ଆମେରିକାର ସର୍ଜନ ଜେନେରାଲ ଯେଉଁ ପ୍ରୌଢ଼ି ପ୍ରଦର୍ଶନ କରି ବ୍ୟାକ୍ଟେରିଆ ଉପରେ ମନୁଷ୍ୟର ଅନ୍ତିମ ବିଜୟ ଘୋଷଣା କରିଥିଲେ, ତାହା ଯେ କେବଳ ମାତ୍ର ଏକ ଅପରିପକ୍ବ ଆତ୍ମବଡ଼ିମା ଥିଲା, ବ୍ୟାକ୍ଟେରିଆମାନେ ହସି ହସି ସୁପର୍ ବଗ୍ସ ରୂପେ ଆବିର୍ଭୂତ ହୋଇ ଆମକୁ ତାହା ଚେତାଇ ଦେଇଛନ୍ତି। କେବଳ ସୁଚିନ୍ତିତ ମିତବ୍ୟୟିତା ହିଁ ଆମକୁ ଏହି ବିପଦରୁ ରକ୍ଷା କରିପାରିବ।
୧୯୨୮ରେ ଆଲେକ୍ଜାଣ୍ଡର୍ ଫ୍ଲେମିଙ୍ଗ ସର୍ବପ୍ରଥମ ଆଣ୍ଟିବାୟୋଟିକ୍ ‘ପେନିସିଲିନ୍’ ଆବିଷ୍କାର କରିବା ପରେ ମନୁଷ୍ୟ ତା’ର ଭୟଙ୍କର ଅଦୃଶ୍ୟ ଶତ୍ରୁ ବ୍ୟାକ୍ଟେରିଆ ଉପରେ ଶେଷରେ ସଂପୂର୍ଣ୍ଣ ବିଜୟ ହାସଲ କରିଥିବାର ଏକ ଧାରଣା ବଳବତ୍ତର ହେବା ଦେଖାଯାଇଥିଲା। ବିଭିନ୍ନ ସଂକ୍ରାମକ ରୋଗ ସୃଷ୍ଟିକାରୀ ସମସ୍ତ ପ୍ରକାର ଷ୍ଟାଫିଲୋକୋକସ୍ ବ୍ୟାକ୍ଟେରିଆମାନଙ୍କୁ ବିନାଶ କରିବାରେ ପେନିସିଲିନ୍ ଏପରି ଚମକପ୍ରଦ ଭାବରେ ଫଳପ୍ରଦ ହେଲା ଯେ ୧୯୬୦ ଦଶକ ଆରମ୍ଭ ବେଳକୁ ଏକ ଧାରଣା ସୃଷ୍ଟି ହେବାକୁ ଆରମ୍ଭ କରିଥିଲା ଯେ ଏଥର ବୋଧହୁଏ ପୃଥିବୀରୁ ସମସ୍ତ ସଂକ୍ରାମକ ରୋଗ ଲୋପ ପାଇଯିବ। ବାସ୍ତବରେ ଏହି ଧାରଣା ଦ୍ବାରା ଅନୁପ୍ରାଣିତ ହୋଇ ସେ ସମୟରେ ଆମେରିକାର ସର୍ଜନ ଜେନେରାଲ ଥିବା ୱିଲିଅମ୍ ଷ୍ଟିୱାର୍ଟ ଘୋଷଣା କରିବା ଦେଖାଯାଇଥିଲା: ‘‘ସଂକ୍ରାମକ ରୋଗ ସଂପର୍କିତ ପୁସ୍ତକ ବନ୍ଦ କରିଦେବାର ସମୟ ଏବେ ଆସିଯାଇଛି। ଆମେ ଆମେରିକାରୁ ସଂକ୍ରମଣକୁ ମୂଳପୋଛ କରିଦେଇଛୁ।’’
କିନ୍ତୁ ଏକ କ୍ରୂର ପରିହାସ କଲା ଭଳି ଡାକ୍ତର ଷ୍ଟିୱାର୍ଟ ଯେଉଁ ସମୟରେ ଏଭଳି ବାହାସ୍ଫୋଟ ମାରୁଥିଲେ, ଠିକ୍ ସେଇ ସମୟରେ ସେଇ ବ୍ୟାକ୍ଟେରିଆମାନଙ୍କ ମଧ୍ୟରୁ ୯୦ ଶତାଂଶ ଜାତି ନିଜ ମଧ୍ୟରେ ପେନିସିଲିନ୍ ପ୍ରତି ପ୍ରତିରୋଧିନୀ ଶକ୍ତି ସୃଷ୍ଟି କରିବାରେ ଲାଗିପଡ଼ିଥିଲେ। ଅନତି ବିଳମ୍ବେ ଏଇ ନୂତନ ପେନିସିଲିନ୍-ପ୍ରତିରୋଧିନୀ ଶକ୍ତିସଂପନ୍ନ ଜାତିମାନଙ୍କ ମଧ୍ୟରୁ ଗୋଟିଏ - ‘ଷ୍ଟାଫିଲୋକୋକସ୍ ଅରିଅସ୍’ - ହସ୍ପିଟାଲମାନଙ୍କରେ ଆତ୍ମପ୍ରକାଶ କରିବା ଦେଖାଗଲା। କେବଳ ‘ଭାନୋମାଇସିନ୍’ ନାମକ ଏକ ନୂତନ ଆଣ୍ଟିବାୟୋଟିକ୍ ଏହାକୁ ଦମନ କରିପାରିଲା। କିନ୍ତୁ ୧୯୯୭ରେ ଜାପାନର ଟୋକିଓସ୍ଥିତ ଏକ ହସ୍ପିଟାଲରେ ଏହି ବ୍ୟାକ୍ଟେରିଆର ଏକ ରୂପାନ୍ତରିତ ସଂସ୍କରଣର ଆବିର୍ଭାବ ଆବିଷ୍କୃତ ହେଲା ଯାହାଠାରେ ଭାନୋମାଇସିନ୍-ପ୍ରତିରୋଧିନୀ ଶକ୍ତି ଉପସ୍ଥିତ ଥିଲା। ମାସ କେଇଟା ମଧ୍ୟରେ ଜାପାନର ଛ’ଟି ହସ୍ପିଟାଲରେ ଏହି ଅଜେୟ ଶତ୍ରୁର ଅନୁପ୍ରବେଶ ଘଟିସାରିଥିଲା। ଏହାଦ୍ବାରା ସଂକ୍ରମିତ ରୋଗୀମାନେ ଶେଷରେ ଅସହାୟ ଭାବରେ ମୃତ୍ୟୁବରଣ କଲେ।
ହସ୍ପିଟାଲମାନଙ୍କରେ ଆବିଷ୍କୃତ ହେଉଥିବା ଏଭଳି ଦୁର୍ଦ୍ଧର୍ଷ ବ୍ୟାକ୍ଟେରିଆମାନଙ୍କୁ ସାଧାରଣ ଭାଷାରେ ‘ସୁପର୍ ବଗ୍ସ’ ରୂପେ ଅଭିହିତ କରାଯାଇଥାଏ, ଯେଉଁମାନେ ଆଣ୍ଟିବାୟୋଟିକ୍ ସହିତ ସେମାନଙ୍କର ଯୁଦ୍ଧରେ ଆଣ୍ଟିବାୟୋଟିକ୍ମାନଙ୍କ ଠାରୁ ଦୁଇ ପାଦ ଆଗକୁ ଚାଲିଯାଇଥାନ୍ତି। ପୃଥିବୀର ଅଧିକାଂଶ ଦେଶର ହସ୍ପିଟାଲମାନଙ୍କରେ ଏଭଳି ସୁପର୍ ବଗ୍ସମାନଙ୍କର ଉପସ୍ଥିତି ପରିଲକ୍ଷିତ ହେଉଥିଲେ ହେଁ ଭାରତ ଭଳି ଜନବହୁଳ ହୁଗୁଳା ନିୟନ୍ତ୍ରଣସଂପନ୍ନ ଦେଶମାନଙ୍କରେ ଏମାନଙ୍କର ଆବିର୍ଭାବର ସମ୍ଭାବନା ସ୍ବାଭାବିକ ଭାବରେ ବହୁ ଅଧିକ ହୋଇଥାଏ। ଏହାର ଏକ ପ୍ରମାଣ ସ୍ବରୂପ ଚଣ୍ଡୀଗଡ଼ସ୍ଥିତ ମର୍ଯ୍ୟାଦାଜନକ ଚିକିତ୍ସା ଗବେଷଣା ସଂସ୍ଥା ‘ପିଜିଆଇଏମ୍ଇଆର୍’ର ଏକ ଗବେଷକ ଗୋଷ୍ଠୀ ଦେଶର ଆଠଟି ଅଗ୍ରଣୀ ହସ୍ପିଟାଲର ଅନୁଶୀଳନ କରି (ମୁଖ୍ୟତଃ ଦେଶର ବିଭିନ୍ନ ସ୍ଥାନରେ ଅବସ୍ଥିତ ‘ଏମ୍ସ’ମାନ) ସେଠାରେ ବିଭିନ୍ନ ଆଣ୍ଟିବାୟୋଟିକ୍ସମାନଙ୍କର ଅବିଚାରିତ ତଥା ବହୁଳ ବ୍ୟବହାର ଯୋଗୁଁ ସେଠାରେ ପ୍ରତିରୋଧିନୀ ଶକ୍ତି ବହନ କରୁଥିବା ସୁପର୍ ବଗ୍ସମାନଙ୍କର ଉତ୍ପତ୍ତି ଘଟୁଛି ବୋଲି ସଦ୍ୟ ସଦ୍ୟ ଏକ ରିପୋର୍ଟ ପ୍ରକାଶ କରିଛନ୍ତି। ସେମାନେ ସେଠାରେ ‘କ୍ଲେବ୍ସିଏଲା ନିଉମୋନି’, ‘ଇ କୋଲାଇ’ ଓ ‘ଆସିନେଟୋବ୍ୟାକ୍ଟର୍’ ପରି ବ୍ୟାକେ୍ଟେରିଆମାନଙ୍କର ଉପସ୍ଥିତି ଆବିଷ୍କାର କରିଛନ୍ତି, ଯେଉଁମାନଙ୍କ ବିରୋଧରେ ଶେଷ ଅସ୍ତ୍ର ରୂପେ ପରିଚିତ ‘କୋଲିଷ୍ଟିନ୍’ ଭଳି ଆଣ୍ଟିବାୟୋଟିକ୍ର ପ୍ରୟୋଗ ମଧ୍ୟ ଫଳପ୍ରଦ ହେଉନାହିଁ। ଏହାର ଭୟାନକ ତାତ୍ପର୍ଯ୍ୟ ହେଉଛି ଏହା ଯେ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ଜଣେ ରୋଗୀ ସେଠାରେ ଯେତେବେଳେ କୌଣସି ଏକ ଗତାନୁଗତିକ ସଂକ୍ରମଣର ଶିକାର ହୁଏ, ତାହାର ଆଉ ଉପଶମ ନ ଘଟି ତାହା ଏକ ଜୀବନନାଶକ ‘ସେପ୍ସିସ୍’ରେ ପରିଣତ ହୋଇପାରେ। ଡାକ୍ତରମାନେ ଉପାୟଶୂନ୍ୟ ଭାବରେ ଏହି ମରଣାନ୍ତକ ନାଟକର କେବଳ ନିରବଦ୍ରଷ୍ଟା ସାଜିଥାନ୍ତି।
ଗବେଷକମାନେ ଆବିଷ୍କାର କରିଥିଲେ ଯେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା େରାଗୀମାନଙ୍କ ମଧ୍ୟରୁ ପ୍ରାୟ ୬୦ ଶତାଂଶ କୌଣସି ନା କୌଣସି ଆଣ୍ଟିବାୟୋଟିକ୍ ଗ୍ରହଣ କରୁଥାନ୍ତି। ଅର୍ଥାତ୍ ୱାର୍ଡ ଓ ଆଇସିୟୁରେ ଥିବା ପ୍ରତି ଦଶ ଜଣ ରୋଗୀଙ୍କ ମଧ୍ୟରୁ ଛ’ ଜଣଙ୍କୁ ଆଣ୍ଟିବାୟୋଟିକ୍ ଦିଆଯାଇଥାଏ। ଏମାନଙ୍କ ମଧ୍ୟରୁ ଅର୍ଦ୍ଧେକଙ୍କୁ ବିନା ପରୀକ୍ଷାରେ ଏହି ଆଣ୍ଟିବାୟୋଟିକ୍ ଦିଆଯାଇଥାଏ। ତାତ୍କାଳିକ ଚିକିତ୍ସାର ଆବଶ୍ୟକତା ଦୃଷ୍ଟିରୁ ଏହା କରାଯାଉଥିଲେ ହେଁ, ଏହାର ପରିଣାମ ସ୍ବରୂପ ବ୍ୟାକ୍ଟେରିଆମାନଙ୍କ ଠାରେ କ୍ରମେ ଆଣ୍ଟିବାୟୋଟିକ୍-ପ୍ରତିରୋଧିନୀ ଶକ୍ତି ସୃଷ୍ଟି ହେବାର ଦୃଢ଼ ସମ୍ଭାବନା ଥାଏ। ଚିକିତ୍ସା ବିଜ୍ଞାନ ଭାଷାରେ ଏଭଳି ଆଣ୍ଟିବାୟୋଟିକ୍-ପ୍ରତିରୋଧିନୀ ଶକ୍ତି ସୃଷ୍ଟିକୁ କୁହାଯାଇଥାଏ ‘ଆଣ୍ଟିମାଇକ୍ରୋବିୟାଲ୍ ରେଜିଷ୍ଟାନ୍ସ’ ବା ‘ଏଏମ୍ଆର୍’।
‘ବିଶ୍ବ ସ୍ବାସ୍ଥ୍ୟ ସଂଗଠନ’ (‘ହୁ’) ‘ଏଏମ୍ଆର୍’କୁ ପୃଥିବୀ ସମ୍ମୁଖୀନ ହେଉଥିବା ଦଶଟି ପ୍ରମୁଖ ସ୍ବାସ୍ଥ୍ୟ ବିପଦମାନଙ୍କ ମଧ୍ୟରୁ ଗୋଟିଏ ବୋଲି ଘୋଷଣା କରିଛି। କିନ୍ତୁ ଏହି ସଂକଟ ବିଶେଷ କରି ଭାରତରେ ଯେ ଏକ ଉଗ୍ର ରୂପ ଧାରଣ କରିବାକୁ ଆରମ୍ଭ କଲାଣି, ‘ପିଜିଆଇ’ ଦ୍ବାରା ପ୍ରସ୍ତୁତ ଉପରୋକ୍ତ ରିପୋର୍ଟ ସେଥିପ୍ରତି ଆମକୁ ସତର୍କ କରାଇ ଦେଇଥାଏ। ଅନ୍ୟ ଏକ ସୂଚନା ଅନୁସାରେ ଭାରତରେ ହସ୍ପିଟାଲମାନଙ୍କରେ ‘ଏଏମ୍ଆର୍’ ଦ୍ବାରା ଆକ୍ରାନ୍ତ ହେବା ଯୋଗୁଁ ପ୍ରତିବର୍ଷ ପ୍ରାୟ ୬୦,୦୦୦ ନବଜାତ ଶିଶୁଙ୍କର ମୃତ୍ୟୁ ଘଟୁଛି। ଏହି ଅବସ୍ଥା ଯଦି ଅଣାୟତ୍ତ ହୋଇଚାଲେ ତେବେ ମନେ ହୁଏ ଆମ ପାଇଁ ସତେ ଯେମିତି ସମୟ ପଛକୁ ପ୍ରବାହିତ ହୋଇ ଏକ ପ୍ରାକ୍-ପେନିସିଲିନ୍ ପରିସ୍ଥିତିର ଆବିର୍ଭାବ ଘଟିବ ଯେତେବେଳେ ଏକ ସାଧାରଣ ସଂକ୍ରମଣର କୌଣସି ଫଳପ୍ରଦ ଚିକିତ୍ସା ସମ୍ଭବ ହୋଇ ନ ପାରି ଆକ୍ରାନ୍ତ ରୋଗୀର ମୃତ୍ୟୁ ଘଟିବ।
ଏପରି ପରିସ୍ଥିତିର ଯେଉଁ ମୂଳ କାରଣ ସମସ୍ତଙ୍କୁ ଜଣା, ତାହା ହେଲା ଆମ ଦେଶରେ ଆଣ୍ଟିବାୟୋଟିକ୍ସର ଅତ୍ୟଧିକ ଅବିଚାରିତ ବ୍ୟବହାର, ଯାହାକୁ ଆମେ ଆମର ଏକ ଅତ୍ୟନ୍ତ ମୂଲ୍ୟବାନ ସମ୍ବଳର ବଦଖର୍ଚ୍ଚ ରୂପେ ଅଭିହିତ କରିପାରିବା। ଆମର ଏହି ବଦଖର୍ଚ୍ଚ ଯୋଗୁଁ ଏହି ମୂଲ୍ୟବାନ ସମ୍ବଳର ଆବିଷ୍କାରର ଗୋଟିଏ ଶତାବ୍ଦୀ ପୂରଣ ହେବା ପୂର୍ବରୁ ମଧ୍ୟ ତାହା ନିଃଶେଷ ହୋଇଯିବାର ସମ୍ଭାବନା ଦେଖାଦେଲାଣି- ଅର୍ଥାତ୍ ପ୍ରଭାବହୀନ ହୋଇଯିବାକୁ ବସିଲାଣି। ଉପରେ ଉଲ୍ଲେଖ କରାଯାଇଥିବା ଭଳି ଆମେରିକାର ସର୍ଜନ ଜେନେରାଲ ଯେଉଁ ପ୍ରୌଢ଼ି ପ୍ରଦର୍ଶନ କରି ବ୍ୟାକ୍ଟେରିଆ ଉପରେ ମନୁଷ୍ୟର ଅନ୍ତିମ ବିଜୟ ଘୋଷଣା କରିଥିଲେ, ତାହା ଯେ କେବଳ ମାତ୍ର ଏକ ଅପରିପକ୍ବ ଆତ୍ମବଡ଼ିମା ଥିଲା, ବ୍ୟାକ୍ଟେରିଆମାନେ ହସି ହସି ସୁପର୍ ବଗ୍ସ ରୂପେ ଆବିର୍ଭୂତ ହୋଇ ଆମକୁ ତାହା ଚେତାଇ ଦେଇଛନ୍ତି। କେବଳ ସୁଚିନ୍ତିତ ମିତବ୍ୟୟିତା ହିଁ ଆମକୁ ଏହି ବିପଦରୁ ରକ୍ଷା କରିପାରିବ।