ସମାଜବିଜ୍ଞାନୀମାନେ ‘ଆରବ ବସନ୍ତ’ର କାରଣ ରୂପେ ବୁଆଜିଜିର ଫଳ ଝୁଡ଼ିର ବାଜ୍ୟାପ୍ତି ବା ଚାପୁଡ଼ା ମାଡ଼କୁ ଦେଖି ନ ଥାଆନ୍ତି; ସେମାନଙ୍କ ମତରେ ଟ୍ୟୁନିସିଆରେ ସେ ଦିନ ହତାଶା ଜର୍ଜର ‘ତାରୁଣ୍ୟ ବଥ’ଟି ସୂଚ୍ୟଗ୍ର ସ୍ପର୍ଶ ମାତ୍ରକେ ଫାଟିଯାଇଥିଲା। ସେହି ବିଚାରରେ ଲଦାଖ ହିଂସାର ପ୍ରକୃତ କାରଣଟି କ’ଣ ହୋଇପାରେ? ସୋନମ ୱାଙ୍ଗଚୁକଙ୍କ ଭାଷଣ ନା ଅନଶନକାରୀଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନତି ନା ପାଚି ଜରଜର ହୋଇ ଯାଇଥିବା ‘ତାରୁଣ୍ୟ ବଥ’? 

Advertisment

ଗଲା ୨୬ ତାରିଖ ଦିନ ହିମାଳୟ କ୍ରୋଡ଼ାଶ୍ରିତ ଲଦାଖ ଅଞ୍ଚଳରେ ଏକ ବିକ୍ଷୋଭ ଅତର୍କିତ ଭାବେ ହିଂସାତ୍ମକ ହୋଇ ଉଠି ଜଳାପୋଡ଼ାରେ ଲିପ୍ତ ହେବା ଏବଂ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ସୁରକ୍ଷା କର୍ମୀଙ୍କ ଗୁଳି ମାଡ଼ରେ ୪ ଜଣଙ୍କ ପ୍ରାଣହାନି ଘଟିବା ଓ ୭୦ରୁ ଅଧିକ ଆହତ ହେବା ଭଳି ଘଟଣା ବିଭିନ୍ନ କାରଣରୁ ତୀବ୍ର ଚିନ୍ତା ଉଦ୍ରେକକାରୀ ହୋଇଥାଏ। ଏହି ଘଟଣା ଏକ କ୍ଷୁଦ୍ର ଅଞ୍ଚଳରେ ଘଟିଥିଲେ ମଧ୍ୟ ଅନେକ ପର୍ଯ୍ୟବେକ୍ଷକ ଏଥିରେ ବାଂଲାଦେଶ ବା ନେପାଳରେ ସଂଘଟିତ ହୋଇଯାଇଥିବା ଜନ ବିଦ୍ରୋହର ସାଦୃଶ୍ୟ ଲକ୍ଷ୍ୟ କରିଥାଆନ୍ତି। ପ୍ରକାଶ ଥାଉ କି ଲଦାଖର ଜୀବନ୍ତ ସ୍ମୃତିରେ ଏଭଳି ଏକ ଘଟଣାର ଦୃଷ୍ଟାନ୍ତ ନାହିଁ। ଏଭଳି ସ୍ଥିତିରେ ଏ ସଂଦର୍ଭରେ ଏକ ସମ୍ୟକ ଆଲୋଚନା ବିଶେଷ ପ୍ରାସଙ୍ଗିକ ଭଳି ମନେ ହୋଇଥାଏ। 
ପ୍ରଥମେ ସେହି ଚାରିଟି ଦାବି ଉପରେ ଦୃଷ୍ଟି ନିକ୍ଷେପ କରାଯାଉ ଯାହାର ପୂରଣ ଲକ୍ଷ୍ୟରେ ଗଲା ପାଞ୍ଚ ବର୍ଷ ଧରି ସୋନମ ୱାଙ୍ଗଚୁକଙ୍କ ନେତୃତ୍ବରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଚାଲି ଆସିଥିଲା। ସେଗୁଡ଼ିକ ‌େହଲେ ଲଦାଖକୁ ରାଜ୍ୟ ମାନ୍ୟତା ପ୍ରଦାନ, ଏହି ଅଞ୍ଚଳକୁ ଷଷ୍ଠ ସିଡ୍ୟୁଲଭୁକ୍ତ କରିବା, ଚାକିରି ସୃଷ୍ଟି ସକାଶେ ରାଜ୍ୟ ପବ୍ଲିକ ସର୍ଭିସ କମିସନ ଢାଞ୍ଚାରେ ଏକ ଆୟୋଗର ଗଠନ ଏବଂ ସଂସଦୀୟ ପ୍ରତିନିଧିତ୍ବରେ ବୃଦ୍ଧି। ପ୍ରକାଶ ଥାଉ କି ୨୦୧୯ ମସିହରେ ଧାରା ୩୭୦ର ଉଚ୍ଛେଦ ସହିତ ଏକ କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ ହୋଇଥିବା ଲଦାଖରେ ସେହି ପ୍ରାରମ୍ଭିକ ଉତ୍ସାହ ମଉଳି ଯାଇଛି, ଯେତେବେଳେ ଏକ ଧାରଣା ଦୃଢ଼ମୂଳ ହେବାରେ ଲାଗିଛି ଯେ ଲଦାଖ ଠାରୁ ଦିଲ୍ଲୀର ଦୂରତ୍ବ କେବଳ ଭୌଗୋଳିକ ନୁହେଁ, ମାନସିକ ମଧ୍ୟ! ଦ୍ବିତୀୟ‌େର, ୯୭% ଜନଜାତି ସଂବଳିତ ଲଦାଖୀ ସଂପ୍ରଦାୟ ଷଷ୍ଠ ସୂଚିରେ ଅନ୍ତର୍ଭୁକ୍ତ ହେବାର ଯୋଗ୍ୟତା ପୂରଣ କରିଥାଏ ବୋଲି ସେମାନଙ୍କ ଯୁକ୍ତି। ପ୍ରକାଶ ଥାଉ କି ଏହି ସିଡ୍ୟୁଲ ସେମାନଙ୍କୁ ଅଧିକ ରାଜନୈତିକ ଓ ଆର୍ଥିକ ସ୍ବାୟତ୍ତତା ପ୍ରଦାନ କରିବ। ଲଦାଖୀମାନଙ୍କ ମଧ୍ୟରେ ସାକ୍ଷରଙ୍କ ହାର ଅତ୍ୟୁଚ୍ଚ ୯୭.୪% ହୋଇଥିବା ବେଳେ ସ୍ନାତକଙ୍କ ମଧ୍ୟରେ ନିଯୁକ୍ତିହୀନତାର ହାର ମଧ୍ୟ ଏକ ଉଚ୍ଚ ୨୬.୫%(ଜାତୀୟ ହାର ୧୩.୪%), ଯାହା ତୀବ୍ର ହତାଶାର କାରଣ ହୋଇ ଏକ ସ୍ବତନ୍ତ୍ର ନିଯୁକ୍ତି ଆୟୋଗ ଲାଗି ହେଉଥିବା ଦାବିକୁ ବଳ ପ୍ରଦାନ କରିଥାଏ। ସେହିଭଳି ଏକ ସଂବେଦନଶୀଳ ସୀମାନ୍ତବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ଲଦାଖର ସମସ୍ୟା ସଂସଦରେ ଶ୍ରୁତିଗୋଚର ହେବା ଲାଗି ଜଣେ ବଦଳରେ ଦୁଇ ଜଣ ସାଂସଦଙ୍କ ଆବଶ୍ୟକତା ରହିଛି ବୋଲି ସେମାନେ ମନେ କରନ୍ତି। ପର୍ଯ୍ୟବେକ୍ଷକମାନଙ୍କ ମତରେ ଏହି ସବୁ ଦାବି ପୂରଣରେ ସରକାରଙ୍କ ଟାଳଟୁଳ ସହିତ ଆଉ ଯାହା ଲଦାଖୀମାନଙ୍କୁ ଅସନ୍ତୁଷ୍ଟ କରିଥାଏ, ତାହା ହେଲା ପ୍ରଚୁର ସୂର୍ଯ୍ୟାଲୋକ ଦ୍ବାରା ସ୍ନାତ ଲଦାଖର ବିସ୍ତୀର୍ଣ୍ଣ ଉନ୍ମୁକ୍ତ ଭୂଖଣ୍ଡକୁ ସୌର ଶକ୍ତି ଉତ୍ପାଦନ ଲାଗି ପୁଂଜିପତିମାନଙ୍କ ହାତକୁ ଟେକି ଦିଆଯିବା, ଯଦ୍ଦ୍ବାରା, ସେମାନଙ୍କ ମତରେ, ଚାମରୀ ଗାଈଙ୍କ ଠାରୁ ଚାରଣ ଭୂମି ଅପହୃତ ହୋଇଯିବ ଏବଂ ଲଦାଖୀମାନଙ୍କ ମୂଳ ଜୀବିକା ଡୁବିଯିବ। ସୁତରାଂ, ସୋନମ ୱାଙ୍ଗଚୁକଙ୍କ ଆନ୍ଦୋଳନ ଲଦାଖୀମାନଙ୍କ ପରିଚୟ, ସଂସ୍କୃତି ଓ ବୃତ୍ତିର ସୁରକ୍ଷା ଦିଗରେ ଅଭିପ୍ରେତ ହୋଇଥିବା ବେଳେ ଏହା ଅଚାନକ ହିଂସ୍ର ହୋଇ ଉଠିବା ଚିନ୍ତାର କାରଣ ଏବଂ ନିନ୍ଦନୀୟ ମଧ୍ୟ! 
ତେବେ, ଏହି ପରିପ୍ରେକ୍ଷୀରେ କେତେକ ଚିନ୍ତା ଉଦ୍ରେକକାରୀ ପ୍ରଶ୍ନର ଆବିର୍ଭାବ ଘଟିଛି, ଯହିଁରୁ ତିନିଟି ମୁଖ୍ୟ। ତହିଁରୁ ପ୍ରଥମଟି ହେଲା, ଲଦାଖୀମାନେ ଭାରତର ଅନ୍ୟତମ ସର୍ବାଧିକ ଶାନ୍ତିପ୍ରିୟ, ଅହିଂସ ଓ ‌େସ୍ନହୀ ଜାତି ରୂପେ ପରିଚିତ ହେଉଥିବା ସତ୍ତ୍ବେ ଏଭଳି ଏକ ଚରିତ୍ର-ଅସାଂମଜସ୍ୟ ଆଚରଣ ପ୍ରଦର୍ଶନ କଲେ କାହିଁକି? ଏହା ପଛରେ କୌଣସି ବାହ୍ୟ ଶକ୍ତିର ଚକ୍ରାନ୍ତ ଅଛି କି, ଯେମିତି ସାମାଜିକ ଗଣମାଧ୍ୟମରେ ପ୍ରବାହିତ ହେଉଥିବା ବ୍ୟାଖ୍ୟାନର ବତାସରେ ଚୀନ ଆଡ଼କୁ ଇଙ୍ଗିତ ରହୁଛି? ଦ୍ବିତୀୟଟି ହେଲା ଏହି ଘଟଣା ପରେ ଲଦାଖୀମାନଙ୍କ ମଧ୍ୟରେ ବିଚ୍ଛିନ୍ନତାବୋଧର ବୀଜ ଅଙ୍କୁରିତ ହେବ ନାହିଁ ତ? କାରଣ ସେମାନେ ଏକ ରାଷ୍ଟ୍ରପ୍ରେମୀ ଜାତି ଭାବେ ଜଣାଶୁଣା। ତୃତୀୟଟି ହେଲା ଶାନ୍ତିପୂର୍ଣ୍ଣ ଓ ଅହିଂସ ଆନ୍ଦୋଳନର ଯୁଗ କ୍ରମେ ସମାପ୍ତ ହେବାକୁ ବସିଲାଣି କି? ଏହି ସବୁ ପ୍ରଶ୍ନର ଉତ୍ତର ଖୋଜିବାକୁ ହେବ।
ଇତିମଧ୍ୟ‌େର ସରକାରଙ୍କ ପକ୍ଷରୁ ଆରୋପ ଲଗାଯାଇଛି ଯେ ସୋନମ ୱାଙ୍ଗଚୁକଙ୍କ ଏକ ଭାଷଣ ଉତ୍ତେଜନା ସୃଷ୍ଟି କରିଥିଲା, ଯହିଁରେ ସେ କୁଆଡ଼େ ‘ଆରବ ବସନ୍ତ’ ସହିତ ବାଂଲାଦେଶ ଓ ନେପାଳରେ ଘଟିଥିବା ଜନ-ବିଦ୍ରୋହ ବିଷୟ ଉଲ୍ଲେଖ କରିଥିଲେ। ଅପର ପକ୍ଷରେ ସାମ୍ବାଦିକମାନଙ୍କୁ ସୋନମ ୱାଙ୍ଗଚୁକଙ୍କ ଦ୍ବାରା ପ୍ରଦତ୍ତ ବକ୍ତବ୍ୟ କହିଥାଏ ଯେ ଦୀର୍ଘକାଳୀନ ଅନଶନ ପରେ ଦୁଇ ବୟୋବୃଦ୍ଧ ଆନ୍ଦୋଳନକାରୀ ନେତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନତି ସେଠାରେ ସମବେତ ତରୁଣ-ତରୁଣୀଙ୍କୁ ଉତ୍ତେଜିତ କରିଥିଲା ଏବଂ ତା’ ପରେ ସ୍ବତଃସ୍ଫୂର୍ତ୍ତ ଭାବେ ନିଜ ନିଜ ଘରୁ ବାହାରି ଆସିଥିବା ଯୁବକଯୁବତୀ(‘ଜେନ ଜେଡ୍‌’ ପିଢ଼ିରୁ ମଧ୍ୟ) ସହସ୍ରାଧିକ ସଂଖ୍ୟାରେ ସଡ଼କରେ ରୁଣ୍ଡ ହୋଇ ସହସା ଅନିୟନ୍ତ୍ରିତ ହିଂସାର ଆବର୍ତ୍ତ ମଧ୍ୟରେ ହଜି ଯାଇଥିଲେ। ପ୍ରକାଶ ଥାଉ କି ବର୍ତ୍ତମାନ କେତେକଙ୍କ ଦ୍ବାରା ସୋନମ ୱାଙ୍ଗଚୁକ ସାମାଜିକ ଗଣମାଧ୍ୟମରେ ‘ଆତଙ୍କବାଦୀ’ ବା ‘ଚୀନା ଏଜେଣ୍ଟ’ ଭଳି ଅପ-ବିଶେଷଣ ଦ୍ବାରା ସମ୍ବୋଧିତ ହେଉଛନ୍ତି, ଯଦିଓ ହିଂସା ସୃଷ୍ଟି ହେବା ମାତ୍ରକେ ସେ ତାଙ୍କ ଅନଶନ ଓ ଆନ୍ଦୋଳନକୁ ପ୍ରତ୍ୟାହାର କରି ନେଇ ହିଂସାର ନିନ୍ଦା କରିଥିଲେ। ଏହି ସଂଦର୍ଭରେ ମହାତ୍ମା ଗାନ୍ଧୀ ସ୍ମରଣକୁ ଆସନ୍ତି, ଯିଏ ୧୯୨୨ ମସିହାରେ ସତ୍ୟାଗ୍ରହର ପ୍ରାରମ୍ଭ କାଳରେ ଉତ୍ସାହ ତୀବ୍ରତମ ଥିବା ବେଳେ ଚଉରିଚଉରା ଠାରେ ଘଟିଥିବା ହିଂସାକାଣ୍ଡ ସକାଶେ ଆନ୍ଦୋଳନକୁ ତୁରନ୍ତ ବନ୍ଦ କରି ଦେଇଥିଲେ ଏବଂ କହିଥିଲେ ଯେ ଅହଂସ ଆନ୍ଦୋଳନ ସକାଶେ ପ୍ରସ୍ତୁତି ସଂପୂର୍ଣ୍ଣ ହୋଇନାହିଁ। ସେହି ଦୃଷ୍ଟିରୁ କୁହାଯାଇପାରେ ଯେ ଗଲା ପାଞ୍ଚ ବର୍ଷ ଧରି ଅହିଂସା ଓ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ ଚଳାଇ ଆସିଥିବା ସୋନମ ୱାଙ୍ଗଚୁକଙ୍କ ଲାଗି ଏବେ ଏକ ଚଉରିଚଉରା କ୍ଷଣ ଉପସ୍ଥିତ, ଯାହା ତାଙ୍କ ସମ୍ମୁଖରେ ଦଣ୍ଡାୟମାନ ଏକ କଠିନ ପରୀକ୍ଷା ମଧ୍ୟ!
ତେବେ, ‘ଆରବ ବସନ୍ତ’ ହେଉ ବା ନେପାଳ ବା ବାଂଲାଦେଶ ଅଥବା ଲଦାଖ; ଉପରକୁ ଦିଶୁଥିବା ତାତ୍କାଳିକ କାରଣଗୁଡ଼ିକ ତଳେ ଅର୍ଥାତ୍‌ ଗଭୀରରେ ଯେଉଁ ଏକମାତ୍ର ମୂଳ କାରଣ ନିହିତ ବୋଲି ସମାଜ ବିଜ୍ଞାନୀମାନେ କହନ୍ତି, ତାହା ହେଉଛି ‘ୟୁଥ ବଲ୍‌ଜ’ ବା ‘ତାରୁଣ୍ୟ ବଥ’, ଯାହାର ଅର୍ଥ ଜନସଂଖ୍ୟାରେ ତରୁଣ ବର୍ଗ(୧୫ରୁ ୨୨ ବର୍ଷ)ର ଅଧିକ ଉପସ୍ଥିତି। ସେମାନଙ୍କ ମତରେ ଏହା ଉତ୍ପାଦନଶୀଳତାରେ ବୃଦ୍ଧି ଘଟାଇ ଯେମିତି ‘ଡେମୋଗ୍ରାଫିକ୍‌ ଡିଭିଡେଣ୍ଡ’ ବା ‘ଜନସାଂଖ୍ୟିକ ଲାଭ’ ପ୍ରଦାନ କରିଥାଏ, ସେମିତି ତାହାର ଓଲଟା ଘଟିଥାଏ ଯେତେବେଳେ ବୃତ୍ତି କି ଜୀବନର ଲକ୍ଷ୍ୟ ଠାବ କରି ପାରୁ ନ ଥିବା ହତାଶ ଯୁବକଯୁବତୀ ସେମାନଙ୍କ ଖାଲି ସମୟ ଓ ଅବ୍ୟବହୃତ ଶକ୍ତିକୁ ଅପରାଧମୂଳକ କାର୍ଯ୍ୟରେ ଖର୍ଚ୍ଚ କରନ୍ତି; ସାମାନ୍ୟ କାରଣରୁ ଆକ୍ରମଣ, ପୋଡ଼ାଜଳା, ଭଙ୍ଗାରୁଜା, ଭିଡ଼ ହିଂସା ଘଟାନ୍ତି। ପୃଥିବୀର ବିଭିନ୍ନ ଦେଶର ଜନସଂଖ୍ୟାର ଗଢ଼ଣକୁ ଅନୁଧ୍ୟାନ କରି ପ୍ରଖ୍ୟାତ ରାଜନୀତି ବିଜ୍ଞାନୀ ଟେଡ୍‌ ରବର୍ଟ ଗାର୍‌ ଅଷ୍ଟମ ଦଶକରେ ଅପରାଧ, ବିଦ୍ରୋହ, ଦଙ୍ଗା ଓ ନିଶା ଦ୍ରବ୍ୟ କାରବାର ଆଦି ସହିତ ‘ସୋସିଆଲ୍‌ ବଲ୍‌ଜ’ର ସଂପର୍କକୁ ଆବିଷ୍କାର କରିଥିଲେ। ବିଭିନ୍ନ ଦେଶରେ ଅପରାଧର ଚରିତ୍ରକୁ ଅନୁଶୀଳନ କରୁଥିବା ‘ସି.ଆଇ.ଏ.’ ଦ୍ବାରା ନିଯୁକ୍ତ ଏକ ବିଶେଷଜ୍ଞ ଦଳ ବିଭିନ୍ନ ଦେଶର ଜନସଂଖ୍ୟାର ସଂରଚନା ବିଷୟରେ ଅନୁଶୀଳନ କରି ୧୯୮୫ ମସିହାରୁ ଭବିଷ୍ୟତ୍‌ବାଣୀ ପ୍ରଦାନ କରିଥିଲେ ଯେ ‘ତାରୁଣ୍ୟ ବଥ’ କାରଣରୁ ବାଂଲାଦେଶ, ନେପାଳ, ଇଣ୍ଡୋନେସିଆ ଭଳି ଦେଶରେ ଭୟାବହ ବିଶୃଙ୍ଖଳା ଦେଖାଦେଇପାରେ, ଯାହା ଚାରି ଦଶନ୍ଧି ପରେ ସତ୍ୟରେ ପରିଣତ ହୋଇଛି! ‘ତାରୁଣ୍ୟ ବଥ’ର ଦୁଷ୍ପ୍ରଭାବର ଦୃଷ୍ଟାନ୍ତ ଅସୁମାରି ଓ ସର୍ବତ୍ର ପରିଲକ୍ଷିତ। 
୨୦୧୦ ମସିହା, ଡିସେମ୍ବର ୧୭ ତାରିଖ ଦିନ ଟ୍ୟୁନିସୀୟ ପୁଲିସ ଦ୍ବାରା ତା’ର ଫଳଝୁଡ଼ିର ବାଜ୍ୟାପ୍ତ ହେବା ଓ ଯୁକ୍ତିତର୍କ ବେଳେ ଜଣେ ମହିଳା ପୁଲିସ ହାତରୁ ଚାପୁଡ଼ାଏ ଖାଇବା ପରେ ତରୁଣ ଫଳ ବିକ୍ରେତା ଅଲ ବୁଅଜିଜି ସଡ଼କ ଉପରେ ଆତ୍ମଦାହ କରି ଦେଇଥିଲା। ଏହି ଘଟଣା ଆରବ ବିଶ୍ବରେ ଭୂଚଳନ ସୃଷ୍ଟିକାରୀ ବିଦ୍ରୋହ ‘ଆରବ ବସନ୍ତ’କୁ ଟ୍ୟୁନିସିଆର ଭୂମିରେ ଜନ୍ମ ଦେଇଥିଲା। କିନ୍ତୁ ସମାଜବିଜ୍ଞାନୀମାନେ ‘ଆରବ ବସନ୍ତ’ର କାରଣ ରୂପେ ବୁଆଜିଜିର ଫଳ ଝୁଡ଼ିର ବାଜ୍ୟାପ୍ତି ବା ଚାପୁଡ଼ା ମାଡ଼କୁ ଦେଖି ନ ଥାଆନ୍ତି; ସେମାନଙ୍କ ମତରେ ଟ୍ୟୁନିସିଆରେ ସେ ଦିନ ହତାଶା ଜର୍ଜର ‘ତାରୁଣ୍ୟ ବଥ’ଟି ସୂଚ୍ୟଗ୍ର ସ୍ପର୍ଶ ମାତ୍ରକେ ଫାଟିଯାଇଥିଲା। ସେହି ବିଚାରରେ ଲଦାଖ ହିଂସାର ପ୍ରକୃତ କାରଣଟି କ’ଣ ହୋଇପାରେ? ସୋନମ ୱାଙ୍ଗଚୁକଙ୍କ ଭାଷଣ ନା ଅନଶନକାରୀଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନତି ନା ପାଚି ଜରଜର ହୋଇ ଯାଇଥିବା ‘ତାରୁଣ୍ୟ ବଥ’?