରତି ୫୦,୦୦୦ ଟଙ୍କାର ଜୋରିମାନା ଲାଗୁ ହେବ।
ଗ୍ରାମସଭା ପ୍ରକାଶ କରିଛି ଯେ ପ୍ରତିଯୋଗିତାମୂଳକ ଗହଣା ପ୍ରଦର୍ଶନ ଚାପରେ ସେ ଗ୍ରାମର ଅନେକ ପରିବାର ଋଣଗ୍ରସ୍ତ ହୋଇ ପଡ଼ିଥାନ୍ତି। ଗ୍ରାମସଭା ତେଣୁ ଗ୍ରାମବାସୀମାନଙ୍କୁ ଏଇ ଆଦିମ ପ୍ରଦର୍ଶନ ପ୍ରବୃତ୍ତିଜନିତ ଅର୍ଥନୈତିକ ବିପର୍ଯ୍ୟୟରୁ ରକ୍ଷା କରିବା ଲାଗି ଏଭଳି ଏକ ସାମ୍ୟବାଦୀ ସମାଧାନର ସୂତ୍ର ବାହାର କରିଛି, ଯାହା ପରମ୍ପରାକୁ ସମ୍ମାନ ଜଣାଇବା ସଙ୍ଗେ ସଙ୍ଗେ ମନୁଷ୍ୟର ସେଇ ବର୍ବର ପ୍ରଦର୍ଶନ ପ୍ରବୃତ୍ତିକୁ ଅବଦମିତ କରିବ, ଯାହା ଲୋହିତ ଭାରତୀୟମାନଙ୍କ ‘ଟେପି’କୁ ଦିନେ ଛାଲରେ ଢାଙ୍କି ଦେଉଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/OAnDiWZ5zjRDfuWfWgMX.jpg)