‘ସୁଦର୍ଶନ ଚକ୍ର’ ପ୍ରତିଷ୍ଠା ସମ୍ବନ୍ଧରେ ଭାରତର ଘୋଷଣା ହିଁ ବର୍ତ୍ତମାନ ଏକ ଭୂ-ରାଜନୈତିକ ସନ୍ଦେଶ ରୂପେ ଆବିର୍ଭୂତ ହୋଇଛି। ଚୀନ୍ ପାଇଁ ଏହି ସନ୍ଦେଶ ହେଲା- ଭାରତ ସେ ଦେଶର ଡିଏଫ୍-୧୭ ହାଇପର୍ସୋନିକ୍ସର ଛାୟା ତଳେ ଅସହାୟ ହୋଇ ରହିବ ନାହିଁ; ପାକିସ୍ତାନ ପାଇଁ ସନ୍ଦେଶ ହେଲା- ମୁନିର୍ସୁଲଭ ଆଣବିକ ଆକ୍ରମଣ ଧମକରେ ଭାରତ ଭୟଭୀତ ହୋଇ ସ୍ଥାଣୁତ୍ବ ଅବଲମ୍ବନ କରିବ ନାହିଁ; ସାରା ବିଶ୍ବକୁ ସନ୍ଦେଶ ହେଲା- ସାମରିକ ବିବର୍ତ୍ତନ ସହିତ ତାଳ ଦେବାରେ ଭାରତ ପଛରେ ପଡ଼ିଯାଇ ନାହିଁ, ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ କରି ଭାରତ ନିଜକୁ ସୁରକ୍ଷିତ ରଖିବାକୁ ସମର୍ଥ
ମହାଭାରତ ଯୁଦ୍ଧର ଚତୁର୍ଦ୍ଦଶ ଦିବସରେ କୌରବ ପକ୍ଷର ଆକ୍ରମଣରୁ ପାଣ୍ଡବ ପକ୍ଷକୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ଶ୍ରୀକୃଷ୍ଣ ସୂର୍ଯ୍ୟଙ୍କୁ ସୁଦର୍ଶନ ଚକ୍ର ଦ୍ବାରା ଘୋଡ଼ାଇ ଦେଇଥିଲେ। ସୁଦର୍ଶନ ଚକ୍ର ଆଢୁଆଳରେ ରହି ଅର୍ଜୁନ କୌରବ ସେନାପତି ଜୟଦ୍ରଥଙ୍କର ନିଧନ ଘଟାଇଥିଲେ। ଏବେ ଭାରତକୁ ସୁରକ୍ଷିତ ରଖିବା ପାଇଁ ପୁଣି ଥରେ ଏକ ଭିନ୍ନ ରୂପରେ ସେଇ ସୁଦର୍ଶନ ଚକ୍ରର ଆବିର୍ଭାବ ଘଟିବାକୁ ଯାଉଛି। ଏହା ହେଉଛି ତାଙ୍କର ସ୍ବାଧୀନତା ଦିବସ ଅଭିଭାଷଣର ଅଂଶସ୍ବରୂପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ଆରମ୍ଭ ହେବାକୁ ଯାଉଛି ବୋଲି ଘୋଷଣା କରିଥିବା ‘ସୁଦର୍ଶନ ଚକ୍ର ମିସନ’। ବର୍ତ୍ତମାନ ଯୁଦ୍ଧର ପାରମ୍ପରିକ ଚରିତ୍ରରେ ପରିବର୍ତ୍ତନ ଘଟି ମିସାଇଲ୍, ଡ୍ରୋନ୍, ହାଇପର୍ସୋନିକ୍ ଅସ୍ତ୍ରଶସ୍ତ୍ର ଆଦିର ପ୍ରଚଳନ େଯଉଁଭଳି ବ୍ୟାପକ ହେବାକୁ ଲାଗିଲାଣି, ଭାରତୀୟ ଆକାଶକୁ ସେମାନଙ୍କ ଠାରୁ ନିରାପଦ ରଖିବା ହେଉଛି ଏହି ‘ସୁଦର୍ଶନ ଚକ୍ର ମିସନ’ ପରିକଳ୍ପନାର ଉଦ୍ଦେଶ୍ୟ।
‘ଅପରେସନ ସିନ୍ଦୂର’ ଏହି ସୁରକ୍ଷା କବଚ ସୃଷ୍ଟି ପରିକଳ୍ପନାର ତାତ୍କାଳିକ କାରଣ ହୋଇଥିଲେ ହେଁ, ୧୯୯୦ ଦଶକରୁ ଦେଶରେ ବାଲିଷ୍ଟିକ୍ ମିସାଇଲ୍ ପ୍ରତିରକ୍ଷା ବ୍ୟବସ୍ଥା ସୃଷ୍ଟି ପାଇଁ ଉଦ୍ୟମ ଆରମ୍ଭ ହୋଇସାରିଛି ବୋଲି କୁହାଯାଇପାରେ। ନ’ ବର୍ଷ ତଳେ ଭାରତ ରୁଷ୍ ନିର୍ମିତ ‘ଏସ୍-୪୦୦ ଟ୍ରାଇଅମ୍ଫ’ ଦୂରଗାମୀ ଆକାଶ ପ୍ରତିରକ୍ଷା ବ୍ୟବସ୍ଥା ମୁତୟନ ଆରମ୍ଭ କରିବା ପରେ ୪୦୦ କିଲୋମିଟର ଦୂରରୁ ଏହି କ୍ଷେପଣାସ୍ତ୍ର ମାଡ଼ କରି ଶତ୍ରୁ ଅନୁପ୍ରବେଶକୁ ପ୍ରତିହତ କରିବା ସମ୍ଭବ ହେଉଛି। ପ୍ରଧାନମନ୍ତ୍ରୀ କିନ୍ତୁ ତାଙ୍କ ଘୋଷଣାରେ ସ୍ପଷ୍ଟ କରିଦେଇଛନ୍ତି ଯେ ‘ସୁଦର୍ଶନ ଚକ୍ର’ ହେବ ସଂପୂର୍ଣ୍ଣ ରୂପେ ସ୍ବଦେଶ ନିର୍ମିତ ସୁରକ୍ଷା କବଚ। ଏଥିସହିତ ସଂପର୍କିତ ଗବେଷଣା, ବିକାଶରୁ ନିର୍ମାଣ ପର୍ଯ୍ୟନ୍ତ ଭାରତର ନିଜ ଉଦ୍ୟମରେ ହିଁ ସଂପାଦିତ ହେବ। ନିଃସନ୍ଦେହରେ ଏହି ଲକ୍ଷ୍ୟ ହାସଲରେ ‘ଡିଆର୍ଡିଓ’ ଏକ କେନ୍ଦ୍ରୀୟ ଭୂମିକା ବହନ କରିବ। ୨୦୧୫ରେ ଆମର ଆର୍ମି ଏବଂ ଏଆର୍ଫୋର୍ସରେ ମୁତୟନ କରାଯାଇଥିବା ‘ଆକାଶ’ ମିସାଇଲ୍ ଏ କ୍ଷେତ୍ରରେ ‘ଡିଆର୍ଡିଓ’ର ଅନୁଭୂତିର ସ୍ବାକ୍ଷର ବହନ କରିଥିବାବେଳେ, ରୁଷିଆ ସହିତ ମିଳିତ ଉଦ୍ୟମରେ ନିର୍ମିତ ‘ବ୍ରାହ୍ମୋସ୍’ ସେଇ ଅନୁଭୂତିକୁ ଅଧିକ ପରିପୁଷ୍ଟ କରିଥାଏ। ‘ଅପରେସନ ସିନ୍ଦୂର’ରେ ଏଇ ଉଭୟ କ୍ଷେପଣାସ୍ତ୍ର ସେମାନଙ୍କର ଘାତକ ଫଳପ୍ରଦତା ପ୍ରମାଣିତ କରିଥିଲେ।
ପଶ୍ଚିମରେ ଓ ଉତ୍ତରରେ ଦୁଇଟି ଆଣବିକ ଅସ୍ତ୍ରଧାରୀ ଶତ୍ରୁ ରାଷ୍ଟ୍ର ଦ୍ବାରା ପରିବେଷ୍ଟିତ ଭାରତ ପାଇଁ ସୁଦର୍ଶନ ଚକ୍ର ପରି ଏକ ଆକାଶ କବଚର ଉପସ୍ଥିତି ଯେ ଜରୁରି, ତାହା ହୃଦୟଙ୍ଗମ କରିବା ପାଇଁ କୌଣସି ବିଶେଷ ସାମରିକ ଜ୍ଞାନର ଆବଶ୍ୟକତା ନାହିଁ। ଚୀନ୍ ବର୍ତ୍ତମାନ ପୃଥିବୀର ଏକ ବିଶାଳ ତଥା ଅଗ୍ରଣୀ ମିସାଇଲ୍ ମହଜୁଦକାରୀ ଦେଶରେ ପରିଣତ ହୋଇଛି। ଏହି ଦେଶ ସହିତ ପ୍ରାୟ ୩,୫୦୦ କିମି ଦୀର୍ଘ ସୀମାରେ ଅଂଶୀଦାର ହୋଇଥିବା ଭାରତ ଏଥିଯୋଗୁଁ େଯ ସର୍ବଦା ସମ୍ଭାବ୍ୟ ବିପଦର ସମ୍ମୁଖୀନ ହୋଇଥାଏ, ତାହା ଉଭୟ ଦେଶ ମଧ୍ୟରେ ବାରମ୍ବାର ଘଟି ଚାଲିଥିବା ସୀମା ସଂଘର୍ଷରୁ ସାବ୍ୟସ୍ତ ହୋଇଥାଏ, ଯାହାର ଏକ ସଦ୍ୟତମ ଗୁରୁତର ଉଦାହରଣ ଦେଖିବାକୁ ମିଳିଥିଲା ୨୦୨୦ରେ ଗଲ୍ୱାନ୍ ଠାରେ ଘଟିଥିବା ରକ୍ତାକ୍ତ ସଂଘର୍ଷରେ। ଆବଶ୍ୟକ ହେଲେ ଚୀନ୍ ଯେ ତା’ର ଆଣବିକ କ୍ଷେପଣାସ୍ତ୍ର ପ୍ରୟୋଗ କରିବାକୁ ପଛେଇବ ନାହିଁ, ଗଲ୍ୱାନ୍ ଠାରେ ତା’ର ଅପ୍ରତ୍ୟାଶିତ ଆଚରଣ ହେଉଛି ତା’ର ପ୍ରମାଣ। ପଶ୍ଚିମ ସୀମାନ୍ତରେ ପାକିସ୍ତାନ ବର୍ତ୍ତମାନ ଯୁଦ୍ଧକ୍ଷେତ୍ରରେ ବ୍ୟବହାର ଉଦ୍ଦେଶ୍ୟରେ ଟାକ୍ଟିକାଲ୍ ଆଣବିକ କ୍ଷେପଣାସ୍ତ୍ର ନିର୍ମାଣ ଉଦ୍ୟମରେ ବ୍ୟାପୃତ ଅଛି। ସ୍ବଳ୍ପ ଦୂରଗାମୀ ଆଣବିକ କ୍ଷେପଣାସ୍ତ୍ର ପ୍ରୟୋଗ ଦ୍ବାରା ପାରମ୍ପରିକ ସାମରିକ କ୍ଷମତାରେ ଭାରତର ଆଧିପତ୍ୟକୁ ପ୍ରତିହତ କରିବା ହେଉଛି ପାକିସ୍ତାନର ଉଦ୍ଦେଶ୍ୟ।
ଭାରତର ସାମରିକ ଘାଟୀ, ବଡ଼ ବଡ଼ ସହର, ଗୁରୁତ୍ବପୂର୍ଣ୍ଣ ଭିତ୍ତିଭୂମି ଆଦି ଯଦି ‘ସୁଦର୍ଶନ ଚକ୍ର’ ସ୍ବରୂପ କ୍ଷେପଣାସ୍ତ୍ର କବଚ ଦ୍ବାରା ସୁରକ୍ଷିତ ରହିବେ, ତେବେ ଉଭୟ ଶତ୍ରୁ ଦେଶ ତରଫରୁ କ୍ଷେପଣାସ୍ତ୍ର ଆକ୍ରମଣ ନିଷ୍ଫଳ ହୋଇ ସେମାନଙ୍କର ଯୋଜନା ପଣ୍ଡ ହେବ। ଆଣବିକ ଯୁଦ୍ଧର ପ୍ରଳୟଙ୍କରୀ ସମ୍ଭାବନାକୁ ହୃଦୟଙ୍ଗମ କରି ସାଧାରଣତଃ କୌଣସି ଅଣୁଅସ୍ତ୍ରଧାରୀ ଦେଶ ପ୍ରଥମ ଆଣବିକ ଆକ୍ରମଣ କରିବାକୁ ଚାହିଁ ନ ଥାଏ, ବା ଅନ୍ୟ ଭାଷାରେ କହିଲେ ପ୍ରଥମ ଆଣବିକ ଆକ୍ରମଣ ନ କରିବାକୁ ପ୍ରତିଶ୍ରୁତିବଦ୍ଧ ହୋଇଥାଏ। ତେବେ ପାକିସ୍ତାନ ଓ ଚୀନ୍ ଭଳି ଦେଶ ଯେ କୌଣସି ମୁହୂର୍ତ୍ତରେ ଏହି ଅଲିଖିତ ପରମ୍ପରାର ଉଲ୍ଲଂଘନ କରିବାର ସମ୍ଭାବନା ରହିଥାଏ। ସେମାନେ ଯଦି ସେମାନଙ୍କର ପ୍ରଥମ ଆକ୍ରମଣ ଦ୍ବାରା ଭାରତର ଓଲଟ ଆକ୍ରମଣ କ୍ଷମତାକୁ ସଂପୂର୍ଣ୍ଣ ରୂପେ ଧ୍ବଂସ କରିଦେଇ ପାରିବେ ବୋଲି ନିଶ୍ଚିତ ହୋଇପାରିବେ, ତେବେ ସେମାନେ ଏଭଳି ଏକ ପଦକ୍ଷେପ ନେବାକୁ କେବେହେଲେ ପଛାଇବେ ନାହିଁ। ଏକ ‘ସୁଦର୍ଶନ ଚକ୍ର’ କବଚ ସେମାନଙ୍କର ଏହି ଦୁଷ୍ଟବୁଦ୍ଧିପ୍ରସୂତ ହିସାବକୁ ଓଲଟପାଲଟ କରିଦେବ। କାରଣ ସେମାନେ ସଚେତନ ହେବ ଯେ ‘ସୁଦର୍ଶନ ଚକ୍ର’ କବଚ ଯୋଗୁଁ ସେମାନଙ୍କର ପ୍ରଥମ ଆଣବିକ ଆକ୍ରମଣ ବିଫଳ ହେଲେ ଭାରତ ତାହାର ଜବାବରେ ପାଲଟା ଆଣବିକ ଆକ୍ରମଣ ଚଳାଇବା ନିଶ୍ଚିତ, ଯାହା ପ୍ରଳୟ ସୃଷ୍ଟି କରିବ। ଏଣୁ ‘ସୁଦର୍ଶନ ଚକ୍ର’ର ଉପସ୍ଥିତି ଭାରତର ଶତ୍ରୁ ଦେଶମାନଙ୍କୁ ଆଣବିକ ସଂଯମ ଆଚରଣ କରିବାକୁ ବାଧ୍ୟ କରିବ।
ଭାରତ ବର୍ତ୍ତମାନ ପରିକଳ୍ପନା କରିଥିବା ‘ସୁଦର୍ଶନ ଚକ୍ର’ କବଚ ଯଦି ଅନ୍ୟ କେଉଁ ଏକ ଦେଶର ଏତାଦୃଶ ଉଦ୍ୟମର ଅବିକଳ ନକଲ ଭଳି ମନେ ହେଉଥାଏ, ତାହା ହେଉଛି ଇସ୍ରାଏଲ ସ୍ଥାପନ କରିଥିବା ‘ଆଇରନ୍ ଡୋମ୍’। ଏହା ଅବଶ୍ୟ ଏକ ବାସ୍ତବ ତୁଳନା ନୁହେଁ। କାରଣ ଇସ୍ରାଏଲ ସ୍ଥାପନ କରିଥିବା ଏହି ସୁରକ୍ଷା କବଚ ହେଉଛି ନିର୍ଦ୍ଦିଷ୍ଟ ଭାବରେ ମୁଖ୍ୟତଃ ସ୍ବଳ୍ପ ଦୂରଗାମୀ ରକେଟ୍ ଆକ୍ରମଣକୁ ପ୍ରତିହତ କରିବା ଲାଗି ଉଦ୍ଦିଷ୍ଟ। ଭାରତ କିନ୍ତୁ ଯେଉଁ ସୁରକ୍ଷା କବଚ ନିର୍ମାଣ କରିବାକୁ ଯାଉଛି ତାହା କ୍ରୁଜ୍ ମିସାଇଲ୍, ଡ୍ରୋନ୍, ବାଲିଷ୍ଟିକ୍ ମିସାଇଲ୍, ହାଇପର୍ସୋନିକ୍ ମିସାଇଲ୍ ଆଦି ଦ୍ବାରା ହେବାକୁ ଯାଉଥିବା ଆକ୍ରମଣରୁ ଦେଶର ଗୁରୁତ୍ବପୂର୍ଣ୍ଣ ନିଶାଣମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଉଦ୍ଦିଷ୍ଟ। ‘ସୁଦର୍ଶନ ଚକ୍ର’ ତେଣୁ କେବଳ ଏକ ଏକକ ପ୍ରତିରକ୍ଷା ବ୍ୟବସ୍ଥା ନ ହୋଇ ଏକ ସ୍ତରୀକୃତ ମିଶ୍ରିତ ବ୍ୟବସ୍ଥାର ରୂପ ପରିଗ୍ରହଣ କରିବ, ଯେଉଁଥିରେ ଏସ୍-୪୦୦, ସ୍ବଦେଶ ନିର୍ମିତ ‘ଆଡ୍ଭାନସ୍ଡ ଏଆର୍ ଡିଫେନ୍ସ ଇଣ୍ଟର୍ସେପ୍ଟର୍ସ’ (‘ଏଏଡି’), ଉପଗ୍ରହଭିତ୍ତିକ ସଅଳ ସତର୍କ ସୂଚନା ଏବଂ ‘ଏଆଇ’ଭିତ୍ତିକ ସମ୍ଭାବ୍ୟ ବିପଦ ଆକଳନ ଆଦି ଅନ୍ତର୍ଭୁକ୍ତ। ଇସ୍ରାଏଲ ତା’ର ‘ଆଇରନ୍ ଡୋମ୍’ ପାଇଁ ଆମେରିକାର ସହାୟତା ଉପରେ ନିର୍ଭର କରୁଥିବାବେଳେ, ଭାରତକୁ ଏଥିରେ ସଂପୂର୍ଣ୍ଣ ରୂେପ ଆତ୍ମନିର୍ଭର ହେବାକୁ ପଡ଼ିବ; କାରଣ ପର-ନିର୍ଭରଶୀଳତା ଭାରତର ନିରାପତ୍ତାକୁ ବିପନ୍ନ କରିବ।
‘ସୁଦର୍ଶନ ଚକ୍ର’ ପ୍ରତିଷ୍ଠା ସମ୍ବନ୍ଧରେ ଭାରତର ଘୋଷଣା ହିଁ ବର୍ତ୍ତମାନ ଏକ ଭୂ-ରାଜନୈତିକ ସନ୍ଦେଶ ରୂପେ ଆବିର୍ଭୂତ ହୋଇଛି। ଚୀନ୍ ପାଇଁ ଏହି ସନ୍ଦେଶ ହେଲା- ଭାରତ ସେ ଦେଶର ଡିଏଫ୍-୧୭ ହାଇପର୍ସୋନିକ୍ସର ଛାୟା ତଳେ ଅସହାୟ ହୋଇ ରହିବ ନାହିଁ; ପାକିସ୍ତାନ ପାଇଁ ସନ୍ଦେଶ ହେଲା- ମୁନିର୍ସୁଲଭ ଆଣବିକ ଆକ୍ରମଣ ଧମକରେ ଭାରତ ଭୟଭୀତ ହୋଇ ସ୍ଥାଣୁତ୍ବ ଅବଲମ୍ବନ କରିବ ନାହିଁ; ସାରା ବିଶ୍ବକୁ ସନ୍ଦେଶ ହେଲା- ସାମରିକ ବିବର୍ତ୍ତନ ସହିତ ତାଳ ଦେବାରେ ଭାରତ ପଛରେ ପଡ଼ିଯାଇ ନାହିଁ, ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ କରି ଭାରତ ନିଜକୁ ସୁରକ୍ଷିତ ରଖିବାକୁ ସମର୍ଥ; କିନ୍ତୁ ଅନ୍ୟର କ୍ଷତି ଘଟାଇବା ତା’ର ଉଦ୍ଦେଶ୍ୟ ନୁହେଁ।